ପାଣିପାଗ ପୂର୍ବାନୁମାନ

ଏହି ଶୀର୍ଷକକୁ ଦେଖି ଯେଉଁ ପାଠକ-ପାଠିକା ଭାବି ନେଇଥିବେ ଯେ ବିଶ୍ବ ଉତ୍ତପ୍ତୀକରଣ ପରିପ୍ରେକ୍ଷୀରେ ଏଠାରେ ଭୌଗୋଳିକ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରାଯାଇଛି, ସେମାନେ ଏଠାରେ ଭାରତର ରାଜନୈତିକ ପାଣିପାଗର ପୂର୍ବାନୁମାନ ସ˚ପର୍କରେ ଏକ ପ୍ରୟାସକୁ ଦେଖି ଈଷତ୍‌ ବିସ୍ମିତ ହୋଇ ପାରନ୍ତି। କିନ୍ତୁ ଆସନ୍ତା ମାସର ମଧୢ ଭାଗରୁ ପ୍ରାରମ୍ଭ ହେବାକୁ ଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ଉଷ୍ମତା କ୍ରମେ ଯେଉଁ ଉତ୍ତପ୍ତୀକରଣର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି, ସେଥିରେ ଏଭଳି ଏକ ପୂର୍ବାନୁମାନର ମଧୢ ମହତ୍ତ୍ବ ରହିଛି। ତେବେ ଭୌଗୋଳିକ ପାଣିପାଗର ପୂର୍ବାନୁମାନ ସକାଶେ ଉପଲବ୍‌ଧ ଆଧୁନିକ ପ୍ରଯୁକ୍ତିର ଅଭାବ ହେତୁ ରାଜନୈତିକ ପାଣିପାଗର ପୂର୍ବାନୁମାନ ଉଇ ହୁଙ୍କାରୁ ନିର୍ଗତ ହେଉଥିବା ଝଡ଼ିପୋକଙ୍କ କୁଣ୍ତଳିରୁ ପାଗ ନେଇ ଅନ୍ଦାଜ ଲଗାଇବା ତୁଲ୍ୟ ହୋଇପାରେ; ତେବେ ଏଭଳି ଅନ୍ଦାଜରେ ନିହିତ ଥିବା ଦୂରଦୃଷ୍ଟିସ˚ପନ୍ନ ବୁଦ୍ଧିମାନୀକୁ ମଧୢ ନଜରଅନ୍ଦାଜ କରାଯାଇ ପାରିବ ନାହିଁ।

ଆସନ୍ତା ମାସରୁ ଯେଉଁ ପାଞ୍ଚଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ତହିଁରେ ଅନ୍ତର୍ଭୁକ୍ତ ଅଛନ୍ତି ଭାରତର ବୃହତ୍ତମ ତଥା ରାଜନୈତିିକ ଦୃଷ୍ଟିରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ ଏବ˚ କ୍ଷୁଦ୍ରତମ ହୋଇଥିବା ସତ୍ତ୍ବେ ରାଜନୈତିକ ବିସ୍ମୟ ସୃଷ୍ଟିର ସାମର୍ଥ୍ୟ ବହନ କରୁଥିବା ରାଜ୍ୟ ଗୋଆ। ଏହା ବ୍ୟତୀତ ପଞ୍ଜାବ, ମଣିପୁର ଏବ˚ ଉତ୍ତରାଖଣ୍ତ ମଧୢ ନିର୍ବାଚନର ସମ୍ମୁଖୀନ ହେବେ।

