ଗଲା ଶତାବ୍ଦୀର ନବମ ଦଶକରେ ଫ୍ରାନ୍ସର ଏକ ବିଦ୍ୟାଳୟରେ ‘ହିଜବ୍’ଧାରିଣୀ ଜଣେ ଛାତ୍ରୀଙ୍କୁ ପ୍ରତ୍ୟାଖ୍ୟାନ କରାଯିବା ପରେ ‘ଫତ୍ଵା’ ଭୟରେ ଆତ୍ମଗୋପନ କରି ରହିଥିବା ଲେଖକ ସଲମାନ ରସ୍ଦି ଏକ ପ୍ରତିକ୍ରିୟା ପ୍ରଦାନ କରିଥିଲେ ଯେ ‘‘ହିଜବ୍’ ବା ମୁସ୍ଲିମ ମହିଳାମାନଙ୍କ ଦ୍ବାରା ସେମାନଙ୍କ ମଥା ଆବୃତ କରିବା ଲାଗି ବ୍ୟବହୃତ ଓଢ଼ଣିଟି କେବଳ ମାତ୍ର କନା ଖଣ୍ତେ ନୁହେଁ, ଏହା ଏକ ପ୍ରତୀକ ମଧୢ।’ କହିବା ବାହୁଲ୍ୟ ଯେ ସଲମାନ ରସ୍ଦି ତାଙ୍କ ମନ୍ତବ୍ୟରେ ମୁସ୍ଲିମ ମହିଳାମାନଙ୍କ ଦ୍ବାରା ‘ହିଜବ୍’ ଧାରଣକୁ ସମର୍ଥନ ଜଣାଇବା ସହିତ ‘ହିଜବ୍’ର ଗୁରୁତ୍ବ ସମ୍ବନ୍ଧରେ ଫରାସୀ ସରକାରଙ୍କ ଅଜ୍ଞତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେହି ପରିପ୍ରେକ୍ଷୀରେ ସ˚ପ୍ରତି କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ନିୟମ ହଠାତ୍ ସେଠାକାର ସରକାରୀ ସ୍କୁଲ୍ରେ ‘ହିଜବ୍’ ପରିହିତା ଛାତ୍ରୀମାନଙ୍କ ସ୍କୁଲ୍ ପ୍ରବେଶକୁ ବାରଣ କରିବା ପରେ ଏକ ତୁମୁଳ ବିବାଦ ଜନ୍ମ ନେବା ସହିତ ସଲମାନ ରସ୍ଦିଙ୍କ ଉକ୍ତିକୁ ସ୍ମରଣକୁ ଆଣିଛି। ସ୍ବାଭାବିକ ଭାବେ, କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯେଉଁ ପ୍ରତିକ୍ରିୟାମାନ ପ୍ରକାଶ ପାଉଛି, ତହିଁରେ ଏହି ନିଷ୍ପତ୍ତିରେ ନିହିତ ଥିବା ସା˚ପ୍ରଦାୟିକ ବିଦ୍ବେଷକୁ ସର୍ବାଧିକ ଦୋଷାରୋପ କରାଯାଉଛି। କିନ୍ତୁ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା, ଗଭୀର ଦୃଷ୍ଟି ନିକ୍ଷେପ କଲେ ଏହି ପ୍ରସଙ୍ଗ ସହିତ ଜଡ଼ିତ କିଛି ସୂକ୍ଷ୍ମ ଜଟିଳତା ପ୍ରା˚ଜଳ ହୋଇଥାଏ ଏବଂ ତାହା ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରେ।
କର୍ଣ୍ଣାଟକ ସରକାରୀ ସ୍କୁଲ୍ରେ ‘ହିଜବ୍’କୁ ନିଷେଧ କରାଯିବାକୁ ସ୍ବାଭାବିକ ଭାବେ ଅସାଂବିଧାନିକ ବୋଲି ଅଭିହିତ କରାଯାଉଛି। ସ˚ବିଧାନରେ ସନ୍ନିବେଶିତ ‘ନାଗରିକର ମୌଳିକ ଅଧିକାର’ ଭିତରେ ଅନ୍ତର୍ଭୁକ୍ତ ଧାରା ୨୫ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ନିଜ ଧର୍ମ ପାଳନ କରିବାରେ ଏକ ପ୍ରାୟ-ଅଖଣ୍ତ ସ୍ବାଧୀନତା ପ୍ରଦାନ କରିଥାଏ; ତେବେ ତହିଁରେ ସର୍ତ୍ତ ହେଉଛି ନୈତିକତା, ଜନସ୍ବାସ୍ଥ୍ୟ ଏବ˚ ଶୃଙ୍ଖଳାରେ ବ୍ୟାହତ ଘଟିବାର ଆଶଙ୍କା ଥିଲେ ସରକାରଙ୍କ ଦ୍ବାରା ଏଥିରେ ପ୍ରତିବନ୍ଧ ଲଗାଯାଇପାରିବ। ତେଣୁ ବର୍ତ୍ତମାନର ଘଟଣା ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ୧୫ରୁ ୧୭ ବର୍ଷ ବୟସ୍କା ଛାତ୍ରୀମାନଙ୍କ ଦ୍ବାରା ‘ହିଜବ୍’ ପରିଧାନ ସେଭଳି କିଛି ବିଶୃଙ୍ଖଳା ସୃଷ୍ଟିର ଆଶଙ୍କା ରଖିଥାଏ କି? ଦ୍ବିତୀୟ ବିଷୟଟି ହେଉଛି ଏହି ନିୟମଟି ପ୍ରବର୍ତ୍ତନ କରାଯିବା ସମୟର ଯାଥାର୍ଥ୍ୟ। କାରଣ ‘ହିଜବ୍’ ପରିବୃତା ଏହି ଛାତ୍ରୀମାନେ ବର୍ଷ ବର୍ଷ ଧରି ସେହି ସ୍କୁଲ୍ରେ ନିରଙ୍କୁଶ ଶିକ୍ଷା ଲାଭ କରି ଆସୁଥିଲେ। ଏବେ ସେମାନଙ୍କ ପରୀକ୍ଷାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ସହସା ସେମାନଙ୍କୁ ସ୍କୁଲ୍ ଶିକ୍ଷାରୁ ବଞ୍ଚିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସେହି ଛାତ୍ରୀମାନଙ୍କର ଆଉ ଏକ ମୌଳିକ ଅଧିକାର ମଧୢ କ୍ଷୁଣ୍ଣ ହୋଇଛି, ଯାହା ହେଲା ୨୦୦୨ ମସିହାରେ ସ˚ବିଧାନରେ ସ୍ଥାନ ପାଇଥିବା ‘ଶିକ୍ଷା ଲାଭ କରିବାର ମୌଳିକ ଅଧିକାର’। ସୁତରା˚, ଦୁଇ ଦୁଇଟି ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଏହି ନିୟମ ଯେ ଅଯଥାରେ ଏକ ବିଭ୍ରାଟ ସୃଷ୍ଟି କରିଛି, ତାହା କହିବା ବାହୁଲ୍ୟ ମାତ୍ର।
