ନବୀନଙ୍କ ‘ପରିବାର’ ଓ ଜୟନ୍ତ

ଗତ ୨୭ ତାରିଖ ଅପରାହ୍‌ଣରେ ଯେତେବେଳେ ଭୁବନେଶ୍ବରରେ ଅନୁଷ୍ଠିତ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ମଞ୍ଚରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ଭାଷଣର ଚର୍ଚ୍ଚା ତଥାପି ଗୁଞ୍ଜରିତ ହେଉଥିଲା ଠିକ୍ ସେତିକିବେଳେ ଅନତିଦୂର କଟକ ପୀରବଜାର ନିକଟରେ, ଗୁଡ଼ି ମାଞ୍ଜାସୂତାରେ କଟି ପ୍ରାଣ ହରେଇଥିବା ତରୁଣ ଜୟନ୍ତର ବିଧବା ପତ୍ନୀର ଆର୍ତ୍ତନାଦରେ କଟକ-ଚାନ୍ଦବାଲି ରାଜପଥ ମୂର୍ଚ୍ଛିତ ହେଉଥିଲା।

ରାଜମିସ୍ତ୍ରି କାମ କରୁଥିବା ଜୟନ୍ତ ସାମଲ ସେଦିନ ମୋଟର ସାଇକେଲ୍‌ରେ ପତ୍ନୀକୁ ବସେଇ କଟକ ଯାଉଥିଲା। ପରିବା ଦୋକାନୀ କୈଳାସ ସାମଲଙ୍କ ପୁଅ ଜୟନ୍ତର ବୟସ ମାତ୍ର ଏକତିରିଶ ହୋଇଥିଲା ଏବଂ କିଛି ମାସ ତଳେ ତା’ର ବାହାଘର ହୋଇଥିଲା। ତା’ ଆଗରେ ଗୋଟେ ସୁଦୀର୍ଘ ସୁନ୍ଦର ଭବିଷ୍ୟତ୍ ଥିଲା ଯାହାକୁୁ ଆତତାୟୀ ମାଞ୍ଜାସୂତା ପ୍ରତିଦ୍ବନ୍ଦ୍ବୀ ଗୁଡ଼ିର ସୂତାକୁ କାଟିବା ପରି କାଟି ପକାଇ ଧୂଳିସାତ୍ କରିଦେଲା। ପଉଷ ଅପରାହ୍‌ଣର ମ୍ଳାନ ଆଲୋକରେ ଅଦୃଶ୍ୟ ଆତତାୟୀ ତୀକ୍ଷ୍‌ଣ ଚାଇନା-ସୂତାକୁ ଜୟନ୍ତ ଦେଖିପାରିବା ସମ୍ଭବ ନ ଥିଲା। ଏପରି ଏକ ଘଟଣାକୁ ଦୁର୍ଭାଗ୍ୟଜନକ, ମର୍ମନ୍ତୁଦ କିମ୍ବା ଭୟାନକ ଇତ୍ୟାଦି ଯାହା କହିଲେ ସୁଦ୍ଧା ତାହା ଯେମିତି କମ୍ ହେବ, ‘ମୃତ୍ୟୁ ଏପରି ମଧ୍ୟ ଆସେ’ କହି ସେହି ଭୟାବହତାର ସାଧାରଣୀକରଣ କରିବା ମଧ୍ୟ ଜୟନ୍ତର ଆତ୍ମା ପ୍ରତି ସେମିତି ଅନ୍ୟାୟ ହେବ।

