୨୦୧୬ ମସିହାରେ ଭାଇକି˚ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ‘ଦ କନ୍‌ଫିଡେନ୍‌ସ ଗେମ୍‌, ହ୍ବାଇ ଵି ଫଲ୍‌ ଫର୍‌ ଇଟ୍‌, ଏଭ୍ରିଟାଇମ୍‌’ (ପ୍ରତ୍ୟୟର ଖେଳ, ଆମେ କାହିଁକି ଏଥିରେ ଫସୁ, ପ୍ରତ୍ୟେକ ଥର)ର ଲେଖିକା ମାରିଆ କେମନିକୋଭାଙ୍କ ସହିତ ଏକ ଚମତ୍କାର ସାକ୍ଷାତ୍‌କାର କାଳରେ ‘କେଉଁମାନେ ଠକି ହୋଇ ଯିବାର ସମ୍ଭାବନା ସର୍ବାଧିକ?’ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ‘ସମସ୍ତେ’। ତା’ ପରେ ଏହାକୁ ବୁଝାଇବାକୁ ଯାଇ ସେ କହିଥିଲେ ଯେ କୌଣସି ବିଜ୍ଞାପନରୁ ଗୋଟିଏ ଦ୍ରବ୍ୟର ଶ୍ରେଷ୍ଠତ୍ବକୁ ବିଶ୍ବାସ କରି ତାକୁ ଖର୍ଦ୍ଦି କରିବାର ପ୍ରବଣତା ହେଉଛି ଆମେ ପ୍ରତ୍ୟେକ ପ୍ରତ୍ୟହ ଶିକାର ହେଉଥିବା ମୃଦୁ ପ୍ରତାରଣାର ଦୃଷ୍ଟାନ୍ତ; ଯାହା ହୁଏ’ତ କେବେ କେମିତି ବଡ଼ ପ୍ରତାରଣା ମଧ୍ୟ ହୋଇଯାଇପାରେ। କିନ୍ତୁ ବିଡ଼ମ୍ବନା ହେଲା ବଡ଼ବଡ଼ ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ‘ନିର୍ବୋଧ’ କିମ୍ବା ‘ଅପରିଣାମଦର୍ଶୀ’ ଅଥବା ‘ଲୋଭୀ’ ଭଳି ଶାଣିତ କଟାକ୍ଷର ଶରବ୍ୟ ହେବା ଭୟରେ ଏ ସ˚ପର୍କରେ ସ୍ବର ଉଠାଇ ନ ଥାଆନ୍ତି, ଯାହା ଧୁରନ୍ଧର ଠକମାନଙ୍କୁ ଦୀର୍ଘ କାଳ ଧରି ସେମାନଙ୍କ ଜାଲ ବୁଣିବାର ଅପୂର୍ବ ସୁଯୋଗ ପ୍ରଦାନ କରିଥାଏ। ତାହା ହୋଇ ନ ଥିଲେ ୬୪ ବର୍ଷ ବୟସ୍କ, ସ୍ବଳ୍ପ ଶିକ୍ଷିତ (ତା’ ମା’ଙ୍କ କହିବା ଅନୁସାରେ ମାତ୍ର ଦଶମ ପର୍ଯ୍ୟନ୍ତ ଶିକ୍ଷା), ଖର୍ବକାୟ ଏବ˚ ଅତ୍ୟନ୍ତ ସାଧାରଣ ଦର୍ଶନ ବ୍ୟକ୍ତି ରମେଶ ସ୍ବାଇଁ ଦେଶର ବିଭିନ୍ନ ସ୍ଥାନରେ ୨୭ ଜଣ ମହିଳାଙ୍କୁ ପ୍ରବଞ୍ଚନା ପୂର୍ବକ ବିବାହ କରି ସେମାନଙ୍କ ଠାରୁ ଅଜସ୍ର ଅର୍ଥ ଓ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଠକି ନେଇ ଏକ ଅଖିଳ ଭାରତୀୟ କୁଖ୍ୟାତି ଅର୍ଜନ କରିବାରେ ସମର୍ଥ ହୋଇ ନ ଥାଆନ୍ତା। କେବଳ ସେତିକି ନୁହେଁ, ତା’ ପ୍ରତାରଣା ଦ୍ବାରା ପୀଡ଼ିତା ମହିଳାମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କଲେ ସେମାନଙ୍କ ମଧୢରେ ଡାକ୍ତର, ସୁପ୍ରିମ୍‌ କୋର୍ଟ‌୍ର ଓକିଲ, ଚାର୍ଟାର୍ଡ‌୍ ଆକାଉଣ୍ଟାଣ୍ଟ୍‌, କେରଳ ପ୍ରଶାସନିକ ସେବାର ଅଧିକାରୀ, ଶିକ୍ଷୟିତ୍ରୀ ଏବ˚ ‘ଇଣ୍ତୋ-ତିବ୍ବତୀୟ ବର୍ଡର ପୁଲିସ’ ବା ‘ଆଇଟିବିପି’ର ଅଧିକାରୀ ବିଦ୍ୟମାନ ଥାଇ କେବଳ ମାରିଆଙ୍କ ପ୍ରଦତ୍ତ ବୟାନକୁ ସାବ୍ୟସ୍ତ କରନ୍ତି ଯେ ‘ପ୍ରତ୍ୟେକ’ ବ୍ୟକ୍ତି ପ୍ରବଞ୍ଚନାର ଶିକାର ହେବାକୁ ଯୋଗ୍ୟ! ସୁତରା˚, ଏହି ପ୍ରସଙ୍ଗରେ ଯେଉଁ ପ୍ରଶ୍ନଟି ମୁଣ୍ତ ଟେକିଥାଏ, ତାହା ହେଲା ‘ବିଶ୍ବାସ ହାନି’ ବର୍ତ୍ତମାନ ସମୟର ଏକ ଯୁଗ-ଚରିତ୍ର ବୋଲି କୁହାଯାଉଥିବା ବେଳେ ପ୍ରତି ଦିନ ଅସୁମାରି ବ୍ୟକ୍ତି ଅନ୍ୟ ଉପରେ ସରଳ ବିଶ୍ବାସ ସ୍ଥାପନ କରି ପ୍ରତାରଣାର ଶିକାର ହେବାରେ ଲାଗିଛନ୍ତି କାହିଁକି?

Advertisment

ଏହାର ଏକ ଉଦାହରଣ ରୂପେ ଚିଟ୍‌ ଫଣ୍ତ୍‌ ଠକେଇକୁ ଦେଖାଯାଉ। ଲକ୍ଷ ଲକ୍ଷ ବ୍ୟକ୍ତି ଏଭଳି ସ˚ସ୍ଥାରେ ଅର୍ଥ ଜମା ରଖି ସର୍ବସ୍ବାନ୍ତ ହୋଇ ଚାଲିଥିଲେ ସୁଦ୍ଧା ଶହ ଶହ ସନ୍ଦିଗ୍‌ଧ ଚିଟ୍‌ ଫଣ୍ତ୍‌ କ˚ପାନି ଅତ୍ୟନ୍ତ ସକ୍ରିୟ ଏବ˚ ଠକି ହେବାର ଭୟକୁ ନିଜ ମନର ପଛ ଅଗଣାରେ ରଖି ହଜାର ହଜାର ଜମାକାରୀ ସେଥିରେ ଅର୍ଥ ଜମା କରି ଚାଲିଛନ୍ତି। ମାରିଆ କେମନିକୋଭା ତାଙ୍କର ପୁସ୍ତକଟି ରଚନା କଲା ବେଳେ ପୃଥିବୀର ଅତ୍ୟନ୍ତ ବିଚକ୍ଷଣ ଠକମାନଙ୍କ ଗତିବିଧି ତଥା ସେମାନଙ୍କ ମନସ୍ତତ୍ତ୍ବର ଗଭୀର ଅନୁଶୀଳନ କରିବା ସହିତ ସେମାନଙ୍କ ଦ୍ବାରା ଶିକାର ବ୍ୟକ୍ତିବିଶେଷମାନଙ୍କୁ ମଧୢ ଅତି ନିକଟରୁ ଅନୁଧୢାନ କରିଛନ୍ତି। ତାଙ୍କ ମତରେ ଜୀବନରେ କୌଣସି ଏକ ବଡ଼ ପରିବର୍ତ୍ତନ ମଧୢ ଦେଇ ଗତି କରୁଥିବା ବ୍ୟକ୍ତିମାନେ ଯେଉଁ ଆବେଗଗତ ତାରଲ୍ୟର ଅଧିକାରୀ ହୋଇଥାଆନ୍ତି, ତାହା ସେମାନଙ୍କୁ ପ୍ରବଞ୍ଚନାର ସର୍ବାଧିକ ଯୋଗ୍ୟ ଶିକାରରେ ପରିଣତ କରେ। ବୋଧହୁଏ, ସେହି କାରଣରୁ ଦୀର୍ଘ କାଳର ଚାକିରି ପରେ ଅବସର ନେଇଥିବା ବ୍ୟକ୍ତି ଅଥବା ବିଧିିବଦ୍ଧ ଶିକ୍ଷା ଲାଭ ପରେ ଏକ ଈପ୍‌ସିତ କର୍ମସ˚ସ୍ଥାନ ପାଇ ପାରି ନ ଥିବା ଯୁବକ-ଯୁବତୀମାନେ ଯଥାକ୍ରମେ ଚିଟ୍‌ ଫଣ୍ତ୍‌ ସ˚ସ୍ଥା ଏବ˚ ଚାକିରି ଦେବାର ଅଭିନୟ କରୁଥିବା ଠକ ଅନୁଷ୍ଠାନର ଶିକାର ହୁଅନ୍ତି। ଅନେକ ବର୍ଷ ଧରି ପୃଥିବରେ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ଡେଲ୍‌ କାର୍ନେଗୀଙ୍କ ରଚିତ ‘ହାଉ ଟୁ ଵିନ୍‌ ଏଣ୍ତ୍‌ ଇନ୍‌ଫ୍ଲୁଏନ୍‌ସ ପିପୁଲ୍‌’(ଲୋକମାନଙ୍କୁ କେମିତି ଜିଣିବ ଏବ˚ ପ୍ରଭାବିତ କରିବ)କୁ ଠକାମି ବିଦ୍ୟାର ଶିକ୍ଷାନବୀସମାନଙ୍କ ଏକ ବାଇବେଲ ରୂପେ ଅନେକ ଅଭିହିତ କରନ୍ତି। କିନ୍ତୁ, ସତ କହିଲେ ଏହା ହେଉଛି ଏକ ‘ଅଗୁରୁ ବିଦ୍ୟା’ ଏବ˚ ଜଣେ କେବଳ ସ୍ବୀୟ ପ୍ରତିଭା(ଯଦି ତାକୁ ପ୍ରତିଭା ବୋଲି କୁହାଯାଏ?) ବଳରେ ବିଚକ୍ଷଣ ଠକରେ ପରିଣତ ହୋଇପାରେ। କହିବା ଅନାବଶ୍ୟକ ଯେ ସ୍ବଳ୍ପ ଶିକ୍ଷିତ ରମେଶ ସ୍ବାଇଁ ସମ୍ଭବତଃ ସେହିଭଳି ଚକ୍ଷୁର ଅଧିକାରୀ, ଯାହା ଅନ୍ୟର ‘ମନ ଗହନ’କୁ ଭେଦ କରିପାରେ, ଯେଉଁ ପ୍ରତିଭାକୁ ସେ ତା’ର ସାମ୍ରାଜ୍ୟ ବିସ୍ତାରରେ ବ୍ୟବହାର କରିଛି।

କହିବା ବାହୁଲ୍ୟ ଯେ ପ୍ରତ୍ୟେକ ପ୍ରବଞ୍ଚକ ନିଜକୁ ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତିି ରୂପେ ହୃଦ୍‌ବୋଧ କରାଇବାରେ ସଫଳ ହୁଅନ୍ତି, ଯାହା ସେମାନଙ୍କୁ ବିଶ୍ବାସାସ୍ପଦ କରେ। ସେମାନଙ୍କ ନିକଟରେ ‘ସାଇକୋପାଥ୍‌’ସୁଲଭ ନିର୍ଦ୍ଦୟତା ମଧୢ ରହିଥାଏ, ଯଦ୍ଦ୍ବାରା ସେମାନଙ୍କ ଠକାମିର ଶିକାରମାନେ ଭବିଷ୍ୟତ୍‌ରେ ଦାରୁଣ ମାନସିକ ଆଘାତ ପାଇବାର ସମ୍ଭାବନା ଥିଲେ ସୁଦ୍ଧା ସେଥି ଲାଗି ସେମାନେ ଆଦୌ ବିଚଳିତ ନ ଥାଆନ୍ତି। ତେଣୁ ମାରିଆଙ୍କ ଅନୁସାରେ ଜଣେ ବିଚକ୍ଷଣ ଠକ (ରମେଶ ସ୍ବାଇଁ ଭଳି)ର ଶରୀରରେ ଯଦି କୌଣସି ଜିନ୍‌ଗତ ତ୍ରୁଟି ରହନ୍ତା, ତେବେ ସେ ଅନାୟାସରେ ଜଣେ ‘ସିରିଆଲ୍‌’ ହତ୍ୟାକାରୀରେ ମଧୢ ପରିଣତ ହୋଇ ପାରନ୍ତା। ମାରିଆଙ୍କ ତତ୍ତ୍ବ କହିଥାଏ ଯେ ଏଭଳି ଠକମାନଙ୍କ ଚରିତ୍ରରେ ଥାଏ ଗ୍ରୀକ୍‌ ପୌରାଣିକ ଚରିତ୍ର ‘ନାର୍ସିସସ୍‌’ଙ୍କ କିଛି ଉପାଦାନ, ଯଦ୍ଦ୍ବାରା ସେମାନେ ‘ନାର୍ସିସସ୍‌’ ଭଳି ‘ଆତ୍ମ-ମଗ୍ନ’ ରହି ଯାହା କରୁଛନ୍ତି ତାହା ଯଥାର୍ଥ ବୋଲି ନିଜେ ନିଜକୁ ସ୍ବୀକୃତି ପ୍ରଦାନ କରନ୍ତି। ଏହା ସହିତ ସେମାନଙ୍କ ମାନସିକତାରେ ମାକିଆଭେଲିଙ୍କ ଦର୍ଶନର ଯେଉଁ ଛିଟା ଦେଖିବାକୁ ମିଳେ, ତାହା ହେଲା କୌଣସି ବସ୍ତୁକୁ ହାସଲ କରିବା ଲାଗି କଳ-ବଳ-କୌଶଳର ପ୍ରୟୋଗ।

ତେଣୁ କହିବା ଅନାବଶ୍ୟକ ଯେ ରମେଶ ସ୍ବାଇଁ ହେଉଛି ‘ପ୍ରବଞ୍ଚକ’ର ଏକ ଶାସ୍ତ୍ରୀୟ ଉଦାହରଣ। ନିଜର ପରିଚୟକୁ ସନ୍ଦେହର ଊର୍ଦ୍ଧ୍ବରେ ରଖିବା ଲାଗି ନକଲି ପରିଚୟ ପତ୍ରମାନ ତିଆରି କରିବା ବା ଅନ‌୍ଲାଇନ୍‌ ବିବାହ ସାଇଟ୍‌କୁ ଯାଇ ନିଃସଙ୍ଗ ବା ବିଧବା ବା ଅସୁରକ୍ଷିତ ଭାବନା ଦ୍ବାରା ଜର୍ଜର ମହିଳାମାନଙ୍କୁ ଚିହ୍ନଟ କରିବା ତା’ର ସେହି ମନ-ଭେଦୀ ବୋଧ ଶକ୍ତିକୁ ଦର୍ଶାଏ। ସେ ଏ ନେଇ ମଧୢ ସମ୍ଭବତଃ ନିଶ୍ଚିତ ଥିବ ଯେ ତା’ର ପ୍ରତାରଣାର ଶିକାର ହୋଇଥିବା ମହିଳାମାନେ କଟାକ୍ଷ ଏବ˚ ଲା˚ଛନାର ଶିକାର ହେବା ଭୟରେ ଅଭିଯୋଗ କରିବାକୁ ଚାହିବେ ନାହିଁ। ତେବେ ