ରାଇଟ୍ ରହସ୍ୟ
ବ୍ରିଟେନ୍ର ପ୍ରସିଦ୍ଧ ‘ରେଡିଓ ଡିଜେ’ ଷ୍ଟିଭ୍ ରାଇଟ୍ଙ୍କର ଏକ ଅତ୍ୟନ୍ତ ଲୋକପ୍ରିୟ ପ୍ରସାରିତ ରହସ୍ୟ ହେଉଛି ଏଇ ଭଳି: ‘ମୁଁ ଦିନେ ମୋର ଜଣେ ବନ୍ଧୁଙ୍କ ସହିତ ଏକ ନିିଛାଟିଆ ଗଳିରେ ଯାଉଥିବା ବେଳେ ହଠାତ୍ ଜଣେ ବନ୍ଧୁକଧାରୀ ଆମ ସାମନାକୁ ଆସି ଯାଇ ଆମ ପାଖରେ ଯାହା ଅଛି ତାକୁ ଦେଇ ଦେବାକୁ ଆଦେଶ ଦେଲା। ମୁଁ କ୍ଷତିରୁ ରକ୍ଷା ପାଇବା ପାଇଁ ତତ୍କ୍ଷଣାତ୍ ମୋ ପକେଟ୍ରେ ଥିବା ପଚାଶ ପାଉଣ୍ଡ୍ ମୋ ବନ୍ଧୁଙ୍କୁ ଦେଇ ପକାଇ କହିଲି, ‘‘ହେଇଟି ବନ୍ଧୁ, ମୁଁ ତୁମ ଠାରୁ ଯେଉଁ ପଚାଶ ପାଉଣ୍ଡ୍ ଧାର୍ ନେଇଥିଲି, ତୁମକୁ ଫେରାଇ ଦେଲି।’’ ଏହା ଦେଖି ଡକାୟତ ଜଣକ ଏପରି ଅପମାନିତ ବୋଧ କଲା ଯେ ସେ ତା’ର ନିଜ ପକେଟ୍ରୁ ଏକ ହଜାର ପାଉଣ୍ଡ୍ ବାହାର କରି ମୋର ବନ୍ଧୁଙ୍କୁ ଧରାଇ ଦେଇ ତାହାକୁ ସେ ମତେ ଧାର ଦେବାକୁ ତାଙ୍କୁ ବନ୍ଧୁକ ଦେଖାଇ ବାଧ୍ୟ କଲା। ବନ୍ଧୁ ଜଣକ ଅଗତ୍ୟା ମତେ ସେ ହଜାର ପାଉଣ୍ଡ୍ ଧାର ଦେବା ମାତ୍ରେ ଡକାୟତ ଜଣକ ମୋ ଠାରୁ ସେ ହଜାର ପାଉଣ୍ଡ୍ ଛଡ଼ାଇ ନେଇ ଆତ୍ମସନ୍ତୋଷ ଲାଭ କଲା।’
Sambad is now on WhatsApp
Join and get latest news updates delivered to you via WhatsApp
ଭାରତରେ ବ୍ୟାଙ୍କ୍ମାନଙ୍କ ଖାତାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଋଣ ଠିକ୍ ସମୟରେ ପରିଶୋଧ ନ ହୋଇ ପଡ଼ି ରହିଛି, ଯାହାକୁ ବ୍ୟାଙ୍କ୍ ଭାଷାରେ ‘ଚାପଗ୍ରସ୍ତ ପରିସମ୍ପତ୍ତି’ (‘ଷ୍ଟ୍ରେସ୍ଡ ଆସେଟ୍’) ବା ‘ଏନ୍ପିଏ’ ବା ସାଧାରଣ ଭାଷାରେ ‘ଖରାପ ଋଣ’ (‘ବ୍ୟାଡ୍ ଡେଟ୍’) ବୋଲି କୁହାଯାଇଥାଏ। ଏଥିରୁ ଅଧିକାଂଶ ରହିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ନିକଟରେ। ଏହି