ପୃଥିବୀ ପୃଷ୍ଠରେ ବୁଦ୍ଧିଧାରୀ ମନୁଷ୍ୟର ଆବିର୍ଭାବ ଘଟିବା ପର ଠାରୁ ସେ ଜ୍ଞାନ ଆହରଣ ପାଇଁ ଦୁଇ ଶ୍ରେଣୀର ଉପାୟ ଅବଲମ୍ବନ କରି ଆସିଛି: ପର୍ଯ୍ୟବେକ୍ଷଣ ଓ ସ୍ବାଧୀନ ଯୁକ୍ତି। ଗଣିତ ଜ୍ଞାନ ଏ ଦୁଇଟି ମଧ୍ୟରୁ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ବୋଲି ଯଦି କେହି ପ୍ରଶ୍ନ କରନ୍ତି, ତା’ହେଲେ ଯେଉଁ ଉତ୍ତର ମିଳିବାର ସମ୍ଭାବନା ହେଉଛି ସର୍ବାଧିକ, ତାହା ହେଲା: ସ୍ବାଧୀନ ଯୁକ୍ତି। ଏଠାରେ ସ୍ବାଧୀନ ଯୁକ୍ତିର ଅର୍ଥ ହେଉଛି- ପର୍ଯ୍ୟବେକ୍ଷଣମୁକ୍ତ ବିଶୁଦ୍ଧ ଯୁକ୍ତି। ଏଥିରେ ଅବଶ୍ୟ ସନ୍ଦେହ ନାହିଁ ଯେ ‘୨+୨=୪’ ଭଳି ସତ୍ୟକୁ ଆମେ ଆମର ପର୍ଯ୍ୟବେକ୍ଷଣଭିତ୍ତିକ ଅନୁଭୂତି ଆଧାରରେ ହିଁ ହୃଦୟଙ୍ଗମ କରି ଥାଉ; କିନ୍ତୁ ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ଦୁଇ ଟୋପା ପାଣିରେ ଆଉ ଦୁଇ ଟୋପା ପାଣି ମିଶାଇଲେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜଳାଶୟ ସୃଷ୍ଟି ହୁଏ ବୋଲି ଜାଣିବା ପାଇଁ ଯେପରି ଏକ ପର୍ଯ୍ୟବେକ୍ଷଣଭିତ୍ତିକ ପରୀକ୍ଷା ଆବଶ୍ୟକ ହୋଇଥାଏ, ‘୨+୨=୪’ ବୋଲି ଜାଣିବା ପାଇଁ ସେ ପରି ଆବଶ୍ୟକ ହୋଇ ନ ଥାଏ। ଆମେ ଏକ ଗବେଷକ ଦଳକୁ ଦରିଆ ପାରି କୌଣସି ଏକ ସ୍ଥାନକୁ ପଠାଇ ନ ଥାଉ ଏହା ପରୀକ୍ଷା କରି ଦେଖିବାକୁ, ସେଠାରେ ମଧ୍ୟ ‘୨+୨=୪’ ସତ କି ନୁହେଁ।

Advertisment

ଗାଣିତିକ ଜ୍ଞାନ ଏକ ବିଶୁଦ୍ଧ ବୌଦ୍ଧିକ ଜ୍ଞାନ ବୋଲି ବିଶ୍ବାସ କରାଯାଇଥାଏ, ଯାହା କେବଳ ଚିନ୍ତନ ବା ମନନ ଦ୍ବାରା ଆହରଣ କରାଯାଇଥାଏ ଏବଂ ଯାହା ହେଉଛି ବାସ୍ତବ ପର୍ଯ୍ୟବେକ୍ଷଣ ଠାରୁ ସ୍ବାଧୀନ। ପ୍ରାବିଧିକ ଭାଷାରେ ଏ କିସମର ଜ୍ଞାନକୁ କୁହାଯାଇଥାଏ- ‘ଏ ପ୍ରାଇଅରାଇ’ ଜ୍ଞାନ। ତେଣୁ ଯେଉଁ ଏକ ମତବାଦ ଥାଏ ଯେ ଆମର ସମସ୍ତ ଜ୍ଞାନ ଆମର ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଆମେ ଆହରଣ କରୁଥିବା ଅନୁଭୂତି ଉପରେ ନିର୍ଭର କରିଥାଏ, ଗଣିତ ସେହି ମତବାଦକୁ ଖଣ୍ଡନ କରିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। (ଜନ୍ ଷ୍ଟୁଆର୍ଟ ମିଲ୍ ବୋଧହୁଏ ହେଉଛନ୍ତି ଏକମାତ୍ର ଦାର୍ଶନିକ ଯିଏ ଦାବି କରିଥିଲେ ଯେ ଗଣିତ ମଧ୍ୟ ହେଉଛି ଏକ ଅନୁଭୂତି-ଆଶ୍ରିତ ଜ୍ଞାନ।)।

