ନିଷିଦ୍ଧ ଆପଲ୍‌

ଭୋଗବିଳାସର ଉପାସକମାନେ ନିଜର ଆଚରଣକୁ ଏକ ବୌଦ୍ଧିକ ଯଥାର୍ଥତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ସମୟରେ ନିଜକୁ ଖ୍ରୀ.ପୂ. ଚତୁର୍ଥ-ତୃତୀୟ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ଏପିକ୍ୟୁରସ୍‌ଙ୍କ ଅନୁଗାମୀ ବୋଲି ପ୍ରଦର୍ଶିତ କରିଥା’ନ୍ତି। ସେମାନଙ୍କର ଏହି ଦାବି କିନ୍ତୁ ସମ୍ପୂର୍ଣ୍ଣ ସତ୍ୟତା ଉପରେ ଆଧାରିତ ନୁହେଁ। କାରଣ ଏପିକ୍ୟୁରସ୍ କେବେହେଲେ ଲଗାମହୀନ ଉପଭୋଗ କିମ୍ବା ସୀମାହୀନ ଲାଳସାର ସମର୍ଥକ ନ ଥିଲେ। ବରଂ ଆଶ୍ଚର୍ଯ୍ୟ ନ ହୋଇ ରହି ହୁୁଏ ନାହିଁ ଯେ ଗବେଷକମାନଙ୍କ ମତରେ ଏପିକ୍ୟୁରସ୍‌ଙ୍କ ଉପଭୋଗବାଦର ଅନ୍ୟ ଯେଉଁ ଜଣେ ମହାନ୍ ଚିନ୍ତାନାୟକଙ୍କ ଜୀବନଦର୍ଶନ ସହିତ ଗଭୀର ସାମଞ୍ଜସ୍ୟ ରହିଛି, ସେ ହେଉଛନ୍ତି ଉପଭୋଗବାଦର ସମ୍ପୂର୍ଣ୍ଣ ବିରୋଧୀ ରୂପେ ସୁପରିଚିତ, ବୌଦ୍ଧ ଧର୍ମର ପ୍ରତିଷ୍ଠାତା, ଖ୍ରୀ.ପୂ. ଷଷ୍ଠ-ପଞ୍ଚମ ଶତାବ୍ଦୀର ଭାରତୀୟ ଦାର୍ଶନିକ ଗୌତମ ବୁଦ୍ଧ।

ତାଙ୍କର ଦୁଇ ଶତାବ୍ଦୀ ପୂର୍ବେ ସୁଦୂର ଭାରତରେ ଜନ୍ମିତ ବୁଦ୍ଧଙ୍କ ଚିନ୍ତାଧାରା ସହିତ ଏପିକ୍ୟୁରସ୍‌ଙ୍କ ଚିନ୍ତାଧାରାର ମେଳକର ରହସ୍ୟ ଭେଦ କରିବାକୁ ଯାଇ କେତେକ ଅନୁସନ୍ଧାନକାରୀ ମତ ପ୍ରକାଶ କରିଥା’ନ୍ତି ଯେ ଏପିକ୍ୟୁରସ୍‌ଙ୍କୁ ଆରମ୍ଭରୁ ପ୍ରଭାବିତ କରିଥିବା ଦୁଇଜଣ ଗ୍ରୀକ୍ ଦାର୍ଶନିକ-ଡେମୋକ୍ରିଟସ୍ ଏବଂ ପିରୋ ଭାରତ ଭ୍ରମଣ କରି ବୁଦ୍ଧଙ୍କ ଦର୍ଶନ ସହିତ ପରିଚିତ ହୋଇଥିଲେ, ଯାହା ସେମାନେ ଗ୍ରୀସ୍‌କୁ ବହନ କରି ଆଣିଥିଲେ। ବୋଧହୁଏ ତେଣୁ ବୌଦ୍ଧ ଦର୍ଶନ ଦ୍ବାରା ପ୍ରଭାବିତ ହୋଇ ଏପିକ୍ୟୁରସ୍‌ ଙ୍କ ଉପଭୋଗବାଦ ମଧ୍ୟ ମଧ୍ୟମ ମାର୍ଗ ଉପରେ ପ୍ରତିଷ୍ଠିତ ହୋଇଥିଲା। ଏଥେନ୍‌ସରେ ଏପିକ୍ୟୁରସ୍ ପ୍ରତିଷ୍ଠା କରିଥିବା ତାଙ୍କର ପାଠଶାଳା ଏକ ପ୍ରମୋଦ ଉଦ୍ୟାନର ରୂପ ପରିଗ୍ରହଣ କରିଥିଲା ସତ, କିନ୍ତୁ ସେଠାରେ କେବଳ ଶୃଙ୍ଖଳିତ ଉପଭୋଗ ହିଁ ଅନୁମୋଦନ ଲାଭ କରିଥିଲା।