ସମସ୍ୟାର ସମାଧାନ ନିମିତ୍ତ ସରକାର ଓ ରିଜର୍ଭ ବ୍ୟାଙ୍କ୍ର ମିଳିତ ଉଦ୍ୟମରେ ଯେଉଁ ‘ବ୍ୟାଡ୍ ବ୍ୟାଙ୍କ୍’ ବା ‘ଖରାପ ବ୍ୟାଙ୍କ୍’ ପ୍ରତିଷ୍ଠା ପାଇଁ ମସୁଧା ଚାଲି ଆସିଥିଲା, ଏବେ ରିଜର୍ଭ ବ୍ୟାଙ୍କ୍ ତାହାକୁ ଅନ୍ତିମ ଗ୍ରିନ୍ ସିଗ୍ନାଲ୍ ଦେଇଥିବା ପ୍ରକାଶ ପାଇଛି। ଏହି ଯୋଜନା ଅନୁସାରେ ଯେଉଁ ଦୁଇଟି ସଂସ୍ଥା ବ୍ୟାଙ୍କ୍ମାନଙ୍କୁ ଖରାପ ଋଣ ବୋଝରୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ, ସେମାନେ ହେଲେ ‘ନେସନାଲ୍ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନି’ (‘ଏନ୍ଏଆର୍ସିଏଲ୍’) ଓ ଅନ୍ୟଟି ‘ଇଣ୍ଡିଆ ଡେଟ୍ ରିଜଲ୍ୟୁସନ୍ କମ୍ପାନି’ (‘ଆଇଡିଆର୍ସିଏଲ୍’)। ବର୍ତ୍ତମାନର ଚୂଡ଼ାନ୍ତ ବ୍ୟବସ୍ଥା ଅନୁସାରେ ଏହି ଦୁଇ ସଂସ୍ଥା ମଧ୍ୟରେ ଯେଉଁ ସମ୍ପର୍କ ସ୍ଥାପିତ ହେବ, ତାହା ଅନୁସାରେ ପ୍ରଥମ କମ୍ପାନିଟି ‘ପ୍ରିନ୍ସିପାଲ୍’ ବା ମୁଖ୍ୟ ଭୂମିକା ନିର୍ବାହ କରିବା ବେଳେ ଦ୍ବିତୀୟଟି ତା’ର ‘ଏଜେଣ୍ଟ୍’ ବା ପ୍ରତିନିଧି ରୂପେ କାର୍ଯ୍ୟ କରିବ।
ପ୍ରଥମଟି, ଅର୍ଥାତ୍ ‘ଏନ୍ଏଆର୍ସିଏଲ୍’ ବ୍ୟାଙ୍କ୍ମାନଙ୍କ ଠାରୁ ସେମାନଙ୍କର ଖରାପ ଋଣତକ ସଂଗ୍ରହ କରି ସେଗୁଡ଼ିକ ଏକାଠି କରିବ, ଏବଂ ଦ୍ବିତୀୟଟି, ଅର୍ଥାତ୍ ‘ଆଇଡିଆର୍ସିଏଲ୍’ ତା’ର ଏଜେଣ୍ଟ୍ ଭାବରେ କାର୍ଯ୍ୟ କରି ସେ ଋଣ ଗୁଡ଼ିକର ପରିଶୋଧ ପ୍ରକ୍ରିୟାର ଦାୟିତ୍ବ ନେବ। ଏ ସମସ୍ତ ପ୍ରକ୍ରିୟାକୁ ଅନ୍ତିମ ଅନୁମୋଦନ ପ୍ରଦାନ କ୍ଷମତା ରହିବ ‘ଏନ୍ଏଆର୍ସିଏଲ୍’ ହାତରେ। ଉଲ୍ଲେଖଯୋଗ୍ୟ ଯେ ‘ଏନ୍ଏଆର୍ସିଏଲ୍’ର ସଂଖ୍ୟାଗରିଷ୍ଠ ଅଂଶୀଦାର ହେଉଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ଏବଂ ଘରୋଇ କ୍ଷେତ୍ର ବ୍ୟାଙ୍କ୍ମାନଙ୍କ ମାଲିକାନାରେ ରହିବ ‘ଆଇଡିଆର୍ସିଏଲ୍’ର ସଂଖ୍ୟାଗରିଷ୍ଠ ଅଂଶପତ୍ର। କେବଳ ଚଳିତ ବିତ୍ତ ବର୍ଷରେ ୫୦,୦୦୦ କୋଟି ଟଙ୍କା ମୂଲ୍ୟର ଖରାପ ଋଣ ‘ଏନ୍ଏଆର୍ସିଏଲ୍’ ପାଖକୁ ହସ୍ତାନ୍ତରିତ ହେବ ବୋଲି ଆଶା କରାଯାଉଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ପଦ୍ଧତି ବା ସର୍ତ୍ତ ପାଳନ କରି ‘ଏନ୍ଏଆର୍ସିଏଲ୍’ ବ୍ୟାଙ୍କ୍ମାନଙ୍କ ଠାରୁ ସେମାନଙ୍କର ‘ଖରାପ ଋଣ’ ବା ‘ଏନ୍ପିଏ’ମାନ କ୍ରୟ କରି ଆଣିବ, ସେଥିରେ ଏପରି ଏକ ବ୍ୟବସ୍ଥା ଖଞ୍ଜି ଦିଆଯାଇଛି, ଯାହାର ଉପରବର୍ଣ୍ଣିତ ଷ୍ଟିଭ୍ ରାଇଟ୍ଙ୍କ ରହସ୍ୟ ସହିତ ଏପରି ସାମଞ୍ଜସ୍ୟ ରହିଛି, ଯାହା କାହାରି ଦୃଷ୍ଟି ଏଡ଼ାଇ ପାରିବ ନାହିଁ। ସମ୍ପୃକ୍ତ ବ୍ୟାଙ୍କ୍ ଓ ‘ଏନ୍ଏଆର୍ସିଏଲ୍’ ମଧ୍ୟରେ ସହମତି ଭିତ୍ତିରେ ଏକ ‘ଏନ୍ପିଏ’ର ବିକ୍ରୟ ମୂଲ୍ୟ ସ୍ଥିର ହେବା ପରେ (ଯାହା ତା’ର ଲିଖିତ ମୂଲ୍ୟର ଏକ ଆଂଶିକ ପରିମାଣ ମାତ୍ର ହୋଇଥାଏ), ‘ଏନ୍ଏଆର୍ସିଏଲ୍’ ସେଇ ସହମତି ମୂଲ୍ୟର ମାତ୍ର ୧୫ ଶତାଂଶ ନଗଦ ଆକାରରେ ଉକ୍ତ ବ୍ୟାଙ୍କ୍କୁ ପ୍ରଦାନ କରିବ; ବାକି ୮୫ ଶତାଂଶ ପାଇଁ ସେ ‘ପ୍ରତିଭୂତି ରସିଦ’ ବା ‘ସିକ୍ୟୁରିଟି ରିସିଟ୍’ (‘ଏସ୍ଆର୍’) ପ୍ରଦାନ କରିବ। ‘ଆଇଡିଆର୍ସିଏଲ୍’ ମାଧ୍ୟମରେ ‘ଏନ୍ପିଏ’ର ପରିଶୋଧ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ସେଥିରୁ ସମ୍ବଳ ଉପଲବ୍ଧ ହେବା ପରେ ସେଥିରୁ ‘ଏସ୍ଆର୍’ ବାବଦ ପ୍ରାପ୍ୟ ଉକ୍ତ ବ୍ୟାଙ୍କ୍କୁ ପ୍ରଦାନ କରାଯିବ। ଯଦି ‘ଆଇଡିଆର୍ସିଏଲ୍’ ଉଦ୍ୟମରେ ‘ଏନ୍ପିଏ’ର ଏକ ସନ୍ତୋଷଜନକ ପରିଶୋଧ ସମ୍ପନ୍ନ ହୋଇ ‘ଏସ୍ଆର୍’ ଦେୟ ଭରଣା କରିବା ପାଇଁ ଯଥେଷ୍ଟ ଅର୍ଥ ସଂଗ୍ରହ ହୋଇ ପାରେ, ତେବେ ସମ୍ପୃକ୍ତ ବ୍ୟାଙ୍କ୍ ତା’ର ‘ଏସ୍ଆର୍’ ବାବଦ ପ୍ରାପ୍ୟ ପାଇବାରେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଯଦି ‘ଏନ୍ପିଏ’ ପରିଶୋଧରୁ ‘ଆଇଡିଆର୍ସିଏଲ୍’ ଯଥେଷ୍ଟ ସମ୍ବଳ ସଂଗ୍ରହ କରି ନ ପାରେ, ଅତି କମ୍ରେ ଏକ ହଜାର ପାଉଣ୍ଡ୍ ଲୁଟ୍ କରିବାକୁ ଲକ୍ଷ୍ୟ ରଖିଥିବା ସେ ଡକାୟତ ଜଣକ ମାତ୍ର ପଚାଶ ପାଉଣ୍ଡ୍ ପାଇବା ଭଳି ଅବସ୍ଥା ହେବ। ଏ ସଙ୍କଟର ସମାଧାନ ହେବ କିପରି?
ନିଜ ପକେଟ୍ରୁ ପଇସା ବାହାର କରି ଡକାୟତ ଜଣକ କିପରି ନିଜର ଲକ୍ଷ୍ୟ ହାସଲ କରିଥିଲା, ତାହା ରାଇଟ୍ଙ୍କ ରହସ୍ୟରେ ଆମେ ଦେଖିଲେ। ‘ବ୍ୟାଡ୍ ବ୍ୟାଙ୍କ୍’ ଯୋଜନାରେ ଏହି ସମ୍ଭାବ୍ୟ ସଙ୍କଟର ସମାଧାନ ପାଇଁ ସରକାର ଠିକ୍ ସେଇଭଳି ଏକ ବ୍ୟବସ୍ଥା କରିଛନ୍ତି। ‘ଏସ୍ଆର୍’ ମୂଲ୍ୟ ଓ ‘ଏନ୍ପିଏ’ରୁ ମିଳିବା ପରିଶୋଧ ସମ୍ବଳ ମଧ୍ୟରେ ଯଦି ଏକ ତଫାତ୍ ଦେଖାଦିଏ, ତେବେ ତାହାର ସମ୍ପୂର୍ଣ୍ଣ ଭରଣା କରିବା ପାଇଁ ସରକାର ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଆବଶ୍ୟକ ହେଲେ ସରକାର ନିଜ ତହବିଲରୁ ଏ ବାବଦରେ ଖର୍ଚ୍ଚ କରିବାକୁ ୩୦,୬୦୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଭଳି ସରକାରୀ ଗ୍ୟାରେଣ୍ଟି ଦ୍ବାରା ସୁରକ୍ଷିତ ହେବା ପରେ ‘ଏସ୍ଆର୍’ ଗୁଡ଼ିକର ପୁଞ୍ଜି ବଜାରରେ ବିକ୍ରୟ ଯୋଗ୍ୟତାରେ ନିଶ୍ଚିତ ରୂପେ ବୃଦ୍ଧି ଘଟିବ। ବ୍ୟାଙ୍କ୍ମାନେ ଚାହିଁଲେ ‘ଏନ୍ପିଏ’ ପରିଶୋଧ ପର୍ଯ୍ୟନ୍ତ ଅପେକ୍ଷା ନ କରି ‘ଏନ୍ଏଆର୍ସିଏଲ୍’ ଠାରୁ ସେମାନେ ପାଇଥିବା ‘ଏସ୍ଆର୍’ସବୁକୁ ବଜାରରେ ବିକ୍ରୟ କରି ଦେଇ ପାରିବେ; ସରକାରୀ ଗ୍ୟାରେଣ୍ଟି ଯୋଗୁଁ ‘ଏସ୍ଆର୍’ ଗୁଡ଼ିକର ବିକ୍ରୟ ମୂଲ୍ୟରେ ଉନ୍ନତି ଘଟିବ ଓ ବ୍ୟାଙ୍କ୍ମାନଙ୍କର କ୍ଷତି ହ୍ରାସ ପାଇବ।
