‘ନିଷିଦ୍ଧାଞ୍ଚଳ’ରେ ଜେନେରାଲ!

ଉତ୍ତର-ପୂର୍ବାଞ୍ଚଳକୁ ବିଦେଶୀ ନାଗରିକଙ୍କ କ୍ରମବର୍ଧିଷ୍ଣୁ ଅନୁପ୍ରବେଶ ନିଶ୍ଚିତ ଭାବେ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଗଭୀର ଉଦ୍‌ବେଗର ବିଷୟ। କିନ୍ତୁ ସେନା ପାଇଁ ସମ୍ବିଧାନ ଦ୍ୱାରା ନିର୍ଧାରିତ ‘ନିଷିଦ୍ଧ ଇଲାକା’ ରାଜନୀତି ମଧ୍ୟକୁ ସେନାର ଅନୁପ୍ରବେଶ ତା’ ଠାରୁ ଆହୁରି ଅଧିକ ଉଦ୍‌ବେଗଜନକ। ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ହେଲା ଭାରତୀୟ ସେନାର ମୁଖ୍ୟ ଖୋଦ୍‌ ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ ଠିକ୍‌ ଏହାହିଁ କରିଛନ୍ତି। ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବାଞ୍ଚଳର ସୁରକ୍ଷା ପ୍ରତି ବିଦେଶୀ ନାଗରିକଙ୍କ ଅନୁପ୍ରବେଶର ବିପଦ ନେଇ ଆଲୋଚନା ବେଳେ ସେନାଧ୍ୟକ୍ଷ ସୀମା ଡେଇଁ ରାଜନୀତିର କ୍ଷେତ୍ରକୁ ମାଡ଼ି ଯାଇଛନ୍ତି। ଉତ୍ତର- ପୂର୍ବାଞ୍ଚଳର ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ଭାରତ ବିରୋଧରେ ପାକିସ୍ତାନର ଛାୟା ଯୁଦ୍ଧର ଏକ ଅଂଶ ବୋଲି ବର୍ଣ୍ଣନା କରିବାକୁ ଯାଇ ଜେନେରାଲ୍‌ ଆସାମରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ନିଜର ପତିଆରା ବୃଦ୍ଧି କରି ଚାଲିଥିବା ରାଜନୈତିକ ଦଳ ଏଆଇୟୁଡିଏଫ୍‌ (ଅଲ୍‌ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌)ର ଉତ୍ତରଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଜେନେରାଲ୍‌ ରାଓ୍ଵତ୍‌ ଏତିକିରେ ନ ଅଟକି ଆହୁରି ଆଗକୁ ମାଡ଼ି ଯାଇ ଆସାମରେ ବହାରୁଦ୍ଦିନ୍‌ ଅଫଜଲଙ୍କ ନେତୃତ୍ୱାଧୀନ ଏଆଇୟୁଡିଏଫ୍‌ର ଶକ୍ତି ବୃଦ୍ଧି ବିଜେପିର ଅଭିବୃଦ୍ଧିଠାରୁ ଅଧିକ ବୋଲି ମତ ଦେଇଥିଲେ। ଏଆଇୟୁଡିଏଫ୍‌ ଓ ବିଜେପିର ତୁଳନା ମାଧ୍ୟମରେ ବୋଧହୁଏ ସେନାଧ୍ୟକ୍ଷ ଏ ବିଷୟକୁ ଅଧିକ ପ୍ରାଞ୍ଜଳ କରିବାକୁ ଚାହିଁଥିଲେ ଯେ, ଅଫଜଲଙ୍କ ଦଳର ଉତ୍ତରଣ ପଛରେ ମୁଖତଃ ମୁସଲମାନ ଧର୍ମାବଲମ୍ବୀ ବାଂଲାଦେଶୀଙ୍କ ଅନୁପ୍ରବେଶ ବୃଦ୍ଧି ଦାୟୀ। ଏହି ମନ୍ତବ୍ୟ ଫଳରେ ସେନାଧ୍ୟକ୍ଷ କେବଳ ନିଜକୁ ନୁହେଁ, ପୂରା ସେନା ବାହିନୀକୁ ଅଯଥା ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି। ସ୍ୱାଭାବିକ ଭାବେ ଏଆଇୟୁଡିଏଫ୍‌ ଏଆଇଏମ୍‌ଆଇଏମ୍‌ ଭଳି ମୁଖ୍ୟତଃ ସଂଖ୍ୟାଲଘୁଙ୍କ ଭିତରେ ଜନାଧାର ଥିବା ଦଳଗୁଡ଼ିକ ପକ୍ଷରୁ ସେନାଧ୍ୟକ୍ଷ ମନ୍ତବ୍ୟକୁ ତୀବ୍ର ବିରୋଧ କରାଯାଇଛି।

ସଂଖ୍ୟାଲଘୁ ରାଜନେତାଙ୍କ ପ୍ରତିକ୍ରିୟା ପରିପ୍ରେକ୍ଷୀରେ ସେନା ପକ୍ଷରୁ ଜେନେରାଲ ରାଓ୍ଵତଙ୍କ ମନ୍ତବ୍ୟରେ ରାଜନୀତି କିମ୍ବା ଧର୍ମ ନାହିଁ ବୋଲି କୁହାଯାଇଛି। ତେବେ ଜେନେରାଲ୍‌ ରାଓ୍ଵତ୍‌ ଯେ ତାଙ୍କର ସାମ୍ବିଧାନିକ ଲକ୍ଷ୍ମଣ ରେଖା ଅତିକ୍ରମ କରି ରାଜନୀତି ଓ ଧାର୍ମିକ କ୍ଷେତ୍ରକୁ ପଶି ଆସିଛନ୍ତି, ତାହା ଅଛପା ରହୁନାହିଁ। ବିଦେଶୀ, ବିଶେଷ କରି ପଡ଼ୋଶୀ ବାଂଲାଦେଶରୁ ଅନୁପ୍ରବେଶକୁ ପାକିସ୍ତାନର ଯୋଜନାବଦ୍ଧ ଭାରତ ବିରୋଧୀ ଅଭିଯାନର ଅଂଶ ବୋଲି କହିବା ପର୍ଯ୍ୟନ୍ତ କିଛି ଭୁଲ ନଥିଲା। ଜାତୀୟ ନିରାପତ୍ତା ପରିପ୍ରେକ୍ଷୀରେ ଅନୁପ୍ରବେଶ ପ୍ରସଙ୍ଗ ଉଠାଇବା ମଧ୍ୟ ଜେନେରାଲଙ୍କ ପକ୍ଷରେ ଆଦୌ ଅଯୌକ୍ତିକ ନୁହେଁ। କିନ୍ତୁ ଏଆଇୟୁଡିଏଫ୍‌ର ଉତ୍ତରଣକୁ ଅନୁପ୍ରବେଶ ସହ ଯୋଡ଼ି ଏହାକୁ ବିଜେପିର ସଂପ୍ରସାରଣକୁ ସହ ତୁଳନା କରିବା ସେନାଧ୍ୟକ୍ଷଙ୍କ ପକ୍ଷରେ ଉଚିତ ହୋଇନାହିଁ। ଅବଶ୍ୟ ଏହା ଏକ ବାସ୍ତବତା ଯେ ବହୁସଂଖ୍ୟାରେ ବାଂଲାଦେଶୀ ବିଦେଶୀଙ୍କ ଅନୁପ୍ରବେଶ ଏଆଇୟୁଡିଏଫର ଶକ୍ତି ବୃଦ୍ଧିରେ ସହାୟକ ହୋଇଛି। ଜନାଧାର ସଂପ୍ରସାରଣ ଫଳରେ ଏହି ଦଳର ସାଂସଦ ସଂଖ୍ୟା ଏବେ ୩ ଓ ବିଧାୟକଙ୍କ ସଂଖ୍ୟା ୧୩। ତେବେ, ବାସ୍ତବତା ହେଲେ ସୁଦ୍ଧା ସେନାଧ୍ୟକ୍ଷଙ୍କ ମୁହଁରୁ ଏହା ଉପରେ ଟିକାଟିପ୍ପଣୀ ଆଶା କରାଯାଏ ନାହିଁ। ଏ ପ୍ରସଙ୍ଗ ରାଜନୀତିର ପରିସରଭୁକ୍ତ। ସମ୍ବିଧାନ ସେନାଧ୍ୟକ୍ଷଙ୍କୁ ରାଜନୀତିରେ ମୁଣ୍ଡ ପୂରାଇବା ଲାଗି ଅନୁମତି ଦେଇ ନାହିଁ। ହିନ୍ଦୁତ୍ୱ ଦଳ ଭାବେ ପରିଚିତ ବିଜେପି ସହ ମୁଖ୍ୟତଃ ସଂଖ୍ୟାଲଘୁ ଜନାଧାର ଥିବା ଏଆଇୟୁଡିଏଫ୍‌ର ତୁଳନାରୁ କେଉଁଠି ନା କେଉଁଠି ରାଜନୀତି ଓ ସାଂପ୍ରଦାୟିକତାର ଗନ୍ଧ ବାହାରୁଛି।

ଏବେ ସେନାଧ୍ୟକ୍ଷଙ୍କ ପକ୍ଷରୁ ସଫେଇ ଦିଆଯାଇପାରେ ଯେ ତାଙ୍କର ମନ୍ତବ୍ୟର କଦର୍ଥ କରାଯାଉଛି। ଭୁଲ୍‌ ତର୍ଜମା କରାଯାଇଛି। କିନ୍ତୁ ଯାହା ସଫେଇ ଦେଲେ ବି ବିବାଦୀୟ ମନ୍ତବ୍ୟ ଦ୍ୱାରା ହୋଇଥିବା କ୍ଷତିର ଭରଣା ହୋଇ ପାରିବ ନାହିଁ। ଅଯଥା ବିବାଦ ସୃଷ୍ଟି ବ୍ୟତୀତ ଜେନେରାଲ ରାଓ୍ଵତଙ୍କ ମନ୍ତବ୍ୟର ଦୁର୍ଭାଗ୍ୟପୂର୍ଣ୍ଣ ତଥା ବିପଜ୍ଜନକ ପରିଣାମର ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ସେନାଧ୍ୟକ୍ଷଙ୍କ ମନ୍ତବ୍ୟ ଯୋଗୁ ଜାତୀୟ ନିରାପତ୍ତା ସହ ଯୋଡ଼ି ହୋଇଥିବା ଏକ ସ୍ପର୍ଶକାତର ପ୍ରସଙ୍ଗର ଅହେତୁକ ରାଜନୀତୀକରଣ ଓ ଏକପ୍ରକାର ସାଂପ୍ରଦାୟିକୀକରଣର ଆଶଙ୍କା ସୃଷ୍ଟି ହେଉଛି। ରାଜନୈତିକ ବାଦବିବାଦ ମଧ୍ୟରେ ଅସଲ ପ୍ରସଙ୍ଗ ହଜି ଯାଇପାରେ। ଅସଲ ପ୍ରସଙ୍ଗ ହେଲା, ବିଦେଶୀ ନାଗରିକଙ୍କ ଅନୁପ୍ରବେଶ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, କ୍ରମବର୍ଧିଷ୍ଣୁ ଅନୁପ୍ରବେଶ ଯୋଗୁଁ, ଉତ୍ତର-ପୂର୍ବାଞ୍ଚଳର ଲୋକସଂଖ୍ୟାର ଚିତ୍ର ଓ ଚରିଦ୍ର ବଦଳି ଯାଉଛି। ବିଶେଷକରି ଆସାମରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଲୋକସଂଖ୍ୟାରେ ସଂଖ୍ୟାଲଘୁ ମୁସଲମାନଙ୍କ ସଂଖ୍ୟାଗରିଷ୍ଠତା ଥିବା ଜିଳ୍ଲା ସଂଖ୍ୟା ୫ରୁ ୯କୁ ବୃଦ୍ଧି ପାଇଛି। ଏହା ବିଦେଶୀ ନାଗରିକ ଅନୁପ୍ରବେଶ ନେଇ ରାଜ୍ୟରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଘନୀଭୂତ ଓ ସାମାଜିକ ସମସ୍ୟାକୁ ଅଧିକ ଜଟିଳ କରୁଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଦେଶୀ ନାଗରିକ ପ୍ରସଙ୍ଗରେ ବ୍ୟାପକ ଆନ୍ଦୋଳନ ଫଳରେ ଆସାମରେ ଦୀର୍ଘ କାଳ ଧରି ରାଜନୈତିକ ଓ ସାମାଜିକ ଅସ୍ଥିରତା ଲାଗି ରହିଥିଲା। ଏବେ ମଧ୍ୟ ଅସ୍ଥିରତାରୁ ଆସାମ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ। ଆସାମ ରାଜିନାମା ଅନୁଯାୟୀ ବିଦେଶୀ ଚିହ୍ନଟ ଓ ବହିଷ୍କାର ପ୍ରକ୍ରିୟାର ଅଗ୍ରଗତି ଆଦୌ ସନ୍ତୋଷଜନକ ନୁହେଁ। ଏବେ ଆସାମରେ ଏକ ଜାତୀୟ ନାଗରିକ ରେଜିଷ୍ଟ୍ରାର ପ୍ରସ୍ତୁତ କରାଯାଇ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଉଛି। ତେବେ ଜାତୀୟ ନାଗରିକ ରେଜିଷ୍ଟ୍ରାରକୁ କେନ୍ଦ୍ର କରି ବିବାଦ ଚାଲିଥିବା ବେଳେ ଜେନେରାଲ୍‌ ରାଓ୍ଵତ୍‌ଙ୍କ ମନ୍ତବ୍ୟ ସେ ବିବାଦର ନିଆଁରେ ଘିଅ ଢାଳି ଚିହ୍ନଟ ଓ ବହିଷ୍କାର ପ୍ରକ୍ରିୟା ପାଇଁ ବାତାବରଣକୁ ଅଧିକ ପ୍ରତିକୂଳ କରିଦେଇପାରେ। ବିଦେଶୀ ନାଗରିକ ସମସ୍ୟାର ସମାଧାନ ଲାଗି ଜେନେରାଲ ରାଓ୍ଵତ୍‌ ବିକାଶ ଓ ଲୋକସଂଖ୍ୟାର ମିଶ୍ରଣ ଭଳି କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି, ଯାହା ରାଜନୈତିକ କାର୍ଯ୍ୟନିର୍ବାହୀ ଦ୍ୱାରା ବିଚାରର ଅପେକ୍ଷା ରଖେ। କିନ୍ତୁ ଜେନେରାଲଙ୍କ ବିବାଦୀୟ ରାଜନୈତିକ ମନ୍ତବ୍ୟ ପ୍ରସ୍ତାବଗୁଡ଼ିକର ଗୁରୁତ୍ୱ ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିଛି।

ଏ ବିବାଦରୁ ଅନ୍ତତଃ ସେନାଧ୍ୟକ୍ଷ ଶିକ୍ଷା ଲାଭକରନ୍ତୁ। ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଓ ସେନାର ପରମ୍ପରାକୁ ସମ୍ମାନ ଦେଇ ସେ ରାଜନୀତିର କ୍ଷେତ୍ର ରାଜନେତାଙ୍କୁ ଛାଡ଼ି ଜାତୀୟ ନିରାପତ୍ତାର ଯେଉଁ ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି ତା’ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଠିକ ହେବ। ଉଭୟ ଆଚରଣ ତଥା ଉଚ୍ଚାରଣରେ ସେନା ଦ୍ୱାରା ଶୃଙ୍ଖଳା ତଥା ମର୍ଯ୍ୟାଦାର ଉଲ୍ଲଂଘନର ପରିଣତି କଦାପି ସୁଖଦ ହେବ ନାହିଁ।

ସମ୍ବନ୍ଧିତ ଖବର