ଏପିକ୍ୟୁରସ୍‌ଙ୍କ ମତରେ ମନୁଷ୍ୟର ଆବଶ୍ୟକ କାମନା ସହଜରେ ପୂରଣ ହୋଇ ପାରିବା ପାଇଁ ପ୍ରକୃତି ବ୍ୟବସ୍ଥା କରିଛି; କିନ୍ତୁ ମନୁଷ୍ୟ ସେତିକିରେ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ଅନାବଶ୍ୟକ କାମନାର ଅନୁଧାବନ କରିଥାଏ, ଯାହାର ଫଳ ହୋଇଥାଏ କେବଳ ମାନସିକ ଯନ୍ତ୍ରଣା, ଯାହା ଶାରୀରିକ ଯନ୍ତ୍ରଣା ତୁଳନାରେ ବହୁ ଅଧିକ ଅସହନୀୟ ହୋଇଥାଏ। ଯୁଗ ଯୁଗ ଧରି ମନୁଷ୍ୟ ଯେ ବୁଦ୍ଧ ବା ଏପିକ୍ୟୁରସ୍‌ଙ୍କ ଏହି ହିତୋପଦେଶର ଉପାଦେୟତା ହୃଦୟଙ୍ଗମ କରି ନାହିଁ, ଏପରି ନୁହେଁ, କିନ୍ତୁ ପୃଥିବୀ ପୃଷ୍ଠରେ ଏକମାତ୍ର ଅର୍ଥନୈତିକ ପ୍ରାଣୀ ରୂପେ ପରିଚିତ ମନୁଷ୍ୟର ଦୀର୍ଘ ଇତିହାସକୁ ଯଦି ଗୋଟିଏ ବାକ୍ୟରେ ବର୍ଣ୍ଣନା କରାଯାଏ, କୁହାଯିବ ଯେ ତାହା ହେଉଛି- ଅନାବଶ୍ୟକ କାମନାର ନିରବଚ୍ଛିନ୍ନ ଅନୁଧାବନ।

ଆମୋଦଦାୟକ ଭାବରେ ଆଧୁନିକ ଦାର୍ଶନିକମାନେ ଏପିକ୍ୟୁରସ୍‌ଙ୍କ ଏହି କାମନା ବିଭାଜନ ବୁଝାଇବାକୁ ଯାଇ ଏକ ଉଦାହରଣ ବ୍ୟବହାର କରିବା ଦେଖାଯାଇଥାଏ, ଯାହା ଏହି ଇତିହାସର ଏକ ପ୍ରତିଛବି ଭଳି ମନେ ହୋଇଥାଏ। ଯେଉଁ ଇଚ୍ଛା ହେଉଛି ଆବଶ୍ୟକ ଶ୍ରେଣୀର, ତାହା ସହଜରେ ପୂରଣ ହୋଇ ପାରିବା ପାଇଁ ପ୍ରକୃତି କିପରି ବ୍ୟବସ୍ଥା କରିଛି, ତାହା ଦର୍ଶାଇବାକୁ ଯାଇ ସେମାନେ କହନ୍ତି ଯେ ସେଥିପାଇଁ ଆପଲ୍‌ ନାମକ ଫଳ ଗଛରେ ଫଳି ଥାଏ; କିନ୍ତୁ ଅନାବଶ୍ୟକ ଇଚ୍ଛା ପୂରଣ କରୁଥିବା ଆପଲ୍‌ ନାମକ ମୋବାଇଲ୍ ଫୋନ୍ ଏକ ଜଟିଳ ପ୍ରକ୍ରିୟା ମାଧ୍ୟମରେ କାରଖାନାରେ ନିର୍ମିତ ହୋଇ ଏଭଳି ଦୁର୍ମୂଲ୍ୟ ହୋଇଥାଏ ଯେ ତାହା ଅଧିକାଂଶ ଗ୍ରାହକମାନଙ୍କର ପହୁଞ୍ଚ ବାହାରେ ଥାଏ।

