ସିଲଟରେ ଗାର

ଏ ସଂସାରରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ସଚେତନ ଯେ ଏଠାରେ ତା’ର ଉପସ୍ଥିତି ହେଉଛି ସମ୍ପୂର୍ଣ୍ଣ ଅସ୍ଥାୟୀ- କ୍ଷଣିକ। ସିଲଟରେ ପଡ଼ିଥିବା ଗାର। ପିଲାଟିଏ ସେ ଗାରକୁ ଯେ କୌଣସି ମୁହୂର୍ତ୍ତରେ ପୋଛି ଲିଭାଇ ଦେବା ପରି କେଉଁ ଏକ ଅଦୃଶ୍ୟ ବିଧାତା ଅବିଳମ୍ବେ ଏହାକୁ ଲିଭାଇ ଦେବା ନିଶ୍ଚିତ, ଅନିବାର୍ଯ୍ୟ। ପୃଥିବୀ ପୃଷ୍ଠରେ ବ୍ୟକ୍ତିର ଜୀବନ ଯଦି ଏଭଳି ଅସ୍ଥାୟୀ, ବ୍ୟକ୍ତି ତା’ହେଲେ ତା’ର ଜୀବଦ୍ଦଶା ମଧ୍ୟରେ ଧନସମ୍ପତ୍ତି, ଯଶକୀର୍ତ୍ତିରୁ ଆରମ୍ଭ କରି ଜ୍ଞାନଗରିମା ପର୍ଯ୍ୟନ୍ତ ହାସଲ କରିବାରେ ପ୍ରବୃତ୍ତ ହେବା ନିମିତ୍ତ ପ୍ରେରଣା କେଉଁଠୁଁ ପାଇ ଥାଏ? ବ୍ୟକ୍ତି ଭାବରେ ମନୁଷ୍ୟଟିଏ ମରଣଶୀଳ ହୋଇଥିଲେ ହେଁ ମାନବ ଜାତି ସର୍ବଦା ବଞ୍ଚିରହିଥିବ ବୋଲି ଆମ ମନରେ ଖୋଲାଖୋଲି କିମ୍ବା ଛପି ରହିଥିବା ବିଶ୍ବାସ ହିଁ ହେଉଛି ଏହି ପ୍ରେରଣାର ଉତ୍ସ।

ଜଣେ ବ୍ୟକ୍ତି କେବଳ ବସ୍ତୁଗତ ସମ୍ପଦ ଠୁଳ କଲା ସମୟରେ ଯେ କେବଳ ତା’ର ପର ପିଢ଼ି କଥା ତା’ର ମନରେ ଥାଏ, ତାହା ନୁହେଁ, ସେ ହାସଲ କରିଥିବା ରାଜନୈତିକ କ୍ଷମତା ଭଳି ଅଣ-ବସ୍ତୁଗତ ସମ୍ପଦକୁ ମଧ୍ୟ ସେ ତା’ର ଉତ୍ତରାଧିକାରୀ ହାତରେ ଟେକି ଦେବା ପାଇଁ କିପରି ବ୍ୟଗ୍ର ଥାଏ; ସେ ଦୃଶ୍ୟ ସହିତ ଆମେ ଏପରି ସୁପରିଚିତ ଯେ ତା’ର ଅଧିକ ଉଲ୍ଲେଖ ନିଷ୍ପ୍ରୟୋଜନ। ଜ୍ଞାନ ଆହରଣ ପରିସରରେ ମଧ୍ୟ ଏକ ସମାନ ଆଭିମୁଖ୍ୟ ବଳବତ୍ତର ଥାଏ। ଗଣିତ ହେଉ କିମ୍ବା ପଦାର୍ଥବିଜ୍ଞାନ ‌େହଉ, ଉପନ୍ୟାସ ହେଉ କିମ୍ବା କାବ୍ୟକବିତା ହେଉ- ଯଦି ଏହାକୁ ଗ୍ରହଣ କରିବା ପାଇଁ ତଥା ମାର୍ଜିତ କରି ଆଗକୁ ବଢ଼ାଇ ନେବା ପାଇଁ ଭବିଷ୍ୟତ ପିଢ଼ି ଉପଲବ୍‌ଧ ନ ଥାଏ, ତେବେ ଏଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ସାବ୍ୟସ୍ତ ହୁଅନ୍ତେ। ଭବିଷ୍ୟତ ପିଢ଼ିମାନ ଉପଲବ୍‌ଧ ଥିବା ଯୋଗୁଁ ହିଁ ଗଣିତ ପିଥାଗୋରାସ୍‌ଙ୍କଠାରେ ଅଟକି ଯାଇନାହିଁ କିମ୍ବା ସାହିତ୍ୟ କାଳିଦାସଙ୍କ ଠାରେ ଅଟକି ଯାଇ ନାହିଁ। ତେଣୁ ଏହା କହିଲେ ଭୁଲ୍ ହେବ ନାହିଁ ଯେ ଆମର ଅଜାଣତରେ ଆମର ସମସ୍ତ ମାନବୀୟ ଉପଲବ୍‌ଧି ମୂଳରେ ଯାହା ରହିଛି, ତାହା ହେଲା ମାନବ ଜାତି ଅମର ବୋଲି ଆମର ଅବଚେତନରେ ବସା ବାନ୍ଧିଥିବା ଆମର ବିଶ୍ବାସ।

ଏହି ଅମରତ୍ବ ଧାରଣାର ପ୍ରଭାବ କେତେ ଶକ୍ତିଶାଳୀ ତାହା ଆକଳନ କରିବା ପାଇଁ ଦାର୍ଶନିକ ସାମୁଏଲ୍ ସ୍କେଫ୍‌ଲର୍ ଅଳ୍ପ କାଳ ତଳେ ଏକ ବୌଦ୍ଧିକ ଅନୁସନ୍ଧାନ ଆୟୋଜନ କରିଥିଲେ। ବିଭିନ୍ନ କ୍ଷେତ୍ର ତଥା ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରୁଥିବା ଉତ୍ତରଦାତାମାନଙ୍କୁ ସ୍କେଫ୍‌ଲର୍ ପଚାରିଥିବା ପ୍ରଶ୍ନ ଥିଲା ଏହିପରି: ଯଦି ତୁମେ ଜାଣିବାକୁ ପାଅ ଯେ ତୁମ ମୃତ୍ୟୁର ତିରିଶ ଦିନ ପରେ ପୃଥିବୀରେ ଜୀବିତ ରହିଥିବା ବାକି ସମସ୍ତେ ବିଲୁପ୍ତ ହୋଇଯିବେ, ତୁମ ଆଚରଣକୁ ତାହା କିଭଳି ପ୍ରଭାବିତ କରିବ? ସ୍କେଫ୍‌ଲର୍‌ଙ୍କର ଏହି ସଯତ୍ନ ପ୍ରସ୍ତୁତ ପ୍ରଶ୍ନରେ ଯେହେତୁ ଉତ୍ତର ପିଢ଼ିର ବିଲୟ ପୂର୍ବରୁ ବ୍ୟକ୍ତିର ମୃତ୍ୟୁ ଘଟିଥାଏ, ତେଣୁ ବ୍ୟକ୍ତି ଦ୍ବାରା ପ୍ରଦତ୍ତ ଉତ୍ତରରେ ନିହିତ ତା’ର ମୂଲ୍ୟବୋଧ ଉପରେ ଉତ୍ତର ପିଢ଼ିର ପ୍ରଭାବ ସ୍ପଷ୍ଟ ହୋଇ ଦେଖାଯାଇଥାଏ।

ସେ ସଂଗ୍ରହ କରିଥିବା ସବୁଗୁଡ଼ିକ ଉତ୍ତରର ଟିକିନିଖି ଅନୁଶୀଳନ କରିବା ପରେ ସ୍କେଫ୍‌ଲର୍ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ତାହା ତାଙ୍କର ୨୦୧୬ରେ ପ୍ରକାଶିତ ପୁସ୍ତକ, ‘ଡେଥ୍ ଆଣ୍ଡ୍ ଦି ଆଫ୍‌ଟର୍ ଲାଇଫ୍’ (‘ମୃତ୍ୟୁ ଓ ଉତ୍ତର ଜୀବନ’)ରେ ନିମ୍ନ ମର୍ମରେ ବର୍ଣ୍ଣନା କରିଥିଲେ: ଆମର ସମସ୍ତ ସହାନୁଭୂତି ଓ ବଚନବଦ୍ଧତା, ଆମର ମୂଲ୍ୟବୋଧ ଓ ଗୁରୁତ୍ବ ସମ୍ବନ୍ଧୀୟ ବିଚାର, କ’ଣ ଗୁରୁତ୍ବପୂର୍ଣ୍ଣ ଓ କେଉଁ କାର୍ଯ୍ୟ ହେଉଛି କରଣୀୟ- ଏ ସମସ୍ତ ଯେଉଁ ଏକ ପୃଷ୍ଠଭୂମିରେ ରୂପ ପରିଗ୍ରହଣ କରିଥା’ନ୍ତି ଓ ଅନୁସୃତ ହୋଇ ଚାଲିଥା’ନ୍ତି, ତାହା ହେଲା ଏହା ଯେ ମାନବ ଜୀବନ ହେଉଛି ଏକ ନିରବଚ୍ଛିନ୍ନ ଉନ୍ନତି ଘଟି ଚାଲିଥିବା ଚିରସ୍ଥାୟୀ ପ୍ରକ୍ରିୟା। ଅର୍ଥାତ୍, ଉତ୍ତରଦାତାମାନଙ୍କ ମତରେ ପୃଥିବୀ ପୃଷ୍ଠରେ ଭବିଷ୍ୟତରେ ମାନବ ଜାତିର ସ୍ଥାୟିତ୍ବ ସମ୍ବନ୍ଧରେ ସେମାନଙ୍କର ବିଶ୍ବାସ ହିଁ ସେମାନଙ୍କର ପ୍ରତ୍ୟେକ ଆଚରଣ ଓ କାର୍ଯ୍ୟକୁ ପ୍ରାସଙ୍ଗିକ ଓ ଅର୍ଥପୂର୍ଣ୍ଣ କରିଥାଏ। ଅନ୍ୟ ପ୍ରକାରେ କହିଲେ, ଯେତେବେଳେ ସେମାନଙ୍କୁ କୁହାଗଲା ଯେ ସେମାନଙ୍କର ମୃତ୍ୟୁର ତିରିଶ ଦିନ ପରେ ମାନବ ଜାତିର ବିଲୟ ଘଟିବ, ସେତେବେଳେ ସେମାନଙ୍କର ସମ୍ଭାବ୍ୟ ଆଚରଣ ସେମାନଙ୍କର ଚିରାଚରିତ ସ୍ବାଭାବିକ ଆଚରଣ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସେମାନେ ପ୍ରକାଶ କରିଥିଲେ। ଗୋଟିଏ ବାକ୍ୟରେ କହିଲେ- ସେମାନଙ୍କ ପାଇଁ ଜୀବନ ସମ୍ପୂର୍ଣ୍ଣ ଅର୍ଥହୀନ ହୋଇଯିବ।

