ଗଣତନ୍ତ୍ର ‘ସୁପର୍‌ ସ୍ପ୍ରେଡର୍‌’!

୨୦୨୦ ମସିହାରେ ଆମ ପୃଥିବୀ କରୋନା ପାନ୍‌ଡେମିକ୍‌ର ଗ୍ରାସ ମଧୢକୁ ଯିବାକୁ ବସିଥିଲା ବେଳେ ପ୍ରାୟ ସମସ୍ତ ରାଷ୍ଟ୍ର ଯେଉଁ ଗାଇଡ୍‌ଲାଇନ୍‌ମାନ ଜାରି କରିଥିଲେ, ତାହା ପଢ଼ିଲେ ସାମରିକ ବିଦ୍ରୋହ ପରେ ସଦ୍ୟ କ୍ଷମତା ଦଖଲ କରିଥିବା କୌଣସି ଏକଛତ୍ରବାଦୀ ଶାସକ ଦ୍ବାରା ଜାରି ଆଦେଶନାମା ତୁଲ୍ୟ ମନେ ହୋଇପାରେ। କାରଣ ତହିଁରେ କେବଳ ମାସ୍କ ବା ସାନିଟାଇଜର ବ୍ୟବହାର ଅଥବା ବାରମ୍ବାର ହାତ ଧୋଇବା ଭଳି ପରାମର୍ଶକୁ ବାଦ୍‌ ଦେଲେ ଆଉ ଯାହା ସବୁ ଦେଖିବାକୁ ମିଳିଥିଲା, ସେଥିରେ ଅନ୍ତର୍ଭୁକ୍ତ ଥିଲା ସଭାସମିତି, ବୈଠକ ବା ଜନ ସମାବେଶ ଉପରେ ନିଷେଧାଦେଶ, ସାଧାରଣ ନାଗରିକ ଏକତ୍ର ହେବା ବିରୋଧରେ କଟକଣା (ଭାରତରେ ୧୪୪ ଧାରା ଏବ˚ ନାଇଟ୍‌ କର୍ଫ୍ୟୁ) ଏବ˚ ଗୃହ ମଧୢରେ ବନ୍ଦୀ ହୋଇ ରହିବାକୁ ଚେତାବନୀ। କହିବା ବାହୁଲ୍ୟ ଯେ ଏଭଳି ପାନ୍‌ଡେମିକ୍‌ ଗଣତାନ୍ତ୍ରିକ ବିଚାର ଓ ମୂଲ୍ୟବୋଧର ପରିପନ୍ଥୀ ହେବାକୁ ବାଧୢ, କାରଣ ଗଣତନ୍ତ୍ରଗୁଡ଼ିକ ଏହି ମହାମାରୀର ‘ସୁପର‌୍‌ ସ୍ପ୍ରେଡର‌୍‌’ ହେବାର ସମସ୍ତ ଉପାଦାନ ଧାରଣ କରିଥାଆନ୍ତି। ଏହି ସ˚ଦର୍ଭରେ ଗଲା ୪ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ ଆଦ୍‌ମୀ ପାର୍ଟି’ର ମୁଖ୍ୟ ଅରବିନ୍ଦ କେଜ୍ରିଵାଲ କୋଭିଡ୍‌ ସ˚କ୍ରମିତ ହୋଇଥିବା ବିଷୟ ଜଣାପଡ଼ିବା ଏବ˚ ତା’ ପରେ ସେ ‘ଟ୍ବିଟର‌୍‌’ରେ ପ୍ରବଳ ‘ଟ୍ରୋଲ୍‌’(ବାଚନିକ ଆକ୍ରମଣ)ର ଶିକାର ହେବା ଏକ ବିଶେଷ ଆଲୋଚନା ଲାଗି ଅବସର ସୃଷ୍ଟି କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ଓ ଗୋଆ ନିର୍ବାଚନରେ ପ୍ରଚାର କରିବା ଲାଗି ଘନଘନ ଗସ୍ତ (୧୫ ଦିନରେ ୧୧ ଥର) କରିଥିବା କେଜ୍ରିଵାଲ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ସଭା ଓ ଶୋଭାଯାତ୍ରାରେ ଅ˚ଶ ଗ୍ରହଣ କରିଥିଲେ ସୁଦ୍ଧା ‘ମାସ୍କ ପରିଧାନ’ ଏବ˚ ‘ଶାରୀରିକ ଦୂରତା ରକ୍ଷା’ ଭଳି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କୋଭିଡ୍‌ କଟକଣାକୁ ଜଳାଞ୍ଜଳି ଦେଇଥିଲେ। ସୁତରା˚, ସ˚ପ୍ରତି ବିଶ୍ବର ଅନେକ ଦେଶ ‘ଓମିକ୍ରନ୍‌’ ଜନିତ ଅଭୂତପୂର୍ବ ତୃତୀୟ ତରଙ୍ଗ ମଧୢରେ ଥଳକୂଳ ହରାଉ ଥିବା ବେଳେ (ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତ୍ୟହ ୧୦ ଲକ୍ଷ ସ˚କ୍ରମିତ ହେଉଛନ୍ତି) ଏବ˚ ଭାରତରେ ଏଭଳି ଏକ ତରଙ୍ଗ ମୁଣ୍ତ ଟେକିବାର ସମସ୍ତ ସ˚କେତ ପ୍ରଦର୍ଶନ କରି ସାରିଥିବା ସ୍ଥଳେ, କେଜ୍ରିଵାଲଙ୍କ ଆଚରଣ ତୀବ୍ର ସମାଲୋଚନାର ଶରବ୍ୟ ହେବା ସ୍ବାଭାବିକ। ସାମାଜିକ ଗଣମାଧୢମରେ ତାଙ୍କୁ ଜଣେ ‘ସୁପର୍‌ ସ୍ପ୍ରେଡର‌୍‌’ ରୂପେ ଲା˚ଛନା ଲଗାଯିବା ସହିତ ଜଣେ ମୁଖ୍ୟମନ୍ତ୍ରୀ ତଥା ଜନ ନେତା ଭାବେ ଜନସାଧାରଣଙ୍କ ଲାଗି ଏକ ଭୁଲ୍‌ ଦୃଷ୍ଟାନ୍ତ ସ୍ଥାପନ କରିଥିବା ନେଇ ଦୋଷଯୁକ୍ତ କରାଯାଉଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଏକ ପ୍ରଶ୍ନ ମଧୢ ଉଠିଥାଏ ଯେ କେଜ୍ରିଵାଲ ହୁଅନ୍ତୁ ବା ଅନ୍ୟ କେହି ନେତା; ଗଣତନ୍ତ୍ରର ଦାୟରେ କ’ଣ ଅବା କରି ପାରନ୍ତେ?

ବର୍ତ୍ତମାନର ଏକ ବାସ୍ତବତା ହେଲା ସଦ୍ୟ ତୃତୀୟ ବର୍ଷରେ ପଦାର୍ପଣ କରିଥିବା ଏହି ପାନ୍‌ଡେମିକ୍‌ ପୃଥିବୀର ପ୍ରାୟ ସମସ୍ତ ଗଣତନ୍ତ୍ରଙ୍କୁ ଏଭଳି ଏକ ଅସମାହିତ ଦ୍ବନ୍ଦ୍ବର ସମ୍ମୁଖୀନ କରାଇଛି, ଯହିଁରେ ଯାହା ‘କରଣୀୟ’ ତାହା କରାଯିବା କେତେ ଦୂର ସମ୍ଭବ, ସେ ନେଇ ସ˚ଶୟ ସୃଷ୍ଟି ହୋଇଛି। ପ୍ରକାଶ ଥାଉ କି ୨୦୨୦ ମସିହା, ମାର୍ଚ୍ଚ ମାସରେ ଏହି ପାନ୍‌ଡେମିକ୍‌ର ମୁକାବିଲା ଲାଗି ନାଗରିକମାନଙ୍କ ଉପରେ କିଛି ନିୟନ୍ତ୍ରଣାତ୍ମକ କଟକଣା ଜାରି କରିବା ଉଦ୍ଦେଶ୍ୟରେ ହଙ୍ଗେରୀର ରାଷ୍ଟ୍ରପତି ଭିକ୍‌ଟର ଅର‌୍‌ବାନଙ୍କୁ ସ˚ସଦ ଦ୍ବାରା ପ୍ରଦତ୍ତ ବିଶେଷ ଅଧିକାର ପରିପ୍ରେକ୍ଷୀରେ ‘ଵାଶି˚ଟନ୍‌ ପୋଷ୍ଟ୍’ ପ୍ରକାଶ କରିଥିବା ସମ୍ବାଦର ଶୀର୍ଷକ ଥିଲା, ‘କରୋନା ଭାଇରସ୍‌ କିଲ୍‌ଡ ଇଟ୍‌ସ ଫାଷ୍ଟ ଡେମୋକ୍ରାସି’ ଯାହାର ମର୍ମାର୍ଥ ‘କରୋନା ତା’ର ପ୍ରଥମ ଗଣତନ୍ତ୍ର ହତ୍ୟା ଆରମ୍ଭ କଲା’। କିନ୍ତୁ, ପାନ୍‌ଡେମିକ୍‌ ସ˚ଦର୍ଭରେ ବିଶ୍ବର ସମସ୍ତ ଗଣତନ୍ତ୍ର ଏଭଳି ପଦକ୍ଷେପ ନେବାକୁ ବାଧୢ ହୋଇଥିଲେ, ଯେଉଁ କାରଣରୁ ‘ଫ୍ରିଡମ୍‌ ହାଉସ୍‌’ ଦ୍ବାରା ପ୍ରକାଶିତ ରିପୋର୍ଟ ଜଣାଇଛି ଯେ ଏହି ସମୟ ଖଣ୍ତରେ ପୃଥିବୀର ୮୦ଟି ଦେଶରେ ଗଣତନ୍ତ୍ର ଓ ମାନବିକ ଅଧିକାର ଦୟନୀୟ ଭାବେ ବିପନ୍ନ ହୋଇଛି। ଏହି କାଳରେ ଉଦୀୟମାନ ଗଣତନ୍ତ୍ର ବା ଗଣତନ୍ତ୍ର ହୋଇ ରହିବାକୁ ସ˚ଘର୍ଷରତ ଦେଶ ଅଥବା ଛଦ୍ମ ଗଣତନ୍ତ୍ରୀ ରାଷ୍ଟ୍ରରେ ଗଣତନ୍ତ୍ର ଭୂଲୁଣ୍ଠିତ ହୋଇଛି, ଯେଉଁଠି କୋଭିଡ୍‌ ସତର୍କତା ନିୟମାବଳୀକୁ ଲାଗୁ କରାଯିବା ଆଳରେ ଅସ˚ଖ୍ୟ ସାଧାରଣ ନାଗରିକ ନିର୍ଯାତିତ ଏବ˚ ବନ୍ଦୀ ହୋଇଛନ୍ତି; ପୁଲିସ ବା ଯବାନଙ୍କ ହାତରେ ନିହତ ହୋଇଛନ୍ତି; ବିରୋଧ ଓ ପ୍ରତିବାଦକୁ ନିଷେଧ କରାଯିବା ସହିତ ଅଧିକା˚ଶ ରାଷ୍ଟ୍ରରେ ସେ ସବୁକୁ ଦୃଢ଼ ମୁଷ୍ଟିରେ ଦମନ କରାଯାଇଛି। ପାନ୍‌ଡେମିକ୍‌ କାରଣରୁ ୭୯ଟି ଗଣତନ୍ତ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନାହିଁ ଏବ˚ ଅନେକ ଗଣତନ୍ତ୍ରର ଶାସନ ମୁଖ୍ୟମାନେ ଏହାର ସୁଯୋଗରେ ଦମନମୂଳକ ଆଭିମୁଖ୍ୟ ବହନ କରି ନିଜ ସ୍ଥିତିକୁ ଦୃଢ଼ କରିବାର ଉଦ୍ୟମ ମଧୢ କରିଛନ୍ତି। ପ୍ରକାଶ ଥାଉ କି ସଦ୍ୟ ବିଦାୟ ନେଇଥିବା ୨୦୨୧ ମସିହାରେ ଛଅଟି ରାଷ୍ଟ୍ରରେ ସାମରିକ ବିଦ୍ରୋହ ବଳରେ ଶାସନ କ୍ଷମତାରେ ପରିବର୍ତ୍ତନ ଆସିଛି ଏବ˚ କୋଭିଡ୍‌ କଟକଣା ଉଲ୍ଲ˚ଘନ ଅଭିଯୋଗରେ ଜନ ନେତାମାନଙ୍କୁ କାରାଗାରରେ ନିକ୍ଷେପ (ମିଆଁମାର ବା ସୁଦାନ ଭଳି) କରାଯାଇଛି।

କିନ୍ତୁ ମନେ ରଖିବାକୁ ହେବ ଯେ ଏହା ହେଉଛି ମହାମାରୀ ଏବ˚ ଗଣତନ୍ତ୍ର ମଧୢରେ ଥିବା ସ˚ପର୍କର ଗୋଟିଏ ପାର୍ଶ୍ବ। ଏବେ ଏହାର ଅପର ପାର୍ଶ୍ବ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତହିଁରେ ଦେଖିବାକୁ ମିଳେ ଯେ କୋଭିଡ୍‌ ମହାମାରୀକୁ ଅକୁଣ୍ଠ ଭୟାବହତା ପ୍ରଦାନ କରିବାରେ ଗଣତନ୍ତ୍ରଗୁଡ଼ିକ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାହା ହୋଇ ନ ଥିଲେ ଏହି ମହାମାରୀ କାଳରେ ‘ବ୍ୟକ୍ତି ସ୍ବାଧୀନତା’କୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରି ଯୁକ୍ତରାଷ୍ଟ୍ର ଆମେରିକାର ସଚେତନ ନାଗରିକମାନେ ସରକାରୀ କଟକଣା ମାନିବାକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ରାଷ୍ଟ୍ରକୁ ପାନ୍‌ଡେମିକ୍‌ର ଅସରନ୍ତି ତରଙ୍ଗ ମାଳା ମଧୢରେ ଲୀନ କରି ଦେଇ ନ ଥାଆନ୍ତେ, ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏକ ବିଡ଼ମ୍ବନା ସ୍ବରୂପ ଆମେରିକାରେ ପ୍ରଚୁର ଟିକା ଉପଲବ୍‌ଧ ଥିବା ସତ୍ତ୍ବେ ଅସ˚ଖ୍ୟ ଆମେରିକୀୟ ଟିକା ‌ନେବାକୁ ଅନାଗ୍ରହୀ ଏଥି ଲାଗି ଯେ ସେମାନଙ୍କର ବ୍ୟକ୍ତିଗତ ପସନ୍ଦର ବିରୋଧାଚରଣ କରୁଥିବା ସାର୍ବଜନୀନ ଟିକାକରଣର ଉଦ୍ୟମ ହେଉଛି ସରକାରୀ ନିଷ୍ପତ୍ତି ପ୍ରସୂତ। ସେମିତି ୟୁକ୍ରେନ୍‌ ଭଳି ଏକ କ୍ଷୁଦ୍ର ରାଷ୍ଟ୍ରରେ ସରକାରଙ୍କ ଦ୍ବାରା ଲାଗୁ କଟକଣା ନାଗରିକମାନଙ୍କ ମନରେ ସରକାରଙ୍କ ପ୍ରତି ଏଭଳି ଅନାସ୍ଥା ଏବ˚ ବିରକ୍ତି ସୃଷ୍ଟି କରିଛି ଯେ ସେଠାରେ ମଧୢ ଟିକାର ପ୍ରଚୁର ଉପଲବ୍‌ଧତା ସତ୍ତ୍ବେ ସେମାନେ ତାହା ନ ନେଇ ସ˚କ୍ରମଣକୁ ଏକ ଉଚ୍ଚ ସ୍ତରରେ ରଖିଛନ୍ତି।

କେବଳ ସେତିକି ନୁହେଁ, ଏହି ସମୟ ଖଣ୍ତରେ ଅନେକ ରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନ ‘ସୁପର୍‌ ସ୍ପ୍ରେଡର‌୍‌’ର କାରଣ ହୋଇଛନ୍ତି। କାରଣ ଏକ ଗଣତନ୍ତ୍ରରେ ନିର୍ବାଚନ ଯେଉଁଭଳି ସଘନ ଜନ ସ˚ପର୍କ ଓ ଜନ ସମାବେଶର କାରଣ, ଅବସର ଓ ଉନ୍ମାଦନା ସୃଷ୍ଟି କରିଥାଏ, ତହିଁରେ ଭାସି ନ ଯାଇ କରୋନା ନିୟମର ଅନୁପାଳନ କରିବା ଯେ ଏକ ଅତିମାନବୀୟ ପ୍ରୟାସ ହେବ, ତହିଁରେ ସନ୍ଦେହ ନାହିଁ। ଗଲା ଜୁନ୍‌ ମାସରେ ପ୍ରକାଶିତ ସମ୍ବାଦ ଅନୁସାରେ ସେ ପର୍ଯ୍ୟନ୍ତ ୫୦ରୁ ଅଧିକ ବିଧାୟକ ଏବ˚ ସା˚ସଦ କରୋନା ସ˚କ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ହେଉ ବା ପଞ୍ଜାବ, ଗୋଆ ବା ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ହେଉ; ରାଜନୈତିକ ଉଷ୍ମତା ବାରି ହୋଇଗଲା ଭଳି ବୃଦ୍ଧି ପାଇ ନାହିଁ କି?