କିନ୍ତୁ କଠୋର ସତ୍ୟ ହେଉଛି ଏହା ଯେ, ସରଳ କ୍ଷୁଧା ନିବାରଣ କରୁଥିବା ଗଛରେ ଫଳୁଥିବା ଆପଲ୍‌ ନୁହେଁ, ମନୁଷ୍ୟର ଅନେକ ଜଟିଳ ପିପାସା ମେଣ୍ଟାଉଥିବା ଆପଲ୍‌ ଆଇ-ଫୋନ୍ ଭଳି ପଦାର୍ଥ ହିଁ ବୁଦ୍ଧ ବା ଏପିକ୍ୟୁରସ୍‌ଙ୍କ ସମୟରୁ ବର୍ତ୍ତମାନ ସମୟ ମଧ୍ୟରେ ମନୁଷ୍ୟ ହାସଲ କରିଥିବା ଚମକପ୍ରଦ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍ ରୂପେ କାର୍ଯ୍ୟ କରି ଆସିଛି। ଏହାର ଏକ ଶକ୍ତିଶାଳୀ ପ୍ରମାଣ ସ୍ବରୂପ ବର୍ତ୍ତମାନ ପୃଥିବୀର ସର୍ବାଧିକ ମୂଲ୍ୟବାନ୍ କମ୍ପାନି ଆଉ କେହି ନୁହେଁ; ତାହା ହେଉଛି ଆଇ-ଫୋନ୍‌ର ନିର୍ମାଣକାରୀ କମ୍ପାନି- ‘ଆପଲ୍‌’। ଗତ ମାସରେ ଏହି କମ୍ପାନିର ବଜାର ମୂଲ୍ୟ (ଏହ‌ାର ଅଂଶ ପତ୍ର ସବୁର ମୋଟ ମୂଲ୍ୟ) ଏକ ରେକର୍ଡ ୩ ଟ୍ରିଲିଅନ୍ ଡଲାର୍ ଛୁଇଁବା ଛୁଇଁବା ହୋଇ ଶିଳ୍ପ ବ୍ୟବସାୟ ଜଗତ୍‌ରେ ଚହଳ ସୃଷ୍ଟି କରିଥିଲା।

ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଯେତେବେଳେ ୨୦୧୯ରେ ଠିକା ଭିତ୍ତିରେ ଆଇଫୋନ୍ ନିର୍ମାଣ କରୁଥିବା ତାଇୱାନ୍‌ର ‘ଫକ୍‌ସକନ୍’ କମ୍ପାନି ଭାରତରେ ତା’ର ଏକ କାରଖାନା ଉଦ୍‌ଘାଟନ କଲା, ସେତେବେଳେ ଏଠାକାର ଅର୍ଥନୈତିକ ଓ ରାଜନୈତିକ ମହଲରେ ତାହା ବେଶ୍ ହର୍ଷ ଉଲ୍ଲାସ ସୃଷ୍ଟି କରିଥିଲା। କେବଳ ଯେ ‘ଆପଲ୍‌’ ଭଳି ଏକ ଉଜ୍ଜ୍ବଳ ଜ୍ୟୋତିଷ୍କର ଏଠାରେ ଆବିର୍ଭାବ ଯୋଗୁଁ ଏଭଳି ଉଲ୍ଲାସ ସୃଷ୍ଟି ହୋଇଥିଲା, ତାହା ନୁହେଁ, ତାମିଲନାଡ଼ୁ ରାଜ୍ୟର ଶ୍ରୀପେରୁମ୍ବୁଦୁର ଠାରେ ଉଦ୍‌ଘାଟିତ ଏହି ‘ଫକ୍‌ସକନ୍’ କାରଖାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଆଗେଇ ନେବା ପାଇଁ ୨୫,୦୦୦ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଥିଲା ଏହି ଉଲ୍ଲାସର ଅନ୍ୟତମ କାରଣ। ଉଲ୍ଲେଖଯୋଗ୍ୟ, ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଅଗ୍ରଗତି ସ୍ବରୂପ ଏହି ଆଇଫୋନ୍ ନିର୍ମାଣକାରୀ କାରଖାନାରେ ଏ ପର୍ଯ୍ୟନ୍ତ ପ୍ରାୟ ୧୭,୦୦୦ ନିଯୁକ୍ତି ସୃଷ୍ଟି ହୋଇ ସାରିଲାଣି। ସୂଚନାଯୋଗ୍ୟ, ଭାରତକୁ ଯାହା ଏକ ଭିନ୍ନ ଆତ୍ମସନ୍ତୋ‌ଷ ପ୍ରଦାନ କରିଥାଏ, ତାହା ହେଲା- ଆମେରିକା ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ତିକ୍ତ ସମ୍ପର୍କ ଯୋଗୁଁ ଫକ୍‌ସକନ୍ ତା’ର ଚୀନ୍ ସ୍ଥିତ ଉତ୍ପାଦନ କେନ୍ଦ୍ର ଭାରତକୁ ସ୍ଥାନାନ୍ତରିତ କରିବାକୁ ପସନ୍ଦ କରିଛି।

ଏବେ କିନ୍ତୁ ଫକ୍‌ସକନ୍‌ର ଶ୍ରୀପେରୁମ୍ବୁଦୁର କାରଖାନା ଏପରି ଏକ ବିବାଦର କେନ୍ଦ୍ରସ୍ଥଳୀ ରୂପେ ଆବିର୍ଭୂତ ହୋଇଛି, ଯାହା ସେଇ ଉଲ୍ଲାସକୁ ଯନ୍ତ୍ରଣାରେ ପରିଣତ କରି ଦେଇଛି କହିଲେ ଭୁଲ୍‌ ହେବ ନାହିଁ। ଡିସେମ୍ବର ୧୭ ଦିନ କାରଖାନାର ମହିଳା କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇବା ପରେ ସେଠାକାର ପ୍ରକୃତ ଚିତ୍ର ପଦାକୁ ଆସିଥିଲା। ଆଇଫୋନ୍ ଆସେମ୍ଲିଂ କରୁଥିବା ଏହି ମହିଳା କର୍ମଚାରୀମାନଙ୍କୁ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ରହିବା ଓ ଖାଇବାକୁ ଦିଆଯାଉଥିବା ଯୋଗୁଁ ସେମାନେ ନିୟମିତ ଭାବରେ ଉଦର ବେମାରିରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତର ଶିକାର ହୋଇ ଆସୁଛନ୍ତି। ଉଦାହରଣ ସ୍ବରୂପ ଗୋଟିଏ ଗୋଟିଏ କୋଠରିରେ ୩୦ ଜଣ ପର୍ଯ୍ୟନ୍ତଙ୍କୁ ମୂଷା ଭଳି ଚଟାଣରେ ଶୋଇବାକୁ ପଡୁଥିବା ବେଳେ, ଖାଦ୍ୟରେ ପୋକ ସାଲୁବାଲୁ ହେଉଥିବା ଏକ ସାଧାରଣ ଘଟଣା ଏବଂ ପାଇଖାନାରେ ଜଳ ଯୋଗାଣର ବ୍ୟବସ୍ଥା ନ ଥାଏ।

