ଭାରତର ସଦ୍ୟତମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣରୁ ଉପଲବ୍ଧ ଯେଉଁ ସୂଚନା ସବୁଠାରୁ ଅଧିକ ଚମକପ୍ରଦ ବୋଲି କୁହାଯାଇପାରେ, ତାହା ହେଲା- ଭାରତ ଶେଷରେ ଦୀର୍ଘକାଳ ଧରି ଆମକୁ ଆତଙ୍କିତ କରି ଆସିଥିବା ‘ଜନସଂଖ୍ୟା ବୋମା’ର ଦ’ଣ କାଢ଼ି ନେଇ ତାକୁ ନିଷ୍କ୍ରିୟ କରି ଦେଇଛି। ବିସ୍ଫୋରଣ ଘଟାଇବାରେ ବୋମାର ଦ’ଣ ଭଳି ଯାହା ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାଏ, ତାହା ହେଉଛି ଏକ ଜନସଂଖ୍ୟାର ‘ଟୋଟାଲ୍ ଫର୍ଟିଲିଟି ରେଟ୍’ (‘ଟିଏଫ୍ଆର୍’) ଯାହାକୁ ମୋଟାମୋଟି ଭାବରେ ମହିଳାମାନଙ୍କର ମୁଣ୍ଡପିଛା ହାରାହାରି ସନ୍ତାନସନ୍ତତି ସଂଖ୍ୟା ବୋଲି କୁହାଯାଇପାରେ।
ଯେତେବେଳେ ‘ଟିଏଫ୍ଆର୍’ ମୂଲ୍ୟ ୨.୧ ହୋଇଥାଏ, ସେତେବେଳେ ଦେଶର ଜନସଂଖ୍ୟାରେ କୌଣସି ହ୍ରାସ ବୃଦ୍ଧି ଘଟେ ନାହିଁ। ଏହାର ଅର୍ଥ ପିତାମାତା ଦୁଇଜଣଙ୍କ ଅନ୍ତେ ସେମାନଙ୍କର ସ୍ଥାନ ପୂରଣ କରିବା ପାଇଁ ଆବଶ୍ୟକ ୨ ଜଣ ସନ୍ତାନ ମହଜୁଦ ଥା’ନ୍ତି (ଅନ୍ତତଃ ୨ ଜଣ ଜୀବିତ ସନ୍ତାନ ଉପଲବ୍ଧ ହେବା ପାଇଁ ‘ଟିଏଫ୍ଆର୍’ରେ ଆଉ ୦.୧ ଯୋଗ କରାଯାଇଥାଏ)। ଉପରୋକ୍ତ ସର୍ବେକ୍ଷଣ (‘ଏନ୍ଏଚ୍ଏଫ୍ଏସ୍-୫’)ର ଫଳାଫଳ ଅନୁସାରେ ୨୦୧୯-୨୧ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ମହିଳାମାନଙ୍କର ‘ଟିଏଫ୍ଆର୍’ରେ ହ୍ରାସ ଘଟି ଏହି ସ୍ଥିତାବସ୍ଥା ରକ୍ଷାକାରୀ ସଂଖ୍ୟା ତଳେ ପହଞ୍ଚିଛି: ୨.୦ (ଦୁଇ)।
ଉଲ୍ଲେଖଯୋଗ୍ୟ, ୧୯୫୦ ଦଶକରେ ଭାରତର ‘ଟିଏଫ୍ଆର୍’ ଥିଲା ଏକ ବିସ୍ଫୋରକ ସ୍ତରରେ: ୬ (ଛଅ)। ସମୟ କ୍ରମେ ଏଥିରେ ହ୍ରାସ ଘଟି ଚାଲି ଏହାର ପୂର୍ବ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ, ୨୦୧୫-୧୬ ରେ ହୋଇଥିବା ‘ଏନ୍ଏଚ୍ଏଫ୍ଏସ୍-୪’ ଅନୁସାରେ ‘ଟିଏଫ୍ଆର୍’ ୨.୨ରେ ପହଞ୍ଚିଥିବା ଜଣା ପଡ଼ିଥିଲା। ବର୍ତ୍ତମାନ ତାହା ଆହୁରି ତଳକୁ ଖସି ୨ରେ ପହଞ୍ଚିବା ଅର୍ଥ, ଯଦି ଏହି ହାର କିଛି କାଳ ପାଇଁ ବଳବତ୍ତର ରହେ, ତେବେ ଆଗାମୀ ସମୟରେ ଦେଶର ମୋଟ ଜନସଂଖ୍ୟାରେ ସଂକୋଚନ ଘଟିବ। ସ୍ବାଧୀନତା ପର ଠାରୁ ଆମକୁ ଭୀତତ୍ରସ୍ତ କରି ରଖି ଆସିଥିବା ଦେଶର ଜନସଂଖ୍ୟା ବୃଦ୍ଧି ସମସ୍ୟା ଆଉ ଏକ ସମସ୍ୟା ହୋଇ ରହିବ ନାହିଁ।
ଭାରତର ଜନସଂଖ୍ୟା ଏହି ମୋଡ଼ରେ ପହଞ୍ଚିଥିବା ବେଳେ ଏକ ଲଘୁ ପରିହାସ ଛଳରେ କେହି କେହି କହି ପାରନ୍ତି ଯେ ଭାରତୀୟ ଜନସଂଖ୍ୟାର ଏତାଦୃଶ ଆଚରଣ ଯଦି କାହାକୁ ମିଥ୍ୟା ସାବ୍ୟସ୍ତ କରିଥାଏ, ସେ ହେଉଛନ୍ତି ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ଆଡାମ୍ ସ୍ମିଥ୍। ଅଷ୍ଟାଦଶ ଶତାବ୍ଦୀର ଏହି ସ୍କଟିସ୍ ଦାର୍ଶନିକ-ଅର୍ଥନୀତିଜ୍ଞ ଏକ ଅବାଧ ବଜାର ବ୍ୟବସ୍ଥାର ଦୃଢ଼ ସମର୍ଥକ ଥିଲେ। ମାନବୀୟ ଆଚରଣକୁ ନିୟନ୍ତ୍ରଣ କରୁଥିବା ଦୁଇଟି ନିୟମ ଏହି ବ୍ୟବସ୍ଥାର ଉତ୍ପାଦନଶୀଳତାରେ ନିୟମିତ ବୃଦ୍ଧି ଘଟାଇ ଚାଲିଥା’ନ୍ତି ବୋଲି ସ୍ମିଥ୍ ବିଶ୍ବାସ କରୁଥିଲେ। ଏଥି ମଧ୍ୟରୁ ଯେଉଁ ଦ୍ବିତୀୟ ନିୟମଟି ଆମ ପାଇଁ ଏଠାରେ ପ୍ରାସଙ୍ଗିକ, ତାହା ହେଉଛି: ଜନସଂଖ୍ୟା ନିୟମ। ସ୍ମିଥ୍ଙ୍କ ବିଚାରରେ ଅନ୍ୟ ଯେ କୌଣସି ଦ୍ରବ୍ୟ ଭଳି ଶ୍ରମିକମାନଙ୍କର ଯୋଗାଣ ମଧ୍ୟ ଚାହିଦା ଉପରେ ନିର୍ଭର କରିଥାଏ: ମଜୁରି ହାର ଉଚ୍ଚା ଥିଲେ ଶ୍ରମିକ ଯୋଗାଣରେ ବୃଦ୍ଧି ଘଟେ, ନୀଚା ମଜୁରି ଯୋଗୁଁ ସେଥିରେ ସଂକୋଚନ ଘଟେ। ଅନ୍ୟ ପ୍ରକାରେ କହିଲେ, ଅର୍ଥନୈତିକ ଅଭିବୃଦ୍ଧି (ଉଚ୍ଚା ମଜୁରି) ସମୟରେ ଜନ୍ମ ସଂଖ୍ୟାରେ ବୃଦ୍ଧି ଘଟି ଜନସଂଖ୍ୟାରେ ବୃଦ୍ଧି ଘଟାଏ; ଅର୍ଥନୈତିକ ମାନ୍ଦା ଅବସ୍ଥା (ନୀଚା ମଜୁରି) ସମୟରେ ଜନ୍ମ ସଂଖ୍ୟାରେ ହ୍ରାସ ଘଟି ଜନସଂଖ୍ୟା ହ୍ରାସ ପାଏ। କିନ୍ତୁ ଏହି ନିୟମକୁ ମିଥ୍ୟା ପ୍ରମାଣିତ କଲା ଭଳି ୧୯୫୦ ଦଶକରୁ ବର୍ତ୍ତମାନ ମଧ୍ୟରେ ଭାରତୀୟ ଅର୍ଥନୀତି ନିୟମିତ ଅଭିବୃଦ୍ଧି ହାସଲ କରି ଚାଲିଥିବା ସମୟରେ ଭାରତୀୟ ନାରୀମାନେ ସେମାନଙ୍କ ଜୀବନକାଳ ମଧ୍ୟରେ ପ୍ରସବ କରୁଥିବା ମୁଣ୍ଡପିଛା ହାରାହାରି ସନ୍ତାନସନ୍ତତି ସଂଖ୍ୟାରେ ହ୍ରାସ ଘଟି ଚାଲି ବର୍ତ୍ତମାନର ଜନସଂଖ୍ୟା ସଂକୋଚନକାରୀ ସ୍ତରରେ ପହଞ୍ଚିଛି।
ଅପର ପକ୍ଷେ ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଳ ଦେଇ ଭାରତୀୟ ନାରୀମାନେ ପ୍ରଦର୍ଶନ କରିଥିବା ସେମାନଙ୍କର ସନ୍ତାନ ପ୍ରସବ-ବିମୁଖତାରେ ବୃଦ୍ଧି ଯଦି ଆଉ ଜଣେ ମନୀଷୀଙ୍କୁ ସତ୍ୟ ସାବ୍ୟସ୍ତ କରିଥାଏ, ସେ ହେଉଛନ୍ତି ଏକ କୋମଳ ସମାଜବାଦର ସମର୍ଥକ ମହାନ୍ ନାଟ୍ୟକାର ଜର୍ଜ୍ ବର୍ଣ୍ଣାଡ୍ ଶ’। ୧୯୦୮ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ନାଟକ, ‘ଗେଟିଙ୍ଗ୍ ମ୍ୟାରେଡ୍’ (‘ବିବାହ କରିବା’)ର ମୁଖବନ୍ଧରେ କହିଥିଲେ ଯେ ଯଦି ସନ୍ତାନ ପ୍ରସବ ଓ ମାତୃତ୍ବକୁ ଅନ୍ୟାନ୍ୟ ବୃତ୍ତିମାନଙ୍କ ପରି (ଓକିଲାତି, ଡାକ୍ତରୀ, ଶିକ୍ଷକତା, ...)ଏକ ବିଧିବଦ୍ଧ ବୃତ୍ତିରେ ପରିଣତ କରିଦିଆଯାଏ, ତେବେ ଦେଖାଯିବ ଯେ ଅଧିକରୁ ଅଧିକ ମହିଳା ଏ ବୃତ୍ତି ଠାରୁ ଦୂରେଇ ଯାଇ ଅନ୍ୟାନ୍ୟ ବୃତ୍ତିରେ ପ୍ରବେଶ କରିବେ।
ଶ’ଙ୍କର ବିଚକ୍ଷଣ ମସ୍ତିଷ୍କରୁ ଏହାର ଯେଉଁ କାରଣ ବାହାରିଥିଲା, ତାହା ଯେତିକି ଅପ୍ରତ୍ୟାଶିତ, ସେତିକି ଯୁକ୍ତିଯୁକ୍ତ ମନେହୁଏ। ଶ’ଙ୍କ ମତରେ ଯେଉଁ ସମାଜ ଏଭଳି ଅଗ୍ରଗତି ହାସଲ କରିଛି, ଯେଉଁଠି ସନ୍ତାନ ପ୍ରସବ ପାଇଁ ନାରୀମାନଙ୍କୁ ଅନ୍ୟାନ୍ୟ ବୃତ୍ତି ଭଳି ଉଚ୍ଚ ପାରିଶ୍ରମିକ ପ୍ରଦାନ ବ୍ୟବସ୍ଥା କରାଯାଇଛି, ସେ ଭଳି ସମାଜରେ ଓ ଅର୍ଥନୀତିରେ ନାରୀମାନଙ୍କର ଉତ୍ତମ ନିଯୁକ୍ତି ପାଇଁ ଯେ ଅନ୍ୟାନ୍ୟ ବହୁ କିସମର ସୁଯୋଗ ଉପଲବ୍ଧ ଥିବ, ଏଥିରେ ସନ୍ଦେହ ନାହିଁ। ଏପରି ସମାଜରେ ତେଣୁ ନାରୀମାନେ ନିଜର ଜୀବନକୁ କେବଳ ସନ୍ତାନ ପ୍ରସବରେ ବାନ୍ଧି ନ ଦେଇ ଅନ୍ୟାନ୍ୟ ବୃତ୍ତି ସନ୍ଧାନରେ କିମ୍ବା ଅନ୍ୟାନ୍ୟ ଆଗ୍ରହ ଅନୁଧାବନରେ ନିୟୋଜିତ କରିବାକୁ ନିଶ୍ଚିତ ରୂପେ ପସନ୍ଦ କରିବେ। ସେମାନେ ତେଣୁ ନିଜର ସନ୍ତାନସନ୍ତତି ସଂଖ୍ୟାକୁ ଦୁଇ ବା ତିନିଟି (କିମ୍ବା ଗୋଟିଏ ମଧ୍ୟ) ମଧ୍ୟରେ ସୀମିତ ରଖିବାର ଦୃଢ଼ ସମ୍ଭାବନା ରହିଥାଏ।
ଭାରତରେ ‘ଏନ୍ଏଚ୍ଏଫ୍ଏସ୍-୫’ ସର୍ବେକ୍ଷଣ ଉପରେ ଦୃଷ୍ଟିପାତ କଲେ ଯେଉଁ ଧାରା ଦେଖିବାକୁ ମିଳିଥାଏ, ତାହା ଶ’ଙ୍କର ଏହି ଭବିଷ୍ୟ ଦୃଷ୍ଟିକୁ ସତ୍ୟ ପ୍ରମାଣିତ କରିଥିବା ଭଳି ମନେହୁଏ। ସାରା ଦେଶ ପାଇଁ ହାରାହାରି ‘ଟିଏଫ୍ଆର୍’ ୨ ହୋଇଥିଲେ ହେଁ ରାଜ୍ୟ-ରାଜ୍ୟ ମଧ୍ୟରେ ଏଥିରେ ତାରତମ୍ୟ ଦେଖାଯାଇଥାଏ। ଯେଉଁ ରାଜ୍ୟମାନଙ୍କରେ ଶ’ କଳ୍ପନା କରିଥିବା ଭଳି ଅଧିକ ଅର୍ଥନୈତିକ ଓ ସାମାଜିକ ପ୍ରଗତି ହାସଲ ହୋଇଛି, ସେ ରାଜ୍ୟମାନଙ୍କରେ ‘ଟିଏଫ୍ଆର୍’ ୨ ଠାରୁ ମଧ୍ୟ କମ୍ ହୋଇଥିବା ବେଳେ ଅନଗ୍ରସର ରାଜ୍ୟମାନଙ୍କରେ ‘ଟିଏଫ୍ଆର୍’ ୨ ଠାରୁ ଅଧିକ ହୋଇଛି। ନିକଟରେ ‘ନିତି’ ଆୟୋଗ ପ୍ରକାଶ କରିଥିବା ବହୁମୁଖୀ ଦାରିଦ୍ର୍ୟ ସୂଚକ (‘ମଲ୍ଟିଡାଇମେନ୍ସନାଲ୍ ପଭର୍ଟି ଇଣ୍ଡେକ୍ସ’) ତାଲିକାରେ ନିମ୍ନତମ ସ୍ଥାନ ଅଧିକାର କରି ଦେଶର ସବୁଠାରୁ ପଛୁଆ ରାଜ୍ୟ ରୂପେ କୁଖ୍ୟାତି ଲାଭ କରିଥିବା ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରେ ‘ଟିଏଫ୍ଆର୍’ ଜାତୀୟ ସ୍ତର ଠାରୁ ଉପରେ ରହିଛି। ସ୍ବାଭାବିକ ଭାବରେ ସେ ରାଜ୍ୟମାନଙ୍କରେ ନାରୀ ଶିକ୍ଷା, ଶିଶୁ ମୃତ୍ୟୁହାର, ନିଯୁକ୍ତି ସୁଯୋଗ, ସମ୍ପତ୍ତି ମାଲିକାନା, ସ୍ବାସ୍ଥ୍ୟସେବା ଉପଲବ୍ଧତା ଆଦି ଅତ୍ୟନ୍ତ ହତାଶାଜନକ ଅବସ୍ଥାରେ ରହିଛି। ତେଣୁ ସେଠାରେ ଶ’ ଆଶଙ୍କା କରିଥିବା ଭଳି ନାରୀମାନଙ୍କର ସନ୍ତାନ ପ୍ରସବ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ।