ସକ୍ରିୟ ନିଷ୍କ୍ରିୟତା

ପ୍ରଥମ ଶତାବ୍ଦୀର ପ୍ରସିଦ୍ଧ ରୋମାନ୍ ଐତିହାସିକ ଟାସିଟସ୍ ତାଙ୍କ ସମୟରେ ଯୁଦ୍ଧ ସଜବାଜ ଚାଲିଥିବା ବେଳେ ଜଣେ ସମ୍ମାନାସ୍ପଦ ଦାର୍ଶନିକଙ୍କର ଶାନ୍ତି ପାଇଁ ଆହ୍ବାନର ପରିଣତି କିଭଳି ହୋଇଥିଲା ତା’ର ଯେଉଁ ଏକ ବର୍ଣ୍ଣନା ତାଙ୍କ ରଚିତ ଇତିହାସରେ କରିଥିଲେ, ତାହା ଏବେ ବି ପ୍ରାସଙ୍ଗିକତା ହରାଇ ନାହିଁ। ୭୦ ଖ୍ରୀଷ୍ଟାବ୍ଦରେ ରୋମ୍‌ର ଦୁର୍ଦ୍ଧର୍ଷ ସୈନ୍ୟମାନେ (ଲିଜନାରି) ଦିଗ୍‌ବିଜୟରେ ବାହାରି ଯେତେ‌େ‌ବଳେ ନଗର ଦ୍ବାରରେ ଠୁଳ ହୋଇଥିଲେ, ସେତେବେଳେ ପ୍ରସିଦ୍ଧ ଦାର୍ଶନିକ ମ୍ୟୁସୋନିଅସ୍‌ ରୁଫସ୍ ସେଠାରେ ପହଞ୍ଚି ସେମାନଙ୍କୁ ଯୁଦ୍ଧରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଯୁଦ୍ଧର ସମସ୍ତ ମନ୍ଦ ଦିଗ ଓ ଶାନ୍ତିର ଆଶୀର୍ବାଦ ସମ୍ବନ୍ଧରେ ଉପଦେଶ ଦେବାକୁ ଆରମ୍ଭ କଲେ। ଟାସିଟସ୍‌ଙ୍କ ବର୍ଣ୍ଣନା ଅନୁସାରେ ଏହାର ଏକମାତ୍ର ପରିଣାମ ସ୍ବରୂପ ସୈନ୍ୟମାନଙ୍କର ଆକ୍ରମଣର ଶିକାର ହୋଇ ମହାନ୍ ଦାର୍ଶନିକ ରୁଫସ୍ କୌଣସିମତେ ନିଜର ପ୍ରାଣ ରକ୍ଷା କରି ସେଠାରୁ ପଳାୟନ କଲେ।

ସଂଯୋଗବଶତଃ ଦିଗ୍‌ବିଜୟରେ ବାହାରି ଥିବା ପୁଟିନ୍‌ଙ୍କ ସୈନ୍ୟମାନେ ଯେତେବେଳେ ୟୁକ୍ରେନ୍‌ର ଦ୍ବାରଦେଶରେ ଠୁଳ ହୋଇଛନ୍ତି, ଭାରତର ଅବସ୍ଥା ଦାର୍ଶନିକ ରୁଫସ୍‌ଙ୍କ ଭଳି ହୋଇଛି ବୋଲି ଯଦି କୁହାଯାଏ, ବିଶେଷ ଅତିରଞ୍ଜନ ହେବ ନାହିଁ। ଏଠାରେ ଯାହା ହେଉଛି ସଂଯୋଗ, ତାହା ହେଲା, ଭାରତ ଠିକ୍ ଏଇ ସମୟରେ ଜାତିସଂଘର ସର୍ବୋଚ୍ଚ ଆନ୍ତର୍ଜାତିକ ଶାନ୍ତି ରକ୍ଷାକାରୀ ଅନୁଷ୍ଠାନ, ନିରାପତ୍ତା ପରିଷଦର ଅନ୍ୟତମ ଏକ ଅସ୍ଥାୟୀ ନିର୍ବାଚିତ ସଦସ୍ୟ ପଦବି ମଣ୍ଡନ କରୁଛି। ନଭେମ୍ବରରେ ରୁଷ୍ ରା‌ଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ୟୁକ୍ରେନ୍ ସୀମାନ୍ତରେ ତାଙ୍କର ସମରସଜ୍ଜା ଆରମ୍ଭ କରିବା ପର ଠାରୁ ଭାରତ ପ୍ରାୟ ଦୁଇ ମାସ ଧରି ନିରବତା ଅବଲମ୍ବନ କରିବା ପରେ ପ୍ରଥମ ଥର ପାଇଁ ୨୮ ଜାନୁଆରିରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଯେଉଁ ବିଧିବଦ୍ଧ ମନ୍ତବ୍ୟ ପ୍ରଦାନ କରିଥିଲା, ତାହା ଦାର୍ଶନିକ ରୁଫସ୍‌ସୁଲଭ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭାରତ କହିଥିଲା: ‘‘ସମ୍ପୃକ୍ତ ଅଞ୍ଚଳରେ ତଥା ସେ ଅଞ୍ଚଳ ବାହାରେ ଦୀର୍ଘସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ନିରବଚ୍ଛିିନ୍ନ କୂଟନୈତିକ ଉଦ୍ୟମ ମାଧ୍ୟମରେ ପରିସ୍ଥିତିର ଏକ ଶାନ୍ତିପୂର୍ଣ୍ଣ ସମାଧାନ ନିମିତ୍ତ ଆମେ ଆହ୍ବାନ ଦେଉଛୁ।’’ ଫେବ୍ରୁଆରି ୧୮ରେ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ପୁଣି ଥରେ ତାଙ୍କର ବକ୍ତବ୍ୟରେ ଭାରତର ଏହି ଆଭିମୁଖ୍ୟ ଦୋହରାଇଥିଲେ। ରୁଫସ୍‌ଙ୍କ ଉପଦେଶ ଓ ଭାରତର ଆହ୍ବାନ ମଧ୍ୟରେ ଅବଶ୍ୟ ଗୋଟିଏ ପାର୍ଥକ୍ୟ ରହିଛି, ଯାହା ସତର୍କ ପର୍ଯ୍ୟବେକ୍ଷକମାନଙ୍କର ଦୃଷ୍ଟି ଏଡ଼ାଇ ନ ଥିବ। ରୁଫସ୍ ରୋମାନ୍ ‘ଲିଜନାରି’ମାନଙ୍କୁ ଦିଗ୍‌ବିଜୟରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଭାରତ କେବଳ ଯୁଦ୍ଧରୁ ନିବୃତ୍ତ ହେବାକୁ ସମ୍ପୃକ୍ତ ପକ୍ଷମାନଙ୍କୁ ଆହ୍ବାନ ଦେଇଛି; ଏଥିରେ କୂଟନୀତି ମାଧ୍ୟମରେ ରୁଷିଆର ୟୁକ୍ରେନ୍‌ ଦଖଲ ସମ୍ଭାବନା ଉନ୍ମୁକ୍ତ ରହିଛି।

ଏଥି ପୂର୍ବରୁ ଫେବ୍ରୁଆରି ପହିଲାରେ ନିରାପତ୍ତା ପରିଷଦରେ ରୁଷିଆର ସୈନ୍ୟ-ସଜ୍ଜା ସମ୍ପର୍କରେ ଏକ ଖୋଲା ବୈଠକ ଆହୂତ ହେବା ପାଇଁ ଆଗତ ଏକ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା; ଭାରତ କିନ୍ତୁ ସେତେବେଳେ ମତଦାନରେ ଅଂଶ ଗ୍ରହଣ କରି ନ ଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନୂଆଦିଲ୍ଲୀସ୍ଥିତ ରୁଷ୍‌ ଦୂତାବାସ ତରଫରୁ ନିରାପତ୍ତା ପରିଷଦରେ ଭାରତର ଏହି ଦୃଷ୍ଟିଭଙ୍ଗୀର ଭୂରି ଭୂରି ପ୍ରଶଂସା କରି ବିବୃତି ପ୍ରଦାନ କରାଯାଇ ଏହାକୁ ‘‘ଏକ ସନ୍ତୁଳିତ, ନୀତିବାନ୍ ଏବଂ ସ୍ବାଧୀନ ଆଭିମୁଖ୍ୟ’’ ରୂପେ ବର୍ଣ୍ଣନା କରାଯାଇଛି। ୟୁକ୍ରେନ୍ ପ୍ରତି ରୁଷିଆର ଆଭିମୁଖ୍ୟ ବୁଝିବାକୁ ହେଲେ ମନେ ରଖିବାକୁ ହେବ ଯେ ସୋଭିଏତ୍ ସଂଘ ଭାଙ୍ଗି ତୁଟି ଯିବା ପରେ ୟୁକ୍ରେନ୍ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇ ଯାଇଥିଲେ ହେଁ ରୁଷିଆର ନେତୃବୃନ୍ଦ ଏହାକୁ ରୁଷିଆର ଏକ ଅବିଚ୍ଛିନ୍ନ ଐତିହାସିକ ଅଂଶ ରୂପେ ଦେଖି ଆସିଛନ୍ତି (ନିକଟରେ ପୁଟିନ୍ ଏହି ମର୍ମରେ ଏକ ବକ୍ତବ୍ୟ ମଧ୍ୟ ପ୍ରଦାନ କରିଛନ୍ତି)। ଏଣୁ ଭାରତ ଶାନ୍ତି ପାଇଁ ଆହ୍ବାନ ଦେଉଥିଲେ ହେଁ, ନିରାପତ୍ତା ପରିଷଦରେ ତା’ର ନିଷ୍କ୍ରିୟତା ରୁଷିଆର ସନ୍ତୋ‌ଷ ବିଧାନ କରିବ‌ାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏହା ହୁଏତ ରୁଷିଆ ତରଫରୁ ଭାରତକୁ ରୁଫସ୍‌ସୁଲଭ ଅଡ଼ୁଆରେ ପଡ଼ିବାରୁ ରକ୍ଷା କରିଛି। କିନ୍ତୁ ୟୁକ୍ରେନ୍ ପ୍ରସଙ୍ଗ ଭାରତ ସମ୍ମୁଖରେ ଯେଉଁ ସମସ୍ୟା ଛିଡ଼ା କରାଇଛି, ତାହା ଏପରି ଜଟିଳ ଯେ ଏହାର ମୁକାବିଲାରେ ଭାରତ ଯେତେ ଚତୁରତା ଓ ସତର୍କତା ଅବଲମ୍ବନ କଲେ ମଧ୍ୟ, ତାହା ଯଥେଷ୍ଟ ହେବ ନାହିଁ। ପୃଥିବୀରେ ଯୁଦ୍ଧର ସମ୍ଭାବନାକୁ ପ୍ରତିହତ କରି ଶାନ୍ତି ରକ୍ଷା କରିବା ପାଇଁ ନିରାପତ୍ତା ପରିଷଦରେ ଯେଉଁ ପାଞ୍ଚଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ‘ଭିଟୋ’ କ୍ଷମତା ଉପଭୋଗ କରୁଛନ୍ତି, ୟୁକ୍ରେନ୍ ସେମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରି ପରସ୍ପରର ମୁହାଁମୁହିଁ କରାଇ ଦେଇଛି। ରୁଷିଆ ଓ ତା’ର ନୂତନ ବନ୍ଧୁ ଚୀନ୍ ଗୋଟିଏ ପଟରେ ଏକାଠି ହୋଇଯାଇଥିବା ବେଳେ, ଆମେରିକା, ଫ୍ରାନ୍‌ସ ଓ ବ୍ରିଟେନ୍ ସେମାନଙ୍କର ମିଳିତ ପ୍ରତିପକ୍ଷ ର‌ୂପେ ଆବିର୍ଭୂତ ହେଲେଣି।

ଭାରତ ପାଇଁ ଏହା ଏକ ଅତ୍ୟନ୍ତ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସ୍ବାଧୀନତା ପର ଠାରୁ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ମୁଖ୍ୟତଃ ରୁଷିଆର ସହଯୋଗ ଉପରେ ନିର୍ଭର କରି ଆସିଛି। ଭାରତ ଏବେ ମଧ୍ୟ ତା’ର ଅଧିକାଂଶ ସାମରିକ ସାଜସରଞ୍ଜାମ ରୁଷିଆରୁ ହିଁ ଆଣିଥାଏ। ଚୀନ୍ ହେଉଛି ଭାରତର ମୁଖ୍ୟ ଶତ୍ରୁ ଦେଶ। ଅତୀତରେ ଚୀନ୍ ଓ ରୁଷିଆ ମଧ୍ୟରେ ରହିଥିବା ତିକ୍ତ ସମ୍ପର୍କ ଭାରତକୁ ବେଶ୍ ସୁହାଉଥିଲା। ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଶତ୍ରୁତା ନିବିଡ଼ ବନ୍ଧୁତାରେ ପରିଣତ ହୋଇ ଯିବା ପରେ ଭାରତ-ଚୀନ୍ ମଧ୍ୟରେ ଯଦି ଯୁଦ୍ଧବିଗ୍ରହ ଦେଖାଦିଏ, ରୁଷିଆ ପୂର୍ବ ଭଳି ଆଉ ଭାରତକୁ ସାହାଯ୍ୟ ସମର୍ଥନ ଯୋଗାଇ ପାରିବ ନାହିଁ।

