ଚିତ୍ରା ବିଚିତ୍ରା

ବିଂଶ ଶତାବ୍ଦୀର ଅନ୍ୟତମ ପ୍ରମୁଖ ଲେଖକ ଓ ଚିନ୍ତାନାୟକ ଆର୍ଥର୍ କୋଷ୍ଟ୍‌ଲର୍‌ଙ୍କର ସାମ୍ୟବାଦୀ ମୋହଭଙ୍ଗ ଘଟିବାର ଚାରିବର୍ଷ ପରେ ସେ ୧୯୪୨ରେ ତାଙ୍କର ଯେଉଁ ପ୍ରସିଦ୍ଧ ପ୍ରବନ୍ଧ ସଂକଳନ ପ୍ରକାଶ କରିଥିଲେ, ତାହାର ଶୀର୍ଷକ ଥିଲା: ‘ଦି ଯୋଗୀ ଆଣ୍ଡ୍ ଦି କମିସାର୍’ (କମ୍ୟୁନିଷ୍ଟ୍ ବ୍ୟବସ୍ଥାରେ ‘କମିସାର୍’ ହେଉଛନ୍ତି ଉଚ୍ଚ ରାଜନୈତିକ ତଥା ପ୍ରଶାସନିକ କ୍ଷମତା ସମ୍ପନ୍ନ ଜଣେ କର୍ମକର୍ତ୍ତା)। ଏହି ଶୀର୍ଷକ ବହନ କରୁଥିବା ସେଇ ସଂକଳନର ପ୍ରଥମ ପ୍ରବନ୍ଧରେ କୋଷ୍ଟ୍‌ଲର୍ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଯେ ଜୀବନ ପ୍ରତି ମନୁଷ୍ୟର ସମସ୍ତ ଆଭିମୁଖ୍ୟମାନଙ୍କୁ ଏକ ବର୍ଣ୍ଣାଳୀ ଆକାରରେ ସଜେଇ ଦେଇ ହେବ। ଏହି ବର୍ଣ୍ଣାଳୀ (ସ୍ପେକ୍ଟ୍ରମ୍)ର ଗୋଟିଏ ପ୍ରାନ୍ତରେ ଅତି-ଲାଲ୍ (‘ଇନ୍‌ଫ୍ରା-ରେଡ୍’) ରଙ୍ଗର ପ୍ରତିନିଧିତ୍ବ କରିଥା’ନ୍ତି- ‘କମିସାର୍’। ‘କମିସାର୍’ ବିଶ୍ବାସ କରିଥା’ନ୍ତି ଯେ ରାଷ୍ଟ୍ରର ହସ୍ତକ୍ଷେପ ଦ୍ବାରା ସମସ୍ତ ମାନବୀୟ ସମସ୍ୟାର ସମାଧାନ ହୋଇ ପାରିବ, ଦୁଃଖ ଯନ୍ତ୍ରଣା ଦୂରୀଭୂତ ହୋଇଯିବ। ସମାଜର ସମ୍ବଳର ମାଲିକାନା ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ଦ୍ବାରା ରାଷ୍ଟ୍ର ଏହି ଲକ୍ଷ୍ୟ ହାସଲ କରିପାରିବ, ଅର୍ଥାତ୍ ବ୍ୟକ୍ତିର ଜୀବନର ଏଭଳି ବାହ୍ୟ ନିୟନ୍ତ୍ରଣ ଦ୍ବାରା ତା’ର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି କମ୍ୟୁନିଷ୍ଟମାନେ ଯେଉଁ ବିଶ୍ବାସ କରିଥା’ନ୍ତି, କମିସାର୍ ହେଉଛନ୍ତି ତା’ର ପ୍ରତିନିଧି।

