ସୋମବାର ଦିନ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଭାରତ ଭଳି ଉଦୀୟମାନ ଅର୍ଥନୀତିମାନଙ୍କ ଉଦ୍ଦେଶ୍ୟରେ ଏକ ସତର୍କ ସୂଚନା ଜାରି କରିଛି। ଯେଉଁ ବିପଦର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ଆମ ପାଇଁ ଏହି ସତର୍କ ଘଣ୍ଟି ବଜାଇଛି, ସେ ବିପଦର ଉତ୍ପତ୍ତି ସ୍ଥଳୀ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଆମେରିକାର ଅର୍ଥନୀତି ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ଏକ ଅପେକ୍ଷାକୃତ ଅପରିଚିତ ପରିସ୍ଥିତିର ମୁକାବିଲା ନିମିତ୍ତ ସେ ଦେଶ ନେବାକୁ ଉଦ୍ୟତ ହେଉଥିବା ଏକ ପଦକ୍ଷେପ ବିକାଶଶୀଳ ଦେଶମାନଙ୍କର ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ସେଥିପାଇଁ ପ୍ରସ୍ତୁତ ରହିବା ପାଇଁ ଏହି ଦେଶମାନଙ୍କୁ ସଚେତନ କରିଦେବା ହେଉଛି ‘ଆଇଏମ୍ଏଫ୍’ ପ୍ରସାର କରିଥିବା ସତର୍କ ସୂଚନାର ଉଦ୍ଦେଶ୍ୟ।
ଅନ୍ୟ ଦେଶମାନଙ୍କ ଭଳି ୨୦୨୦ରେ ଆମେରିକାକୁ ଆକ୍ରାନ୍ତ କରିଥିବା ଚୀନା କରୋନା ଜନିତ ସଂକଟ ଆମେରିକୀୟମାନଙ୍କୁ ଘୋର ଅସ୍ତବ୍ୟସ୍ତ କରି ଦେଇଥିଲା। ବର୍ତ୍ତମାନ କିନ୍ତୁ ତାଙ୍କ ଦେଶର ଅର୍ଥନୀତିରେ ସୁଧାର ଆସିବାରେ ଲାଗିଛି; ଅଧିକାଂଶ ଲୋକଙ୍କର ଆୟରେ ବୃଦ୍ଧି ଘଟିବାରେ ଲାଗିଛି; ନିଯୁକ୍ତି ବଜାରରେ ଦେଖା ଦେଇଥିବା ଶ୍ରମିକ ଅଭାବ ଯୋଗୁଁ ମଜୁରି ହାରରେ ବୃଦ୍ଧି ଘଟି ଚାଲିଛି ଏବଂ ବାସଗୃହ ପ୍ରତି ଚାହିଦା ବୃଦ୍ଧି ପାଇବାରୁ ଗୃହ ମୂଲ୍ୟରେ ବୃଦ୍ଧି ଘଟି ଗୃହ ମାଲିକ ତଥା ନିବେଶକମାନଙ୍କ ପାଇଁ ଲାଭଜନକ ପରିବେଶ ସୃଷ୍ଟି କରିଛି।
କିନ୍ତୁ ପ୍ରତ୍ୟେକ ନାଗରିକ ମଧ୍ୟ ହେଉଛି ଜଣେ ଖାଉଟି। ଅର୍ଥନୀତିର ଉପର ବର୍ଣ୍ଣିତ ସନ୍ତୋଷଜନକ ପରିସ୍ଥିତି ସତ୍ତ୍ବେ ଖାଉଟି ଭାବରେ କିନ୍ତୁ ଆମେରିକୀୟମାନେ ବର୍ତ୍ତମାନ ଏକ ବିମର୍ଷ ଓ ଆଶଙ୍କାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ସେଠାକାର ମିସିଗାନ୍ ବିଶ୍ବବିଦ୍ୟାଳୟ ଦ୍ବାରା ନିୟମିତ ଭାବରେ କରା ହୋଇ ଆସୁଥିବା ଖାଉଟି ମନୋଭାବ ସର୍ବେକ୍ଷଣ ଅନୁସାରେ ୧୯୬୬ର ପ୍ରଥମ ଚଉଠରେ ଏହାର ମୂଲ୍ୟ ଯଦି ଏକ ଅତ୍ୟନ୍ତ ଉତ୍ତମ ୧୦୦ ଥିବା ଧରାଯାଏ, ତେବେ ୨୦୨୦ରେ ଏଥିରେ ତୀକ୍ଷ୍ଣ ସ୍ଖଳନ ଘଟିବା ପରେ ୨୦୨୧ର ମଧ୍ୟବର୍ତ୍ତୀ ସମୟରେ ଏଥିରେ ଉନ୍ନତି ଦେଖା ଦେଇ ୮୦ ସୀମା ଅତିକ୍ରମ କରିବା ଦେଖାଯାଇଥିଲା। ବର୍ତ୍ତମାନ ସେଥିରେ ପୁନରାୟ ସ୍ଖଳନ ଘଟି ଏକ ଅପେକ୍ଷାକୃତ ନୀଚା ୬୦ ନିକଟବର୍ତ୍ତୀ ହୋଇ ଆମେରିକୀୟ ଖାଉଟିମାନଙ୍କର ବିଷଣ୍ଣ ଅବସ୍ଥାକୁ ସୂଚାଉଛି।
ଏହାର ଏକମାତ୍ର କାରଣ ହେଉଛି ଦରଦାମ୍ ବୃଦ୍ଧି ବା ମୁଦ୍ରାସ୍ଫୀତି। ଦୀର୍ଘକାଳ ଧରି ବାର୍ଷିକ ୨ ଶତାଂଶ ଛୁଇଁ ପାରୁ ନ ଥିବା ମୁଦ୍ରାସ୍ଫୀତି ହାର ବର୍ତ୍ତମାନ ସେଠାରେ ବାର୍ଷିକ ୭ ଶତାଂଶ ହାର ଛୁଇଁବା ଛୁଇଁବା ହେଲାଣି। ଆମେରିକୀୟମାନେ ଅଧିକରୁ ଅଧିକ ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ଅର୍ଥନୈତିକ ପରିଚାଳନାର ଅପାରଗତାର ପରିଣାମ ବୋଲି ବିଶ୍ବାସ କରୁଛନ୍ତି। ଉଦାହରଣ ସ୍ବରୂପ, ଏକ ସର୍ବେକ୍ଷଣ ଅନୁସାରେ ଦୁଇ-ତୃତୀୟାଂଶରୁ ଅଧିକ ଆମେରିକାବାସୀ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବାଇଡେନ୍ଙ୍କ ରେକର୍ଡକୁ ନାପସନ୍ଦ କରିବା ଦେଖାଯାଇଛି। ବାଇଡେନ୍ ପ୍ରଶାସନ ତେଣୁ ବର୍ତ୍ତମାନ ମୁଦ୍ରାସ୍ଫୀତି ସହିତ ଲଢ଼େଇକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ଆଗେଇ ଆସିଛି।
ସେମାନେ ଏଭଳି ପରିସ୍ଥିତିରେ ପ୍ରାୟ ସର୍ବତ୍ର ଦେଖାଯାଇଥିବା ପରି, ଦରଦାମ୍ ବୃଦ୍ଧି ପାଇଁ ଉତ୍ପାଦନକାରୀ ଓ ବେପାରୀମାନଙ୍କୁ ଦୋଷ ଦେଇ ପ୍ରଶାସନିକ ଆଦେଶ ବଳରେ ଦରଦାମ୍ ନିୟନ୍ତ୍ରଣ କରିବାକୁ ଉଦ୍ୟତ ହେଉଛନ୍ତି। କିନ୍ତୁ ଅତୀତର ଅନୁଭୂତିରୁ ସର୍ବଦା ଦେଖାଯାଇଛି ଯେ ସରକାର ଯେତେବେଳେ ପ୍ରଶାସନିକ ନିର୍ଦ୍ଦେଶ ଭଳି ଅଣ-ଅର୍ଥନୈତିକ ଉପାୟ ଅବଲମ୍ବନ କରି କୃତ୍ରିମ ଭାବରେ ଦରଦାମ୍ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରିଛନ୍ତି, ତାହା ଅର୍ଥନୀତିର ଆଚରଣକୁ ବିକୃତ କରି ଅଭିବୃଦ୍ଧିକୁ ବ୍ୟାଘାତ ପହଞ୍ଚାଇ ଥାଏ।