ପ୍ରଥମେ ଉତ୍ତରପ୍ରଦେଶ, ଯେଉଁଠି ୨୦୧୭ ରାଜ୍ୟ ନିର୍ବାଚନରେ ନରେନ୍ଦ୍ର ମୋଦୀ ଏବ˚ ଅମିତ ଶାହଙ୍କ ମିଳିତ ପ୍ରୟାସ ବିଜେପିକୁ ଏକ ବିଶାଳ ବିଜୟର ଅଧିକାରୀ କରିଥିଲା ଏବ˚ ମୁଖ୍ୟମନ୍ତ୍ରୀ ରୂପେ ଆବିର୍ଭୂତ ହୋଇଥିବା ଯୋଗୀ ଆଦିତ୍ୟ ନାଥ ଥିଲେ ମୋଦୀ-ଶାହଙ୍କ ଦ୍ବାରା ନେତା ନିର୍ଣ୍ଣୟର ହିତାଧିକାରୀ। ସେହି ଦୃଷ୍ଟିରୁ ଆସନ୍ତା ନିର୍ବାଚନ ହେବ ଯୋଗୀ ଆଦିତ୍ୟ ନାଥଙ୍କ ପରାକ୍ରମର ପ୍ରକୃତ ପରୀକ୍ଷା; କାରଣ ଏହି ନିର୍ବାଚନରେ ପରାଜୟ ଯୋଗୀ ଆଦିତ୍ୟ ନାଥ ନାମକ ଏକ ବହୁ ପ୍ରଚାରିତ ଚମକକୁ ଲିଭାଇ ଦେଇପାରେ। ଅନେକ ରାଜନୈତିକ ବିଶ୍ଳେଷକ ଯୋଗୀ ଆଦିତ୍ୟ ନାଥଙ୍କୁ ଭବିଷ୍ୟତ୍‌ର ପ୍ରଧାନମନ୍ତ୍ରୀ ରୂପେ, ଏପରି କି ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ରୂପେ ଦେଖିଥାଆନ୍ତି। ସେହି ପରିପ୍ରେକ୍ଷୀରେ ତାଙ୍କ ବିଜୟ ଏଭଳି ଏକ ଧାରଣାକୁ ଦୃଢ଼ କରନ୍ତା ଯେ ବିଜେପିର ସମର୍ଥକମାନେ ଦଳର ନେତୃତ୍ବରେ ଅଧିକ କଠୋରପନ୍ଥୀଙ୍କୁ ଦେଖିବାକୁ ଚାହାନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଯୋଗୀ ଆଦିତ୍ୟ ନାଥ ଯେ ଅଧିକ କଠୋର ‘ହିନ୍ଦୁବାଦୀ’, ଏହା କହିବା ନିଷ୍ପ୍ରୟୋଜନ। କିନ୍ତୁ ଅନେକ କଠୋର ‘ହିନ୍ଦୁତ୍ବ’ ସମର୍ଥକ ସମ୍ଭବତଃ ଯାହା ନଜରଅନ୍ଦାଜ କରିଯାଆନ୍ତି, ସେହି ବାସ୍ତବତାଟି ହେଲା ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ପରେ ତା’ର ଆଭିମୁଖ୍ୟ ଅଧିକ ସ˚ଶୟଗ୍ରସ୍ତ ହୋଇଛି; ଯାହା ଭାରତ ଭଳି ଏକ ଅତ୍ୟନ୍ତ ବିବିଧତାପୂର୍ଣ୍ଣ ଓ ଗଣତାନ୍ତ୍ରିକ ରାଷ୍ଟ୍ରର ପରିଚାଳନା ପରିପ୍ରେକ୍ଷୀରେ ହେବା ନିହାତି ଅନିବାର୍ଯ୍ୟ ମଧ୍ୟ। ତେଣୁ ଯେଉଁ ଅତ୍ୟନ୍ତ କଠୋର ‘ହିନ୍ଦୁତ୍ବବାଦୀ’ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନିରାଶ ହୋଇଛନ୍ତି, ସେମାନେ ତାଙ୍କ ସ୍ଥାନରେ ଯୋଗୀଙ୍କୁ ଲାଭ କଲେ ସୁଦ୍ଧା ସେମାନଙ୍କ କଳ୍ପିତ ଶାସନ ପାଇବା ସମ୍ଭବ ହେବାର ଆଶା କ୍ଷୀଣ।

