ଲାଲୁଙ୍କ ଟୋପି

୨୦୧୧ରେ ଆନ୍ନା ହଜାରେ ଦିଲ୍ଲୀରେ ଦୁର୍ନୀତି ବିରୋଧରେ ତାଙ୍କର ଐତିହାସିକ ଆନ୍ଦୋଳନ ଚଳାଇଥିବା ବେଳେ ଯେଉଁ ଅନଶନ ଧର୍ମଘଟର ସାହାଯ୍ୟ ନେଇଥିଲେ, ତାହା ଅତିମାନବୀୟ ଶ୍ରେଣୀର ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅବସରରେ ଦୀର୍ଘ ୧୨ ଦିନରୁ ଅଧିକ କାଳ ଏହି ବର୍ଷୀୟାନ ଆନ୍ଦୋଳନକାରୀ କୌଣସି ଖାଦ୍ୟ ଗ୍ରହଣ କରି ନ ଥିଲେ। କୌଣସି ଏକ ପ୍ରସଙ୍ଗରେ ସାମ୍ବାଦିକମାନେ ଏଥି ପ୍ରତି ଯେତେବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିଜକୁ ଦେଶର ଜଣେ ପ୍ରମୁଖ ସମାଜବାଦୀ ନେତା ରୂପେ ଦାବି କରିଆସୁଥିବା ଲାଲୁପ୍ରସାଦ ଯାଦବଙ୍କ ଦୃଷ୍ଟି ଆକର୍ଷଣ କଲେ, ଲାଲୁ ଏହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ମନ୍ତବ୍ୟ ଦେବା ସହିତ ଯେଉଁ ଇସାରା ଦେଲେ, ତାହାର ଅର୍ଥ ଥିଲା ଯେ ଆନ୍ନା ନିଶ୍ଚିତ ଭାବରେ ସମସ୍ତଙ୍କ ଅଗୋଚରରେ କିଛି ନା କିଛି ଖାଦ୍ୟ ଗ୍ରହଣ କରୁଥିବେ।

ଏହା ଶୁଣିବା ପରେ ଆନ୍ନା ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ତାହା ଥିଲା ଅତ୍ୟନ୍ତ ରୋଚକ ଶ୍ରେଣୀର। ସେ ଲାଲୁଙ୍କୁ ଉଦ୍ଦେଶ୍ୟ କରି କହିଥିଲେ: ‘‘ସିଏ (ଲାଲୁ) କ’ଣ ଜାଣନ୍ତି ବ୍ରହ୍ମଚର୍ଯ୍ୟ କିଭଳି କଠିନ ଚିଜ; ସିଏ ତ ନ’ଟି ପିଲାଙ୍କ ବାପା!’’ ଅର୍ଥାତ୍ ଆଜନ୍ମ ବ୍ରହ୍ମଚାରୀ ଆନ୍ନା ତାଙ୍କର ବ୍ରହ୍ମଚର୍ଯ୍ୟରୁ ଲାଭ କରିଥିବା ଶକ୍ତି ବଳରେ ହିଁ ଏଭଳି ଦୀର୍ଘ ଉପବାସର ସମ୍ମୁଖୀନ ହୋଇ ପାରୁଥିଲେ, ଯାହା ବ୍ରହ୍ମଚର୍ଯ୍ୟ ହରାଇ ନ’ଟି ସନ୍ତାନ ସୃଷ୍ଟି କରିଥିବା ଲାଲୁଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ। ଆନ୍ନାଙ୍କ ଏହି ଉତ୍ତର ଲାଲୁଙ୍କୁ ସେତେବେଳେ ଚୁପ୍ କରାଇ ଦେଇଥିଲା। ସେ ବିତର୍କରେ ଲାଲୁ ପରାସ୍ତ ହୋଇଥିଲେ।

