ଯଦି ‘କୋକୋ’ ନାମକ ଶୁକ ପକ୍ଷୀଟି ସେ ମୁଖସ୍ଥ କରିଥିବା କତିପୟ ଶବ୍ଦ ବା ବାକ୍ୟ ବଦଳରେ ନିଜସ୍ବ ବୁଦ୍ଧି ଖଟାଇ ମନୁଷ୍ୟ ନାମକ ପ୍ରାଣୀ ସମ୍ବନ୍ଧରେ କିଛି କହିବାକୁ ଉଦ୍ୟମ କରନ୍ତା, ତେବେ ମନୁଷ୍ୟ ଆଚରଣର ଦୁର୍ବୋଧ୍ୟ ରହସ୍ୟମୟତା ପରିପ୍ରେକ୍ଷୀରେ ହୁଏ’ତ କି˚କର୍ତ୍ତବ୍ୟବିମୂଢ଼ ରହନ୍ତା। ଏଠାରେ କହି ରଖିବା ଉଚିତ ହେବ ଯେ ଏହି ସ୍ତମ୍ଭର ଅନେକ ପାଠକ-ପାଠିକା ସ˚ପ୍ରତି ଆଲୋଡ଼ନ ସୃଷ୍ଟି କରିଥିବା ‘କୋକୋ’ ଉପାଖ୍ୟାନ ସ˚ପର୍କରେ ଅବଗତ ଥିବେ। କିନ୍ତୁ ଯେଉଁମାନେ ଏ ସମ୍ବନ୍ଧରେ ଅଜ୍ଞ, ସେମାନଙ୍କ ସକାଶେ ‘ହଜିବା, ଲୋଡ଼ା ଯିବା, ମିଳିବା ଏବଂ ପୁନର୍ବାର ହଜିବା(!)’ ସମ୍ବଳିତ ‘କୋକୋ’ର କାହାଣୀ ଜାଣିବା ଏବ˚ ତାହାକୁ କେନ୍ଦ୍ର କରି ଯେଉଁ ଗୁରୁତ୍ବପୂର୍ଣ୍ଣ ଅଥଚ ବିଡ଼ମ୍ବିତ ବାସ୍ତବତା ବିଦ୍ୟମାନ, ସେ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନାର ଅ˚ଶୀଦାର ହେବା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

Advertisment

‘କୋକୋ’କୁ କେନ୍ଦ୍ର କରି ଗଢ଼ି ଉଠିଥିବା ଘଟଣାକ୍ରମ ଚୁମ୍ବକରେ ଏହି ଭଳି: ଜନ୍ମ କଲା ମା’ ଠାରୁ ପରିତ୍ୟକ୍ତ ଏକ ଶୁକ ଶାବକ କଟକର ଜନୈକା ଅଧୢାପିକାଙ୍କ ପରିବାରରେ ‘କୋକୋ’ ନାମ ଧାରଣ କରି ଆଶ୍ରୟ ଲାଭ କରେ, ଯେଉଁଠାରେ ତାକୁ ସନ୍ତାନବତ୍‌ ସ୍ନେହ ମିଳେ। ଦୁର୍ଭାଗ୍ୟକୁ ଦିନେ ଘରେ ମୁକ୍ତ ଭାବେ ବିଚରଣ କରୁଥିବା ପକ୍ଷୀଟି ଦୈବାତ୍‌ ନିଖୋଜ ହୋଇଯାଏ। ‘କୋକୋ’କୁ ପାଇବା ଲାଗି ଅତ୍ୟନ୍ତ ବିଷଣ୍ଣ ଅଧୢାପିକାଙ୍କ ପରିବାର ପକ୍ଷରୁ ବିଜ୍ଞାପନ ଦିଆଯିବା ସହିତ ଅର୍ଥ ପୁରସ୍କାରର ଘୋଷଣା ମଧ୍ୟ କରାଯାଏ। କିଛି ଦିନର ବ୍ୟାକୁଳତା ପରେ ସୌଭାଗ୍ୟକୁ ‘କୋକୋ’ର ସନ୍ଧାନ ମିଳେ ଭୁବନେଶ୍ବରରେ ଏବଂ ତା’ ସହ ଅଧୢାପିକାଙ୍କ ପରିବାରର ଏକ ଆନନ୍ଦାଶ୍ରୁ ଜର୍ଜର ପୁନର୍ମିଳନ ଘଟେ। ଏହା ସହିତ ଅପାତତଃ ଧରି ନିଆଯାଏ ଯେ ଏହି ହଜିବା-ଲୋଡ଼ିବା କାହାଣୀର ଏକ ସୁଖଦ ପରିସମାପ୍ତି ଅନ୍ତତଃ ଘଟିଲା। କିନ୍ତୁ, ଏତିିକି ବେଳେ କାହାଣୀରେ ଏକ ଦାରୁଣ ମୋଡ଼ ସ୍ବରୂପ ଆବିର୍ଭୂତ ହୁଅନ୍ତି ବନ ବିଭାଗର କର୍ମଚାରୀ, ଯେଉଁମାନେ ପୁନର୍ବାର ‘କୋକୋ’କୁ ତା’ର ପରିବାର ଠାରୁ ବିଚ୍ଛିନ୍ନ କରି ନନ୍ଦନକାନନକୁ ନେଇ ଯାଆନ୍ତି, ଯେଉଁଠି ଏକ ଜାଲି ଘେରା ସ୍ଥାନରେ ‘କୋକୋ’ ତା’ର ଅବଶିଷ୍ଟ ଜୀବନ କାଟିବ।

କହିବା ଅନାବଶ୍ୟକ ଯେ ଏହାକୁ ପଢୁଥିବା ଅନେକ ପାଠକ-ପାଠିକା ଶୁଆ ପୋଷିବା ବିରୋଧରେ ଆମ ଦେଶରେ ଏକ ଆଇନ ପ୍ରଚଳିତ ଥିବା ଏବଂ ତାହା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା କଥା ଜାଣି ବିସ୍ମିତ ହୋଇଥିବେ। ଏହି ଅଜ୍ଞତା କାରଣରୁ ‘ବନ୍ୟ ପ୍ରାଣୀ ସୁରକ୍ଷା ଆଇନ-୧୯୭୯’ ଅନୁସାରେ ‘ସିଡ୍ୟୁଲ୍‌ ୪’ ତାଲିକାରେ ସ୍ଥାନିତ ଏହି ପକ୍ଷୀଟି ଭାରତର ଅନ୍ୟତମ ସର୍ବାଧିକ ପୋଷା ବା ପାଳିତ ପକ୍ଷୀରେ ପରିଣତ ହୋଇଛି ଏବଂ ଏହାର ମୁନିବମାନେ ସେମାନଙ୍କ ଅଜାଣତରେ କରି ପକାଇଥିବା ଏକ ଅପରାଧ ଲାଗି ତିନି ବର୍ଷର କାରା ବରଣ କରିବା ବା ୨୫ ହଜାର ଟଙ୍କାର ଜରିମାନା ଗଣିବା ଅଥବା ଉଭୟ ଦଣ୍ତ ଭୋଗ କରିବାର ବିପଦ ବରଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମସିହାରେ ପ୍ରକାଶିତ ପୋଷା ଜନ୍ତୁ ଗଣନା ଅନୁସାରେ ଭାରତରେ ପ୍ରାୟ ୧.୫ ଲକ୍ଷ ପୋଷା ଜନ୍ତୁ ଅଛନ୍ତି, ଯେଉଁମାନଙ୍କ ସ˚ଖ୍ୟା ୨୦୨୩ ମସିହାରେ ୧.୭ ଲକ୍ଷରେ ପହଞ୍ଚିବାର ସମ୍ଭାବନା ରହିଛି। ଏମାନଙ୍କ ମଧୢରୁ ଏକ ବୃହତ୍‌ ଅ˚ଶ ଯେ ଶୁଆ ହୋଇଥିବେ, ତାହା କହିବା ଅନାବଶ୍ୟକ। ପ୍ରକାଶ ଥାଉ କି ପକ୍ଷୀ କୁଳରେ ସର୍ବାଧିକ ବୁଦ୍ଧିମାନ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ଶୁଆକୁ ପାଳିବା ଏବ˚ କଥା ଶିଖାଇବାର ପର˚ପରା ଭାରତୀୟ ସମାଜରେ ପ୍ରାଚୀନ କାଳରୁ ରହି ଆସିଛି। ସେହି ଦୃଷ୍ଟିରୁ ବିଚାର କଲେ ଅଧିକାଂଶଙ୍କ ଅଗୋଚରରେ ତଥା ଅତି ସନ୍ତର୍ପଣରେ ଏହା ବେଆଇନ ପର୍ଯ୍ୟାୟଭୁକ୍ତ ହୋଇଯିବା ଦୁର୍ଭାଗ୍ୟର ବିଷୟ। କାରଣ, ଏଭଳି ଏକ ପ୍ରାଚୀନ ପର˚ପରାଗତ ଅଭ୍ୟାସରେ ବିରାମ ଆଣିବା ଲାଗି ଯେଉଁ ସଚେତନତା ଆବଶ୍ୟକ, ତାହା ଏକ ବ୍ୟାପକ ଏବ˚ ମୁଖର ପ୍ରସାରଣ ଲୋଡ଼ିଥାଏ। ଏହା ନିଃସନ୍ଦେହ ଯେ ସେଭଳି ଉଦ୍ୟମରେ ବନ ବିଭାଗ ଚରମ ଅବହେଳା କରିଛି। ଆଉ ଗୋଟିଏ ଉଦାହରଣକୁ ଦେଖନ୍ତୁ। ଏକ ସୁରକ୍ଷିତ ବନ୍ୟ ପ୍ରାଣୀ ରୂପେ ‘ସିଡ୍ୟୁଲ୍‌ ୨’ରେ ଅନ୍ତର୍ଭୁକ୍ତ ନେଉଳକୁ ପୋଷିବା ଯେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ତର କାରଣ ହୋଇପାରେ, ତାହା କେତେ ଜଣଙ୍କୁ ଜଣା?

