କ୍ଷୁଦ୍ର ମନ

ଗତ କାଲି ଚୀନର ବେଜି˚ ଠାରେ ଅନୁଷ୍ଠିତ ହୋଇଥିବା ‘ଵିଣ୍ଟର‌୍‌ ଅଲି˚ପିକ୍‌ସ’(ଶୀତ ଅଲି˚ପିକ୍‌ସ) କ୍ରୀଡ଼ା ଶୃଙ୍ଖଳାର ଉଦ୍‌ଘାଟନ ଉତ୍ସବ ପୂର୍ବରୁ ସୃଷ୍ଟ ଏକ ଅତ୍ୟନ୍ତ ଅନାବଶ୍ୟକ ତଥା ଅଯଥା ବିବାଦ ଏହି ଚମକହରା ଟୁର୍ନାମେଣ୍ଟକୁ କର୍ଦ୍ଦମାକ୍ତ କରିଛି। ପାଠକ-ପାଠିକାମାନେ ଅବଗତ ଥିବେ ଯେ ଚୀନରେ ସରକାରଙ୍କ ଦ୍ବାରା ହେଉଥିବା ଘୋର ମାନବିକ ଅଧିକାର ଉଲ୍ଳ˚ଘନର ପ୍ରତିବାଦ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ୟୁ.କେ. ସମେତ ୟୁରୋପୀୟ ରାଷ୍ଟ୍ର ସ˚ଘ ଏହି କ୍ରୀଡ଼ା ଶୃଙ୍ଖଳାକୁ ବର୍ଜନ କରି ଏହାର ଚମକ ଅପହରଣ କରି ସାରିଛନ୍ତି। ତେବେ, ଗତ ନଭେମ୍ବର ମାସରେ ଚୀନ, ଭାରତ ଏବ˚ ରୁଷିଆ ମଧୢରେ ହୋଇଥିବା ଏକ ବୁଝାମଣା ପରେ ଉଭୟ ଭାରତ ଏବ˚ ରୁଷିଆ ବେଜି˚ ‘ଵିଣ୍ଟର ଅଲି˚ପ୍ି‌କ୍‌ସ’କୁ ସମର୍ଥନ ଜଣାଇବା ସହିତ ଏଥିରେ ଅ˚ଶ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ, ଯେଉଁ କାରଣରୁ ଭାରତ ତା’ର ଗୋଟିଏ ବୃହତ୍‌ ତଥା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ‘ରଣନୈତିକ ସହଯୋଗୀ’ ଯୁକ୍ତରାଷ୍ଟ୍ର ଆମେରିକାର ମତ ବିରୋଧରେ ଯାଇ ଏହି କ୍ରୀଡ଼ା ଶୃଙ୍ଖଳା ସକାଶେ ଜଣିକିଆ ଖେଳାଳି ସମ୍ବଳିତ ଏକ ଛଅ ଜଣିଆ ଦଳକୁ ବେଜି˚ ପ୍ରେରଣ କରିଛି। କହିବା ଅନାବଶ୍ୟକ ଯେ ଏହି ପଦକ୍ଷେପରେ ଆଞ୍ଚଳିକ ଶାନ୍ତି ଲାଗି ଭାରତର ଅଙ୍ଗୀକାର ପ୍ରା˚ଜଳ ଭାବେ ପରିଲକ୍ଷିତ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଉଦ୍‌ଘାଟନ ସମାରୋହ ପୂର୍ବରୁ ଚୀନ ଦ୍ବାରା ପ୍ରଦର୍ଶିତ ଏକ ଆଚରଣ ଭାରତକୁ ଏଭଳି ମର୍ମାହତ କରିଛି ଯେ ଭାରତ ପକ୍ଷରୁ ଏହି ଉତ୍ସବକୁ କୂଟନୈତିକ ସ୍ତରରେ ବର୍ଜନ କରାଯିବା ସହିତ ଚୀନର ଆଚରଣକୁ ନିନ୍ଦା କରାଯାଇଛି।

