ପ୍ରତିଶ୍ରୁତି ଓ ପରିଣତି

ପ୍ରାୟ ବିସ୍ମୃତ ଏକ କାହାଣୀର ବିବରଣୀ ଏପରି- ପ୍ରବଳ ଶୀତରୁ ମେଣ୍ଢାଗୁଡ଼ିକୁ ବଂଚେଇ ରଖିବା ଲାଗି ମେଣ୍ଢା ବ୍ୟବସାୟୀ ଜଣକ ସେମାନଙ୍କୁ କମ୍ବଳରେ ଢାଙ୍କି ଦେଇଥିଲା। କିଛିଦିନ ଆଗରୁ ସେ ମେଣ୍ଢା ଗୁଡ଼ିକର ଦେହକୁ ଚାଞ୍ଛି ଲୋମ‌ତକ କାଟି ନେଇ ଥିବାରୁ ଭବିଷ୍ୟତ‌ର ମୁନାଫା ପାଇଁ ମେଣ୍ଢାଗୁଡ଼ିକୁ ସୁସ୍ଥ ରଖିବାକୁ ଚାହୁଁଥିଲା। ଶୀତାର୍ତ୍ତ ରାତିରେ ମେଷ ଶାବକଟିଏ ବ୍ୟବସାୟୀର ଧୂର୍ତ୍ତତାକୁ ଉଦାରତା ବିଚାରି ତା’ ମାଆକୁ ସେ କଥା କହିବସିବାରୁ ମାଆ ଉତ୍ତର ଦେଇଥିଲା- ତୋ ପିଠି ଉପରେ ଯୋଉ କମ୍ବଳ ଖଣ୍ଡିକ ପଡ଼ିଛି ସେଇଟା ଆମରି ଲୋମରେ ତିଆରି! ଏହା ପରେ ମେଷ ଶାବକଟିର ଜ୍ଞାନୋଦୟ ହୋଇଥିବ କି ନାହିଁ ତାହା ସେ କାହାଣୀରେ ଉଲ୍ଲେଖ ନ ଥିଲା; ମାତ୍ର ଭାରତର ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ, ବିଭିନ୍ନ ରାଜନୈତିକ ଦଳ ବିତରଣ କରୁଥିବା ମାଗଣା ଉପହାର ଗ୍ରହଣ ନିମନ୍ତେ ମତଦାତାମାନଙ୍କର ବ୍ୟାକୁଳତା ଲକ୍ଷ୍ୟ କଲେ ଜଣାପଡ଼େ, ସାମୟିକ ଉପଲବ୍‌ଧି ମଣିଷର ଚରିତ୍ର ବଦଳେଇ ପାରେ ନାହିଁ। ଏଇ ପରିପ୍ରେକ୍ଷୀରେ ଫରାସୀ ସମାଜବିଜ୍ଞାନୀ ଜାଁ ବାପ୍ଟିଷ୍ଟ ଆଲଫନ୍‌ସ କାର୍‌ଙ୍କ ବିଖ୍ୟାତ ଉଦ୍ଧୃତି ଉ‌ଲ୍ଲେଖଯୋଗ୍ୟ। ସେ ଲେଖିଥିଲେ ଯେ ଘଟଣାଗୁଡ଼ିକ ଯେତେ ବଦଳୁଛି ବୋଲି ଜଣାପଡୁଥାଏ ବାସ୍ତବରେ ତାହା ସେତେ ନ ବଦଳି ସମାନ ପ୍ରକାର ହୋଇ ରହିଥାଏ।

ପ୍ରତିଟି ନିର୍ବାଚନ ଶେଷରେ ଭାରତର କିଛି ସମାଜଶାସ୍ତ୍ରୀ, ରାଜନେତା ଏବଂ ଗଣମାଧ୍ୟମ ଉଚ୍ଚସ୍ବରରେ ସ୍ବୀକାର କରିଥା’ନ୍ତି ଯେ ‌ଏ ଦେଶର ଗଣତନ୍ତ୍ର ପରିପକ୍ବ ହେଉଛି ଏବଂ ସଦ୍ୟ ସମାପ୍ତ ଜନାଦେଶ ତାହାର ଉଦାହରଣ। ମାତ୍ର ଗତ ଶତାବ୍ଦୀର ମାର୍କିନ ଅଭିନେତା ଉଇଲ ରୋଗର୍ସ ଏକଥା କହିଛନ୍ତି ଯେ, ଯେଉଁଠି ଗଣିତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ସେଠାରେ ଅଯୋଗ୍ୟମାନେ ଟଙ୍କା ସାହାଯ୍ୟରେ ଗଣତନ୍ତ୍ରର ଜନାଦେଶ ଅପହରଣ କରିନେବା ବିଚିତ୍ର ନୁହେଁ। ସେ ପୁଣି ଲେଖିଯାଇଛନ୍ତି ଯେ, କୌଣସି ଗଣତନ୍ତ୍ର ଚିରସ୍ଥାୟୀ ନୁହେଁ। ଏହାର ଅନ୍ତର୍ବିରୋଧ ଆପେ ଆପେ ଏହାକୁ ଦୁର୍ବଳ କରେ ଏବଂ ଶେଷକୁ ଗଣତନ୍ତ୍ର ଆତ୍ମହତ୍ୟା କରି ବସେ।

ନିର୍ବାଚନ ଋତୁ ଆସିଲେ ପ୍ରତିଶ୍ରୁତିର ରଂଗିନ ଗୁଡ଼ି ଗୁଡ଼ିକ ଭାରତର ଆକାଶରେ ଉଡ଼ନ୍ତି। ରାଜନୈତିକ ଦଳର କର୍ମୀମାନେ ସାନ୍ତାକ୍ଲଜ୍ ପରି ଘର ଘର ବୁଲି ଉପହାର ବାଣ୍ଟନ୍ତି। କ୍ଷମତାରେ ଥିବା ସରକାରମାନେ ଲାଞ୍ଚକୁ ସରକାରୀ ଯୋଜନାର ଖୋଳ ପିନ୍ଧେଇ ମତଦାତାଙ୍କୁ ଉପହାର ଦିଅନ୍ତି। ମେଣ୍ଢା ଲୋମରୁ ସେହି ମେଣ୍ଢାଙ୍କ ପାଇଁ କମ୍ବଳ ତିଆରି କଥା ଯେମିତି ମେଷ ଶାବକ ଜାଣିନଥାଏ, ଏହି ମତଦାତାମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ନାହିଁ ଓ ଅଧିକାଂଶ ଜାଣି ଅଜଣା ରହନ୍ତି ଯେ ଏହି ସମ୍ବଳ ଆସୁଛି କୋଉଠୁ! ଅନ୍ୟପକ୍ଷରେ ବୁଦ୍ଧିମାନ ରାଜନେତାମାନେ ଭଲ ଭାବେ ଜାଣନ୍ତି ଯେ ଅର୍ଥ ବଦଳରେ ଜନାଦେଶର ଫଳ ତୋଳିହେବ। କେତେକ ସମାଜଶାସ୍ତ୍ରୀ ମତ ଦେଇଛନ୍ତି, ଭାରତୀୟ ସମାଜରେ ଏହି ଉତ୍କୋଚ, ଉପହାର ଏବଂ ଦାନଦକ୍ଷିଣା ଦ୍ବାରା ଅଭୀଷ୍ଟ ସାଧନର ସୂତ୍ର ଆମର ପୂଜାପାଠ ପରଂପରାରୁ ଆସିଛି। ପିଲାଟି ଦିନରୁ ପ୍ରତି ଭାରତୀୟ ଦେଖେ, ମନ୍ଦିରରେ ଭୋଗ ଦେଲେ ଦାତାର ଅଭୀଷ୍ଟ ସାଧନ ହୁଏ। ସାନ ଲକ୍ଷ୍ୟ ପୂରଣ ପାଇଁ ଦକ୍ଷିଣା ନଡ଼ିଆଟିଏ, କଦଳୀଟିଏ କି ଦାନବାକ୍‌ସରେ ଦଶ, କୋଡ଼ିଏ ଟଙ୍କା ଏବଂ ବଡ଼ ଲକ୍ଷ୍ୟ ହାସଲ ପାଇଁ ଦାନର ଚେହେରା ହଜାର, ଲକ୍ଷ ଟଙ୍କା ପାଖରୁ ହୀରାଖଚିତ ସୁନାମୁକୁଟ ପର୍ଯ୍ୟନ୍ତ ଯାଇପାରେ। ଦିବ୍ୟଶକ୍ତିର ଅଧିକାରୀ ଦେବତା ଯେଉଁଠି ଭୋଗରାଗରେ ସନ୍ତୁଷ୍ଟ ହେଉଛନ୍ତି, ସେଇଠି ମରଣଶୀଳ ଓ ସମସ୍ୟା ଜର୍ଜରିତ ଭୋଟର ଉପହାର ଦ୍ବାରା ପ୍ରଭାବିତ ନ ହେବ ବା କିପରି- ଏହା ସେମାନଙ୍କର ଯୁକ୍ତି।

