ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିଜର ଶାଣିତ ବ୍ୟଙ୍ଗଭରା ସମ୍ପୂର୍ଣ୍ଣ ଭିନ୍ନ କିସମର ଅର୍ଥନୈତିକ ଅନ୍ତର୍ଦୃଷ୍ଟି ଯୋଗୁଁ ଅର୍ଥଶାସ୍ତ୍ରର ଡନ୍ କ୍ବିକ୍‌ ସୋଟ୍ (ବା ‘କୁହୋଟି’) ରୂପେ ପରିଚିତ ଫରାସୀ ଅର୍ଥନୀତିଜ୍ଞ ଫ୍ରେଡେରିକ୍ ବାଷ୍ଟିଆ ତତ୍କାଳୀନ ଫ୍ରାନ୍‌ସର ସରକାରୀ ନୀତିରେ କୌଣସି ଦୋ ମୁହାଁ ଅସଂଗତିର ଉପସ୍ଥିତି ଦେଖିଲେ, ତାହାକୁ ଏପରି ବ୍ୟଙ୍ଗାତ୍ମକ ଢଙ୍ଗରେ ଜନସାଧାରଣଙ୍କ ସମ୍ମୁଖରେ ଅନାବୃତ କରି ଦେଉଥିଲେ, ଯାହା ସରକାରଙ୍କ ପାଇଁ ଘୋର ଅସ୍ବସ୍ତି ସୃଷ୍ଟି କରୁଥିଲା। ନିମ୍ନରେ ପ୍ରଦତ୍ତ ତାହାର ଏକ ନମୁନା ଆମ ପାଇଁ ବର୍ତ୍ତମାନ ପ୍ରାସଙ୍ଗିକ ମନେ ହୋଇଥାଏ।

Advertisment

ବାଷ୍ଟିଆ ଥରେ କହିଥିଲେ, ଦେଖ ଏ ଦୁନିଆ କିପରି ଏକ ପାଗଳ ଗାରଦ ଭଳି କାର୍ଯ୍ୟ କରୁଛି। ଦୁଇଟି ଦେଶକୁ ପରସ୍ପର ସହିତ ସଂଯୁକ୍ତ କରିବା ନିିମିତ୍ତ ଅଜସ୍ର ସମ୍ବଳ, ସମୟ ଓ ଶକ୍ତି ଖର୍ଚ୍ଚ କରି ପାହାଡ଼ ତଳେ ସୁଡ଼ଙ୍ଗ ଖୋଳା ହେଉଛି। ଉଦ୍ଦେଶ୍ୟ: ଦୁଇ ଦେଶ ମଧ୍ୟରେ ଦ୍ରବ୍ୟ ଓ ସେବାର ବିନିମୟ ସୁଗମ ଓ ସାବଲୀଳ ହେବ। କିନ୍ତୁ ସୁଡ଼ଙ୍ଗ ନିର୍ମାଣ ସରିବା ପରେ କ’ଣ ହୁଏ? ସେଇ ସୁଡ଼ଙ୍ଗ ପଥରେ ଦ୍ରବ୍ୟ ଓ ସେବା ଆଦି ପଣ୍ୟ ଦ୍ରବ୍ୟର ଯାତାୟାତ ପାଇଁ ଯେତେଦୂର ସମ୍ଭବ ପ୍ରତିବନ୍ଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁଡ଼ଙ୍ଗର ଉଭୟ ମୁଣ୍ଡରେ, ଅର୍ଥାତ୍ ସେଇ ପାହାଡ଼ର ଉଭୟ ପାର୍ଶ୍ବରେ କଷ୍ଟମ୍‌ସ ଗାର୍ଡମାନଙ୍କୁ ସଦଳବଳେ ମୁତୟନ କରାଯାଇଥାଏ। ସରକାରଙ୍କର ସୁଡ଼ଙ୍ଗ ଖୋଳିବା ନିଷ୍ପତ୍ତି ପଛରେ ନିହିତ ଥିବା ଉଦ୍ଦେଶ୍ୟକୁ ସୁଡ଼ଙ୍ଗ ଦୁଇ ମୁଣ୍ଡରେ କଷ୍ଟମ୍‌ସ ଗାର୍ଡ ମୁତୟନ ନିଷ୍ପତ୍ତି ଭଣ୍ଡୁର କରିଥାଏ।

