ସ˚ପ୍ରତି ଗଣତନ୍ତ୍ରର ଅବକ୍ଷୟକୁ ନେଇ ଅନେକତ୍ର ଗଭୀର ବିବ୍ରତ-ବୋଧ ପ୍ରକାଶ ପାଉଥିବା ବେଳେ ଯାହା ସେମାନଙ୍କ ଲାଗି ଏକ ଚିନ୍ତାର ବିଷୟ ହୋଇଛି, ତାହା ହେଲା କେତେକ ଏକଛତ୍ରବାଦୀ ଶାସକ କୌଶଳ କ୍ରମେ ନିଜର ନିରଙ୍କୁଶ ଏକାଧିପତ୍ୟକୁ ମଧୢ ଗଣତନ୍ତ୍ରର ରୂପ ପ୍ରଦାନ କରିବାରେ ସଫଳ ହେଲେଣି। ଏହି ପରିପ୍ରେକ୍ଷୀରେ ଗଲା ୯ ଓ ୧୦ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆମନ୍ତ୍ରଣ କ୍ରମେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ ଶିଖର ସମ୍ମିଳନୀ ‘ସମ୍ମିଟ୍ ଫର୍ ଡେମୋକ୍ରାସି’ (ଗଣତନ୍ତ୍ର ଲାଗି ଶିଖର ସମାବେଶ) ବିଶେଷ ଗୁରୁତ୍ବ ବହନ କରିଥାଏ।
ଉଲ୍ଲେଖଯୋଗ୍ୟ ଯେ ୧୧୧ଟି ରାଷ୍ଟ୍ରର ମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ଏବ˚ ସେମାନଙ୍କ ମଧୢରୁ ଯେଉଁ ବାରଟି ରାଷ୍ଟ୍ର ସ୍ବତନ୍ତ୍ର ମତ ବ୍ୟକ୍ତ କରିବାର ବିଶେଷାଧିକାର ଲାଭ କରିଥିଲେ, ସେମାନଙ୍କ ମଧୢରେ ଭାରତ ଅନ୍ୟତମ ଥିଲା; ଏବ˚ ସେହି ରାଷ୍ଟ୍ରର ମୁଖ୍ୟମାନଙ୍କ ସହିତ ଜୋ ବାଇଡେନ୍ ଏକ ରୁଦ୍ଧଦ୍ବାର ବୈଠକରେ ମିଳିତ ହୋଇ ମତ ବିନିମୟ କରିଥିଲେ। ତେବେ, ବିଡ଼ମ୍ବନାଟି ହେଉଛି, ବିଭିନ୍ନ କାରଣରୁ ପ୍ରଥମରୁ ଏହି ସମାବେଶ ବିବାଦୀୟ ହୋଇ ଉଠିଛି; ଯାହାର ମୂଳ କାରଣ ରହିଛି ଭାଗ ନେଇଥିବା ଆମନ୍ତ୍ରିତ ରାଷ୍ଟ୍ରଗୁଡ଼ିକର ତାଲିକାରେ। ସ୍ବାଭାବିକ ଭାବେ ଚୀନ ଏବ˚ ରୁଷିଆ ଭଳି ଦୁଇ ଅତ୍ୟନ୍ତ ପ୍ରଭାବଶାଳୀ ରାଷ୍ଟ୍ରଙ୍କୁ ଏଥିରୁ ବାଦ୍ ଦିଆଯାଇଥିଲା, ଯାହାର ନିତାନ୍ତ ବୋଧଗମ୍ୟ କାରଣଟି ହେଲା ସେହି ରାଷ୍ଟ୍ର ଦ୍ବୟରେ ଗଣତନ୍ତ୍ରର ଅନୁପସ୍ଥିତି। କିନ୍ତୁ, ଏହି ତାଲିକାରେ ବା˚ଲାଦେଶ ବା ସିଙ୍ଗାପୁର ଭଳି ରାଷ୍ଟ୍ର ସ୍ଥାନ ନ ପାଇବା ଅଥଚ ପାକିସ୍ତାନ ବା କ˚ଗୋ ସାଧାରଣତନ୍ତ୍ର ଅନ୍ତର୍ଭୁକ୍ତ ହେବା (ପାକିସ୍ତାନ ଏଥିରେ ଯୋଗ ଦେଇନାହିଁ) ଭଳି ବିଷୟକୁ ଅନେକ ରାଜନୈତିିକ ସମୀକ୍ଷକ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାର୍ଥ ପରିଚାଳିତ ଏକ ଅଭିସନ୍ଧି ରୂପେ ମଧୢ ଦେଖିଥାଆନ୍ତି। ଏହି ପ୍ରସଙ୍ଗରେ ପ୍ରଶ୍ନ ମଧୢ ଉଠିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକା କ’ଣ ଗଣତନ୍ତ୍ରର ଜଣେ ଗାର୍ଡିଆନ୍ ବା ଗାର୍ଜନ କି? କହିବା ବାହୁଲ୍ୟ ଯେ ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ନେଇ ସର୍ବାଧିକ ଚିନ୍ତା ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରକଟିତ ହୋଇଥାଏ ଏବ˚ ଗଣତନ୍ତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରିବାର ସମସ୍ତ ଭାର ଯୁକ୍ତରାଷ୍ଟ୍ର ଆମେରିକା ବା ତାକୁ ଅନୁସରଣ କରୁଥିବା କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଜନ୍ମସିଦ୍ଧ ଅଧିକାର ଭାବେ ଗ୍ରହଣ କରିଥାଆନ୍ତି। ସୁତରା˚, ସେମାନଙ୍କ ସ˚ଜ୍ଞାନୁସାରେ ଯଦି ବାଇଡେନ୍ କେତେକ ସଫଳ ଗଣତନ୍ତ୍ରକୁ ଏହି ତାଲିକାରୁ ବହିର୍ଭୂତ କରିଥିବେ; ତେବେ ତାହା ଏହି ସମ୍ମିଳନୀର ଉଦ୍ଦେଶ୍ୟକୁ ପ୍ରଶ୍ନାସ୍ପଦ କରିବା ସ୍ବାଭାବିକ।
ଏହି ସମ୍ମିଳନୀରେ ଆଲୋଚ୍ୟ ପ୍ରସଙ୍ଗ ଥିଲା ‘ବ୍ୟାକ୍ ସ୍ଲାଇଡି˚ ଅଫ୍ ଡେମୋକ୍ରାସି’ ଯାହାର ଓଡ଼ିଆ ଭାବାର୍ଥ ହେବ ‘ଗଣତନ୍ତ୍ରର ସ୍ଖଳନ।’ ଏଥିରେ ଗଣତନ୍ତ୍ରର ଅବକ୍ଷୟ ନେଇ ସ୍ବାଭାବିକ ଭାବେ ବ୍ୟାକୁଳତା ପ୍ରକାଶ ପାଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ˚ଦର୍ଭରେ ଯେଉଁ ବିଷୟଟି ଉତ୍ଥାପନ କରିଥିଲେ, ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ତହିଁରେ ସେ ଗଣତନ୍ତ୍ରର ଅବକ୍ଷୟରେ ସୋସିଆଲ୍ ମିଡିଆର ସନ୍ଦିଗ୍ଧ ଭୂମିକା ଆଡ଼କୁ ଇଙ୍ଗିତ କରିଥିଲେ। କହିବା ବାହୁଲ୍ୟ ଯେ ପୃଥିବୀର ସର୍ବାଧିକ ପ୍ରଭାବଶାଳୀ ସୋସିଆଲ୍ ମିଡିଆ ମଞ୍ଚ (ଗୁଗୁଲ, ଟ୍ବିଟର ଓ ମେଟା ଅଧୀନସ୍ଥ ଫେସବୁକ୍, ୟୁ ଟ୍ୟୁବ୍, ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍ ଏବ˚ ଫେସବୁକ୍ ମେସେଂଜର)ଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟ ଓ ପରିପୁଷ୍ଟ ଏବ˚ ପୃଥିବୀର ସମୁଦାୟ ଜନସ˚ଖ୍ୟାର ଅର୍ଧାଧିକ ଏହି ସାମାଜିକ ଗଣମାଧୢମ ଦ୍ବାରା ମୋହଗ୍ରସ୍ତ। ସ˚ପ୍ରତି ଏହା ବାରମ୍ବାର ପ୍ରମାଣିତ ମଧୢ ହୋଇ ସାରିଲାଣି ଯେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରରେ ଜନମତକୁ ପ୍ରଭାବିତ କରିବାରେ ଏହି ମଞ୍ଚଗୁଡ଼ିକର ଅତ୍ୟନ୍ତ ଶକ୍ତିଶାଳୀ ଭୂମିକା ରହିଛି, ଯାହାର ପ୍ରୟୋଗ ନିର୍ବାଚନ ସମୟରେ ଭୋଟ ଦାତାମାନଙ୍କୁ ପ୍ରଭାବିତ କରିବା ଲାଗି ମଧୢ କରାଯାଉଛି। ଫେସବୁକ୍ରେ ଏକ ବରିଷ୍ଠ ପଦରେ କାର୍ଯ୍ୟ କରିଥିବା ଫ୍ରାନ୍ସେସ୍ ହୋଗନ କିଛି ଦିନ ପୂର୍ବେ ଯେଉଁ ଅତ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟିକାରୀ ବିବରଣୀ ପ୍ରଦାନ କରିଥିଲେ ତାହା ହେଲା ‘କୃତ୍ରିମ ବୁଦ୍ଧିମତ୍ତା’ ସମ୍ବଳିତ ଯେଉଁ ପ୍ରଯୁକ୍ତି ଏହି ମଞ୍ଚଗୁଡ଼ିକର ପରିଚାଳନା କରିଥାଏ, ତହିଁରେ ଘୃଣା ବ୍ୟ˚ଜକ ବାର୍ତ୍ତା ଓ ଭିଡିଓର ମାତ୍ରାଧିକ ସ˚ଚାରଣର ବ୍ୟବସ୍ଥା ଅନ୍ତର୍ନିହିତ ହୋଇ ରହିଥାଏ। ଉଲ୍ଲେଖେଯାଗ୍ୟ ଯେ ୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ହେଉ କି ଗଲା ଜାନୁଆରି ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ସଂଘଟିତ କ୍ୟାପିଟଲ୍ ହିଲ୍ ଦଙ୍ଗା; ଅନେକ ଗଣତନ୍ତ୍ର ବିରୋଧୀ ଓ ଅନ୍ତର୍ଘାତୀ କାର୍ଯ୍ୟ ପଛରେ ସାମାଜିକ ଗଣମାଧୢମଗୁଡ଼ିକ ଦ୍ବାରା ପ୍ରସାରିତ ଘୃଣା ହିଁ ମୁଖ୍ୟ କାରଣ ହୋଇଛି। ପୁନଶ୍ଚ ଏଥିରେ ଯାହା ଅଧିକ ଉଦ୍ବେଗଜନକ ତାହା ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟାନୁଷ୍ଠାନକୁ ଭୟ କରି ଏହି ଅନୁଷ୍ଠାନଗୁଡ଼ିକ ଅପେକ୍ଷାକୃତ ଅଧିକ ସ˚ଯମ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟାନ୍ୟ ରାଷ୍ଟ୍ରରେ ଏକ ଲଗାମ ଛଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥାଆନ୍ତି। ତେଣୁ, ଏଭଳି ସ୍ଥିତିରେ ବାଇଡେନ୍ଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ମଧ୍ୟ ଗଣତନ୍ତ୍ରର ସ୍ବାସ୍ଥ୍ୟ ଲାଗି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ।
‘ପ୍ରାଇସ୍ ଵାଟର୍ ହାଉସ୍’ ଅନୁଷ୍ଠାନ ଦ୍ବାରା ଭାରତକୁ ଏକ ‘ଆ˚ଶିକ ଗଣତନ୍ତ୍ର’ର ମାନ୍ୟତା ମିଳିଥିବା ଦୃଷ୍ଟିରୁ ଏହି ସମ୍ମିଳନୀ ପେକ୍ଷାପଟରେ ‘ନ୍ୟୁୟର୍କ ଟାଇମ୍ସ’ର ଏକ ନିବନ୍ଧରେ (ବାଇଡେନ୍ସ ସେଲି˚ ଡେମୋକ୍ରାସି ସର୍ଟ୍) ଶାଣିତ କଟାକ୍ଷ ହଣା ଯାଇଛିି। ଗଲା ଏକ ଦଶନ୍ଧି ମଧୢରେ ଭାରତରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅବକ୍ଷୟ ସହିତ ମୁକ୍ତ ଅଭିବ୍ୟକ୍ତିରେ ବାଧା ବା ସା˚ପ୍ରଦାୟିକ ବିଦ୍ବେଷର ବୃଦ୍ଧି ଭଳି ବିଷୟ ଆଡ଼କୁ ତହିଁରେ ଇଙ୍ଗିତ କରାଯାଇଛି। କହିବା ଅନାବଶ୍ୟକ ଯେ ଆମ ଦେଶରେ ମଧୢ ଅନେକତ୍ର ଏଭଳି ଏକ ଧାରଣା ପ୍ରକାଶ ପାଇଥାଏ। କିନ୍ତୁ ପୋଲାଣ୍ତ୍ର ରାଜନୈତିକ ବିଦ୍ବାନ ଆଦାମ ପ୍ରିଜଵର୍ସ୍କିଙ୍କ ପ୍ରଦତ୍ତ ଗଣତନ୍ତ୍ରର ଏକ ସରଳ ସ˚ଜ୍ଞାର ଆଲୋକରେ ଭାରତକୁ ଦେଖିଲେ ଏଠାରେ ଗଣତନ୍ତ୍ର କିଭଳି ଦୃଢ଼ମୂଳ, ତାହାର ଏକ ଆଭାସ ମିଳିଥାଏ। ପ୍ରିଜଵର୍ସ୍କି କହିଥିଲେ ଯେ ଗଣତନ୍ତ୍ର ହେଉଛି ସେହି ବ୍ୟବସ୍ଥା ଯହିଁରେ କ୍ଷମତାଧାରୀ ପରାଜିତ ହୋଇଥାଏ ଏବ˚ ପରାଜିତ ହେବା ପରେ ତାହା ସ୍ବୀକାର କରି ଆସନ ପରିତ୍ୟାଗ କରିଥାଏ। ଏହି ସ˚ଜ୍ଞାର ପରୀକ୍ଷାରେ ରୁଷିଅା ବା ଚୀନ ଭଳି ରାଷ୍ଟ୍ର ଉତ୍ତୀର୍ଣ୍ଣ ହୋଇ ପାରନ୍ତି ନାହିଁ ସିନା, ଭାରତ ଲାଗି ଏହା ଏକ ସମସ୍ୟା ନୁହେଁ। ଏଠାରେ ସ୍ମରଣଯୋଗ୍ୟ ଯେ ଜରୁରୀକାଳୀନ ପରିସ୍ଥିତି ସମୟରେ ଅପରିମେୟ ଭାବେ କ୍ଷମତାଶାଳୀ ହୋଇ ପଡ଼ିଥିବା ଇନ୍ଦିରା ଗାନ୍ଧୀ ମଧୢ ନିର୍ବାଚନ ଅନୁଷ୍ଠିତ କରାଇଥିଲେ, ଯହିଁରେ ସେ ପରାଜୟ ବରଣ କରିବା ସହିତ ପରବର୍ତ୍ତୀ କାଳରେ ଜେଲ୍ ମଧୢ ଭୋଗିଥିଲେ। ସେହି କାରଣରୁ ସ˚ପ୍ରତି ଅପରାଜେୟ ଭଳି ମନେ ହେଉଥିବା ନରେନ୍ଦ୍ର ମୋଦୀଙ୍କ ବିଜେପି ବିଭିନ୍ନ ଉପନିର୍ବାଚନରେ ପରାଜୟ ବରଣ କରୁଛି ଏବ˚ ଅନେକ ରାଜ୍ୟ ଏବେ ବି ବିଜେପିମୁକ୍ତ ହୋଇ ରହିଛନ୍ତି।
ଏହି ସମ୍ମିଳନୀ ଉଭୟ ଚୀନ ଏବ˚ ରୁଷିଆର ତୀବ୍ର ପରିହାସର ପାତ୍ର ହେବା ସହିତ ଆମେରିକାର ଏଭଳି ଆଭିମୁଖ୍ୟ ପୃଥିବୀକୁ ପୁନର୍ବାର ଏକ ଶୀତଳ ଯୁଦ୍ଧ ମଧ୍ୟକୁ ଠେଲି ଦେଇପାରେ ବୋଲି ସେମାନେ ଚେତାବନୀ ମଧୢ ଶୁଣାଇଛନ୍ତି। ତେବେ କୌତୂହଳର ବିଷୟ ହେଲା, ଇତିମଧୢରେ ଚୀନ ନିଜକୁ ଏକ ଗଣତନ୍ତ୍ର ବୋଲି ଦର୍ଶାଇ ‘ଶ୍ବେତ ପତ୍ର’ଟିଏ ମଧୢ ପ୍ରକାଶ କରି ସାରିଛି। ତେବେ ୧୯୮୯ ମସିହାରେ ତିଆନାନମାନ ଛକରେ ଅତ୍ୟନ୍ତ ନିର୍ମମତାର ସହିତ ଏକ ଗଣତନ୍ତ୍ରକାମୀ ବିଶାଳ ଛାତ୍ର ଆନ୍ଦୋଳନକୁ ଦମନ କରିଥିବା ଚୀନ ତା’ର ଅତୀତକୁ ବିସ୍ମରି ଯାଇ ଏହି ଶ୍ବେତ ପତ୍ର ଜରିଆରେ ପ୍ରମାଣ କରିବାକୁ ଉଦ୍ୟମ କରିଛି ଯେ ସେଠାରେ ଚାଲିଥିବା ଶାସନ ତା’ ନିଜସ୍ବ ଢଙ୍ଗର ଏକ ଗଣତନ୍ତ୍ର। ସୁତରା˚, ଚୀନ ମଧୢ ଆଜି ଗଣତନ୍ତ୍ରର ଗୋଟିଏ ଗାର୍ଜନ ରୂପେ ଆବିର୍ଭୂତ! ଏହାକୁ ଅନେକ ଗଣତନ୍ତ୍ରର ଏକ ପରାଭବ ବୋଲି ବିଚାର କରିପାରନ୍ତି; କିନ୍ତୁ ପ୍ରକୃତରେ ଏକଛତ୍ରବାଦୀ ଶାସନକୁ ଗଣତନ୍ତ୍ରର ରୂପ ଦେବାରେ ଯେଉଁ ବ୍ୟାକୁଳତା ଏଥିରେ ପରିଦୃଷ୍ଟ, ତହିଁରେ ଗଣତନ୍ତ୍ରର ବିଜୟକୁ ମଧ୍ୟ ଦେଖିହୁଏ। କିନ୍ତୁ ଏତିକି ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ସମଧର୍ମା ରାଷ୍ଟ୍ରଗୁଡ଼ିକ ଗଣତନ୍ତ୍ରର ଜନ୍ମସିଦ୍ଧ ଗାର୍ଜନ ହେବାକୁ ହକ୍ଦାର ବୋଲି ଅହରହ ଦାବି କରୁଥିବା ସତ୍ତ୍ବେ ସ˚ପ୍ରତି ତାଲିବାନ କବଳିତ, ‘ନାଟୋ’ ବା ଆମେରିକା-ପରିତ୍ୟକ୍ତ ଏବ˚ ଗଣତନ୍ତ୍ର-ରିକ୍ତ ଆଫଗାନିସ୍ତାନ ପରିପ୍ରେକ୍ଷୀରେ ତାହା ନିଷ୍ପ୍ରଭ ଦିଶିଥାଏ!