‘ଅନର୍ଥର ଖଣି’

0

‘‘ପଣତର କୋଣେ ବନ୍ଧା ଥିଲା ମଣି/ହେଲା ଯାହା ଏବେ ଅନର୍ଥର ଖଣି।’’ ପ୍ରେମ-ପାଗଳିନୀ ରାଜକନ୍ୟା ନନ୍ଦିକା ପିତା ସୁବର୍ଣ୍ଣକେଶରୀଙ୍କ ମସ୍ତକରୁ ଚୋରାଇଥିବା ଦେବୀଦତ୍ତ ଜୈତ୍ରମଣିକୁ ଚୁମ୍ବନ କରି ପ୍ରାଣ ହାରିବାର ଏହି ବର୍ଣ୍ଣନା କବିବର ରାଧାନାଥ ରାୟଙ୍କର ନନ୍ଦିକେଶ୍ୱରୀ କାବ୍ୟରୁ ଆସିଥିଲେ ହେଁ ରାଜକନ୍ୟାମାନେ ହୀରା ଚୁମ୍ବନ କରି ପ୍ରାଣ ବିସର୍ଜନ କରିବା କବିବରଙ୍କର ଏକ ନିଜସ୍ୱ କଳ୍ପନା ନଥିଲା। ସବୁ ଯୁଗରେ ହୀରା ସମ୍ବନ୍ଧରେ ରହିଥିବା ଏହି ଭ୍ରମ ଧାରଣାକୁ ସେ ତାଙ୍କର କାହାଣୀରେ ବ୍ୟବହାର କରିଥିଲେ ଯାହା। କିନ୍ତୁ ହୀରାକୁ ଓଠରେ ଛୁଇଁଲେ ମୃତ୍ୟୁ ଘଟିବା ସିନା ମିଛ, ହୀରା ଯେ ଅନର୍ଥର ଖଣି ବୋଲି ରାଧାନାଥ ଯାହା ଲେଖିଥିଲେ, ନିରବ ମୋଦୀ ପରବର୍ତ୍ତୀ ସମୟରେ ଭାରତର ଅନେକ ବ୍ୟାଙ୍କ୍‌ ସେଥିରେ ରାଧାନାଥଙ୍କ ସହିତ ନିଶ୍ଚୟ ଏକମତ ହେବେ। ହୀରା ହେଉଛି ଏପରି ଏକ ଦ୍ରବ୍ୟ ଯାହାର ଅତି ଉଚ୍ଚ ମୂଲ୍ୟ ତାହାର ଅନ୍ତର୍ନିହିତ ଗୁଣ ବା ଉପଯୋଗିତା ଉପରେ ଆଧାରିତ ନୁହେଁ; ହୀରା ପ୍ରତି ସୃଷ୍ଟି କରାଯାଇଥିବା କୃତ୍ରିମ ଚାହିଦା ଓ ଏହାର ଯୋଗାଣର କୃତ୍ରିମ ସଂକୋଚନ ହିଁ ହେଉଛି ଏହାର ଉଚ୍ଚ ମୂଲ୍ୟର କାରଣ। ଯେଉଁ କମ୍ପାନି ଏ ଉଭୟ କୌଶଳର ଫଳପ୍ରଦ ଉପଯୋଗ କରି ବିଶୁଦ୍ଧ ଅଙ୍ଗାର ରୂପେ ଜଣା ହୀରାକୁ ଏକ ଦୁର୍ମୂଲ୍ୟ ରତ୍ନ ପଥରରେ ପରିଣତ କରିଛି, ସେ ହେଉଛି ୩୫ଟି ଦେଶରେ ହୀରା ଖନନ ଓ ବେପାରରେ ସକ୍ରିୟ ଥିବା ୧୩୦ ବର୍ଷର ବ୍ରିଟିସ୍‌ ବହୁଦେଶୀୟ କମ୍ପାନି ‘ଡି ବିଅର୍ସ’। ଏବଂ ଯେଉଁ ଗୋଟିଏ ପ୍ରଚାର ସ୍ଲୋଗାନ୍‌ ହୀରା ପାଇଁ ଏକ ପୃଥିବୀବ୍ୟାପୀ ଚିରନ୍ତନ ଚାହିଦା ସୃଷ୍ଟି କରିବାରେ ସଫଳ ହୋଇଛି ତାହା ହେଉଛି ୧୯୪୭ରେ ଡି ବିଅର୍ସର ବିଜ୍ଞାପନ ଲେଖିକା ଫ୍ରାନ୍‌ସେସ୍‌ ଜେରେଟି ରଚନା କରିଥିବା ଏହି ଚାରିଟି ଶବ୍ଦ ସମ୍ବଳିତ ବାକ୍ୟଟି: ‘‘ଏ ଡାଇମଣ୍ଡ୍‌ ଇଜ୍‌ ଫର୍‌ଏଭର୍‌’’ (ହୀରାଟିଏ ଚିରଦିନ ପାଇଁ)। ପୁଅ-ଝିଅଙ୍କ ମଧ୍ୟରେ ରୋମାନ୍‌ସ ଯେତେବେଳେ ବିବାହ ପ୍ରସ୍ତାବରେ ପରିଣତ ହୁଏ, ସେତେବେଳେ ପୁଅ ଜଣକ ଝିଅକୁ ଏକ ହୀରାମୁଦି ପିନ୍ଧାଇ ଦେଇ ବିବାହ ପାଇଁ ଅନୁରୋଧ କରିବା ପ୍ରଥା ଏହି ସ୍ଲୋଗାନ୍‌କୁ ପ୍ରୟୋଗ କରି ଡି ବିଅର୍ସ କମ୍ପାନି ହିଁ ସୃଷ୍ଟି କରିଛି, ଯାହା ଏକ ଅତି ପ୍ରାଚୀନ ପରମ୍ପରା ବୋଲି ସାଧାରଣରେ ଏକ ଭ୍ରମଧାରଣା ରହି ଆସିଛି। ଭାରତ ଭଳି ଦେଶରେ ରୋମାନ୍‌ସହୀନ ଯୋଗାଡ଼-ବିବାହ କ୍ଷେତ୍ରରେ ମଧ୍ୟ ନିର୍ବନ୍ଧ ସମୟରେ ହୀରାମୁଦିର ପ୍ରବେଶ ମୂଳରେ ରହିଛି ଏହି ଡି ବିଅର୍ସ ସ୍ଲୋଗାନ୍‌ର ଅବଚେତନ ଉପସ୍ଥିତି। ଭାରତର ଯେଉଁ ବ୍ୟାଙ୍କ୍‌ମାନେ କିନ୍ତୁ ହୀରା ସହିତ ରୋମାନ୍‌ସରେ ବ୍ୟାପୃତ ଥିଲେ ହୀରା ବ୍ୟବସାୟୀ ନିରବ ମୋଦୀ ଓ ପଞ୍ଜାବ ନେସନାଲ ବ୍ୟାଙ୍କ୍‌ (ପିଏନ୍‌ବି) ମଧ୍ୟରେ ରୋମାନ୍‌ସ ଭୁଶୁଡ଼ି ପଡ଼ିବା ପରେ, ହୀରା ସେମାନଙ୍କ ପାଇଁ ସମସ୍ତ ଚମକ ହରାଇ ଆଉ ‘ଚିର ଦିନର ସାଥୀ’ ନହୋଇ ନନ୍ଦିକାଙ୍କ ବିଷାକ୍ତ ମଣି ସଦୃଶ ହୋଇ ପଡ଼ିଛି।

ଏହାର କାରଣ କେବଳ ନିରବ ମୋଦୀ ସେମାନଙ୍କ ଠାରୁ ଠକି ନେଇଥିବା ପଇସା ନୁହେଁ। ପିଏନ୍‌ବି ପ୍ରଦାନ କରିଥିବା ଜାଲ୍‌ ‘ଲେଟର୍‌ସ ଅଫ୍‌ ଅଣ୍ଡର୍‌ଟେକିଙ୍ଗ୍‌’ (ଏଲ୍‌ଓୟୁ) ମାନକୁ ଭିତ୍ତି କରି ଅନ୍ୟ କେତେକ ବ୍ୟାଙ୍କ୍‌ ବିଭିନ୍ନ ନିରବ ମୋଦୀ-କମ୍ପାନିମାନଙ୍କୁ ଋଣ ପ୍ରଦାନ କରିଛନ୍ତି। ସେମାନେ ହୁଏତ ପିଏନ୍‌ବି ଠାରୁ ଏହି ଅର୍ଥ ପାଇ ଯାଇ ପାରନ୍ତି, କାରଣ ସେମାନଙ୍କର ପ୍ରାପ୍ୟ ଭରଣା କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପିଏନ୍‌ବିକୁ ନିର୍ଦ୍ଦେଶ ଦେଇଛି। ଏପରିକି ଖୋଦ୍‌ ପିଏନ୍‌ବି ମଧ୍ୟ ନିରବ ମୋଦୀ ଠକି ନେଇଥିବା ସମସ୍ତ ଅର୍ଥ ଫେରି ପାଇପାରେ। ତତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନିରବ ମୋଦୀ ଟଙ୍କା ଫେରାଇ ପାରିବେ ନାହିଁ ବୋଲି ପିଏନ୍‌ବିକୁ ଚିଠି ଲେଖି ଜଣାଇ ଦେଇଥିଲେ ସୁଦ୍ଧା କିଏ ଜାଣେ, ସେ ହୁଏତ ଦିନେ ସମସ୍ତ ଋଣ ପରିଶୋଧ କରି ଦେଇପାରନ୍ତି। କିମ୍ବା ତାଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତ ହୋଇ ବ୍ୟାଙ୍କ୍‌ର କ୍ଷତି ଭରଣା କରାଯାଇପାରେ। କିନ୍ତୁ ଏ ସବୁ ଘଟିଲେ ମଧ୍ୟ ଏ ସମସ୍ତ ବ୍ୟାଙ୍କ୍‌ମାନଙ୍କ ପାଇଁ ସୃଷ୍ଟି ହୋଇଥିବା ଅନ୍ୟ ଏକ ଗୁରୁତର ସମସ୍ୟାର ଅନ୍ତ ଘଟିବ ନାହିଁ। ସମସ୍ୟାଟି ଏପରି ଯାହା ବିଷାକ୍ତ ମଣି ନନ୍ଦିକାଙ୍କର ପ୍ରାଣ ନେବା ପରି ଦେଶର ପୂରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଆଣ୍ଠେଇ ଦେଇପାରେ।

ଏହି ସମସ୍ୟାଟିର ନାମ ବ୍ୟାଙ୍କିଙ୍ଗ୍‌ ଭାଷାରେ ହେଉଛି ‘ପ୍ରୋଭିଜନିଙ୍ଗ୍‌’ ବା ବ୍ୟାଙ୍କ୍‌ର ଦେୟ ପୂରଣ ପାଇଁ ଅର୍ଥ ମହଜୁଦ ରଖିବା। ଏକ ବ୍ୟାଙ୍କ୍‌ ପ୍ରଦାନ କରିଥିବା ଋଣର ଖିଲାପ ହେବାର ସମ୍ଭାବନାର ମାତ୍ରା ଅନୁସାରେ ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ୍‌ଟିକୁ ତାର ସନ୍ତୁଳନ ପତ୍ରର ଦେୟ ପାର୍ଶ୍ୱରେ ସେଥିପାଇଁ ଅର୍ଥ ରଖିବାକୁ ହୋଇଥାଏ (ଯଦି ଋଣ ଛାଡ଼ ହୁଏ, ସେ ଦେୟ ମଧ୍ୟ ଉଡ଼ିଯାଏ)। ଋଣର ଖିଲାପ ସମ୍ଭାବନା ଅନୁସାରେ ଏହି ‘ପ୍ରୋଭିଜନିଙ୍ଗ୍‌’ ଅନୁପାତ ଋଣର ୨.