ଗତ ସେପ୍ଟେମ୍ବରରେ ଦିଲ୍ଲୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ ୨୦୨୧ର ମନଯୋଗ ଶିକ୍ଷା ପୁରସ୍କାର (‘ମାଇଣ୍ଡ୍ଫୁଲ୍ ଏଜୁକେସନ୍ ଆୱାର୍ଡ୍ସ’) ପ୍ରଦାନ ଅବସରରେ ୨୦୧୮ ଠାରୁ ଦିଲ୍ଲୀ ରାଜ୍ୟ ସରକାରଙ୍କ ଦ୍ବାରା ଦିଲ୍ଲୀର ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଦୈନନ୍ଦିନ ‘ମନଯୋଗ ଧ୍ୟାନ’ ବା ‘ମାଇଣ୍ଡ୍ଫୁଲ୍ନେସ୍ ମେଡିଟେସନ୍’ କାର୍ଯ୍ୟକ୍ରମର ଅଶେଷ ସୁଫଳ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଏହି ବିଶେଷ କିସମର ମନ-ନିୟନ୍ତ୍ରଣ କୌଶଳକୁ ‘ଆବେଗିକ ବିଜ୍ଞାନ’ କ୍ଷେତ୍ରରେ ବିଶ୍ବକୁ ଭାରତର ଦାନ ରୂପେ ବର୍ଣ୍ଣନା କରିଥିଲେ। ଉଭୟ ଦୃଷ୍ଟିକୋଣରୁ ସିେଷାଦିଆଙ୍କ ଦାବି ନିଃସନ୍ଦେହରେ ଯଥାର୍ଥ ଥିଲା: ଦେଖାଯାଇଛି ଦିନର ବିଦ୍ୟାଭ୍ୟାସ ଆରମ୍ଭ ପୂର୍ବରୁ ମନଯୋଗ ଧ୍ୟାନରେ କିଛି ସମୟ ପାଇଁ ମଗ୍ନ ହେବା ଦ୍ବାରା ଶିକ୍ଷାର୍ଥୀମାନଙ୍କ ଚିତ୍ତରେ ଯେ କେବଳ ଅଧିକ ଆନନ୍ଦ ଭାବ ସୃଷ୍ଟି ହେଉଛି, ତାହା ନୁହେଁ, ପରୀକ୍ଷାରେ ବିଭିନ୍ନ ବିଷୟରେ ସେମାନେ ପ୍ରଦର୍ଶନ କରୁଥିବା ଉପଲବ୍ଧିରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଘଟୁଛି।
ସେହିପରି ସିଷୋଦିଆଙ୍କ ଦ୍ବିତୀୟ ଦାବି ମଧ୍ୟ ଯଥାର୍ଥ; ‘ମନଯୋଗ ଧ୍ୟାନ’ ଅବଶ୍ୟ ହେଉଛି ବିଶ୍ବବାସୀଙ୍କୁ ଭାରତର ଦାନ। କିନ୍ତୁ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ ଭାରତର ଏହି ଦାନ ବିଶ୍ବ ପରିକ୍ରମା କରି ପୁଣି ଲେଉଟି ଆସି ଭାରତରେ ପହଞ୍ଚିବା ପରେ ଏବେ ଯାଇ ଆମେ ତା’ର ମହିମା ହୃଦୟଙ୍ଗମ କରି ତା’ର ଆଦର କରିବାକୁ ଆରମ୍ଭ କରିଛୁ। ‘ମନଯୋଗ ଧ୍ୟାନ’ ହେଉଛି ଏହି ଭାରତ ଭୂମିରେ ଗୌତମ ବୁଦ୍ଧ ପ୍ରାପ୍ତ ହୋଇଥିବା ଦିବ୍ୟ ଜ୍ଞାନର ଏକ ଅଂଶ, ଯାହା ପରବର୍ତ୍ତୀ ସମୟରେ ‘ଆନାପାନସତି