ନିକଟରେ ଉତ୍ତରାଖଣ୍ତର ହରଦ୍ବାରରେ ଏକ ହିନ୍ଦୁ ଧାର୍ମିକ ସମାବେଶରେ ସ˚ଖ୍ୟାଲଘୁ ମୁସଲମାନମାନଙ୍କୁ ମୂଳପୋଛ କରିବା ଲାଗି ପ୍ରଦାନ କରାଯାଇଥିବା ଏକ ଶିହରଣ ସୃଷ୍ଟିକାରୀ ଆହ୍ବାନ, ଅସ˚ଖ୍ୟଙ୍କୁ ଉଦ୍‌ବିଗ୍ନ କରିଛି। ଅନେକ ରାଜନୈତିକ ସମୀକ୍ଷକ ମତ ପ୍ରଦାନ କରିଥାଆନ୍ତି ଯେ ଏଭଳି ଅବିମୃଶ୍ୟକାରିତାରୁ ଜାତ ଏକ ବାତାବରଣ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟ ନାଥଙ୍କ ଲାଗି ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। ଏହା ଛଡ଼ା ଆଉ ଯେଉଁ ଏକ କାରଣ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ଯିବାର ସମ୍ଭାବନା ଅଛି, ତାହା ହେଲା ତାଙ୍କ ଶାସନ କାଳରେ ସୃଷ୍ଟି ହୋଇଥିବା ଠାକୁର ଓ ବ୍ରାହ୍ମଣଙ୍କ ମଧ୍ୟରେ ସୃଷ୍ଟ ବିଦ୍ବେଷ (ଯୋଗୀ ଆଦିତ୍ୟ ନାଥ ଠାକୁର ସ˚ପ୍ରଦାୟର) ଏବ˚ ଉଲ୍ଲେଖଯୋଗ୍ୟ ଯେ ବ୍ରାହ୍ମଣମାନେ ବିଜେପିର ଏକ ଦୃଢ଼ ସମର୍ଥକ ବର୍ଗ ଭାବେ ପରିଗଣିତ।

ପୁଣି, ଗଲା ଦୁଇ ତିନି ଦିନ ମଧୢରେ ପ୍ରାୟ ଛଅ ଜଣ ବିଜେପି ବିଧାୟକ (ଦୁଇ ଜଣ ଯୋଗୀ ଆଦିତ୍ୟ ନାଥ କ୍ୟାବିନେଟ୍‌ରେ ମନ୍ତ୍ରୀ) ଦଳ ପରିତ୍ୟାଗ କରିବା ଏବ˚ ବିଶେଷ କରି ସ୍ବାମୀ ପ୍ରସାଦ ମୌର୍ଯ୍ୟ (ଶ୍ରମ ମଙ୍ଗଳ ବିଭାଗ ମନ୍ତ୍ରୀ)ଙ୍କ ଭଳି ପଛୁଆ ବର୍ଗର ଜଣେ ଅତ୍ୟନ୍ତ ଟାଣୁଆ ଓ ଲୋକପ୍ରିୟ ନେତା ସମାଜବାଦୀ ପାର୍ଟିରେ ଯୋଗ ଦେବା ଭଳି ଘଟଣା ଉତ୍ତରପ୍ରଦେଶରେ ବିଜେପିର ପ୍ରଦର୍ଶନ ନେଇ ଶଙ୍କା ଉତ୍ପନ୍ନ କରିଥାଏ। ଅନେକ ରାଜନୀତି ବିଶାରଦଙ୍କ ମତରେ ସ୍ବାମୀ ପ୍ରସାଦ ହେଉଛନ୍ତି ସେହିଭଳି ଜଣେ ନେତା, ଯିଏ ରାଜନୈତିକ ପବନର ପ୍ରବାହରୁ ତାହାର ଦିଗ ବିଷୟରେ ଅନ୍ଦାଜ ଲଗାଇ ତାଙ୍କ ଡଙ୍ଗାରେ ପାଲ ଟାଣି ପାରନ୍ତି। ଜନତା ଦଳ ଛାଡ଼ି ବହୁଜନ ସମାଜବାଦୀ ପାର୍ଟିରେ (୧୯୯୬) ଯୋଗ ଦେଇଥିବା ଅଥବା ୨୦୧୬ରେ ତାକୁ ଛାଡ଼ି ବିଜେପିରେ ମିଶିଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ସର୍ବଦା ବିଜୟୀ ପକ୍ଷରେ ରହି କ୍ଷମତା ଉପଭୋଗରେ ନିରନ୍ତରତା ଲାଭ କରି ଆସିଛନ୍ତି। ସୁତରା˚, ତାଙ୍କ ଦ୍ବାରା ସଦ୍ୟ ଓ ସହସା ବିଜେପି ପରିତ୍ୟାଗରୁ ଅନେକ ଏକ ବିଜେପି ବିରୋଧୀ ନିର୍ବାଚନ ଫଳାଫଳର ଆଭାସ ପାଇଥାଆନ୍ତି।

ଦ୍ବିତୀୟରେ କ˚ଗ୍ରେସ। ପ୍ରକାଶ ଥାଉ କି ଏହି ସର୍ବ ପୁରାତନ ଜାତୀୟ ଦଳ ୨୦୧୯ ସାଧାରଣ ନିର୍ବାଚନରେ ୧୯.୪୬ ଶତା˚ଶ ଅର୍ଥାତ୍‌ ୧୧ କୋଟି ୯୦ ଲକ୍ଷରୁ ଅଧିକ ଭୋଟ ଲାଭ କରିଥିବା ସତ୍ତ୍ବେ ସଂପ୍ରତି ଏକ ନିଷ୍ପ୍ରଭାବୀ ଦଳରେ ପରିଣତ ହୋଇଛି। ବିଡ଼ମ୍ବନାଟି ହେଲା ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ସ˚ଦର୍ଭରେ କେବଳ ପଞ୍ଜାବ ବ୍ୟତୀତ ଅନ୍ୟ କୌଣସି ଠାରେ କ˚ଗ୍ରେସର ଭୂମିକା ବିଶେଷ ଦୃଶ୍ୟମାନ ହେବନାହିଁ। କିନ୍ତୁ ପଞ୍ଜାବରେ କ˚ଗ୍ରେସରେ ଦେଖା ଦେଇଥିବା ଗୋଷ୍ଠୀ ଓ କ୍ଷମତା କନ୍ଦଳ ଯେଉଁ ସ୍ଥିତି ସୃଷ୍ଟି କରିଛି, ତହିଁରେ ଦଳର ପ୍ରଭାବ ବଳୟ କ୍ଷୁଣ୍ଣ ହୋଇଥିବା ସ୍ବାଭାବିକ। କ୍ୟାପ୍‌ଟେନ୍‌ ଅମରିନ୍ଦର ସି˚ହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରାଯିବା ଏବଂ ତା’ ପରେ ସେ କ˚ଗ୍ରେସ ପରିତ୍ୟାଗ କରି ଏକ ନୂତନ ଦଳ ଗଢ଼ି ବିଜେପିର ସମର୍ଥକ ଭାବେ ଉଭା ହେବା ଏକ କ˚ଗ୍ରେସ କ୍ଷୟୀ ସମୀକରଣକୁ ଜନ୍ମ ଦେଇଛି। ଏଣେ ଦୀର୍ଘକାଳୀନ କୃଷକ ଆନ୍ଦୋଳନ ଏବ˚ ଅକାଳୀ ଦଳ ଦ୍ବାରା ସମର୍ଥନ ପ୍ରତ୍ୟାହାର ଭଳି ଘଟଣା ବିଜେପିର ଯାତ୍ରାକୁ ପର୍ବତାରୋହଣତୁଲ୍ୟ କଠିନ କରିବ। ସୁତରା˚, ଏଥିରେ ଯେଉଁ ଦଳ ଲାଭବାନ ହେବାର ସମ୍ଭାବନା ରହିଛି, ତାହା ହେଉଛି ‘ଆମ୍‌ ଆଦ୍‌ମୀ ପାର୍ଟି’ ବା ଆପ୍‌। ୨୦୧୭ ନିର୍ବାଚନରେ ଆପ୍‌ ୭୭ ଜଣିଆ ବିଧାନସଭାରେ ୧୭ଟି ଆସନ ଦଖଲ କରିଥିଲା।