ବର୍ଣ୍ଣାଳୀର ଅପର ପ୍ରାନ୍ତର ଶାନ୍ତ, ଅତି-ବାଇଗିଣୀ (‘ଅଲ୍‌ଟ୍ରା-ଭାୟୋଲେଟ୍’) ଇଲାକାରେ ଯିଏ ଆସନ ପାତିଥା’ନ୍ତି, ସେ ହେଉଛନ୍ତି- ‘ଯୋଗୀ’। ତାଙ୍କର ସଂକ୍ଷିପ୍ତ ଭାରତ ଗସ୍ତ ସମୟରେ କୋଷ୍ଟ୍‌ଲର୍ ଯୋଗୀମାନଙ୍କ ସମ୍ବନ୍ଧରେ ଯେଉଁ ଧାରଣା ସଂଗ୍ରହ କରିଥିଲେ, ସେ ଅନୁଯାୟୀ ସେ ତାଙ୍କର ପ୍ରବନ୍ଧରେ ଦର୍ଶାଇଥିଲେ ଯେ ଯୋଗୀମାନେ ବାହ୍ୟ ଉଦ୍ୟମ ଦ୍ବାରା ମାନବୀୟ ପରିସ୍ଥିତିରେ ଉନ୍ନତି ଘଟି ପାରିବ ବୋଲି ଆଦୌ ବିଶ୍ବାସ କରୁ ନ ଥିଲେ; କେବଳ ବ୍ୟକ୍ତିର ଆଭ୍ୟନ୍ତରୀଣ ଉଦ୍ୟମ, ଆଧ୍ୟାତ୍ମିକ ଜାଗରଣ ଦ୍ବାରା ତାହା ସମ୍ଭବ ହୋଇପାରିବ ବୋଲି ସେମାନେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ।

ଉଭୟ ପକ୍ଷ ନିଜ ନିଜର ମତରେ ଅଟଳ ଥିବାରୁ, ସମାଲୋଚକମାନେ କହିଥା’ନ୍ତି ଯେ ‘ଯୋଗୀ’ ଏବଂ ‘କମିସାର୍’ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ମାତ୍ର- ଉଭୟ କେବଳ ନିଜ ରାସ୍ତାକୁ ହିଁ ଏକମାତ୍ର ଠିକ୍ ରାସ୍ତା ବୋଲି ଦାବି କରିଥା’ନ୍ତି। ଏ ଦୁଇ ପରସ୍ପର ବିରୋଧୀ ଶକ୍ତି କେବେ ମିଳିତ ହେବା ଅସମ୍ଭବ ବୋଲି ଯଦି କୋଷ୍ଟ୍‌ଲର୍‌ଙ୍କ ପାଠକପାଠିକାମାନେ ବିଶ୍ବାସ କରି ଆସୁଥିଲେ, ଏବେ ସେଇ ଯୋଗୀଭୂମି ଭାରତରେ ଘଟିଥିବା ଏକ ଘଟଣା ଯେଉଁଭଳି ସେଇ ଅସମ୍ଭବକୁ ସମ୍ଭବ କରିଛି, ତାହା ଦେଖି ସେମାନେ ଚମତ୍କୃତ ହେଉଥିବେ।

ପୃଥିବୀରୁ ବର୍ତ୍ତମାନ କୋଷ୍ଟ୍‌ଲର୍‌ଙ୍କ ସମୟର ସାମ୍ୟବାଦ ପ୍ରାୟ ଅପସରି ଗଲାଣି (କେବଳ ଚୀନ୍ ଓ କାଁ ଭାଁ କେତୋଟି ଛୋଟ ଦେଶ ବ୍ୟତୀତ)। ସାମ୍ୟବାଦୀ ବ୍ୟବସ୍ଥାରେ ‘କମିସାର୍’ ଯେଉଁ କ୍ଷମତାର ପ୍ରତିନିଧିତ୍ବ କରୁଥିଲେ, ଏକ ମୁକ୍ତ ଅର୍ଥନୀତିରେ ସେ କ୍ଷମତା ଯେଉଁଠି ଆସ୍ଥାନ ଜମାଇଥାଏ, ତାହା ହେଉଛି ଏକ ବ୍ୟବସାୟ କର୍ପୋରେସନ୍ ବା କମ୍ପାନି ବୋଲି ଜଣାଶୁଣା (ଯେଉଁଥିପାଇଁ ଅମ୍ବାନୀ, ଆଦାନୀ…ମାନେ ସମାଜବାଦୀମାନଙ୍କର ଚକ୍ଷୁଶୂଳ ହୋଇଥା’ନ୍ତି)। ଅତଏବ କୁହାଯାଇପାରେ ବର୍ତ୍ତମାନ କୋଷ୍ଟ୍‌ଲର୍‌ଙ୍କ ବର୍ଣ୍ଣାଳୀର ଗୋଟିଏ ପ୍ରାନ୍ତ ପୂର୍ବ ଭଳି ‘ଯୋଗୀ’ଙ୍କ ଦଖଲରେ ରହିଥିବା ବେଳେ ପାର୍ଥିବ ସମ୍ବଳର ମାଲିକାନା ଓ ନିୟନ୍ତ୍ରଣର ପ୍ରତିନିଧିତ୍ବ କରୁୁଥିବା ଅନ୍ୟ ପ୍ରାନ୍ତଟି ଚାଲିଯାଇଛି କମିସାର୍‌ମାନଙ୍କ ସ୍ଥାନରେ କମ୍ପାନିମାନଙ୍କ ଦଖଲକୁ। କମ୍ପାନିମାନେ ହେଉଛନ୍ତି ଆଜିର ‘କମିସାର୍’। ହଠାତ୍ ମନେ ହୋଇପାରେ, ବସ୍ତୁବାଦୀ ‘କମ୍ପାନି’ ଓ ଆଧ୍ୟାତ୍ମ୍ୟବାଦୀ ‘ଯୋଗୀ’ଙ୍କ ମଧ୍ୟରେ ମିଳନ ହେଉଛି ସେଇଭଳି ଅସମ୍ଭବ, ଯେଉଁଭଳି ଅସମ୍ଭବ ଥିଲା ‘କମିସାର୍’ ଓ ‘ଯୋଗୀ’ଙ୍କ ମଧ୍ୟରେ ମିଳନ।

କିନ୍ତୁ ଏହି ଅସମ୍ଭବ ଯେଉଁଠି ସମ୍ଭବ ହେବା ଖବର ପ୍ରକାଶ ପାଇ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ହେଉଛି ଭାରତର ବୃହତ୍ତମ ଷ୍ଟକ୍ ଏକ୍‌ସଚେଞ୍ଜ୍ ବା ସେଆର୍ ବଜାର- ‘ନେସନାଲ୍ ଷ୍ଟକ୍ ଏକ୍‌ସଚେଞ୍ଜ୍’ (‘ଏନ୍‌ଏସ୍‌ଇ’); ଏବଂ ଯିଏ ଏହି ଚମତ୍କାରିତା ହାସଲ କରିପାରିଛନ୍ତି, ସେ ହେଉଛନ୍ତି ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଏହି ସଂସ୍ଥାର ସର୍ବେସର୍ବା ଥିବା (ପରିଚାଳନା ନି‌ର୍ଦ୍ଦେଶିକା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)- ଚିତ୍ରା ରାମକୃଷ୍ଣ। ଏହି କମ୍ପାନିର ମାଲିକ ହେଉଛନ୍ତି କେତେକ ଅଗ୍ରଣୀ ବିତ୍ତୀୟ ଅନୁଷ୍ଠାନ, ବ୍ୟାଙ୍କ୍ ଓ ବୀମା କମ୍ପାନି ମାନେ। ଏହାର ମର୍ଯ୍ୟାଦାଜନକ ସୂଚକାଙ୍କ- ‘ନିଫ୍‌ଟି ୫୦’କୁ ଦେଶର ବ୍ୟବସାୟ ପାଣିପାଗର ଏକ ବିଶ୍ବସନୀୟ ମାପକାଠି ରୂପେ ବିବେଚନା କରାଯାଇଥାଏ। ଏହି କମ୍ପାନିର ନିଜର ମୋଟ ବଜାର ମୂଲ୍ୟ ହେଉଛି ଏକ ବିଶାଳ ୩.୪ ଲକ୍ଷ କୋଟି ଡଲାର୍। କୋଟି କୋଟି ସଂଖ୍ୟାରେ ଭାରତୀୟ ନିବେଶକମାନେ ସିଧାସଳଖ କିମ୍ବା ମ୍ୟୁଚୁଆଲ୍ ଫଣ୍ଡ୍‌ମାନଙ୍କ ମାଧ୍ୟମରେ ‘ଏନ୍‌ଏସ୍‌ଇ’ର ନିଜର ଅଂଶପତ୍ରରେ ସେମାନଙ୍କର ପୁଞ୍ଜି ନିବେଶ କରିଛନ୍ତି।

