ଗତ ସପ୍ତାହରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍ ସେ ଦେଶର ପାର୍ଲିଆମେଣ୍ଟ୍‌ରେ ଏକ ବିତର୍କରେ ଅଂଶ ଗ୍ରହଣ କରିବା ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କର ଗଣତାନ୍ତ୍ରିକ ପରାକାଷ୍ଠାର ଉଚ୍ଚ ପ୍ରଶଂସା କରି ବର୍ତ୍ତମାନ ଏଠାରେ ଗଣତନ୍ତ୍ରର ଘୋର ଅବକ୍ଷୟ ଘଟିଛି ବୋଲି ନିଜର ରାୟ ଦେଇଥିଲେ। ଏହି ସମୟରେ ନେହରୁଙ୍କ ସମତୁଲ୍ୟ ଗଣତନ୍ତ୍ରର ଉପାସକ ରୂପେ ସେ ଆଉ ଯେଉଁ ଦୁଇଜଣ ପୂର୍ବତନ ରାଷ୍ଟ୍ରନେତାଙ୍କ ଉଦାହରଣ ପ୍ରଦାନ କରିଥିଲେ, ସେମାନେ ହେଲେ ଇସ୍ରାଏଲ୍‌ର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ୍ ବେନ୍-ଗୁରିଅନ୍ ଓ ତାଙ୍କର ନିଜର ପିତା ତଥା ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ, ଲି କୁଆନ୍ ୟୁ।

Advertisment

ମନେ ହେଉଛି ଏଭଳି ତୁଳନା କରିବା ସମୟରେ ଲି ସିଏନ୍‌ ଲୁଙ୍ଗ୍ ଯେଉଁ ଆବେଗ ଦ୍ବାରା ପରିଚାଳିତ ହୋଇଛନ୍ତି, ତାହା ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିଶ୍ରୁତିବଦ୍ଧତା ଯେତିକି ନୁହେଁ, ତା’ଠାରୁ ବହୁଗୁଣ ଅଧିକ ହେଉଛି ତାଙ୍କର ସ୍ବର୍ଗୀୟ ପିତାଙ୍କ ପ୍ରତି ତାଙ୍କର କନ୍‌ଫୁସିଅସୀୟ ଆନୁଗତ୍ୟ। ନଚେତ୍ ଅନ୍ତତଃ ଗଣତାନ୍ତ୍ରିକ ତରାଜୁରେ ସେ ଜବାହରଲାଲ୍ ନେହରୁ ଓ ଲି କୁଆନ୍ ୟୁଙ୍କୁ ସମାନ ଭାବରେ ତଉଲ କରନ୍ତେ ନାହିଁ। କେବଳ ନିଜ ଦେଶ ଭାରତରେ ନୁହେଁ, ତାଙ୍କର ସମସାମୟିକ ପୃଥିବୀରେ ନେହରୁଙ୍କର ଯେଉଁ ଅବିସମ୍ବାଦିତ ପରିଚୟ ଥିଲା ଏବଂ ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଛି, ତାହା ହେଲା ପୃଥିବୀରେ ଉଦାର ଗଣତନ୍ତ୍ରର ପ୍ରସାର ଘଟାଇବା ପାଇଁ ଉଦ୍ୟମ କରିଥିବା ଜଣେ ଅଗ୍ରଗଣ୍ୟ ରାଷ୍ଟ୍ରନେତା ରୂପେ।

ଅପରପକ୍ଷେ ନଗର-ରାଷ୍ଟ୍ର ସିଙ୍ଗାପୁର ଏକ ଗଣତନ୍ତ୍ର ପୋଷାକ ପରିଧାନ କରିଥିଲେ ହେଁ, ପ୍ରାୟ ଅର୍ଦ୍ଧଶତାବ୍ଦୀ କାଳ ସେ ଦେଶର ନିରବଚ୍ଛିନ୍ନ ନିୟନ୍ତ୍ରଣରେ ଥିବା (ସେଥି ମଧ୍ୟରୁ ତିନି ଦଶନ୍ଧିରୁ ଅଧିକ କାଳ ପ୍ରଧାନମନ୍ତ୍ରୀ ରୂପେ) ଲି ଆନ୍ତର୍ଜାତିକ ସ୍ତରରେ ନିଜ ପାଇଁ ଯେଉଁ ପରିଚୟ ସୃଷ୍ଟି କରିଥିଲେ, ତାହାର ବୋଧହୁଏ ନିକଟତମ ତଥା ପ୍ରାଚୀନତମ ଉଦାହରଣ ଯେଉଁଠି ଦେଖିବାକୁ ମିଳିବ, ତାହା ହେଉଛି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ରଚିତ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କର ପ୍ରସିଦ୍ଧ ପୁସ୍ତକ, ‘ରିପବ୍ଲିକ୍’ରେ। ଏଥିରେ ଠାଏ ପ୍ଲାଟୋଙ୍କ ବଡ଼ଭାଇ ଗ୍ଲକନ୍ ଗୁରୁ ସକ୍ରେଟିସ୍‌ଙ୍କୁ ନ୍ୟାୟ, ନୈତିକତା, ଆଇନ, ଶାଳୀନତା ଆଦିର ମୌଳିକ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଆହ୍ବାନ ଦେଇ ଯେଉଁ ଚରିତ୍ରର ଅବତାରଣା କରିଛନ୍ତି, ସେ ହେଉଛନ୍ତି ‘ଲିଡିଆ’ (ଆଧୁନିକ ତୁର୍କୀର ଅଂଶ)ରେ ମର୍ମ‌୍ନାଡ୍ ରାଜବଂଶର ପ୍ରତିଷ୍ଠାତା ରାଜା ଜାଇଜିସ୍।

ଲି କୁଆନ୍ ୟୁଙ୍କୁ ରାଜା ଜାଇଜିସ୍‌ଙ୍କ ସହିତ ତୁଳନା କରିବାର କାରଣ ନୁହେଁ ସିଙ୍ଗାପୁରରେ ‘ଲି’ ‘ରାଜବଂଶ’ ପ୍ରତିଷ୍ଠା କରିବା, କାରଣ ପୃଥିବୀସାରା ତ ଏଭଳି ବଂଶ ପ୍ରତିଷ୍ଠା ଉଦାହରଣମାନ ବିକ୍ଷିପ୍ତ ହୋଇ ରହିଛି; ଜାଇଜିସ୍‌ଙ୍କ ସହିତ ଲି’ଙ୍କର ଅସଲ ସାଦୃଶ୍ୟର କାରଣ ହେଉଛି କାହାଣୀ ଅନୁସାରେ ଜାଇଜିସ୍‌ଙ୍କ ପାଖରେ ଥିବା ଏକ ମ୍ୟାଜିକ୍ ମୁଦ୍ରିକା। ଏହି ମୁଦିଟିକୁ ଆଙ୍ଗୁଳିରେ ଗଳାଇ ଦେବା ମାତ୍ରେ ବ୍ୟକ୍ତିଜଣକ ଅନ୍ୟ ସମସ୍ତଙ୍କ ପାଇଁ ଅଦୃଶ୍ୟ ହୋଇ ଯାଆନ୍ତି। କହିବା ଅନାବଶ୍ୟକ, ଏହି ଅଦୃଶ୍ୟ ଅବସ୍ଥା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅସୀମ କ୍ଷମତାର ଅଧିକାରୀ କରିଦେଇଥାଏ। ଗ୍ଲକନ୍‌ଙ୍କ ପ୍ରଶ୍ନ ଥିଲା, ଏଭଳି ଅସୀମ କ୍ଷମତାର ଅଧିକାରୀ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଆଉ କୌଣସି ସମାଲୋଚନା, ପ୍ରତିକ୍ରିୟା, ଜନମତ, ଆଇନ ଆଦିକୁ ଭୟ ନ କରି ନିଜର ସମସ୍ତ ଅନ୍ତର୍ନିହିତ ପ୍ରବୃତ୍ତିକୁ ଯଦି ଚରିତାର୍ଥ କରିବାରେ ଲାଗିପଡ଼େ, ତାହାକୁ ଅସ୍ବାଭାବିକ ବୋଲି ବିଚାର କରାଯାଇ ପାରିବ କି?

ଏହା କାହାରି ଦୃଷ୍ଟି ଏଡ଼ାଇ ଯାଇନଥିବ ଯେ ଗ୍ଲକନ୍‌ଙ୍କ ଏହି ପ୍ରଶ୍ନରେ ଯାହା ହେଉଛି ଅସଲରେ ପ୍ରାସଙ୍ଗିକ, ତାହା ସେଇ ମ୍ୟାଜିକ୍ ମୁଦ୍ରିକା ନୁହେଁ, ତାହା ହେଉଛି- ଅସୀମ କ୍ଷମତା। ‘ଅସୀମ କ୍ଷମତା’ ପ୍ରସଙ୍ଗ ଉଠିଲେ ଅଧିକାଂଶ ପାଠକପାଠିକାଙ୍କର ଯାହା ମନକୁ ଆସିଯାଉଥିବ, ତାହା ହେଲା ଲର୍ଡ ଆକ୍ଟନ୍‌ଙ୍କର ସୁପରିଚିତ ମନ୍ତବ୍ୟ: ‘‘କ୍ଷମତା ଦୁର୍ନୀତିଗ୍ରସ୍ତ କରାଏ; ଅସୀମ କ୍ଷମତା ଅସୀମ ଦୁର୍ନୀତିଗ୍ରସ୍ତ କରାଏ।’’ ଗ୍ଲକନ୍‌ଙ୍କ ମତ କିନ୍ତୁ ଥିଲା ଏହା ଠାରୁ ଭିନ୍ନ। ସେ ଦର୍ଶାଇବାକୁ ଚାହିଁଥିଲେ ଯେ, ଅସୀମ କ୍ଷମତା ଆମର ଅନ୍ତର୍ନିହିତ ପ୍ରକୃତିକୁ ପରିସ୍ଫୁଟ କରିଥାଏ। ହୁଏତ ଦୁର୍ନୀତି ପ୍ରବଣତା ଜଣେ ବ୍ୟକ୍ତିର ଅନ୍ତର୍ନିହିତ ପ୍ରବୃତ୍ତିର ଅଂଶ ‌ନ ହୋଇପାରେ। ହୁଏତ କଠୋର, ଅଗଣତାନ୍ତ୍ରିକ, ପିତୃସୁଲଭ ନିୟନ୍ତ୍ରଣ ହୋଇଥାଇପାରେ ତା’ର ଚାରିତ୍ରିକ ଦୁର୍ବଳତା। ଯେପରି ଦେଖାଯାଇଥିଲା ଲି କୁଆନ୍ ୟୁଙ୍କ ଠାରେ। ସିଙ୍ଗାପୁରରେ ସେ ଯେଉଁ ଅଖଣ୍ଡ କ୍ଷମତା ଉପଭୋଗ କରିଥିଲେ, ତାହାକୁ ବ୍ୟବହାର କରି ସେ ଏହି କ୍ଷୁଦ୍ର ରାଷ୍ଟ୍ରକୁ ଏକ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ, ଦକ୍ଷ ପ୍ରଶାସନ ପ୍ରଦାନ କରିଥିଲେ ଓ ଚମକପ୍ରଦ ଅର୍ଥନୈତିକ ପ୍ରାଚୁର୍ଯ୍ୟ ଆଣି ଦେଇଥିଲେ। ଗଣତନ୍ତ୍ରର ଅବିଚ୍ଛେଦ୍ୟ ଉପାଦାନ ରୂପେ ବିବେଚିତ ‘ଭିନ୍ନମତ’ ପାଇଁ ଲି’ଙ୍କ ବ୍ୟବସ୍ଥାରେ କିନ୍ତୁ ସାମାନ୍ୟତମ ସୁଯୋଗ ବା ସ୍ଥାନ ନ ଥିଲା।

