‘ବରଜୀବ’

‘‘ବରଜୀବ ରସେ ଦେଇ ମାନସ, ବରଜି ବରଷେ ଅମେଧୢ ଗ୍ରାସ/ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଈ?’’ ପୂରା ବର୍ଷେ କାଳ ଅଖାଦ୍ୟ ଠାରୁ ଦୂରେଇ ରହି, କେବଳ ଶ୍ରେଷ୍ଠ ଜୀବ ରୂପେ ବିବେଚିତ ଗାଈର ଦୁଗ୍‌ଧ ପାନ କରି, ଦେହରେ ପୁଣ୍ୟତୋୟା ଗଙ୍ଗାର ପବିତ୍ର ମୃତ୍ତିକା ଲେପନ କଲେ ମଧୢ ମର୍ଯ୍ୟାଦା ଶିଡ଼ିର ସବା ଉପର ପାହାଚରେ ଛିଡ଼ା ହୋଇଥିବା ଗାଈ ସହିତ ସବା ତଳ ପାହାଚରେ ପଡ଼ି ରହିଥିବା ଘୁଷୁରି କେବେହେଲେ ସମାନ ହୋଇପାରିବ ନାହିଁ ବୋଲିି କବିସୂର୍ଯ୍ୟ ବଳଦେବ ରଥ ଏଇ ମର୍ମଭେଦୀ ଭାଷାରେ ଘୋଷଣା କରିଥିଲେ। ଏତେ ଦିନ ପରେ ଶୂକରୀ କବିସୂର୍ଯ୍ୟଙ୍କର ସେଇ ନିଷ୍ଠୁର ବ୍ୟଙ୍ଗର ଏପରି ଉପଯୁକ୍ତ ଜବାବ ଦେଇଛି ଯେ, ମନେ ହୁଏ ରଥ ମହାଶୟଙ୍କର ସୌଭାଗ୍ୟ ଯେ ତାହା ଶୁଣିବା ପାଇଁ ସେ ଆଜି ଇହଧାମରେ ଉପସ୍ଥିତ ନାହାନ୍ତି।

ମନୁଷ୍ୟର ପୁଷ୍ଟିିସାଧନରେ ଗୋରସର ଉପାଦେୟତା ଠାରୁ ଆରମ୍ଭ କରି ଫସଲର ପୁଷ୍ଟି ସାଧନରେ ଗୋମୟର ଭୂମିକା ଆଦି ପର୍ଯ୍ୟନ୍ତ ଯୋଗୁଁ ଯେ ଗାଈକୁ ମାତୃ ଆସନରେ ବସାଇ ‘ବରଜୀବ’ର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ, ଏହା ସର୍ବଜନବିଦିତ। ଗାଈର ମନୁଷ୍ୟ ପାଇଁ ଏହି ଅବଦାନକୁ କିନ୍ତୁ ଜୀବନ ମରଣ ସ˚କଟ ସମୟରେ ଏକ ପ୍ରାଣ ରକ୍ଷାକାରୀ ଭୂମିକା ରୂପେ ବିଚାର କରାଯାଇ ପାରିବ ନାହିଁ। ଯଦି ଅନ୍ୟ କୌଣସି ଏମିତି ଏକ ଜୀବର ଆବିର୍ଭାବ ଘଟେ ଯାହାର ଆତ୍ମବଳିଦାନ (ମନେ ରଖିବା କଥା ଗୋରସ ଦାନ କିମ୍ବା ଗୋମୟ ଦାନ ଆତ୍ମବଳିଦାନ ନୁହେଁ) ଯୋଗୁଁ ମନୁଷ୍ୟ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସି ନୂତନ ଜୀବନ ଲାଭ କରିପାରେ, ତା’ହେଲେ ସେ ଜୀବକୁ ‘ବରଜୀବ’ର ମର୍ଯ୍ୟାଦା ପ୍ରଦାନ କରାଯିବା ଅଧିକ ଯୁକ୍ତିଯୁକ୍ତ ହେବ ନାହିଁ କି? କବିସୂର୍ଯ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରନ୍ତେ ନାହିଁ, ସେ ଜୀବ ଆଉ କେହି ନୁହେଁ, ସେ ହେଉଛି ତାଙ୍କ ହେୟ ଜ୍ଞାନର ନିଶାଣ ହୋଇଥିବା ସେଇ- ଘୁଷୁରି।

ପୃଥିବୀ ସାରା ଏବେ ଚହଳ ପକାଇଥିବା ଘୁଷୁରିର ଏହି ମହାନ୍‌ ଅବଦାନ ହେଉଛି ନିମ୍ନ ପ୍ରକାରର। ଜାନୁଆରି ୭ ତାରିଖ ଦିନ ଡେଭିଡ୍‌ ବେନେଟ୍‌ ନାମକ ଜଣେ ବ୍ୟକ୍ତି ମାନବ ଇତିହାସରେ ସର୍ବପ୍ରଥମ ବ୍ୟକ୍ତି ରୂପେ ଆବିର୍ଭୂତ ହୋଇଛନ୍ତି, ଯାହାଙ୍କ ଶରୀରରେ ଏକ ଘୁଷୁରିର ହୃତ୍‌ପିଣ୍ତ ସଫଳ ଭାବରେ ଖଞ୍ଜି ଦିଆଯିବା ପରେ ତାଙ୍କର ଜୀବନ ରକ୍ଷା ହୋଇ ପାରିଛି। ଆମେରିକାର ମେରିଲ୍ୟାଣ୍ଡ୍‌ ବିଶ୍ବବିଦ୍ୟାଳୟ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ଠାରେ ୫୭ ବର୍ଷୀୟ ବେନେଟ୍‌ଙ୍କ ଠାରେ ଏହି ଘୁଷୁରି ହୃତ୍‌ପିଣ୍ତ ପ୍ରତିରୋପଣ ଅସ୍ତ୍ରୋପଚାର କରାଯିବା ପୂର୍ବରୁ ଅକ୍‌ଟୋବର୍‌ରେ ନ୍ୟୁୟର୍କର ଏକ ହସ୍‌ପିଟାଲ୍‌ ଠାରେ ଜଣେ ମସ୍ତିଷ୍କ-ମୃତ ରୋଗୀଙ୍କ ଠାରେ ଏକ ଘୁଷୁରିର ବୃକ୍‌କ (କିଡ୍‌ନି)କୁ ତିନି ଦିନ ପାଇଁ ସଫଳ ଭାବରେ ଖଞ୍ଜି ଦିଆଯାଇପାରିଥିଲା। ସେ ଘଟଣାରେ ସମ୍ପୃକ୍ତ ରୋଗୀଙ୍କର ଜୀବନ ରକ୍ଷା ହେବାର କୌଣସି ସମ୍ଭାବନା ନ ଥିଲା; କେବଳ, ଅସ୍ତ୍ରୋପଚାରର ସଫଳତା ପରୀକ୍ଷା କରିବା ଥିଲା ଚିକିତ୍ସକମାନଙ୍କର ଲକ୍ଷ୍ୟ। ବର୍ତ୍ତମାନର ଅସ୍ତ୍ରୋପଚାରର ନେତୃତ୍ବ ନେଇଥିବା ଡକ୍ଟର‌୍‌ ବାର୍ଟ‌୍‌ଲି ଗ୍ରିଫିଥ୍‌ ଓ ତାଙ୍କ ଟିମ୍‌ର ଉଦ୍ଦେଶ୍ୟ କିନ୍ତୁ ହେଉଛି ଜଣେ ମନୁଷ୍ୟଙ୍କର ଜୀବନ ରକ୍ଷା। ଅସ୍ତ୍ରୋପଚାର ପୂର୍ବରୁ ହୃଦ୍‌ରୋଗୀ ବେନେଟ୍‌ଙ୍କର ପାରମ୍ପରିକ ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ଦ୍ବାରା ବଞ୍ଚିବାର ସମ୍ଭାବନା ଶୂନ୍ୟ ଥିଲା ବୋଲି ବିଶେଷଜ୍ଞମାନେ ଏକମତ ହୋଇଥିଲେ। ଏହିପରି ଏକ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରି ହସ୍‌ପିଟାଲ୍‌ରେ ରୋଗଶଯ୍ୟାରେ ପଡ଼ି ରହିଥିବା ବେଳେ ଡେଭିଡ୍‌ ବେନେଟ୍‌ ବଞ୍ଚିବାର ଶେଷ ଆଶ୍ରା ସ୍ବରୂପ ଘୁଷୁରିର ହୁତ୍‌ପିଣ୍ତ ଦାନ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ।

ତେବେ ୭ ଜାନୁଆରିର ସଫଳ ଅସ୍ତ୍ରୋପଚାର ହଠାତ୍‌ ଘଟିଲା ବୋଲି ଭାବିବା ଭୁଲ୍‌ ହେବ। ଏହି ଅସ୍ତ୍ରୋପଚାରରେ ଘଟିଥିବା ଏକ ଅନ୍ୟ ପ୍ରାଣୀର ଅଙ୍ଗପ୍ରତ୍ୟଙ୍ଗକୁ ମନୁଷ୍ୟ ଶରୀରରେ ପ୍ରତିରୋପଣ କରାଯିବା ପ୍ରକ୍ରିୟାର ବୈଷୟିକ ନାମକରଣ ହେଉଛି- ‘ଜେନୋଟ୍ରାନ୍‌ସପ୍ଲାଣ୍ଟେସନ୍‌’ (‘ବାହ୍ୟ ପ୍ରତିରୋପଣ’)। ବିଗତ ଦଶନ୍ଧି ଦଶନ୍ଧି ଧରି ଗବେଷକମାନେ ଏହି ପ୍ରକ୍ରିୟା ସହିତ ଜଡ଼ିତ ଏକ ମୌଳିକ ସମସ୍ୟାର ସମାଧାନ ପାଇଁ ସବୁମନ୍ତେ ଚେଷ୍ଟା କରି ଆସିଛନ୍ତି। ସମସ୍ୟାଟି ହେଲା- ମନୁଷ୍ୟର ଶରୀର ଯେତେବେଳେ କୌଣସି ଏକ ‘ଟିସ୍ୟୁ’କୁ ଏକ ବାହ୍ୟ ‘ଟିସ୍ୟୁ’ ବୋଲି ଚିହ୍ନିଦିଏ, ସେବେ ତାକୁ ଦମନ କରି ତଡ଼ିବା ପାଇଁ ଲଢ଼େଇ ଆରମ୍ଭ କରିଦିଏ। ଘୁଷୁରି ନାମକ ପ୍ରାଣୀ କ୍ଷେତ୍ରରେ ତା’ର ‘ଟିସ୍ୟୁ’ ବହନ କରୁଥିବା ବାହ୍ୟ ଚରିତ୍ରର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଚିହ୍ନ ହେଉଛି ‘ଆଲ୍‌ଫା-ଗାଲ୍‌’ ନାମକ ଏକ ଶର୍କରା ଅଣୁ (ସୁଗାର ମଲିକ୍ୟୁଲ୍‌), ଯାହା ତା’ର ଜୀବକୋଷର ପୃଷ୍ଠ ଦେଶରେ ଉପସ୍ଥିତ ଥା’ନ୍ତି। ମନୁଷ୍ୟ ଶରୀରରେ ଏହି ଅଣୁ ଉପସ୍ଥିତ ନ ଥା’ନ୍ତି, କିନ୍ତୁ ସେମାନଙ୍କୁ ଆକ୍ରମଣ କରି ପରାସ୍ତ କରି ବିତାଡ଼ିତ କରିବା ପାଇଁ ଆବଶ୍ୟକ ‘ଆଣ୍ଟିବଡି’ ମନୁଷ୍ୟ ଶରୀରରେ ଉପସ୍ଥିତ ଥା’ନ୍ତି। ଏହାର ଅର୍ଥ ହେଲା, ‘ଆଲ୍‌ଫା-ଗାଲ୍‌’ ବହନ କରୁଥିବା ଘୁଷୁରିର କୌଣସି ବି ଅଙ୍ଗ ପ୍ରତ୍ୟଙ୍ଗକୁ ମନୁଷ୍ୟ ଶରୀରରେ ପ୍ରତିରୋପଣ କରିବା ସମ୍ଭବପର ନୁହେଁ; କାରଣ ମାତ୍ର ଦୁଇ ମିନିଟ୍‌ ମଧୢରେ ମନୁଷ୍ୟ ଶରୀରରେ ମହଜୁଦ ଥିବା ‘ଆଲ୍‌ଫା-ଗାଲ୍‌’-ବିଧ୍ବ˚ସକ ଆଣ୍ଟିବଡି ସକ୍ରିୟ ହୋଇ ସେ ଘୁଷୁରି-ଅଙ୍ଗକୁ ପ୍ରତ୍ୟାଖ୍ୟାନ କରି ଦେଇଥାଏ।

ଏହି ପ୍ରତିବନ୍ଧକୁ ଲ˚ଘିବା ପାଇଁ ୨୦୦୩ରେ ଜୈବ ବିଜ୍ଞାନୀମାନେ ଏପରି ରୂପାନ୍ତରିତ ଜିନୋମ୍‌ ଧାରଣକାରୀ ଘୁଷୁରି ସୃଷ୍ଟି କଲେ, ଯେଉଁମାନଙ୍କ ଶରୀରରେ ମୂଳରୁ ‘ଆଲ୍‌ଫା-ଗାଲ୍‌’ ଶର୍କରା ଅଣୁ ଉତ୍ପାଦିତ ହୋଇନଥାଏ। କିନ୍ତୁ ଏହା ପରେ ମଧୢ ଆହୁରି ଏପରି କେତେକ ପ୍ରତିବନ୍ଧ ରହି ଯାଇଥିଲେ, ଯେଉଁସବୁକୁ ଦୂର କରିବା ପାଇଁ ଏଭଳି ଗବେଷଣାର ଆବଶ୍ୟକତା ଥିଲା ଯାହା ଅତ୍ୟନ୍ତ ସମୟସାପେକ୍ଷ ଥିଲା ଓ ଏଥିପାଇଁ ବିପୁଳ ସମ୍ବଳର ଆବଶ୍ୟକତା ଥିଲା। ଏହି କାରଣରୁ ଅଧିକା˚ଶ ଗବେଷକ ଦଳ ଏ ଉଦ୍ୟମରୁ ବିରତ ହୋଇ ଯୁଦ୍ଧ କ୍ଷେତ୍ର ତ୍ୟାଗ କରି ପଳାୟନ କଲେ। କିନ୍ତୁ ଯେଉଁ ଗୋଟିଏ ନଛୋଡ଼ବନ୍ଦା ଗବେଷକ ଦଳ ପ୍ରକୃତ ଯୋଦ୍ଧା ଭଳି ରଣଭୂମିରେ ରହି ଲକ୍ଷ୍ୟ ହାସଲ ଉଦ୍ୟମରେ ଲାଗି ରହିଥିଲା, ତାହା ହେଲା- ମେରିଲ୍ୟାଣ୍ତ୍‌ ବିଶ୍ବବିଦ୍ୟାଳୟ ଏବ˚ ‘ରେଭିଭାଇକର୍‌’ ନାମକ ଭର୍ଜିନିଆସ୍ଥିତ ଏକ ପୁନଃ ସର୍ଜନାକାରୀ (‘ରିଜେନେରେଟିଭ୍‌’) ଔଷଧ ନିର୍ମାତା କମ୍ପାନି।

