ଛଦ୍ମ ଈଶ୍ୱର

ମହାନ୍ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କର ପ୍ରସିଦ୍ଧ ‘କଥୋପକଥନ’ (‘ଡାଏଲଗ୍‌ସ’) ମାନଙ୍କ ମଧ୍ୟରୁ ‘ଥିଏଟେଟସ୍‌’କୁ ସର୍ବ‌େଶ୍ରଷ୍ଠ ରୂପେ ବିବେଚନା କରାଯାଇଥାଏ। ଏଥିରେ ସକ୍ରେଟିସ୍ ବିଷ ପାନ କରି ମୃତ୍ୟୁବରଣ କରିବାର କିଛି ସମୟ ପୂର୍ବରୁ ଥିଏଟେଟସ୍ ନାମକ ଜଣେ ବିଚକ୍ଷଣ ଯୁବ ଗଣିତଜ୍ଞଙ୍କର ତାଙ୍କ ସହିତ ପରିଚିତି ହେବା ପରେ ଉଭୟଙ୍କ ମଧ୍ୟରେ ଜ୍ଞାନର ସ୍ବରୂପ ସମ୍ବନ୍ଧରେ ହୋଇଥିବା କଥୋପକଥନ ବର୍ଣ୍ଣନା କରାଯାଇଛି।

ଏଥିରେ ଆଲୋଚିତ ବିଭିନ୍ନ ପ୍ରଶ୍ନମାନଙ୍କ ମଧ୍ୟରୁ ଗୋଟିଏ ଥିଲା: ବିକ୍ଷିପ୍ତ ଜ୍ଞାନକୁ ଏକ ସଂକ୍ଷିପ୍ତ ରୂପ ପ୍ରଦାନ କରି ଉପସ୍ଥାପନ କରାଯିବା କେତେଦୂର ଉଚିତ? ଏହି ପ୍ରଶ୍ନକୁ ଆଉ ଟିକିଏ ଆଗେଇ ନେଇ ପଚରାଯାଏ ଯେ ଏକ ସମାଜ ପାଇଁ କେଉଁଭଳି ଜ୍ଞାନ ହେଉଛି ଉପଯୁକ୍ତ? (ପ୍ଲାଟୋ ଏହି ପ୍ରଶ୍ନକୁ ବୁଲାଇ ଦେଇ ପଚାରିଥିଲେ: ଜ୍ଞାନ ରୂପେ ବିବେଚିତ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରକାର ସୂଚନା ସହିତ କେଉଁ ଭଳି ସମାଜ ଖାପ ଖାଇଥାଏ?)। ‘ଥିଏଟେଟସ୍’ର ଏହି ପ୍ରଶ୍ନକୁ ବୁଝାଇବା ପାଇଁ ଅନେକ ସମୟରେ ମୁଦ୍ରାର ଅାବିର୍ଭାବକୁ ଏକ ଉଦାହରଣ ରୂପେ ବ୍ୟବହାର କରାଯାଇଥାଏ।