ସୂତ୍ର’ ରୂପେ ଲିପିବଦ୍ଧ ହୋଇଥିଲା। ‘ଆନାପାନ’ ଅର୍ଥ ହେଉଛି ନିଃଶ୍ବାସ ପ୍ରଶ୍ବାସ ଏବଂ ‘ସତି’ ଅର୍ଥ ହେଉଛି ମନଯୋଗ। ନିଜର ଶ୍ବାସକ୍ରିୟାକୁ ବ୍ୟବହାର କରି ନିଜର ଧ୍ୟାନକୁ କେନ୍ଦ୍ରୀଭୂତ କରିବାର କୌଶଳ ହେଉଛି ଏହି ସୂତ୍ରର ବିଷୟ ବସ୍ତୁ। ଏଥିରେ ନିଜର ନିଃଶ୍ବାସ ପ୍ରଶ୍ବାସକୁ ବ୍ୟବହାର କରିବାର ୧୬ଟି ପଦ୍ଧତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ଏହି ଧ୍ୟାନ ପଦ୍ଧତିକୁ ଯିଏ ପାଶ୍ଚାତ୍ୟ ଜଗତ୍ରେ ପହଞ୍ଚାଇ ଅସୀମ ଲୋକପ୍ରିୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ‘ମନଯୋଗ ଧ୍ୟାନ’ର ‘ପିତା’ ଆଖ୍ୟା ଲାଭ କରିଥିଲେ ସେ ହେଉଛନ୍ତି ଭିଏତ୍ନାମର ବୌଦ୍ଧ ସନ୍ନ୍ୟାସୀ ଥିଚ୍ ନାତ୍ ହାନ୍, ଯିଏ ଜାନୁଆରି ୨୨ ଦିନ ୯୫ ବର୍ଷ ବୟସରେ ଏକ ଅତ୍ୟନ୍ତ ଘଟଣା ବହୁଳ ତଥା ଅର୍ଥପୂର୍ଣ୍ଣ ଜୀବନ ସମାପ୍ତ କରି ଭିଏତ୍ନାମସ୍ଥିତ ଏକ ବୌଦ୍ଧ ଆଶ୍ରମରେ ଦେହତ୍ୟାଗ କରିଛନ୍ତି। ସାମ୍ପ୍ରତିକ ପୃଥିବୀରେ ‘ମନଯୋଗ ଧ୍ୟାନ’ରୁ ସାମାନ୍ୟତମ ଉପକାର ପାଉଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିପାଇଁ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଥେ ନାତ୍ ହାନ୍ଙ୍କ ଠାରେ ଋଣୀ (‘ଥେ’ ଅର୍ଥ ହେଉଛି ଭିଏତ୍ନାମୀ ଭାଷାରେ ‘ଗୁରୁ’। ତେଣୁ ତାଙ୍କୁ ଲୋକେ ଶ୍ରଦ୍ଧା ଓ ସମ୍ମାନର ସହିତ ଥେ ନାତ୍ ହାନ୍ ବୋଲି ସଂବୋଦନ କରୁଥିଲେ)। ମନୀଷ୍ ସିଷୋଦିଆ ମଧ୍ୟ। ଗୌତମ ବୁଦ୍ଧ ଆବିଷ୍କାର କରିଥିବା ଏହି ଧ୍ୟାନ ମାର୍ଗ ପରବର୍ତ୍ତୀ ଯୁଗରେ ଯେ ଅନ୍ୟ କୌଣସି ଦାର୍ଶନିକଙ୍କର ଚିନ୍ତାଧାରାରେ ପ୍ରବେଶ କରିନଥିଲା, ଏପରି ନୁହେଁ। କିନ୍ତୁ ଏହି କ୍ଷୀଣକାୟ ଭିଏତ୍ନାମୀ ବୌଦ୍ଧ ସନ୍ନ୍ୟାସୀଙ୍କର ପାଶ୍ଚାତ୍ୟ ଦୃଶ୍ୟପଟରେ ଆବିର୍ଭାବ ପର୍ଯ୍ୟନ୍ତ ସେଥିରୁ କୌଣସି ଚିନ୍ତାଧାରା ଜନମାନସକୁ ଏଭଳି ବ୍ୟାପକ ଭାବରେ ଆବିଷ୍ଟ କରି ପାରି ନ ଥିଲା, ଯେଉଁ ଭଳି ଚମତ୍କାରିତା ଥେ ନାତ୍ ହାନ୍ ହାସଲ କରି ପାରିଥିଲେ।
ଏକ ଉଦାହରଣସ୍ବରୂପ ଊନବିଂଶ-ବିଂଶ ଶତାବ୍ଦୀର ଜର୍ମାନ୍ ଦାର୍ଶନିକ ଏଡ୍ମଣ୍ଡ୍ ହୁସର୍ଲ୍ ଯେଉଁ ‘ଫେନୋମେନୋଲୋଜି’ ନାମକ ଦର୍ଶନର ବ୍ୟାଖ୍ୟାନ କରିଥିଲେ, ତାହାର ମୌଳିକ ତତ୍ତ୍ବ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଗୌତମ ବୁଦ୍ଧ ଆବିଷ୍କାର କରିଥିବା ଏହି ମନଯୋଗ ଧ୍ୟାନ ପଦ୍ଧତିର ଏକ ଅବିକଳ ନକଲ ଭଳି ହିଁ ମନେ ହୋଇଥାଏ। ହୁସର୍ଲ୍ଙ୍କ ଏହି ତତ୍ତ୍ବ ଅନୁସାରେ ଜଣେ ବ୍ୟକ୍ତି ତା’ର ପରିବେଶରେ ଥିବା ପ୍ରତ୍ୟେକ ପଦାର୍ଥ ଉପରେ ଅତ୍ୟନ୍ତ ମନଯୋଗ ସହକାରେ ଧ୍ୟାନ ନିବଦ୍ଧ କରିଥାଏ। ପଦାର୍ଥର ଅନ୍ତର୍ନିହିତ ପରିଚୟ ସମ୍ବନ୍ଧରେ କଳ୍ପନାଜଳ୍ପନା ପରିତ୍ୟାଗ କରି ପଦାର୍ଥ ସମ୍ବନ୍ଧରେ ନିଜର ଅନୁଭବ ଉପରେ ବ୍ୟକ୍ତି ନିଜର ଧ୍ୟାନ ନିବଦ୍ଧ କରିଥାଏ (ଦିଲ୍ଲୀ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନେ ଯେଉଁଭଳି ଧ୍ୟାନସ୍ଥ ଅବସ୍ଥାରେ ପାରିପାର୍ଶ୍ବିକ ଶବ୍ଦମାନଙ୍କ ଉପରେ ନିଜର ଧ୍ୟାନ ନିବଦ୍ଧ କରିଥା’ନ୍ତି)।
ଏହା କିନ୍ତୁ ଜନମାନସରେ ସେଭଳି ରେଖାପାତ କରି ନ ଥିଲା, ଯେଉଁଭଳି ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଥେ ନାତ୍ ହାନ୍ଙ୍କ ଆହ୍ବାନ କରିଥିଲା: ତୁମେ ଚାଲିବା ସମୟରେ ସମ୍ପୂର୍ଣ୍ଣ ରୂପେ ତୁମର ଚାଲିବା ଓ ଶ୍ବାସକ୍ରିୟା ଉପରେ ମନୋନିବେଶ କରି ଚାଲ; ବାସନ ମାଜିବା ସମୟରେ ମଧ୍ୟ ସେଇ ଭଳି ମନଯୋଗ ସହକାରେ ବାସନ ମାଜ; ଚା’ ତିଆରି କରିବା ସମୟରେ ମଧ୍ୟ ସେଇ ପଦ୍ଧତି ଅବଲମ୍ବନ କର ... ନିଜର ସମସ୍ତ ଜୀବନଚର୍ଯ୍ୟାକୁ ମନଯୋଗ ଉପରେ ଆଧାରିତ କର ଏବଂ ତାହା ପ୍ରେମପୂର୍ଣ୍ଣ ଭାବରେ ପାଳନ କର। ଆମେରିକା ଦ୍ବାରା ରଚିତ ଭିଏତ୍ନାମ ଯୁଦ୍ଧର ଯନ୍ତ୍ରଣା