ପୃଥିବୀର ଅନ୍ୟତମ ସର୍ବଶ୍ରେଷ୍ଠ ଯୁଦ୍ଧ ଔପନ୍ୟାସିକ ରୂପେ ବିବେଚିତ ଅର୍ନେଷ୍ଟ୍ ହେମିଙ୍ଗ୍ୱେ ଯୁଦ୍ଧ ସମ୍ବନ୍ଧରେ ପ୍ରଦାନ କରିଥିବା ଅନେକ ଅନ୍ତର୍ଦୃଷ୍ଟିଭରା ମନ୍ତବ୍ୟମାନଙ୍କ ମଧ୍ୟରୁ ଏକ ବିଶେଷ ସ୍ମରଣୀୟ ହେଉଛି ନିିମ୍ନୋକ୍ତ। ‘‘ଥରେ ଆମେ ଏକ ଯୁଦ୍ଧରେ ବ୍ୟାପୃତ ହୋଇଗଲେ, ତା’ପରେ ଆମକୁ କେବଳ ଗୋଟିଏ କଥା କରିବାକୁ ହେବ। ଏହାକୁ ଜିତିବାକୁ ହେବ। କାରଣ ପରାଜୟ ତା’ ସାଥିରେ ଯାହା ଆଣିଥାଏ, ତାହା ହେଉଛି ଯୁଦ୍ଧରେ ଯେତେ ଖରାପ କଥା ଘଟିବା ସମ୍ଭବ, ତା’ଠାରୁ ମଧ୍ୟ ଆହୁରି ଖରାପ।’’
ସ୍ବାଧୀନ ଭାରତର ସାମରିକ ଇତିହାସରେ ଯେଉଁ କେବଳ ଏକମାତ୍ର ଏଭଳି ହେମିଙ୍ଗ୍ୱେ ମୁହୂର୍ତ୍ତ ଦେଖିବାକୁ ମିଳିଛି, ତାହା ଥିଲା ଆଜିକୁ ଠିକ୍ ୫୦ ବର୍ଷ ତଳେ ଆଜିିର ଦିନରେ- ୧୬ ଡିସେମ୍ବର ୧୯୭୧ ଦିନ। ସେଦିନ ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସୈନ୍ୟ ବାହିନୀକୁ ନେତୃତ୍ବ ଦେଉଥିବା ଜେନେରାଲ୍ ଅମିର୍ ଅବଦୁଲ୍ଲା ଖାନ୍ ନିଆଜି ଢାକା ଠାରେ ତାଙ୍କ ସର୍ଭିସ୍ ରିଭଲ୍ଭର୍ଟିକୁ ଆତ୍ମସମର୍ପଣର ପ୍ରତୀକ ସ୍ବରୂପ ସେଠାରେ ଭାରତୀୟ ବାହିନୀର ନେତୃତ୍ବ ନେଉଥିବା ଲେଫ୍ଟେନାଣ୍ଟ୍ ଜେନେରାଲ୍ ଜଗଜିତ୍ ସିଂହ ଆରୋଙ୍କୁ ହସ୍ତାନ୍ତରିତ କରି ଯୁଦ୍ଧରେ ଭାରତ ନିକଟରେ ପରାଜୟ ସ୍ବୀକାର କରିଥିଲେ। ବିଜୟ ଲକ୍ଷ୍ମୀ ଭାରତର ହୋଇଥିଲେ। ଏବେ ଅର୍ଧ ଶତାବ୍ଦୀ ତଳର ଘଟଣାକ୍ରମ ଉପରେ ନଜର ପକାଇେଲ ମନେ ହୁଏ ସେଇ ଅତ୍ୟନ୍ତ କଠିନ ସମୟରେ ଭାରତକୁ ନେତୃତ୍ବ ପ୍ରଦାନ କରିଥିବା ସୁଯୋଗ୍ୟା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସତେ ଯେମିତି ହେମିଙ୍ଗ୍ୱେଙ୍କରଏହି ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ତାଙ୍କର ପ୍ରତିଟି ଚାଲ୍ ଚଳାଇଥିଲେ- ଯେମିତି ଭାରତ ପାଇଁ ବିଜୟ ହିଁ ହେବ ଯୁଦ୍ଧର ଏକମାତ୍ର ପରିଣାମ।