ଏହି ସ˚ଦର୍ଭରେ ସଂପ୍ରତି ଯେଉଁ ଦୁଇଟି ଅଦାଲତୀ ରାୟର ଅବତାରଣା କରାଯାଉଛି, ତା’ ଉପରେ ଏବେ ଦୃଷ୍ଟି ପକାଯାଉ। ତନ୍ମଧୢରୁ ଗୋଟିଏ ୨୦୧୫ ମସିହାରେ କର୍ଣ୍ଣାଟକ ଉଚ୍ଚ ଅଦାଲତଙ୍କ ଦ୍ବାରା ଏବ˚ ଦ୍ବିତୀୟଟି ୨୦୧୮ ମସିହାରେ କେରଳ ହାଇକୋର୍ଟ ଦ୍ବାରା ପ୍ରଦତ୍ତ ରାୟ। କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିର ବିରୋଧୀମାନେ ୨୦୧୫ର ରାୟକୁ ଦର୍ଶାଇ ଥାଆନ୍ତି, ଯହିଁରେ ‘ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା’ରେ ‘ହିଜବ୍’ ପରିବୃତା ଛାତ୍ରୀମାନଙ୍କ ସପକ୍ଷରେ ଉଚ୍ଚ ଅଦାଲତ କହିଥିଲେ ଯେ ‘ହିଜବ୍’ ସେମାନଙ୍କ ପରୀକ୍ଷା ଦେବାରେ ବାଧକ ସୃଷ୍ଟି କରି ପାରିବ ନାହିଁ। କିନ୍ତୁ ଅନେକ ୨୦୧୮ ମସିହାର ରାୟକୁ ଉପସ୍ଥାପନ କରିଥାଆନ୍ତି, ଯହିଁରେ କୁହାଯାଇଥିଲା ଯେ କୌଣସି ଶିକ୍ଷାନୁଷ୍ଠାନର ‘ୟୁନିଫର୍ମ କୋଡ୍’ କିଭଳି ରହିବ, ତାହା ସେହି ଶିକ୍ଷାନୁଷ୍ଠାନ ଦ୍ବାରା ହିଁ ନିର୍ଦ୍ଧାରିତ ହେବ; ସୁତରା˚, ସେହି ଅନୁସାରେ ‘ହିଜବ୍’କୁ ଅନୁମତି ପ୍ରଦାନର କ୍ଷମତା ଶିକ୍ଷାନୁଷ୍ଠାନ ଠାରେ ହିଁ ନିହିତ ରହିବ। ତେଣୁ, କହିବା ଅନାବଶ୍ୟକ ଯେ ଅଦାଲତଙ୍କ ରାୟଗୁଡ଼ିକରୁ ଏ ସମ୍ବନ୍ଧରେ ବିଶେଷ ଦିଗ୍ଦର୍ଶନ ମିଳି ପାରି ନ ଥାଏ। କେବଳ ସେତିକି ନୁହେଁ, ଧର୍ମ ପାଳନକୁ ନେଇ ରହିଥିବା ମୌଳିକ ଅଧିକାରରେ ନିହିତ ଆଉ ଏକ ସର୍ତ୍ତ ହେଲା ଧର୍ମାଚରଣଗୁଡ଼ିକ ସେହି ଧର୍ମର ଏକ ଅନିବାର୍ଯ୍ୟ ଅ˚ଶ ହୋଇଥିବା ଆବଶ୍ୟକ। ଏହି ସ˚ଦର୍ଭରେ ଗୋଟିଏ ପକ୍ଷ ଦ୍ବାରା ଏଭଳି ପ୍ରଶ୍ନ ମଧୢ ଉଠୁଥିବା ଦେଖିବାକୁ ମିଳୁଛି ଯେ ‘ହିଜବ୍’ ଧାରଣ ପଛରେ ‘ବ୍ୟକ୍ତିଗତ ସ˚ଭ୍ରମ’ ରକ୍ଷାକାରୀ ଏକ ପର˚ପରାର ଭୂମିକା ଅଧିକ ନା ଏହା ଧର୍ମୀୟ ଆଚରଣର ଏକ ଅବିଚ୍ଛେଦ୍ୟ ଅ˚ଶ? ଏହି ଦ୍ବନ୍ଦ୍ବର ଏକ ସ୍ପଷ୍ଟ ଉତ୍ତର ମିଳିବା ଜରୁରୀ ଭଳି ମନେ ହୋଇଥାଏ।
ତେବେ, କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିିର ବିରୋଧୀମାନଙ୍କ ଦ୍ବାରା ଉଠାଯାଉଥିବା ଏକ ପ୍ରଶ୍ନ ଯେ ଏକ ବିପଦକୁ ଜନ୍ମ ଦେଉଛି, ତାହା ସମ୍ଭବତଃ ସେମାନଙ୍କୁ ଅଗୋଚର। ଏହି ପରିପ୍ରେକ୍ଷୀରେ ସେମାନେ ପ୍ରଶ୍ନ କରିଥାଆନ୍ତି ଯେ ଲଲାଟରେ ‘ଚିତା’ ବା ‘ତିଳକ’ ଅଥବା ‘ସିନ୍ଦୂର’ ଧାରଣ କରି ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ କାହିଁକି ଶିକ୍ଷାନୁଷ୍ଠାନ ପ୍ରବେଶରୁ ବାରଣ କରାଯାଉନାହିଁ? ସେମାନଙ୍କ ମତରେ ‘ହିଜବ୍’ ଭଳି ସେଗୁଡ଼ିକ ମଧୢ ଏକ ନିର୍ଦ୍ଦିଷ୍ଟ ‘ଧର୍ମୀୟ’ ଚିହ୍ନ! ‘ହିଜବ୍’ର ପ୍ରଶ୍ନକାରୀମାନେ ପାଶୋରି ଯାଆନ୍ତି ଯେ ଅସ˚ଖ୍ୟ ମୁସଲମାନ ମହିଳା ‘ହିଜବ୍’ ପରିଧାନ କରନ୍ତି ନାହିଁ ବା ସ˚ଯୁକ୍ତ ଆରବ ଏମିରେଟ୍ସ, ଟ୍ୟୁନିସିଆ, ପାକିସ୍ତାନ ଭଳି ଇସଲାମୀୟ ରାଷ୍ଟ୍ରରେ ମଧୢ ‘ହିଜବ୍’ ପରିଧାନ ବାଧୢତାମୂଳକ ନ ହୋଇ ବ୍ୟକ୍ତିଗତ ପସନ୍ଦମୂଳକ ହୋଇଥାଏ। ସେହି ଦୃଷ୍ଟିରୁ ଯେଉଁମାନେ ‘ହିଜବ୍’ ଧାରଣର ଅନିବାର୍ଯ୍ୟତାର ସପକ୍ଷରେ, ସେମାନେ ଇସଲାମୀ ‘ରକ୍ଷଣଶୀଳତା’ର ସମର୍ଥକରେ ପରିଣତ ହୋଇଥିବାରୁ ହିନ୍ଦୁ ରକ୍ଷଣଶୀଳତାକୁ ବିରୋଧ କରିବାର ନୈତିକ ଅଧିକାର ମଧ୍ୟ ହରାଇ ଥାଆନ୍ତି। ଏବ˚ ସେମାନଙ୍କ ଏହି ଅପରିଣାମଦର୍ଶିତା ଭାରତରେ ସ˚ଖ୍ୟାଗରିଷ୍ଠ ବର୍ଗଙ୍କ ଠାରେ ସା˚ପ୍ରଦାୟିକ ପ୍ରତିକ୍ରିୟାକୁ ମଧୢ ଜନ୍ମ ଦେଇପାରେ। ଇତିମଧୢରେ କର୍ଣ୍ଣାଟକରେ ଏହାର ଦୃଷ୍ଟାନ୍ତ ମିଳିସାରିଲାଣି, ଯହିଁରେ ଦେଖିବାକୁ ମିଳୁଛି ଯେ ଅନେକ ଛାତ୍ର ଗୈରିକ (ହିନ୍ଦୁ ଧର୍ମୀୟ ଚିହ୍ନ) ଉତ୍ତରୀୟ କାନ୍ଧରେ ଧାରଣ କରି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାର ଉଦ୍ୟମ କରୁଛନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ସା˚ପ୍ରଦାୟିକ ବିଦ୍ବେଷକୁ ଆହୁରି ଘନୀଭୂତ କରିବ।