ଭାରତ ଅବଶ୍ୟ ସାମରିକ ସହଯୋଗ କ୍ଷେତ୍ରରେ କ୍ରମେ ପାଶ୍ଚାତ୍ୟ ମୁହାଁ ହେବାକୁ ଆରମ୍ଭ କଲାଣି। ‘କ୍ବାଡ୍’, ‘ଅକସ୍’ ଭଳି ସାମରିକ ଗୋଷ୍ଠୀ ଗଠନ ମାଧ୍ୟମରେ ଆମେରିକା, ବ୍ରିଟେନ୍ ଆଦି ଶକ୍ତିମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ସମ୍ପ୍ରସାରଣ ଉଦ୍ୟମକୁ ପ୍ରତିହତ କରିବା ପାଇଁ ବାହାରି ପଡ଼ିଛନ୍ତି। କିନ୍ତୁ ଚୀନ୍ ସହିତ ସୀମା ବିବାଦରେ ଏମାନେ କେତେ ଦୃଢ଼ ଭାବରେ ଭାରତ ସପକ୍ଷରେ ଛିଡ଼ା ହେବେ, ତାହା ଜଣା ନାହିଁ। ୟୁକ୍ରେନ୍ ପ୍ରସଙ୍ଗରେ ଭାରତ ଏ ପର୍ଯ୍ୟନ୍ତ ରୁଷିଆ ପ୍ରତି ପ୍ରଦର୍ଶନ କରିଥିବା ମନୋଭାବ ଏହି ପାଶ୍ଚାତ୍ୟ ଶକ୍ତିମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗି ନ ଥିବ। ତେଣୁ ଚୀନ୍ ସହିତ ଭବିଷ୍ୟତ୍‌ରେ କୌଣସି ସମ୍ଭାବ୍ୟ ବିବାଦରେ ଏହା ଯେ ଭାରତ ପ୍ରତି ସେମାନଙ୍କର ଆଚରଣକୁ ପ୍ରଭାବିତ ନ କରିବ, ତାହା କିଏ କହିବ?
ଅପରପକ୍ଷେ ୟୁକ୍ରେନ୍ ନେଇ ଭାରତ ଯଦି ପାଶ୍ଚାତ୍ୟ ଗୋଷ୍ଠୀର ପକ୍ଷଭୁକ୍ତ ହୁଏ, ତାହା ଭାରତ-ରୁଷିଆ ସମ୍ପର୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ପାଶ୍ଚାତ୍ୟ ଦେଶମାନେ ରୁଷିଆ ବିରୋଧରେ ଅର୍ଥନୈତିକ ବାସନ୍ଦ ପ୍ରକ୍ରିୟା ଆରମ୍ଭ କଲେଣି। ଭାରତ ଯଦି ସେମାନଙ୍କ ପକ୍ଷ ନିଏ, ତାକୁ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବାକୁ ହେବ। ଏହା ରୁଷିଆ ସହିତ ଆମର ସମ୍ପର୍କକୁ କେବଳ ଯେ ଅତ୍ୟନ୍ତ ତିକ୍ତ କରିବ ତାହା ନୁହେଁ, ଅର୍ଥନୈତିକ ଦୃଷ୍ଟିରୁ ଭାରତ ପାଇଁ ମଧ୍ୟ ଘୋର କ୍ଷତିକାରକ ହେବ। ‘ଚୀନ୍-ରୁଷିଆ’କୁ ଶତ୍ରୁ ମେଣ୍ଟରେ ପରିଣତ କରି ଏପରି ଏକ ପଦକ୍ଷେପ ଭାରତର ନିରାପତ୍ତାକୁ ସମ୍ପୂର୍ଣ୍ଣ ବିପନ୍ନ କରିବ। ଏଭଳି ପରିସ୍ଥିତିରେ ଭାରତ ଏ ପର୍ଯ୍ୟନ୍ତ ପ୍ରଦର୍ଶନ କରି ଆସିଥିବା ଆଚରଣ ବୋଧହୁଏ ହେଉଛି ସର୍ବୋତ୍ତମ: ଦାର୍ଶନିକ ରୁଫସ୍‌ଙ୍କ ପରି ଶାନ୍ତି ପାଇଁ ଆହ୍ବାନ ଦେଇ ଚାଲୁ, କିନ୍ତୁ ତାଙ୍କ ଭଳି ସକ୍ରିୟ ନ ହୋଇ ନିରାପତ୍ତା ପରିଷଦରେ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ବଜାୟ ରଖି ଚାଲିଥାଉ। ଅର୍ଥାତ୍,- ‘ସକ୍ରିୟ ନିଷ୍କ୍ରିୟତା’।

ସମ୍ବନ୍ଧିତ ଖବର