ସାଧାରଣତଃ ଭାଇରସ୍‌ର ଅତ୍ୟନ୍ତ ସଘନ ସ˚କ୍ରମଣ ତା’ର ରୂପାନ୍ତରଣ ଘଟାଇ ‘ଭାରିଆଣ୍ଟ୍‌’ମାନ ସୃଷ୍ଟି କରିଥାଏ। ଏହି କାରଣରୁ ଗଣତନ୍ତ୍ରଗୁଡ଼ିକ ମଧୢ କୋଭିଡ୍‌ ‘ଭାରିଆଣ୍ଟ୍‌’ ସୃଷ୍ଟିର କାରଣ। ଭାରତ, ବ୍ରାଜିଲ ଏବ˚ ଇ˚ଲାଣ୍ତରେ ପ୍ରାୟ ଗୋଟିଏ ସମୟରେ ଭୟାନକ ‘ଡେଲ୍‌ଟା’ ଷ୍ଟ୍ରେନ୍‌ର ସୃଷ୍ଟି ହୋଇଥିଲା। ସେହିଭଳି ଦକ୍ଷିଣ ଆଫ୍ରିକା ‘ଓମିକ୍ରନ୍‌’କୁ ଜନ୍ମ ଦେଇଛି ଏବ˚ ସଦ୍ୟ ପ୍ରାପ୍ତ ତଥ୍ୟାନୁସାରେ ତୃତୀୟ ତରଙ୍ଗରେ ଉବୁଟୁବୁ ହେଉଥିବା ଫ୍ରାନ୍‌ସରେ କରୋନାର ଆଉ ଏକ ଭାରିଆଣ୍ଟ୍‌ ‘ଆଇଏଚ୍‌ୟୁ’ର ଆବିର୍ଭାବ ଘଟିଛି। ଗଣତନ୍ତ୍ରର ସର୍ବାଧିକ ଉଜ୍ଜ୍ବଳ ଦିଗଟି ହେଉଛି ଏହାର ସ୍ବଚ୍ଛତା, ଯେଉଁ କାରଣରୁ ‘ଓମିକ୍ରନ୍‌’ ବା ‘ଆଇଏଚ୍‌ୟୁ’ର ଉତ୍ପତ୍ତି ବିଷୟ ତତ୍‌କ୍ଷଣାତ୍‌ ପ୍ରଘଟ ହୋଇ ପୃଥିବୀକୁ ପ୍ରସ୍ତୁତି ଲାଗି ସମୟ ପ୍ରଦାନ କରିଛି। ଉତ୍ତର କୋରିଆ ବା ଚୀନ ଭଳି ରାଷ୍ଟ୍ର କ୍ଷେତ୍ରରେ ଏଭଳି ସୂଚନା ଆଦୌ ପ୍ରକାଶ୍ୟ ହୁଅନ୍ତା ନାହିଁ। କିନ୍ତୁ ଏହା ସତ୍ତ୍ବେ ବିଡ଼ମ୍ବନାଟି ହେଲା ଏକ ଦୁଃଖଦାୟକ ବାସ୍ତବତା ଯେ ଗଣତନ୍ତ୍ର ହେଉଛି ଏହାର ‘ସୁପର୍‌ ସ୍ପ୍ରେଡର‌୍‌’!

ସମ୍ବନ୍ଧିତ ଖବର