ନୂଆ ଅବତାର

ଗଲା ପ୍ରାୟ ଦୁଇ ବର୍ଷ ଧରି ‘ସାର୍ସ-କୋଭିଡ୍‌-୨’ ନାମକ ଯେଉଁ ଅପଦେବତା ମର୍ତ୍ତ୍ୟରେ ସ˚କ୍ରମଣ ଏବ˚ ସ˚ହାର ଲୀଳା ଚଳାଇ ରଖିଛି; ତା’ର ଏକ ଗୁଣ ହେଲା ସେ ଶକ୍ତିହୀନ ହୋଇ ଆସିଲା ଭଳି ମନେ ହେଉଥିବା ବେଳେ ହଠାତ୍‌ ତା’ର ଅବତାରମାନ ଆବିର୍ଭୂତ ହୋଇ ଭୀଷଣତାରେ ବିରାମ ଘଟାଇବାକୁ ଦେଇ ନ ଥାଆନ୍ତି। ସେହି ପରିପ୍ରେକ୍ଷୀରେ ଏହି ମାସର ମଧ୍ୟ ଭାଗରେ ‘ଓମିକ୍ରନ୍‌’ ନାମକ ଏକ ନୂତନ ‘ଭାରିଆଣ୍ଟ୍‌’ ବା ଅବତାରର ଆବିଷ୍କାର ବିଶେଷ ପ୍ରଣିଧାନଯୋଗ୍ୟ। କେବଳ ସେତିକି ନୁହେଁ, ଏହି ଆବିଷ୍କାର ସହିତ ତାଳ ଦେଇ ଅନେକ ୟୁରୋପୀୟ ରାଷ୍ଟ୍ରରେ କିଛି ମାସର ଭଟ୍ଟା ପରେ ପୁନର୍ବାର ସ˚କ୍ରମଣର ଏକ ଉତ୍ତାଳ ତରଙ୍ଗ ସୃଷ୍ଟିର ଚିହ୍ନମାନ ଦୃଷ୍ଟିଗୋଚର ହୋଇ ପୃଥିବୀକୁ ଏକ ନୂତନ ଅନିଶ୍ଚିତତା ମଧୢକୁ ଠେଲି ଦେଲାଣି। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକାର ‘ନେଟ୍‌ଵର୍କ ଅଫ୍‌ ଜେନୋମିକ୍‌ସ ସର୍ଭେଲାନ୍‌ସ’ର ବୈଜ୍ଞାନିକମାନଙ୍କ ଅଣୁବୀକ୍ଷଣ ଯନ୍ତ୍ର ତଳେ ଧରା ପଡ଼ିଥିବା ‘ଓମିକ୍ରନ୍‌’ ପରିପ୍ରେକ୍ଷୀରେ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଥାଏ।

‘ନେଟ୍‌ଵର୍କ ଅଫ୍‌ ଜେନୋମିକ୍‌ସ ସର୍ଭେଲାନ୍‌ସ’ର ବୈଜ୍ଞାନିକମାନେ କହିଥାଆନ୍ତି ଯେ ଏହା ‘ସାର୍ସ କୋଭିଡ୍‌-୨’ ଭୂତାଣୁର ‘ବେଟା’ ଷ୍ଟ୍ରେନ୍‌ର ନାତୁଣୀ ନୁହେଁ କି ‘ଡେଲ୍‌ଟା’ ଷ୍ଟ୍ରେନ୍‌ର ପୁଅ ନୁହେଁ; ଏହା ଏକ ନୂଆ ପ୍ରକାରର କୋଭିଡ୍‌ ଭାଇରସ୍‌(‘ବି.୧.୧.୫୨୯) ହୋଇପାରେ। ସେମାନଙ୍କ ଏଭଳି ନିଷ୍କର୍ଷର କାରଣ ‘ଓମିକ୍ରନ୍‌’ରେ ଥିବା ‘ସ୍ପାଇକ୍‌ ପ୍ରୋଟିନ୍‌’ର ଆଧିକ୍ୟ, ଯାହା ଏହାକୁ ଅତ୍ୟନ୍ତ ଦ୍ରୁତ ସ˚କ୍ରମଣଶୀଳ କରିବାର ଆଶଙ୍କା ଅଧିକ। ତେବେ, ସେମାନେ ଏହା ମଧୢ କହିଥାଆନ୍ତି ଯେ ଏହାର ପ୍ରକୃତ ପ୍ରଭାବ ସ˚ପର୍କରେ ଧାରଣା ଲାଭ କରିବା ସକାଶେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ଏହି କାରଣରୁ ପୃଥିବୀ ପୁନଶ୍ଚ ଏଭଳି ଏକ ସ୍ଥିତିରେ ନିଜକୁ ଆବିଷ୍କାର କରିପାରେ, ଯେଉଁଠି କୋଭିଡ୍‌ ସ˚ପର୍କରେ ଗଲା ଦୁଇ ବର୍ଷ ଧରି ଆହରଣ କରାଯାଇଥିବା ଅନେକ ଜ୍ଞାନ ଅଚଳ ହୋଇଯାଇପାରେ ବା ପରିମାର୍ଜନ ଲୋଡ଼ିପାରେ; ପ୍ରତିଷେଧକର ଫଳପ୍ରଦତା ହୁଏ’ତ ଆହ୍ବାନର ସମ୍ମୁଖୀନ ହୋଇପାରେ।

ଏଠାରେ ସ୍ମରଣକୁ ଆସିପାରେ ଯେ ୨୦୧୯ ଜାନୁଆରି ମାସରେ ଯେତେବେଳେ ପ୍ରଥମେ କୋଭିଡ୍‌ ମହାମାରୀର ପ୍ରଥମ ତରଙ୍ଗ ପୃଥିବୀକୁ ମଗ୍ନ କରି ପକାଇଥିଲା, ସେତିକିବେଳେ ଏହି ସ˚ପୂର୍ଣ୍ଣ ନୂତନ ଭାଇରସ୍‌ର ମୁକାବିଲା ଲାଗି ଅପ୍ରସ୍ତୁତ ପୃଥିବୀ ପାଖରେ ଏହାର ବାସିନ୍ଦାଙ୍କ ବ୍ୟବହାର ଲାଗି ଦୁଇଟି ମୁଖ୍ୟ ଆୟୁଧ ଥିଲେ ଯଥାକ୍ରମେ ଏକାନ୍ତ ବାସ ବା ‘କ୍ବାରାନ୍‌ଟାଇନ୍‌’ ବା ସାମାଜିକ ଦୂରତା ଓ (ହସ୍ତ) ବିଶୋଧନ ବା ‘ସାନିଟାଇଜେସନ୍‌’; ଏବ˚ ଏହି ନିୟମ ଦ୍ବୟକୁ ପାଳନକ୍ଷମ କରିବା ଲାଗି ସରକାରଙ୍କ ହାତରେ ଥିଲା ‘ଲକ୍‌ଡାଉନ୍‌’ ନାମକ ଏକମାତ୍ର ଅସ୍ତ୍ର। ଏହା ସହିତ ପରିବେଶରେ ଭରି ରହିଥିଲା ଅନେକ ଅଜ୍ଞାନ, ଅଜ୍ଞତା, ଗୁଜବ, ଆଶଙ୍କା, ବିଭ୍ରାନ୍ତି ଏବ˚ ଭ୍ରମ ଆଦିର ଧୂଳି ଓ ଧୂଆଁ। ଉଦାହରଣ ସ୍ବରୂପ ସେହି ସମୟରେ ସୃଷ୍ଟ ଧାରଣା ଯେ କୌଣସି ଦ୍ରବ୍ୟ ବା ବ୍ୟକ୍ତିକୁ ସ୍ପର୍ଶ କରିବା ମଧୢ ସ˚କ୍ରମଣର ଏକ କାରଣ ହୋଇପାରେ, ଏହି ବିଶ୍ବାସକୁ ଜନ୍ମାଇ ଥିଲା ଯେ ସମ୍ଭବତଃ ଏହା ଏକ ଛୁଆଁ ରୋଗ। ଏପରିକି ଅନେକ ଗବେଷକ ଏହାକୁ ବାୟୁ ବାହୀ ରୋଗ ଭାବେ ଅଭିହିତ କରିଥିଲେ। ଏହି କାରଣରୁ ଏହାର ପ୍ରାରମ୍ଭିକ ଚିକିତ୍ସାରେ କ୍ଲୋରୋକୁଇନ୍‌ ଠାରୁ ଆରମ୍ଭ କରି କୃମି ନାଶକ ‘ଆଇଭରମେଟିନ’ ପର୍ଯ୍ୟନ୍ତ ଅନେକ ଅନାବଶ୍ୟକ ଔଷଧର ପ୍ରୟୋଗ ମଧୢ କରାଯାଉଥିଲା। କିନ୍ତୁ କ୍ରମେ ଯେଉଁ ଅତୁଲ୍ୟ ଉପଲବ୍‌ଧିମାନ ସମ୍ଭବ ହୋଇଥିଲା, ତାହା ଥିଲା ଅନେକ ଭ୍ରାନ୍ତିର ଅବସାନ, ଅନେକ ନୂତନ ଚିକିତ୍ସା ପଦ୍ଧତି ଓ ଔଷଧର ଆଗମନ ତଥା ଏକ ଯୁଗାନ୍ତକାରୀ କୀର୍ତ୍ତିମାନ ସ୍ବରୂପ ମାତ୍ର ବର୍ଷକ ମଧୢରେ ନଅଟି ପ୍ରତିଷେଧକର ବିକାଶ ତଥା ସମଗ୍ର ପୃଥିବୀକୁ କୋଭିଡ୍‌ ସ˚କ୍ରମଣ ଦାଉରୁ ପ୍ରତିଷେଧୢ କରିବା ଲାଗି ସଘନ ଉଦ୍ୟମର ପ୍ରାରମ୍ଭ। କୋଭିଡ୍‌ ସ˚ପର୍କିତ ନୂଆ ଜ୍ଞାନ ପି.ପି.ଇ. ସୁଟ୍‌ର ମାତ୍ରାତିରିକ୍ତ ବ୍ୟବହାରରେ ହ୍ରାସ ଘଟାଇଛି; ଏହା ହୃଦ୍‌ବୋଧ କରାଇଲାଣି ଯେ ପ୍ରତିଷେଧକ ଦ୍ବାରା ଏହାର ଭୀଷଣତାକୁ କ୍ଷୁଣ୍ଣ କରାଯାଇପାରେ ଏବ˚ ମୁଖା, (ହସ୍ତ) ବିଶୋଧନ ଏବ˚ ଭିଡ଼ରୁ ଦୂରତ୍ବ ରକ୍ଷା ଭଳି କେତେକ ସହଜ ସତର୍କତାମୂଳକ ପଦକ୍ଷେପ ବଳରେ ସ˚କ୍ରମଣର ତରଙ୍ଗ ଭିତରେ ମଧୢ ଆତ୍ମରକ୍ଷା କରିବା ସମ୍ଭବ। କିନ୍ତୁ ‘ଓମିକ୍ରନ୍‌’ର ସୃଷ୍ଟି ପରେ ବର୍ତ୍ତମାନ କେତେକ ମହଲରେ ପ୍ରଶ୍ନ ଉଠିଲାଣି ଯେ ଏବେ କ’ଣ କୋଭିଡ୍‌ ସ˚କ୍ରାନ୍ତ ଅନେକ ଜ୍ଞାନର ବିଲୟ ଘଟିବ? ଏହା କ’ଣ ପ୍ରତିଷେଧକଗୁଡ଼ିକୁ ନିଷ୍ଫଳ କରି ଦେବ? ପୂର୍ବ ଭାଇରସ୍‌ ତୁଳନାରେ ଅନେକ ଗୁଣରେ ଅଧିକ ଦ୍ରୁତ ସ˚କ୍ରମଣଶୀଳ ହୋଇ ସାମାଜିକ ଦୂରତ୍ବ ରକ୍ଷା, ମୁଖା ବ୍ୟବହାର ଏବ˚ ବିଶୋଧନ ଭଳି ମୌଳିକ ସତର୍କତାକୁ ମଧ୍ୟ ଅଥର୍ବ କରି ଦେବ?