ଭାରତରେ ବଡ଼ ଆକାରରେ ଇଲେକ୍ଟ୍ରୋନିକ୍‌ସ ଦ୍ରବ୍ୟ ଉତ୍ପାଦନ (ମାନୁଫାକ୍‌ଚରିଙ୍ଗ୍)ର ସ୍ଥିତି ଜଣାଣୁଣା ଭାବରେ ଦୁର୍ବଳ। ଏହି କ୍ଷେତ୍ରରେ ଶକ୍ତି ସଞ୍ଚାର କରି ସ୍ବଦେଶୀ ଚାମ୍ପିଅନ୍‌ମାନ ସୃଷ୍ଟି କରିବା ତଥା କୁଶଳୀ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଏ କ୍ଷେତ୍ର ପାଇଁ ଏକ ‘ପିଏଲ୍‌ଆଇ’(ପ୍ରଡକ୍‌ସନ୍ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍) ସ୍କିମ୍ ପ୍ରାୟ ଦେଢ଼ ବର୍ଷ ତଳେ ଘୋଷଣା କରିଛନ୍ତି। କେତେକ ସର୍ତ୍ତାବଳୀ ସହିତ ଏହି ସ୍କିମ୍ ଅନୁସାରେ ଘରୋଇ ଉତ୍ପାଦନକାରୀମାନଙ୍କୁ ସେମାନଙ୍କର ବର୍ଦ୍ଧିତ ବିକ୍ରି ଉପରେ ସରକାର ୪ ଶତାଂଶରୁ ୬ ଶତାଂଶ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ନିର୍ମିତ ହେଉଥିବା ପ୍ରମୁଖ ଇଲେକ୍ଟ୍ରୋନିକ୍ ଦ୍ରବ୍ୟ ମୋବାଇଲ୍ ଫୋନ୍ ଭଳି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟର ପ୍ରାୟ ୮୦ ଶତାଂଶ ହେଉଛି ଆମଦାନି ହେଉଥିବା ଯନ୍ତ୍ରାଂଶ ଆଦି ଉପରେ ନିର୍ଭରଶୀଳ। ଯଦି ଏହି ଆମଦାନି ମହଙ୍ଗା ହୋଇଯାଏ, ତେବେ ଭାରତରେ ନିର୍ମିତ ଇଲେକ୍ଟ୍ରୋନିକ୍ ଦ୍ରବ୍ୟ ଆନ୍ତର୍ଜାତିକ ବଜାରରେ ବିଦେଶୀ ଦ୍ରବ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ସକ୍ଷମ ହେବ ନାହିଁ। ମନେକର ସରକାର ଏହି ଆମଦାନିକୁ ବର୍ଦ୍ଧିତ ଶୁଳ୍‌କ ମାଧ୍ୟମରେ ମହଙ୍ଗା କରି ଦେଲେ। ତା’ ହେଲେ ଏହା ଉପରୋକ୍ତ ‘ପିଏଲ୍‌ଆଇ’ ସ୍କିମ୍‌ର ସେଇଭଳି ବିରୋଧାଚରଣ କରିବ, ଯେଉଁ ଭଳି ବାଷ୍ଟିଆ ଦର୍ଶାଇଥିବା ଭଳି କଷ୍ଟମ୍‌ସ ଗାର୍ଡ ମୁତୟନ ପାହାଡ଼ ତଳେ ସୁଡ଼ଙ୍ଗ ଖୋଳାର ବିରୋଧାଚରଣ କରିଥାଏ।

