ବବୁଲ ଗଛର ଫଳ

୧୯୭୯ ମସିହା, ଡିସେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପାକିସ୍ତାନକୁ ୪୦୦ ନିୟୁତ ଡଲାର୍‌ (ସେ ସମୟରେ ଏକ ଅତ୍ୟନ୍ତ ବିଶାଳ ଧନରାଶି) ଆର୍ଥିକ ସାହାଯ୍ୟର ଘୋଷଣା ପରେ ପାକିସ୍ତାନର ତତ୍କାଳୀନ ଶାସନ ମୁଖ୍ୟ ଜେନେରାଲ ଜିଆ ଉଲ୍‌ ହକ୍‌ଙ୍କ ମନ୍ତବ୍ୟ ଥିଲା- ଏହା ‘ପିନଟ୍‌’ (ଚିନାବାଦାମ) ତୁଲ୍ୟ, ଅର୍ଥାତ୍‌ ଏହା ଅତି ତୁଚ୍ଛ। ସେତିକି ବେଳେ ବୁଝିବା ଲୋକେ ଜାଣିପାରିଥିଲେ ଯେ ଏହି ମନ୍ତବ୍ୟରେ କେବଳ ଅସନ୍ତୋଷ ନ ଥିଲା, ଥିଲା ଏକ ତାଚ୍ଛଲ୍ୟ! କାରଣ ଏହି ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ପ୍ରଦାନ କରିଥିବା ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜିମି କାର୍ଟର ଏକଦା ଥିଲେ ଜଣେ ଚିନାବାଦାମ ଚାଷୀ। ତେବେ ଏହି ସାହାଯ୍ୟ ପାକିସ୍ତାନକୁ ଆସିବା ପଛରେ କାରଣଟି ଥିଲା ସୋଭିଏତ୍‌ ରୁଷିଆ ଦ୍ବାରା ଆଫଗାନିସ୍ତାନ ଅତିକ୍ରମଣ। ସୁତରା˚, ସେହି ଅଞ୍ଚଳରେ କ୍ଷମତା ଭାରସାମ୍ୟ ରକ୍ଷା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପାକିସ୍ତାନ ତୋଷଣ ଏକ ସ୍ବାଭାବିକ ପ୍ରତିକ୍ରିୟା ଥିଲା। କହିବା ବାହୁଲ୍ୟ ଯେ ଚୀନ, ଭାରତ ଏବ˚ ଆଫଗାନିସ୍ତାନର ପଡ଼ୋଶୀ ରାଷ୍ଟ୍ର ଭାବେ ରହିଥିବା ଦୃଷ୍ଟିରୁ ପାକିସ୍ତାନ ତା’ର ଭୌଗୋଳିକ-ରଣନୈତିକ ଗୁରୁତ୍ବ ସ˚ପର୍କରେ ଭଲ ଭାବେ ଅବଗତ। ସମ୍ଭବତଃ, ଏହି କାରଣରୁ କମ୍ୟୁନିଷ୍ଟ ବ୍ଲକ୍‌ ସହିତ ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ସ୍ବାଧୀନ ପାକିସ୍ତାନ ଗଠିତ ହେବା ପର ଠାରୁ ହିଁ ଆମେରିକା ଠାରୁ ଅବିରାମ ଅର୍ଥ ଏବ˚ ଅନ୍ୟାନ୍ୟ ସାହାଯ୍ୟ ପାଇ ଏକ ‘ଗେହ୍ଲା ପୁଅ’ରେ ପରିଣତ ହୋଇଥିଲା; ଯାହା ହୁଏ’ତ ୪୦୦ ନିୟୁତ ଡଲାର୍‌ର ଅର୍ଥ ସାହାଯ୍ୟକୁ ସେ ସମୟରେ ତୁଚ୍ଛତା ପ୍ରଦାନ କରିଥିବ। କିନ୍ତୁ ଇତି ମଧୢରେ ଦୀର୍ଘ ଚାରି ଦଶନ୍ଧି ଅତିକ୍ରାନ୍ତ ହୋଇ ସାରିଛି ଏବ˚ ଏହି ସମୟ ଖଣ୍ତ ମଧୢରେ ଯାହା ସବୁ ଘଟିଯାଇ ପାକିସ୍ତାନକୁ ଆଜି ସାଉଦି ଆରବ ସମକ୍ଷରେ ନତଜାନୁ ହୋଇ ଅତ୍ୟନ୍ତ ଦୟନୀୟ ଭାବେ ଅର୍ଥ ଭିକ୍ଷା କରିବାକୁ ବାଧୢ କରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରିଥାଏ।

ଏକ ହିସାବ କହିଥାଏ ଯେ ୧୯୫୧ ମସିହାରୁ ୨୦୧୧ ମସିହା ମଧୢରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପାକିସ୍ତାନକୁ ପ୍ରାୟ ୬୭ ବିଲିଅନ୍‌ ଡଲାର୍‌ ମୂଲ୍ୟର ଅର୍ଥ ସାହାଯ୍ୟ ମିଳିଛି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଗଲା ସପ୍ତମ ଦଶକ ବେଳକୁ ପାକିସ୍ତାନର ଅର୍ଥନୀତି ଭାରତ ଠାରୁ ଉନ୍ନତତର ଥିଲା (ପାକିସ୍ତାନର ଜି.ଡି.ପି. ଥିଲା ଭାରତର ପ୍ରାୟ ଦେଢ଼ ଗୁଣ), ଯାହା ବର୍ତ୍ତମାନ ୨୬୩ ବିଲିଅନ ଡଲାର୍‌ରେ ପହଞ୍ଚି ଭାରତର ଏକ ଦଶମା˚ଶରେ ପରିଣତ ହୋଇଛି। ସେତେବେଳେ ଏହାର ଏକ ବଡ଼ କାରଣ ଥିଲା ଆମେରିକାରୁ ପ୍ରବାହିତ ହେଉଥିବା ଡଲାର୍‌ର ସ୍ରୋତ। କିନ୍ତୁ କ୍ରମେ ଏହାର ଏକ ବୃହତ୍‌ ଅ˚ଶ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ବା ଆଣବିକ ବୋମା ବିକାଶରେ ବ୍ୟୟ ହେବାକୁ ଲାଗିଲା; ଅଥଚ ନିଜ ସ୍ବାର୍ଥ ରକ୍ଷା ଲାଗି ସର୍ବଦା ଉଦ୍‌ଗ୍ରୀବ ଆମେରିକା ଏକ ଅନ୍ଧ ଅଭିଭାବକ ଭଳି ‘ଗେହ୍ଲା ପୁଅ’ର କୌଣସି ତ୍ରୁଟି ଦେଖିବାକୁ ପ୍ରସ୍ତୁତ ନ ଥିଲା। କହିବା ବାହୁଲ୍ୟ ଯେ ପାକିସ୍ତାନର ଆତଙ୍କବାଦୀ କାରଖାନାରୁ ସୃଷ୍ଟ ‘ଉତ୍ପାଦ’ମାନ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆକ୍ରମଣ କରି ବିଶ୍ବ ବାଣିଜ୍ୟ କେନ୍ଦ୍ରକୁ ଧୂଳିସାତ୍‌ କରି ନ ଥିଲେ ସମ୍ଭବତଃ ଆମେରିକାର ଅନ୍ଧ ମୋହରେ ଭଙ୍ଗ ଘଟି ନ ଥାଆନ୍ତା।

ଏହି ସଂଦର୍ଭରେ ଯାହା ପରିଦୃଷ୍ଟ ହୋଇଥାଏ, ତାହା ହେଲା ଆତଙ୍କବାଦୀ ଉତ୍ପନ୍ନ କରୁଥିବା ରାଷ୍ଟ୍ର ଭାବେ ବିଶ୍ବ ସମୁୁଦାୟ ସମକ୍ଷରେ ପାକିସ୍ତାନ ସ˚ପ୍ରତି ଏକ ସନ୍ଦେହାସ୍ପଦ ସ୍ଥିତିରେ, ଯାହା ଉପରୁ ଆମେରିକାର ଆଶୀର୍ବାଦ ଉଠି ସାରିଛି ଏବ˚ ଆତଙ୍କବାଦ ସୃଷ୍ଟିର ଘନଘଟା ମଧୢରେ ଏହା କେବଳ ଏକ ଦରିଦ୍ର ମଧୢ-ଯୁଗୀୟ ଭୂଖଣ୍ତରେ ପରିଣତ ହେବାକୁ ବସିନାହିଁ; ଏହା ଏବେ ସ˚ପୂର୍ଣ୍ଣ ରୂପେ କପର୍ଦ୍ଦକଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ପାକିସ୍ତାନର ଆର୍ଥିକ ସ୍ଥିତି କିଭଳି କଦର୍ଯ୍ୟ, ତାହା ଏହି ଗୋଟିଏ ଉଦାହରଣରୁ ଯଥେଷ୍ଟ ହେବ ଯେ ପାକିସ୍ତାନକୁ ଏଭଳି ଦୁଃସ୍ଥିତିରୁ ରକ୍ଷା କରିବା ଲାଗି ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ବା ‘ଆଇ.ଏମ୍‌.ଏଫ୍‌.’ର ଉଦ୍ୟମ ହେବ ତ୍ରୟୋଦଶ ‘ବେଲ୍‌ ଆଉଟ୍‌’ ପ୍ରୟାସ। ଏଥିରେ ‘ଆଇ.ଏମ୍‌.ଏଫ୍‌.’ ପକ୍ଷରୁ ଚଳିତ ବର୍ଷ ପାକିସ୍ତାନକୁ ୧ ବିଲିଅନ ଡଲାର୍‌ ଅର୍ଥ ଋଣ ଆକାରରେ ମିଳିବ; କିନ୍ତୁ ତାହା ପାଇବା ଲାଗି ଏଭଳି ଅତ୍ୟନ୍ତ କଠିନ ସର୍ତ୍ତମାନ ରହିଛି ଯେ ସେ ସବୁକୁ ପାଳନ କରିବାର ଅର୍ଥ ହେଉଛି ଆପଣା ଆଭ୍ୟନ୍ତରୀଣ ବ୍ୟାପାରରେ ‘ଆଇ.ଏମ୍‌.ଏଫ୍‌.’ର ହସ୍ତକ୍ଷେପକୁ ସ୍ବୀକାର କରିଯିବା। କିନ୍ତୁ ଏଭଳି ଅସ୍ବସ୍ତି ଏତିକିରେ ସରି ନାହିଁ। ‘ଆଇ.ଏମ୍‌.ଏଫ୍‌.’ ଦ୍ବାରା ପ୍ରତିଶ୍ରୁତ ଋଣ ସାହାଯ୍ୟ ପାକିସ୍ତାନର ଆବଶ୍ୟକତା ତୁଳନାରେ ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ତାହା ସାଉଦି ଆରବର ଶରଣ ଭିକ୍ଷା କରିଛି। ସାଉଦି ଆରବ ମଧ୍ୟ ୪୦୦ ବିଲିଅନ ଡଲାର୍‌ର ଅର୍ଥ ଋଣ ଆକାରରେ ପ୍ରଦାନ କରିବାକୁ ରାଜି ହୋଇଛି; ଯଦିଓ ଏଥି ନେଇ ସ˚ପାଦିତ ହୋଇଥିବା ଚୁକ୍ତିରେ ରହିଥିବା ସର୍ତ୍ତାବଳୀ ପାକିସ୍ତାନ ଲାଗି ଆହୁରି ଅପମାନଜନକ ହୋଇଛି।

ଏହି ପରିପ୍ରେକ୍ଷୀରେ ଚୁକ୍ତିର ସର୍ତ୍ତଗୁଡ଼ିକ ଉପରେ ଏକ ବିହଙ୍ଗାବଲୋକନ କରାଯାଉ। ପ୍ରଥମତଃ ସାଉଦି ଆରବ ଏହି ଋଣ ଲାଗି ୪ ପ୍ରତିଶତ ହାରରେ ସୁଧ ନେବ; ଯାହା ଅନ୍ତର୍ଜାତୀୟ ସୁଧ ହାରର ପ୍ରାୟ ତିନି ଗୁଣ। ଦ୍ବିତୀୟରେ ସାଉଦି ଆରବ ଦ୍ବାରା ପ୍ରତିଶ୍ରୁତ ୪ ବିଲିଅନ ଡଲାର୍‌ର ଋଣ ମଧ୍ୟରୁ ୩ ବିଲିଅନ ଡଲାର୍‌ ହେଉଛି ୨୦୧୮ ମସିହାରେ ପାକିସ୍ତାନ ନେଇ ସାରିଥିବା ଋଣ, ଯାହାର ପରିଶୋଧ କରିବାର ସମୟ ସୀମା ଏବେ ପୂରି ଯାଉଥିବା ବେଳେ ତହିଁରେ ମାତ୍ର ଗୋଟିଏ ବର୍ଷର ବୃଦ୍ଧି ଘଟାଇ ତାକୁ ନୂଆ ଋଣର ରୂପ ଦିଆ ଯାଇଛି। ପୁଣି ଏହି ବର୍ଦ୍ଧିତ ସମୟ ପାଇଁ ପାକିସ୍ତାନକୁ ୪ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ, ଯାହା ୨୦୧୮ର ଚୁକ୍ତି ଅନୁସାରେ ଥିଲା ୩.୨ ପ୍ରତିଶତ। ସୁତରା˚, ଏହି ଗୋଟିଏ ବର୍ଷର ପରିବର୍ଦ୍ଧିତ ସମୟରେ ପାକିସ୍ତାନକୁ ସେହି ୩ ବିଲିଅନ ଡଲାର୍‌ର ଋଣ ଲାଗି ଅଧିକ ୧୨୦ ନିୟୁତ ଡଲାର୍‌ର ସୁଧ ପଇଠ କରିବାକୁ ହେବ।

ତା’ ପରେ ଅବଶିଷ୍ଟ ୧ ବିଲିଅନ ଡଲାର୍‌ ପାକିସ୍ତାନକୁ ଅର୍ଥ ଆକାରରେ ମିଳିବ ନାହିଁ; ଏହା ବଦଳରେ ସାଉଦି ଆରବ ପାକିସ୍ତାନକୁ ବାକିରେ ଖଣିଜ ତୈଳ ଯୋଗାଇବ; ଯେଉଁଥି ଲାଗି ମଧୢ ୩.୮ ପ୍ରତିଶତ ହାରରେ ସୁଧ ନେବ। କିନ୍ତୁ ଏତିକି ଅପମାନ ଯେମିତି ଯଥେଷ୍ଟ ନୁହେଁ, ଋଣ ପରିଶୋଧରେ ଖିଲାପକୁ ନେଇ ଚୁକ୍ତିନାମାରେ ଯେଉଁ ସର୍ତ୍ତମାନ ଖଞ୍ଜା ଯାଇଛି, ତହିଁରେ ପାକିସ୍ତାନର ସାର୍ବଭୌମତ୍ବ ଅପହୃତ ହୋଇଥିବା ଭଳି ବୋଧ ହୋଇଥାଏ। ଚୁକ୍ତିନାମାରେ ତିନିଟି କାରଣର ଉଲ୍ଲେଖ ରହିଛି, ଯାହାକୁ ପରିଶୋଧର ଖିଲାପ ବୋଲି ବିଚାର କରାଯିବ। ସେଗୁଡ଼ିକ ହେଲା ୧୦୦ ନିୟୁତ ଡଲାର ପରିମାଣର ଯେ କୌଣସି ଅନ୍ତର୍ଜାତୀୟ ଋଣ ପଇଠରେ ବ୍ୟତିକ୍ରମ, ଦ୍ବିତୀୟରେ ଏହି ଚୁକ୍ତିରେ ଥିବା ଯେ କୌଣସି ସର୍ତ୍ତର ପାଳନରେ ବିଚ୍ୟୁତି ଏବ˚ ତୃତୀୟରେ କୌଣସି କାରଣରୁ ପାକିସ୍ତାନ ଆଇ.ଏମ୍‌.ଏଫ୍‌.ର ସଦସ୍ୟ ହେବାରୁ ବାଦ୍‌ ପଡ଼ିବା। ଏଥି ମଧୢରୁ ଯେ କୌଣସି ଗୋଟିଏ ସର୍ତ୍ତ ମାନିବାରେ ପାକିସ୍ତାନର ଅସାମର୍ଥ୍ୟ ତାକୁ ଖିଲାପିରେ ପରିଣତ କରି ସମଗ୍ର ଋଣ ରାଶିକୁ ମାତ୍ର ୭୨ ଘଣ୍ଟା ମଧୢରେ ଫେରାଇବାକୁ ବାଧୢ କରିବ। ଏହି ସର୍ତ୍ତାବଳୀକୁ ଯାହା ଆହୁରି ନିଷ୍ଠୁର କରିଥାଏ, ତାହା ହେଲା ପାକିସ୍ତାନକୁ ଖିଲାପି ଘୋଷଣା କରିବାର ସମସ୍ତ କ୍ଷମତା ସାଉଦି ଆରବ ଠାରେ ଥିବା ବେଳେ ପାକିସ୍ତାନ ଏହା ବିରୋଧରେ କୌଣସି ଅନ୍ତର୍ଜାତୀୟ ନ୍ୟାୟିକ ଅନୁଷ୍ଠାନର ଆଶ୍ରୟ ନେଇ ପାରିବ ନାହିଁ ଏବ˚ ପାକିସ୍ତାନର ବିଚାର ସାଉଦି ଆରବର ଆଇନ ଅନୁସାରେ ହିଁ ହେବ; ଅର୍ଥାତ୍‌ ଏକ ସାର୍ବଭୌମ ରାଷ୍ଟ୍ର ଲାଭ କରୁଥିବା ‘ଇମ୍ୟୁନିଟି’ ବା ପ୍ରତିରୋଧକର ସୁଯୋଗରୁ ପାକିସ୍ତାନ ବ˚ଚିତ ହେବ।

ଏହା ସ୍ବୀକାର୍ଯ୍ୟ ଯେ ପାକିସ୍ତାନ ଏଭଳି ଚୁକ୍ତିରେ ବନ୍ଧା ହେବା ଅର୍ଥ ଏକ ଦାରୁଣ ଅପମାନ ଓ ଭାବମୂର୍ତ୍ତିର କ୍ଷୟକୁ ସହ୍ୟ କରିବା। କିନ୍ତୁ ନିରୁପାୟ ପାକିସ୍ତାନର ସମ୍ଭବତଃ ଆଉ ଅନ୍ୟ ଗତି ନାହିଁ। ସାଉଦି ଆରବ ସହିତ ଚୁକ୍ତି ସ˚ପାଦିତ ହେବା ପରେ ପାକିସ୍ତାନର ପ୍ରତିକ୍ରିୟାରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ପାଣିରେ ବୁଡ଼ି ଯାଉଥିବା ବ୍ୟକ୍ତି କ୍ଷଣିକ ଲାଗି ଉପରକୁ ଉଠିବା ବେଳେ ଶୋଷି ନେଉଥିବା ପ୍ରଶ୍ବାସ ଭଳି ଆଶ୍ବସ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ନିକଟ ଭବିଷ୍ୟତ୍‌ରେ ସୁଧୁରିବାର ଆଶା ଅତ୍ୟନ୍ତ କ୍ଷୀଣ। ଏହା ଭୁଲିଯିବା ଉଚିତ ନୁହେଁ ଯେ ସ˚ପ୍ରତି ପାକିସ୍ତାନର ସର୍ବୋତ୍ତମ ପୃଷ୍ଠପୋଷକ ରୂପେ ଆବିର୍ଭୂତ ଚୀନ ହେଉଛି ଆଉ ଏକ ନିର୍ଦ୍ଦୟ ମହାଜନ, ଯିଏ ଏ ପର୍ଯ୍ୟନ୍ତ ପ୍ରଦାନ କରିଥିବା ଅର୍ଥ ସାହାଯ୍ୟ ଲାଗି ସାଉଦି ଆରବ ଭଳି ଉଚ୍ଚ ହାରରେ ସୁଧ କଷିଥାଏ ଏବ˚ କଡ଼ାଗଣ୍ତା କରି ଅର୍ଥ ଆଦାୟ କରିବାର ମାର୍ଗ ଜାଣେ।

୧୯୭୯ରେ ୪୦୦ ନିୟୁତ ଡଲାର୍‌ ଅର୍ଥ ସାହାଯ୍ୟକୁ ଚିନାବାଦାମ ବୋଲି ଅଭିହିତ କରିଥିବା ଜେନେରାଲ ଜିଆ ଉଲ୍‌ ହକ୍‌ଙ୍କ ସମୟରେ ହିଁ ପାକିସ୍ତାନର ସମ୍ବଳ ଅପପ୍ରୟୋଗର ଧାରା ତ୍ବରାନ୍ବିତ ହୋଇଥିଲା। ଆଜି ଯଦି କବର ଭିତରେ ରହି ସେ ପାକିସ୍ତାନର ଏଭଳି ପରିସ୍ଥିତି ବିଷୟରେ ଜାଣୁଥିବେ, ତେବେ ସମ୍ଭବତଃ କବୀରଙ୍କ ସେହି ଲୋକପ୍ରିୟ ଦୋହାକୁ ମନେ ପକାଉଥିବେ ଯେ ବବୁଲ ଗଛ ରୋଇଲେ ତହିଁରେ ଆମ୍ବ ବା ଫଳନ୍ତା କିପରି?

ସମ୍ବନ୍ଧିତ ଖବର