ଏହି ଯୁଦ୍ଧର ସନ୍ତାନ ସ୍ବରୂପ ବାଂଲାଦେଶ ଜନ୍ମଲାଭ କରିବା ପୂର୍ବରୁ ତା’ର ପୂର୍ବ-ପାକିସ୍ତାନ ଅବତାର ବସ୍ତୁତଃ ପଶ୍ଚିମ-ପାକିସ୍ତାନ ରୂପେ ପରିଚିତ ଆଜିର ପାକିସ୍ତାନର ଏକ କରଦ ରାଜ୍ୟ ରୂପେ କାର୍ଯ୍ୟ କରୁଥିଲା। ପୂର୍ବ ପାକିସ୍ତାନରେ ମୁତୟନ ହୋଇଥିବା ପାକିସ୍ତାନୀ ସେନା ବାହିନୀର ବର୍ବର ଅତ୍ୟାଚାରରେ ଅତିଷ୍ଠ ହୋଇ (ଏହା ହେଉଛି ପୃଥିବୀ ଇତିହାସରେ ଏକମାତ୍ର ଯୁଦ୍ଧ ଯେଉଁଥିରେ ନାରୀ ଧର୍ଷଣକୁ ଏକ ବିଧିବଦ୍ଧ ଅସ୍ତ୍ର ରୂପେ ବ୍ୟବହାର କରାଯାଇଥିଲା) ଏକ କୋଟିରୁ ଅଧିକ ସଂଖ୍ୟକ ଶରଣାର୍ଥୀ ପୂର୍ବ ପାକିସ୍ତାନରୁ ପଳାଇ ଆସି ଭାରତରେ ଆଶ୍ରୟ ନେଇଥିଲେ, ଯାହା ଭାରତ ପାଇଁ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିଥିଲା। ଏହାର ସମାଧାନ ପାଇଁ ଯୁଦ୍ଧରେ ସାମିଲ ହେବା ଛଡ଼ା ଭାରତ ପାଇଁ ଆଉ କିଛି ଚାରା ନ ଥିଲା।
ଇନ୍ଦିରା ଗାନ୍ଧୀ କିନ୍ତୁ ଭଲ ଭାବରେ ବୁଝିଥିଲେ ଯେ ଯୁଦ୍ଧରେ ସ୍ପଷ୍ଟ ବିଜୟ ବିନା ଏ ସମସ୍ୟାର ସମାଧାନ ହେବ ନାହିଁ। ସେ ତେଣୁ ସମ୍ପୂର୍ଣ୍ଣ ପୂର୍ବପ୍ରସ୍ତୁତି ବିନା କୌଣସି ଆବେଶର ବଶବର୍ତ୍ତୀ ହୋଇ ଯୁଦ୍ଧରେ ହଠାତ୍ ପ୍ରବେଶ କରିବା ମୂର୍ଖାମି ହେବ ବୋଲି ସଚେତନ ଥିଲେ। ୧୯୭୧ ଡିସେମ୍ବର ୩ ଦିନ ପ୍ରକୃତ ଯୁଦ୍ଧ ଆରମ୍ଭ ହେବାର ବହୁ ପୂର୍ବରୁ ତେଣୁ ସେ ଏଥିପାଇଁ ନିଜେ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଆରମ୍ଭ କରିବା ସହିତ ଦେଶବାସୀ ତଥା ବିଶ୍ବବାସୀଙ୍କୁ ଏହି ସମ୍ଭାବନା ସମ୍ବନ୍ଧରେ ସଚେତନ କରାଇବାକୁ ଉଚିତ ମନେ କରିଥିଲେ। ଉଦାହରଣ ସ୍ବରୂପ ଯୁଦ୍ଧ ଆରମ୍ଭର ପ୍ରାୟ ନ’ମାସ ପୂର୍ବରୁ ସେ ଲୋକସଭାରେ ଏ ସମ୍ବନ୍ଧରେ ଏକ ଇଙ୍ଗିତ ପ୍ରଦାନ କରି ସାବଧାନ କରି ଦେବା ଦେଖାଯାଇଥିଲା ଯେ ଆମେ ଯଦି, ଅର୍ଥାତ୍ ସରକାର ଯଦି ନିଜର ଆଚରଣ ଓ ଉଚ୍ଚାରଣରେ କଠୋର ସଂଯମ ରକ୍ଷା କରି ସନ୍ତର୍ପଣରେ ଆଗକୁ ନ ବଢ଼େ, ତେବେ ଆମର ଅସଲ ଉଦ୍ଦେଶ୍ୟ ଭଣ୍ଡୁର ହୋଇଯିବ। ତାଙ୍କର ସେ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଡିସେମ୍ବର ୧୬ ତାରିଖରେ ସ୍ପଷ୍ଟ ହୋଇ ଯାଇଥିଲା।