ଆସନ୍ନ ପାଞ୍ଚଟି ରାଜ୍ୟର ବିଧାନସଭା ଏବଂ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଅନେକ ପ୍ରତିଶ୍ରୁତି ଓ ଘୋଷଣା ଶୁଣିବାକୁ ମିଳୁଛି। ସେସବୁ ଘୋଷଣା ମଧ୍ୟରୁ କିଛି ଏଭଳି ଉଦ୍ଭଟ ଏବଂ ନଭଶ୍ଚୁମ୍ବୀ ଯେ ତାହା ଶୁଣିଲେ ଜଣେ ନିଜର ହସ ରୋକିପାରିବ ନାହିଁ। ଯେମିତି ଉତ୍ତର ପ୍ରଦେଶର ଅଖିଳେଶ ଯାଦବ ଘୋଷଣା କରିଛନ୍ତି ଯେ ସେ ଜିତିକି ଆସିଲେ ଷଣ୍ଢ ଆକ୍ରମଣରେ ଯିଏ ମରିବ ତା’ ପରିବାର ୫ ଲକ୍ଷ ଟଙ୍କା ପାଇବ। ନିଜର ନିର୍ବାଚନ ଚିହ୍ନ ସାଇକେଲ ହୋଇଥିବାରୁ ସମାଜବାଦୀ ପାର୍ଟିର ମୁଖ୍ୟ ଏଇ ନେତା ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ସାଇକେଲରେ ଯାଉଥିବା ଲୋକ କେହି ଦୁର୍ଘଟଣାରେ ମରିଗଲେ ସିଏ ମଧ୍ୟ ପାଞ୍ଚ ଲକ୍ଷ ଟଙ୍କା ପାଇବ। ଏହି ପରିପ୍ରେକ୍ଷୀରେ ଏବେ ସୋସିଆଲ୍ ମିଡିଆରେ ଘୂରିବୁଲୁଛି ଗତବର୍ଷର ଏକ ନିର୍ବାଚନୀ ପ୍ରତିଶ୍ରୁତି; ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଶରବଣନ୍ ଯାହା ଘୋଷଣା କରିଥିଲେ। ୩୪ ବର୍ଷୀୟ ଶରବଣନ୍ ଯିଏ ଦକ୍ଷିଣ ମଦୁରାଇରୁ ଲଢ଼ୁଥିଲେ, ସେ ତାଙ୍କ ଇସ୍ତାହାରରେ ଉଲ୍ଲେଖ କରିଥିଲେ- ଯଦି ସିଏ ଜିତନ୍ତି ତାହା ହେଲେ ସମସ୍ତଙ୍କୁ ଗୋଟେ ଗୋଟେ ଆଇଫୋନ୍, ଗୋଟିଏ ଲେଖାଏଁ କାର୍, ଗୋଟିଏ ଲେଖାଏଁ ହେଲିକପ୍ଟର, ଗୋଟେ ଗୋଟେ ରୋବଟ୍ ସହ ଯୁବକମାନଙ୍କୁ କୋଟିଏ ଲେଖାଏଁ ଟଙ୍କା, ସୁଇମିଂ ପୁଲ୍ ଥିବା ତିନିମହଲା ଘର ଉପହାର ଦେବେ ଏବଂ ତା ସାଙ୍ଗକୁ ସେ ପ୍ରତି ମତଦାତାଙ୍କୁ ଚନ୍ଦ୍ରପୃଷ୍ଠରେ ଶହେ ଦିନ ଛୁଟି କଟେଇବାର ବ୍ୟବସ୍ଥା କରିବେ! ଏସବୁ ସତ୍ତ୍ବେ ସେ ହାରିଯିବାରୁ ତାଙ୍କୁ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ପ୍ରୟୋଜନ ପଡ଼ିଲା ନାହିଁ!

