ଅଦୃଶ୍ୟ ଶତ୍ରୁ!

ଏହା ସମ୍ଭବ ଯେ ଏହି ସ୍ତମ୍ଭର ଅଧିକା˚ଶ ପାଠକ-ପାଠିକା ‘ବୁଲ୍ଲି ବାଇ’ ସ୍କାଣ୍ତାଲ୍‌ ବିଷୟରେ ଅବଗତ ନ ଥିବେ, କାରଣ ଏହା ପ୍ରାୟତଃ ଗଣମାଧୢମର ଶିରୋନାମା ସ୍ପର୍ଶ କରି ନାହିଁ। ଏହା ମଧୢ ସମ୍ଭବ ଯେ ସେମାନେ ‘ସୁଲି ଡିଲ୍‌’ ନାମକ ଅନୁରୂପ ଏକ ସ୍କାଣ୍ତାଲ୍‌ ବିଷୟରେ ଜାଣି ନ ଥାଇ ପାରନ୍ତି; ଯାହା ଗତ ଜୁଲାଇ ମାସରେ ଘଟିଥିଲା। ଅବଶ୍ୟ, ଏକ ଉପର ଠାଉରିଆ ଦୃଷ୍ଟିରେ ଦେଖିଲେ ଏହି ସ୍କାଣ୍ତାଲ୍‌ ଦ୍ବୟ କାହାକୁ କାହାକୁ ସାମାନ୍ୟ ହାଲୁକା ବୋଧ ହୋଇ ପାରନ୍ତି; ଯେଉଁ କାରଣରୁ ଏହା ବିଶେଷ ଚାଞ୍ଚଲ୍ୟ ସୃଷ୍ଟି କରି ପାରିନାହିଁ। କିନ୍ତୁ ଏକ ତୀକ୍ଷ୍‌ଣ ନଜର ଦ୍ବାରା ଏହାର ଗଭୀର ପ୍ରଦେଶରେ ରହିଥିବା ଏକ ସୁପରିକଳ୍ପିତ ଏବ˚ ଦୀର୍ଘମିଆଦୀ ଯୋଜନା ସମ୍ବଳିତ ଷଡ୍‌ଯନ୍ତ୍ରକୁ ଦେଖିବା ସମ୍ଭବ ହୋଇଥାଏ, ଯେଉଁ ବିଷୟରେ ଏଠାରେ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ।

ପ୍ରଥମେ ଏହି ସ୍କାଣ୍ତାଲ୍‌ ଦ୍ବୟ ବିଷୟରେ ଜାଣି ନ ଥିବା ପାଠକ-ପାଠିକାଙ୍କ ଲାଗି ଘଟଣାର ପୃଷ୍ଠଭୂମି ସ˚ପର୍କରେ ଚୁମ୍ବକରେ ଅବତାରଣା କରାଯାଉ। ଗଲା ଜୁଲାଇ ମାସରେ ‘ସୁଲି ଡିଲ୍‌’ ନାମକ ଏକ ନିଲାମ କାରବାର କରୁଥିବା ଭଳି େଵବ୍‌ସାଇଟ୍‌ର ଆବିର୍ଭାବ ଘଟିଥିଲା, ଯହିଁରେ ଅନେକ ମୁସଲମାନ ମହିଳାଙ୍କ ଫଟୋ ସ୍ଥାନିତ ହୋଇ ସେମାନେ ପଣ୍ୟ ଭଳି ବିକ୍ରୟଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା। ସ୍ବାଭାବିକ ଭାବେ ଏହା ଏକ ବିବାଦକୁ ଜନ୍ମ ଦେଇଥିଲା। ତେବେ ଏହାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ୍‌ର ସାଇବର ସେଲ୍‌ ଏହି ବିବାଦୀୟ ‘େଵବ୍‌ ପେଜ୍‌’ ସହିତ ସ˚ପୃକ୍ତ ବ୍ୟକ୍ତିମାନଙ୍କ କୌଣସି ସନ୍ଧାନ ପାଇବାରେ ସଫଳ ହୋଇ ନ ଥିଲେ। ‘ସୁଲି ଡିଲ୍‌’କୁ ସ୍ଥାନ ଦେଇଥିବା ସାମାଜିକ ଗଣମାଧୢମ ମଞ୍ଚ ‘ଗିଟ୍‌ ହବ୍‌’ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ଥିବାରୁ ଏହି ତଦନ୍ତ କାର୍ଯ୍ୟରେ ସହଯୋଗ କରି ନ ଥିଲା, ଯାହା ଦିଲ୍ଲୀ ପୁଲିସ୍‌କୁ ନାଚାର କରି ଦେଇଥିଲା। ଏବେ ‘ବୁଲ୍ଲି ବାଇ’ରେ ମଧୢ ଅନୁରୂପ ଉଦ୍ୟମ କରାଯାଇଛି; ଯହିଁରେ ଏକ ଆପ୍‌ ଜରିଆରେ ପ୍ରାୟ ଏକ ଶହ ସରିକି ମୁସଲମାନ ମହିଳାଙ୍କ ଫଟୋ ସ୍ଥାନିତ କରାଯାଇ ସେମାନେ ବିକ୍ରୟଯୋଗ୍ୟ ବୋଲି ଦର୍ଶାଯାଇଛି। ତେବେ ‘ବୁଲ୍ଲି ବାଇ’ ଘଟଣାରେ ଆଶା ଉଦ୍ଦୀପକ ବିଷୟଟି ହେଲା ଏହାର ତଦନ୍ତ ଭାର ନେଇଥିବା ମୁମ୍ବାଇ ପୁଲିସ୍‌ର ସାଇବର ସେଲ୍‌ ଅତ୍ୟନ୍ତ ବିଚକ୍ଷଣତା ପ୍ରଦର୍ଶନ କରି ଖୁବ୍‌ ଶୀଘ୍ର ଏଥିରେ ସ˚ପୃକ୍ତ ତିନି ଜଣଙ୍କୁ ଗିରଫ କରି ସାରିଛି। ପ୍ରକାଶ ଥାଉ କି ମୁମ୍ବାଇ ପୁଲିସ ‘ଗିଟ୍‌ ହବ୍‌’ ମଞ୍ଚର ସାହାଯ୍ୟ ନ ଲୋଡ଼ି ଏହି ଆପ୍‌ର ‘ଲିଙ୍କ୍‌’ର ପ୍ରସାରଣ କରୁଥିବା ଛଦ୍ମନାମଧାରୀ ଟ୍ବିଟର ହ୍ୟାଣ୍ତଲ୍‌ରୁ ପ୍ରକୃତ ବ୍ୟବହାରକାରୀଙ୍କ ଠାରେ ପହଞ୍ଚି ପାରିଛି।

ଉଭୟ ‘ସୁଲି ଡିଲ୍‌’ ଏବ˚ ‘ବୁଲ୍ଲି ବାଇ’ ଘଟଣାରେ ସ˚ଖ୍ୟାଲଘୁ ସ˚ପ୍ରଦାୟର ମହିଳାମାନଙ୍କୁ ନିଶାଣ କରି ସର୍ବ ସମକ୍ଷରେ ଅପମାନିତ କରିବାର ପ୍ରୟାସ କରାଯାଇଛି। ପୁନଶ୍ଚ ଏଥିରେ ପ୍ରଣିଧାନଯୋଗ୍ୟ ବିଷୟଟି ହେଲା ସ˚ଖ୍ୟାଲଘୁ ବର୍ଗର ଯେଉଁ ମହିଳା ସ˚ପ୍ରତି ବିଭିନ୍ନ ସ˚ଦର୍ଭରେ ସ୍ବର ଉତ୍ତୋଳନ କରୁଛନ୍ତି ବା ସରକାରଙ୍କୁ ସମାଲୋଚନା କରୁଛନ୍ତି, ସେହିମାନଙ୍କୁ ଏହି ଅପମାନର ଶରବ୍ୟ କରାଯାଇଛି। କହିବା ବାହୁଲ୍ୟ ଯେ ଏଭଳି ଏକ ପ୍ରକଳ୍ପ ପଛରେ ଏକ ସା˚ପ୍ରଦାୟିକ ବିଦ୍ବେଷ ଭାବ ରହିଥିବ। ସୁତରା˚, ଏକ ଦୃଢ଼ ଧାରଣା ସୃଷ୍ଟି ହେଉଛି ଯେ ଭାରତରେ ସା˚ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ଦିଗରେ ଏହା ଏକ ବିଧିବଦ୍ଧ ଉଦ୍ୟମର ଅ˚ଶ ହୋଇ ଥାଇପାରେ। ଆହୁରି ମଧୢ ଦେଖିବାକୁ ମିଳିଛି ଯେ ଯେଉଁ ଟ୍ବିଟର ହ୍ୟାଣ୍ତଲ୍‌ଗୁଡ଼ିକରୁ ଏହାର ‘ଲିଙ୍କ୍‌’ର ପ୍ରସାରଣ କରାଯାଉଥିଲା, ତହିଁରେ ଶିଖ୍‌ ନାମ ରହିଛି; ଯାହାର ଅର୍ଥ ଶିଖ୍‌ ଏବ˚ ମୁସଲମାନ ସ˚ପ୍ରଦାୟ ମଧୢରେ ବିଦ୍ବେଷ ବୃଦ୍ଧିର ଏହା ଏକ ଅଭିସନ୍ଧି ହୋଇପାରେ। ତେଣୁ ହୋଇପାରେ ଏହା ଏକ ସୁପରିକଳ୍ପିତ ଚକ୍ରାନ୍ତ।

ତେବେ, ଏହି ପ୍ରକରଣରେ ଯାହା ସବୁଠାରୁ ଅଧିକ ଉଦ୍‌ବେଗଜନକ, ତାହା ହେଲା ‘ବୁଲ୍ଲି ବାଇ’ ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ବୟସ। ଏମାନଙ୍କ ମଧୢରୁ ଦୁଇ ପୁରୁଷଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ମହିଳା ଜଣଙ୍କର ବୟସ ହେଉଛି ମାତ୍ର ୧୮ ବର୍ଷ। ଏମାନେ ସମସ୍ତେ ଛାତ୍ର। ଏହି ଅତ୍ୟନ୍ତ କୋମଳ ବୟସ ବର୍ଗର ସଦସ୍ୟମାନେ ସେମାନଙ୍କ ମନରେ ସା˚ପ୍ରଦାୟିକ ଘୃଣା ବହନ କରି ଏଭଳି କାର୍ଯ୍ୟ କରିବା ଏକ ପ୍ରଶ୍ନ ବିଜଡ଼ିତ ଆଶଙ୍କାକୁ ଜନ୍ମ ଦେଇଥାଏ ଯେ ଆମ ଦେଶର ଯୁବ ବର୍ଗ ତାରୁଣ୍ୟସୁଲଭ ଉଦାରତା ପରିହାର କରି କ୍ରମେ ସ˚କୀର୍ଣ୍ଣମନା ହୋଇ ଉଠୁଛନ୍ତି କି? ଏ ପରିପ୍ରେକ୍ଷୀରେ ୨୦୧୭ ମସିହାରେ ‘ସେଣ୍ଟର୍‌ ଫର୍‌ ଦ ଷ୍ଟଡି ଅଫ୍‌ ଡେଭଲପି˚ ସୋସାଇଟି’ ନାମକ ଏକ ଅନୁଷ୍ଠାନ ଦ୍ବାରା କରାଯାଇଥିବା ଏକ ଅଖିଳ ଭାରତୀୟ ସର୍ବେକ୍ଷଣ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯହିଁରେ ଦେଖିବାକୁ ମିଳିଛି ଯେ ବେଶ ପୋଷାକ ବା ଖାଦ୍ୟପେୟ ବା ପ୍ରଯୁକ୍ତି ଏବ˚ ‘ଗ୍ୟାଜେଟ୍‌’ ବ୍ୟବହାରରେ ଭାରତୀୟ ଯୁବ ବର୍ଗ ବେଶ୍‌ ଆଧୁନିକ ହୋଇଥିବା ବେଳେ ବିବାହ ପୂର୍ବରୁ ଏକତ୍ର ବାସ, ‘ଭାଲେଣ୍ଟାଇନ୍‌ ଡେ’ ପାଳନର ଗୁରୁତ୍ବ, ପରିବାରରେ ନାରୀର ସ୍ଥାନ ଏବ˚ ମୃତ୍ୟୁ ଦଣ୍ତର ଯୌକ୍ତିିକତା ଭଳି ଅନେକ ପ୍ରସଙ୍ଗରେ ରକ୍ଷଣଶୀଳ ହୋଇ ଉଠୁଛନ୍ତି। ଉଦାହରଣ ସ୍ବରୂପ ୧୫ରୁ ୩୪ ବର୍ଷ ବୟସ ବର୍ଗରେ ୪୫% ଆନ୍ତଃ ସା˚ପ୍ରଦାୟିକ ବିବାହର ବିରୋଧ କରିଥିବା ବେଳେ ମାତ୍ର ୨୮% ତା’ର ସମର୍ଥନ କରିଥିଲେ ଏବ˚ ଅବଶିଷ୍ଟ ଅ˚ଶଗ୍ରହଣକାରୀ ସେମାନଙ୍କ ମତାମତ ସ୍ପଷ୍ଟ କରି ନ ଥିଲେ। ଏହି ବିସ୍ତୃତ ସର୍ଭେରୁ ପ୍ରାପ୍ତ ସୂଚନା ଆଧାରରେ ନିଷ୍କର୍ଷ ମିଳିଥିଲା ଯେ ସାମାଜିକ ଓ ସା˚ସ୍କୃତିକ ଜୀବନର ଅନେକ ବିଭାଗରେ ତରୁଣ ବର୍ଗ ପୋଷଣ କରୁଥିବା ଔଦାର୍ଯ୍ୟରେ କ୍ରମ ସ˚କୋଚନ ଏବ˚ ଅସହିଷ୍ଣୁତାରେ ବୃଦ୍ଧି ଘଟୁଛି। କହିବା ବାହୁଲ୍ୟ ଯେ ଏଭଳି ମନୋଭାବ ନିର୍ମାଣରେ ଫେସବୁକ୍‌ ବା ଟ୍ବିଟର ବା ହ୍ବାଟ୍‌ସ୍‌ଆପ୍‌ ଭଳି ସାମାଜିକ ଗଣମାଧୢମର ମଞ୍ଚ ଏକ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି। ଏହାର ନିଦର୍ଶନ ସ୍ବରୂପ କ୍ରମେ ଅଧିକ ସ˚ଖ୍ୟକ ଯୁବକଯୁବତୀ ଗାନ୍ଧୀ ନିନ୍ଦୁକ ଏବ˚ ନାଥୁରାମ ଗଡ଼ସେ ସ୍ତାବକରେ ପରିଣତ ହେବାରେ ଲାଗିଛନ୍ତି, ଯହିଁରେ ସାମାଜିକ ଗଣମାଧୢମରେ ପ୍ରସାରିତ ମିଥ୍ୟା, ବିଭ୍ରାନ୍ତିକର ଏବ˚ ଘୃଣା ବ୍ୟ˚ଜକ ତଥ୍ୟର ପ୍ରଭାବ ବେଶ୍‌ ସ୍ପଷ୍ଟ।

ଆଗାମୀ ତିନି ଦଶନ୍ଧି ମଧୢରେ ଭାରତ ବିଶ୍ବର ସର୍ବାଧିକ ସ˚ଖ୍ୟକ ଯୁବକଯୁବତୀଙ୍କ ବାସସ୍ଥାନରେ ପରିଣତ ହୋଇ ଅଦମ୍ୟ ଶକ୍ତିର ଅଧିକାରୀ ହେବାକୁ ବସିଥିବା ପରିପ୍ରେକ୍ଷୀରେ ଏକ ବିଚଳିତ କଲା ଭଳି ପ୍ରଶ୍ନ ହେଲା ଆମ ଦେଶକୁ ଦୁର୍ବଳ କରିଦେବା ଲାଗି ତରୁଣ ବର୍ଗଙ୍କ ମସ୍ତିଷ୍କ ଓ ହୃଦୟରେ ସା˚ପ୍ରଦାୟିକ ବିଷର କଣିକା ପ୍ରବେଶ କରାଇବାର ଏହା ଏକ ପଥିକୃତ୍‌ ଉଦ୍ୟମ ନୁହେଁ ତ? କାରଣ ଭାରତରେ ସାଂପ୍ରଦାୟିକ ବିଭାଜନଜନିତ ଅସ୍ଥିରତା ଦେଖି ଉପଭୋଗ କରିବା ଲାଗି ଭାରତର ଚରମ ଶତ୍ରୁ ପାକିସ୍ତାନ ନିର୍ନିମେଷ ନୟନରେ ଚାହିଁ ବସିଛି। ସେହି ଦୃଷ୍ଟିରୁ ଏହାକୁ କେବଳ ହିନ୍ଦୁ ମୌଳବାଦର