ମରଦ ପୁଟିନ୍‌?

ଗଲା ବୁଧବାର ଦିନ ରୁଷିଆର ସୈନ୍ୟବାହିନୀ ୟୁକ୍ରେନ୍‌ ମଧୢରେ ଧସେଇ ପଶିବେ ଏବ˚ ଏକ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇ ପ୍ରାୟ ଅଧ ଲକ୍ଷେ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ପ୍ରଦାନ କରିଥିବା ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ ଭବିଷ୍ୟତ୍‌ବାଣୀ ଅପାତତଃ ଟଳି ଯାଇଥିବା ଭଳି ମନେ ହୋଇଥାଏ, ଯେତେବେଳେ ରୁଷିଆ ପକ୍ଷରୁ ଟ୍ୟାଙ୍କ୍‌ ଓ ଅନ୍ୟାନ୍ୟ ଭାରୀ ଅସ୍ତ୍ରଶସ୍ତ୍ରମାନ ସୀମାନ୍ତରୁ ପ୍ରତ୍ୟାହାର କରି ନିଆଯାଉଥିବା ନେଇ ଘୋଷଣା କରାଯାଇଛି। ଏହା ସହିତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବୟାନ ମଧୢ ପ୍ରସାରିତ ହୋଇଛି, ଯହିଁରେ ସେ ସ˚ଘାତ ପରିବର୍ତ୍ତେ ବାର୍ତ୍ତା ବିନିମୟକୁ ଗୁରୁତ୍ବ ପ୍ରଦାନ କରୁଥିବା ବିଷୟ ଉଲ୍ଲେଖ କରିିଛନ୍ତି। କୋଭିଡ୍‌ ପାନ୍‌ଡେମିକ୍‌ର ପ୍ରକୋପ ଏ ଯାବତ୍‌ ସାରା ପୃଥିବୀରେ ଜାରି ରହିଥିବା ବେଳେ ଅକାରଣ ଉତ୍ତେଜନା ଏବ˚ ତଜ୍ଜନିତ ଏକ ବଡ଼ ଧରଣର ଯୁଦ୍ଧର ଆଶଙ୍କାକୁ ଜନ୍ମ ଦେଇଥିବା ଭ୍ଲାଡିମିର ପୁଟିନ୍‌ଙ୍କ ନିଷ୍ପତ୍ତିରେ ତାଙ୍କର ଯେଉଁ ଦୁର୍ବୋଧୢ ଚରିତ୍ରର ସ୍ବାକ୍ଷର ପରିଦୃଷ୍ଟ ହୋଇଥାଏ, ସେହି ଦୃଷ୍ଟିରୁ ପୃଥିବୀର ଅନେକ ରାଷ୍ଟ୍ରମୁଖ୍ୟ ତାଙ୍କର ଏହି ସଦ୍ୟ ଘୋଷଣାକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ‘ନାଟୋ’ ପକ୍ଷରୁ କୁହାଯାଇଛି ଯେ ପୁଟିନ୍‌ଙ୍କ ଘୋଷଣା ସତ୍ତ୍ବେ ବାସ୍ତବ ସ୍ଥିତିରେ କୌଣସି ପରିବର୍ତ୍ତନ ଦୃଶ୍ୟମାନ ହୋଇନାହିଁ। ତେବେ ସେ ଯାହା ହେଉ, ଏହିଭଳି ଘଟଣାର ଘନଘଟା ଭିତରେ ଦେଖିବାକୁ ମିଳିଛି ଯେ ପୁଟିନ୍‌ଙ୍କ ମନ, ମାନସିକତା ଓ ଚରିତ୍ର ଆଦିର ଗଭୀର ବିଶ୍ଳେଷଣ କରି ‌େସ ନେଇଥିବା ଏଭଳି ନିଷ୍ପତ୍ତିର କାରଣ ଖୋଜିବାର ପ୍ରୟାସ ପ୍ରସୂତ ଅନେକ ରଚନାର ଆବିର୍ଭାବ ବିଭିନ୍ନ ଗଣମାଧୢମରେ ଘଟିଛି, ଯହିଁରୁ ତାଙ୍କ ଚରିତ୍ରର ଅନେକ କୌତୂହଳପ୍ରଦ ବିଭାବ ସ˚ପର୍କରେ ଝଲକ ମିଳିଥାଏ। ଏବଂ କହିବା ବାହୁଲ୍ୟ ଯେ ଏହି ବିଭାବମାନ ତାଙ୍କର ବ୍ୟକ୍ତିଗତ ଜୀବନ, ରାଷ୍ଟ୍ର ଶାସନ ଏବ˚ ବିଦେଶ ନୀତିକୁ ପ୍ରଭାବିତ କରିଥିବା ଖୁବ୍‌ ସମ୍ଭବ।

ସ˚ପ୍ରତି ପୃଥିବୀର ଅନେକ ପ୍ରଭାବଶାଳୀ ରାଷ୍ଟ୍ରର ମୁଖ୍ୟମାନେ ‘ଆଲ୍‌ଫା ମେଲ୍‌’ ବା ‘ଟାଣୁଆ ପୁରୁଷ’ ଶ୍ରେଣୀର, ଯେଉଁମାନେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ବାହାର ପରାମର୍ଶ ଲୋଡ଼ି ନ ଥାଆନ୍ତି। ଭ୍ଲାଡିମିର ପୁଟିନ୍‌ ମଧୢ ସେହିଭଳି ଜଣେ ‘ଆଲ୍‌ଫା ମେଲ୍‌’ ହୋଇଥିବା ବେଳେ ଯାହା ତାଙ୍କୁ ଏକ ବ୍ୟତିକ୍ରମ ଭାବେ ଛିଡ଼ା କରାଏ, ତାହା ହେଲା ନିଜ ‘ମରଦ ପଣିଆ’କୁ ପ୍ରଦର୍ଶନ କରିବାର ଏକ ପରମ ବ୍ୟଗ୍ରତା। ଏହି କ୍ରମରେ ‘ଜିମ୍‌’ ବା ବ୍ୟାୟାମଶାଳାରେ ସଘନ ବ୍ୟାୟାମ କରି ନିଜର ଦୃଢ଼ ଓ ତରଙ୍ଗାୟିତ ମା˚ସପେଶୀକୁ ଦୃଶ୍ୟମାନ କରିବା ଠାରୁ ଆରମ୍ଭ କରି ସାଇବେରିଆରେ ବିନା ସାର୍ଟ‌୍‌ରେ ଅର୍ଥାତ୍‌ ନିଜର ସୁଠାମ ଶରୀରର ଉପରାର୍ଧକୁ ଅନାବୃତ ରଖି ଅଶ୍ବ ଦୌଡ଼ାଇବା ଅଥବା କରାଟେରେ (ସେ ଜଣେ ବ୍ଲାକ୍‌ ବେଲ୍‌ଟଧାରୀ) କୌଣସି ପ୍ରତିପକ୍ଷକୁ ଧରାଶାୟୀ କରିବା ପର୍ଯ୍ୟନ୍ତ ଘଟଣାମାନର ଫଟୋ ବା ଭିଡି ଅନେକ ସମୟରେ ଆତ୍ମପ୍ରକାଶ ଲାଭ କରି ପୁଟିନ୍‌ଙ୍କ ‘ମରଦତ୍ବ’ର ପରାକାଷ୍ଠା ପ୍ରମାଣ କରିବାର ଚେଷ୍ଟା କରିଥାଏ। କିନ୍ତୁ ବଡ଼ କଥା ହେଲା, ଏହା କେବଳ ସେତିକିରେ ସୀମିତ ନୁହେଁ। ଏହାର ପ୍ରଭାବ ରୁଷିଆର ରାଷ୍ଟ୍ର ଜୀବନ ଉପରେ, ଏପରି କି ବିଶ୍ବ ଉପରେ ମଧୢ ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

୨୦୦୧ ମସିହାରେ ଭ୍ଲାଡିମିର ପୁଟିନ୍‌ ରୁଷିଆର ରାଷ୍ଟ୍ରପତି ହେବା ସମୟରେ ତାହା ‘ସୋଭିଏତ୍‌’ର ବିଘଟନ ପରବର୍ତ୍ତୀ କୋଳାହଳ ଏବ˚ ଅରାଜକତା ଦ୍ବାରା ଭରପୂର ଥିଲା। ସୁତରା˚, ରୁଷିଆକୁ ଶୃଙ୍ଖଳିତ କରିବା ସହିତ କେତେକ ସ˚ସ୍କାର ଆଣି ପୁଟିନ୍‌ ସହସା ଜଣେ ଗଣତନ୍ତ୍ରବାଦୀ ରାଷ୍ଟ୍ରମୁଖ୍ୟର ପରିଚୟ ଲାଭ କରିବା ସହିତ ରୁଷୀୟ ମହିଳାମାନଙ୍କ ସମକ୍ଷରେ ଜଣେ ‘ପ୍ରକୃତ ପୁରୁଷ’ ରୂପେ ମଧ୍ୟ ଉଭା ହୋଇଥିଲେ। ଏହାର କାରଣ ହେଲା ଓଠରେ ଝୁଲନ୍ତା ସିଗାରେଟ୍‌, ହାତରେ ଭୋଡ୍‌କା ଗ୍ଲାସ୍‌ ଏବ˚ ନାରୀକୁ ପଦାନତ କରି ରଖିବାର ଅଭ୍ୟାସକୁ ରୁଷୀୟ ପୁରୁଷମାନେ ସେମାନଙ୍କ ‘ମରଦତ୍ବ’ର ଚିହ୍ନ ରୂପେ ବିଚାର କରୁଥିବା ବେଳେ ବଳିଷ୍ଠ ପୁଟିନ୍‌ ଅନ୍ତତଃ ପ୍ରତୀୟମାନ ହେଉଥିଲେ ତା’ର ବିପରୀତ ଭଳି ଏବ˚ ସ‌ାଧାରଣରେ ପ୍ରଚଳିତ ‘ମରଦତ୍ବ’ର ଧାରଣାକୁ ନିରୁତ୍ସାହିତ ମଧୢ କରିଥିଲେ। ସେହି ସମୟରେ ସମାଜ ବିଜ୍ଞାନୀ ତଥା ଗବେଷକ ଡେଭିଡ୍‌ ୟୁଟ୍ରାଟାଙ୍କ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣମୂଳକ ଗବେଷଣାର ନିଷ୍କର୍ଷ କହିଥିଲା ଯେ ରୁଷୀୟ ମହିଳାମାନେ ଧୂମପାୟୀ, ମଦ୍ୟପାୟୀ ଏବ˚ ଅଭ୍ୟାସଗତ ଭାବେ ପତ୍ନୀ-ପୀଡ଼ନକାରୀ ସ୍ବାମୀମାନଙ୍କୁ ‘ଦୁର୍ବଳ ପୁରୁଷ’ ଭାବେ ଅଭିହିତ କରିବା ଆରମ୍ଭ କରିଥିଲେ। କହିବା ଅନାବଶ୍ୟକ ଯେ ପୁଟିନ୍‌ଙ୍କ ଠାରେ ରୁଷୀୟ ‘ମୁଜହିକ୍‌’(ଚାଷୀ ବା ପଶୁପାଳକ)ମାନଙ୍କର କର୍କଶତା ଅନୁପସ୍ଥିତ ଥିଲା, ଯାହା ସମ୍ଭବତଃ ତାଙ୍କୁ ଜଣେ ଆଦର୍ଶ ସ୍ଥାନୀୟ ମରଦରେ ପରିଣତ କରିଥିଲା।

