ଘର ଲେଉଟାଣି

୧୯୯୦ ମସିହା ଡିସେମ୍ବର ୨୦ ତାରିଖରେ ‘ନ୍ୟୁୟର୍କ ରିଭ୍ୟୁ’ ପତ୍ରିକାରେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ ଦ୍ବାରା ଲିଖିତ ଯେଉଁ ଏକ ଗଭୀର ଅନୁଶୀଳନଧର୍ମୀ ଅଥଚ ସୁଖପାଠ୍ୟ ନିବନ୍ଧ ପ୍ରକାଶିତ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତା’ର ଶୀର୍ଷକ ଥିଲା ‘ମୋର‌୍‌ ଦ୍ୟାନ୍‌ ୧୦୦ ମିଲିଅନ୍‌ ଉମେନ୍‌ ଆର‌୍‌ ମିସିଙ୍ଗ୍‌’ ବା ‘ଶହେ ନିୟୁତରୁ ଅଧିକ ମହିଳା ନିଖୋଜ’। ତହିଁରେ ସେ ଉତ୍ତର-ଆମେରିକା ବା ୟୁରୋପରେ ଦୃଷ୍ଟିଗୋଚର ହେଉଥିବା ପ୍ରତି ୧୦୦୦ ପୁରୁଷଙ୍କ ଅନୁପାତରେ ୧୦୬୦ ମହିଳାଙ୍କ ଉପସ୍ଥିତିକୁ ଏକ ମାନକ ଭାବେ ନେଇ ଏସୀୟ, ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ରାଷ୍ଟ୍ରର ପ୍ରତି ୧୦୦୦ ପୁରୁଷଙ୍କ ଅନୁପାତରେ ହାରାହାରି ୯୪୦ ମହିଳାଙ୍କ ଉପସ୍ଥିତି ପରିପ୍ରେକ୍ଷୀରେ ଏକ ହିସାବରେ ପହଞ୍ଚିଥିଲେ ଯେ ଏହି ସବୁ ଦେଶରେ ପ୍ରାୟ ୧୦୦ ନିୟୁତ ମହିଳା ନିଖୋଜ ଅଛନ୍ତି, ଯହିଁରେ ଭାରତର ଭାଗ ଥିଲା ୩୭ ନିୟୁତ। ତହିଁରେ ସେ କହିଥିଲେ ଯେ ପୃଥିବୀର ସର୍ବତ୍ର ଝିଅଙ୍କ ତୁଳନାରେ ଅଧିକ ସ˚ଖ୍ୟକ ପୁଅ ଜନ୍ମ ଗ୍ରହଣ କରୁଥିବା ସତ୍ତ୍ବେ କେତେକ ଜୈବିକ ବିଶିଷ୍ଟତା ହେତୁ ସମାନ ପ୍ରକାର ପରିବେଶରେ ବଢ଼ୁଥିବା ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ସ˚ଖ୍ୟାରେ ଜୀବିତ ରହନ୍ତି ଏବ˚ ଅଧିକ ଦୀର୍ଘାୟୁ ହୁଅନ୍ତି ମଧୢ। ଏଭଳି ସ୍ଥିତିରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ଏହାର ବିପରୀତ କଥାଟି ପରିଦୃଷ୍ଟ ହେବା ପଛରେ ନିହିତ ପ୍ରକୃତ କାରଣ ଅନ୍ବେଷଣ କରିବା ଉଦ୍ୟମର ଫଳଶ୍ରୁତି ଥିଲା ସେହି ନିବନ୍ଧ। କହିବା ଅନାବଶ୍ୟକ ଯେ ଲିଙ୍ଗଗତ ବୈଷମ୍ୟ ଭଳି ଏକ ସହଜ କାରଣ ତାଙ୍କ ଲାଗି ଗ୍ରହଣୀୟ ନ ଥିଲା, କାରଣ ପୃଥିବୀର ସବୁ ରାଷ୍ଟ୍ର ଓ ସମାଜରେ ଏହି ବୈଷମ୍ୟ ଦୃଷ୍ଟି‌େଗାଚର ହୋଇଥାଏ। ତେଣୁ ସେ ଆହୁରି ଗଭୀରକୁ ପ୍ରବେଶ କରି ଅସଲ ସତ୍ୟର ମୁକ୍ତା ଅନୁସନ୍ଧାନର ଉଦ୍ୟମ କରିଥିଲେ।