ସ୍କେଫ୍‌ଲର୍‌ଙ୍କର ଏହି ଅନୁଶୀଳନ ଯଦି କାହାକୁ ଏକ ଦାର୍ଶନିକ ସୁଲଭ ଅଳସ କଳ୍ପନାବିଳାସ ଭଳି ମନେ ହେଉଥାଏ, ଗତ ସପ୍ତାହରେ ‘ବାୟୋଲୋଜିକାଲ୍ ରିଭିଉଜ୍’ ନାମକ ମର୍ଯ୍ୟାଦାଜନକ ଗବେଷଣା ପତ୍ରିକାରେ ପ୍ରକାଶିତ ହାୱାଇ ବିଶ୍ବବିଦ୍ୟାଳୟର ଏକ ଗବେଷକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ସେମାନଙ୍କର ସେ ଧାରଣା ଦୂର କରି ତାହାକୁ ଏକ ତାତ୍କାଳିକ ପ୍ରାସଙ୍ଗିକତା ପ୍ରଦାନ କରିବା ପାଇଁ ଯଥେଷ୍ଟ ବିବେଚିତ ହୋଇ ପାରେ। ସେ ରିପୋର୍ଟ ଅନୁସାରେ ପୃଥିବୀ ବର୍ତ୍ତମାନ ଷଷ୍ଠ ଥର ପାଇଁ ଏକ ଗଣବିଲୟ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛି- ଆମେ ଏବେ ଏକ ଗଣବିଲୟର ବାସ୍ତବ ସମ୍ଭାବନାର ସମ୍ମୁଖୀନ। ଗବେଷକ ଦଳ ସପ୍ରମାଣ ଦାବି କରିଛନ୍ତି ଯେ ଏହି ଷଷ୍ଠ ଗଣବିଲୟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଷୋଡ଼ଶ ଶତାବ୍ଦୀ ଠାରୁ। ଏହାର ଅଂଶ ସ୍ବରୂପ ଏହି ସମୟ ମଧ୍ୟରେ ପୃଥିବୀ ତା’ର ପ୍ରାୟ ଦୁଇ ନିୟୁତ ଜାତି (ସ୍ପିସିଜ୍)ମାନଙ୍କ ମଧ୍ୟରୁ ପ୍ରାୟ ୧,୫୦,୦୦୦ରୁ ୨,୬୦,୦୦୦ ପର୍ଯ୍ୟନ୍ତଙ୍କୁ, ଅର୍ଥାତ୍ ୭.୫ ଶତାଂଶରୁ ୧୩ ଶତାଂଶ ପର୍ଯ୍ୟନ୍ତଙ୍କୁ ହରାଇ ସାରିଲାଣି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନେ ଏହି ଗଣବିଲୟ ପାଇଁ ଖୋଦ୍ ବିଲୟର ସମ୍ମୁଖୀନ ମନୁଷ୍ୟକୁ ହିଁ ଦାୟୀ କରିଛନ୍ତି। ମନୁଷ୍ୟ ଦ୍ବାରା ପୃଥିବୀର ପ୍ରାକୃତିକ ପରିବେଶ ସହିତ ଅତିରିକ୍ତ ହସ୍ତକ୍ଷେପର ଏହା ହେଉଛି ପରିଣାମ ବୋଲି ଦର୍ଶାଇ ଗବେଷକମାନେ ଏହି ବିଲୟ ପ୍ରକ୍ରିୟାକୁ ଅଟକାଇବା ପାଇଁ ଏକଜୁଟ ହୋଇ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବା ପାଇଁ ପୃଥିବୀର ବୈଜ୍ଞାନିକ ସମୁଦାୟକୁ ଆହ୍ବାନ ଦେଇଛନ୍ତି। ସ୍କେଫ୍‌ଲର୍‌ଙ୍କ ପ୍ରଶ୍ନ ଓ ଏହି ଭବିଷ୍ୟବାଣୀ ମଧ୍ୟରେ ଥିବା ଏକମାତ୍ର ଫରକ୍ ହେଉଛି- ସମୟ ସୀମା: ତିରିଶ ଦିନ ସ୍ଥାନରେ ହୁଏତ ଆଉ ତିରିଶଟି ଶତାବ୍ଦୀ। କିନ୍ତୁ ବ୍ୟକ୍ତିର ଜୀବନ ପରି ମାନବ ଜାତିର ଜୀବନ ମଧ୍ୟ ଲିଭିବାକୁ ଅପେକ୍ଷା କରିଥିବା ସିଲଟରେ ଗାର ବୋଲି ଗବେଷକମାନେ ଦେଖି ପାରୁଛନ୍ତି।