ଏ ସବୁ ଉଲ୍ଲେଖ କରିବାର ଅଭିପ୍ରାୟ ହେଲା, ଗୋଟିଏ ପଟେ ଭାରତର ମତଦାତାମାନେ ଜାତି, ଧର୍ମ, ସଂପ୍ରଦାୟ ଏବଂ ଉତ୍କୋଚ ଦ୍ବାରା ପ୍ରଭାବିତ ହୋଇ ଭୋଟ୍ ଦେଉଥିବା ବେଳେ, ଅନ୍ୟପଟେ ସରକାର ଗଢ଼ୁଥିବା ରାଜନୈତିକ ଦଳଗୁଡ଼ିକ ଜନାଦେଶର ଉଦ୍ଭଟ ତର୍ଜମା କରିବସୁଛନ୍ତି। ଶାସନ କରିବା ପାଇଁ ଜନତା ସେମାନଙ୍କୁ ଜନାଦେଶ ଦେବାର ଅର୍ଥ ସେମାନଙ୍କର ସମସ୍ତ ପ୍ରକାର କର୍ମ ପାଇଁ ସୁଦ୍ଧା‌ ଲାଇସେନ୍‌ସ ଦେଇଛନ୍ତି, ଏହି ପ୍ରକାର ତର୍ଜମା କରାଯାଉଛି। ଯେଉଁ ପାଠକମାନେ ଗତ ମାସ ୧୨ ତାରିଖରେ ‘ସମ୍ବାଦ’ର ଏହି ପୃଷ୍ଠାରେ ସ୍ତମ୍ଭକାର ଶ୍ରୀ ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ‘ହଜୁରଙ୍କୁ ଚିଠି’ ଏବଂ ତା’ ପରଦିନ ଡକ୍ଟର ଲମ୍ବୋଦର ପ୍ରସାଦ ସିଂହଙ୍କ ‘ମାର୍‌ ତାଳି, ଉଠା ଥାଳି’ ଲେଖାଯୋଡ଼ିକ ପଢ଼ିଥିବେ, ସେମାନେ ଅବଶ୍ୟ ଆମ ସହ ଏକମତ ହେବେ ଯେ ଧୀରେ ଧୀରେ ଜନମତ ନିୟନ୍ତ୍ରଣ କୌଶଳ ଓ ଜନାଦେଶର ଅପବ୍ୟବହାର କିଭଳି ଆମର ଗଣତନ୍ତ୍ରକୁ ଆତ୍ମହତ୍ୟା ରାସ୍ତାରେ କଢ଼େଇ ନେଉଛି। କ୍ଷମତାରେ ଥିବା ସରକାର ଗୁଡ଼ିକ କେବଳ ଯେ ନିଜ ଦଳର ବିଧାୟକ, ସାଂସଦଙ୍କ ସ୍ବାଧୀନ ମତ ପ୍ରକାଶର ଅଧିକାରକୁ ପ୍ରତ୍ୟାହାର କରିନେଲେଣି ତାହା ନୁହେଁ, ଗଣମାଧ୍ୟମଗୁଡ଼ିକୁ ମଧ୍ୟ ତାଙ୍କ ଇଙ୍ଗିତରେ ପରିଚାଳିତ ହେବା ଲାଗି ବଳ ପ୍ରୟୋଗ କରିବସିଲେଣି।

