ସ୍ୱପ୍ନ ପୂରଣ ପଥେ?

ଗଲା ବୁଧବାର ଦିନ ପାର୍ଲାମେଣ୍ଟରେ ଆଗତ ହୋଇଥିବା ରେଳବାଇ ବଜେଟ୍‌ରେ ଓଡ଼ିଶା ଲାଗି ୯୭୩୪ କୋଟି ଟଙ୍କାର ଅର୍ଥ ରାଶି ଉପଲବ୍‌ଧ ହେବାର ବିଶେଷତ୍ବଟି ହେଲା ଏହା ପୂର୍ବରୁ ରେଳ ବଜେଟ୍‌ ଅଧୀନରେ ଆମ ରାଜ୍ୟ ଏତେ ପରିମାଣର ଅର୍ଥ କେବେ ପାଇ ନ ଥିଲା। ଗଲା ବର୍ଷ ଓଡ଼ିଶାକୁ ମିଳିଥିଲା ୬୯୯୫.୫ କୋଟି ଟଙ୍କାର ଅର୍ଥରାଶି। ସେହି ଦୃଷ୍ଟିରୁ କହି ହେବ ଯେ ଓଡ଼ିଶାର ରାଜ୍ୟସଭା ସା˚ସଦ ଅଶ୍ବିନୀ ବୈଷ୍ଣବ ରେଳ-ମନ୍ତ୍ରୀ ହେବା ପରେ ତାଙ୍କ ଠାରେ ରାଜ୍ୟ ସ୍ଥାପନ କରିଥିବା ଆସ୍ଥା ସ୍ଥିର ରହିଲା। ଏହା ଦ୍ବାରା ଏକ ଆଶା ମଧୢ ସ˚ଚାରିତ ହୋଇଛି ଯେ ବହୁ କାଳ ଧରି ନିର୍ମାଣାଧୀନ ପ୍ରମୁଖ ଚାରିଟି ରେଳ ପ୍ରକଳ୍ପ – ଖୋର୍ଧା ରୋଡ୍‌-ବଲାଙ୍ଗୀର, ତାଳଚେର -ବିମଳାଗଡ଼, ଅନୁଗୁଳ-ସୁକିନ୍ଦା ଏବ˚ ହରିଦାସପୁର-ପାରାଦୀପ-ର କାର୍ଯ୍ୟ ନୂତନ ବେଗ ପ୍ରାପ୍ତ ହେବ ଏବ˚ ଏହି ନୂତନ ରେଳ ପଥଗୁଡ଼ିକ ଜରିଆରେ ଯଥାଶୀଘ୍ର ରାଜ୍ୟରେ ବିକାଶର ଶୋଣିତ ପ୍ରବାହିତ ହେବ। କହିବା ଅନାବଶ୍ୟକ ଯେ ଏହି ରେଳ ବଜେଟ୍‌ କିଛି ଉତ୍ସାହ ଜାଗ୍ରତ କରିବା ସହିତ ଅଦୂର ଭବିଷ୍ୟତ୍‌ରେ ଆମ ରାଜ୍ୟ ଲାଗି ଏକ ବିଶେଷ ସ୍ବପ୍ନ ପୂରଣର ଆକା˚କ୍ଷା ମଧ୍ୟ ସୃଷ୍ଟି କରିଛି। ‘ଅଦୂର ଭବିଷ୍ୟତ’ ବୋଲି ଯାହାକୁ କୁହାଯାଉଛି ତାହା ହେଲା ୨୦୩୬ ମସିହା; ଯେତେବେଳେ ଆମ ରାଜ୍ୟ ତାର ଗଠନର ଏକ ଶତ ବର୍ଷ ପୂରଣ କରିବ ଏବ˚ ଯେଉଁଥି ଲାଗି ଆଉ ମାତ୍ର ଚଉଦ ବର୍ଷ ଅବଶିଷ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ବିକାଶର ସୋପାନରେ ଓଡ଼ିଶାକୁ ଏକ ସମ୍ମାନାସ୍ପଦ ଉଚ୍ଚତା ପ୍ରଦାନ କରିବା ଏକ ମାତ୍ର ଲକ୍ଷ୍ୟ ହେବା ଆବଶ୍ୟକ, ଯାହାକୁ ସତ୍ୟରେ ପରିଣତ କରିବାରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏକ ଅତ୍ୟନ୍ତ ବିକଶିତ ରେଳବାଇ। ଏହି ସଂଦର୍ଭରେ ଓଡ଼ିଶା ଲାଗି ରେଳ ବଜେଟ୍‌ର ପ୍ରାବଧାନ ନେଇ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।