୫%ରୁ ଆରମ୍ଭ କରି ୧୦୦% ପର୍ଯ୍ୟନ୍ତ ହୋଇପାରେ। ଯେଉଁ ଋଣ ସମ୍ପୂର୍ଣ୍ଣ ବୁଡ଼ିଯିବାର ବିପଦ ଥାଏ ସେଠାରେ ପ୍ରୋଭିଜନିଙ୍ଗ୍‌ ଅନୁପାତ ୧୦୦% ହୋଇଥାଏ। ଯଦି ଋଣ ନେଇଥିବା କମ୍ପାନିକୁ ଠକ ବୋଲି ଘୋଷଣା କରାଯାଏ, ତେବେ ସେ ଭଳି କମ୍ପାନିକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବ୍ୟାଙ୍କ୍‌କୁ ୧୦୦% ପ୍ରୋଭିଜନିଙ୍ଗ୍‌ କରିବା ବାଧ୍ୟତାମୂଳକ ହୋଇଥାଏ। ନିରବ ମୋଦୀ ଜାଲିଆତି ଧରାପଡ଼ିବା ପରେ ଏଥି ସହିତ ସମ୍ପର୍କ ଥିବା ଚାରିଟି କମ୍ପାନିକୁ ଠକ ବୋଲି ଘୋଷଣା କରାଯାଇ ସାରିଲାଣି। ସେମାନେ ହେଲେ- ‘ଗୀତାଞ୍ଜଳି ଜେମ୍‌ସ’, ‘ଷ୍ଟେଲାର୍‌ ଡାଇମଣ୍ଡ୍‌ସ’, ‘ଡାଇମଣ୍ଡ୍‌ସ ଆର୍‌ ଅସ୍‌’ ଏବଂ ‘ସୋଲାର୍‌ ଏକ୍‌ସପୋର୍ଟସ୍‌’।

ଏହି କମ୍ପାନିମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଋଣ ପ୍ରଦାନ କରିଥିବା ବ୍ୟାଙ୍କ୍‌ମାନଙ୍କୁ ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ଚଉଠରେ ସେ ସବୁ ଋଣର ୧୦୦% ଅର୍ଥାତ୍‌ ସମାନ ପରିମାଣର ପ୍ରୋଭିଜନିଙ୍ଗ୍‌ କରିବାକୁ ପଡ଼ିବ। ଏକ ପ୍ରକାଶିତ ଆକଳନ ଅନୁସାରେ ଭାରତୀୟ ବ୍ୟାଙ୍କ୍‌ମାନେ ୨୦୧୭ ମାର୍ଚ୍ଚ ସୁଦ୍ଧା ଏହି ଚାରିଟି କମ୍ପାନିକୁ ପ୍ରଦାନ କରିଥିବା ମୋଟ ଋଣ ଓ ଗ୍ୟାରେଣ୍ଟିର ପିରମାଣ ଥିଳା ୧୭,୬୦୦ କୋଟି ଟଙ୍କା। ଅନ୍ୟ ଏକ ରିପୋର୍ଟ ଏହାକୁ ୧୫,୦୦୦ କୋଟି ଟଙ୍କାରେ ସୀମିତ କରିଛି। ଅତଏବ ‘ନିରବ ଝଡ଼’ ଯୋଗୁଁ ଏବେ ବ୍ୟାଙ୍କ୍‌ ମାନଙ୍କ ଉପରେ ଅନ୍ତତଃ ୧୫,୦୦୦ କୋଟି ଟଙ୍କାର ଅତିରିକ୍ତ ପ୍ରୋଭିଜନିଙ୍ଗ୍‌ ବୋଝ ପଡ଼ିବ। ଉଲ୍ଲେଖଯୋଗ୍ୟ ସେପ୍‌ଟେମ୍ବର ଚଉଠରେ ଭାରତୀୟ ବ୍ୟାଙ୍କ୍‌ମାନଙ୍କୁ କାଞ୍ଜିଆ ହେବା ସମ୍ଭାବନା ଥିବା ଋଣ ପାଇଁ ପ୍ରାୟ ୭୦,୦୦୦ କୋଟି ଟଙ୍କା ପ୍ରୋଭିଜନିଙ୍ଗ୍‌ କରିବାକୁ ପଡ଼ିଥିଲା। ତେଣୁ ଏହି ଅତିରିକ୍ତ ପ୍ରୋଭିଜନିଙ୍ଗ୍‌ ବୋଝ ହେଉଛି ବୋଝ ଉପରେ ନଳିତା ବିଡ଼ା ପରି।

ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କର ଏପରି ଖରାପ ଋଣ ପ୍ରଦାନ ଇତିହାସ ଯୋଗୁଁ ପ୍ରଣବ ମୁଖାର୍ଜୀ, ପି ଚିଦମ୍ବରମ୍‌ ଓ ଅରୁଣ ଜେଟ୍‌ଲୀ ବିତ୍ତ ମନ୍ତ୍ରୀ ରହିଥିବା ସମୟରେ ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରଦାତାଙ୍କ ଠାରୁ ଆଦାୟ ହୋଇଥିବା ଅର୍ଥରୁ ମୋଟ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ପୁଞ୍ଜି ଆକାରରେ ପ୍ରଦାନ କରିଛନ୍ତି। ଏ ରାଶି ତୁଳନାତ୍ମକ ଭାବରେ ଚଳିତ ବର୍ଷ କେନ୍ଦ୍ର ସରକାର ଗ୍ରାମ୍ୟ ଉନ୍ନୟନ ପାଇଁ ବରାଦ କରିଥିବା ରାଶିର ଦୁଇଗୁଣରୁ ମଧ୍ୟ ଅଧିକ ଏବଂ ବହୁଚର୍ଚ୍ଚିତ ଟୁଜି କେଳେଙ୍କାରୀରେ ହୋଇଥିବା ଆନୁମାନିକ କ୍ଷତି ଠାରୁ ମଧ୍ୟ ଅଧିକ। ଗୋଟିଏ ପରେ ଗୋଟିଏ ଠକେଇର ଶିକାର ହୋଇ ବ୍ୟାଙ୍କ୍‌ମାନେ କ୍ଷତି ସହି ଚାଲିଥିବେ ଏବଂ କରଦାତାଙ୍କ ଠାରୁ ଅର୍ଥ ଆଦାୟ କରି ତାହାକୁ ଉନ୍ନୟନ କାର୍ଯ୍ୟରେ ନ ଲଗାଇ ସରକାର ତାଙ୍କ ମାଲିକାନାରେ ଥିବା ସେହି ବ୍ୟାଙ୍କ୍‌ମାନଙ୍କର କ୍ଷତି ସେଇ ଅର୍ଥ ଦ୍ୱାରା ଭରଣା କରିଚାଲିଥିବେ, ଦେଶର କରଦାତା-ନାଗରିକମାନେ ବୋଧହୁଏ ଏହି ନିରବ ମୋଦୀ ଠକେଇ ପରେ ତାହା ଆଉ ବରଦାସ୍ତ କରିବେ ନାହିଁ। ଯଦି ତାହା ହୁଏ, ତେବେ କେବଳ ଦେଶର ବ୍ୟାଙ୍କ୍‌ମାନଙ୍କ ପାଇଁ ନୁହେଁ, ମୋଦୀ ସରକାର ପାଇଁ ମଧ୍ୟ ନିରବଙ୍କ ହୀରା ବିଷାକ୍ତ ମଣି ରୂପେ ସାବ୍ୟସ୍ତ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.