ତାଙ୍କର ସେହି ନିବନ୍ଧ ପ୍ରକାଶିତ ହେବା ପର ଠାରୁ ଇତି ମଧୢରେ ପ୍ରାୟ ତିନି ଦଶନ୍ଧି ଅତିକ୍ରାନ୍ତ ହୋଇ ସାରିଛି ଏବ˚ ଗଲା ଗୁରୁବାର ଦିନ ସମସ୍ତଙ୍କୁ ଚମକାଇ ଦେଲା ଭଳି ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ବା ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.-୫’ କହିଛି ଯେ ୧୮୭୨ ମସିହାରେ ପ୍ରକାଶିତ ଭାରତର ପ୍ରଥମ ଜନଗଣନା ରିପୋର୍ଟ ଠାରୁ ଆଜି ମଧୢରେ ପ୍ରଥମ ଥର ଲାଗି ଆମ ଦେଶରେ ମହିଳାଙ୍କ ସଂଖ୍ୟା ଅନୁପାତ ପୁରୁଷଙ୍କ ତୁଳନାରେ ଅଧିକ ହୋଇଛି ଅର୍ଥାତ୍‌ ପ୍ରତି ୧୦୦୦ ପୁରୁଷଙ୍କ ଅନୁପାତରେ ଏବେ ୧୦୨୦ ମହିଳା ଅଛନ୍ତି। ଏଠାରେ ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଏଭଳି ଏକ ଚମକପ୍ରଦ ତଥ୍ୟ ପ୍ରଦାନ କରିବା ପୂର୍ବରୁ ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ ପକ୍ଷରୁ କିଞ୍ଚିତ କୁଣ୍ଠାପୂର୍ଣ୍ଣ କଣ୍ଠରେ ଏ ସବୁ ତଥ୍ୟର ସତର୍କ ବ୍ୟାଖ୍ୟା କରିବା ଲାଗି ଅନୁରୋଧ କରାଯାଇଛି; ଯାହାର କାରଣ କେତେକ ରାଜ୍ୟ ଏବ˚ କେନ୍ଦ୍ର ଶାସିତ ଅଞ୍ଚଳରୁ ଉପଲବ୍‌ଧ ନମୁନାର ସ୍ବଳ୍ପତା। ତେବେ, ଦୁଇଟି ଦଫାରେ ଅନୁଷ୍ଠିତ ଏହି ସର୍ବେକ୍ଷଣ ଯଥାକ୍ରମେ ୨୦୧୯ ଜୁନ୍‌ ୧୭ ତାରିଖରୁ ଆରମ୍ଭ ହୋଇ ୨୦୨୦ ମସିହା ଜାନୁଆରି ୩୦ ଏବ˚ ୨୦୨୦ ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୬ ଲକ୍ଷ ୩୬ ହଜାର ୬୯୯ଟି ପରିବାର ଅନ୍ତର୍ଭୁକ୍ତ ହୋଇଥିଲେ।

କହିବା ଅନାବଶ୍ୟକ ଯେ ଏହି ସର୍ଭେର ଫଳାଫଳ ଅନେକ ବିଶେଷଜ୍ଞଙ୍କ ଲାଗି ସନ୍ଦେହାସ୍ପଦ ହୋଇଛି। ସେମାନେ କହିଥାଆନ୍ତି ଯେ ଏଭଳି ଏକ ଅତ୍ୟନ୍ତ ବ୍ୟାପକ କ୍ଷେତ୍ରରେ ଏକ ବିଶ୍ବସନୀୟ ତଥା ବାସ୍ତବ ଚିତ୍ର କେବଳ ଆଗାମୀ ଜନଗଣନା ରିପୋର୍ଟରୁ ହିଁ ପ୍ରାପ୍ତ ହୋଇପାରେ। ଏହି ପରିପ୍ରେକ୍ଷୀରେ ସେମାନେ ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ ସର୍ଭେରେ ନିହିତ କେତେକ ତ୍ରୁଟି ପ୍ରତି ଇଙ୍ଗିତ କରିଥାଆନ୍ତି: ଯେମିତି କି ନମୁନା