ପ୍ରଭାବ ରୂପେ ଦେଖିବା ଅପରିଣାମଦର୍ଶୀ ହୋଇପାରେ; ଏହା ପଛରେ କୌଣସି ବାହ୍ୟ ଅଦୃଶ୍ୟ ଶତ୍ରୁର ଉପସ୍ଥିତିକୁ ହଠାତ୍‌ ଅସ୍ବୀକାର କରିବା ବୁଦ୍ଧିମାନୀ ହେବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଭାରତର ଯୁବ ବର୍ଗଙ୍କ ସମ୍ମୁଖରେ ବେକାରି ବା ଶିକ୍ଷା ତଥା ବୃତ୍ତି ଲାଭ କରିବା କ୍ଷେତ୍ରରେ ଅସାମ୍ୟ ଅଥବା କୋଭିଡ୍‌ ମହାମାରୀ କାରଣରୁ ବିଭିନ୍ନ ସୁଯୋଗରେ ସ˚କୋଚନ ଭଳି ଅନେକ ଜରୁରୀ ବାସ୍ତବ ସମସ୍ୟାମାନ ରହିଛି। ଏହା ସତ୍ତ୍ବେ ଯଦି ସେମାନେ ଅଧିକରୁ ଅଧିକ ସ˚ଖ୍ୟାରେ ସା˚ପ୍ରଦାୟିକତା ଭଳି ମତାଦର୍ଶ ଆଡ଼କୁ ଆକର୍ଷିତ ହୁଅନ୍ତି, ତେବେ ତାହା ଏକ ଘୋର ବିଡ଼ମ୍ବନା ହେବ।

‘ବୁଲ୍ଲି ବାଇ’ ଘଟଣାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ଉପରେ ଲଗାଯାଇଥିବା ଦଫା ଆଧାରରେ ସର୍ବାଧିକ ପାଞ୍ଚ ବର୍ଷ କାରାବାସ ଭୋଗି ପାରନ୍ତି। ଏଣେ ଏହି ସ୍ବଳ୍ପ ବୟସ୍କ ପିଲାମାନଙ୍କୁ କ୍ଷମା କରି ଦେବା ଲାଗି ପ୍ରସିଦ୍ଧ ବଲିଉଡ୍ ଗୀତିକାର ଜାଭେଦ ଅଖତାର ଅନୁରୋଧ କଲେଣି। କିନ୍ତୁ ଏଭଳି ଘଟଣାରେ କ୍ଷମା ପ୍ରଦାନର ଅର୍ଥ ଏହାର ପୁନରାବୃତ୍ତିକୁ ଆମନ୍ତ୍ରଣ କରିବା, ଯାହା ଭାରତ ଲାଗି ଆତ୍ମଘାତୀ ହେବ। ବର˚, ଏଭଳି କାର୍ଯ୍ୟ ଲାଗି ଅଧିକ କଠୋର ଦଣ୍ତବିଧାନ କରାଯିବା ଉଚିତ। ଏହା ମଧୢ ସତ ଯେ ‘ସୁଲି ଡିଲ୍‌’ ଘଟଣାର ସମାଧାନରେ ଦିଲ୍ଲୀ ପୁଲିସ ସଫଳ ହୋଇଥିଲେ ‘ବୁଲ୍ଲି ବାଇ’ ହୁଏ’ତ ସମ୍ଭବ ହୁଅନ୍ତା ନାହିଁ। ତେଣୁ ‘ସାଇବର ଅପରାଧ’ର ସମାଧାନ କ୍ଷେତ୍ରରେ ଉଦାହରଣୀୟ ବିଚକ୍ଷଣତାର ଆବଶ୍ୟକତା ରହିଛି। ପରିଶେଷରେ କୁହାଯାଇପାରେ କି ବିବିଧତା ଭରା ଭାରତକୁ ସ˚ରକ୍ଷଣ କରି ରଖିିବାକୁ ହେଲେ ‘ସୁଲି ଡିଲ୍‌’ ବା ‘ବୁଲ୍ଲି ବାଇ’କୁ ଛୋଟ ଘଟଣା ବୋଲି ମଣିବା ଅବିମୃଶ୍ୟକାରିତା ହେବ।

ସମ୍ବନ୍ଧିତ ଖବର