ଜୟନ୍ତର ମୃତ୍ୟୁକୁ କେବଳ ଏକ ଦୁର୍ଘଟଣା ବୋଲି କଦାପି କୁହାଯାଇ ପାରିବ ନାହିଁ। ଯେଉଁ ସୂତାର ବିକ୍ରୟକୁ ରାଜ୍ୟ ସରକାର ନିଜେ ନିଷିଦ୍ଧ କରିଛନ୍ତି ତାହା ଖୋଲାଖୋଲି ଭାବରେ ସର୍ବତ୍ର ବିକ୍ରୟ ହେଉ ନଥିଲେ ଜୟନ୍ତର ବେକ କଟି ନ ଥା’ନ୍ତା। ଏଭଳି ସୂତା ଖୋଲାଖୋଲି ବିକ୍ରୟ ହେଉଛି ବୋଲି ଅଭିଯୋଗ କରିବାର କାରଣ ହେଉଛି ଗତ ତିନି ଦିନ ଭିତରେ କଟକର ଏହି ଦୁର୍ଘଟଣାକୁ ଛାଡ଼ିଦେଲେ ଆଉ ଦୁଇଟି ଘଟଣା, ପୁରୀ ଓ ବାଲେଶ୍ବର ଜିଲ୍ଲାରେ ଘଟିଗଲାଣି ଏବଂ ପୁରୀରେ ଆହତ ହୋଇଥିବା ଭଂଜବିହାରୀ ପାତ୍ରଙ୍କର ଅବସ୍ଥା ଗୁରୁତର ରହିଛି। ସିଏ ତାଙ୍କ ଅସୁସ୍ଥ ପୁଅ ପାଇଁ ଔଷଧ କିଣିବା ଲାଗି ୨୭ ତାରିଖ ଅପରାହ୍‌ଣରେ କୁଣ୍ଢେଇବେଣ୍ଟସାହିରୁ ବଡ଼ଦାଣ୍ଡକୁ ଆସିଥିଲେ। ପୁଅ ଲାଗି ଔଷଧ ନେଇ ଘରକୁ ଯିବେ କ’ଣ, ତାଙ୍କୁ ଲୋକମାନେ ନେଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।

ପୁଣି ଥରେ ପୀରବଜାର ଦୁର୍ଘଟଣାରେ ପ୍ରାଣ ହରେଇଥିବା ଜୟନ୍ତ ସାମଲ ପ୍ରସଙ୍ଗ ଆଲୋଚନା କରାଯାଉ। ନିଷିଦ୍ଧ ମାଞ୍ଜାସୂତାରେ ତାଙ୍କର ଅକାଳ ମୃତ୍ୟୁ ଯେତିକି ଦୁର୍ଭାଗ୍ୟଜନକ, ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇ କୌଣସି ପ୍ରଶାସକ କି ନେତା ଯାଇନଥିବା କିମ୍ବା ସରକାର ଏଥିପାଇଁ କ୍ଷତିପୂରଣ ଘୋଷଣା କରି ନଥିବା ତାହା ଠାରୁ ଅଧିକ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ସର୍ବଦା ତାଙ୍କର ବକ୍ତବ୍ୟରେ କହିଥାଆନ୍ତି ଯେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ତାଙ୍କ ପରିବାରର ସଦସ୍ୟ। ସେଇ ମାନଙ୍କ ସମର୍ଥନ ନେଇ ବିଜୁ ଜନତା ଦଳ ଶାସନରେ ରହିଛି ଏବଂ ଶହ ଶହ ବର୍ଷ ପର୍ଯ୍ୟନ୍ତ ରହିଥିବ ବୋଲି ସେ ଗଭୀର ଆଶା ପୋଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ବପ୍ନ ସାକାର ହେଉ ଏବଂ ଓଡ଼ିଶାବାସୀ ସୁଶାସନର ସୁଯୋଗ ପାଆନ୍ତୁ ବୋଲି ଆଶା କରିବା ବେଳେ ତାଙ୍କ ଦଳର ସେହି ସବୁଜ ସ୍ବପ୍ନର ହିତାଧିକାରୀ ହେବାରୁ ଜୟନ୍ତ ପରି ଜଣେ ହତଭାଗ୍ୟ ରାଜମିସ୍ତ୍ରି କାହିଁକି ବଂଚିତ ହେଉଅଛି, ତାହା ମଧ୍ୟ ରାଜ୍ୟର ଶାସକ ମୁଖ୍ୟ ଭାବରେ ସେ ଚିନ୍ତା କରିବା ବାଞ୍ଛନୀୟ।

୨୦୧୬ ମସିହାରେ ଓଡ଼ିଶା ହାଇ‌େକାର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର କାଚଗୁଣ୍ଡ ବୋଳା ହୋଇଥିବା ଚୀନ୍ ତିଆରି ଗୁଡ଼ି ସୂତାର ବିକ୍ରୟ ଓ ବିତରଣକୁ ନିଷିଦ୍ଧ କରିଥିଲେ। ବାସ୍ତବ‌ପକ୍ଷେ ସରକାର ତାଙ୍କ ନିଜ ଆଡ଼ୁ ଏହି କାରବାରକୁ ନିଷିଦ୍ଧ କରିବା ଉଚିତ ଥିଲା। ମାତ୍ର ଆଜି ଓଡ଼ିଶା ସହିତ ଭାରତବର୍ଷର ଅଧିକାଂଶ ରାଜ୍ୟରେ, ପ୍ରୟୋଜନୀୟ ପ୍ରଶାସନିକ ପଦକ୍ଷେପ ପାଇଁ ଉଚ୍ଚତମ ବା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରୟୋଜନ ହେଉଅଛି। ପାଞ୍ଚ ବର୍ଷ ତଳେ, ଛଅ ବର୍ଷର ବାଳିକା ଶ୍ବେତାଲୀନା ବେହେରା ଏହିପରି କାଚବୋଳା ଘାତକ ଗୁଡ଼ି ସୂତାର ଶିକାର ହୋଇ ପ୍ରାଣ ହରାଇଥିଲା। ଗଳା କଟି ଯିବାରୁ ଶୋଚନୀୟ ଭାବରେ ତା’ପରି ଗୋଟିଏ କୋମଳ ବାଳିକାର ଜୀବନଦୀପ ଲିଭି ଯାଇଥିଲା। ତା’ ବାପା ମାଆଙ୍କ ସହ ସେ ମୋଟରସାଇକେଲରେ ଫେରୁଥିବା ବେଳେ ଫୁଲନଖରା ନିକଟରେ ଏହି ଘଟଣା ଘଟିଥିଲା। ତାହା ପୂର୍ବରୁ ୨୦୧୫ ଜାନୁଆରି ୪ ତାରିଖରେ ସମାନ ପ୍ରକାର ଦୁର୍ଘଟଣାରେ କଟକ ଖାନନଗରର ସତ୍ୟରଂଜନ ବେହେରାଙ୍କର ଅକାଳ ବିୟୋଗ ଘଟିଥିଲା। ଗତ ଛଅ ବର୍ଷ ଭିତରେ ଏହିପରି ଭାବରେ ଚାରି ଚାରି ଜଣଙ୍କର ଜୀବନଦୀପ ଲିଭି ଯିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି, ଯାହା ପାଇଁ ପ୍ରଶାସନର ଉଦାସୀନତା ଏବଂ ଅବହେଳା ଦାୟୀ। ଏହି କାରଣରୁ ଗତ ୨୬ ତାରିଖରେ ମୃତ୍ୟୁ ଭୋଗିଥିବା ଜୟନ୍ତଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବା ସହ ତାଙ୍କର ବିଧବା ପତ୍ନୀଙ୍କୁ ସରକାର ନିଯୁକ୍ତି ଦେବା ଜରୁରି।

କେବେଠାରୁ ଭାରତରେ ଗୁଡ଼ି ଉଡ଼ା ଖେଳ ଆରମ୍ଭ ହେଲା ତାହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର ହେଲେ ମଧ୍ୟ ସିଲ୍‌କ୍ ରୁଟ୍‌ ଦେଇ ଏହି ଗୁଡ଼ି ଚୀନ୍‌ରୁ ଆସିିଥିବା କେତେ‌କ ମତ ଦେଇଥାଆନ୍ତି। କେତେକ କହନ୍ତି ଯେ ହୁଏନ୍‌ସାଂଙ୍କ ସମୟରେ ଏହା ଆସିଥିଲା। ଗୁଡ଼ି ଉଡ଼ା ସଂପର୍କରେ ଭାରତରେ ଉପଲବ୍‌ଧ ସବୁଠୁ ପ୍ରାଚୀନ ତଥ୍ୟ ମରାଠୀ ସନ୍ଥକବି ନାମଦେବଙ୍କ କାବ୍ୟରେ ପଢ଼ିବାକୁ ମିଳିଥାଏ। ସେହିପରି ଗୁଡ଼ି ଉଡ଼ା ପ୍ରସଙ୍ଗ ଷୋଡ଼ଶ ଶତାବ୍ଦୀର ମରାଠୀ କବି ଦଶୋପନ୍ତ ଏବଂ ଏକନାଥଙ୍କ କାବ୍ୟରେ ମଧ୍ୟ ମିଳିଥାଏ। ଓଡ଼ିଶାର ବିଖ୍ୟାତ ଗାୟକ ଅକ୍ଷୟ ମହାନ୍ତି ଗୁଡ଼ିକୁ ନେଇ ଗାଇଥିବା ଗୀତଟି ସର୍ବଜନବିଦିତ। ଅନ୍ୟାନ୍ୟ ରାଜ୍ୟ ପରି ଓଡ଼ିଶାରେ ମକର ସଂକ୍ରାନ୍ତିରେ ଏବଂ ତା’ ପୂର୍ବରୁ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହୋଇଥାଏ। ଏ ନେଇ କଟକ ସହରର ପ୍ରସିଦ୍ଧି ରହିଛି। ମାତ୍ର ଗୁଡ଼ି ଉଡ଼ା ପରି ଏକ ପ୍ରାଚୀନ କ୍ରୀଡ଼ା କ୍ଷେତ୍ରରେ ଘାତକ ହୋଇଛି ନ ଛିଣ୍ଡୁଥିବା ଚୀନା ଗୁଡ଼ି ଓ ସୂତାରେ ବୋଳା ଯାଉଥିବା କାଚଗୁଣ୍ଡ। ଏହା ଗୁଡ଼ିର ସୂତାକୁ ସୁଦୀର୍ଘ ତୀକ୍ଷ୍‌ଣ ତରବାରିରେ ପରିଣତ କରିଥାଏ। ଏହି ପ୍ରକାର ସୂତାରେ କଟି ପ୍ରତିବର୍ଷ ହଜାର ହଜାର ପକ୍ଷୀ ମଧ୍ୟ ପ୍ରାଣ ହରେଇଥାଆନ୍ତି। ସେଥିପାଇଁ ୨୦୧୩ ମସିହାରୁ ଏ ପ୍ରକାର ସୂତାରେ ଗୁଡ଼ି ଉଡ଼ାକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୦୧୭ ମସିହା‌େର ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ ଏ ଧରଣର ସୂତା ବିକ୍ରୟକୁ ସଂପୂର୍ଣ୍ଣ ନିଷିଦ୍ଧ କରି ତାଙ୍କର ରାୟ ଶୁଣାଇ ସାରିଛନ୍ତି।

ଏହା ସତ୍ତ୍ବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖୋଲାଖୋଲି ଏଇ ସୂତା ବିକ୍ରୟ ହେଉଛି। ରାଜ୍ୟ ସରକାର ଯେଉଁ ଆଇନ ପ୍ରଣୟନ କରୁଛନ୍ତି ତାହାର କାର୍ଯ୍ୟକାରିତା ପାଇଁ ତାଙ୍କର ଶାସନକଳ ଉତ୍ତରଦାୟୀ। ଅଥଚ ଏଭଳି ଘଟଣାରେ କେହି ଉତ୍ତରଦାୟୀ ହେଲା ପରି ଜଣାପଡୁ ନାହିଁ। ଯେହେତୁ ସାଧାରଣ ଲୋକଙ୍କର ସ୍ମୃତିଶକ୍ତି ଅତ୍ୟନ୍ତ ଦୁର୍ବଳ, ସପ୍ତାହେ ଦିସପ୍ତାହ ପରେ ଜୟନ୍ତର ମୃତ୍ୟୁ କଥାକୁ ସମସ୍ତେ ଭୁଲିଯିବେ। ତା’ର ପିତା ଦରିଦ୍ର ଏବଂ ବିଧବା ପତ୍ନୀ ଅସହାୟା- ତେଣୁ ସେମାନେ ସରକାରଙ୍କ ଅକ୍ଷମଣୀୟ ଉଦାସୀନତା ବିରୋଧରେ ନାଲିସ କରିବା ଲାଗି ହୁଏତ ନ୍ୟାୟାଳୟକୁ ଯାଇପାରିବେ ନାହିଁ। ଅନ୍ୟ ପକ୍ଷରେ କଟକ ପୁଲିସ, ଚୋର ଗଲା ପରେ ବୁଦ୍ଧି ବାହାରେ, ନୀତିରେ କେତୋଟି ଦୋକାନ ଉପରେ ଚଢ଼ାଉ କରି ନିଜର ଦାୟିତ୍ବ ସମାପ୍ତ କରିଛନ୍ତି।

ଓଡ଼ିଶା ସରକାରଙ୍କୁ ଆମର ଏକ ବିନମ୍ର ପ୍ରଶ୍ନ, ଆଉ କେତେ ନିରୀହ ପ୍ରାଣ ହରାଇବା ପରେ ସରକାର ସକ୍ରିୟ ହେବେ? ଦୋକାନଗୁଡ଼ିକରେ ଏ ଧରଣର ଗୁଡ଼ି ସୂତା ବିକ୍ରୟ ନିଷିଦ୍ଧ କରିବା ସହ ନିରାପଦ ସୂତା ଲଗା ଗୁଡ଼ି ଉଡ଼ାଇବା ପାଇଁ ପ୍ରତି ଅଂଚଳରେ ନିର୍ଦ୍ଦିଷ୍ଟ ପଡ଼ିଆ ଚିହ୍ନଟ କରିବା କ’ଣ ଏକ କାଠିକର ପାଠ? ଗୁଡ଼ି ବିକ୍ରୟ କରୁଥିବା ଦୋକାନୀମାନଙ୍କୁ ବାଣ ବିକ୍ରୟ କରୁଥିବା ଦୋକାନୀଙ୍କ ପରି କଟକଣା ଭିତରକୁ ଅଣାଯିବା ଜରୁରି ନୁହେଁ କି? ଯାନବାହନ, ପଶୁ-ପକ୍ଷୀ ଏବଂ ସାଧାରଣଲୋକ ଯାତାୟାତ କରୁଥିବା ରାସ୍ତା ବା ସର୍ବସାଧାରଣ ସ୍ଥାନରେ ଗୁଡ଼ି ଉଡ଼ା ନିଷିଦ୍ଧ କାର୍ଯ୍ୟ ବୋଲି ସରକାର କାହିଁକି ନିର୍ଦ୍ଦେଶ ଜାରି କରୁନାହାନ୍ତି? ଏ କ୍ଷେତ୍ରରେ କେଉଁଟି ଅନ୍ତରାୟ ହୋଇ ଠିଆ ହୋଇଛି? ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ମର୍ମନ୍ତୁଦ ମୃତ୍ୟୁ ଭୋଗିଥିବା ଜୟନ୍ତ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଘୋଷଣା କରିବା ସହ ଏ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀ, ବିକ୍ରେତା ଓ ଗୁଡ଼ି ଉଡ଼ାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜୟନ୍ତର ପରିବାର ଓ ବିଧବା ପତ୍ନୀ ଅନୁଭବ କରିବା ଉଚିତ ନୁହେଁ ଯେ ମୁଖ୍ୟମନ୍ତ୍ରୀଙ୍କ ସାଢ଼େ ଚାରି କୋଟି ସଦସ୍ୟ ବିଶିଷ୍ଟ ପରିବାରର ତାଲିକାରେ ସେମାନଙ୍କ ପରି ସାଧାରଣ ଲୋକଙ୍କର ସ୍ଥାନ ନାହିଁ।

ସମ୍ବନ୍ଧିତ ଖବର