ବର୍ତ୍ତମାନର ପରିସ୍ଥିତିକୁ ଅନୁଧୢାନ କରି କତିପୟ ବିଶ୍ଳେଷକ କହିଥାଆନ୍ତି ଯେ ସାମଗ୍ରିକ ଭାବେ ଦେଶରେ ଏବ˚ ବିଶେଷ କରି ପଞ୍ଜାବରେ କ˚ଗ୍ରେସ ଦ୍ବାରା ପ୍ରଦର୍ଶିତ ଆଚରଣ ଏବ˚ ଆଭିମୁଖ୍ୟ ଅନେକ କଂଗ୍ରେସ ସମର୍ଥକଙ୍କୁ ଏଭଳି ଅସନ୍ତୁଷ୍ଟ କରିଛି ଯେ ସେମାନେ ବିଜେପି ବିରୋଧୀ ତଥା ଧର୍ମ ନିରପେକ୍ଷତାରେ ବିଶ୍ବାସୀ ଏକ ବିକଳ୍ପ ଦଳ ଭାବେ ଆପ୍‌ ଆଡ଼କୁ ଗତି କରିବେ, ଯେମିତି ଦିଲ୍ଲୀ ନିର୍ବାଚନରେ କ˚ଗ୍ରେସ ଶିବିର ରିକ୍ତ କରି ସେମାନେ ଆପ୍‌ ତମ୍ବୁ ତଳେ ରୁଣ୍ତ ହୋଇଥିଲେ। ଯଦି ପ˚ଜାବରେ ଆପ୍‌ର ପ୍ରଦର୍ଶନ ଉଚ୍ଚକୋଟୀର ହୁଏ, ତେବେ ଏକ ରାଷ୍ଟ୍ରୀୟ ସ୍ତରର ଦଳ ଲାଗି ବୀଜରେ ଅଙ୍କୁରଣ ହେଲା ବୋଲି ବୁଝିବାକୁ ହେବ। ଏହାର ଗୋଟିଏ କାରଣ ଏକ ଆଞ୍ଚଳିକ ଦଳ ରୂପେ ପରିଗଣିତ ଆପ୍‌ ଏକ ଗୁରୁତ୍ବପୂର୍ଣ୍ଣ ବାହାର ରାଜ୍ୟରେ ଚେର ବିସ୍ତାର କରିବା ଲାଗି ଭୂମି ଅଧିକାର କରି ପାରିଲା। ଦ୍ବିତୀୟରେ ଏହାର ଅନ୍ତୁଡ଼ିଶାଳ ଦିଲ୍ଲୀ (ଭାରତର ରାଜଧାନୀ)ରେ ରହିଥିବା ଦୃଷ୍ଟିରୁ ଆବେଦନରେ ଏହା ଅନ୍ୟାନ୍ୟ ପ୍ରାଦେଶିକ ଦଳ ତୁଳନାରେ ଅଧିକ ‘ଅଖିଳ ଭାରତୀୟତା’ର ଭାବ ପରିବହନ କରିବ।

ଅବଶିଷ୍ଟ ତିନିଟି ରାଜ୍ୟ ବିଜେପି ଶାସନାଧୀନ। ତେଣୁ କ୍ଷମତା ବଜାୟ ରଖିବା ହେବ ବିଜେପିର ସର୍ବାଧିକ ପ୍ରାଥମିକତା। ତେବେ ଏହି ତିନି କ୍ଷୁଦ୍ର ରାଜ୍ୟରୁ ମଧୢ ବିଜୁଳି ଝଲସିଲା ଭଳି କିଛି ବିସ୍ମୟ ଝଟକି ଯାଇପାରେ; ଯେମିତି ଗୋଆରେ ତୃଣମୂଳ କ˚ଗ୍ରେସ ବା ଆପ୍‌ କିଛି କରି ଦେଖାଇବେ ବୋଲି ଅନେକ ଆଶାବାଦୀ।

ସମ୍ବନ୍ଧିତ ଖବର