ମୁଦ୍ରାର ଉଦ୍ଭାବନ ପୂର୍ବରୁ ଦ୍ରବ୍ୟ-ଦ୍ରବ୍ୟ ମଧ୍ୟରେ ପ୍ରତ୍ୟକ୍ଷ ଅଦଳବଦଳ ମାଧ୍ୟମରେ ବିନିମୟ ସଂଘଟିତ ହେଉଥିଲା (ଚାଉଳ ବଦଳରେ ମାଛ, ଗୁଡ ବଦଳରେ ଲୁଗା, ଲୁଣ ବଦଳରେ ସୋରିଷ ତେଲ … ଇତ୍ୟାଦି)। ଏହି ବ୍ୟବସ୍ଥାରେ ଅଗଣିତ ଅଦଳବଦଳକାରୀ ପରସ୍ପରର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିଲେ, ଯାହା ଏକ ବ୍ୟାପକ ସାମାଜିକ ସମ୍ପର୍କ ଜାଲ ବା ନେଟ୍‌ୱାର୍କ‌୍ ସୃୃଷ୍ଟିରେ ସହାୟକ ହେଉଥିଲା। ଉଲ୍ଲେଖଯୋଗ୍ୟ ଯେ ଏପରି ଅଦଳବଦଳ ହେଉଥିବା (ଇଂରେଜୀରେ ‘ବାର୍ଟର୍’) ପ୍ରତ୍ୟେକ ଦ୍ରବ୍ୟ ବା ସେବାର ନିଜସ୍ବ ଅନ୍ତର୍ନିହିତ ମୂଲ୍ୟ ଥାଏ। ସେମାନଙ୍କର ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ- ଲୁଣ, କୁକୁଡ଼ା, ଧୂଆଁପତ୍ର, ଜୋତା… ଏମାନେ ସମସ୍ତେ ଭିନ୍ନ ଭିନ୍ନ ଚରିତ୍ରର ଅଧିକାରୀ ହୋଇଥା’ନ୍ତି; ତେଣୁ ଏମାନଙ୍କ ସମ୍ବନ୍ଧରେ ଜ୍ଞାନ ଅତ୍ୟନ୍ତ ବିକ୍ଷିପ୍ତ ହୋଇଥାଏ।

ଯେତେବେଳେ କିନ୍ତୁ ମୁଦ୍ରାର ଆବିର୍ଭାବ ଘଟିଲା, ସେତେବେଳେ ଏମାନେ ସମସ୍ତେ ଗୋଟିଏ ନୂତନ ସାଧାରଣ ଗୁଣବାଚକ ଚରିତ୍ର ବହନ କରିବା ଆରମ୍ଭ କଲେ: ନିଜର ମୁଦ୍ରା ଆକାରରେ ମୂଲ୍ୟ ବା ମୁଦ୍ରା-ମୂଲ୍ୟ, ପୂର୍ବର ‘ବାର୍ଟର’ ବ୍ୟବସ୍ଥାରେ ଯାହାର ଚିହ୍ନବର୍ଣ୍ଣ ନ ଥିଲା। ଦ୍ରବ୍ୟ ଓ ସେବା ଆଦି ସମ୍ବନ୍ଧରେ ବିକ୍ଷିପ୍ତ ବସ୍ତୁଗତ ଜ୍ଞାନ ଏହା ଦ୍ବାରା ଏକ ସଂକ୍ଷିପ୍ତ ମୌଦ୍ରିକ ଜ୍ଞାନରେ ପରିଣତ ହେଲା। ଜ୍ଞାନର ଏଭଳି ସଂକ୍ଷିପ୍ତୀକରଣ ଘଟାଇ ମୁଦ୍ରା ସମସ୍ତ ପୁରାତନ ସାମାଜିକ ସମ୍ପର୍କର ଧ୍ବଂସ ସାଧନ କରି ନୂତନ ଅବୈକ୍ତିକ ସମ୍ପର୍କମାନଙ୍କୁ ଜନ୍ମ ଦେଲା। ଏହା ଏକ ସ୍ବାଗତଯୋଗ୍ୟ କିମ୍ବା ଅବାଞ୍ଛିତ ପରିବର୍ତ୍ତନ, ସେ ନେଇ ବିବାଦରେ ଏ ପର୍ଯ୍ୟନ୍ତ ଅନ୍ତ ଘଟିନାହିଁ।

ମୁଦ୍ରା ଯେ ସମସ୍ତ ପ୍ରକାର ମାନବିକ ସମ୍ପର୍କ ଛିନ୍ନ କରାଇ ସମାଜରେ ବ୍ୟକ୍ତିକୁ ଏକ ସମ୍ପୂର୍ଣ୍ଣ ଛିନ୍ନମୂଳ ସତ୍ତାରେ ପରିଣତ କରିଥାଏ, ତାହାର ଯିଏ ସର୍ବାଧିକ ଶକ୍ତିଶାଳୀ ଯୁକ୍ତି ଉପସ୍ଥାପନ କରିଥିଲେ, ସେ ହେଉଛନ୍ତି ପୃଥିବୀରେ ସାମ୍ୟବାଦ ଚିନ୍ତାଧାରାର ବିଧିବଦ୍ଧ ଜନ୍ମଦାତା, ମହାନ ଅର୍ଥନୀତିଜ୍ଞ-ସମାଜତତ୍ତ୍ବବିତ୍ କାର୍ଲ‌୍ ମାର୍କ‌୍ସ। ୧୮୬୭ରେ ତାଙ୍କର ସର୍ବାଧିକ ପ୍ରସିଦ୍ଧ ଯୁଗାନ୍ତକାରୀ ପୁସ୍ତକ ‘ଦାସ୍ କ୍ୟାପିଟାଲ୍’ ପ୍ରକାଶ ପାଇବାର ଦୁଇ ଦଶନ୍ଧିରୁ ଅଧିକ କାଳ ପୂର୍ବରୁ ୧୮୪୩ରେ ମାର୍କ‌୍ସ ଆଧୁନିକ ସମାଜରେ ମନୁଷ୍ୟ ବିତାଉଥିବା ଅର୍ଥନୈତିକ ଜୀବନ ସମ୍ବନ୍ଧରେ ତାଙ୍କର ଚିନ୍ତାଧାରା ବହନ କରୁଥିବା ଏକ ପ୍ରବନ୍ଧ ରଚନା କରିଥିଲେ, ଯାହାର ଶୀର୍ଷକ ଥଲା: ‘ଦି ଜିୱିସ୍ କ୍ବେଶ୍ଚନ୍’ (‘ଇହୁଦୀ ପ୍ରଶ୍ନ’)। ମାର୍କ‌୍ସ ଏଥିରେ ମୁଦ୍ରା ଈଶ୍ବର ରୂପେ ପୂଜା ପାଉଥିବା ଏକ ଅପରିଚିତ ବାଣିଜ୍ୟିକ ଦୁନିଆରେ ମନୁଷ୍ୟ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ବିଚ୍ଛିନ୍ନୀକରଣ ସମ୍ବନ୍ଧରେ ଚିନ୍ତା ପ୍ରକଟ କରିଥିଲେ।

ସେ ନିଜେ ଇହୁଦୀ ମୂଳର ହୋଇଥିଲେ ହେଁ ମୁଦ୍ରା ବା ଅର୍ଥର ଏହି ଆରାଧନାକୁ ମାର୍କ‌୍ସ ଏହି ରଚନାରେ ଇହୁଦୀ ଧର୍ମ ସହିତ ସମାନ ବୋଲି କହିଥିଲେ। ଏଥିରେ ସେ କହିଥିଲେ ଯେ ମୁଦ୍ରା ସ୍ବାଧୀନ ଭାବରେ ଅନ୍ୟ ସମସ୍ତ ଦ୍ରବ୍ୟମାନଙ୍କର ମୂଲ୍ୟ ବହନ କରିଥାଏ। ଏହା ତେଣୁ ଉଭୟ ମନୁଷ୍ୟ ତଥା ପ୍ରକୃତିର ଅନ୍ୟ ସମସ୍ତ ପଦାର୍ଥର ଥିବା ନିଜସ୍ବ ମୂଲ୍ୟରୁ ସେମାନଙ୍କୁ ବଞ୍ଚିତ କରିଥାଏ। ମାର୍କ‌୍ସଙ୍କ ଭାଷାରେ: ‘‘ମୁଦ୍ରା ହେଉଛି ମନୁଷ୍ୟର କାର୍ଯ୍ୟ ଓ ତା’ର ସତ୍ତାର ବିଚ୍ଛିନ୍ନୀକୃତ ନିର୍ଯାସ। ଏଇ ବାହାର ଦୁନିଆର ଜୀବ ତାକୁ (ମନୁଷ୍ୟକୁ) ଶାସନ କରିଥାଏ ଓ ସେ (ମନୁଷ୍ୟ) ତାକୁ ପୂଜା କରିଥାଏ।’’

ମାନବ ସମାଜରେ ମୁଦ୍ରାର ଆବିର୍ଭାବ ପର ଠାରୁ ସେଥିରେ ଅନବରତ ବିବର୍ତ୍ତନ ଘଟି ଚାଲିଛି। ଏହି ବିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ମୁଦ୍ରା ପରିଗ୍ରହଣ କରିଥିବା ଯେଉଁ ଏକ ଅପେକ୍ଷାକୃତ ସଦ୍ୟ ଅବତାର ବର୍ତ୍ତମାନ ପୃଥିବୀ ସାରା ଓ ନିର୍ଦ୍ଦିଷ୍ଟ ଭାବରେ ଭାରତର ଜନ ମାନସରେ ଘୋର ଉଦ୍‌ବେଳନ ସୃଷ୍ଟି କରିଛି, ତାହାର ନାମ ହିଁ ତା’ର ଚରିତ୍ର ସମ୍ବନ୍ଧରେ ସମ୍ୟକ୍ ସୂଚନା ପ୍ରଦାନ କରିଥାଏ: ‘କ୍ରିପ୍ଟୋ କରେନ୍‌ସି’ ବା ‘ଛଦ୍ମ ମୁଦ୍ରା’। ପରିସ୍ଥିତି ଏଭଳି ହୋଇଛି ଯେ ଭାରତ ସରକାର ଏହି ଛଦ୍ମ ମୁଦ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ବାହାରିଥିଲେ (ଭାରତରେ ଏହି ଛଦ୍ମ ମୁଦ୍ରା ଉପାସକମାନଙ୍କର ସଂଖ୍ୟା ଦେଢ଼ କୋଟି ଟପି ସାରିଲାଣି); ଏବେ ଅାଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟାଇ ପାର୍ଲିଆମେଣ୍ଟ୍‌ର ଚଳିତ ଅଧିବେଶନରେ ତାହାର କଡ଼ାକଡ଼ି ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି।

ଇତିହାସ ସାରା ଯାହା ମୁଦ୍ରା ରୂପେ ପରିଚିତ ହୋଇ ଆସିଥିଲା, ତାହା ପଛରେ ସର୍ବଦା ସମ୍ପୃକ୍ତ ଦେଶର ସରକାରଙ୍କର ସାର୍ବଭୌମ ସ୍ବୀକୃତି ନିହିତ ଥିଲା। ୨୦୦୮ର ବିଶ୍ବବ୍ୟାପୀ ବିତ୍ତୀୟ ସଂକଟ ପରେ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରି ‘ବିଟ୍ କଏନ୍’ ନାମକ ଯେଉଁ ଛଦ୍ମ ମୁଦ୍ରାର ଆବିର୍ଭାବ ଘଟିଲା, ତା’ର ମୂଳ ଉଦ୍ଦେଶ୍ୟ ଥିଲା ଅଧିକ ଗୋପନୀୟତା, ପରିଚୟହୀନତା ଓ ସ୍ବାଧୀନତା ବଜାୟ ରଖି ଏକ ବିକଳ୍ପ ନେଣଦେଣ ବ୍ୟବସ୍ଥା ସୃଷ୍ଟି କରିବା। ସରକାର କିମ୍ବା ଅନ୍ୟ ମଧ୍ୟସ୍ଥି ସଂସ୍ଥା (ଯେମିତି ‘ୱେଷ୍ଟର୍ନ ୟୁନିଅନ୍’)ମାନଙ୍କର ନିୟନ୍ତ୍ରଣରୁ ମୁକ୍ତ ରହି ଏହା ବିଶେଷ କରି ବୈଦେଶିକ ମୁଦ୍ରା ନେଣ ଦେଣକୁ ଅପେକ୍ଷାକୃତ ବ୍ୟୟମୁକ୍ତ କରିଦେଲା। କ୍ରମେ ସେଥିରେ ମଧ୍ୟ ବିବର୍ତ୍ତନ ଘଟି ବର୍ତ୍ତମାନ ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ନିବେଶକମାନେ ଏହାକୁ ଏକ ଶ୍ରେଣୀର ସମ୍ପତ୍ତି ରୂପେ ବିଚାର କରି ଏଥିରେ ବିପୁଳ ଅର୍ଥ ନିବେଶ କରିବାକୁ ଆରମ୍ଭ କଲେଣି।