ଶେଷରେ ଯେତେବେଳେ ଏକ ସମୟରେ ୨୫୦ ଜଣ ‌ଅନ୍ତେବାସିନୀ ବିଷାକ୍ତ ଖାଦ୍ୟ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଲେ, ଗ୍ରାମାଞ୍ଚଳରୁ ଆସିଥିବା ଏହି ନିରୀହ ଯୁବତୀମାନେ ଅଗତ୍ୟା ପ୍ରତିବାଦ କରିବାକୁ ରାଜରାସ୍ତାକୁ ଚାଲି ଆସିଥିଲେ। ବର୍ଷକ ତଳେ କର୍ଣ୍ଣାଟକରେ ଆପଲ୍‌ର ଅନ୍ୟ ଏକ ଠିକା ନିର୍ମାତା, ‘ୱିଷ୍ଟ୍ରନ୍‌’ଠାରେ ଏକ ଭିନ୍ନ ପ୍ରକାର ବିକ୍ଷୋଭ ଦେଖା ଦେବା ପରେ ‘ଆପଲ୍‌’ ସେଠାକାର କାରଖାନାକୁ ସାମୟିକ ବନ୍ଦ କରି ଦେଇଥିବା ଭଳି, ବର୍ତ୍ତମାନ ‘ଫକ୍‌ସକନ୍’ କାରଖାନାକୁ ଅବସ୍ଥାରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ବନ୍ଦ କରି ଦେଇଛି।

କିନ୍ତୁ ଏହି ଘଟଣା ଯାହା ସାବ୍ୟସ୍ତ କରିଥାଏ, ତାହା ହେଲା, ଏପିକ୍ୟୁରସ୍‌ଙ୍କ ଦର୍ଶନ ସୂଚାଇଥିବା ଭଳି ଆଇଫୋନ୍ ଭଳି ଅଭିଳଷିତ ଦ୍ରବ୍ୟ କେବଳ ବଜାରର ଚାହିଦା ପାର୍ଶ୍ବରେ ଥିବା ହତାଶ ଆଶାୟୀ ଗ୍ରାହକମାନଙ୍କ ପାଇଁ ମାନସିକ ଯନ୍ତ୍ରଣା ସୃଷ୍ଟି କରି ନଥାଏ; ସେମାନଙ୍କ ଚାହିଦା ପୂରଣ କରିବା ପାଇଁ ଯୋଗାଣ ପାର୍ଶ୍ବରେ କୂର୍ମ ପରି ନିର୍ମାଣରେ ଲାଗି ପଡ଼ି ଶୋଷଣର ଶିକାର ହେଉଥିବା ଶ୍ରମିକମାନଙ୍କ ପାଇଁ ଘୋର ଶାରୀରିକ ତଥା ମାନସିକ ଯନ୍ତ୍ରଣାର ମଧ୍ୟ କାରଣ ହୋଇଥାଏ। ଚାହିଦା ପାର୍ଶ୍ବ ହେଉଛି ବ୍ୟକ୍ତିର ନିଜସ୍ବ ଇଲାକା, କିନ୍ତୁ ଯୋଗାଣ ପାର୍ଶ୍ବର ଯନ୍ତ୍ରଣା ଦୂର କରିବା ହେଉଛି ରାଷ୍ଟ୍ରର ଦାୟିତ୍ବ- ଯେମିତି ‘ମେକ୍ ଇନ୍ ଇଣ୍ଡିଆ’ ଏକ ଯନ୍ତ୍ରଣାମୁକ୍ତ ଅଭିଯାନ ହୁଏ। ଭାରତରେ ‘ଆପଲ୍‌’ର ଆବିର୍ଭାବ ଯେପରି ବାଇବଲ୍ ବର୍ଣ୍ଣିତ ନିଷିଦ୍ଧ ଆପଲ୍‌ରେ ପରିଣତ ହୋଇ ଏଠାରେ ଅଧିକ ମାନବୀୟ ଯନ୍ତ୍ରଣାର କାରଣ ନ ହୁଏ।

ସମ୍ବନ୍ଧିତ ଖବର