ଲାଲୁପ୍ରସାଦ କିନ୍ତୁ ଜଣେ ଚତୁର ରାଜନେତା। ସେ ବୁଝିପାରିଥିଲେ ଯେ ପ୍ରସଙ୍ଗ ଯେତେବେଳେ ହେଉଛି ବ୍ରହ୍ମଚର୍ଯ୍ୟ, ତାଙ୍କର ସନ୍ତାନ ଉତ୍ପାଦନ କ୍ଷମତା ନିଶ୍ଚିତ ରୂପେ ତାଙ୍କର ଦୁର୍ବଳତା ରୂପେ ବିବେଚିତ ହେବ; କିନ୍ତୁ ହୁଏତ ଦିନେ ପ୍ରସଙ୍ଗ ଏପରି ବଦଳି ଯାଇପାରେ, ଯେତେବେଳେ ଏହାକୁ ସେ ନିଜର ଶକ୍ତି ରୂପେ ପ୍ରଦର୍ଶିତ କରିପାରିବେ। ଲାଲୁଙ୍କ ବିଚାରରେ ନରେନ୍ଦ୍ର ମୋଦୀ ଆନ୍ନା ଘଟଣାର ଠିକ୍ ପ୍ରାୟ ଦଶ ବର୍ଷ ପରେ ଏବେ ତାଙ୍କୁ ସେଇଭଳି ଏକ ମନଲାଖି ପ୍ରସଙ୍ଗ ଯୋଗାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଜନୀତିରେ ପରିବାରବାଦର ଆବିର୍ଭାବର ସମାଲୋଚନା କରି ତଥାକଥିତ ସମାଜବାଦ କିପରି ଏବେ ପରିବାରବାଦରେ ପରିଣତ ହୋଇଯାଇଛି, ସେଥି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଅତୀତରେ ଲୋହିଆ, ଜର୍ଜ ପର୍ଣ୍ଣାଣ୍ଡିଜ୍ କିମ୍ବା ବର୍ତ୍ତମାନର ନୀତୀଶ କୁମାରଙ୍କ ଭଳି ଅସଲି ସମାଜବାଦୀ ନେତାମାନେ କିପରି ପରିବାରବାଦ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହି ଆସିଥିଲେ, ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ନିଜର ସନ୍ତାସନ୍ତତି ତଥା ପରିବାରବର୍ଗଙ୍କୁ ରାଜନୀତିରେ ସ୍ଥାପିତ କରିଥିବା ଲାଲୁ, ମୁଲାୟମ ଆଦିଙ୍କୁ ମୋଦୀ ଯେ ନକଲି ସମାଜବ‌ାଦୀ ରୂପେ ଅଭିହିତ କରିଛନ୍ତି, ଏହା ବୁଝିବା କଷ୍ଟ ନୁହେଁ।

ଏଠାରେ ସିଧାସଳଖ ପ୍ରସଙ୍ଗ ହେଉଛି: ଲାଲୁଙ୍କ ଭଳି ନେତାମାନଙ୍କ ଦ୍ବାରା ସମାଜବାଦର ଅବକ୍ଷୟ ଘଟି ପରିବାରବାଦରେ ପରିଣତ ହେବା। ଲାଲୁ କିନ୍ତୁ ନିଜର ପିତୃତ୍ବକୁ ଏକ ଶକ୍ତି ରୂପେ ପ୍ରଦର୍ଶନ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରୂପେ ବିଚାର କରି ପ୍ରସଙ୍ଗଟିକୁ ଏପରି ଓଲଟାଇ ଦେଇଛନ୍ତି, ଯେପରି ମନେ ହେବ ପରିବାରବାଦ ହେଉଛି ଏକ ଆଦର୍ଶ ବ୍ୟବସ୍ଥା ଏବଂ ଲୋହିଆ, ଫର୍ଣ୍ଣାଣ୍ଡିଜ୍, ନୀତୀଶ କୁମାର ଆଦି ପରିବାରବାଦ ପ୍ରତିଷ୍ଠା ନ କରିବା ହେଉଛି ସେମାନଙ୍କର ବିଫଳତା, ଯେଉଁ ଭଳି ନରେନ୍ଦ୍ର ମୋଦୀ ଘର ସଂସାର ଠାରୁ ଦୂରେଇ ଯାଇ ସନ୍ତାନସନ୍ତତି ସୃଷ୍ଟି ନ କରିବା ହେଉଛି ତାଙ୍କର ଦୁର୍ବଳତା।

ପ୍ରସଙ୍ଗକୁ ଅପ୍ରସଙ୍ଗ ଓ ଅପ୍ରସଙ୍ଗକୁ ପ୍ରସଙ୍ଗରେ ପରିଣତ କରିବାରେ ଲାଲୁ ଏଠାରେ ଏ ଯେଉଁ ଚାତୁରୀ ପ୍ରଦର୍ଶନ କରିଛନ୍ତି, ଏହା କିଛି ନୂଆ ନୁହେଁ। ଏହାକୁ ବିଧିବଦ୍ଧ ଭାବରେ ଚିହ୍ନଟ କରିବା ଉଦ୍ୟମର ଇତିହାସ ଆମେ ଯଦି ଖୋଜି ବସିବା ଆମେ ଶେଷରେ ଯାଇ ଯାହାଙ୍କ ପାଖରେ ପହଞ୍ଚିବା, ସେ ହେଉଛନ୍ତି ଭାରତରେ ‘ତର୍କବିଦ୍ୟା’ ବା ‘ବାଦବିଦ୍ୟା’ର ସର୍ବପ୍ରଥମ ଗ୍ରନ୍ଥ ର‌ୂପେ ସ୍ବୀକୃତ ‘ନ୍ୟାୟ-ସୂତ୍ର’ର ସଂକଳୟିତା ସେଇ ଲାଲୁଙ୍କ ଜନ୍ମଭୂମି ଆଧୁନିକ ବିହାରର ପ୍ରାଚୀନ ସନ୍ତାନ ଗୌତମ ଋଷି (ଯାହାଙ୍କର ଅନ୍ୟ ନାମ ମଧ୍ୟ ହେଉଛି ‘ଅକ୍ଷପାଦ’ ଏବଂ ‘ଦୀର୍ଘତପସ’)। ଆଧୁନିକ ଦରଭଙ୍ଗା ନିକଟସ୍ଥ ‘ଗୌତମ ସ୍ଥାନ’ ନାମକ ଗ୍ରାମରେ ଜନ୍ମିତ ଗୌତମ ଥିଲେ ଅନ୍ୟ ଜଣେ ପ୍ରସିଦ୍ଧ ଗୌତମ- ଗୌତମ ବୁଦ୍ଧଙ୍କର ପ୍ରାୟ ସମସାମୟିକ। ଏଇ ସମୟକୁ ସାଧାରଣତଃ କଳିଯୁଗର ଆରମ୍ଭ ସମୟ ରୂପେ ବିଚାର କରାଯାଇଥାଏ ଏବଂ କଳିକାଳର ଲୋକମାନେ କିପରି ତର୍କବିଦ୍ୟା ବ୍ୟବହାର କରି ପ୍ରକୃତ ସତ୍ୟ ନିକଟରେ ପହଞ୍ଚିବେ, ଗୌତମ ‘ନ୍ୟାୟସୂତ୍ର’ରେ ତାହା ଲିପିବଦ୍ଧ କରିଛନ୍ତି।

ସତ୍ୟ ଆବିଷ୍କାର ନିମିତ୍ତ ଗୌତମ ଏଥିରେ ଯେଉଁ ଷୋହଳଟି ବିଷୟ ବା ପଦ୍ଧତିର ଉଲ୍ଲେଖ କରିଛନ୍ତି, ସେଥି ମଧ୍ୟରୁ ନ’ଟିର ପ୍ରୟୋଗ ଦ୍ବାରା ସତ୍ୟ ଆବିଷ୍କୃତ ହୋଇ ପାରୁଥିବା ବେଳେ, ବାକି ସାତଟି ସତ୍ୟକୁ ବିକୃତ କରି ଭ୍ରାନ୍ତି ସୃଷ୍ଟି କରିଥା’ନ୍ତି। ଏଣୁ ସତ୍ୟ-ଅନୁସନ୍ଧାନକାରୀମାନେ କୌଣସି ତର୍କରେ ଏଭଳି ବିଭ୍ରାନ୍ତି-ସୃଷ୍ଟିକାରୀ କୌଶଳର ବ୍ୟବହାର ପ୍ରତି ସତର୍କ ରହିବା ଉଚିତ। ଏହି ସାତଟି ବିଭ୍ରାନ୍ତି ସୃଷ୍ଟିକାରୀ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି- ‘ଜଳ୍ପ’। ଏହାର ଅର୍ଥ ହେଉଛି ବିବାଦ। ବିବାଦରେ ପ୍ରବୃତ୍ତ ବ୍ୟକ୍ତିର ଉଦ୍ଦେଶ୍ୟ ନୁହେଁ ସତ୍ୟର ଆବିଷ୍କାର କରିବା, ସେ ତର୍କ କରିବାର ଏକମାତ୍ର ଲକ୍ଷ୍ୟ ‌େହଉଛି ତର୍କରେ ବିଜୟ ଲାଭ କରିବା। ଏହି ଲକ୍ଷ୍ୟ ହାସଲ ପାଇଁ ସେ ଯେ କୌଣସି କୌଶଳ ବ୍ୟବହାର କରିଥାଏ, ଯାହା ପ୍ରାୟତଃ ନକାରାତ୍ମକ ହୋଇଥା’ନ୍ତି। ଏଥିରୁ ଗୋଟିଏ ହେଉଛି ପ୍ରସଙ୍ଗ ଠାରୁ ଦୂରେଇ ଯିବା ବା ପ୍ରସଙ୍ଗକୁ ଏଡ଼ାଇଯିବାକୁ ଚେଷ୍ଟା କରିବା।
ଲାଲୁ ପ୍ରସାଦ ଯାଦବ ମୋଦୀଙ୍କ ସହିତ ବିତର୍କରେ ଗୌତମ ସତର୍କ କରି ଦେଇଥିବା ଏହି ‘ଜଳ୍ପ’ କୌଶଳ ବ୍ୟବହାର କରି ପୂର୍ବେ କୁହାଯାଇଥିବା ଭଳି ପ୍ରସଙ୍ଗଟିକୁ ସମ୍ପୂର୍ଣ୍ଣ ଓଲଟାଇ ତା’ର ଶୀର୍ଷାସନ କରାଇ ଦେଇଛନ୍ତି। ଲାଲୁଙ୍କର ଏହି ଛଳ ଏପରି ଜଳଜଳ ହୋଇ ଦେଖାଯାଉଛି ଯେ ଏହା କାହାର ବି ଦୃଷ୍ଟି ଏଡ଼ାଇ ପାରିବ ନାହିଁ; ଅତି ବେଶୀରେ ଏହାର ଏକମାତ୍ର ସୁଫଳ ହେବ ଉଦାରଚିତ୍ତ ପର୍ଯ୍ୟବେକ୍ଷକମାନଙ୍କ ପାଇଁ କିଛି ଆମୋଦ ସୃଷ୍ଟି କରିବା।