ଅବଶ୍ୟ ଲି କୌଣସି ମ୍ୟାଜିକ୍ ମୁଦ୍ରିକା ବଳରେ ଏହି ନିରଙ୍କୁଶ କ୍ଷମତା ହାସଲ କରି ନ ଥିଲେ। ନିଜର ବିଚକ୍ଷଣ ବୁଦ୍ଧି, ବାଗ୍ମିତା ଓ ବାହୁବଳ ମାଧ୍ୟମରେ ଏହି କେମ୍ବ୍ରିଜ୍-ଶିକ୍ଷିତ (ନେହରୁଙ୍କ ସହିତ ଏକ ବାହ୍ୟ ସାଦୃଶ୍ୟ) ଆଇନଜ୍ଞ ରାଷ୍ଟ୍ରର ସମସ୍ତ କ୍ଷମତା ନିଜ ହାତରେ ଏପରି ଠୁଳ କରିଥିଲେ ଯେ ଫ୍ରାନ୍‌ସର ସମ୍ରାଟ୍‌ ଚତୁର୍ଦ୍ଦଶ ଲୁଇଙ୍କୁ ଅନୁସରଣ କରି ସେ ଯଦି କହିଥା’ନ୍ତେ, ‘‘ମୁଁ ହେଉଛି ରାଷ୍ଟ୍ର’’, ତାହା ଆଦୌ ଅତିରଞ୍ଜନ ହୁଅନ୍ତା ନାହିଁ। ସେ ନିଜେ ଥିଲେ ତାଙ୍କ ଦେଶର ସମ୍ବିଧାନର ରଚୟିତା ଓ ତର୍ଜମାକାରୀ। ଏହାର ଅସୁମାରି ଉଦାହରଣମାନଙ୍କ ମଧ୍ୟରୁ ଗୋଟିଏ ନମୁନା ଉପରେ ଏଠାରେ ଦୃଷ୍ଟିପାତ କରାଯାଇ ପାରେ। ସାମାଜିକ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରୁଥିବା କ୍ୟାଥଲିକ୍ ଚର୍ଚ୍ଚ ସହିତ ସମ୍ପୃକ୍ତ କେତେକ କର୍ମୀମାନଙ୍କୁ ବିନା ବିଚାରରେ କାରାଗାର‌ରେ ବନ୍ଦୀ କରି ନିର୍ଯାତନା ଦେବା ପରିପ୍ରେକ୍ଷୀରେ ଲି କହିଥିଲେ: ‘‘ସେମାନେ କମ୍ୟୁନିଷ୍ଟ୍ ହୋଇଥାଆନ୍ତୁ, କିମ୍ବା ଭାଷା ଆନ୍ଦୋଳନକାରୀ ହୋଇଥାଆନ୍ତୁ, କିମ୍ବା ଧର୍ମୀୟ ଚରମପନ୍ଥୀ ହୋଇଥାଆନ୍ତୁ; ଆମେ ବିନା ବିଚାରରେ ସେମାନଙ୍କୁ କାରାଗାରରେ ବନ୍ଦ କରି ଦେବୁ।’’

ଲି ନିର୍ଦ୍ଦୟ ଭାବରେ ତାଙ୍କର ରାଜନୈତିକ ପ୍ରତିପକ୍ଷମାନଙ୍କୁ ଯେଉଁଭଳି କ୍ଷମତାର ଅପବ୍ୟବହାର କରି ରାସ୍ତାରୁ ହଟାଇ ଦେଇଥିଲେ, ତାହାର ସର୍ବଶ୍ରେଷ୍ଠ ଉଦାହରଣ ଥିଲେ ସିଙ୍ଗାପୁରର ସର୍ବପ୍ରଥମ ପାର୍ଲିଆମେଣ୍ଟ୍‌ରେ ବିରୋଧୀ ଦଳ ସଦସ୍ୟ ଥିବା ଜେ ବି ଜୟରତ୍ନମ୍। ତାଙ୍କୁ ଉଦ୍ଦେଶ୍ୟ କରି ଲି ଥରେ ଖୋଲାଖୋଲି ଘୋଷଣା କରିଥିଲେ: ‘‘ଯେ ପର୍ଯ୍ୟନ୍ତ ଜେ ବି ଜୟରତ୍ନମ୍ ନିଜର ବିଚାରଧାରା ବହନ କରି ଚାଲିଥିବେ, ଆମେ ସେ ପର୍ଯ୍ୟନ୍ତ ତାଙ୍କୁ ମାଡ଼ ଦେଇ ଚାଲିଥିବୁ। ସମସ୍ତେ ଜାଣନ୍ତି ମୋ ବ୍ୟାଗ୍‌ରେ ଏକ ଟାଙ୍ଗିଆ ଅଛି, ଏବଂ ତାହା ଏକ ଧାରୁଆ ଟାଙ୍ଗିଆ।’’ ନେହରୁ ତାଙ୍କର ରାଜନୈତିକ ବିରୋଧୀ ରାମ ମନୋହର ଲୋହିଆଙ୍କ ପ୍ରତି ଏପରି ଆଭିମୁଖ୍ୟ ପ୍ରଦର୍ଶନ କରିବା କିମ୍ବା ଏଭଳି ଭାଷା ପ୍ରୟୋଗ କରିବା ତାଙ୍କର ଚରମ ଶତ୍ରୁର ମଧ୍ୟ କଳ୍ପନା ବାହାରେ। ବାରମ୍ବାର ମାନହାନି ମକଦ୍ଦମା ମାଧ୍ୟମରେ ଲି ଜୟରତ୍ନମ୍‌ଙ୍କୁ ଦୀର୍ଘ କାଳ କାରାରୁଦ୍ଧ କରିବା ସହିତ ତାଙ୍କ ଠାରୁ କ୍ଷତିପୂରଣ ଆଦାୟ କରି କରି ତାଙ୍କୁ ସର୍ବସ୍ବାନ୍ତ କରି ଦେଇଥିଲେ।

ଲି ସିଏନ୍ ଲୁଙ୍ଗ୍ ମନେ ରଖିବା ଉଚିତ ତାଙ୍କର ପିତା ଯେଉଁ ସିଙ୍ଗାପୁର ଗଠନ କରିଥିଲେ, ତାହା ଭାରତ ଭଳି ଏକ ପ୍ରାଣବନ୍ତ ଗଣତନ୍ତ୍ର ନ ଥିଲା, ତାହା ବରଂ ଥିଲା ଭାରତର କେତେକ ଅଞ୍ଚଳରେ ଦେଖାଯାଉଥିବା ମୁରବି କୈନ୍ଦ୍ରିକ ଖାପ୍ ପଞ୍ଚାୟତମାନଙ୍କ ଭଳି- ଫରକ୍ ଏତିକି, ସିଙ୍ଗାପୁର ହେଉଛି ଏକ ପ୍ରଗତିଶୀଳ ଖାପ୍ ପଞ୍ଚାୟତ। ଏହାକୁ ଗଣତନ୍ତ୍ର ନ କହି, ବରଂ ‘ମୁରବିତନ୍ତ୍ର’ କହିବା ଅଧିକ ଯଥାର୍ଥ ହେବ। କିମ୍ବା ଲି’ଙ୍କ ଆଜ୍ଞାଧୀନ ପୁତ୍ରକନ୍ୟା ରୂପକ ସିଙ୍ଗାପୁରବାସୀମାନଙ୍କୁ ଦୃଷ୍ଟିରେ ରଖି ଏହାକୁ କୁହାଯାଇପାରେ- ‘ପିତୃତନ୍ତ୍ର’।