ଖରାପ ଋଣ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ସମ୍ମୁଖୀନ ହୋଇଥିବା କ୍ଷତି ସମ୍ଭାଳିବା ପାଇଁ ସେମାନଙ୍କୁ ସକ୍ଷମ କରିବା ପାଇଁ ସରକାର ବିଗତ ତିନି ବର୍ଷ ମଧ୍ୟରେ ସେଗୁଡ଼ିକରେ ପ୍ରଭୂତ ପୁଞ୍ଜି ଭର୍ତ୍ତି କରିଛନ୍ତି। ବର୍ତ୍ତମାନର ବ୍ୟାଡ୍ ବ୍ୟାଙ୍କ୍ ଗଠନ ପାଇଁ ଏଭଳି ଗ୍ୟାରେଣ୍ଟି ପ୍ରଦାନ କରି ସରକାର ସେମାନଙ୍କର ବୋଝ ହାଲୁକା କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଥିଯୋଗୁଁ ଯଦି ଉଭୟ ‘ଗୁଡ୍ ବ୍ୟାଙ୍କ୍’ମାନେ ଓ ‘ବ୍ୟାଡ୍ ବ୍ୟାଙ୍କ୍’ ଯଦି ଲାହିରେ ତେଲ ଦେଇ ଶୋଇଯାଆନ୍ତି, ତା’ହେଲେ ଅବିଳମ୍ବେ ଘୋର ଅସୁବିଧାର ସମ୍ମୁଖୀନ ହେବେ। କାରଣ, ସରକାରଙ୍କର ଏହି ଗ୍ୟାରେଣ୍ଟି ବ୍ୟବସ୍ଥାର ଅବଧି ହେଉଛି ମାତ୍ର ପାଞ୍ଚ ବର୍ଷ। ତା’ ମଧ୍ୟରେ ଯଦି ଏକାଠି କରାହୋଇଥିବା ‘ଏନ୍ପିଏ’ଗୁଡ଼ିକର ପରିଶୋଧ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥାଏ, ତେବେ ସରକାର ଆଉ ପିଠିରେ ପଡ଼ିବେ ନାହିଁ।
ସୂଚନାଯୋଗ୍ୟ ଯେ ଅଧିକାଂଶ ‘ଏନ୍ପିଏ’ ବହୁତ ପୁରୁଣା ହୋଇ ସାରିଥିବାରୁ ସେଗୁଡ଼ିକ ପାଇଁ କ୍ରେତା ମିଳିବା ସହଜ ହୋଇ ନ ପାରେ। ସେପରି ପରିସ୍ଥିତିରେ ‘ବ୍ୟାଡ୍ ବ୍ୟାଙ୍କ୍’ ମାଧ୍ୟମରେ ଖରାପ ଋଣ ଗୁଡ଼ିକର ଅନ୍ତିମ ସମାଧାନ ହେବା ପରିବର୍ତ୍ତେ ‘ବ୍ୟାଡ୍ ବ୍ୟାଙ୍କ୍’ କେବଳ ଖରାପ ଋଣର ଭଣ୍ଡାର ଘରରେ ପରିଣତ ହେବା ସାର ହେବ। ଏହା ଯେପରି ନ ଘଟେ, ତାହା ନିିଶ୍ଚିତ କରିବା ପାଇଁ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ସମ୍ପୃକ୍ତ ସମସ୍ତ ପକ୍ଷ ପ୍ରାଣପଣେ ଲାଗି ପଡ଼ିବା ଦରକାର। ‘ରାଇଟ୍ ରହସ୍ୟ’ ଚିରସ୍ଥାୟୀ ନୁହେଁ।