ଗଣିତକୁ ଏକ ବିଶୁଦ୍ଧ ବୌଦ୍ଧିକ ଜ୍ଞାନର ମର୍ଯ୍ୟାଦା ପ୍ରଦାନ କରିଥିବା ସର୍ବପ୍ରଥମ ପାଶ୍ଚାତ୍ୟ ଦାର୍ଶନିକ ହେଉଛନ୍ତି ମହାନ୍ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ, ଯାହାକୁ ଆଧୁନିକ ସମୟରେ ବର୍ଟ୍ରାଣ୍ଡ୍ ରସେଲ୍‌ଙ୍କ ଭଳି ପ୍ରଖ୍ୟାତ ଦାର୍ଶନିକ ମଧ୍ୟ ସମର୍ଥନ କରିଛନ୍ତି। ମାନବ ସଭ୍ୟତାର ଇତିହାସ ସାରା ଯେଉଁ ନାରୀ-ବିରୋଧୀ ଲିଙ୍ଗ ବିଦ୍ବେଷ ପରିଲକ୍ଷିତ ହୋଇ ଆସିଛି, ତା’ର ଏକ ଦୁର୍ଭାଗ୍ୟଜନକ ପରିପ୍ରକାଶ କିନ୍ତୁ ଏହି ମାନବୀୟ ବିଶୁଦ୍ଧ ବୌଦ୍ଧିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ଅନୁଭୂତ ହୋଇ ଆସିଛି। ଉଦାହରଣ ସ୍ବରୂପ ଅନ୍ୟତମ ପ୍ରସିଦ୍ଧ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ-ଗଣିତଜ୍ଞ ପିଥାଗୋରାସ୍‌ଙ୍କ ମତରେ ସଂଖ୍ୟା ସମ୍ବନ୍ଧରେ ଚିନ୍ତନ କରିବା କିମ୍ବା ଗାଣିତିକି ପ୍ରଶ୍ନ ସମାଧାନ କରିବା ହେଉଛି ଏକ ଅନ୍ତର୍ନିହିତ ଭାବରେ ପୁଂ-ଲିଙ୍ଗାତ୍ମକ କାର୍ଯ୍ୟ। ସେ ବିଚାର କରୁଥିଲେ ଯେ ଗଣିତ ହେଉଛି ଏକ ଦେବସୁଲଭ ଜ୍ଞାନ ଓ ଏହାର ସ୍ଥାନ ହେଉଛି ପାର୍ଥିବ ଜଗତ୍‌ର ଊର୍ଦ୍ଧ୍ବରେ; ଏବଂ ନାରୀମାନେ ସେମାନଙ୍କର ପ୍ରକୃତିଗତ ଭାବରେ ଏହି ନିକୃଷ୍ଟତର ପାର୍ଥିବ ଜଗତ୍‌ର ଅଂଶ ହୋଇଥା’ନ୍ତି।

ଆଶ୍ଚର୍ଯ୍ୟର କଥା ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଏହି ଗ୍ରୀକ୍ ଦାର୍ଶନିକ ପ୍ରକାଶ କରିଥିବା ଏଭଳି ଚିନ୍ତାଧାରା ଯୁଗ ଯୁଗ ଧରି ଏପରି ଅପରିବର୍ତ୍ତିତ ରହି ଆସିଛି, ଯେ ଏକବିଂଶ ଶତାବ୍ଦୀର ଆରମ୍ଭ କାଳରେ ଆମେରିକାର ମର୍ଯ୍ୟାଦାଜନକ ହାର୍ଭାର୍ଡ‌୍ ବିଶ୍ବବିଦ୍ୟାଳୟର ସଭାପତି (କୁଳପତି) ଲାରୀ ସମର୍ସ ଏହି ମନ୍ତବ୍ୟ ପ୍ରଦାନ କରି ତୀବ୍ର ବିବାଦର ସୂତ୍ରପାତ କରିବା ଦେଖା ଯାଇଥିଲା ଯେ ନାରୀମାନେ ଅନ୍ତର୍ନିହିତ ଭାବରେ ଗଣିତ, ପଦାର୍ଥ ବିଜ୍ଞାନ ଆଦି ଭଳି କଠିନ ବିଜ୍ଞାନ ପାଇଁ ଉପଯୁକ୍ତ ନୁହନ୍ତି। କିନ୍ତୁ ଚତୁର୍ଥ ଶତାବ୍ଦୀର ଆଲେକ୍‌ଜାଣ୍ଡ୍ରିଆର ହିପାଟିଆଙ୍କ ଠାରୁ ଆରମ୍ଭ କରି ବିଂଶ-ଏକବିଂଶ ଶତାବ୍ଦୀର ଭାରତର ଶକୁନ୍ତଳା ଦେବୀ କିମ୍ବା ଇରାନ୍‌ର ମରୢାମ୍ ମିର୍ଜାଖାନି ଗଣିତର ବିଭିନ୍ନ ବିଭାଗରେ ନିଜର ଚମତ୍କୃତ କଲା ଭଳି ବିଚକ୍ଷଣତା ପ୍ରଦର୍ଶନ କରି ଏତାଦୃଶ ପୁଂ-ଲିଙ୍ଗବାଦୀ ମତବାଦକୁ ମିଥ୍ୟା ସାବ୍ୟସ୍ତ କରିବା ସହିତ ଯାହା ପ୍ରମାଣିତ କରିଛନ୍ତି, ତାହା ହେଲା ଅଧିକ ସଂଖ୍ୟକ ନାରୀ ଏଭଳି ପାରଦର୍ଶିତା ନ ଦେଖାଇ ପାରିବାର ଅସଲ କାରଣ ହେଲା ପୁରୁଷମାନଙ୍କ ଦ୍ବାରା ସୃଷ୍ଟ ଏଭଳି ସାମାଜିକ-ସାଂସ୍କୃତିକ-ମନସ୍ତାତ୍ତ୍ବିକ ଚାପ, ଯାହା ପିଥାଗୋରାସ୍‌ଙ୍କ ଠାରୁ ସମର୍ସଙ୍କ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇ ଆସିଛି।

ବର୍ତ୍ତମାନ ସେଇ ପ୍ରମାଣକୁ ଆହୁରି ବଳିଷ୍ଠ କରିବା ପାଇଁ ସେଇ ଗଣିତ ପଟ୍ଟିୟସୀମାନଙ୍କ ତାଲିକାରେ ଆଉ ଯେଉଁ ଏକ ସଦ୍ୟତମ ନାମ ଯୋଗ କରାଯାଇଛି, ତାହା ହେଲା- ନିନା ଗୁପ୍ତା। ଏହି ୩୭ ବର୍ଷୀୟା, ସମ୍ପୂର୍ଣ୍ଣ ଦେଶୀ ଭାରତୀୟ ଗଣିତଜ୍ଞା ବର୍ତ୍ତମାନ ଗଣିତ ଜଗତ୍‌ରେ ଚହଳ ପକାଇବାର କାରଣ ହେଲା ସେ ଚଳିତ ବର୍ଷର ବିକାଶଶୀଳ ଦେଶମାନଙ୍କର ଯୁବ ଗଣିତଜ୍ଞମାନଙ୍କ ପାଇଁ ଉଦ୍ଦିଷ୍ଟ ‘ରାମାନୁଜନ୍ ପ୍ରାଇଜ୍’ ଜିତିଛନ୍ତି। ନିନା ବର୍ତ୍ତମାନ କଲିକତାସ୍ଥିତ ମର୍ଯ୍ୟାଦାଜନକ ‘ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟ୍’ (‘ଆଇଏସ୍‌ଆଇ’)ରେ ଅଧ୍ୟାପନା କରୁଛନ୍ତି ଏବଂ ସେଇ ସହରରେ ଅବସ୍ଥିତ ଦେଶର ସର୍ବପୁରାତନ ମହିଳା କଲେଜ୍‌ ରୂପେ ପରିଚିତ ବେଥ୍ୟୁନ୍ କଲେଜ୍‌ର ଛାତ୍ରୀ। ଯେଉଁ ସଂଗଠନ ଏହି ପୁରସ୍କାର ପ୍ରଦାନ କରିଛି, ତା’ର ଅନ୍ୟତମ ଅଂଶୀଦାର ହେଉଛି ‘ଇଣ୍ଟର୍‌ନେସନାଲ୍ ମାଥେମାଟିକାଲ୍ ୟୁନିଅନ୍’ (‘ଆଇଏମ୍‌ୟୁ’), ଯିଏ ଗଣିତରେ ନୋବେଲ୍ ପୁରସ୍କାର ରୂପେ ବିବେଚିତ ‘ଫିଲ୍‌ଡସ ମେଡାଲ୍’ (ମିର୍ଜାଖାନି ତାଙ୍କ ମୃତ୍ୟୁର ତିନି ବର୍ଷ ପୂର୍ବେ, ୩୭ ବର୍ଷ ବସୟରେ ୨୦୧୪ରେ ପ୍ରଥମ ମହିଳା ରୂପେ ଏହି ପୁରସ୍କାର ଲାଭ କରିଥିଲେ) ପ୍ରଦାନ କରିଥାଏ।

ନିନା ଗୁପ୍ତାଙ୍କୁ ଗଣିତର ଯେଉଁ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ପିଥାଗୋରାସ୍‌ଙ୍କ ସମୟରେ ଅବଶ୍ୟ କେହି ତା’ର ନାମ ଶୁଣିନଥିବେ ଏବଂ ଅର୍ଥନୀତିଜ୍ଞ ସମର୍ସଙ୍କର ସେଥି ସହିତ ପରିଚିତି ଥିବା ସମ୍ଭାବନା କ୍ଷୀଣ। ଏହା ହେଉଛି ‘ଆଫାଇନ୍ ଆଲ୍‌ଜେବ୍ରାଇକ୍ ଜିଓମେଟ୍ରି’ ଓ ‘କମ୍ୟୁଟେଟିଭ୍‌ ଆଲ୍‌ଜେବ୍ରା’। ଗଣିତ ଭଳି ଏକ ବିଶୁଦ୍ଧ ବୌଦ୍ଧିକ ଜ୍ଞାନ ପାଇଁ କେବଳ ଯେଉଁ ପୁରୁଷମାନେ ଉପଯୁକ୍ତ ବୋଲି ପିଥାଗୋରାସ୍ ବିଚାର କରୁଥିଲେ, ସେଭଳି ଅନେକ ଶିକ୍ଷିତ ପୁରୁଷମାନଙ୍କ ପାଇଁ ନିନାଙ୍କର ଗବେଷଣାର ଏହି ବିଷୟବସ୍ତୁ ବୋଧହୁଏ ସମ୍ପୂର୍ଣ୍ଣ ଅବୋଧ୍ୟ ହୋଇଥିବ।

ଆମେ ବୋଧହୁଏ ଏତିକି ଜାଣିବା ଯଥେଷ୍ଟ ହେବ ଯେ ‘ଆଫାଇନ୍ ଜ୍ୟାମିତି’ ହେଉଛି ସମାନ୍ତରାଳ ରେଖାମାନଙ୍କର ଅନୁଶୀଳନ। ‘କମ୍ୟୁଟେଟିଭ୍’ ହେଉଛି ଏକ ଗାଣିତିକ ବିଶେଷଣ। ଯେଉଁ ଗାଣିତିକ କ୍ରିୟାରେ ସଂଖ୍ୟାମାନଙ୍କର କ୍ରମରେ ପରିବର୍ତ୍ତନ ଘଟିଲେ ମଧ୍ୟ ଫଳାଫଳ ଅପରିବର୍ତ୍ତିତ ରହେ, ତାହାକୁ ‘କମ୍ୟୁଟେଟିଭ୍’ କୁହାଯାଏ (ଯଥା: ୩+୫=୮; ୫+୩=୮; ଏଣୁ ଯୋଗକ୍ରିୟା ହେଉଛି କମ୍ୟୁଟେଟିଭ୍)। ଏହି ନ୍ୟାୟରେ ଗୁଣନ କ୍ରିୟା ମଧ୍ୟ ହେଉଛି କମ୍ୟୁଟେଟିଭ୍; କିନ୍ତୁ ବିୟୋଗ କ୍ରିୟା ଓ ଭାଗ କ୍ରିୟା କମ୍ୟୁଟେଟିଭ୍ ନୁହନ୍ତି।

ଏଠାରେ ଏହା ଠାରୁ ଅଧିକ ବୁଝିବାକୁ ଚେଷ୍ଟା କରିବା ନିଶ୍ଚିତ ରୂପେ ଆମ ପକ୍ଷରେ ଧୃଷ୍ଟତା ହେବ। ଆମେ କେବଳ ନିନାଙ୍କର ବିଶୁଦ୍ଧ ବୌଦ୍ଧିକ ଜ୍ଞାନ ଦ୍ବାରା ଚମତ୍କୃତ ହୋଇ ତାଙ୍କୁ ଅଭିନନ୍ଦନ ଜଣାଇ ପାରିବା ଯାହା!