ଭାରତରେ ସେ ସମୟ ହୁଏତ ବିଳମ୍ବ ନାହିଁ, ଯେତେବେଳେ ସରକାର ଦାବି କରିବସିବେ ଯେ, ସରକାର ବେତନ (ଯାହା ବାସ୍ତବରେ କରଦାତାଙ୍କ ଅର୍ଥ) ଦେଉଥିବାରୁ ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନେ ସୁଦ୍ଧା ତାଙ୍କର ସମସ୍ତ ରାୟ କ୍ଷମତାସୀନ ସରକାରଙ୍କ ସପକ୍ଷରେ ଦେବାକୁ ବାଧ୍ୟ!

ଭାରତବର୍ଷର ନିର୍ବାଚନ ପ୍ରକ୍ରିୟାରେ ପରିଲକ୍ଷିତ ତ୍ରୁଟି ସଂଶୋଧନ ଲାଗି ଅତୀତରେ ବହୁ ରିପୋର୍ଟ ଉପସ୍ଥାପିତ ହୋଇଛି। ନିର୍ବାଚନ ଆଗରୁ କମିସନ ନାନା କଟକଣା ଘୋଷଣା କରନ୍ତି। ଏ ଦେଶରେ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଓ କୋର୍ଟ ମାମଲା ଅନ୍ୟାନ୍ୟ ମାମଲା ତୁଳନାରେ କମ୍ ନୁହେଁ। ମାତ୍ର ନିର୍ବାଚନ ସରିବା ପରେ ସେ ମାମଲା କଥା ଯେମିତି ସଭିଏଁ ଭୁଲିଯାଆନ୍ତି, ସେମିତି ମାମଲାର ରାୟ ଆସୁ ଆସୁ ଆଉ ଗୋଟେ ନିର୍ବାଚନ ଆସିସାରିଥାଏ। ଏହାର ଅର୍ଥ ନୁହେଁ ଯେ ସବୁ କେସ୍‌ରେ ଏପରି ହୋଇଥାଏ, ମାତ୍ର ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ନେଇ ଆଲାହାବାଦ ହାଇକୋର୍ଟଙ୍କ ପ୍ରତିକୂଳ ରାୟ ପରି ଘଟଣା ଭାରତରେ ବିରଳ। ସଂସ୍କାରର ଅଭାବ ଯୋଗୁଁ ଦଳବଦଳ ନିରୋଧ ଆଇନ ଫଳବତୀ ହୋଇନାହିଁ ଏବଂ ପୂର୍ବପରି ‘ଆୟାରାମ ଗୟାରାମ’ ନୀତି ଚାଲିଛି। ସୁବିଧାବାଦୀ ରାଜନୀତି ପାଇଁ ଏକଦା ଭାଜପାର ମୁଖପାତ୍ର ରୂପେ ବ୍ୟବହୃତ ନବଜୋତ ସିଂହ ସିଦ୍ଧୁ ପଂଜାବ କଂଗ୍ରେସର ମୁଖ୍ୟ ହେବା ବା ସେ ପ୍ରଦେଶର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ଭାଜପାର ଅନୁଗ୍ରହ ପ୍ରାର୍ଥୀ ହେବା ଏ ଦିଗରେ ମାତ୍ର ଗୋଟିଏ ଉଦାହରଣ।

ଏକଥା ଲେଖିବାବେଳକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲ୍ଲାର ଗୋଟିଏ ସରପଞ୍ଚ ପଦ ୪୪ ଲକ୍ଷ ଟଙ୍କାରେ ନିଲାମ ହେବା ଖବର ଚର୍ଚ୍ଚାର ଖୋରାକ ଯୋଗାଇଛି। ସେ ଭଦ୍ରଲୋକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦେବେ। ଠାକୁରଙ୍କୁ ଦେବା ଅର୍ଥ ଯେପରି ଉତ୍କୋଚ ନୁହେଁ, ମନ୍ଦିର ପାଇଁ ଖର୍ଚ୍ଚ କରିବା ମଧ୍ୟ ଲାଞ୍ଚ ନୁହେଁ ବୋଲି ଉପଲବ୍‌ଧି କରି ସେ ଗାଁର ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଜଗତସିଂହପୁର ପରି ଶିକ୍ଷିତ ଜିଲ୍ଲାର ଜନୈକ ଜନପ୍ରତିନିଧି ଦଳୀୟ କର୍ମୀଙ୍କୁ ଗୀତା ଛୁଆଇଁ ନିୟମ କରାଇବା ଏବଂ ଆଉ ଜଣେ ବରିଷ୍ଠ ନେତା ଅବଢ଼ା ଖୁଆଇ ଆନୁଗତ୍ୟ ସଂଗ୍ରହ କରୁଥିବା ଖବର ସହ ବିଜୟ ପରେ ସମସ୍ତ ସୁବିଧା ମିଳିବାର ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହେଉଛି। ଅଥଚ ଏହି ଓଡ଼ିଶାର ଦେବଗଡ଼ ଜିଲ୍ଲାର ପାଞ୍ଚଟି ଗ୍ରାମପଞ୍ଚାୟତ ଇଣ୍ଟରନେଟ୍ ସଂଯୋଗର ଅଭାବ ଦାବି କରି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି, କାରଣ ଏହି ସମସ୍ୟା ଯୋଗୁ ସେମାନେ ନାନା ପ୍ରକାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଲୋକମାନଙ୍କ ଦାବି ଆହୁରି ଦୟନୀୟ। ତିନିଟି ଗାଆଁର ଛଅଶହ ଭୋଟର ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଆଁକୁ ଯିବା ପାଇଁ ସବୁଦିନିଆ ରାସ୍ତାଖଣ୍ଡେ ନାହିଁ। ଏହା କେବଳ ଦୁଇଟି ଉଦାହରଣ ନୁହେଁ, କନ୍ଧମାଳ ଜିଲ୍ଲାର ଅଡ଼ସିପଡ଼ା ଠାରୁ ନେଇ ଉପକୂଳ ଓଡ଼ିଶାର ବିଭିନ୍ନ ଗ୍ରାମରେ ସାଧାରଣ ସୁବିଧା ନ ଥିବା କଥା ମତଦାତାଏ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପ୍ରତିଶ୍ରୁତିର ପାହାଡ଼ ଏବଂ ଆରପଟେ ବାସ୍ତବତାର ବିକଳ ଚିତ୍ର ଦେଖିଲେ ଗଣତନ୍ତ୍ରର କି ଚେହେରା ଆମ ଆଖି ଆଗରେ ନାଚି ଉଠେ? ମତଦାତାମାନେ ପ୍ରତିଶ୍ରୁତି ଅପେକ୍ଷା ପରିଣତିକୁ ଗୁରୁତ୍ବ ଦେଲେ ଯାଇ ଦେଶର ଗଣତନ୍ତ୍ର ପରିପକ୍ବ ହେବ।

ସମ୍ବନ୍ଧିତ ଖବର