କିନ୍ତୁ ୨୦୧୧ ମସିହା ବେଳକୁ ତାଙ୍କର ସ୍ବଭାବରେ ପରିବର୍ତ୍ତନ ଘଟି ତାହା ‘ମୁଜହିକ୍‌’ସୁଲଭ ହେଉଥିବାର ପ୍ରମାଣ ମିଳିଥିଲା, ଯେତେବେଳେ ତାଙ୍କ ଲୋକପ୍ରିୟତାରେ ଦ୍ରୁତ ସ୍ଖଳନ ଘଟୁଥିବା ଦେଖି ସେ ଏକ ନକଲି ନିର୍ବାଚନ ମାଧୢମରେ ତଥା ବଳପୂର୍ବକ ନିଜକୁ ରୁଷିଆର ଆଜୀବନ ରାଷ୍ଟ୍ରପତି ଭାବେ କ୍ଷମତାସୀନ କରାଇଥିଲେ। ରୁୁଷୀୟ ମହିଳାମାନଙ୍କୁ ପୂର୍ବରୁ ଆକର୍ଷିତ କରିଥିବା ‘ସିଭାର୍ଲି’ (ଦ୍ବାଦଶ ଶତାବ୍ଦୀର ଯୋଦ୍ଧାମାନଙ୍କ ଦ୍ବାରା ମହିଳାମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ଅତ୍ୟନ୍ତ ସ˚ଭ୍ରମ ଓ ଭଦ୍ରୋଚିତ ଆଚରଣ) ବଦଳରେ ତାଙ୍କ ଠାରେ ଏକ ନାରୀ ଅବଦମନକାରୀ ମରଦ ଚରିତ୍ରର ଆବିର୍ଭାବ ଘଟିଥିଲା, ଯେଉଁ କାରଣରୁ ୨୦୧୧ ମସିହାରେ ଗର୍ଭପାତ କରିବାରେ ମହିଳାଙ୍କ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଲା ଏବ˚ ୨୦୧୭ ମସିହାରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହି˚ସାକୁ ଅପରାଧ ତାଲିକାରୁ ହଟାଇ ଦିଆଗଲା। କଳହପ୍ରବଣ ତଥା ଜିଦ୍‌ଖୋର ‘ମୁଜହିକ୍‌’ମାନଙ୍କ ଭଳି ସେ ଦେଶ ଭିତର ଏବଂ ଦେଶ ବାହାରେ ଥିବା ପ୍ରତିସ୍ପର୍ଦ୍ଧୀମାନଙ୍କୁ ଦମନ କରିବାରେ ଉଦ୍‌ଗ୍ରୀବ ହେଲେ; ଯହିଁରେ ୨୦୧୪ ମସିହାରେ ବଳପୂର୍ବକ କ୍ରିମିଆ ଦଖଲ ଅନ୍ତର୍ଭୁକ୍ତ ଏବ˚ ସ˚ପ୍ରତି ୟୁକ୍ରେନ୍‌ ବିପକ୍ଷରେ ଏକ ଅହେତୁକ ଯୁଦ୍ଧ ମଧୢ ତାହାର ପ୍ରତିଫଳନ।

ଅନେକଙ୍କ ସ୍ମରଣରେ ଥାଇପାରେ ଯେ କ୍ରିମିଆର ଜବରଦଖଲ ପରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଜର୍ମାନିର ଚାନ୍‌ସେଲର୍‌ ଆନ୍‌ଜେଲା ମାର୍କେଲ କହିଥିଲେ ଯେ ଖୁବ୍‌ ସମ୍ଭବ ଭ୍ଲାଡିମିର ପୁଟିନ୍‌ ମାନସିକ ଭାବେ ଅସୁସ୍ଥ। ପୁଟିନ୍‌ଙ୍କ ସମୀପବର୍ତ୍ତୀ ମହଲ ଏହା ସହିତ ସ˚ପୂର୍ଣ୍ଣ ଏକମତ ହେଉ ନ ଥିଲେ ମଧୢ ଇଙ୍ଗିତ କରିଥାଆନ୍ତି ଯେ ସେ ଜଣେ ଏଭଳି ମନୁଆ ବ୍ୟକ୍ତି, ଯାହାଙ୍କ ପରବର୍ତ୍ତୀ ନିଷ୍ପତ୍ତି ବା ଆଚରଣ ଉପରେ ଅନ୍ଦାଜ ଲଗାଇବା କଷ୍ଟକର ବ୍ୟାପାର। ଏଭଳି ସ୍ଥଳେ ପୁଟିନ୍‌ଙ୍କ କୌଣସି ଘୋଷଣା ନିର୍ଣ୍ଣାୟକ ନୁହେଁ ବୋଲି କହିବାକୁ ହେବ। ତେବେ, ଏହା ମଧୢ ସତ ଯେ ତାଙ୍କ ଉପରେ ପଡୁଥିବା ପ୍ରବଳ ଆନ୍ତର୍ଜାତିକ ଚାପ ତାଙ୍କୁ ହୁଏ’ତ ଯୁଦ୍ଧରୁ କ୍ଷାନ୍ତ ହେବାକୁ ବାଧୢ କରିଥିବ।

ଏହି ସ˚ଦର୍ଭରେ ମୁଲ୍ଲା ନସିରୁଦ୍ଦିନଙ୍କ ଏକ ଗଳ୍ପ ମନକୁ ଆସେ। ଏକଦା ମୁଲ୍ଲାଙ୍କ ପତ୍ନୀ କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଦୈବାତ୍‌ ମୁଲ୍ଲା ସେଠାକୁ ଆସି କାନ୍ଥରେ ଡେରା ଯାଇଥିବା ଏକ ଲାଠି ପାଇଯାଇ ବିନା କୌଣସି କାରଣରେ ତହିଁରେ ପତ୍ନୀଙ୍କୁ ପ୍ରହାର କରି ଊର୍ଦ୍ଧ୍ବ ଶ୍ବାସରେ ଦୌଡ଼ି ପଳାଇ ଥିଲେ। ସେ ଏଭଳି କାହିଁକି କଲେ ବୋଲି ପରେ ପ୍ରଶ୍ନ ହେବାରୁ ଉତ୍ତରରେ କହିଥିଲେ ଯେ ଅନ୍ୟମନସ୍କ ପତ୍ନୀ ଓ ଲାଠିଟିିକୁ ଏକତ୍ର ଦେଖି ମରଦପଣିଆ ସାବ୍ୟସ୍ତ କରିବାର ପ୍ରବୃତ୍ତି ଏଭଳି ପ୍ରବଳ ହେଲା ଯେ ସେ ନିଜକୁ ରୋକି ପାରିଲେ ନାହିଁ; କିନ୍ତୁ ଘଟଣାଟି ପରେ ପରବର୍ତ୍ତୀ ପରିଣାମକୁ ନେଇ ସହସା ଚୈତନ୍ୟ ଉଦୟ ହେବାରୁ ସେ ସେଠାରୁ ତୁରନ୍ତ ପଳାୟନ କଲେ। ୟୁକ୍ରେନ୍‌ ଉପରେ ଆକ୍ରମଣର ପ୍ରସ୍ତୁତି ଯଦି ପୁଟିନ୍‌ଙ୍କ ‘ମରଦତ୍ବ’ ପ୍ରଦର୍ଶନ କରିବାର ପ୍ରବୃତ୍ତି ପ୍ରସୂତ ହୋଇଥାଏ, ଏବେ ସୈନିକ ପ୍ରତ୍ୟାହାର ପରିପ୍ରେକ୍ଷୀରେ କୁହାଯାଇପାରିବ ଯେ ତାଙ୍କ ଠାରେ ମୁଲ୍ଲାଙ୍କ ଭଳି ଚୈତନ୍ୟ ଉଦୟ ହୋଇଛି ବୋଧହୁଏ।

ସମ୍ବନ୍ଧିତ ଖବର