ଲୋକସଭାରେ ଇନ୍ଦିରା ଗାନ୍ଧୀ ଏହି ସୁରାକ୍ ଦେବାର ପରବର୍ତ୍ତୀ ଛ’ମାସ କାଳ ସେ ଭାରତ-ପୂୂର୍ବ ପାକିସ୍ତାନ ସୀମାରେ ଦେଖା ଦେଇଥିବା ଅତ୍ୟନ୍ତ ଅସ୍ବାଭାବିକ ଓ ଅଶାନ୍ତ ପରିସ୍ଥିତି ସମ୍ବନ୍ଧରେ ପୃଥିବୀର ଗୁରୁତ୍ବପୂର୍ଣ୍ଣ ଦେଶମାନଙ୍କର ନେତୃବୃନ୍ଦଙ୍କୁ ପତ୍ର ଲେଖି ଅବଗତ କରାଇବାରେ ଲାଗି ପଡ଼ିଥିଲେ। କେବଳ ଚିଟାଉ ଲେଖାରେ ସେ ତାଙ୍କର ଏହି ଲୋକ ସମ୍ପର୍କ ତଥା ଅନୁୁକୂଳ ଜନମତ ସୃଷ୍ଟିକାରୀ ଉଦ୍ୟମକୁ ସୀମିତ ନ ରଖି, ପ୍ରଧାନମନ୍ତ୍ରୀ ଇନ୍ଦିରା ଏକ ତିନି ସପ୍ତାହର ବିଦେଶ ଗସ୍ତରେ ବାହାରି ଯାଇ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନି, ବେଲ୍ଜିଅମ୍ ଆଦି ଇଉରୋପୀୟ ଦେଶମାନଙ୍କ ସହିତ ଆଟ୍ଲାଣ୍ଟିକ୍ ସେପଟେ ମହାଶକ୍ତି ଆମେରିକାର ନେତାମାନଙ୍କୁ ସାକ୍ଷାତ୍ କରି ଭାରତ ସମ୍ମୁଖୀନ ହୋଇଥିବା ସଂକଟର ଭୀଷଣତା ସମ୍ବନ୍ଧରେ ଅବଗତ କରାଇଥିଲେ। ସେ ଭାରତର ଅସଲ ବନ୍ଧୁ ରୁଷିଆ ଗସ୍ତରେ ଯିବାକୁ ମଧ୍ୟ ଭୁଲି ନ ଥିଲେ।
ଚତୁର ଇନ୍ଦିରା ସର୍ବଦା ସତର୍କ ରହିଥିଲେ ଭାରତ ଯେପରି ଆକ୍ରମଣକାରୀ ଦେଶ ରୂପେ ବିବେଚିତ ନ ହୁଏ। ପାକିସ୍ତାନୀ ନେତାମାନଙ୍କ ଠାରେ କିନ୍ତୁ ଏଭଳି ବିଜ୍ଞତା ଓ ଧୈର୍ଯ୍ୟ ଅନୁପସ୍ଥିତ ଥିଲା। ଡିସେମ୍ବର ୩ ଦିନ ସେମାନେ ଶ୍ରୀନଗରରୁ ବାର୍ମେର୍ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାରତର ଆଠଟି ବାୟୁସେନା ଘାଟି ଉପରେ ବିମାନ ଆକ୍ରମଣ ଆରମ୍ଭ କରିଦେଲେ। ଇନ୍ଦିରା ପାକିସ୍ତାନର ଏଇଭଳି କିଛି ଏକ ମୂର୍ଖାମିକୁ ହିଁ ଅପେକ୍ଷା କରୁଥିଲେ। ସେ ଦିନ ସେ କଲିକତାରେ ଥିଲେ। ବିମାନ ଆକ୍ରମଣ ଖବର ପାଇବା ମାତ୍ରେ ସେ ରାଜଧାନୀ ଦିଲ୍ଲୀକୁ ତୁରନ୍ତ ଚାଲି ଆସି ଦେଶବାସୀଙ୍କୁ ସମ୍ବୋଧନ କରି ଧୀରସ୍ଥିର ସ୍ବରରେ ଏହି ସୂଚନା ପ୍ରଦାନ କଲେ: ‘‘ଆମ ଉପରେ ଯୁଦ୍ଧ ଲଦି ଦିଆ ଯାଇଛି।’’ ତାହାର ତିନି ଦିନ ପରେ ଭାରତ ଏକ ସ୍ବାଧୀନ ଦେଶ ଭାବରେ ନବଜାତକ ବାଂଲା ଦେଶକୁ ବିଧିବଦ୍ଧ ଭାବରେ ସ୍ବୀକୃତି ପ୍ରଦାନ କଲା।
ଭାରତକୁ ଭୟଭୀତ କରିବା ପାଇଁ ଆମେରିକା ଯେତେବେଳେ ତା’ର ସପ୍ତମ ନୌଭେଳାକୁ ବଙ୍ଗୋପସାଗର ଦିଗରେ ପ୍ରେରଣ କଲା, ତାହାର ଜବାବରେ ସୋଭିଏତ୍ ରୁଷ୍ ଭ୍ଲାଡିଭୋଷ୍ଟକ୍ସ୍ଥିତ ତା’ର ଏକ ନୌଭେଳାକୁ ଏ ଦିଗରେ ପଠାଇଲା- ଇନ୍ଦିରାଙ୍କ କୂଟନୀତି କାର୍ଯ୍ୟ କଲା। ଏ ସମସ୍ତ ଘଟଣା ଘଟୁଥିବା ବେଳେ ଇନ୍ଦିରା ସାମାନ୍ୟତମ ବିଚଳିତ ହେବା ଦେଖାଯାଇନଥିଲା। ଅପର ପକ୍ଷେ ଯୁଦ୍ଧ ପରିଚାଳନାରେ ସେ ତାଙ୍କର ସେନାପତିମାନଙ୍କୁ ସମ୍ପୂର୍ଣ୍ଣ ପେସାଦାର ସ୍ବାଧୀନତା ପ୍ରଦାନ କରିଥିଲେ। ଯୁଦ୍ଧରେ ବିଜୟ ଲାଭ ପରେ ଭାରତ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରି ସାରା ପୃଥିବୀ ସମ୍ମୁଖରେ ପ୍ରମାଣିତ କରିଥିଲା ଯେ ସାମ୍ରାଜ୍ୟ ବିସ୍ତାର କେବେ ହେଲେ ଭାରତର ଉଦ୍ଦେଶ୍ୟ ନୁହେଁ। ସେହିପରି, ପ୍ରାୟ ଏକ ଲକ୍ଷ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ଖଲାସ କରି ଦେଇ ଭାରତ ପ୍ରମାଣିତ କରିଥିଲା ଯେ ଏହାର ସଂସ୍କୃତି ଏକ ପ୍ରତିଶୋଧ ପରାୟଣ ସଂସ୍କୃତି ନୁହେଁ।
ଭାରତୀୟ ସେନା ବାହିନୀ ମଧ୍ୟ ବିଜୟ ହାସଲ ପରେ ତା’ର ଉଚ୍ଚାଟର ପ୍ରଭାବରେ ନିଜର ସଂଯମ ନ ହରାଇ ନିଜର ଦାୟିତ୍ବସମ୍ପନ୍ନ ଶୃଙ୍ଖଳା ଜ୍ଞାନର ପରିଚୟ ଦେଇ ପୁଣି ଚୁପ୍ଚାପ୍ ବାରାକ୍କୁ ଫେରିଗଲା। ପଚାଶ ବର୍ଷ ତଳେ ଆଜିର ଦିନ ଯଦି ଥିଲା ଭାରତୀୟ ସେନା ବାହିନୀର ଶକ୍ତି ପ୍ରଦର୍ଶନର ଦିନ, ତା’ପରେ ପରେ ‘ସ୍ପାଇଡର୍ ମ୍ୟାନ୍’କୁ ଅନୁସରଣ କଲା ଭଳି ପୃଥିବୀର ଏହି ଦ୍ବିତୀୟ ବୃହତ୍ତମ ସେନା ବାହିନୀ ଏହା ମଧ୍ୟ ପ୍ରମାଣ କରିଛି ଯେ ଅସୀମ କ୍ଷମତା ସହିତ ଆସିଥାଏ ଅସୀମ ଦାୟିତ୍ବବୋଧ!