ପ୍ରକୃତରେ ସରକାରଙ୍କର ଯେଉଁ ଅର୍ଥନୈତିକ ପଦକ୍ଷେପ ମୁଦ୍ରାସ୍ଫୀତିକୁ କାବୁ କରିବାରେ ସହାୟକ ହୁଅନ୍ତା, ତାହା ହେଲା ସରକାରୀ ଖର୍ଚ୍ଚ ସଂକୋଚନ ଓ ଟିକସ ବୃଦ୍ଧି। ଏ ଉଭୟ ପଦକ୍ଷେପ କିନ୍ତୁ ଲୋକପ୍ରିୟ ନୁହେଁ। ଅପର ପକ୍ଷେ କୋଭିଡ୍ ସମୟରେ ସରକାର ସହାୟତା ପ୍ରଦାନ ସ୍ବରୂପ କରିଥିବା ବିପୁଳ ଆକାରର ଖୋଲା ହାତ ଖର୍ଚ୍ଚ ହେଉଛି ବର୍ତ୍ତମାନର ମୁଦ୍ରାସ୍ଫୀତିର ଏକ ମୁଖ୍ୟ କାରଣ। ଏଥିଯୋଗୁଁ ଚାହିଦାରେ ଦେଖାଦେଇଥିବା ସ୍ଫୀତି ସହିତ ଖାପ ଖାଇବା ଭଳି ଯୋଗାଣରେ ବୃଦ୍ଧି ଘଟି ପାରି ନାହିଁ, ଯାହାର ଅନ୍ୟତମ କାରଣ ହେଉଛି କୋଭିଡ୍ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗାଣ ଶୃଙ୍ଖଳ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ମାର୍କିନ୍ ସରକାର ଏପରି ଅସହାୟ ହୋଇ ପଡ଼ିଥିବା ବେଳେ ମୁଦ୍ରାସ୍ଫୀତିର ପ୍ରକୃତ ନିୟନ୍ତ୍ରକ ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ଚୁପ୍ ହୋଇ ବସି ରହିବା ସମ୍ଭବ ନୁହେଁ। ଫେଡେରାଲ୍ ରିଜର୍ଭ ମତରେ ଆମେରିକୀୟ ଅର୍ଥନୀତି ଆଉ ସହାୟତା ଆବଶ୍ୟକ କରୁନାହିଁ; ତେଣୁ ସେ ଖୁବ୍ ଶୀଘ୍ର ମୁଦ୍ରାସ୍ଫୀତିରେ ଲଗାମ ଦେବା ପାଇଁ ଏଥର ଅର୍ଥନୀତିକୁ ମୁଦ୍ରା-ଯୋଗାଣରେ ବୃଦ୍ଧି ଘଟାଇବା ପାଇଁ ଅନୁସରଣ କରି ଆସୁଥିବା ବଣ୍ଡ୍ କ୍ରୟ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏବଂ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଯାଉଛି।
ତାହା ଘଟିଲେ, ବିଦେଶୀ ପୁଞ୍ଜି ନିବେଶକମାନେ ଅଧିକ ଆୟ କରିବା ଆଶାରେ ବିକାଶଶୀଳ ଦେଶ ମାନଙ୍କରେ ସେମାନେ ଖଟାଇଥିବା ପୁଞ୍ଜି ପ୍ରତ୍ୟାହାର କରି ଆମେରିକା ମୁହାଁ ହେବାକୁ ଆରମ୍ଭ କରିବେ। ଅତଏବ ସେମାନେ ଭାରତୀୟ କମ୍ପାନିମାନଙ୍କର ସେଆର୍ ଓ ବଣ୍ଡ୍ରେ ନିବେଶ କରିବା ପରିବର୍ତ୍ତେ ଆମେରିକୀୟ କମ୍ପାନିମାନଙ୍କୁ ପସନ୍ଦ କରିବେ, ଯାହା ଏଠାକାର