ଚୀନ କରିଥିବା କାର୍ଯ୍ୟଟି ହେଲା, ଏହି ଟୁର୍ନାମେଣ୍ଟର ଶୁଭାରମ୍ଭ ପୂର୍ବରୁ ଅନୁଷ୍ଠିତ ପାର˚ପରିକ ମଶାଲ ଦୌଡ଼ରେ କ୍ବି ଫାବାଓଙ୍କୁ ଅନ୍ତର୍ଭୁକ୍ତ କରିବା; ଯିଏ ଚୀନର ‘ପିପୁଲସ ଲିବରେସନ୍‌ ଆର୍ମି’ ବା ‘ପି.ଏଲ୍‌.ଏ’ (ଚୀନ ସୈନ୍ୟ ବାହିନୀ)ର ଜଣେ କର୍ମଚାରୀ ଏବଂ ଯିଏ ୨୦୨୦ ମସିହା ଜୁନ୍‌ ମାସରେ ପଶ୍ଚିମ ଲଦାଖ ସୀମାସ୍ଥିତ ଗଲଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧୢରେ ସ˚ଘଟିତ ରକ୍ତାକ୍ତ ସ˚ଘର୍ଷରେ ଆହତ ହୋଇଥିଲେ। ସମସ୍ତଙ୍କ ସ୍ମରଣରେ ଥିବ ଯେ ଅତ୍ୟନ୍ତ ଅନାହୂତ ଏହି ସ˚ଘର୍ଷରେ ଭାରତର କୋଡ଼ିଏ ଜଣ ବୀର ସୈନିକ ସହିଦ ହୋଇଥିଲେ। ସେହି ଦୃଷ୍ଟିରୁ କ୍ବି ଫାବାଓଙ୍କୁ ଜଣେ ‘ଯୁଦ୍ଧ ହିରୋ’ ଭାବେ ବର୍ଣ୍ଣନା କରି ‘ଅଲି˚ପିକ୍‌ସ’ ଭଳି ବିଶ୍ବର ଏକ ସର୍ବୋଚ୍ଚ ସ୍ତରୀୟ କ୍ରୀଡ଼ା ଶୃଙ୍ଖଳାରେ ‘ମଶାଲ ଧାରଣ’ କରିବା ଭଳି ଗୋଟିଏ ବିରଳ ସୁଯୋଗ ପ୍ରଦାନ କରାଯିବା ସ୍ବାଭାବିକ ଭାବେ ଏ ପର୍ଯ୍ୟନ୍ତ ଶୁଖି ନ ଥିବା ଭାରତର କ୍ଷତକୁ ପୁନର୍ବାର ରକ୍ତସ୍ରାବୀ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଅଲି˚ପିକ୍‌ସ ଭଳି ଏକ କ୍ରୀଡ଼ା ଶୃଙ୍ଖଳାର ଆୟୋଜନରେ ଚୀନ ଏଭଳି ଏକ ଅଣଖେଳୁଆଡ଼ ମନୋବୃତ୍ତି ପ୍ରସୂତ ସଂକୀର୍ଣ୍ଣତା ପ୍ରଦର୍ଶନ କଲା କାହିଁକି ? ଏହା କ’ଣ ଭାରତ ବିରୋଧରେ ଚୀନର ମନସ୍ତାତ୍ତ୍ବିକ ଯୁଦ୍ଧର ଏକ ଅ˚ଶ?