ଗତ ଗୁରୁବାର ଦିନ ପ୍ରକାଶିତ ‘ଇଣ୍ଡିଆ ସେଲୁଲାର୍ ଆଣ୍ଡ୍ ଇଲେକ୍‌ଟ୍ରୋନିକ୍‌ସ ଆସୋସିଏସନ୍’ (‘ଆଇସିଇଏ’) ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ଏଠାରେ ଠିକ୍ ଏଇଭଳି ଏକ ବାଷ୍ଟିଆ ବର୍ଣ୍ଣିତ ପରିସ୍ଥିତି ବର୍ତ୍ତମାନ ଦେଖା ଦେବା ପରି ମନେ ହେଉଛି। ଇଲେକ୍ଟ୍ରୋନିକ୍ ଦ୍ରବ୍ୟ କ୍ଷେତ୍ରରେ ଆନ୍ତର୍ଜାତିକ ବଜାରରେ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଚାରିଟି ଦେଶ: ଚୀନ୍, ଭିଏତ୍‌ନାମ୍, ଥାଇଲାଣ୍ଡ୍ ଓ ମେକ୍‌ସିକୋ। ଉପରୋକ୍ତ ରିପୋର୍ଟ ଅନୁସାରେ ଅନ୍ତିମ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ଯନ୍ତ୍ରାଂଶ ଓ ସବ୍-ଆସେଂବ୍ଲିଂ ଉପରେ ଭାରତ ଲାଗୁ କରୁଥିବା ଆମଦାନି ଶୁଳ୍‌କ ହାର ହେଉଛି ଏ ସମସ୍ତ ଚାରିଟି ଯାକ ଦେଶ ଲାଗୁ କରୁଥିବା ଅନୁରୂପ ଶୁଳ୍‌କ ହାର ଠାରୁ ବହୁ ଅଧିକ।

ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ୧୨୦ଟି ପ୍ରକାର ଆମଦାନି ଶୁଳ୍‌କ ବା ‘ଟାରିଫ୍ ଲାଇନ୍’ର ଅନୁଶୀଳନ କରାଯାଇଥିଲା (ଏଗୁଡ଼ିକ ମିଳିତ ଭାବରେ ଅନ୍ତିମ ଦ୍ରବ୍ୟର ଉପରୋକ୍ତ ୮୦ ଶତାଂଶ ମୂଲ୍ୟ ନିର୍ଣ୍ଣୟ କରିଥା’ନ୍ତି)। ଦେଖାଯାଇଥିଲା ଯେ ୧୨୦ଟି ‘ଟାରିଫ୍ ଲାଇନ୍’ ମଧ୍ୟରୁ ଭାରତ ୩୨ଟି ଉପରେ ଶୂନ୍ୟ ଶୁଳ୍‌କ (ଜିରୋ ଟାରିଫ୍) ଲଗାଇଥାଏ, କିନ୍ତୁ ତା’ର ପ୍ରତିଦ୍ବନ୍ଦ୍ବୀମାନେ ଏହା ଠାରୁ ବହୁ ଅଧିକ ଉଦାରତା ପ୍ରଦର୍ଶନ କରି ଏହା ଠାରୁ ଅଧିକ ସଂଖ୍ୟକ ଟାରିଫ୍ ଲାଇନ୍‌କୁ ଶୂନ୍ୟ ଶୁଳ୍‌କ ସୁବିଧା ପ୍ରଦାନ କରିଥା’ନ୍ତି (ଯେମିତି, ଚୀନ୍-୫୩; ମେକ୍‌ସିକୋ-୭୪)। ଯେଉଁ ସମସ୍ତ ଟାରିଫ୍ ଲାଇନ୍‌ରେ ଶୂନ୍ୟ ଠାରୁ ଅଧିକ ହାରରେ ଶୁଳ୍‌କ (ନନ୍‌ଜିରୋ ଟାରିଫ୍) ଲାଗୁ ହେଉଛି, ତାହାକୁ ଭାରତର ପ୍ରତିଦ୍ବନ୍ଦ୍ବୀମାନଙ୍କ ସହିତ ତୁଳନା କଲେ ଦେଖାଯାଏ ଯେ ସେମାନଙ୍କ ତୁଳନାରେ ଅଧିକାଂଶ ଲାଇନ୍‌ରେ ଭାରତ ଲାଗୁ କରୁଥିବା ଶୁଳ୍‌କ ହାର ହେଉଛି ଅଧିକ ଉଚ୍ଚା। ଉଦାହରଣ ସ୍ବରୂପ ଥାଇଲାଣ୍ଡ୍ ଓ ଭିଏତ୍‌ନାମ୍ ତୁଳନାରେ ୮୫ ଶତାଂଶ ଟାରିଫ୍ ଲାଇନ୍‌ମାନଙ୍କରେ ଭାରତ ଆଦାୟ କରୁଥିବା ଶୁଳ୍‌କର ହାର ହେଉଛି ଅପେକ୍ଷାକୃତ ଅଧିକ। ଚୀନ୍ ସହିତ ତୁଳନା କଲେ ତ ଚିତ୍ର ଆହୁରି ବିଷାଦଜନକ ଦିଶିଥାଏ: ୯୫ ଶତାଂଶ ଟାରିଫ୍ ଲାଇନ୍‌ରେ ଚୀନ୍‌ ଠାରୁ ଅଧିକ ଉଚ୍ଚା ହାରରେ ଆମେ ଆମଦାନି ମାହାସୁଲ ଆଦାୟ କରୁଛୁ।