ବିଲୟର ସମ୍ମୁଖୀନ ମନୁଷ୍ୟ ତା’ହେଲେ କ’ଣ ଏକ ନିର୍ଜୀବ ପଦାର୍ଥ ବା ପଶୁ ଭଳି ଏହାକୁ ମଥା ପାତି ଗ୍ରହଣ କରି ନେବା ଛଡ଼ା ଉପାୟ ନାହିଁ? ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଂଶ ଶତାବ୍ଦୀର ପ୍ରସିଦ୍ଧ ଅସ୍ତିତ୍ବବାଦୀ ଦାର୍ଶନିକ ଜାଁ ପଲ୍ ସାର୍ତ୍ର ତାଙ୍କର ସର୍ବଶ୍ରେଷ୍ଠ ପୁସ୍ତକ ‘ବିଇଙ୍ଗ୍ ଆଣ୍ଡ୍ ନଥିଙ୍ଗ୍‌ନେସ୍‌’ରେ। ସାର୍ତ୍ରଙ୍କ ମତରେ ପୃଥିବୀର ଏକମାତ୍ର ଚେତନାଧାରୀ ପ୍ରାଣୀ ରୂପେ ମନୁଷ୍ୟ ଏକ ବିରଳ ଶକ୍ତିର ଅଧିକାରୀ- ତା’ର ପରିବେଶରେ ଅନୁପସ୍ଥିତ କୌଣସି ବିକଳ୍ପର ପରିକଳ୍ପନା ଓ ଅନୁସନ୍ଧାନ। ମନୁଷ୍ୟ ହେଉଛି ତେଣୁ ନିଜେ ନିଜର ଭାଗ୍ୟ ନିୟନ୍ତା। ମନୁଷ୍ୟ ତେଣୁ ଚାହିଁଲେ ବିଲୟର ବିକଳ୍ପ ଆବିଷ୍କାର କରିପାରିବ। ସତେ ଯେମିତି ସାର୍ତ୍ରଙ୍କର ସେଇ ଆହ୍ବାନରୁ ପ୍ରେରଣା ଲାଭ କଲା ଭଳି ହାୱାଇ ବିଶ୍ବବିଦ୍ୟାଳୟର ଭବିଷ୍ୟବାଣୀ ପ୍ରତି ଯେଉଁ ଏକ ସର୍ବାଧିକ ଶକ୍ତିଶାଳୀ ଅସ୍ତିତ୍ବବାଦୀ ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖାଯାଇଛି, ତାହା ହେଉଛି ବିଚକ୍ଷଣ ରକେଟ୍ ନିର୍ମାତା ଏଲନ୍ ମସ୍କ୍‌ଙ୍କର। ସେ କହିଛନ୍ତି, ବିଲୟରୁ ରକ୍ଷା ପାଇବା ପାଇଁ ଅନ୍ୟ ଗ୍ରହମାନଙ୍କରେ ମନୁଷ୍ୟ ବସବାସ କରିବାର ବନ୍ଦୋବସ୍ତ କରିବାକୁ ପଡ଼ିବ। ତା’ହେଲେ ସିଲଟ‌େର ଗାର ଲିଭିବ ନାହିଁ।

ସମ୍ବନ୍ଧିତ ଖବର