ଏ ପରିପ୍ରେକ୍ଷୀରେ ଚୀନର ଆଚରଣକୁ ବୁଝିବା ଲାଗି ଏକ ଗଭୀର ଦୃଷ୍ଟି ନିକ୍ଷେପ କରାଯିବା ଜରୁରୀ, ଯାହା ଫଳରେ କ୍ରମେ ସ୍ପଷ୍ଟ ହୋଇ ଉଠିବ କିଭଳି ଲଦାଖ ଘଟଣା ପରବର୍ତ୍ତୀ ଚୀନ ସରକାର ଏକ ଅସ୍ବସ୍ତିକର ଚାପ ମଧୢ ଦେଇ ଗତି କରୁଛନ୍ତି, ଯାହାର ଏକ ପରିଣାମ ହୋଇପାରେ କ୍ବି ଫାବାଓଙ୍କୁ ମଶାଲ ଦୌଡ଼ରେ ଅନ୍ତର୍ଭୁକ୍ତ କରିବା ଭଳି ଅବିମୃଶ୍ୟକାରିତା। ତେବେ ସୌଭାଗ୍ୟକୁ ଚୀନ ସରକାରଙ୍କ ପ୍ରାୟୋଜିତ ପ୍ରଚାର ଝଡ଼ ସମ୍ମୁଖରେ ଅସ୍ତିତ୍ବ ହରାଉଥିବା ଏଭଳି ସମ୍ବାଦମାନ ଅନେକ ସମୟରେ ଦିବାଲୋକ ଦେଖିବାକୁ ସମର୍ଥ ହୋଇଥାଏ, ଯେମିତି ମେଜର ଜେନେରାଲ ଅଶୋକ କୁମାରଙ୍କ ଦ୍ବାରା ଲିଖିତ ଏକ ପ୍ରବନ୍ଧ (ଲଦାଖ ଷ୍ଟାଣ୍ତଅଫ୍‌ କଷ୍ଟ୍ ଚାଇନା ମୋର‌୍‌)। ତହିଁରେ କୁହାଯାଇଛି ଯେ ୨୦୨୦ ମସିହାରେ ପଶ୍ଚିମ ଲଦାଖରେ ବିପୁଳ ସ˚ଖ୍ୟକ ସୈନ୍ୟ ଠୁଳ କରିଥିବା ଚୀନ ତାର ପ୍ରତ୍ୟୁତ୍ତରରେ ସମ୍ଭବତଃ ଏକ ଦୟନୀୟ ଭାରତକୁ ଦେଖିବାକୁ ଆଶା ରଖିଥିବ, ଯାହା ଭାରତ ଦ୍ବାରା ଦୀର୍ଘ କାଳ ଧରି ସମ ଆକାରର ସେନା ମୁତୟନ ଫଳରେ ଧୂଳିସାତ୍‌ ହୋଇଥିଲା। ତହିଁରେ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶ ସ˚ଲଗ୍ନ ପୂର୍ବ ଲଦାଖର ସୀମାରେ ଚୀନ ପୂର୍ବରୁ ଅନେକ ଭିତ୍ତିଭୂମିଗତ ବିକାଶ କରିସାରିଥିଲା; କିନ୍ତୁ ପଶ୍ଚିମ ଲଦାଖ ସୀମାରେ ଭିତ୍ତିଭୂମିର ଅନୁପସ୍ଥିତି ଚୀନକୁ ନୂତନ ନିର୍ମାଣ ସକାଶେ ବାଧୢ କରିଛି, ଯାହା ଚୀନ ଲାଗି ଏକ ଆର୍ଥିକ ବୋଝର କାରଣ ହୋଇଛି। ଦ୍ବିତୀୟରେ ଏଭଳି ଏକ ମୁହାଁମୁହିଁ ସ୍ଥିତିକୁ ସମ୍ଭାଳିବା ଲାଗି ଚୀନ ଯେତିକି ସ˚ଖ୍ୟକ ସୈନିକଙ୍କୁ ତା’ର ସେନା ବାହିନୀର ପଶ୍ଚାତ୍‌ ଭାଗରୁ ଅପସାରଣ କରି ସୀମାନ୍ତର ‘ପଶ୍ଚିମ ଥିଏଟର କମାଣ୍ତ୍‌’ରେ ମୁତୟନ କରିଛି, ତାହା ହେଉଛି ସେଠାରେ ପୂର୍ବରୁ କାର୍ଯ୍ୟରତ ଥିବା ସୈନ୍ୟ ସ˚ଖ୍ୟାର ପ୍ରାୟ ଦଶ ଗୁଣ; ଅଥଚ ଭାରତ କ୍ଷେତ୍ରରେ ଏହା ମାତ୍ର ତିନି ଗୁଣ। ତୃତୀୟ କଥାଟି ଯାହା ଅତ୍ୟନ୍ତ ଉଦ୍‌ବେଗଜନକ, ତାହା ହେଲା ଲଦାଖର ଚରମ ପ୍ରତିକୂଳ ପରିବେଶ ଏକ ତଥାକଥିତ ‘ସୁସ୍ଥିଆ’ ଚୀନ ସୈନିକମାନଙ୍କ ଲାଗି ଅସହ୍ୟ ହୋଇପଡ଼ିଲାଣି, ଯେଉଁମାନଙ୍କୁ ପ୍ରବୋଧନା ଦେବା ଲାଗି କୁଆଡେ଼ ‘ଭିଡିଓ ଗେମ୍‌’ ଆଦିର ବନ୍ଦୋବସ୍ତ କରାଯାଇଛି।