ଏହି ସ˚ଦର୍ଭରେ ବୃହତ୍ତମ ବିଡ଼ମ୍ବନାଟି ହେଲା ସା˚ପ୍ରଦାୟିକ ସ˚ଘାତ ଭାରତକୁ ଦୁର୍ବଳ କରୁ ବୋଲି ପାକିସ୍ତାନର ଆନ୍ତରିକ ଇଚ୍ଛାକୁ ସାକାର କଲା ଭଳି ଘଟଣାମାନ ସ˚ପ୍ରତି ଆମ ଦେଶରେ ବାରମ୍ବାର ଘଟି ଚାଲିଛି। ତେଣୁ ମୂଳ କଥା ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବହନ କରୁଥିବା କୌଣସି ନିଷ୍ପତ୍ତି ସହସା ନିଆଯିବା ବଦଳରେ ତା’ ପୂର୍ବରୁ ଚିନ୍ତନ ଓ ମାନସ-ମନ୍ଥନର ଆବଶ୍ୟକତା ରହିଛି। ସେମିତି ଏଭଳି ଏକ ନିଷ୍ପତ୍ତି ପରିପ୍ରେକ୍ଷୀରେ କିଭଳି ପ୍ରତିକ୍ରିୟା ପ୍ରକାଶ କରାଯିବା ଉଚିତ, ତାହା ମଧୢ ଏକ ଗଭୀର ବିବେଚନାବୋଧ ଲୋଡ଼ିଥାଏ। ଉଦାହରଣ ସ୍ବରୂପ, ଶ˚ସିତ ଘଟଣାରେ ‘ହିଜବ୍’ ନିୟମ ଦ୍ବାରା ହଠାତ୍ ଛାତ୍ରୀମାନେ ସ୍କୁଲ୍ ଶିକ୍ଷାରୁ ବ˚ଚିତ ହୋଇଯିବା ବିଷୟଟି ‘ହିଜବ୍’ ଧାରଣର ଧାର୍ମିକ ଅନିବାର୍ଯ୍ୟତା ଭଳି ପ୍ରସଙ୍ଗ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ଯାହା ସମାଲୋଚନାର କେନ୍ଦ୍ର ବିନ୍ଦୁ ହେବା ଆବଶ୍ୟକ।
‘ହିଜବ୍’କୁ ନେଇ ଏକ ପ୍ରସିଦ୍ଧ ଉକ୍ତି ଅନୁସାରେ ଏହାର ବ୍ୟବହାର ‘ହିଜବ୍’ଧାରିଣୀଙ୍କ ପସନ୍ଦ ଉପରେ ନିର୍ଭର କରେ, ଯାହା ‘ହିଜବ୍’ ପ୍ରଦାନ କରୁଥିବା ସ୍ବାଧୀନତା। ଯେଉଁମାନେ ‘ହିଜବ୍’କୁ ସମ୍ମାନ ଦିଅନ୍ତି, ଏହା ସେମାନଙ୍କ ଲାଗି ଯଥାର୍ଥ ନିଶ୍ଚୟ। କିନ୍ତୁ ଯେଉଁମାନେ ଧର୍ମୀୟ କାରଣରୁ ଏହାକୁ ଧାରଣ କରିବାକୁ ବାଧୢ ହୁଅନ୍ତି, ସେମାନେ? ସେମାନଙ୍କୁ ମଧୢ ନିଜ ପସନ୍ଦ ଅଭିବ୍ୟକ୍ତ କରିବାର ସ୍ବାଧୀନତା ମିଳିବା ଉଚିତ। ଏହା ହିଁ ପ୍ରକୃତରେ ହେବ ‘ହିଜବ୍’ ସ୍ବାଧୀନତା।