ଅନେକ ସମୟରେ ଅନେକ ଅସହାୟ ବନ୍ୟ ପ୍ରାଣୀ ବା ସେମାନଙ୍କ ଶାବକ ମନୁଷ୍ୟର ଦୃଷ୍ଟିରେ ପଡ଼ନ୍ତି, ଯେଉଁମାନେ ସେହି ମନୁଷ୍ୟ ବା ତାର ପରିବାର ଦ୍ବାରା ଲାଳିତପାଳିତ ହୋଇ ଏକ ଅତ୍ୟନ୍ତ ଦୃଢ଼ ସ୍ନେହ ରଜ୍ଜୁରେ ବାନ୍ଧି ହୋଇଯାଆନ୍ତି; ଯେମିତି ଘଟିଥିଲା ‘କୋକୋ’ ସହିତ ବା ପରିତ୍ୟକ୍ତ ଭଲ୍ଲୁକ ଶାବକ ‘ରାଣୀ’ ସହିତ, ଯାହାକୁ କେନ୍ଦୁଝରର ରାମ ସି˚ହ ମୁଣ୍ତାଙ୍କ ପରିବାର କନ୍ୟା ଭଳି ପାଳିଥିଲା। ସେହି ସମୟରେ ରାମ ସିଂହଙ୍କ ସାଇକେଲ୍‌ର ପଛ କ୍ୟାରିଅର୍‌ରେ ତାଙ୍କ ଅଣ୍ଟାକୁ ଭିଡ଼ି ଧରି ବସି ଯାଉଥିବା ‘ରାଣୀ’ର ଫଟୋଚିତ୍ର ଗଣମାଧୢମରେ ବହୁଳ ପ୍ରସାରଣ ଲାଭ କରିଥିଲା। ତେବେ, ଏହା ଉପରେ ବନ ବିଭାଗର ଦୃଷ୍ଟି ପଡ଼ିବା ପରେ ‘ରାଣୀ’କୁ ରାମ ସି˚ହଙ୍କ ପରିବାର ଠାରୁ ବଳପୂର୍ବକ ପୃଥକ୍‌ କରାଯାଇ ତାକୁ ନନ୍ଦନକାନନରେ ରଖାଗଲା। ୨୦୦୮ ମସିହାର ଏହି ଘଟଣା ପ୍ରଥମେ ଏକ ଅସହାୟ ଭଲ୍ଲୁକର ଉଦ୍ଧାର ରୂପେ ପ୍ରଦର୍ଶିତ ବା ପ୍ରତୀତ ହୋଇଲେ ହେଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା ଯେ ‘ରାଣୀ’ ପ୍ରକୃତରେ କୌଣସି ବଳପୂର୍ବକ ବନ୍ଧନର ଅଧୀନରେ ନ ଥିଲା, ବର˚ ଥିଲା ରାମ ସି˚ହଙ୍କ ପରିବାରର ସ୍ନେହ ଆଶ୍ଳେଷରେ। ଏଠାରେ ସ୍ମରଣ କରାଯାଇପାରେ କି ରାମ ସି˚ହଙ୍କ ପରିବାର ଠାରୁ ବିଚ୍ଛିନ୍ନ ହେବା ପରେ ‘ରାଣୀ’ ଆହାର ପରିତ୍ୟାଗ କରିବାରୁ ରାମ ସି˚ହ ଏବ˚ ତାଙ୍କ ଶିଶୁ କନ୍ୟା ଗୁଲ୍‌କିକୁ ଡକାଯାଇଥିଲା, ଯେଉଁମାନଙ୍କୁ ଦେଖିବା ପରେ ‘ରାଣୀ’ ତା’ର ଉପବାସ ଭଙ୍ଗ କରିଥିଲା।

ଅବଶ୍ୟ, ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନକାରୀଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ, ଯେଉଁମାନଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଆଇନ ଏବ˚ ସ୍ବର ଉତ୍ତୋଳନ କରିବା ଲାଗି ଅନେକ ସ˚ଗଠନ ବିଦ୍ୟମାନ। ଏହା ମଧୢ ସତ ଯେ ଅନେକ ପରିବାର ସେମାନେ ପୋଷିଥିବା ପ୍ରାଣୀମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରନ୍ତି, ଏପରି