ମାର୍କ‌୍ସ ମୁଦ୍ରାର ଯେଉଁ ବିଚ୍ଛିନ୍ନୀକରଣ ପ୍ରଭାବ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ଛଦ୍ମ ମୁଦ୍ରା ଯେ ତାହାକୁ ଶୀର୍ଷ ସ୍ତରରେ ପହଞ୍ଚାଇଛି, ତାହା କାହାରି ଦୃଷ୍ଟି ଏଡ଼ାଇ ନ ଥିବ। ବର୍ତ୍ତମାନ ପ୍ଲାଟୋଙ୍କୁ ଅନୁସରଣ କରି ପ୍ରଶ୍ନ ପଚରା ଯିବାର ବେଳ ଉପସ୍ଥିତ: ଭାରତୀୟ ସମାଜ ଛଦ୍ମ ମୁଦ୍ରା ନାମକ ଏହି ଜ୍ଞାନର ନୂତନ ଆଗନ୍ତୁକ ସହିତ ଖାପ୍ ଖାଇଥାଏ କି? ବିଭିନ୍ନ କାରଣ ଯୋଗୁଁ ଏ ପ୍ରଶ୍ନର ଯଥାର୍ଥ ଉତ୍ତର ହେଉଛି- ନା। ପ୍ରଥମ, ଯଦି ସରକାରୀ ବ୍ୟବସ୍ଥା ବାହାରେ ବିପୁଳ ପରିମାଣର ଛଦ୍ମ ମୁଦ୍ରାର ପରିଚଳନ ଘଟେ, ତେବେ ସରକାର ଦେଶର ମୁଦ୍ରାନୀତି କିପରି ନିୟନ୍ତ୍ରଣ କରିବେ? ଏହାର ଗୋପନୀୟତା ଓ ନାମହୀନତା ଯୋଗୁଁ ଏହା ସାହାଯ୍ୟରେ ଚୋରା ଅର୍ଥ କାରବାରରୁ ଆତଙ୍କବାଦୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଚଳାଇବା ସହଜ ହୋଇଥାଏ। ଛଦ୍ମ ମୁଦ୍ରାର ପ୍ରାରମ୍ଭିକ ନିର୍ମାତାମାନେ ଅଜଣା ହୋଇଥିବାରୁ ସରକାର ଚାହିଁଲେ ବି ସେମାନଙ୍କୁ କିପରି ନିୟନ୍ତ୍ରଣ କରିବେ? ଯଦି ପ୍ରକ୍ରିୟାଗତ ତ୍ରୁଟି କିମ୍ବା ଠକାମି ଯୋଗୁଁ ନିବେଶକମାନେ କ୍ଷତିରେ ପଡ଼ନ୍ତି, ସରକାରୀ ନିୟନ୍ତ୍ରକ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ? ଛଦ୍ମ ମୁଦ୍ରାର ସରକାରୀ ନିୟନ୍ତ୍ରଣ ତେଣୁ କେବଳ ମାତ୍ର ଏକ ଅଳୀକ କଳ୍ପନା ମାତ୍ର। ସରକାର ତେଣୁ କୋହଳ ମନୋଭାବ ପରିତ୍ୟାଗ କରି ଘରୋଇ ଛଦ୍ମ ମୁଦ୍ରାକୁ ସମ୍ପୂର୍ଣ୍ଣ ନିଷେଧ କରିବା ଉଚିତ। ଛଦ୍ମ ଈଶ୍ବରଙ୍କ ନିର୍ବାସନ ଆବଶ୍ୟକ।

ସମ୍ବନ୍ଧିତ ଖବର