ତେବେ ମୋଦୀଙ୍କ ଅଭିଯୋଗର ଜବାବ ଦେବା ପାଇଁ ଲାଲୁଙ୍କୁ ‘ଜଳ୍ପ’ ଭଳି ଗୌତମ-ଚିହ୍ନିତ ଏକ ନିଷିଦ୍ଧ ଆୟୁଧ ବ୍ୟବହାର କରିବାର କୌଣସି ଆବଶ୍ୟକତା ନ ଥିଲା। କାରଣ ସେ ନିଜେ ହିଁ ହେଉଛନ୍ତି ପରିବାରବାଦ ଅଭିଯୋଗର ଖଣ୍ଡନ ପାଇଁ ସର୍ବୋତ୍କୃଷ୍ଟ ପ୍ରମାଣ। ସେ କୌଣସି ଶକ୍ତିଶାଳୀ ରାଜନୈତିକ ପରିବାରର ସନ୍ତାନ ନୁହନ୍ତି। ଏକ କଲେଜ୍‌ରେ ଜଣେ ସାଧାରଣ ପିଅନ ଥିବା ଭାଇଙ୍କ ପାଖରେ ରହି ପାଠ ପଢ଼ୁଥିବା ଲାଲୁ ନିଜ ବିଦ୍ୟା ବୁଦ୍ଧି ବଳରେ ହାସଲ କରିଥିବା ରାଜନୈତିକ କ୍ଷମତା ଓ ସଫଳତାକୁ ସେ ଯଦି ସମାଜବାଦର ଅନ୍ତିମ ଲକ୍ଷ୍ୟ- ସର୍ବହରାର କ୍ଷମତା ଦଖଲର ଏକ ପ୍ରକୃଷ୍ଟ ଉଦାହରଣ ରୂପେ ପ୍ରଦର୍ଶିତ କରନ୍ତେ, ତାହାକୁ ‘ଜଳ୍ପ’ ଆଖ୍ୟା ଦେଇ ଉଡ଼ାଇ ଦେଇ ହୁଅନ୍ତା ନାହିଁ।
ଆଉ ରହିଲା ନିଜର ପତ୍ନୀ, ପୁତ୍ର, କନ୍ୟା ଆଦିଙ୍କୁ କ୍ଷମତାରେ ଅଧିଷ୍ଠିତ କରିବା କିମ୍ବା ସେଥିରେ ସାହାଯ୍ୟ କରିବା କଥା। ଲାଲୁ ଓଲଟା ପ୍ରଶ୍ନ କରନ୍ତେ, ସମାଜବାଦରେ କେଉଁଠି କୁହାଯାଇଛି ଯେ ଗୋଟିଏ ପିଢ଼ି କ୍ଷମତା ଉପ‌େଭାଗ କଲା ପରେ ସର୍ବହରା କ୍ଷମତା ପରିତ୍ୟାଗ କରି ପୁଣି ସର୍ବହରା ‌ଶ୍ରେଣୀକୁ ଫେରିଯିବ? ସେ କହିପାରନ୍ତେ ଯେ ପିଢ଼ି ପରେ ପିଢ଼ି କ୍ଷମତା ଦଖଲ ହେଉଛି ତାଙ୍କ ମତରେ ଅସଲି ସମାଜବାଦ। ଏମିତିରେ ବ୍ରିଟିସ୍ ଦାର୍ଶନିକ ସିଇଏମ୍ ଜୋଡ୍ କହି ନ ଥିଲେ କି: ‘ସମାଜବାଦ ହେଉଛି ଏପରି ଏକ ଟୋପି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ପିନ୍ଧିବା କାରଣରୁ ସେ ତା’ର ଆକୃତି ହରାଇ ସାରିଛି।’?

ସମ୍ବନ୍ଧିତ ଖବର