ଡେଭିଡ୍‌ ବେନେଟ୍‌ଙ୍କ ଠାରେ ଯେଉଁ ଘୁଷୁରିର ହୃତ୍‌ପିଣ୍ତଟି ପ୍ରତିରୋପଣ କରାଗଲା, ସେଇ ଜିନୋମ୍‌-ପରିବର୍ତ୍ତିତ ପ୍ରାଣୀଟିକୁ ସୃଷ୍ଟି କରି ଯୋଗାଇଥିଲା ଏହି ‘ରେଭିଭାଇକର‌୍‌’ କମ୍ପାନି। ପ୍ରତିରୋପଣର ସଫଳତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ରେଭିଭାଇକର‌୍‌’ର ବୈଜ୍ଞାନିକମାନେ ସମ୍ପୃକ୍ତ ଘୁଷୁରିଟିର ଜିନୋମ୍‌ରେ ଦଶ କିସମର ପରିବର୍ତ୍ତନ ଘଟାଇଥିଲେ। ଯଦି ଘୁଷୁରିର ହୃତ୍‌ପିଣ୍ତ ଧାରଣ କରି ଡେଭିଡ୍‌ ବେନେଟ୍‌ ଯୁକ୍ତିଯୁକ୍ତ ଭାବରେ ଦୀର୍ଘକାଳ ଜୀବିତ ରହି ଅପେକ୍ଷାକୃତ ସ୍ବାଭାବିକ ଜୀବନ ବିତାଇ ପାରନ୍ତି, ତେବେ ଏହା ଯେ ଚିକିତ୍ସାଜଗତ୍‌ରେ ଏକ ବୈପ୍ଳବିକ ସମ୍ଭାବନା ସୃଷ୍ଟି କରିବ, ତାହା ଜଳ ଜଳ ହୋଇ ଦେଖାଯାଉଛି।

ଏଠାରେ ସ୍ମରଣ କରି ଦିଆଯାଇପାରେ ଯେ ଘୁଷୁରି ଠାରେ ଏକ ‘ବରଜୀବ’ର ସନ୍ଧାନ କରିବାରେ ଡକ୍ଟର୍‌ ବାର୍ଟ‌୍‌ଲି ଗ୍ରିଫିଥ୍‌ ପ୍ରଥମ ଦୁଃସାହସୀ ଚିକିତ୍ସକ ନୁହନ୍ତି। ସେ ସମ୍ମାନର ହକ୍‌ଦାର ହେଉଛନ୍ତି ଜଣେ ଭାରତୀୟ ଚିକିତ୍ସକ, ଆସାମର ଡକ୍ଟର୍‌ ଧନୀରାମ ବରୁଆ, ଯିଏ ୨୫ ବର୍ଷ ତଳେ ପୂର୍ଣ୍ଣ ସାଇକିଆ ନାମକ ଜଣେ ୩୨ ବର୍ଷୀୟ ଯୁବକଙ୍କ ଠାରେ ଏକ ଘୁଷୁରିର ହୃତ୍‌ପିଣ୍ତ ପ୍ରତିରୋପଣ କରି ବ୍ୟାପକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ସେ ଘୁଷୁରିର ଜିନୋମ୍‌ରେ କିନ୍ତୁ ବର୍ତ୍ତମାନ ଭଳି ଏତେ ସ˚ଖ୍ୟକ ଆବଶ୍ୟକ ରୂପାନ୍ତର ଘଟା ଯାଇ ନ ଥିଲା। ତଥାପି ଘୁଷୁରିର ହୃତ୍‌ପିଣ୍ତ ସାହାଯ୍ୟରେ ପୂର୍ଣ୍ଣ ସାଇକିଆ ଗୋଟିିଏ ସପ୍ତାହ ଜୀବିତ ରହିବା ପରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଡକ୍ଟର୍‌ ବରୁଆଙ୍କୁ ଏଥିପାଇଁ ଜେଲ୍‌ ଦଣ୍ତ ଭୋଗିବାକୁ ପଡ଼ିଥିଲା। ଆଶା, ଡେଭିଡ୍‌ ବେନେଟ୍‌ ପୂର୍ଣ୍ଣ ସାଇକିଆ ରେକର୍ଡ ଭାଙ୍ଗି ବହୁ ଅଧିକ କାଳ ଜୀବିତ ରହିବେ ଓ ବିଜ୍ଞାନର ସହିଦ୍‌ ଧନୀରାମଙ୍କ ସେ ଦିନର ସ୍ବପ୍ନ ସାକାର କରିବେ।

ସମ୍ବନ୍ଧିତ ଖବର