ସ˚ଖ୍ୟା ଅତ୍ୟନ୍ତ ସୀମିତ ହୋଇଥିବା ବେଳେ ସର୍ଭେର ଅନ୍ତିମ ଦିନରେ ସର୍ବେକ୍ଷଣକାରୀମାନେ ‘ଡି ଫାକ୍ଟୋ’ ବା ‘ତାତ୍କାଳିକ ସ୍ଥିତି’ରୁ ମହିଳା ବା ପୁରୁଷଙ୍କ ସ˚ଖ୍ୟା ଆକଳନ କରିବାର ଚେଷ୍ଟା କରିଥିଲେ, ଯହିଁରେ ଅନେକ ପୁରୁଷ ବା ମହିଳା ସେହି ସମୟରେ ସେହି ସ୍ଥାନରେ ଅନୁପସ୍ଥିତ ଥିବାର ସମ୍ଭାବନା ରହିଛି। ସେହିଭଳି ଦ୍ବିତୀୟ ଦଫାର ସର୍ବେକ୍ଷଣ କୋଭିଡ୍‌ ମହାମାରୀର ରାହୁଛାୟା ତଳେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ କାଳରେ ହୋଇଥିଲା, ଯେଉଁ ସ୍ଥିତିରେ ଏକ ସଠିକ ଚିତ୍ର ମିଳିବା ଯେ କଷ୍ଟକର, ତାହା କହିବା ବାହୁଲ୍ୟ ମାତ୍ର। ସେହି ସମୟରେ ଉତ୍ତର ପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ ଭଳି ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଯିବା-ଆସିବାର ଏକ ସଘନ ଚୁମ୍ବକୀୟ କ୍ଷେତ୍ର ପାଲଟିଥିବା ବେଳେ ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ର ସର୍ଭେ ଅନୁଷ୍ଠିତ ହୋଇଥିଲା। ତହିଁରୁ ମିଳିଥିବା ତଥ୍ୟ ଅନୁସାରେ ଏହି ରାଜ୍ୟ ତ୍ରୟରେ ପ୍ରତି ୧୦୦୦ ପୁରୁଷରେ ଯଥାକ୍ରମେ ୧୦୧୭, ୧୦୬୩ ଏବଂ ୧୦୦୯ ମହିଳା ଅଛନ୍ତି। କିନ୍ତୁ ଏହା ଅନେକ ଭ୍ରୂକୁ˚ଚନ ସୃଷ୍ଟି କରିଛି, କାରଣ ଉତ୍ତର ପ୍ରଦୋଶ ଓ ରାଜସ୍ଥାନ‌ରେ ମହିଳାଙ୍କ ସଂଖ୍ୟା ଅନୁପାତ ପାରଂପରିକ ଭାବେ ସର୍ବଦା ଦୁର୍ବଳ ହୋଇ ହିଁ ରହି ଆସିଛି।

କିନ୍ତୁ ଏ ସବୁ ସତ୍ତ୍ବେ ଆମ ଦେଶରେ ମହିଳା ଓ ପୁରୁଷଙ୍କ ମଧୢରେ ରହିଥିବା ସ˚ଖ୍ୟାଗତ ବ୍ୟବଧାନ ଯେ ଆଖିଦୃଶିଆ ଭାବେ ହ୍ରାସ ପାଉଥିବ; ତାହା ମଧ୍ୟ ଖୁବ୍‌ ସମ୍ଭବ। ତେବେ, ଏଭଳି ଆଶାବାଦ ପଛରେ ଥିବା କାରଣ କ’ଣ? ତାହା ଜାଣିବା ଲାଗି ଆମକୁ ପୁନର୍ବାର ଅମର୍ତ୍ତ୍ୟ ସେନ୍‌ଙ୍କ ନିବନ୍ଧକୁ ଫେରିବାକୁ ହେବ; ଯହିଁରେ ସେ ଲିଙ୍ଗଗତ ବୈଷମ୍ୟ ଭଳି ଏକ ସହଜ ଉତ୍ତରରେ ସନ୍ତୁଷ୍ଟ ନ ରହି ଏହା ପଛରେ ନିହିତ ଥିବା ଜଟିଳତାକୁ ଭେଦ କରିବାର ପ୍ରୟାସ କରିଛନ୍ତି। ତାଙ୍କ ମତରେ ଯଦି ଦାରିଦ୍ର୍ୟ ଏଭଳି ତାରତମ୍ୟର କାରଣ ହୁଅନ୍ତା, ତେବେ ଜନଜାତି ସ˚ପ୍ରଦାୟରେ (ଉପ ସାହାରୀୟ ଆଫ୍ରିକାରେ ମଧୢ) ପୁତ୍ରଙ୍କ ତୁଳନାରେ କନ୍ୟାଙ୍କ ସ˚ଖ୍ୟା ଅଧିକ ହୁଅନ୍ତା ନାହିଁ; ସେହି ପରି ଯଦି ସମୃଦ୍ଧି ଲିଙ୍ଗଗତ ବୈଷମ୍ୟକୁ ଦୂର କରି ପାରୁଥାଆନ୍ତା, ତେବେ ହରିଆଣା ଭଳି ସମୃଦ୍ଧ ରାଜ୍ୟରେ ୧୦୦୦ ପୁରୁଷଙ୍କ ତୁଳନାରେ ମାତ୍ର ୮୬୦ ମହିଳା (ଏହି ନିବନ୍ଧ ଲେଖା ହେବା ସମୟର ପରିସ˚ଖ୍ୟାନ) ରହି ନ ଥା’ନ୍ତେ; ସେହିଭଳି ରାଜନୈତିକ ପ୍ରତିନିଧିତ୍ବରେ ମହିଳାଙ୍କ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ଯେ ଏହି ତାରତମ୍ୟକୁ ହ୍ରାସ କରି ନ ପାରେ, ତାହାର ଦୃଷ୍ଟାନ୍ତ ସ୍ବରୂପ ଚାରିଟି ଯାକ ଦକ୍ଷିଣ ଏସୀୟ ରାଷ୍ଟ୍ର(ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା) ବିଦ୍ୟମାନ, ଯେଉଁଠାରେ ମହିଳାମାନେ ଶାସନ ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ଥଳେ ସେଠାରେ ମହିଳାମାନଙ୍କ ସଂଖ୍ୟା ଅନୁପାତର ସ୍ଥିତି ଅତ୍ୟନ୍ତ ଦୟନୀୟ। ଉଲ୍ଳେଖଯୋଗ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକା ବା ଅନେକ ୟୁରୋପୀୟ ରାଷ୍ଟ୍ରରେ ଏ ଯାବତ୍‌ ମହିଳା ରାଷ୍ଟ୍ର ମୁଖ୍ୟ ସମ୍ଭବ ହୋଇ ନାହାନ୍ତି। ଅମର୍ତ୍ତ୍ୟ ସେନ ସେହି ନିବନ୍ଧ ଲେଖିବା ବେଳକୁ ଆମେରିକାର ସିନେଟ୍‌ରେ ମହିଳାଙ୍କ ଉପସ୍ଥିତି ମାତ୍ର ୨ ପ୍ରତିଶତ ଥିବା ବେଳେ ଆମ ରାଜ୍ୟ ସଭାରେ ତାହା ଥିଲା ୭ ପ୍ରତିଶତ।

ତାଙ୍କ ଅନୁଶୀଳନ କହିଥାଏ ଯେ କନ୍ୟା ଭ୍ରୂଣ ହତ୍ୟା ଠାରୁ ପ୍ରାରମ୍ଭ କରି ଜନ୍ମ ଲାଭ ପରେ ବଡ଼ ହେଉଥିବା ବେଳେ ରୋଗଗ୍ରସ୍ତ ହୋଇ ଚିକିତ୍ସା ଅଭାବରୁ ଝିଅମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ସ˚ଖ୍ୟା ହ୍ରାସ ଲାଗି ଯାହା ଦାୟୀ, ତାହା ହେଲା ଭାରତୀୟ ପରିବାରରେ ମହିଳାମାନଙ୍କର ଅତ୍ୟନ୍ତ ଗୌଣ ସ୍ଥାନ; ଯାହାର କାରଣ ପରିବାରର ଉପାର୍ଜନରେ ସେମାନଙ୍କ ସିଧାସଳଖ ଅବଦାନର ଶୂନ୍ୟତା। ପରିବାରର ଜୀବନ ଯାତ୍ରାକୁ ସାବଲୀଳ କରିବା ଲାଗି ଯଦିଓ ମହିଳାମାନେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସ˚ପାଦନ କରିଥାଆନ୍ତି, ମାଗଣା କାର୍ଯ୍ୟ ଭାବେ ତାହା ସର୍ବଦା ଅଦୃଶ୍ୟ ହୋଇ ରହିବା ସହିତ ସେମାନଙ୍କୁ ପରିବାରର କ୍ଷମତା ନିଶୁଣିରେ ନିମ୍ନତମ ସ୍ଥାନରେ ଅବସ୍ଥାପିତ କରିଥାଏ। ଯଦି ଅମର୍ତ୍ତ୍ୟ ସେନ୍‌ଙ୍କ ଏହି ନିଷ୍କର୍ଷକୁ ଗ୍ରହଣ କରି ସ˚ପ୍ରତି ଭାରତରେ ମହିଳାମାନଙ୍କ ଆର୍ଥିକ ଉପାର୍ଜନ କ୍ଷମତାର ବୃଦ୍ଧିକୁ ସେମାନଙ୍କ ସ˚ଖ୍ୟା ବୃଦ୍ଧିିର ଏକ କାରଣ ଭାବେ ଦେଖିବା ତେବେ ଭାରତରେ ପୁରୁଷ ଓ ମହିଳାଙ୍କ ସ˚ଖ୍ୟା ବ୍ୟବଧାନ ଯେ ଅଚିରେ ହ୍ରାସ ପାଇ ଶୂୂନ୍ୟ ସ୍ତରକୁ ଚାଲିଆସିବ, ସେଭଳି ଏକ ଆଶାବାଦ ସୃଷ୍ଟି ହୁଏ। ସ˚ପ୍ରତି ଶିକ୍ଷିତ ହୋଇ କର୍ମଜୀବୀ ରୂପେ ଆବିର୍ଭୂତ ହୋଇଥିବା ଭାରତୀୟ ମହିଳାମାନଙ୍କ ସ˚ଖ୍ୟାରେ ଯେ କେବଳ ଆଶାତୀତ ବୃଦ୍ଧି ଘଟିଛି ତାହା ନୁହେଁ, ଅନେକ ଅଶିକ୍ଷିତ ବା ଅର୍ଧ-ଶିକ୍ଷିତ ମହିଳା ମଧୢ ‘ସ୍ବୟ˚ ସହାୟକ ଗୋଷ୍ଠୀ’ ଇତ୍ୟାଦିରେ ଅନ୍ତର୍ଭୁକ୍ତ ହୋଇ ଅର୍ଥ ଉପାର୍ଜନ କରିବା ସହିତ ପରିବାରର କ୍ଷମତା ନିଶୁଣିରେ ଉପରକୁ ଆରୋହଣ କଲେଣି। ଏକ ହିସାବରୁ ଜଣାପଡ଼ିଛି ଯେ ସ˚ପ୍ରତି ଭାରତରେ ୬.୬ ନିୟୁତ ‘ସ୍ବୟ˚ ସହାୟକ ଗୋଷ୍ଠୀ’ କାର୍ଯ୍ୟକ୍ଷମ ଯହିଁରେ ପ୍ରାୟ ୭.୨ କୋଟି ମହିଳା ରୋଜଗାରକ୍ଷମ ହୋଇ ପରିବାରର ଆୟରେ ବୃଦ୍ଧି ଘଟାଇଛନ୍ତି। ଏଭଳି ଆର୍ଥିକ ସଶକ୍ତୀକରଣ କାରଣରୁ ଯଦି ପରିବାରରେ ମହିଳାମାନେ ପୁରୁଷଙ୍କ ତୁଲ୍ୟ ପ୍ରାଧାନ୍ୟ ଲାଭ କରିବାର ପଥ ଉନ୍ମୋଚିତ ହେଉଥାଏ, ତେବେ ପୁରୁଷ ଓ ମହିଳାଙ୍କ ମଧୢରେ ସୃଷ୍ଟ ସ˚ଖ୍ୟାଗତ ବ୍ୟବଧାନ ଯେ ଅଚିରେ ଲୋପ ପାଇବ, ତହିଁରେ ସନ୍ଦେହ ନାହିଁ। ବୋଧହୁଏ, ମହିଳାମାନଙ୍କ ଘର ଲେଉଟାଣି ବେଳ ଉପନୀତ। ଅନ୍ତତଃ ସଦ୍ୟ ପ୍ରକାଶିତ ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌-୫’ ରିପୋର୍ଟ‌୍ଟି ଏଭଳି ଆଭାସ ଦେଇଛି। ତେଣୁ ଲାଗୁଛି ଅମର୍ତ୍ତ୍ୟ ସେନ୍‌ଙ୍କୁ ନିଖୋଜ ମହିଳାମାନଙ୍କ ଲାଗି ବ୍ୟଥିତ ହୋଇ ଆଉ ଅଧିକ ବିନିଦ୍ର ରଜନୀ କାଟିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର