ଡାକ୍ତର ଇମରାନ

ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ରହିଥିବା ଅନେକ ହାସ୍ୟରସାତ୍ମକ ଗଳ୍ପ ମଧୢରୁ ଗୋଟିକରେ ତାଙ୍କୁ ଏକ ଡାକ୍ତର ଚରିତ୍ରରେ ଦେଖିବାକୁ ମିଳେ। ତହିଁରେ ସଦ୍ୟ ମୃତ୍ୟୁ ଲାଭ କରିଥିବା ଜଣେ ବ୍ୟକ୍ତିଙ୍କ ସ୍ଥିତି ଯାଞ୍ଚ କରିବାକୁ ଯାଇ ମୁଲ୍ଲା ତାଙ୍କ ନାମ ଧରି ଡାକିବାରେ ସେ ବ୍ୟକ୍ତି ସ୍ବାଭାବିକ ଭାବେ ନ ଶୁଣନ୍ତେ ତାଙ୍କ କାନ ଖରାପ ଅଛି ବୋଲି କହି ମୁଲ୍ଲା ଚିଠାରେ ଔଷଧ ଲେଖି ଦେଇଥିିଲେ। ଏହି ଭଳି ଜଣେ ଡାକ୍ତର ରୂପେ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଆବିର୍ଭାବ ଘଟିଛି, ଯହିଁରେ ସେ ପାକିସ୍ତାନର ମୁମୂର୍ଷୁ ଅର୍ଥନୀତିର ଚିକିତ୍ସକ ରୂପେ ପ୍ରଦାନ କରିଥିବା ନିଦାନରେ ନସିରୁଦ୍ଦିନ ସୁଲଭ ଲକ୍ଷଣ ଦେଖିବାକୁ ମିଳିଥାଏ। ପ୍ରକାଶ ଥାଉ କି ଗଲା ସପ୍ତାହରେ ଲାହୋର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମରାନ ଖାଁ ଏଭଳି ମତ ପ୍ରଦାନ କରିଥିଲେ। କିନ୍ତୁ ତାହା ସହିତ ଯାହା ତାଙ୍କୁ ଚର୍ଚ୍ଚାରେ ରଖିଛି ତାହା ହେଲା ଲଙ୍କାରେ ହରି ଶବ୍ଦ ସଦୃଶ ସେହି ସଭାରେ ତାଙ୍କ ମୁଖ ନିଃସୃତ ଭାରତୀୟ ଅର୍ଥନୈତିକ ସମୃଦ୍ଧିର ଭୂୟସୀ ପ୍ରଶ˚ସା। ଏହି ପରିପ୍ରେକ୍ଷୀରେ ଏହି କୌତୁହଳପ୍ରଦ ପ୍ରସଙ୍ଗ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଇମରାନ ଖାଁ ପୋଷଣ କରିଥିବା ମତ ଅନୁସାରେ ବିଗତ ତିନି ଦଶନ୍ଧି ମଧୢରେ ଭାରତର ଅତ୍ୟନ୍ତ ଦ୍ରୁତ ଆର୍ଥିକ ପ୍ରଗତି ପଛରେ ଥିବା ମୁଖ୍ୟ କାରଣ ହେଉଛି ‘ଟେକ୍‌ ଏକ୍‌ସପୋର୍ଟ‌୍‌’ ବା ସୂଚନା ପ୍ରଯୁକ୍ତିର ରପ୍ତାନି ଯାହା ବାର୍ଷିକ ୧୫୦ ବିଲିଅନ ଡଲାର୍‌ ସ୍ପର୍ଶ କରିଛି। ଅଥଚ, ପାକିସ୍ତାନରେ ‘ଟେକ୍‌ ଏକ୍‌ସପୋର୍ଟ’ରୁ (୭୦ ପ୍ରତିଶତ ଅଭିବୃଦ୍ଧି ସତ୍ତ୍ବେ) ଆୟର ପରିମାଣ ବର୍ଷକୁ ମାତ୍ର ୨ ବିଲିଅନ ଡଲାର୍। ଏଥି ଲାଗି ଇମରାନ ପାକିସ୍ତାନର ପାର˚ପରିକ ଆଭିମୁଖ୍ୟ ଉପରେ ଦୋଷାରୋପ କରିଥିଲେ, ଯାହା କୁଆଡ଼େ ରପ୍ତାନି ନେଇ ସର୍ବଦା ବିତସ୍ପୃହ ରହି ଆସିଛି। ଅଧିକ ଆମଦାନି ଏବ˚ ସ୍ବଳ୍ପ ରପ୍ତାନିରୁ ସୃଷ୍ଟ ଆର୍ଥିକ ନିଅଣ୍ଟ ଏବଂ ତଜ୍ଜନିତ ବିଦେଶୀ ମୁଦ୍ରା ଭଣ୍ତାରରେ ସୃଷ୍ଟ ଶୂନ୍ୟତା ଏବଂ ତାର ଭରଣା ଲାଗି ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (ଆଇ.ଏମ୍‌.ଏଫ୍‌.) ଅଥବା ‘ବିଶ୍ବ ବ୍ୟାଙ୍କ୍‌’ର ଋଣ ସ୍ରୋତ ଉପରେ ନିରନ୍ତର ନିର୍ଭରଶୀଳତା, ପାକିସ୍ତାନକୁ ଏକ ଆର୍ଥିକ ‘ଘାତ ଚକ୍ର’ ବା ‘ଭିସିଅସ୍‌ ସର୍କଲ୍‌’ ମଧୢକୁ ନିକ୍ଷେପ କରିଛି ବୋଲି ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ନବମ ଦଶକରେ ଭାରତର ଆର୍ଥିକ ଉଦାରୀକରଣ ପରିପ୍ରେକ୍ଷୀରେ ବିଦେଶୀ ପୁ˚ଜି ନିବେଶରେ ପ୍ରବାସୀ ଭାରତୀୟଙ୍କ ବିପୁଳ ଅବଦାନ ରହିଥିଲା, ଯାହା କ୍ରମେ ଅନ୍ୟାନ୍ୟ ବିଦେଶୀ ପୁ˚ଜି ନିବେଶକୁ ଆକର୍ଷଣ କରି ଭାରତକୁ ଏକ ବିଶାଳ ବଜାରରେ ପରିଣତ କଲା; ଅଥଚ ପ୍ରବାସୀ ପାକିସ୍ତାନୀମାନେ ଏ ଦିଗରେ ଅନାଗ୍ରହୀ ରହି ପାକିସ୍ତାନକୁ ପଛରେ ପକାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତୋତ୍ତର ଇତିହାସରେ ବର୍ତ୍ତମାନ ହିଁ ପାକିସ୍ତାନ ସର୍ବାଧିକ ଆର୍ଥିକ ଦୁଃସ୍ଥିତି ମଧୢ ଦେଇ ଗତି କରୁଛି। ପ୍ରକାଶ ଥାଉ କି ଉଭୟ ‘ଆଇ.ଏମ୍‌.ଏଫ୍‌.’ ଏବ˚ ‘ବିଶ୍ବ ବ୍ୟାଙ୍କ୍’ ପକ୍ଷରୁ ପ୍ରସ୍ତୁତ ଆକଳନରେ ୨୦୨୧-୨୨ ଆର୍ଥିକ ବର୍ଷରେ ପାକିସ୍ତାନର ଅଭିବୃଦ୍ଧିକୁ ଅତ୍ୟନ୍ତ ନୀଚା ଯଥାକ୍ରମେ ୧.୫ ପ୍ରତିଶତ ଏବ˚ ୧.୩ ପ୍ରତିଶତ ବୋଲି ଦର୍ଶାଇଛନ୍ତି। ସ˚ପ୍ରତି ପାକିସ୍ତାନରେ ଖାଦ୍ୟ ମୁଦ୍ରାସ୍ଫୀତି ଏଭଳି ଉତ୍କଟ ଯେ ଦେଶର ୯୦ ପ୍ରତିଶତ ବ୍ୟକ୍ତି ସେମାନଙ୍କ ଉପାର୍ଜନର ୮୦ ପ୍ରତିଶତ ଅର୍ଥ ଦୈନନ୍ଦିନର ଆହାର ଲାଗି ବ୍ୟୟ କରିବାକୁ ବାଧୢ ହେଉଛନ୍ତି ଏବ˚ ଅଧିକରୁ ଅଧିକ ପାକିସ୍ତାନୀ ପରିବାର ଦରିଦ୍ର ହେବାରେ ଲାଗିଛନ୍ତି। ୟୁ.ଏନ୍‌.ଡି.ପି. ପକ୍ଷରୁ ପ୍ରସ୍ତୁତ ‘ନେସନାଲ ହ୍ୟୁମାନ ଡେଭଲପ୍‌ମେଣ୍ଟ ରିପୋର୍ଟ‌୍‌’ ଅନୁସାରେ ପାକିସ୍ତାନରେ ମଧୢବିତ୍ତଙ୍କ ସ˚ଖ୍ୟା ୪୨ ପ୍ରତିଶତ (୨୦୧୯-୨୦)ରୁ ସ˚କୁଚିତ ହୋଇ ୩୬ ପ୍ରତିଶତ (୨୦୨୦-୨୧)ରେ ପହଞ୍ଚିଛି। ପାକିସ୍ତାନର ଋଣର ପରିମାଣରେ କିଭଳି ଅତିକାୟ ବୃଦ୍ଧି ଘଟିଛି ତାହା ଗୋଟିଏ ଉଦାହରଣରୁ ଜଣାପଡ଼ିବ। ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନଵାଜ ସରିଫଙ୍କ ଶାସନ କାଳରେ ପାକିସ୍ତାନର ଅତିରିକ୍ତ ଦୈନିକ ଋଣର ପରିମାଣ ୮ ବିଲିଅନ ଡଲାର୍‌ ଥିବା ବେଳେ ବର୍ତ୍ତମାନ ତାହା ଦୈନିକ ୧୮ ବିଲିଅନ ଡଲାର୍‌ରେ ପହଞ୍ଚିଲାଣି।

ତେବେ, ୧୯୭୦ ମସିହା ବେଳକୁ ଏକ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ସ˚ପନ୍ନ ପାକିସ୍ତାନ (ଭାରତର ତତ୍କାଳୀନ ଜି.ଡି.ପି.ର ପ୍ରାୟ ଦେଢ଼ ଗୁଣ) କାହିଁକି ଅନଟନର ଏଭଳି ଏକ ଗହ୍ବର ମଧୢକୁ ଠେଲି ହୋଇଯାଇଛି ବୋଲି ପ୍ରଶ୍ନ କଲେ ପାକିସ୍ତାନର ଅଧିକା˚ଶ ଗଣମାଧୢମ ବା ବିଶ୍ଳେଷକମାନେ ଯେଉଁ ମତ ପ୍ରଦାନ କରିଥାଆନ୍ତି, ତାହା ହେଲା ଅର୍ଥନୈତିକ ସ˚ସ୍କାରର ଅଭାବ, ଏକ ଅତ୍ୟନ୍ତ ଦୁର୍ବଳ ଟିକସ ପ୍ରଶାସନ (ମାତ୍ର ୧ ପ୍ରତିଶତ ପାକିସ୍ତାନୀ ଆୟ କର ଦିଅନ୍ତି!) ଏବ˚ ଉଚ୍ଚ ସ୍ତରୀୟ ଦୁର୍ନୀତି। କିନ୍ତୁ ସାହସ ସ˚ଚାର କରି ପାରୁଥିବା ସାମ୍ବାଦିକମାନେ ପାକିସ୍ତାନର ଏଭଳି ସ୍ଥିତି ଲାଗି ‘ମିଲିଟାରି’ ଏବ˚ ‘ମିଲିଟାରି’ ସମ୍ମୁଖରେ ନତଜାନୁ ସରକାର ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଫ୍ରାନ୍‌ସରେ ଆତ୍ମ ନିର୍ବାସନରେ ରହିଥିବା ପ୍ରଖ୍ୟାତ ପାକିସ୍ତାନୀ ସାମ୍ବାଦିକ ତେହ ସିଦ୍ଦିକିଙ୍କ ଦ୍ବାରା ଲିଖିତ ଏକ ଆଲେଖ୍ୟ ପ୍ରଣିଧାନଯୋଗ୍ୟ। ଏହା ଅନୁସାରେ ପାକିସ୍ତାନର ରାଷ୍ଟ୍ରୀୟ ବଜେଟ୍‌ର ୧୮ରୁ ୨୩ ପ୍ରତିଶତ ଅର୍ଥ ଲାଭ କରିଥାଏ ‘ମିଲିଟାରି’।

ସୂଚନାଯୋଗ୍ୟ ଯେ ‘ମିଲିଟାରି’ ଲାଗି ବଜେଟ୍‌ ବ୍ୟୟରେ ହ୍ରାସ ଘଟାଇବା ପାଇଁ ‘ଆଇ.ଏମ.୍‌ଏଫ୍‌.’ ପକ୍ଷରୁ ପ୍ରାକ୍‌ ଋଣ ପ୍ରଦାନ ସର୍ତ୍ତ ରଖାଯାଉଥିବା ସତ୍ତ୍ବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ପ୍ରଚ୍ଛନ୍ନ ଭାବେ ଏହାର ଉଲ୍ଲଂଘନ କରାଯାଇ ଚାଲିଛି। ଏପରିକି ଗଲା ବଜେଟ୍‌ରେ ‘ମିଲିଟାରି’କୁ ପୂର୍ବ ବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସିଦ୍ଦିକି କହନ୍ତି ଯେ ପାକିସ୍ତାନର ସାମରିକ ବାହିନୀ ହେଉଛି ଅପରିମେୟ ବିତ୍ତର ଅଧିକାରୀ ଏକ ଅନୁଷ୍ଠାନ ଯାହା ୫୦ରୁ ଅଧିକ ବିଶାଳ ବ୍ୟାବସାୟିକ କାରବାରରେ ସ˚ପୃକ୍ତ, ଯହିଁରେ ଖଣିଜ ପଦାର୍ଥ ଏବ˚ ଖଣିଜ ତୈଳ ଉତ୍ତୋଳନ ଭଳି ଅତ୍ୟନ୍ତ ଲାଭଦାୟକ କାରବାର ମଧୢ ଅନ୍ତର୍ଭୁକ୍ତ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହା ସତ୍ତ୍ବେ ପାକିସ୍ତାନ ‘ମିଲିଟାରି’ ଦ୍ବାରା ବଜେଟ୍‌ର ଏକ ବୃହଦା˚ଶ ଅକ୍ତିଆର କରାଯାଇଥାଏ, ଯାହା ଅନ୍ୟଥା ରାଷ୍ଟ୍ରର ଉନ୍ନତି କଳ୍ପେ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୁକ୍ତ ହୋଇପାରନ୍ତା।

ପରିହାସର ସହିତ କୁହାଯାଇଥାଏ ଯେ ପାକିସ୍ତାନ ପ୍ରକୃତରେ ହେଉଛି ଗୋଟିଏ ‘ମିଲିଟାରି’, ଯାହା ହାତରେ ଦେଶଟିଏ ଅଛି! ଏ ସ˚ଦର୍ଭରେ ଯଦି କେହି ପ୍ରଶ୍ନ କରନ୍ତି ଯେ ପାକିସ୍ତାନରେ ‘ମିଲିଟାରି’ ଏଭଳି ଅମିତ ଶକ୍ତିର ଅଧିକାରୀ ହେଲା କେମିତି? ତେବେ ତତ୍‌କ୍ଷଣାତ୍‌ ଯେଉଁ ଉତ୍ତରେ ମିଳିବ, ତାହା ହେଉଛି ସ୍ବାଧୀନତା ପର ଠାରୁ ପାକିସ୍ତାନ ସରକାରଙ୍କ ଦ୍ବାରା ପରିଚାଳିତ ଆପଣା ହସ୍ତେ ଜିହ୍ବାଛେଦୀ କାର୍ଯ୍ୟକ୍ରମ, ଯହିଁରେ ପ୍ରଥମରୁ ଭାରତ ବିରୋଧୀ ଆତଙ୍କବାଦକୁ ପରିପୁଷ୍ଟ କରିବାରେ ‘ସାମରିକ ବାହିନୀ’ର ସଘନ ବ୍ୟବହାର କରାଯାଇଛି। ଏହି କ୍ରମରେ ଯଦିଓ ପାକିସ୍ତାନ ଏକ ସଫଳ ଆତଙ୍କବାଦୀ ନିର୍ମାଣ କାରଖାନାରେ ପରିଣତ ହୋଇଛି ଏବ˚ ତାହାର ଉତ୍ପାଦ ତାଲିବାନ ସ˚ପ୍ରତି ଆଫଗାନିସ୍ତାନ ଦଖଲ କରି ପାକିସ୍ତାନକୁ ଏହି କ୍ଷେତ୍ରରେ ଚୂଡ଼ାନ୍ତ ସଫଳତା ପ୍ରଦାନ କରିଛି, ଏହି କାରଣରୁ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ବହୁ ମୂଲ୍ୟ ଦେବାକୁ ପଡୁଛି ମଧୢ। ଏହି କାରଣରୁ ପାକିସ୍ତାନରେ ଏଭଳି ଅନେକ ଆତଙ୍କବାଦୀ ଗୋ‌ଷ୍ଠୀ ମଧୢ ସୃଷ୍ଟି ହୋଇଛନ୍ତି ଯେଉଁମାନେ ପାକିସ୍ତାନକୁ ଏକ ଚରମ ମୌଳବାଦୀ ରାଷ୍ଟ୍ର ରୂପେ ଦେଖିବାକୁ ଯାଇ ତାକୁ ଏକ ଧ୍ବ˚ସସ୍ତୂପରେ ପରିଣତ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ।

କିନ୍ତୁ ଯାହା ସର୍ବାଧିକ କଟୁ ସତ୍ୟ ତାହା ହେଲା, ଏଭଳି ହୀନ ଉ‌େଦ୍ଦଶ୍ୟରେ ନିୟୋଜିତ ‘ମିଲିଟାରି’ କ୍ରମେ ସର୍ବ ଶକ୍ତିମାନ ହେବା ସହିତ ପାକିସ୍ତାନ ସରକାରଙ୍କୁ ଆୟତ୍ତ କରିଛି ଏବ˚ ତା’ ସହିତ ବିଶ୍ବ ସମୁଦାୟ ସମ୍ମୁଖରେ ପାକିସ୍ତାନକୁ ଏକ ସନ୍ଦେହାସ୍ପଦ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ରୂପେ ଛିଡ଼ା କରାଇଛି। କହିବା ଅନାବଶ୍ୟକ ଯେ ଏଭଳି ବାତାବରଣ କୌଣସି ଦେଶ ଲାଗି ବିଦେଶୀ ପୁ˚ଜି ଆମନ୍ତ୍ରଣ କରି ପାରନ୍ତା ନାହିଁ ବା ଔଦ୍ୟୋଗିକ ବିକାଶ ବା ଉଚ୍ଚାଙ୍ଗ ଗବେଷଣା ଆଦିକୁ ପ୍ରଶ୍ରୟ ଦେଇ ପାରନ୍ତା ନାହିଁ। ତେଣୁ ଡାକ୍ତର ଇମରାନ ତାଙ୍କ ଦେଶର ଆର୍ଥିକ ରୁଗ୍‌ଣତାର ନିଦାନ ଖୋଜିଲା ବେଳେ ଏହି ମୂଳ କାରଣ ଠାରେ ପହଞ୍ଚିବା ଦରକାର, ଯେଉଁ କାରଣଟି ସୃଷ୍ଟି କରିବାରେ ତାଙ୍କର ମଧୢ ଏକ ବଡ଼ ଭୂମିକା ରହିଛି ଏବ˚ ସେ ସ୍ବୀକାର କରନ୍ତୁ ବା ନ କରନ୍ତୁ ତାହା ଏକ କ୍ୟାନ୍‌ସର ଭଳି ମାଡ଼ି ଯାଇ ସେ ଦେଶର ଅର୍ଥନୀତିକୁ ମୁମୂର୍ଷୁ କରି ପକାଇଲାଣି

ସମ୍ବନ୍ଧିତ ଖବର