କି ଅତ୍ୟାଚାର ମଧୢ କରିଥାଆନ୍ତି; ଯେଉଁ ପରିପ୍ରେକ୍ଷୀରେ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଅନିବାର୍ଯ୍ୟ। କିନ୍ତୁ ଏହା ମଧୢ ପାଶୋରି ଗଲେ ହେବ ନାହିଁ ଯେ କୌଣସି ପୋଷା ପ୍ରାଣୀ ଯଦି ତାକୁ ପୋଷିଥିବା ପରିବାର ଠାରୁ ଅଫୁରନ୍ତ ସ୍ନେହ ଲାଭ କରୁଥାଏ, ତେବେ ତାକୁ ସେଥିରୁ ବ˚ଚିତ କରିବା ମଧୢ ନ୍ୟାୟସ˚ଗତ ନୁହେଁ। ତେବେ ‘କୋକୋ’ ଘଟଣା ପରିପ୍ରେକ୍ଷୀରେ ବ୍ୟତିକ୍ରମଟି ହେଳା ତାର ପ୍ରତିପାଳନ ଯେତେ ଶ୍ରଦ୍ଧାର ସହିତ ହେଉଥିଲେ ମଧୢ ତାହା ଥିଲା ଆଇନ ବିରୁଦ୍ଧ। କିନ୍ତୁ ଏଭଳି ସ୍ଥଳେ ବନ ବିଭାଗ ଦ୍ବାରା କିଭଳି ଆଚରଣ ପ୍ରଦର୍ଶିତ ହେବା ଉଚିତ; ତାହା ମଧୢ ଏକ ଜଟିଳ ଏବ˚ ଦ୍ବନ୍ଦ୍ବାତ୍ମକ ପ୍ରଶ୍ନ ସୃଷ୍ଟି କରିଥାଏ। ଏହା କ’ଣ ସତ ନୁହେଁ କି ଭାରତରେ ପୋଷା ଭାବେ ରହିଥିବା ହଜାର ହଜାର ଶୁଆଙ୍କୁ ସଂପୂର୍ଣ୍ଣ ରୁପେ ଉଦ୍ଧାର କରିବା ଏକ ଅସମ୍ଭବ ବ୍ୟାପାର। କିନ୍ତୁ ଯଦି ‘କୋକୋ’ ଭଳି କୌଣସି ଶୁକ ପକ୍ଷୀକୁ ଆଇନସମ୍ମତ ଭାବେ ମନୁଷ୍ୟ ପରିବାର ଠାରୁ ଉଦ୍ଧାର କରିବାର ଅବସର ପହଞ୍ଚେ, ତେବେ, ତା’ ସହିତ ପରିବାରର ଗଢ଼ି ଉଠିଥିବା ସ˚ପର୍କକୁ ଅନୁଧୢାନ କରି ଏକ ଅଧିକ ସମ୍ବେଦନପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇପାରନ୍ତା କି? ତେବେ, ଏଥି ଲାଗି ଆବଶ୍ୟକ ହେବ ଆଇନରେ ସଂଶୋଧନ, ଯାହା ସହସା ସମ୍ଭବ ନୁହେଁ। ତେଣୁ, ଏ ସ˚ଦର୍ଭରେ ବନ ବିଭାଗ ପକ୍ଷରୁ ଯାହା କରାଯାଇ ପାରନ୍ତା, ତାହା ହେଲା ଏଭଳି ବିଷୟରେ ସଚେତନତାର ସଘନ ପ୍ରସାର, ଯାହା ଏଭଳି ଉଦ୍ୟମକୁ ମୂଳରୁ ହିଁ ଅଟକାନ୍ତା। ତାହା ନ ହେଲେ ‘କୋକୋ’ ଭଳି ଅନେକ ଶୁକ ପକ୍ଷୀ (ବା ଅନ୍ୟାନ୍ୟ ବନ୍ୟ ପ୍ରାଣୀ) ସେମାନଙ୍କ ଭରସାଯୋଗ୍ୟ ଓ ଶ୍ରଦ୍ଧାପ୍ଳୁତ ଆଶ୍ରୟମାନ ହରାଇ କହିବେ, (ହାୟ, ଯଦି ସେମାନେ କଥା କହି ପାରୁଥାଆନ୍ତେ!) ସ୍ନେହ ରଜ୍ଜୁ ବନ୍ଧା ଏକ ପଞ୍ଜୁରିମୁକ୍ତ ଜୀବନର ଅବସାନ ଘଟାଇ ଏହି ସ୍ନେହ ରିକ୍ତ ଲୁହା ଜାଲି ଘେରା ବନ୍ଧନରେ ବନ୍ଦୀ କରି ରଖିବାର କ’ଣ ବା ଆବଶ୍ୟକତା ଥିଲା?