ଶନିବାର ଦିନ ନାଗାଲାଣ୍ଡ୍ରେ ଏକ ଭ୍ରମାତ୍ମକ ଗୁପ୍ତଚର ସୂଚନା ଆଧାରରେ ଆସାମ ରାଇଫ୍ଲ୍ସ୍ର ଜୱାନ୍ ମାନଙ୍କ ଗୁଳିରେ ଏକ ଡଜନ୍ରୁ ଅଧିକ ନିର୍ଦୋଷ ମନେ ହେଉଥିବା ନାଗା ଯୁବକ ପ୍ରାଣ ହରାଇବା (ଜଣେ ଜୱାନ୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି) ଭଳି ଏକ ଭୟଙ୍କର ଘଟଣା ଘଟିବା ପରେ ଭାରତ ସରକାରଙ୍କ କାନରେ ଯେଉଁ ଜଣେ ପ୍ରସିଦ୍ଧ ସମର ବିଶାରଦଙ୍କ ଏହି ଉକ୍ତିଟି ପ୍ରତିଧ୍ବନିତ ହେବା ଜରୁରୀ, ସେ ହେଉଛନ୍ତି ଊନବିଂଶ ଶତାବ୍ଦୀର ବିଚକ୍ଷଣ ପ୍ରୁସୀୟ ସେନାପତି ଜେନେରାଲ୍ କାର୍ଲ୍ ଭନ୍ କ୍ଲସ୍ୱିଚ୍। ୧୮୧୫ରେ ଇଉରୋପ୍ରେ ନେପୋଲିଅନୀୟ ଯୁଦ୍ଧ ସବୁର ଅନ୍ତ ଘଟିବା ପରେ ଜେନେରାଲ୍ କ୍ଲସ୍ୱିଚ୍ ରଚନା କରିଥିବା ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଅନ୍ ୱାର୍’ (‘ଯୁଦ୍ଧ ସମ୍ବନ୍ଧରେ’)ରେ ଥିବା ଏହି ଉକ୍ତିଟି ହେଲା: ‘‘ଯୁଦ୍ଧ ହେଉଛି ଏକ ଭିନ୍ନ ଉପାୟରେ ରାଷ୍ଟ୍ରନୀତିର କ୍ରମାନୁ ବୃତ୍ତି।’’
ନାଗାଲାଣ୍ଡ୍ରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପରିପ୍ରେକ୍ଷୀରେ ଏହାର ମର୍ମ ହେଲା, ନାଗାଲାଣ୍ଡ୍ର ଜନମାନସରେ ଏହା ଏକ ଧାରଣା ସୃଷ୍ଟି କରିଥିବ ଯେ ଉପରେ ଉପରେ ବିଦ୍ରୋହୀ ନାଗା ଗୋଷ୍ଠୀମାନଙ୍କ ସହିତ ଭାରତ ସରକାର ଶାନ୍ତି ଚୁକ୍ତି ସମ୍ପାଦନ କରିବାକୁ ଆଲୋଚନା କରୁଥିଲେ ହେଁ, ଭାରତର ଅସଲ ରାଷ୍ଟ୍ରନୀତି ହେଉଛି ସେନାବାହିନୀ ଦ୍ବାରା ବିନା ବାଛ ବିଚାରରେ ନାଗାମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଚଳାଇବା। ଅବଶ୍ୟ ଏଭଳି ଧାରଣା ହେଉଛି ସେଇଭଳି ଭ୍ରମାତ୍ମକ, ଯେଉଁଭଳି ଉପରୋକ୍ତ ଗୁପ୍ତଚର ତଥ୍ୟ ପ୍ରମାଣିତ ହୋଇଛି; କିନ୍ତୁ ଦେଶର ନିରାପତ୍ତା ଓ ସଂହତି ପାଇଁ ଏହା କିଭଳି ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ତାହା ବୁଝାଇବାର କୌଣସି ଆବଶ୍ୟକତା ନାହିଁ। ଏଥିରେ ସନ୍ଦେହ ନାହିଁ ଯେ ଏହା ହୃଦୟଙ୍ଗମ କରି ଏହି ବିଦ୍ରୋହ ଦମନ ମୂଳକ କାଉଣ୍ଟର୍ ଇନସର୍ଜେନ୍ସି ଅପରେସନ୍ ରଚନା କରିଥିବା ‘ଆସାମ ରାଇଫ୍ଲ୍ସ୍’ ବିଧିବଦ୍ଧ ଭାବରେ ଏହି ଦୁର୍ଘଟଣା ପାଇଁ ଅନୁତାପ ପ୍ରକାଶ କରିଛି ଓ ଏହାର ଅନୁସନ୍ଧାନ ପାଇଁ ତତ୍କ୍ଷଣାତ୍ ନିର୍ଦ୍ଦେଶ ଜାରି କରିଛି। ଗୃହମନ୍ତ୍ରୀ ଅମିତ ଶାହ ଏକ ବିଶେଷ ଅନୁସନ୍ଧାନକାରୀ ଦଳ (‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’- ‘ସିଟ୍’) ଦ୍ବାରା ଏହି ଅନୁସନ୍ଧାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେଉଁ ଆସାମ ରାଇଫ୍ଲ୍ସ୍ ବର୍ତ୍ତମାନ ଏଭଳି ନିର୍ବିବାଦ ଆକ୍ରମଣ ଅଭିଯୋଗର ସମ୍ମୁଖୀନ ହୋଇଛି, ସେଇ ଆସାମ ରାଇଫ୍ଲ୍ ଗତ ମାସରେ ଖୋଦ୍ ଏକ ଅନୁରୂପ ହୃଦୟବିଦାରକ ଆକ୍ରମଣର ଶିକାର ହୋଇଥିଲା ଯେତେବେଳେ ଏହି ବାହିନୀର ଜଣେ କମାଣ୍ଡିଙ୍ଗ୍ ଅଫିସର୍ ଓ ଅନ୍ୟ ଛ’ଜଣ ମଣିପୁର ଠାରେ ବିଦ୍ରୋହୀମାନଙ୍କର ମରଣାନ୍ତକ ଆକ୍ରମଣରେ ପ୍ରାଣ ହରାଇଥିଲେ। ନଭେମ୍ବର ୧୩ରେ ରଚିତ ଏହି ଅତର୍କିତ ଆକ୍ରମଣରେ କର୍ଣ୍ଣେଲ୍ ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ, ପୁତ୍ର ଏବଂ ଅନ୍ୟ ଚାରିଜଣ ସୈନିକ ମର୍ମନ୍ତୁଦ ଭାବରେ ପ୍ରାଣ ହରାଇବା ପରେ ଭବିଷ୍ୟତ୍ରେ ଯେପରି ଏହାର ପୁନରାବୃତ୍ତି ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ନିରାପତ୍ତା ବାହିନୀ ପ୍ରବଳ ଚାପର ସମ୍ମୁଖୀନ ହୋଇପଡ଼ିଛି। ନାଗାଲାଣ୍ଡ୍ର ମୋନ୍ ଠାରେ ବିଦ୍ରୋହୀ ସନ୍ଦେହରେ କେତେକ ନାଗା ଯୁବକମାନଙ୍କ ଉପରେ ଆସାମ ରାଇଫ୍ଲ୍ସ୍ ଦ୍ବାରା ହୋଇଥିବା ଏହି ଆକ୍ରମଣ ହେଉଛି ନିଶ୍ଚିତ ରୂପେ ସେଇ ଚାପର ଏକ ଅତି-ପ୍ରତିକ୍ରିୟାଶୀଳ ପାର୍ଶ୍ବ ପରିଣତି।
ମୋନ୍ ହେଉଛି ନାଗାଲାଣ୍ଡ୍ର ମ୍ୟାନ୍ମାର୍ ସୀମାନ୍ତବର୍ତ୍ତୀ ଏକ ଜିଲ୍ଲା। ଏଠାକାର ଛିଦ୍ରମୟ ସୀମା ବିଦ୍ରୋହୀମାନଙ୍କର ଆତ୍ମଗୋପନକୁ ସୁଗମ କରିଥାଏ, ଯେଉଁ କାରଣରୁ ଏହି ଅଞ୍ଚଳ ‘ୟୁଙ୍ଗ୍ ଅଙ୍ଗ୍’ ନାମକ ନିଷିଦ୍ଧ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ବିଦ୍ରୋହୀ ଗୋଷ୍ଠୀର ଏକ ଦୁର୍ଗରେ ପରିଣତ ହୋଇଛି। ଆସାମ ରାଇଫ୍ଲ୍ସ୍ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ସେଦିନ କେତେକ ବିଦ୍ରୋହୀ ଏକ ଟ୍ରକ୍ ଯୋଗେ ସେଇ ରାସ୍ତା ଦେଇ ଯିବେ ବୋଲି ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନା ମିଳିଥିଲା। ଦୁର୍ଭାଗ୍ୟ ବଶତଃ ଏହି ସୂଚନା ଭ୍ରମାତ୍ମକ ଥିଲା।
ପୃଥିବୀର ପ୍ରତ୍ୟେକ ସେନାବାହିନୀ ବା ନିରାପତ୍ତା ବାହିନୀ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ସମୟରେ ଗୁପ୍ତଚର ସୂଚନା ଉପରେ ନିର୍ଭର କରିଥା’ନ୍ତି। ଅନେକ ସମୟରେ ଗୁପ୍ତଚର ସୂଚନା ମଧ୍ୟ ମିଥ୍ୟା ସାବ୍ୟସ୍ତ ହେବା ଆଦୌ ଅସ୍ବାଭାବିକ ନୁହେଁ। ଏହାର ଏକ ଚରମ ଉଦାହରଣ ଦେଖିବାକୁ ମିଳିଥିଲା ୨୦୦୩ରେ ଯେତେବେଳେ ସାଦ୍ଦାମ୍ ହୁସେନ୍ ଗଣ ସଂହାର କରି ପାରୁଥିବା ଭଳି ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ନେଇ ଗୁପ୍ତଚର ସୂଚନା ଆଧାରରେ ଆମେରିକା ଇରାକ୍ ଉପରେ ଆକ୍ରମଣ ଚଳାଇ ସେ ଦେଶର ଧ୍ବଂସ ସାଧନ କରି ଦେଇଥିଲା। ପୁଣି ଯେଉଁ ଗୁପ୍ତଚର ସଂସ୍ଥା ଏଭଳି ଭମ୍ରାତ୍ମକ ସୂଚନା ସଂଗ୍ରହ କରିଥିଲା, ତାହା ହେଉଛି ପୃଥିବୀର ଦକ୍ଷତମ ଗୁପ୍ତଚର ସଂସ୍ଥା ରୂପେ ବିବେଚିତ ଆମେରିକାର ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି’ (‘ସିଆଇଏ’)। ‘ଜେମ୍ସ ବଣ୍ଡ୍’ ଖ୍ୟାତିସମ୍ପନ୍ନ ବ୍ରିଟେନ୍ର ଗୁପ୍ତଚର ସଂସ୍ଥା ‘ଏମ୍ଆଇ-6’ ମଧ୍ୟ ଏଥିରେ ସହଯୋଗ କରିଥିଲା। ମାନବ ଗୁପ୍ତଚରରୁ ଆରମ୍ଭ କରି ଅତ୍ୟାଧୁନିକ ସାଟେଲାଇଟ୍ ଚିତ୍ର ଉତ୍ତୋଳନ ଜ୍ଞାନ କୌଶଳ ପର୍ଯ୍ୟନ୍ତର ବ୍ୟବହାର ଦ୍ବାରା ସଂଗୃହୀତ ସୂଚନା କିପରି ହାସ୍ୟାସ୍ପଦ ଭାବରେ ମିଥ୍ୟା ସାବ୍ୟସ୍ତ ହୋଇଥିଲା ଓ ତା’ର ପରିଣତି ଇରାକ୍ବାସୀ କିପରି ଏ ପର୍ଯ୍ୟନ୍ତ ଭୋଗ କରୁଛନ୍ତି, ତାହା ପୃଥିବୀର ସାମରିକ ଇତିହାସରେ ଏକ ବିଶେଷ ଧରଣର ଟ୍ରାଜେଡି ରୂପେ ଲିପିବଦ୍ଧ ହୋଇଛି।
ତେଣୁ ନାଗାଲାଣ୍ଡ୍ ଭଳି ଏକ ବିଦ୍ରୋହୀ-ଉପଦ୍ରୁତ ଅଞ୍ଚଳରେ ସୂଚନା ଭୁଲ୍ ପ୍ରମାଣିତ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ବିପଜ୍ଜନକ କଥା ହେଲା, ଏହାର ପରିଣାମ ସ୍ବରୂପ ନାଗାଲାଣ୍ଡ୍ରେ ନିକଟ ଅତୀତରେ ଦେଖା ଯାଇଥିବା ସ୍ପର୍ଶକାତର ଶାନ୍ତି ପୁଣି ଭଙ୍ଗୁର ସାବ୍ୟସ୍ତ ହୋଇପାରେ। ୧୯୯୭ରେ ପ୍ରମୁଖ ନାଗା ବିଦ୍ରୋହୀ ଗୋଷ୍ଠୀ ‘ଏନ୍ଏସ୍ସିଏନ୍-ଆଇଏମ୍’ ଏବଂ ନିରାପତ୍ତା ବାହିନୀ ମଧ୍ୟରେ ସମ୍ପନ୍ନ ହୋଇଥିବା ଯୁଦ୍ଧ ବିରତି ରାଜିନାମା ଏ ପର୍ଯ୍ୟନ୍ତ ଏହି ଶାନ୍ତି ବଜାୟ ରଖିପାରିଥିବାର ଅସଲ କାରଣ ହେଉଛି ସମ୍ପୃକ୍ତ ସମସ୍ତ ପକ୍ଷ ଏଥିରେ ସହଯୋଗ କରିଛନ୍ତି: ନିରାପତ୍ତା ବାହିନୀ, ବିଦ୍ରୋହୀ ଗୋଷ୍ଠୀ, ରାଜନେତା ଓ ଜନସାଧାରଣ। ଦୀର୍ଘ ସାତ ଦଶନ୍ଧି ଧରି ସେ ରାଜ୍ୟରେ ଦେଖାଦେଇଥିବା ସଶସ୍ତ୍ର ଅସ୍ଥିରତାରେ ଅନ୍ତ ଘଟାଇବା ପାଇଁ ସରକାର ଓ ‘ଏନ୍ଏସ୍ସିଏନ୍-ଆଇଏମ୍’ ମଧ୍ୟରେ ଚାଲିଥିବା ଆଲୋଚନା ୨୦୧୫ରେ ଏକ ଫ୍ରେମ୍ୱର୍କ ଚୁକ୍ତି ସମ୍ପାଦନ ପରେ ବର୍ତ୍ତମାନ ଏକ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଫଳ ପ୍ରଦାନ କରିବାକୁ ଯାଉଥିବା ଭଳି ମନେ ହେଉଥିବା ବେଳେ ଶନିବାରର ଦୁର୍ଘଟଣା ତାହାକୁ ଧାରଣା ଚ୍ୟୁତ କରିବାର ଆଶଙ୍କା ସୃଷ୍ଟି କରିଛି। କାରଣ, ନିର୍ଦୋଷ ଯୁବକମାନଙ୍କର ମୃତ୍ୟୁ ଯଦି ନାଗା ସମାଜକୁ ରାଷ୍ଟ୍ର ପ୍ରତି ବିମୁଖ କରି ତୋଳେ, ତେବେ ବିଦ୍ରୋହୀମାନେ ପୁଣି ବୃହତ୍ତର ସମାଜରେ ନିରାପଦ ଆଶ୍ରୟସ୍ଥଳୀ ପାଇଯିବେ।
ସରକାରଙ୍କର ବର୍ତ୍ତମାନ ମୁଖ୍ୟ କର୍ତ୍ତବ୍ୟ ହେବା ଉଚିତ କାଳ ବିଳମ୍ବ ନ କରି ମୃତାହତମାନଙ୍କର ପରିବାରମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ଅକୁଣ୍ଠ ସହାୟତାର ହାତ ବଢ଼ାଇବା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା, ଯେପରି ବୃହତ୍ତର ନାଗା ସମାଜ ମନରେ ଏକ ଧାରଣା ଜାତ ହେବ ନାହିଁ ଯେ ଜେନେରାଲ୍ କ୍ଲସ୍ୱିଚ୍ଙ୍କ ତତ୍ତ୍ବ ହେଉଛି ସତ୍ୟ, ଯାହା ମୋନ୍ ଠାରେ ପ୍ରମାଣିତ ହୋଇଛି।