‘ଓମିକ୍ରନ୍‌’ର ଆବିର୍ଭାବ ବିଷୟ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଘୋଷଣା କରିବା ପରେ ଅନେକ ୟୁରୋପୀୟ ରାଷ୍ଟ୍ର ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ସହିତ ଗମନାଗମନ ସ˚ପର୍କ ବନ୍ଦ କରି ସାରିଲେଣି (ଦକ୍ଷିଣ ଆଫ୍ରିକା ସରକାର ଏହାକୁ ‘ନିିର୍ବୋଧତା’ ବୋଲି ଅଭିହିତ କରିଛନ୍ତି)। ଆମ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ‘ଓମିକ୍ରନ୍‌’ ବାବଦରେ ସବିଶେଷ ଭାବେ ଅବଗତ କରାଇ ଦିଆଗଲାଣି ଯାହା ସମ୍ଭବତଃ ଶୀଘ୍ର ଏକ ନୂତନ ଗାଇଡ୍‌ ଲାଇନ୍‌ ଲାଗି ଭୂମି ପ୍ରସ୍ତୁତ କରିପାରେ। ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ‘ଓମିକ୍ରନ୍‌’ ଆକ୍ରାନ୍ତ ଦେଶଗୁଡ଼ିକ ସହିତ ବିମାନ ଚଳାଚଳ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେଣି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଅଚାନକ ପରିଦୃଷ୍ଟ ସ˚କ୍ରମଣର ତରଙ୍ଗ ହେତୁ ଅନେକ କଟକଣା ସହିତ ପୁଣି ‘ଲକ୍‌ଡାଉନ୍‌’କୁ ଆବାହନ କରାଗଲାଣି। ତେବେ ଏହି ସ˚ଦର୍ଭରେ ‘ବ୍ଲୁମ୍‌ବର୍ଗ’ରେ ପ୍ରକାଶିତ ଏକ ନିବନ୍ଧ ବିଶେଷ ଆଲୋଚନାଯୋଗ୍ୟ ବୋଲି ମନେ ହୋଇଥାଏ। ତହିଁରେ ଦୁଇ ନିବନ୍ଧକାର ଜନ୍‌ ଫାଲାନ୍‌ ଏବ˚ ସୁଜି ରିଙ୍ଗ୍‌ କହିଥା’ନ୍ତି ଯେ ସେ ସବୁ ରାଷ୍ଟ୍ରରେ ଡାକ୍ତରଖାନାମାନ ପୁନର୍ବାର ରୋଗୀମାନଙ୍କ ଦ୍ବାରା ଉଛୁଳିବା ବା ‘ଆଇସିୟୁ’ମାନ ଭରିଯିବା ଭଳି ସ୍ଥିତି ଉତ୍ପନ୍ନ ହେବାକୁ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ କୋଭିଡ୍‌ର ପ୍ରଥମ ତରଙ୍ଗକାଳୀନ ଭୟ ଜନସାଧାରଣଙ୍କ ଠାରେ ପରିଦୃଷ୍ଟ ହେଉନାହିଁ। ଉଦାହରଣ ସ୍ବରୂପ ପ୍ରଥମ ତରଙ୍ଗର ବିଭୀଷିକା କାଳରେ ଏକ କି˚କର୍ତ୍ତବ୍ୟବିମୂଢ଼ ଇଟାଲିରେ ଯେମିତି ହଜାର ହଜାର କଫିନ୍‌ ପରିବହନ କରି