ଏହି ସଂଦର୍ଭରେ ‘ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି ପ୍ଲସ୍‌’ ନାମକ ଏକ ୱେବ୍‌ ପତ୍ରିକାରେ (ଜୁଲାଇ୧, ୨୦୨୧)ରେ ପ୍ରକାଶିତ ଏକ ଆଲେଖ୍ୟରେ ମତ ପ୍ରକାଶ ପାଇଥାଏ କି ଓଡ଼ିଶାକୁ ଦେଶର ପ୍ରଥମ ୧୦ଟି ଅଗ୍ରଣୀ ରାଜ୍ୟ (ସ˚ପ୍ରତି ଓଡ଼ିଶାର ସ୍ଥାନ ୧୬) ମଧୢରେ ସ୍ଥାନିତ କରିବାକୁ ହେଲେ ଆମ ରାଜ୍ୟରେ ଅନ୍ତତଃ ପକ୍ଷେ ୫୦୦୦ କିଲୋମିଟର ଦୀର୍ଘ ରେଳ ଧାରଣା ବିଛାଯିବା ଏବ˚ ତାହା ରାଜ୍ୟର ପ୍ରାୟ ସମସ୍ତ ଅ˚ଶକୁ ସ୍ପର୍ଶ କରିବା ଜରୁରୀ। ପ୍ରକାଶ ଥାଉ କି ସ˚ପ୍ରତି ଆମ ରାଜ୍ୟରେ ରେଳ ଲାଇନର ଦୀର୍ଘତା ହେଉଛି ୨୫୭୦ କିଲୋମିଟର; ରାଜ୍ୟର ଆକାର ତୁଳନାରେ ଯାହାର ହାରାହାରି ଅନୁପାତ ହେଉଛି ପ୍ରତି ଏକ ହଜାର ବର୍ଗ କିଲୋମିଟର ପାଇଁ ୧୬ କିଲୋମିଟର ଦୀର୍ଘ ରେଳପଥ। ଏଥିରେ ଜାତୀୟ ହାରାହାରି ହେଉଛି ୨୨ କିଲୋମିଟର ଏବଂ ପଞ୍ଜାବ, ହରିଆଣା, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ତାହା ହେଉଛି ପ୍ରାୟ ୩୦ରୁ ୪୦ କିଲୋମିଟର। ଏହି ଦୃଷ୍ଟିରୁ ବିଚାର କଲେ ଯଦି ୨୦୩୬ ମସିହା ସୁଦ୍ଧା ଓଡ଼ିଶାର ରେଳ ଲାଇନର ଦୀର୍ଘତାକୁ ୫୦୦୦ କିଲୋମିଟରକୁ ବୃଦ୍ଧି କରାଯାଏ, ତେବେ ଏହି ହାରାହାରି ପ୍ରତି ଏକ ହଜାର ବର୍ଗ କିଲୋମିଟରରେ ୩୨ କିଲୋମିଟରରେ ପହଞ୍ଚିବା ବାଂଛନୀୟ। ସୁତରା˚, ସ˚ପ୍ରତି ଯାହା ଗୁରୁତ୍ବପୂର୍ଣ୍ଣ ମନେ ହୁଏ, ତାହା ହେଲା ଯେତେ ଅଧିକ ସମ୍ଭବ ନୂତନ ରେଳ ସ˚ଯୋଗ ଉପରେ ଧୢାନ କେନ୍ଦ୍ରୀଭୂତ କରିବା। ଉଲ୍ଲେଖ ଥାଉ କି ରେଳ ବଜେଟ୍‌ରେ ହେଉଥିବା ଅର୍ଥ ପ୍ରାବଧାନର ଅଧିକା˚ଶ ଭାଗ ରେଳ ଧାରଣା ଦୋହରୀକରଣ ବା ତୃତୀୟ ଲାଇନ୍‌ ବିଛାଇବା କାର୍ଯ୍ୟରେ ନିୟୋଜିତ ହୋଇଥାଏ, ଯେଉଁ ଧାରାରେ ପରିବର୍ତ୍ତନ ଆସିବା ଆବଶ୍ୟକ।

ଏହି ଲେଖାର ପ୍ରାରମ୍ଭରେ ଯେଉଁ ଚାରିଟି ପ୍ରମୁଖ ରେଳ ପ୍ରକଳ୍ପ ସ˚ଦର୍ଭରେ କୁହାଯାଇଛି, ସେଗୁଡ଼ିକ ସ˚ପୂର୍ଣ୍ଣ ହେଲେ ଅତିରିକ୍ତ ୬୧୫ କିଲୋମିଟର ଦୈର୍ଘ୍ୟର ରେଳ ଲାଇନ ଯୋଡ଼ି ହୋଇଯିବ। ସେମିତି ଜୟପୁର-ମାଲକାନଗିରି ଏବଂ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଉ ୧୬୫ କିଲୋମିଟର ‌େଯାଡ଼ି ହୋଇ ରାଜ୍ୟର ରେଳ ଲାଇନ ଦୀର୍ଘତାକୁ ୩୨୫୦ କିଲୋମିଟରରେ ପରଣତ କରିବ, ଫଳରେ ୫୦୦୦ କିଲୋମିଟର ଦୀର୍ଘ ରେଳ ସ˚ଯୋଗର ସ୍ବପ୍ନ ପୂରଣ କରିବା ଲାଗି ଆଉ ୧୭୫୦ କିଲୋମିଟରର ନୂତନ ରେଳ ଲାଇନର ଆବଶ୍ୟକତା ରହିବ। କହିବା ବାହୁଲ୍ୟ ଯେ ମାତ୍ର ୧୪ ବର୍ଷ ମଧ୍ୟରେ ଏତେ ଦୀର୍ଘ ରେଳ ସଂଯୋଗୀକରଣର ସ୍ବପ୍ନ ପୂରଣ ଲାଗି ବିପୁଳ ଅର୍ଥ ସହିତ ପ୍ରୟୋଜନ ରାଜ୍ୟ ସରକାରଙ୍କ ଏକ ଦୃଢ଼ ଇଚ୍ଛାଶକ୍ତି।

ଆମ ରାଜ୍ୟର ରେଳ ମାନଚିତ୍ର ଉପରେ ଦୃଷ୍ଟି ନିକ୍ଷେପ କଲେ ଦୁଇଟି ମୁଖ୍ୟ ‌େରଳ ଯୋଗାଯୋଗ ଦିଶିଥାଏ; ଯହିଁରୁ ଗୋଟିଏ ପୂର୍ବ ଉପକୂଳରେ ବାଲେଶ୍ବର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏବ˚ ଅନ୍ୟଟି ରାଜ୍ୟର ପଶ୍ଚିମ ଧାରରେ ରାଉରକେଲାରୁ ଟିଟିଲାଗଡ଼ ଦେଇ ରାୟଗଡ଼ା ପର୍ଯ୍ୟନ୍ତ। ଯେଉଁ ଚାରିଟି ପ୍ରମୁଖ ପ୍ରକଳ୍ପ ନିର୍ମାଣାଧୀନ ଓ ଅଗ୍ରଗତିର ବିଭିନ୍ନ ସ୍ତରରେ, ସେ ସବୁ ସ˚ପୂର୍ଣ୍ଣ ହେଲେ ତାହା ପୂର୍ବକୁ ପଶ୍ଚିମ ସହିତ ସଂଯୋଗ କରିବ। ଏହି ପରିପ୍ରେକ୍ଷୀରେ ରାଜ୍ୟର ଅନ୍ତଃ ସ୍ଥଳ ବା ମଧୢ ଭାଗ ଦେଇ ଉତ୍ତର ସହିତ ଦକ୍ଷିଣକୁ ସ˚ଯୋଗ କରୁଥିବା ରେଳ ଲାଇନର ଆବଶ୍ୟକତା ରହିଛି, ଯାହା ରାଜ୍ୟର ମୁଖ୍ୟ ଖଣି ଓ ଶିଳ୍ପାଞ୍ଚଳ ଦେଇ ଗତି କରିବା ସହିତ ରେଳ ବିଭାଗ ଲାଗି ଏକ ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରିବ। ଚଳିତ ବଜେଟ୍‌ରେ ତେଲେଙ୍ଗାନାର ଭଦ୍ରାଚଳମ ସହିତ ମାଲକାନଗିରିର ସଂଯୋଗୀକରଣ ଲାଗି ଚୂଡ଼ାନ୍ତ ସର୍ଭେ ସକାଶେ ଅର୍ଥ ମଂଜୁର କରାଯାଇଛି। ସେହି ପରିପ୍ରେକ୍ଷୀରେ ଏକ ବିଶେଷଜ୍ଞ ମତ ପ୍ରକାଶ ପାଇଥାଏ ଯେ ଯଦି ଭଦ୍ରାଚଳମରୁ ପଶ୍ଚିମବଙ୍ଗର ଖଡଗପୁର ପର୍ଯ୍ୟନ୍ତ ରେଳ ସ˚ଯୋଗ ସମ୍ଭବ ହୁଅନ୍ତା, ତାହା ହେଲେ ଓଡ଼ିଶାର ମଧୢ ଭାଗସ୍ଥ ଅନେକ ଅଞ୍ଚଳ ରେଳ ସ୍ପର୍ଶ ଲାଭ କରନ୍ତା। ଏହା ସହିତ ପୂର୍ବରୁ ପଶ୍ଚିମକୁ ଯାଉଥିବା ରେଳ ଲାଇନଗୁଡ଼ିକୁ ଏହି ଲାଇନ ଛେଦ କରୁଥିବାରୁ ଏହା ଦ୍ବାରା ସାରା ରାଜ୍ୟ ଲାଗି ଏକ ସଘନ ରେଳ ସ˚ଯୋଗର ସମ୍ଭାବନା ସୃଷ୍ଟି ହୁଅନ୍ତା।