ଏଭଳି ଏକ ବ୍ୟବସାୟ ସଂସ୍ଥାକୁ ଚଳାଇବା ପାଇଁ ଚିତ୍ରାଙ୍କ ଠାରେ ଯୋଗ୍ୟତାର ଅଭାବ ନ ଥିଲା। ସେ ହେଉଛନ୍ତି ଜଣେ ସୁଦକ୍ଷ ଚାର୍ଟାଡ୍ ଏକାଉଣ୍ଟାଣ୍ଟ୍ ଏବଂ ଏଥି ପୂର୍ବରୁ ସେ ‘ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଣ୍ଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ଓ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍‌ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (‘ସେବି’)ରେ କାର୍ଯ୍ୟ କରିଥିଲେ। ସେ ବାରମ୍ବାର ମର୍ଯ୍ୟାଦାଜନକ ‘ଫୋର୍ବ‌୍ସ’ ପତ୍ରିକାରେ ପ୍ରକାଶିତ ଭାରତର ଅଗ୍ରଣୀ ମହିଳା ବ୍ୟବସାୟ ପରିଚାଳିକା ତାଲିକାରେ ସ୍ଥାନ ପାଇ ଆସିଛନ୍ତି। ‘ଏନ୍‌ଏସ୍‌ଇ’ର ସେ ହେଉଛନ୍ତି ଅନ୍ୟତମ ସ୍ଥାପନକାରୀ ସଦସ୍ୟ ମଧ୍ୟ। ତେଣୁ ଭାରତରେ ପୁଞ୍ଜି ବଜାରର ଅଧୀକ୍ଷଣକାରୀ ସଂସ୍ଥା ‘ସେବି’ (ଚିତ୍ରାଙ୍କର ପୂର୍ବତନ କର୍ମସ୍ଥଳୀ) ଏକ ଅନୁସନ୍ଧାନ ସମାପ୍ତ କରି ଚିତ୍ରାଙ୍କ ସମ୍ପର୍କରେ ଏବେ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ଦେଖି ଯେ କେହି ଅାଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଚିତ୍ରା ‘ଏନ୍‌ଏସ୍‌ଇ’ର ପରିଚାଳନା କରିବା ପାଇଁ ନିୟମିତ ଭାବରେ ହିମାଳୟବାସୀ ଜଣେ କେହି ‘ସିଦ୍ଧପୁରୁଷ/ଯୋଗୀ’ଙ୍କ ଠାରୁ ଦିଗ୍‌ଦର୍ଶନ ନେଉଥିଲେ। କୋଷ୍ଟ୍‌ଲର୍‌ଙ୍କ ଯୋଗୀ ସମ୍ପୂର୍ଣ୍ଣ ରୂପେ ଅନ୍ତର୍ମୁଖୀ, ଆଧ୍ୟାତ୍ମ୍ୟବାଦୀ ହୋଇଥିବା ବେଳେ ଚିତ୍ରା ବର୍ଣ୍ଣିତ ଏହି ‘ଯୋଗୀ ପରମହଂସ’ ହିମାଳୟନିବାସୀ ହୋଇଥିଲେ ହେଁ ବିଗତ ଦୁଇ ଦଶନ୍ଧି ଧରି ବ୍ୟବସାୟ ପରିଚାଳନା ଭଳି ଏକ ବହିର୍ଜଗତରେ ସଫଳ ଭାବରେ ଅଗ୍ରସର ହେବା ପାଇଁ ଚିତ୍ରାଙ୍କୁ ପ୍ରତି ପଦକ୍ଷେପରେ ଦିଗ୍‌ଦର୍ଶନ ଦେଇ ଆସୁଥିଲେ ବୋଲି ଚିତ୍ରା ଅନୁସନ୍ଧାନ ସମୟରେ ୨୦୧୮ରେ ‘ସେବି’ ନିକଟରେ ପ୍ରକାଶ କରିଛନ୍ତି। ଚିତ୍ରାଙ୍କ ଇ-‌ମେଲ୍ ଯାଞ୍ଚରୁ ଜଣାପଡ଼ିଛି ଯେ ସୁଦୂର ହିମାଳୟରେ ଥାଇ ମଧ୍ୟ ‘ଏନ୍‌ଏସ୍‌ଇ’ର ଟିକିନିଖି କାର୍ଯ୍ୟ ସମ୍ବନ୍ଧରେ ସେ ଚିତ୍ରାଙ୍କ ଦ୍ବାରା ନିୟମିତ ଅବଗତ ହେଉଥିଲେ ଓ ସେ ସମ୍ବନ୍ଧରେ ଚିତ୍ରାଙ୍କୁ ଉପଦେଶ ଦେଉଥିଲେ। ଏଥିରେ ଏହି ସେଆର୍ ବଜାରର କାର୍ଯ୍ୟ ସମ୍ବନ୍ଧରେ ଅନେକ ଅତ୍ୟନ୍ତ ଗୋପନୀୟ ଓ ସ୍ପର୍ଶକାତର ସୂଚନାମାନ ଅନ୍ତର୍ଭୁକ୍ତ ଥିଲା, ଯେମିତି: ବ୍ୟବସାୟ ଯୋଜନା, ଆଗାମୀ ପାଞ୍ଚବର୍ଷ ପାଇଁ ଅନୁମାନ, ବିତ୍ତୀୟ ଡାଟା, ପରିଚାଳନା ବୋର୍ଡ ବୈଠକରେ ବିବରଣୀ ଆଦି।

ଚିତ୍ରାଙ୍କର ସବୁଠାରୁ ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କାର୍ଯ୍ୟ ହେଉଛି ଆନନ୍ଦ ସୁବ୍ରମନିଅନ୍ ନାମକ ଜଣେ ଅଜଣା ବ୍ୟକ୍ତିଙ୍କୁ ନିଜର ଉପଦେଷ୍ଟା ତଥା ‘ଏନ୍‌ଏସ୍‌ଇ’ର ‘ଚିଫ୍ ଅପରେଟିଙ୍ଗ୍ ଅଫିସର୍’ ରୂପେ ଏକ ବିଶାଳ ବେତନରେ ନିଯୁକ୍ତ କରିବା। ସନ୍ଦେହ ପ୍ରକାଶ ପାଇଲାଣି ଯେ ଇଏ ସେଇ ରହସ୍ୟମୟ ଯୋଗୀ ନୁହନ୍ତି ତ ଆଉ? ସିଏ ଯାହା ହେଉନା କାହିଁକି, ଚିତ୍ରାଙ୍କ ଯୋଗୀ-କମିସାର୍ ମିଳନ ଉଦ୍ୟମ ଯଦି ‘ଏନ୍‌ଏସ୍‌ଇ’ର ବିଶ୍ବସନୀୟତାରେ ଆଘାତ ପହଞ୍ଚାଏ, ତେବେ ଦେଶର ଅସଂଖ୍ୟ ନିବେଶକମାନେ କ୍ଷତିଗ୍ରସ୍ତ ହେବେ। ସେମାନେ ଆଧ୍ୟାତ୍ମିକ ଲାଭ ପାଇଁ ସେଆର୍ ବଜାରକୁ ଆସି ନଥା’ନ୍ତି; ସେମାନଙ୍କ ପାଇଁ ‘ଯୋଗୀ’ ଓ ‘କମିସାର୍’ କୋଷ୍ଟ୍‌ଲର୍‌ଙ୍କ ବର୍ଣ୍ଣାଳୀର ଦୁୁଇ ପ୍ରାନ୍ତରେ ଅଲଗା ଅଲଗା ହୋଇ ରହିବା ହେଉଛି ସର୍ବୋତ୍ତମ। ନିରପେକ୍ଷ ଅନୁସନ୍ଧାନ ଓ ବିହିତ କାର୍ଯ୍ୟାନୁଷ୍ଠାନ ଦ୍ବାରା ତାହା ତୁରନ୍ତ ନିଶ୍ଚିତ କରିିବା ବର୍ତ୍ତମାନ ଜରୁରୀ।

ସମ୍ବନ୍ଧିତ ଖବର