ଦୂର କବରସ୍ଥାନକୁ ନେବା ଲାଗି ମିଲିଟାରି ଟ୍ରକ୍‌ଗୁଡ଼ିକର ଧାଡ଼ି ଏକ ‘ସର‌୍‌ରିଏଲ୍‌’ ବା ଅତିବାସ୍ତବ ଦୃଶ୍ୟ ସୃଷ୍ଟି କରିଥିଲା, ସେଭଳି ସମ୍ଭାବନା ଆଉ ବୋଧହୁଏ ସେଠାରେ ହେବାର ନାହିଁ। କାରଣ ଗଲା ଦୁଇ ବର୍ଷ ଧରି କୋଭିଡ୍‌ ସହିତ ରହି ଆସିଥିବା ବିଶ୍ବବାସୀ ଏହି ସ˚କ୍ରମଣକୁ ଦେହସୁହା କରି ନିଜ ଠାରେ ଏଭଳି ସାହସକୁ ଜନ୍ମ ଦେଇଛନ୍ତି ଯେ ନୂଆ ତରଙ୍ଗ ସତ୍ତ୍ବେ ଇଟାଲିରେ ଜନସାଧାରଣ ଏକତ୍ର ହୋଇ ଉତ୍ସବ ପାଳନ କରୁଛନ୍ତି; ଅଷ୍ଟ୍ରିଆ ବା ଜର୍ଜିଆରେ ‘ଲକ୍‌ଡାଉନ୍‌’ ବିରୋଧରେ ବିପୁଳ ବିରୋଧ ପ୍ରଦର୍ଶନ କରୁଛନ୍ତି, ଫ୍ରାନ୍‌ସରେ ମୁଖା ନ ପିନ୍ଧିବା ଏକ ନିୟମିତ ବ୍ୟାପାର ହେଲାଣି।

କିଛି ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ମୁଖ୍ୟ ବୈଜ୍ଞାନିକା ସୌମ୍ୟା ସ୍ବାମୀନାଥନ କହିଥିଲେ ଯେ ସମ୍ଭବତଃ ଭାରତରେ କୋଭିଡ୍‌ ଏକ ‘ଏନ୍‌ଡେମିକ୍‌’ରେ ପରିଣତ ହେବାକୁ ବସିଲାଣି। ଏହାର ଅର୍ଥ ସ˚କ୍ରମଣ କ୍ରମେ ଦୁର୍ବଳ ହୋଇ ଚାଲିବ। ତେଣୁ ଏକ ପ୍ରଶ୍ନ ଉଠିଥାଏ ଯେ ‘ଓମିକ୍ରନ୍‌’ ଯଦି ଭାରତ ଭୂମିରେ ପ୍ରବେଶ କରେ ତେବେ କ’ଣ ପୁଣି ସ୍ଥିତି ବଦଳି ଯିବ? ଏହା ଦ୍ବାରା କ’ଣ ଆମମାନଙ୍କୁ (ପୃଥିବୀକୁ) ଆଉ ଏକ ନୂତନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ? ଗବେଷକମାନେ କହନ୍ତି, ଏ ସମ୍ବନ୍ଧରେ ଜାଣିବା ଲାଗି ଆମକୁ ଆଉ କିଛି ସମୟ ପ୍ରତୀକ୍ଷା କରିବାକୁ ହେବ। ତେଣୁ ବର୍ତ୍ତମାନ ଲାଗି ସାମଜିକ ଦୂରତ୍ବ ରକ୍ଷା, ମୁଖା ଓ ବିଶୋଧନ ଭଳି ମୌଳିକ ସତର୍କତା ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ହେବ। ଦୁଇ ବର୍ଷରେ କୋଭିଡ୍‌ ଦେହସୁହା ହୋଇ ଯଦିଓ କିଛି ସାହସର ସ˚ଚାର କରିଛି; ତେବେ ଏହି ନୂତନ ଅବତାର ପରିପ୍ରେକ୍ଷୀରେ ଅଧିକ ସାହସର ପ୍ରଦର୍ଶନ ହୁଏ’ତ ଧୃଷ୍ଟତା ହୋଇପାରେ।

ସମ୍ବନ୍ଧିତ ଖବର