ଲାଘବ ପାଇଁ ଥେ ହାନ୍ ଯେତେବେଳେ ତାଙ୍କର ଏହି ପଦ୍ଧତି ପ୍ରୟୋଗକୁ ଏକ ଆନ୍ଦୋଳନରେ ପରିଣତ କଲେ ତାଙ୍କ ନିଜ ଦେଶ ଭିଏତ୍ନାମର କମ୍ୟୁନିଷ୍ଟ ସରକାର ତାଙ୍କୁ ଜଣେ ଦେଶଦ୍ରୋହୀ ରୂପେ ବିଚାର କରି ଦେଶରୁ ନିର୍ବାସିତ କରି ଦେଇଥିଲେ।
ତାଙ୍କର ହଜାର ହଜାର ସ୍ବେଚ୍ଛାସେବୀମାନେ ଯୁଦ୍ଧ ବିଧ୍ବସ୍ତ ଗ୍ରାମ ମାନଙ୍କର ପୁନଃ ନିର୍ମାଣରୁ ଆରମ୍ଭ କରି ଗ୍ରାମବାସୀମାନଙ୍କର ମାନସିକ ସନ୍ତୁଳନ ରକ୍ଷା ଦିଗରେ ଏଭଳି ଆଧ୍ୟାତ୍ମିକ ପଦକ୍ଷେପ ନେଉଥିଲେ, କିନ୍ତୁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଶାନ୍ତି ପ୍ରତିଷ୍ଠା- କୌଣସି ପକ୍ଷର ସମର୍ଥନ କିମ୍ବା ବିରୋଧ ନୁହେଁ। ତାଙ୍କର ଉଦ୍ୟମ ପାଇଁ ଏକ ସମୟରେ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାମ ମଧ୍ୟ ସୁପାରିସ ହୋଇଥିଲା, କିନ୍ତୁ ନୋବେଲ୍ କମିଟିର ବିଚିତ୍ର ବିଚାର ଅନୁସାରେ ତାଙ୍କୁ ଉପେକ୍ଷା କରାଯାଇଥିଲା।
ସେ ଦୀର୍ଘ କାଳ ଧରି ନିର୍ବାସିତ ଅବସ୍ଥାରେ ଫ୍ରାନ୍ସରେ ଏକ ଆଶ୍ରମ (ପ୍ଲମ୍ ଭିଲେଜ୍) ପ୍ରତିଷ୍ଠା କରି ସହସ୍ର ସହସ୍ର ଅନୁଗାମୀଙ୍କୁ ମନଯୋଗ ଧ୍ୟାନ ପ୍ରଶିକ୍ଷଣ ଦ୍ବାରା ଉପକୃତ କରିଥିଲେ। ୨୦୧୪ରେ ସେ ମସ୍ତିଷ୍କ ଆଘାତ (ଷ୍ଟ୍ରୋକ୍) ଦ୍ବାରା ଶଯ୍ୟାଶାୟୀ ହେବା ପରେ ଶେଷରେ ୨୦୧୮ରେ ନିଜ ଦେଶକୁ ଫେରିବାକୁ ଅନୁମତି ପାଇଥିଲେ ଓ ତାଙ୍କର ଜନ୍ମିତ ସହର ‘ହୁଏ’ସ୍ଥିତ ଏକ ବୌଦ୍ଧ ଆଶ୍ରମରେ ଏବେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମନଯୋଗ ଧ୍ୟାନର ଉତ୍ପତ୍ତି ସ୍ଥଳ ଭାରତ ହୋଇଥିଲେ ହେଁ ବର୍ତ୍ତମାନ ସିଷୋଦିଆଙ୍କ ସମେତ ଆମେ ସମସ୍ତେ ଯେ ସେଥିପାଇଁ ଥେ ହାନ୍ଙ୍କ ନିକଟରେ କୃତଜ୍ଞ, ତାହା ସ୍ବୀକାର କରି ତାଙ୍କର ମହାନ ଆତ୍ମାର ନିର୍ବାଣ ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା କରୁଛୁ।