ରାଷ୍ଟ୍ରାୟତ୍ତ ମହାମାରୀ

ଆମେରିକାର ‘ଟ୍ବିଟର’ ଭଳି ଚୀନ୍‌ର ନିଜସ୍ବ କ୍ଷୁଦ୍ର-ବାର୍ତ୍ତାବାହୀ ସାମାଜିକ ଗଣମାଧୢମ ମଞ୍ଚ ‘ଵିବୋ’ରେ ଏବେ ସରକାରଙ୍କ ବିରୋଧରେ ନାଗରିକ ଅସନ୍ତୋଷ ବହନକାରୀ ସନ୍ଦେଶଗୁଡ଼ିକର ଯେଉଁ ଝଡ଼ ସୃଷ୍ଟି ହୋଇଛି, ତାହାର କାରଣ କୋଭିଡ୍‌ର ମୁହୁର୍ମୁହୁଃ ତରଙ୍ଗକୁ ରୋକିବା ଲାଗି ଚୀନ୍‌ ସରକାର ନେଉଥିବା ଅତ୍ୟନ୍ତ କଠୋର ପଦକ୍ଷେପ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୪ ତାରିଖରେ ଚୀନ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ଵିଣ୍ଟର୍‌ (ଶୀତ କାଳୀନ) ଅଲି˚ପିକ୍‌ସ ପରିପ୍ରେକ୍ଷୀରେ ଏକ ଶୂନ୍ୟ କୋଭିଡ୍‌ ରାଷ୍ଟ୍ରରେ ପରିଣତ ହେବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମରତ ଚୀନ୍‌ ସରକାର ନେଉଥିବା ଅତ୍ୟନ୍ତ ନିିଷ୍ଠୁର ପଦକ୍ଷେପମାନର ଭିଡିଓ ଚିତ୍ର ସବୁ ବିଭିନ୍ନ ସାମାଜିକ ଗଣମାଧୢମ ଏବ˚ ଟେଲିଭିଜନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପରିକ୍ରମ କରିବାରେ ଲାଗିଛି। ଏହି ସ˚ଦର୍ଭରେ ‘ଵିବୋ’ରେ ଯେଉଁ ଆକୁଳ, ବିମର୍ଷକର ଏପରିକି ନିଷ୍ଫଳ-କ୍ରୋଧ ର˚ଜିତ ବାର୍ତ୍ତାମାନର ଆବିର୍ଭାବ ଘଟୁଛି; ତହିଁରୁ ପ୍ରତିନିଧି ସ୍ଥାନୀୟ ଗୋଟିଏ ଏଠାରେ ଉପସ୍ଥାପନ କରାଯାଇପାରେ, ଯାହାର ଓଡ଼ିଆ ମର୍ମାର୍ଥ ହେଉଛି- କୋଭିଡ୍‌ରେ ମରିବା ହେଉଛି ଏକ ପ୍ରାକୃତିିକ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିବା, କିନ୍ତୁ ସରକାରୀ ପଲିିସି (ତଥାକଥିତ କୋଭିଡ୍‌ ମୁକାବିଲା କଟକଣା) କାରଣରୁ ମରିବା ହେଉଛି ମନୁଷ୍ୟକୃତ ଦୁର୍ବିପାକରେ ପ୍ରାଣ ହରାଇବା। ଏହି ପ୍ରସଙ୍ଗରେ ଉଦ୍‌ବେଗଜନକ ବିଷୟଟି ହେଲା ପୃଥିବୀର ଅନେକ ରାଷ୍ଟ୍ରରେ, ଏପରିକି ଉନ୍ନତ ଗଣତନ୍ତ୍ର ମାନରେ (ଚୀନ୍‌ ତ ଏକ ଏକଛତ୍ରବାଦୀ ରାଷ୍ଟ୍ର!) ମଧ୍ୟ ଏହି ‘ପାନ୍‌ଡେମିକ୍‌’ର ମୁକାବିଲା ଓ ପରିଚାଳନାରେ ସରକାରଙ୍କ ହସ୍ତକ୍ଷେପ ଏବ˚ ଶକ୍ତି ପ୍ରୟୋଗର ମାତ୍ରାଧିକତା ଅସ˚ଖ୍ୟ ସାଧାରଣ ବ୍ୟକ୍ତିଙ୍କୁ ମୁହ୍ୟମାନ କରିବା ସହିତ ସରକାରୀ ବ୍ୟବସ୍ଥା ଉପରେ ଅନାସ୍ଥା ସୃଷ୍ଟି କରିଛି। ଏହି ପୃଷ୍ଠଭୂମିରୁ ବିଚାର କଲେ ଉତ୍ତରପ୍ରଦେଶର ନିର୍ବାଚନ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ଅନେକ ମନ୍ତ୍ରୀ ଓ ବିଧାୟକ ବିଜେପିକୁ ପରିତ୍ୟାଗ କରୁଥିବା ପଛରେ କୋଭିଡ୍‌ ମହାମାରୀ ଏକ ସମ୍ଭାବ୍ୟ କାରଣ ବୋଲି ଗୋଟିଏ ମତ ପ୍ରକାଶ ପାଉଛି।

ଏହି ପରିପ୍ରେକ୍ଷୀରେ ନିକଟରେ ଏକ ସାକ୍ଷାତ୍‌କାରରେ ଜନ ବିଦ୍ବାନ, ଲେଖକ ତଥା ରାଜନୈତିକ ବିଶ୍ଳେଷକ ନୀଳାଞ୍ଜନ ମୁଖୋପାଧୢାୟ ପ୍ରଦାନ କରିଥିବା ମତ କହିଥାଏ ଯେ ଏହି ନିର୍ବାଚନ ବେଳକୁ କୋଭିଡ୍‌ ପାନ୍‌ଡେମିକ୍‌ର ଏକ ତୃତୀୟ ତରଙ୍ଗର ଅଚାନକ ଆବିର୍ଭାବ ଉତ୍ତରପ୍ରଦେଶର ସାମୂହିକ ମାନସ ପଟଳରେ କୋଭିଡ୍‌ ଦ୍ବିତୀୟ ତରଙ୍ଗ-କାଳୀନ ଭୟାବହତାର ସ୍ମୃତିକୁ ଉଜାଗର କରିବା ସହିତ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଯୋଗୀ ସରକାର ପ୍ରଦର୍ଶନ କରିଥିବା ଅବିମୃଶ୍ୟକାରିତା, ତୀବ୍ର ମାତ୍ରାଧିକତା ଏବ˚ ତ୍ରୁଟିକୁ ଉଜ୍ଜୀବିତ କରି ସେମାନଙ୍କୁ ବିଜେପି ପକ୍ଷରେ ଭୋଟ ଦେବାରୁ ନିବୃତ୍ତ କରିବାର ବଡ଼ ସମ୍ଭାବନା ରହିଛି। କହିବା ନିଷ୍ପ୍ରୟୋଜନ ଯେ ଗଲା ବର୍ଷର ମଧୢ-ଭାଗରେ ଭାରତ କୋଭିଡ୍‌ର ଦ୍ବିତୀୟ ତରଙ୍ଗରେ ବୁଡ଼ି ରହିଥିବା ବେଳେ ଗଙ୍ଗା ନଦୀରେ ଶହ ଶହ ମନୁଷ୍ୟଙ୍କ ମୃତ ଶରୀର ଭାସି ବୁଲିବା ଘଟଣା ଏକ ବିବେକ ଦ˚ଶନକାରୀ ସ˚ଦର୍ଭରେ ପରିଣତ ହୋଇ ପୃଥିବୀର ସର୍ବତ୍ର ଆଲୋଚିତ ହେବା ସହିତ ଆମ ସରକାରଙ୍କ ଲାଗି ଏକ ଅତ୍ୟନ୍ତ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା। ସୁତରା˚, ନୀଳାଞ୍ଜନ ମୁଖୋପାଧୢାୟଙ୍କ ଅନୁମାନ କହିଥାଏ ଯେ ସ˚ପ୍ରତି ଦିଲ୍ଲୀକୁ ଗ୍ରାସ କରିଥିବା କରୋନାର ତୃତୀୟ ତରଙ୍ଗ ଦିଲ୍ଲୀ ସୀମାନ୍ତ ଡେଇଁ ପଶ୍ଚିମ ଉତ୍ତରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଅଞ୍ଚଳରେ ନିଜର ଭୀଷଣତା ପ୍ରଦର୍ଶନ କରିବାକୁ ଯେତିକି ସମୟ ନେବ, ସେତିକି ବେଳକୁ ସେଠାରେ ଭୋଟ ଦାନ ପ୍ରକ୍ରିୟା ଚାଲୁଥିବ; ଯାହା ଭୋଟରମାନଙ୍କ ମନରେ ପୁରୁଣା ସ୍ମୃତିକୁ ଜୀବନ୍ତ କରି ବିଜେପି ବିରୋଧରେ ମତ ଦେବାକୁ ପ୍ରରୋଚିତ କରିବ।

କହିବା ଅନାବଶ୍ୟକ ଯେ ଏକ ଦୀର୍ଘକାଳୀନ ପ୍ରାକୃତିକ ଦୁର୍ବିପାକ ସରକାରଙ୍କ ଲାଗି କିଭଳି କି˚କର୍ତ୍ତବ୍ୟବିମୂଢ଼ତା ସୃଷ୍ଟି କରିପାରେ, କୋଭିଡ୍‌ ମହାମାରୀ ତା’ର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ଏ ନେଇ ସମସ୍ତେ ଅବଗତ ଯେ ୨୦୨୦ ମସିହାରେ ଆମ ଦେଶରେ ପ୍ରଥମ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବା ପର ଠାରୁ ଆଜି ପର୍ଯ୍ୟନ୍ତ ମହାମାରୀକୁ ରୋକିବାର ଉପାୟମାନର ଉଦ୍ଭାବନ ଓ ପ୍ରୟୋଗ, ରୋଗ ନିରୂପଣ, ଚିକିତ୍ସା ଓ ପ୍ରତିଷେଧକର ବ୍ୟବସ୍ଥା, କୋଭିଡ୍‌ଜନିତ ମୃତ୍ୟୁକୁ ଚିହ୍ନଟ ଏବ˚ ତା’ର ଘୋଷଣା ଇତ୍ୟାଦି ପ୍ରାୟତଃ କେବଳ ସରକାରୀ ବ୍ୟବସ୍ଥା ସୂତ୍ରରୁ ହିଁ ହୋଇଛି। ଏହି ମର୍ମରେ ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଓ ଜାରି କରାଯାଇଥିବା ‘ଗାଇଡ୍‌ ଲାଇନ୍‌’କୁ ସାଧାରଣ ନାଗରିକ ସେମାନଙ୍କ ଜୀବନ, ଜୀବିକା ଏବ˚ ଉପାର୍ଜନରେ ସୃଷ୍ଟି ହୋଇଥିବା ତୀବ୍ର ବ୍ୟାଘାତ ସତ୍ତ୍ବେ ଊଣାଅଧିକେ ସ୍ବୀକାର ମଧୢ କରିଛନ୍ତି। ଏଭଳି ସ୍ଥଳେ ପୁଲିସ ଓ ପ୍ରଶାସନ ଦ୍ବାରା ପ୍ରଦର୍ଶିତ ଅପରିଣାମଦର୍ଶୀ ମାତ୍ରାଧିକତାକୁ ମଧୢ ପ୍ରାୟତଃ ନିରବରେ ଗ୍ରହଣ କରାଯାଇଛି। ଏହା ସତ୍ତ୍ବେ ବାରମ୍ବାର ମହାମାରୀ ତରଙ୍ଗର ଆବିର୍ଭାବ ଘଟିବା ଏବ˚ ଜୀବନ ଦୁର୍ବିଷହ ହୋଇ ଉଠୁଥିବା ହେତୁ ସାଧାରଣରେ ସରକାରଙ୍କ ଅପାରଗତା ବା ଅପ୍ରସ୍ତୁତି, ଉଚିତ ନିଷ୍ପତ୍ତି ଗ୍ରହଣ କରିବାରେ ଅସାମର୍ଥ୍ୟ ଇତ୍ୟାଦି ପ୍ରତି ଏକ ବିରକ୍ତି ସୃଷ୍ଟି ହେବା ସ୍ବାଭାବିକ, ଯାହା କୌଣସି ନିର୍ବାଚନରେ ପ୍ରକଟିତ ହେଲେ ବିସ୍ମୟର ବିଶେଷ କାରଣ ନାହିଁ।

ଏହା ସ୍ବୀକାର୍ଯ୍ୟ ଯେ ଏହି ମହାମାରୀକୁ ସରକାରଗୁଡ଼ିକ ଏକ ଜନ ସ୍ବାସ୍ଥ୍ୟ ବିପର୍ଯ୍ୟୟ ରୂପେ ଦେଖିବା ପରିବର୍ତ୍ତେ ଏକ ଆଇନ ଶୃଙ୍ଖଳା ପରିସ୍ଥିତି ରୂପେ ଦେଖିଛନ୍ତି। ଏଣୁ କୋଭିଡ୍‌ କଟକଣାକୁ ଅମାନ୍ୟ କରୁଥିବା ଅଭିଯୋଗରେ ସାଧାରଣ ନାଗରିକମାନେ କ୍ରୂର ପ୍ରହାର ଠାରୁ ଆରମ୍ଭ କରି ଜରିମାନା ଏବ˚ ଗିରଫଦାରି ପର୍ଯ୍ୟନ୍ତ ଭୋଗିଛନ୍ତି। କେତେକ ସ୍ଥଳରେ ପୁଲିସ୍‌ର ମାତ୍ରାଧିକତା ସୀମା ଲଂଘନ କରି ଅନେକ ହତଭାଗ୍ୟଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଛି। ଅନେକ ସମୟରେ ଏହି ମାତ୍ରାଧିକତା ହାସ୍ୟାସ୍ପଦ ସ୍ତରକୁ ଚାଲିଯାଇଛି, ଯେମିତି ଗଲା ଅଗଷ୍ଟ ମାସରେ ପ୍ରକାଶିତ ‘ଇଣ୍ତିଆନ୍‌ ଏକ୍‌ସ୍‌ପ୍ରେସ୍‌’ର ଏକ ସମ୍ବାଦ କହିଥିଲା ଯେ ଜୁଲାଇ ୨୮ ତାରିଖରେ କେରଳର କୋଚି ଅଞ୍ଚଳର ନାରାୟଣନ ଭି. ନାମକ ଜଣେ କୃଷକ ତାଙ୍କ ଗୃହ ସମ୍ମୁଖସ୍ଥ ଏକ ବିଶାଳ ପଡ଼ିଆରେ ଏକୁଟିଆ ଘାସ କାଟୁଥିବା ବେଳେ ‘ଲକ୍‌ଡାଉନ୍‌’ ଅବମାନନା କାରଣରୁ ୨୦୦୦ ଟଙ୍କା ଜରିମାନା ଦେଇଥିଲେ।

ସେମିତି ଗତ ବର୍ଷ ମାର୍ଚ୍ଚ ମାସରେ ଗଣମାଧୢମରେ ପ୍ରକାଶିତ ଏକ ସମ୍ବାଦ କହିଥିଲା ଯେ କୋଭିଡ୍‌ କଟକଣା ଅମାନ୍ୟ ଜନିତ ଜରିମାନାରୁ ଆମ ରାଜ୍ୟରେ ୬୭ କୋଟି ଟଙ୍କା ଆଦାୟ କରାଯାଇଛି ଏବ˚ ୧୪,୩୧୨ ଜଣ ଏହି କାରଣରୁ ଗିରଫ ହୋଇଛନ୍ତି। କେବଳ କୌଣସି ଗୋଟିଏ ବା ଦୁଇଟି ରାଜ୍ୟ ନୁହେଁ, କରୋନା ପାନ୍‌ଡେମିକ୍‌ ମୁକାବିଲାରେ ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପର ଅସୁମାରି ଦୃଷ୍ଟାନ୍ତ ସାରା ପୃଥିବୀରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ପ୍ରଦତ୍ତ ବୟାନ ଅନୁସାରେ ପୃଥିବୀର ସମସ୍ତ ରାଷ୍ଟ୍ର ସେମାନଙ୍କ କୋଭିଡ୍‌ ମୃତ୍ୟୁ ସ˚ଖ୍ୟାକୁ ପ୍ରକୃତ ସ˚ଖ୍ୟାର ପ୍ରାୟ ଅର୍ଧେକରେ ରଖି ଘୋଷଣା କରିଛନ୍ତି। ଏହାର କାରଣ ଏହି ‘ପାନ୍‌ଡେମିକ୍‌’ର ସମସ୍ତ ବିଭାବ ରାଷ୍ଟ୍ରାୟତ୍ତ ହୋଇ ଯାଇଥିବାରୁ ଏଥିରେ ସରକାରଙ୍କ ଭାବମୂର୍ତ୍ତି ମଧୢ ଜଡ଼ିତ ହୋଇଯାଇଛି। ସେହି କାରଣରୁ ଗଲା ସେପ୍ଟେମ୍ବର ମାସରେ ଉତ୍ତର କୋରିଆ ଏବ˚ ତୁର୍କମେନିସ୍ତାନ ଭଳି ରାଷ୍ଟ୍ର ଦ୍ବୟ ଯେଉଁ ସୂଚନା ପ୍ରଦାନ କରିଥିଲେ, ତଦନୁଯାୟୀ ସେହି ରାଷ୍ଟ୍ର ଦ୍ବୟକୁ ପାନ୍‌ଡେମିକ୍‌ ସ୍ପର୍ଶ କରିପାରିନାହିଁ, କାରଣ ସେ ପର୍ଯ୍ୟନ୍ତ (ଦୁଇ ବର୍ଷର ମହାମାରୀ ମଧୢରେ) ସେଠାରେ କୌଣସି ଜଣେ ହେଲେ ସୁଦ୍ଧା କୋଭିଡ୍‌ରେ ଆକ୍ରାନ୍ତ ହୋଇ ନାହାନ୍ତିି କି ମୃତ୍ୟୁ ବରଣ କରି ନାହାନ୍ତି।

ପୃଥିବୀର ଉନ୍ନତ ଗଣତନ୍ତ୍ରମାନ କୋଭିଡ୍‌ ସ˚ପର୍କିତ ଅନେକ ତଥ୍ୟର ଅପଭ୍ର˚ଶ କରୁଥିବା ବେଳେ ଉତ୍ତର କୋରିଆ ଭଳି ଏକ ଦୁର୍ଭେଦ୍ୟ ଓ ସତ୍ୟ ଗୋପନକାରୀ ରାଷ୍ଟ୍ର ଠାରୁ ପ୍ରାପ୍ତ ଏଭଳି ସୂଚନା ଭ୍ରୂକୁ˚ଚନ ସୃଷ୍ଟି କରି ନ ଥାଏ। ଏବ˚ ଏହା ମଧୢ ସତ ଯେ ଏହି ମହାମାରୀ ଦ୍ବାରା ସୃଷ୍ଟ ବିପର୍ଯ୍ୟୟ କାରଣରୁ କେବଳ ଉତ୍ତରପ୍ରଦେଶ କାହିଁକି; ପୃଥିବୀର ବିଭିନ୍ନ ଦେଶରେ ଯଦି ନିର୍ବାଚିତ ସରକାରଙ୍କ ସ୍ଥିତି ଟଳମଳ ହୁଏ, ତେବେ ବିସ୍ମିତ ହେବାର ନାହିଁ। କାରଣ କୋଭିଡ୍‌ ଭଳି ଏକ ମହାମାରୀର ସମସ୍ତ ପ୍ରକରଣ ‘ରାଷ୍ଟ୍ରାୟତ୍ତ’ ହୋଇ ଯିବା ସତ୍ତ୍ବେ ନାଗରିକମାନେ ପୀଡ଼ା ଓ ପୀଡ଼ନରୁ ମୁକ୍ତି ନ ପାଇଲେ ଏଭଳି ହେବାର ସମ୍ଭାବନା ଅଧିକ ଥାଏ।

ସମ୍ବନ୍ଧିତ ଖବର