ଏକ ସମ୍ବାଦରୁ ପ୍ରକାଶ ଯେ ଗୋଟିଏ ବର୍ଷ ମଧୢରେ ଚୀନ୍‌ର ‘ପଶ୍ଚିମ ଥିଏଟର କମାଣ୍ତ’ର ତିନି ଜଣ ଜେନେରାଲଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଲଦାଖରୁ ପ୍ରତ୍ୟାହାର କରିନେବାକୁ ପଡ଼ିଛି, ଯହିଁରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କହିବା ବାହୁଲ୍ୟ ଯେ ଏହି କାରଣରୁ ଚୀନ ତା’ର ସୈନିକମାନଙ୍କୁ ମୁହୁର୍ମୁହୁଃ ପରିବର୍ତ୍ତନ କରିବାରେ ଲାଗିଛି ଏବ˚ ଏକ ବିଶାଳ ସୈନିକ ନିଯୁକ୍ତି ପ୍ରକରଣ ପ୍ରାରମ୍ଭ କରିଛି। ଏହା ସ୍ବାଭାବିକ ଯେ ଏହି ନୂତନ ସୈନିକମାନେ ଲଦାଖରେ କର୍ତ୍ତବ୍ୟ ସ˚ପାଦନ କରିବା ଏକ ଦୁରୂହ ବ୍ୟାପାର ହୋଇପଡ଼ିବ। ସେହି ପରିପ୍ରେକ୍ଷୀରେ ଲଦାଖରେ ମୁତୟନ କରିବା ସକାଶେ ପି.ଏଲ.୍‌ଏ. ପକ୍ଷରୁ ନେପାଳୀ ଏବ˚ ତିବ୍ବତୀୟ ତରୁଣମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ କରିବାର ପ୍ରୟାସ କରାଯାଉଛି। କେବଳ ସେତିକି ନୁହେଁ ଗଲା ଦୁଇ ବର୍ଷ ମଧୢରେ ଭାରତ ପକ୍ଷରୁ ୧୭୭ଟି ଚୀନ ଆପ୍‌କୁ ନିଷେଧ କରାଯିବା ଏବ˚ ଭାରତରେ ୫-ଜି ପ୍ରଯୁକ୍ତିର ପ୍ରାରମ୍ଭିକ ଛଅ ମାସିଆ ଟ୍ରାଏଲ୍‌ ଲାଗି କିଛି ବିଦେଶୀ କ˚ପାନିଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଚୀନର ହୁଆେଵ ଏବ˚ ଜେଡ୍‌.ଟି.ଇ.ର ପ୍ରବେଶ ଉପରେ ପ୍ରତିିବନ୍ଧ ଲଗାଯିବା ଭଳି ପଦକ୍ଷେପ ଚୀନର ଅର୍ଥନୀତି ଉପରେ ଏକ ଆଘାତ ପ୍ରଦାନ କରିଛି। ସମସ୍ତେ ଜାଣନ୍ତି ଯେ ସ˚ପ୍ରତି ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗଙ୍କ ଦ୍ବାରା ପ୍ରଦର୍ଶିତ ନୂତନ ‘ସାମ୍ୟବାଦୀ’ ଆଭିମୁଖ୍ୟ ଚୀନର ବୃହତ୍‌ ଏବ˚ ଅସମ୍ଭବ ଭାବେ ଧନୀ କ˚ପାନିଗୁଡ଼ିକୁ ଅକର୍ମଣ୍ୟ କରି ପକାଇଛି, ଯାହା ଚୀନର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଛି। ସୁତରା˚, ଏଭଳି ଏକ ପରିସ୍ଥିତି ଚୀନ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ।

