ଗୋଟିଏ ଦୃଷ୍ଟିରୁ ଦେଖିଲେ ବୁଝି ହୋଇଥାଏ ଯେ ୧୯୭୧ରେ ପାକିସ୍ତାନ ଉପରେ ଭାରତର ବିଜୟ ଏବ˚ ବା˚ଲାଦେଶର ଜନ୍ମ ଭଳି ଘଟଣାମାନ ଥିଲା ଏହି ଉପମହାଦେଶର ସ୍ବାଧୀନତା ଉପରାନ୍ତ ସମୟ ପ୍ରବାହରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଜଳ ବିଭାଜିକା। କାରଣ ଏହା ପରବର୍ତ୍ତୀ କାଳରେ ଏହି ଉପମହାଦେଶୀୟ ଭୂଖଣ୍ତର ମାନଚିତ୍ରରେ ଦୁଇଟି ସାର୍ବଭୌମ ରାଷ୍ଟ୍ର ବଦଳରେ ତିନିଟି ଦୃଶ୍ୟମାନ ହେଲା ଏବ˚ ଏହି ତିନିହେଁ ଏହି ସମୟ ପର ଠାରୁ ଯେଉଁଭଳି ଲକ୍ଷ୍ୟ ପୋଷଣ କରି ଅଗ୍ରସର କଲେ, ତାହା ହିଁ ଏବେ ସେମାନଙ୍କ ନିୟତିରେ ପରିଣତ ହୋଇଛି। ଏହି ତିନି ରାଷ୍ଟ୍ର ତିନିଟି ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତ ସ୍ଥାପନ କରିବାରେ ମଧୢ ସଫଳ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଠାରୁ ବିଚ୍ଛିନ୍ନ ହୋଇ ଏକ ନୂତନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିବା ବା˚ଲାଦେଶ ପ୍ରାରମ୍ଭରେ ସାମରିକ ବିଦ୍ରୋହ, ରକ୍ତପାତ ଓ ରାଜନୈତିକ ପ୍ରତିଶୋଧ ଭଳି ଘଟଣା ଏବ˚ ତଜ୍ଜନିତ ଦୋଦୁଲ୍ୟମାନ ସ୍ଥିତିକୁ ଅତିକ୍ରମ କରି କ୍ରମେ ଦାରିଦ୍ର୍ୟ ମୋଚନ ଦିଗରେ ଅଗ୍ରସର ହେବା ସହିତ ତହିଁରେ ଏକ ଉଲ୍ଲେଖନୀୟ ସଫଳତା ମଧୢ ହାସଲ କରିଛି। ସେହି ଦେଶରେ ଗଣତନ୍ତ୍ର ଦୃଢ଼ ହୋଇଛି ଏବ˚ ବିଶ୍ବର ପୋଷାକ କାରଖାନାରେ ପରିଣତ ହୋଇଥିବା ବା˚ଲାଦେଶ ତା’ର ଅର୍ଥନୀତିରେ ମଧୢ ଅଭିବୃଦ୍ଧି ଘଟାଇଛି। ଏବେ ବା˚ଲାଦେଶର ମୁଣ୍ତ ପିଛା ଆୟ ହେଉଛି ୨୨୨୭ ଡଲାର୍, ଯାହା ଭାରତ ଠାରୁ ମଧୢ ୨୮୦ ଡଲାର୍ ଅଧିକ। କେବଳ ସେତିକି ନୁହେଁ, ଶାନ୍ତି ଲାଗି ନୋବେଲ ପୁରସ୍କାର ଜିଣିଥିବା ମହମ୍ମଦ ୟୁନୁସ୍ଙ୍କ ଦ୍ବାରା ସୂତ୍ରପାତ ହୋଇଥିବା ‘ମାଇକ୍ରୋ ଫାଇନାନ୍ସି˚’ ମାଧୢମରେ ସେହି ଦେଶର ଅଗଣିତ ଦରିଦ୍ର ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ସମ୍ଭବ ହେବା ସହିତ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି। ଏହି କ୍ଷୁଦ୍ର ରାଷ୍ଟ୍ରଟି ସ˚ପ୍ରତି ଏକ କ୍ରିକେଟ୍ ଶକ୍ତି ରୂପେ ଉଦୟ ହୋଇଥିବା ବେଳେ ପ୍ରାୟ ସମସ୍ତ ମାନବ ବିକାଶ ସୂଚକାଙ୍କରେ ବେଶ୍ ଉନ୍ନତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଏକ ଅତ୍ୟାଚାର-ତ୍ରସ୍ତ, ଯୁଦ୍ଧ କ୍ଷତ-ଜର୍ଜର ଏବ˚ ଅତ୍ୟନ୍ତ ଦରିଦ୍ର ରାଷ୍ଟ୍ର ରୂପେ ଜନ୍ମ ଲାଭ କରିଥିବା ବା˚ଲାଦେଶ ମାତ୍ର ପାଞ୍ଚ ଦଶନ୍ଧି ମଧୢରେ ପ୍ରଗତିର ଏକ ଦୃଷ୍ଟାନ୍ତ ଭାବେ ଆବିର୍ଭୂତ ହୋଇଛି।
ଏହି ସ୍ତମ୍ଭର ପ୍ରାୟ ସମସ୍ତ ପାଠକପାଠିକା ଅବଗତ ଥିବେ ଯେ ସପ୍ତମ ଦଶକରେ ବା˚ଲାଦେଶର ଜନ୍ମ ଲାଭରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଭାରତ ସପ୍ତମ ଦଶକରେ ଥିଲା ଏକ ଅତ୍ୟନ୍ତ ସମସ୍ୟା ଜର୍ଜର ରାଷ୍ଟ୍ର। ତେଣୁ, ଖାଦ୍ୟାନ୍ନର ଅଭାବ ଦ୍ବାରା ହନ୍ତସନ୍ତ ଏହି ବିରାଟ ରାଷ୍ଟ୍ର ଏକ ବିଦ୍ବେଷଭରା ଯୁକ୍ତରାଷ୍ଟ୍ର ଆମେରିକା ଠାରେ ହାତ ପତାଇବା ଓ ଆମେରିକା ଠାରୁ ନିମ୍ନ ମାନର ଖାଦ୍ୟାନ୍ନ ସହିତ ତାଚ୍ଛଲ୍ୟ ପାଇବା ଭଳି ଅପମାନ ତଥା ବା˚ଲାଦେଶରୁ ଆଶ୍ରୟ ଭିକ୍ଷା କରି ପଳାଇ ଆସିଥିବା କୋଟିଏରୁ ଅଧିକ ସ˚ଖ୍ୟକ ଶରଣାର୍ଥୀଙ୍କ ଥଇଥାନ କଲା ଭଳି ହିମାଳୟତୁଲ୍ୟ ସମସ୍ୟା ଆଦିକୁ ଅତିକ୍ରମ କରି ଆମ ରାଷ୍ଟ୍ରଟି ଯେଉଁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିଲା, ତାହା ମଧୢ ଏକ ଦୃଷ୍ଟାନ୍ତ। ସେହି ଅପମାନର ଉତ୍ତର ଭାରତ ଦେଇଥିଲା ସବୁଜ ବିପ୍ଳବ, ଶ୍ବେତ ବିପ୍ଳବ, ନୀଳ ବିପ୍ଳବ (ମତ୍ସ୍ୟ ସ˚ପଦରେ ବିକାଶ) ଆଦିକୁ ସ˚ଘଟିତ କରି ନିଜକୁ ଏକ ଖାଦ୍ୟ ଭଣ୍ତାରରେ ପରିଣତ କରିବାରେ। ଏହା ସହିତ ମୁକ୍ତ ବଜାର ଏବ˚ ଜଗତ୍କରଣରେ ଅନ୍ତର୍ଭୁକ୍ତ ହୋଇ ଭାରତ ଏକ ବଳିଷ୍ଠ ଅର୍ଥନୀତିକୁ ମଧୢ ସମ୍ଭବ କରାଇଛି। କେବଳ ସେତିକି ନୁହେଁ, ସେହି ସପ୍ତମ ଦଶକରୁ ପ୍ରାରମ୍ଭ ହୋଇଥିବା ପଥିକୃତ୍ ଉଦ୍ୟମ କାରଣରୁ ଭାରତ ସ˚ପ୍ରତି ଏକ ପାରମାଣବିକ ଶକ୍ତି ଏବ˚ ମହାକାଶ ଶକ୍ତି ରୂପେ ମଧୢ ପରିଚିତ ହୋଇଛି। କହିବା ଅନାବଶ୍ୟକ ଯେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ସାଧନ କରିଥିବା ପୃଥିବୀର ବୃହତ୍ତମ ଗଣତନ୍ତ୍ର ରୂପେ ଭାରତ ମଧୢ ଦୃଷ୍ଟାନ୍ତଯୋଗ୍ୟ ହୋଇପାରିଛି।
ସେହିଭଳି ପାକିସ୍ତାନ ମଧୢ ସ˚ପ୍ରତି ଏକ ଭିନ୍ନ ଧରଣର ଦୃଷ୍ଟାନ୍ତରେ ପରିଣତ ହୋଇଛି। କହିବା ବାହୁଲ୍ୟ ଯେ ୭୧ ମସିହାର ଯୁଦ୍ଧରେ ଭାରତ ହାତରେ ଏକ ଅତ୍ୟନ୍ତ ଦୟନୀୟ ପରାଜୟ ବରଣ କରିଥିବା ପାକିସ୍ତାନ ତା’ର ଅପମାନର ପ୍ରତିଶୋଧ ନେବା ଲାଗି ଏକ ପ୍ରକଳ୍ପର ପ୍ରାରମ୍ଭ କରିଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଆଉ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ନ ହୋଇ ଛାୟା ଯୁଦ୍ଧ ଜରିଆରେ ଭାରତକୁ ଅନ୍ତଃସାରଶୂନ୍ୟ କରି ପକାଇବା। ଯଦିଓ ପୂର୍ବ ପାକିସ୍ତାନକୁ ହରାଇବା ପାକିସ୍ତାନ ଲାଗି ଅସ୍ବସ୍ତିର କାରଣ ହୋଇଥିଲା, ତେବେ ଭାରତ ସହିତ ଶତ୍ରୁତା ପରିପ୍ରେକ୍ଷୀରେ ପ୍ରାୟ ୨୨୦୦ କିଲୋମିଟର ଭାରତ ଅତିକ୍ରମୀ ଦୂରତାରେ ଅବସ୍ଥିତ ଅ˚ଶଟିକୁ ଶାସନ କରିବା ଯେ କ୍ରମେ ଅସମ୍ଭବ ହୋଇପଡ଼ିବ, ଏହି ଧାରଣା ତାକୁ ବାଂଲାଦେଶ ହରାଇଥିବା ପୃଷ୍ଠଭୂମିରେ ଆଶ୍ବସ୍ତ ମଧ୍ୟ କରିଥିବ। ସୁତରା˚, ପାକିସ୍ତାନ ଏବେ ପୂର୍ଣ୍ଣ ରୂପେ ସେହି ପ୍ରକଳ୍ପର ବିକାଶରେ ଲାଗି ପଡ଼ିଥିଲା, ଯାହା ଜାମ୍ମୁ ଓ କାଶ୍ମୀର ଭିତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟାଇ ଏକ ରକ୍ତାକ୍ତ ସ˚ଘର୍ଷମୟ ସ୍ଥିତି ସୃଷ୍ଟି କରିବା ସହିତ ସେଠାରେ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ମୁଣ୍ତ ଟେକିବାେରେ ସହାୟକ ହୋଇଥିଲା। କିନ୍ତୁ ଅରିଣାମଦର୍ଶୀ ପାକିସ୍ତାନ ଅନ୍ଦାଜ ଲଗାଇ ପାରି ନ ଥିଲା ଯେ ଏହି ପ୍ରକଳ୍ପ ଦ୍ବାରା ସୃଷ୍ଟ ଦାନବଟି ପ୍ରକୃତରେ ଭସ୍ମାସୁର ହୋଇ ତା’ର ଦୁଷ୍ଟ ଶକ୍ତିର ପରୀକ୍ଷା ଓ ପ୍ରୟୋଗ ସକାଶେ ତା’ର ବରଦାତାକୁ ହିଁ ବାଛିବ। ତେବେ, ଭାରତର ନିରନ୍ତର ଅଭିଯୋଗକୁ କର୍ଣ୍ଣପାତ କରି ନ ଥିବା ପୃଥିବୀ ଏହି ଦାନବର ପରିଚୟ ପ୍ରଥମେ ପାଇଲା, ଯେତେବେଳେ ୨୦୦୧ ମସିହାରେ ପାକିସ୍ତାନରେ ପରିକଳ୍ପିତ ଯୋଜନା ଅନୁସାରେ ପାକିସ୍ତାନୀ ନାଗରିକ(ଆତଙ୍କବାଦୀ)ଙ୍କ ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଧୂଳିସାତ୍ ହେଲା।
ପ୍ରକାଶ ଥାଉ କି ସେହି ସପ୍ତମ ଦଶକରେ ପାକିସ୍ତାନ ଥିଲା ଆମେରିକା ପ୍ରଭାବିତ ଉଦାରବାଦୀ ଇସଲାମୀୟ ରାଷ୍ଟ୍ର, ଯାହାର ଜିଡିପି ଥିଲା ଭାରତର ଦେଢ଼ ଗୁଣ ଏବ˚ କରାଚୀର ନୈଶ କ୍ଲବ୍ଗୁଡ଼ିକ ପାହାନ୍ତିଆ ଯାଏ ଖୋଲା ରହୁଥିଲା, ଯହିଁରେ ଅାଧୁନିକ ଓ ଧନୀକ ପୁରୁଷ, ମହିଳାମାନେ ଉତ୍ସବ ଉଲ୍ଲାସରେ ମସ୍ଗୁଲ ହେଉଥିଲେ। କିନ୍ତୁ, ସେହି ସମୟରେ ପ୍ରାରମ୍ଭ ହୋଇଥିବା ପାକିସ୍ତାନୀ ପ୍ରକଳ୍ପ ଅଚିରେ ଉପରବର୍ଣ୍ଣିତ ଜୀବନଶୈଳୀକୁ କବର ଦେଲା।ଏହା ସ୍ବାଭାବିକ ଯେ ଯେଉଁ ରାଷ୍ଟ୍ରର ସରକାର, ସେନାବାହିନୀ ଓ ଗୁଇନ୍ଦା ବିଭାଗ ଏକତ୍ର ହୋଇ ଇସଲାମୀୟ ମୌଳବାଦୀ-ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସୃଷ୍ଟି କରନ୍ତି, ସେହି ରାଷ୍ଟ୍ର ଏକ ଉଦାର ଓ ପ୍ରଗତିକାମୀ ପରିବେଶ ଲାଗି ଆଶା କରିବା ଅତ୍ୟନ୍ତ ଅବାନ୍ତର। ସୁତରା˚, ପାକିସ୍ତାନୀ ପ୍ରକଳ୍ପର ସ୍ଥିତି ଆଜି ଏୟା ଯେ ପାକିସ୍ତାନର ଦୁଇ କଠୋର ଆତଙ୍କବାଦୀ ସ˚ଗଠନ ‘ତେହରିକ ଏ ପାକିସ୍ତାନ ଲବାକ୍’ ଏବ˚ ‘ତେହରିକ ଏ ତାଲିବାନ- ପାକିସ୍ତାନ’ ସହିତ ପାକିସ୍ତାନ ସରକାର ସନ୍ଧି କରି ସେମାନଙ୍କ ସର୍ତ୍ତ ପାଳନ କରିବାକୁ ପ୍ରସ୍ତୁତ। ପୁଣି ଏହି ସନ୍ଧିର ମାତ୍ର କିଛି ଦିନ ମଧ୍ୟରେ ଏବେ ଦେଖିବାକୁ ମିଳିଲାଣି ଯେ ‘ତେହରିକ ଏ ତାଲିବାନ- ପାକିସ୍ତାନ’ ଦ୍ବାରା ସନ୍ଧି ଭଙ୍ଗ କରାଯାଇ ପାକିସ୍ତାନ ଏକ ଯୁଦ୍ଧ ଲାଗି ପ୍ରସ୍ତୁତ ରହୁ ବୋଲି ଧମକ ପ୍ରଦାନ କରାଗଲାଣି।
ଇତିମଧୢରେ ପାକିସ୍ତାନକୁ ଆଉ ଯାହା ଅତ୍ୟନ୍ତ ହତାଶ କରିଥିବ ତାହା ହେଲା ନିଜର ଅତ୍ୟନ୍ତ ଅନୁରକ୍ତ ବୋଲି ବିଚାର କରୁଥିବା ଆଫଗାନୀ ତାଲିବାନ୍ର ମୁଖପାତ୍ରମାନେ କହିବା ଶୁଣାଗଲାଣି ଯେ ପାକିସ୍ତାନରେ ପ୍ରକୃତ ଇସଲାମୀୟ ଶାସନ ବ୍ୟବସ୍ଥା ନାହିଁ। ତେଣୁ ଏହା ସମ୍ଭବ ଯେ ସେମାନେ ମଧୢ ସେମାନଙ୍କ ଆଦର୍ଶ ସ୍ଥାନୀୟ ଶାସନ ବ୍ୟବସ୍ଥାଟିଏ ପାକିସ୍ତାନରେ ପ୍ରତିଷ୍ଠା କରିବାକୁ ଆଗଭର ହେବେ। ସ˚ପ୍ରତି ପାକିସ୍ତାନର ଅର୍ଥନୀତି ସ˚ପୂର୍ଣ୍ଣ ଭୁଶୁଡ଼ି ସାରିଛି। ସପ୍ତମ ଦଶକର ଝଲସୁଥିବା ପାକିସ୍ତାନ ଏବେ ମଧୢଯୁଗୀୟ ଅନ୍ଧକାର ମଧୢକୁ ପ୍ରବେଶ କରିବାର ସ˚କେତ ଦେଖାଇଲାଣି। କହିଲେ ଭୁଲ୍ ହେବନାହିଁ ଯେ ଏକ ବାରୁଦ ଗଦା ଉପରେ ଉପବିଷ୍ଟ ପାକିସ୍ତାନ ହୋଇଛି ଏକ ଚରମ ଆତ୍ମଘାତୀ ଅବିମୃଶ୍ୟକାରିତାର ଦୃଷ୍ଟାନ୍ତ।