ମେଡିକାଲ୍ ଉପକରଣରୁ ମଟରଗାଡ଼ି ଶିଳ୍ପ ପର୍ଯ୍ୟନ୍ତରେ ଆଜିକାଲି ଇଲେକ୍‌ଟ୍ରୋନିକ୍ ଯନ୍ତ୍ରାଂଶର ବ୍ୟାପକ ବ୍ୟବହାର ହେବା ଦେଖାଯାଇଥାଏ। ମୋବାଇଲ୍ ଫୋନ୍ ହେଉ କିମ୍ବା ଏ ସମସ୍ତ ପଦାର୍ଥ ହେଉ, ମହଙ୍ଗା ଆମଦାନିର ବିକଳ୍ପ ଭାବରେ ଏ ସବୁର ନିର୍ମାଣରେ ବ୍ୟବହୃତ ହେବା ପାଇଁ ଉପଯୁକ୍ତ ଉପାଦାନ ଭାରତରେ ନିର୍ମିତ ହେଉ ନାହିଁ। ଏଣୁ ଭାରତରେ ନିର୍ମିତ ଇଲେକ୍‌ଟ୍ରୋନିକ୍ ପଦାର୍ଥ ବିଦେଶ ବଜାରରେ ମହଙ୍ଗା ହେବାକୁ ବାଧ୍ୟ। ସରକାର ଉଚ୍ଚା ଆମଦାନି ଶୁଳ୍‌କ ମାଧ୍ୟମରେ ରାଜସ୍ବ ସଂଗ୍ରହ କରିବାକୁ ଯଦି ଲକ୍ଷ୍ୟ ରଖିଥା’ନ୍ତି, ତାହା ମଧ୍ୟ ଫଳପ୍ରସୂ ହେବା ସମ୍ଭାବନା କ୍ଷୀଣ। କାରଣ ଏହି ଆମଦାନି ନୀତି ଯୋଗୁଁ ଇଲେକ୍‌ଟ୍ରୋନିକ୍ ଦ୍ରବ୍ୟ ଉତ୍ପାଦନରେ ସଂକୋଚନ ଘଟିଲେ କିମ୍ବା ଆଶାଜନକ ବୃଦ୍ଧି ନ ଘଟିଲେ, ସରକାର ତା’ ଉପରେ ଆଦାୟ କରୁଥିବା ‘ଜିଏସ୍‌ଟି’ ରାଜସ୍ବରେ ସଂକୋଚନ ଘଟିବ ବା ଆଶାନୁରୂପ ବୃଦ୍ଧି ଘଟିବ ନାହିଁ।

ସରକାର ତେଣୁ ବୁଝି ବିଚାରି କେବଳ ଯେଉଁଠି ଘରୋଇ ଉତ୍ପାଦନ କ୍ଷମତା ଉପଲବ୍‌ଧ ଅଛି, ସେଇଠି ଉଚ୍ଚା ଆମଦାନି ଶୁଳ୍‌କ ଲାଗୁ କରି ଅନ୍ୟ ସମସ୍ତ ଟାରିଫ୍ ଲାଇନ୍‌ରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଆମର ଶୁଳ୍‌କ ହୁଗୁଳା କରିଦେବା ବୁଦ୍ଧିମାନର କାର୍ଯ୍ୟ ହେବ। ଆସନ୍ତା ୨୦୨୨-୨୩ ବଜେଟ୍‌ରେ ବିତ୍ତ ମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦେଇ ସୁଡ଼ଙ୍ଗ ମୁହଁରୁ ଯେତେ ଦୂର ସମ୍ଭବ କଷ୍ଟମ୍‌ସ ଗାର୍ଡ ହଟାଇନେବେ, ଆମ ପାଇଁ ସେତେ ମଙ୍ଗଳ ହେବ।