ପୁଟିନ୍‌ଙ୍କ ଦାନ୍ତ

ଇଆନ୍ ଫ୍ଲେମିଙ୍ଗ୍‌ଙ୍କର ଶୀତଳ ଯୁଦ୍ଧ ସମୟର ରୋମାଞ୍ଚଭରା ଜେମ୍‌ସ ବଣ୍ଡ୍ ଉପନ୍ୟାସ ‘ଫ୍ରମ୍ ରସିଆ ୱିଥ୍ ଲଭ୍’ରେ ନାୟକ ବ୍ରିଟିସ୍ ଗୁପ୍ତଚର ‘୦୦୭’ ଓରଫ୍ ଜେମ୍‌ସ ବଣ୍ଡ୍ ଏକ ସମୟରେ ନିଜର ମୂଳ ସଂସ୍ଥା ‘ଏମ୍‌ଆଇ-6’ର ତୁର୍କୀସ୍ଥିତ ଶାଖା କାର୍ଯ୍ୟାଳୟ ମୁଖ୍ୟ ଡାର୍କୋ କେରିମ୍‌ଙ୍କୁ ନିଜର ଅନ୍ତର୍ବେଦନା ଜଣାଇବା ଦେଖାଯାଇଛି: ‘‘ଇଂଲାଣ୍ଡ୍‌ରେ ଆମେ ଆଉ କାହାକୁ ଦାନ୍ତ ଦେଖାଉନାହୁଁ- କେବଳ ମାଢ଼ି ଦେଖାଉଛୁ।’’ ଅର୍ଥାତ୍ ୧୯୫୬ରେ ଶୀତଳ ଯୁଦ୍ଧର ଘନଘଟା ମଧ୍ୟରେ ଫ୍ଲେମିଙ୍ଗ୍ ଯେତେବେଳେ ତାଙ୍କର ଏହି ପଞ୍ଚମ ଜେମ୍‌ସ ବଣ୍ଡ୍ କାହାଣୀ ରଚନା କରୁଥିଲେ, ସେତେ‌େ‌ବଳେ ଏକଦା ପରାକ୍ରମୀ ସାମ୍ରାଜ୍ୟ ବିସ୍ତାରକାରୀ ଶକ୍ତି ବ୍ରିଟେନ୍ ଏପରି ହୀନବଳ ହୋଇ ଯାଇଥିଲା ଯେ, ସତେ ଯେମିତି ତା’ର ସବୁତକ ଦାନ୍ତ ଝଡ଼ି ଯାଇ କେବଳ ମାଢ଼ି ରହି ଯାଇଥିଲା। ଅପର ପକ୍ଷେ କାହାଣୀରେ ଜେମ୍‌ସ ବଣ୍ଡ୍‌ଙ୍କ ପ୍ରତିପକ୍ଷ କମ୍ୟୁନିଷ୍ଟ ରୁଷିଆ ଏକ ପରାକ୍ରମୀ ଶକ୍ତି ରୂପେ ଶୀତଳ ଯୁଦ୍ଧ ରଣାଙ୍ଗନରେ ଆବିର୍ଭୂତ ହୋଇଥିଲା।

ଇତି ମଧ୍ୟରେ ଯେଉଁ ଛ’ ଦଶନ୍ଧିରୁ ଅଧିକ କାଳ ବିତି ଗଲାଣି, ସେଥି ମଧ୍ୟରେ ଆନ୍ତର୍ଜାତିକ ବଳ କଷାକଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟି ଗଲାଣି, କିନ୍ତୁ ଜେମ୍‌ସ ବଣ୍ଡ୍‌ଙ୍କୁ ସନ୍ତୁଷ୍ଟ କଲା ଭଳି ବ୍ରିଟେନ୍ ଆଉ ତା’ର ଦାନ୍ତ ଫେରି ପାଇ ପାରି ନାହିଁ। ତେବେ ହୁଏ’ତ ଜେମ୍‌ସ ବଣ୍ଡ୍‌ଙ୍କୁ ଯାହା କିଛିଟା ସନ୍ତୋଷ ପ୍ରଦାନ କରନ୍ତା, ତାହା ହେଲା ଇତି ମଧ୍ୟରେ ଶୀତଳ ଯୁଦ୍ଧର ଅନ୍ତ ସହିତ ରୁଷିଆରେ କମ୍ୟୁନିଷ୍ଟ ଶାସନର ଅବସାନ ଘଟିଛି ଓ ବ୍ରିଟେନ୍ ଭଳି ରୁଷିଆ ମଧ୍ୟ ତା’ର ଦାନ୍ତ ହରାଇଥିବା ଭଳି ମନେ ହେଉଛି। ଏହି ସମସ୍ତ ପରିବର୍ତ୍ତନ ମଧ୍ୟରେ କିନ୍ତୁ ଯଦି ଗୋଟିଏ ଅପରିବର୍ତ୍ତିତ ରହିଥିବା କିଛି ଜେମ୍‌ସ ବଣ୍ଡ୍ ଖୋଜି ବସନ୍ତି, ତେବେ ଯାହା ନିଶ୍ଚିତ ରୂପେ ତାଙ୍କ ଆଖିରେ ପଡ଼ିବ, ତାହା ହେଉଛି ତାଙ୍କର ପୂର୍ବତନ ବ୍ରିଟିସ୍ ସାମ୍ରାଜ୍ୟର ମଥାମଣି ଭାରତ ସହିତ ତାଙ୍କର ଚରମ ଶତ୍ରୁ ରୁଷିଆର ସମ୍ପର୍କ। ସୋମବାର ଦିନ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍‌ଙ୍କର ଦିଲ୍ଲୀ ଗସ୍ତ ହେଉଛି ପ୍ରମାଣ ଯେ ୧୯୫୬ରେ ଭାରତ ଓ ରୁଷିଆ ମଧ୍ୟରେ ବନ୍ଧୁତା ଯେଉଁ ଭଳି ନିବିଡ଼ ଥିଲା, ଏବେ ମଧ୍ୟ ସେଇଭଳି ରହିଛି।

ଭାରତକୁ ରୁଷିଆ ପ୍ରଦାନ କରୁଥିବା ଗୁରୁତ୍ବ ହୃଦୟଙ୍ଗମ କରିବାକୁ ହେଲେ ମନେ ରଖିବାକୁ ହେବ ଯେ ରାଷ୍ଟ୍ରପତି ପୁଟିନ୍ କୋଭିଡ୍ ପାଣ୍ଡେମିକ୍ ସମୟରେ ନିଜ ଦେଶ ବାହାରକୁ ପ୍ରାୟ ଗୋଡ଼ କାଢ଼ି ନାହାନ୍ତି କହିଲେ ଚଳେ। ଏଥି ପୂର୍ବରୁ ସେ କେବଳ ଆମେରିକାର ରା‌ଷ୍ଟ୍ରପତିଙ୍କ ସହିତ ଏକ ଶୀର୍ଷ ବୈଠକରେ ଯୋଗ ଦେବା ପାଇଁ ସୁଇଜର୍‌ଲାଣ୍ଡ୍‌ର ଜେନିଭାକୁ ଯାହା ଥରେ ଯାଇଥିଲେ। ସୋମବାର ଦିନ ତାଙ୍କର ଦିଲ୍ଲୀ ଗସ୍ତ ହେଉଛି ଚଳିତ ବର୍ଷ ତାଙ୍କ ଦ୍ବିତୀୟ ବିଦେଶ ଗସ୍ତ ମାତ୍ର। ଯଦିବା କେତେକଙ୍କ ମତରେ କମ୍ୟୁନିଷ୍ଟ ଶାସନର ଅନ୍ତ ଘଟିବା ପରେ ରୁଷିଆ ଅନେକାଂଶରେ ତା’ର ପୂର୍ବର କାମୁଡ଼ିବା ଦାନ୍ତ ହରାଇ ବସିଛି, ତେବେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ରୁଷିଆ ବଣ୍ଡ୍‌ଙ୍କ ବ୍ରିଟେନ୍ ଭଳି ସମ୍ପୂର୍ଣ୍ଣ ଦାନ୍ତହୀନ ହୋଇ ଯାଇ ନାହିଁ।

ବାସ୍ତବରେ ଭାରତ ସହିତ ରୁଷିଆର ଦୀର୍ଘ ସାତ ଦଶନ୍ଧିର ଅବିଚ୍ଛିନ୍ନ ବନ୍ଧୁତାର ମୂଳ ଭିତ୍ତି ହେଉଛି ରୁଷିଆର ଏହି ଦାନ୍ତ ହିଁ। ଯଦିବା ଇତି ମଧ୍ୟରେ ଭାରତ ତା’ର ଦାନ୍ତ ରୂପକ ଯୁଦ୍ଧ ସାମଗ୍ରୀ ସଂଗ୍ରହକୁ ବିକ୍ଷିପ୍ତ କରିବା ଉଦ୍ଦେଶ୍ୟରେ ଆମେରିକା, ଫ୍ରାନ୍‌ସ ଆଦି ଦେଶମାନଙ୍କରୁ ମଧ୍ୟ କେତେକ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଆରମ୍ଭ କରିଛି, ଏବେ ବି ଏହାର ମୁଖ୍ୟ ଭାଗ ରୁଷିଆରୁ ହିଁ ଆସିଥାଏ। ଆକଳନ ଅନୁସାରେ ବର୍ତ୍ତମାନ ମଧ୍ୟ ଭାରତର ଅସ୍ତ୍ରଶସ୍ତ୍ର ଆମଦାନିର ପ୍ରାୟ ୭୦ ଶତାଂଶ ଆସିଥାଏ ରୁଷିଆରୁ। ବଡ଼ କଥା ହେଲା ଅସ୍ତ୍ରଶସ୍ତ୍ର ସର୍ବଦା ବ୍ୟବହାରକ୍ଷମ ରହିବା ପାଇଁ ଆବଶ୍ୟକ ଯନ୍ତ୍ରାଂଶ ସବୁର ନିର୍ଭରଯୋଗ୍ୟ ଯୋଗାଣକାରୀ ରୂପେ ରୁଷିଆର ସାମରିକ ଶିଳ୍ପ ବିଗତ ସାତ ଦଶନ୍ଧି ଧରି ନିଜକୁ ପ୍ରମାଣିତ କରିଛି। ବିଗତ ଦଶନ୍ଧିମାନଙ୍କରେ ଭାରତ ନିଜ ଦେଶ ଭିତରେ କେତେକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ମଧ୍ୟ ରୁଷିଆ ସକ୍ରିୟ ସହଯୋଗ ପ୍ରଦାନ କରିଛି, ଯାହା ଅନ୍ୟ କୌଣସି ଦେଶ ଠାରୁ ମିଳନ୍ତା ନାହିଁ। ଏଥିରେ ଅନ୍ତର୍ଭୁକ୍ତ କେତେକ ଗୁରୁତ୍ବପୂର୍ଣ୍ଣ ଉଦ୍ୟମ ମଧ୍ୟରେ ରହିଛି ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ, ଯୁଦ୍ଧ ଜାହାଜ, ଆଣବିକ ରିଆକ୍ଟର୍, ବ୍ରହ୍ମୋସ୍ ଭଳି କ୍ଷେପଣାସ୍ତ୍ର ଇତ୍ୟାଦି। ଭାରତ ବିଶେଷ ପାରଦର୍ଶିତା ପ୍ରଦର୍ଶନ କରିଥିବା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ରୁଷିଆ ଠାରୁ ଅକୁଣ୍ଠ ସହଯୋଗ ଲାଭ କରିଛି।

କୂଟନୈତିକ ଦୃଷ୍ଟିରୁ ନିରାପତ୍ତା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ରୂପେ ରୁଷିଆ ଯେଉଁଭଳି ଭାରତ ସପକ୍ଷରେ ଛିଡ଼ା ହୋଇ ଆସିଛି, ଅନ୍ୟ କୌଣସି ଶକ୍ତି ଠାରୁ ସେଭଳି ସହଯୋଗ ମିଳି ନାହିଁ। ଜାତିସଂଘ, ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍, ‘ବ୍ରିକ୍‌ସ’ ଆଦି ବହୁଦେଶୀୟ ସଂଗଠନମାନଙ୍କରେ ମଧ୍ୟ ରୁଷିଆ ସର୍ବଦା ଭାରତକୁ ସମର୍ଥନ ପ୍ରଦାନ କରି ଆସିବା ଦେଖାଯାଇଛି।

ନିକଟ ଅତୀତରେ ଅବଶ୍ୟ ଘଟିଥିବା କେତେକ ଘଟଣା ଉଭୟ ଦେଶ ମଧ୍ୟରେ ଥିବା ଏହି ଦୀର୍ଘ ଦିନର ସୁସମ୍ପର୍କ ପ୍ରତି ଯେ କିଛି ମାତ୍ରାରେ ଚାପ ସୃଷ୍ଟି କରିଛି, ଏଥିରେ ସନ୍ଦେହ ନାହିଁ। ରୁଷିଆର ଚୀନ୍ ସହିତ ନୂତନ ଘନିଷ୍ଠତା, ଭାରତର ଆମେରିକା ନେତୃତ୍ବାଧୀନ ଆଞ୍ଚଳିକ ଗୋଷ୍ଠୀ ‘କ୍ବାଡ୍’ରେ ଯୋଗଦାନ, ଆମେରିକା-ଭାରତ ମଧ୍ୟରେ ବର୍ଦ୍ଧିଷ୍ଣୁ ସହଯୋଗ, ରୁଷିଆର ପାକିସ୍ତାନକୁ ସାମରିକ ସରଞ୍ଜାମ ବିକ୍ରୟ ଆଦି ହେଉଛନ୍ତି ଏହିପରି କେତେକ ତିକ୍ତତା ସୃଷ୍ଟିକାରୀ ଘଟଣା। ତେବେ ଏହା ମଧ୍ୟ ଲକ୍ଷ୍ୟ କରିବା କଥା ରୁଷିଆ ଏବେ ପ୍ରକାଶ କରିଥିବା ସାମରିକ ‌େଯାଜନାର ପରିବର୍ତ୍ତିତ ସଂସ୍କରଣରେ ଚୀନ୍‌କୁ ଏକ ସହଯୋଗୀ ଦେଶର ସ୍ଥାନ ପ୍ରଦାନ କରିଥିଲେ ହେଁ, ଭାରତକୁ ପୂର୍ବରୁ ପ୍ରଦାନ କରାଯାଇଥିବା ଏହି ମର୍ଯ୍ୟାଦା ଅପରିବର୍ତ୍ତିତ ରହିଛି।

ଚୀନ୍ ସହିତ ରୁଷିଆର ଘନିଷ୍ଠତା ବୃଦ୍ଧି ପାଇଥିଲେ ହେଁ, ନିକଟରେ ଯେତେବେଳେ ସୀମାନ୍ତରେ ଭାରତ-ଚୀନ୍ ମଧ୍ୟରେ ଲଢ଼େଇର ସୂତ୍ରପାତ ହୋଇଥିଲା, ସେତେବେଳେ ମଧ୍ୟ ରୁଷିଆ ଭାରତକୁ ସାମରିକ ସରଞ୍ଜାମ ଯୋଗାଇବା ବନ୍ଦ କରିନଥିଲା। ସେହିପରି ଉଭୟଙ୍କ ମଧ୍ୟରେ ଘନିଷ୍ଠତା ସତ୍ତ୍ବେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଜବରଦଖଲ କିମ୍ବା ହିମାଳୟ ସୀମାରେ ତା’ର ଅନୁପ୍ରବେଶ ଉଦ୍ୟମକୁ ରୁଷିଆ ସମର୍ଥନ କରିନାହିଁ।
ସତ କଥା ହେଲା କୂଟନୈତିକ ଜଗତ୍‌ରେ ଏକ ଦେଶର କେହି ସ୍ଥାୟୀ ମିତ୍ର କିମ୍ବା ସ୍ଥାୟୀ ଶତ୍ରୁ ନଥା’ନ୍ତି, କେବଳ ଯାହା ସ୍ଥାୟୀ ହୋଇଥାଏ, ତାହା ହେଉଛି ସେ ଦେଶର ଜାତୀୟ ସ୍ବାର୍ଥ। ତେଣୁ ଏହି କଠୋର ସତ୍ୟ ପୃଷ୍ଠଭୂମିରେ ମାନିବାକୁ ହେବ ଯେ ରୁଷ୍-ଭାରତ ସମ୍ପର୍କ ଏଥିରେ ଏକ ବ୍ୟତିକ୍ରମ ଭଳି ଛିଡ଼ା ହୋଇଛି। ଆମେରିକାର ବିରୋଧ ସତ୍ତ୍ବେ ରୁଷିଆ ଠାରୁ ଭାରତ କ୍ରୟ କରୁଥିବା ‘ଏସ୍-୪୦୦ ଟ୍ରାଇଉମ୍ଫ୍’ କ୍ଷେପଣାସ୍ତ୍ର ରୁଷିଆକୁ ଯେପରି ଭାରତର ବନ୍ଧୁ ଭାବ ସମ୍ବନ୍ଧରେ ଆଶ୍ବସ୍ତ କରୁଥିବ, ଆମେଥିରେ ‘ଏକେ-୨୦୩’ ରାଇଫ୍‌ଲ୍ କାରଖାନା ସ୍ଥାପନ ଭାରତକୁ ସେଇଭଳି ରୁଷିଆର ସହଯୋଗ ସମ୍ବନ୍ଧରେ ନିଶ୍ଚିତ କରୁଥିବ। ଏ ସବୁ ହେଉଛି ପ୍ରମାଣ ଯେ ରୁଷିଆ ଏ ପର୍ଯ୍ୟନ୍ତ ତା’ର ଦାନ୍ତ ହରାଇ ନାହିଁ ଏବଂ ଆବଶ୍ୟକ ହେଲେ ବନ୍ଧୁ ଭାରତ ପାଇଁ ଏ ଦାନ୍ତ ବ୍ୟବହାର କରିବାକୁ ପୁଟିନ୍ ପଛାଇବେ ନାହିଁ।

ସମ୍ବନ୍ଧିତ ଖବର