ଚଳିତ ରେଳ ବଜେଟ୍‌ରେ ଷ୍ଟେସନର ଆଧୁନିକୀକରଣ ଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା ସୃଷ୍ଟି ଲାଗି ପ୍ରାୟ ୩୦୪.୧୭ କୋଟି ଅର୍ଥରାଶି ଉପଲବ୍‌ଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନକୁ ବିଶ୍ବ ସ୍ତରୀୟ କରିବାର ଲକ୍ଷ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ। ଯାତ୍ରୀମାନଙ୍କ ସ୍ବାଚ୍ଛନ୍ଦ୍ୟ ଓ ସୁବିଧାର ବ୍ୟବସ୍ଥା ଥିବା ଷ୍ଟେସନ ରେଳବାଇର ଭାବମୂର୍ତ୍ତି ଉଜ୍ଜ୍ବଳ କରିବାରେ ସହାୟକ ହୋଇଥାଏ। ତେବେ, ଏହି ପ୍ରକରଣରେ ରାଜ୍ୟର ବଡ଼ ଓ ଛୋଟ ସମସ୍ତ ଷ୍ଟେସନ ଅନ୍ତର୍ଭୁକ୍ତ ହେବା ଉଚିତ।

ପ୍ରାୟ ସମସ୍ତେ ଅବଗତ ଯେ ଭାରତ ହେଉଛି ପୃଥିବୀର ସର୍ବାଧିକ ଦୀର୍ଘ ରେଳ ଲାଇନ ଧାରଣ କରିଥିବା ଦେଶ। ତଥାପି ଏହାର ନିଘଞ୍ଚତା ସମାନୁପାତିକ ହୋଇ ପାରିନାହିଁ। ଆମ ରାଜ୍ୟ ବା ଦେଶର ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକ ରେଳ ଯୋଗାଯୋଗର ସୁବିଧା ଲାଭ କରିବାରୁ ଅନେକତ୍ର ବ˚ଚିତ। ଚଳିତ ବଜେଟ୍‌କୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଏହି ଅଭାବ ପୂରଣ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଜୟପୁର, ମାଲକାନଗିରି, ନବରଙ୍ଗପୁର ଭଳି ସ୍ଥାନ ରେଳ ଯୋଗାଯୋଗରେ ମହତ୍ତ୍ବ ଲାଭ କରିବା ଏହାର ନିଦର୍ଶନ। ସୁତରା˚, ଆଶା କରିବା ଯେ ଆଗକୁ ପଥୀକୃତ୍‌ ଉଦ୍ୟମ ଜାରି ରହି ଓଡ଼ିଶାକୁ ଏକ ନିଘଞ୍ଚ ରେଳ ସ˚ଯୋଗର ରାଜ୍ୟରେ ପରିଣତ କରିବ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ବ୍ରାଜିଲୀୟ ଲେଖକ ପାଉଲୋ କୋଏଲହୋଙ୍କ ସେହି ପ୍ରସିଦ୍ଧ ବାକ୍ୟଟି ସ୍ମରଣକୁ ଆସିଥାଏ, ଯହିଁରେ ସେ କହିଥିଲେ-‘ଅନେକ ଥର ମୁଁ ଭୁଲ ଟ୍ରେନ୍‌ ଧରି ‘ଠିକ’ ସ୍ଥାନରେ ପହଞ୍ଚିଛି।’ ୨୦୩୬ ବେଳକୁ ଯଦି ଏକ ଘଞ୍ଚ ରେଳ ଯୋଗଯୋଗର ପରିବେଶରେ ଏଭଳି କିଛି ସମ୍ଭବ ହୋଇପାରେ, ଯେଉଁଠି ଜଣେ ଯାତ୍ରୀ ଉଦ୍ଦିଷ୍ଟ ଟ୍ରେନ୍‌ଟି ଫେଲ୍‌ ହୋଇଗଲେ, ବିଶେଷ ଚିନ୍ତା ନ କରି ଯଥାଶୀଘ୍ର ଅନ୍ୟ କୌଣସି ଟ୍ରେନ୍‌ ଧରି ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ, ତେବେ ହୁଏ’ତ ଆମେ ମଧ୍ୟ କହି ପାରିବା ଯେ ସେ ‘ଭୁଲ’ ରେଳ ଧରି ‘ଠିକ’ଜାଗାରେ ପହଞ୍ଚିଗଲେ!

ସମ୍ବନ୍ଧିତ ଖବର