ସେଆର୍ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ। ସେମାନେ ଭାରତ ସରକାରଙ୍କର ସିକ୍ୟୁରିଟିରେ ନିବେଶ କରିଥିବା ପୁଞ୍ଜି ଉଠାଇ ନେଇ ଆମେରିକା ମୁହାଁ ହେବାର ଦୃଢ଼ ସମ୍ଭାବନା ରହିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଠାରେ ମଧ୍ୟ ସୁଧ ହାରରେ ବୃଦ୍ଧି କରିବା ପାଇଁ ବାଧ୍ୟ ହୋଇପାରେ। ଏହା ଆନ୍ତର୍ଜାତିକ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ହାରକୁ ଦୁର୍ବଳ କରି ତୋଳିବ।
ତେବେ ଦୁଇଟି କଥା ଆମ ପାଇଁ ସାମାନ୍ୟ ଆଶ୍ବସ୍ତି ସୃଷ୍ଟି କରି ପାରେ। ଗୋଟିଏ ହେଲା- ଆମେରିକାର ଫେଡେରାଲ୍ ରିଜର୍ଭ ତା’ର ପୂର୍ବ ଘୋଷଣା ଅନୁସାରେ ଚଳିତ ବର୍ଷ ତିନି ଥର ସୁଧ ହାରରେ ବୃଦ୍ଧି ଘଟାଇବା ପରେ ମଧ୍ୟ ସେଠାରେ ବେଞ୍ଚ୍ମାର୍କ ସୁଧ ହାର ୧ ଶତାଂଶ ତଳେ ରହିବ, ଯାହା ଠାରୁ ଭାରତୀୟ ସୁଧ ହାର ତଥାପି ଆକର୍ଷଣୀୟ ଭାବରେ ଅଧିକ ରହିବ। ଅନ୍ୟଟି ହେଲା- ମୁଦ୍ରା ବଜାରରେ ହସ୍ତକ୍ଷେପ କରି ଟଙ୍କାର ଶକ୍ତି ଅକ୍ଷୁଣ୍ଣ ରଖିବା ପାଇଁ ବର୍ତ୍ତମାନ ଭାରତ ପାଖରେ ଯଥେଷ୍ଟ ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି। କିନ୍ତୁ ଦୀର୍ଘକାଳ ପାଇଁ ଏହା ଉପରେ ନିର୍ଭର କରି ହେବ ନାହିଁ। ସମସ୍ୟା ହେଲା, ଆମେରିକା ତା’ର ସୁଧ ହାରରେ ବୃଦ୍ଧି ଘଟାଇଲେ ଅନ୍ୟ ଦେଶମାନେ ମଧ୍ୟ ତା’ର ଜବାବରେ ନିଜ ନିଜର ସୁଧ ହାରରେ ବୃଦ୍ଧି ଘଟାଇ ପାରନ୍ତି। ସେପରି ସ୍ଥଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଠାରେ ସୁଧ ହାର ବୃଦ୍ଧି କରିବାକୁ ବାଧ୍ୟ ହେବ। ସୁଧ ହାରରେ ବୃଦ୍ଧି ଅଭିବୃଦ୍ଧିକୁ ବ୍ୟାହତ କରିବ। ଏଣୁ ‘ଆଇଏମ୍ଏଫ୍’ ପ୍ରସାର କରିଥିବା ସତର୍କ ସୂଚନା ଯେ ଭାରତ ପାଇଁ ପ୍ରାସଙ୍ଗିକତା ବହନ କରୁଛି, ଏଥିର ସନ୍ଦେହ ନାହିଁ। ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖି ଏହି ମାର୍କିନ୍ ମୁସ୍କିଲ୍ର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ।