ରବିବାର ଦିନ ଆମେରିକାର ମାସାଚୁସେଟ୍‌ସ ଠାରେ ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିବା ଏଡ୍‌ୱାର୍ଡ ଓ. ୱିଲ୍‌ସନ୍ ତାଙ୍କ ଜୀବଦ୍ଦଶାରେ ଉଭୟ ବୈଜ୍ଞାନିକ ସମାଜ ଓ ତାଙ୍କର ମିତ୍ର ତଥା ଶତ୍ରୁମାନଙ୍କ ନିକଟରେ ଯେଉଁ ନାମରେ ସୁପରିଚିତ ଥିଲେ ତାହା ହେଲା: ‘ଡାର୍‌ୱିନ୍‌ଙ୍କ ପ୍ରାକୃତିକ ଦାୟାଦ’। ଜନମାନସରେ ତାଙ୍କୁ ବିବର୍ତ୍ତନବାଦର ଆବିଷ୍କର୍ତ୍ତା ଚାର୍ଲ‌୍ସ ଡାର୍‌ୱିନ୍‌ଙ୍କ ସହିତ ଏଭଳି ଘନିଷ୍ଠ ଭାବରେ ସମ୍ପୃକ୍ତ କରାଯିବା ପଛରେ ଥିବା ବିଭିନ୍ନ କାରଣ ମଧ୍ୟରୁ ଯେଉଁଟିକୁ ମୁଖ୍ୟ ବୋଲି ବିଚାର କରାଯାଇଥାଏ, ତାହା ଏକ ସମୟରେ ଏପରି ଏକ ତୀବ୍ର ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଥିଲା, ଯାହାର ପ୍ରତିଧ୍ବନି ଏବେ ମଧ୍ୟ ଶୁଣିବାକୁ ମିଳି ଥାଏ।

Advertisment

ଯଦିବା ଉପର ଠାଉରିଆ ଭାବରେ ଅନେକ ଲୋକ କହିଥା’ନ୍ତି ଯେ ଡାର୍‌ୱିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବର ସାରମର୍ମ ହେଲା- ମାଙ୍କଡ଼ରୁ ମନୁଷ୍ୟର ସୃଷ୍ଟି ହୋଇଛି; ପ୍ରକୃତରେ ଡାର୍‌ୱିନ୍‌ ତାଙ୍କର ବିବର୍ତ୍ତନ ତତ୍ତ୍ବ ବର୍ଣ୍ଣନା ବହନ କରୁଥିବା ପୁସ୍ତକ, ‘ଦି ଅରିଜିନ୍ ଅଫ୍ ସ୍ପିସିଜ୍’ରେ ‘ମନୁଷ୍ୟ ଜାତି’ ବା ‘ହ୍ୟୁମ୍ୟାନ୍ ସ୍ପିସିଜ୍’ ସମ୍ବନ୍ଧରେ କିଛି ହେଲେ କହି ନାହାନ୍ତି କହିଲେ ଚଳେ। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ତାଙ୍କର ପୁସ୍ତକ ବାଇବ୍‌ଲରେ ବର୍ଣ୍ଣିତ ସର୍ଜନା କାହାଣୀର ସମ୍ପୂର୍ଣ୍ଣ ବିରୋଧାଚରଣ କରି ତତ୍କାଳୀନ ଧର୍ମୀୟ ଓ ସାମାଜିକ ଜଗତ୍‌ରେ ଯେଉଁ ତୀବ୍ର ବିରୋଧ ସୃଷ୍ଟି କରିଥିଲା, ମନୁଷ୍ୟ ସମ୍ବନ୍ଧରେ ଅଧିକ ବ୍ୟାଖ୍ୟାନ କରି ତାହାକୁ ତୀବ୍ରତର କରିବା ବୁଦ୍ଧିମାନ କାର୍ଯ୍ୟ ହେବ ନାହିଁ ବୋଲି ଡାର୍‌ୱିନ୍‌ ଭଲ ରୂପେ ବୁଝିଥିଲେ। ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଡାର୍‌ୱିନ୍‌ ତାଙ୍କ ପୁସ୍ତକର ଶେଷ ଅଧ୍ୟାୟର ଶେଷ ଆଡ଼କୁ କେବଳ ଏକ ପ୍ରସ୍ତାବ ଦେଇଥିଲେ ଯେ ବିବର୍ତ୍ତନର ଅନୁଶୀଳନ ଦ୍ବାରା ‘‘ମନୁଷ୍ୟର ଉତ୍ପତ୍ତି ଓ ତା’ର ଇତିହାସ ଉପରେ ଆଲୋକପାତ ହୋଇ ପାରିବ।’’

ସେଇ ଅନୁଚ୍ଛେଦରେ ଡାର୍‌ୱିନ୍‌ ଅତ୍ୟନ୍ତ ସନ୍ତର୍ପଣରେ ଏକ ଆଶା ପ୍ରକାଶ କରିଥିଲେ ଯେ ‘‘ଦୂର ଭବିଷ୍ୟତ୍‌ରେ ମନୋବିଜ୍ଞାନର ଅଧ୍ୟୟନ ଏକ ନୂତନ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହେବ।’’ ‘ଅରିଜିନ୍ ଅଫ୍ ସ୍ପିସିଜ୍’ରେ ଡାର୍‌ୱିନ୍‌ ତାଙ୍କର ଏଭଳି ମ‌େନାଭାବ ପ୍ରକାଶ କରିଥିଲେ ୧୮୫୯ରେ। ଡାର୍‌ୱିନ୍‌ଙ୍କ ବିଚାରରେ ୧୯୭୫ ଦୂର ଭବିଷ୍ୟତ ରୂପେ ପରିଗଣିତ ହୁଅନ୍ତା କି ନାହିଁ, ଆମକୁ ଜଣା ନାହିଁ, କିନ୍ତୁ ସେଇ ବର୍ଷ ଡାର୍‌ୱିନ୍‌ଙ୍କ ଆଶାକୁ ସାକାର କରିଥିବା ଭଳି ପ୍ରକାଶ ପାଇଥିବା ଇ.ଓ. ୱିଲ୍‌ସନ୍‌ଙ୍କର ପୁସ୍ତକ, ‘ସୋସିଓବାୟୋଲୋଜି: ଦି ନିଉ ସିନ୍ଥେସିସ୍’ (‘ସାମାଜିକ ଜୈବ ବିଜ୍ଞାନ: ନୂତନ ସଙ୍ଗମ’) ଯେଉଁ ଭଳି ଏକ ଭିନ୍ନ କିସମର ଭୀଷଣ ପ୍ରତିକ୍ରିୟା ସୃଷ୍ଟି କଲା ଏବଂ ଯାହାର ଏବେ ମଧ୍ୟ ଅବସାନ ଘଟି ନାହିଁ, ତାହା ଯାହାକୁ ସମ୍ପୂର୍ଣ୍ଣ ଯଥାର୍ଥ ପ୍ରମାଣିତ କରିଥାଏ, ତାହା ହେଉଛି ଡାର୍‌ୱିନ୍‌ ସେ ସମୟରେ ଅବଲମ୍ବନ କରିଥିବା ସତର୍କତା।

ଉଲ୍ଲେଖଯୋଗ୍ୟ ଯେ ଡାର୍‌ୱିନ୍‌ଙ୍କ ଭଳି ୱିଲ୍‌ସନ୍ ମଧ୍ୟ ନିଜର ପୁସ୍ତକରେ ମନୁଷ୍ୟ ପ୍ରତି ବିବର୍ତ୍ତନ ତତ୍ତ୍ବର ପ୍ରୟୋଗ ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଥିଲେ: ତାଙ୍କର ୫୭୫ ପୃଷ୍ଠା ସମ୍ବଳିତ ପୁସ୍ତକର ମାତ୍ର ୨୮ ପୃଷ୍ଠାର ଅନ୍ତିମ ଅଧ୍ୟାୟରେ ଅତ୍ୟନ୍ତ ସନ୍ତର୍ପଣରେ ଏ ବିଷୟର ଉପସ୍ଥାପନା କରିଥିଲେ। କିନ୍ତୁ ଏତିକି ମଧ୍ୟ ଏକ ବାରୁଦ ଗଦାରେ ଜଳନ୍ତା ଦିଆଶିଲି କାଠିଟିଏ ପକାଇବା ଭଳି ଥିଲା। କାରଣ ଏଥିରେ ସେ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଯେ ମନୁଷ୍ୟର ଅାଚରଣ ସମ୍ପୂର୍ଣ୍ଣ ରୂପେ ଏକ ଜୈବିକ ପ୍ରକ୍ରିୟା ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହାର ଅର୍ଥ ମନୁଷ୍ୟ ଚରିତ୍ରର ସମସ୍ତ ଭଲ ଦିଗ ଓ ମନ୍ଦ ଦିଗ ତା’ ନିଜ ଦ୍ବାରା କିମ୍ବା ସମାଜ ଦ୍ବାରା ରୂପାୟିତ ହୋଇନଥା’ନ୍ତି, ସେ ସମସ୍ତ ତା’ର ଜିନ୍ ଦ୍ବାରା ପ୍ରାକୃତିକ ଚୟନ ପ୍ରକ୍ରିୟା ମାଧ୍ୟମରେ ନିର୍ଣ୍ଣିତ ହୋଇଥା’ନ୍ତି।

ଏହି ଯୁକ୍ତି ଆଧାରରେ ୱିଲ୍‌ସନ୍ ତାଙ୍କ ପୁସ୍ତକରେ କହିଥିଲେ ଯେ ଏହି ଜୈବିକ ପ୍ରକ୍ରିୟା ଦ୍ବାରା ପରିଚାଳିତ ହୋଇ ମନୁଷ୍ୟ ନାରୀ-ପୁରୁଷ ମଧ୍ୟରେ ଶ୍ରମ ବିଭାଜନ ଘଟାଇଥାଏ; ଗୋଷ୍ଠୀ-ଆନୁଗତ୍ୟ ସୃଷ୍ଟି କରିଥାଏ, ପୁରୁଷ-ଆଧିପତ୍ୟ ଜାହିର କରିଥାଏ ଏବଂ ଏପରିକି ପିତାମାତା ଓ ସନ୍ତାନସନ୍ତତିଙ୍କ ମଧ୍ୟରେ ପରିଦୃଷ୍ଟ ହେଉଥିବା ବନ୍ଧନକୁ ମଧ୍ୟ ଜନ୍ମ ଦେଇଥାଏ। ଅର୍ଥାତ୍ ମନୁଷ୍ୟର ଚରିତ୍ର ହେଉଛି ପ୍ରକୃତି ଦ୍ବାରା ପୂର୍ବ ନିର୍ଦ୍ଧାରିତ, ଯାହା ପାଇଁ ବ୍ୟକ୍ତିକୁ ଦାୟୀ କରାଯାଇ ପାରିବ ନାହିଁ। ଏହା ଥିଲା ଆଧୁନିକ ସମାଜତତ୍ତ୍ବର ଜନକ ଏମିଲ୍ ଡର୍କହାଇମ୍‌ଙ୍କର ଏହି ମତବାଦର ସମ୍ପୂର୍ଣ୍ଣ ବିପରୀତ: ‘‘ମନୁଷ୍ୟ ଚରିତ୍ର ହେଉଛି କେବଳ ମାତ୍ର ଏକ ଅନିର୍ଦ୍ଦିଷ୍ଟ ବସ୍ତୁ, ଯାହାକୁ ସାମାଜିକ ପ୍ରକ୍ରିୟା ଛାଞ୍ଚରେ ପକାଏ ଏବଂ ରପୂାନ୍ତରିତ କରେ।’’

ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ୱିଲ୍‌ସନ୍‌ଙ୍କ ଏତାଦୃଶ ବିବର୍ତ୍ତନବାଦୀ ଚିନ୍ତାଧାରା ସ୍ବାଭାବିକ ଭାବରେ ଅନେକ ଅସ୍ବସ୍ତିକର ପ୍ରଶ୍ନମାନଙ୍କୁ ଜନ୍ମ ଦେଲା। ଉଦାହରଣ ସ୍ବରୂପ: ଏକ-ପତ୍ନୀ ବା ଏକ-ପତି ଗ୍ରହଣ ମନୁଷ୍ୟ ପାଇଁ ଏକ ସ୍ବାଭାବିକ ଆଚରଣ କି?; ଦେଶରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତରେ ପରିଦୃଷ୍ଟ ହେଉଥିବା ରାଜନୀତି ପଛରେ କେଉଁ ବିବର୍ତ୍ତନୀୟ କାରଣ ନିହିତ ଅଛି?; ପ୍ରାକୃତିକ ଚୟନ ଆମକୁ ଅପରାଧବୋଧର ଭଣ୍ଡାର ରୂପକ ଏକ ବ‌ିବେକ କାହିଁକି ପ୍ରଦାନ କରିଛି? ମାନବ ସମାଜରେ ଦେଖାଯାଉଥିବା ଶ୍ରେଣୀ ବିଭାଜନ କ’ଣ ପ୍ରକୃତିଦତ୍ତ କି?; ଦେଶଭକ୍ତି କ’ଣ ପ୍ରାକୃତିକ ଚୟନ ଦ୍ବାରା ପୂର୍ବ ନିର୍ଦ୍ଧାରିତ ଏକ ମାନବୀୟ ଆବେଗ କି?; ... ଇତ୍ୟାଦି। ୱିଲ୍‌ସନ୍‌ଙ୍କ ମତବାଦ ଉସ୍‌କାଇଥିବା ଏ ସମସ୍ତ ଓ ଏଭଳି ଆହୁରି ଅନେକ ଅସ୍ଥିରତା ସୃଷ୍ଟିକାରୀ ପ୍ରଶ୍ନମାନ ଏବେ ବି ଆମକୁ ଆନ୍ଦୋଳିତ କରିବାରେ ଲାଗିଛି।

କିନ୍ତୁ କେବଳ ଏଇଥିପାଇଁ ଇ.ଓ.ୱିଲ୍‌ସନ୍‌ଙ୍କ ସ୍ଥାନ ଆମର ସ୍ମୃତିପଟରେ ଦୀର୍ଘସ୍ଥାୟୀ ହେବାକୁ ଯାଉ ନାହିଁ। ଏକ ମଧୁର ସାମ୍ୟବାଦ ଭଳି ମାନବ ସମାଜ ସମ୍ବନ୍ଧରେ ତାଙ୍କର ଏହି ଗବେଷଣା ପାଇଁ ୱିଲ୍‌ସନ୍ ଯେତିକି ପ୍ରସିଦ୍ଧ ଥିଲେ, କୀଟପତଙ୍ଗମାନଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ ପାଇଁ ମଧ୍ୟ ସେ ସେତିକି ପ୍ରସିଦ୍ଧ ଥିଲେ। ସେ ଥିଲେ ପୃଥିବୀର ସର୍ବଶ୍ରେଷ୍ଠ ପିମ୍ପୁଡ଼ି ବିଶେଷଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ। ଯଥାର୍ଥ ଭାବରେ ସେ ଦୁଇଥର ପାଇଥିବା ପୁଲିଟ୍‌ଜର୍ ପୁରସ୍କାର ମଧ୍ୟରୁ ଥରେ ପାଇଥିଲେ ମନୁଷ୍ୟ ଚରିତ୍ର ଅଧ୍ୟୟନ ଭିତ୍ତିକ ପୁସ୍ତକ, ‘ଅନ୍ ହ୍ୟୁମ୍ୟାନ୍ ନେଚର୍’ ପାଇଁ ୧୯୭୮ରେ ଓ ଦ୍ବିତୀୟ ଥର ପିମ୍ପୁଡ଼ି ସମ୍ପର୍କରେ ରଚିତ ତାଙ୍କର ପୁସ୍ତକ, ‘ଦି ଆଣ୍ଟ୍‌ସ’ ପାଇଁ ୧୯୯୦ରେ।

ୱିଲ୍‌ସନ୍ ମଧ୍ୟ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଥିଲେ। ଯଦି ପୃଥିବୀ ପୃଷ୍ଠରେ ଥିବା ପ୍ରାଣୀ ଓ ଉଦ୍ଭିଦ ଜାତିମାନଙ୍କର ସଂରକ୍ଷଣ କରା ନ ଯାଏ, ତେବେ ମାନବ ଇତିହାସ ତଳମୁହାଁ ହୋଇ ଖସି ଚାଲିବା ଅନିବାର୍ଯ୍ୟ ବୋଲି ସେ ସର୍ବଦା ସତର୍କ କରାଇ ଚାଲିଥିଲେ। ଏ ଦିଗରେ ଏକ ଫଳପ୍ରଦ ପଦକ୍ଷେପ ସ୍ବରୂପ ସେ ‘ହାଫ୍-ଆର୍ଥ ପ୍ରୋଜେକ୍ଟ’ ନାମକ ଏକ ଉଦ୍ୟମର ପରିକଳ୍ପନା କରିଥିଲେ, ଯାହା ଅନୁସାରେ ପୃଥିବୀର ଅର୍ଧେକ ସ୍ଥଳ ଭାଗ ଓ ଅର୍ଧେକ ଜଳ ଭାଗକୁ ସମ୍ପୂର୍ଣ୍ଣ ସଂରକ୍ଷିତ ରଖାଯିବ, ଯେଉଁଠି ବିଲୟର ସମ୍ମୁଖୀନ ସମସ୍ତ ଜାତିର ପ୍ରାଣୀ ଓ ଉଦ୍ଭିଦ ପୁଣି ନିରାପଦ ଆଶ୍ରୟ ପାଇ ଉଧେଇ ପାରିବେ। ୱିଲ୍‌ସନ୍‌ଙ୍କୁ ଡାର୍‌ୱିନ୍‌ଙ୍କ ଦାୟାଦ ରୂପେ ସମ୍ବୋଧନ କରାଯିବାର ଏହା ହେଉଛି ଆଉ ଏକ ସସ୍ନେହ କାରଣ। ୱିଲ୍‌ସନ୍‌ଙ୍କ ବିୟୋଗ ସହିତ ଧରିତ୍ରୀ ମାତା ତା’ର ଆଉ ଜଣେ ମାତୃଭକ୍ତ ପୁତ୍ରକୁ ହରାଇଲା।