ଯଦିଓ ‘ଗ୍ଲୋବଲ୍‌ ଟାଇମ୍‌ସ’ ଭଳି ଇ˚ରେଜୀ ଗଣମାଧୢମ ବା ଅନ୍ୟାନ୍ୟ ଚୀନୀ ଭାଷୀ ଗଣମାଧୢମ ଚୀନର ଏଭଳି ଏକ ଅସ୍ଥିରତାକୁ ଲୁଚାଇବା ଲାଗି ବ୍ୟସ୍ତ, ସାମାଜିକ ଗଣମାଧୢମର(କଟକଣା ସତ୍ତ୍ବେ) ପ୍ରାସାଦରୁ ବାହାର ପୃଥିବୀରେ ପ୍ରବାହିତ ହେଉଥିବା ‘ସତ’ର ପବନ ଚୀନର ଅଭେଦ୍ୟ ଲୌହ ପରଦା ଭେଦ କରି ତାର ନାଗରିକମାନଙ୍କୁ ସ୍ପର୍ଶ କରିବାରେ ଲାଗିଛି। ସେମାନଙ୍କ ମଧୢରୁ ଅନେକ ସାମାଜିକ ଗଣମାଧୢମରେ ‘ଲଦାଖ’ ଘଟଣାକ୍ରମକୁ ଅନାବଶ୍ୟକ ବୋଲି କହିଲେଣି। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆର ‘ଦ କ୍ଲାକ୍‌ସନ’ ନାମକ ଖବରକାଗଜ ଦ୍ବାରା ନିକଟରେ ପ୍ରକାଶିତ ଏକ ଗବେଷଣା-ଭିତ୍ତିକ ଖବର ଉଲ୍ଲେଖନୀୟ, ଯାହା କହିଛି ଯେ ଗଲଵାନ ସ˚ଘର୍ଷରେ ୩୮ ଜଣ ଚୀନା ସୈନିକ ପ୍ରାଣ ହରାଇଥିଲେ। ଏଠାରେ ସ୍ମରଣଯୋଗ୍ୟ, ସେହି ସମୟରେ ଭାରତ ସମେତ ପୃଥିବୀର ଅନ୍ୟାନ୍ୟ ଅନେକ ରାଷ୍ଟ୍ରର ଗଣମାଧୢମ ଉପଗ୍ରହ ଚିତ୍ର ତଥା ଅନ୍ୟାନ୍ୟ ଅନୁସନ୍ଧାନ ବଳରେ ଏହି ସ˚ଖ୍ୟାକୁ ଆନୁମାନିକ ଭାବେ ୪୦ ବୋଲି କହିଥିବା ବେଳେ ଚୀନ ପକ୍ଷରୁ ଅଭ୍ୟାସଗତ ଭାବେ ଏହାକୁ ଅଗ୍ରାହ୍ୟ କରାଯାଇ ଏ କ୍ଷେତ୍ରରେ ସ˚ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଇଥିଲା।

ତେଣୁ ଏହା କହିଲେ ଭୁଲ ହେବନାହିଁ ଯେ ସମ୍ଭବତଃ ଏଭଳି ଚାପରୁ ମୁକ୍ତି ପାଇବା ସକାଶେ ଚୀନ ଗଲଵାନ ଭଳି ଏକ ଘୃଣ୍ୟ ସ˚ଘର୍ଷକୁ ମହିମାବନ୍ତ କରିବାକୁ ଉଦ୍‌ଗ୍ରୀବ ଏବ˚ ସେଥି ଲାଗି କ୍ବି ଫାବାଓଙ୍କୁ ଏକ ‘ହିରୋ’ର ମର୍ଯ୍ୟାଦା ଦେଇ ନିଜକୁ ଏକ କ୍ଷୁଦ୍ରମନା ରାଷ୍ଟ୍ର ଭାବେ ପରିଚିତ କରାଇବାରେ ପଛଘୁଞ୍ଚା ଦେଇନାହିଁ।

ସମ୍ବନ୍ଧିତ ଖବର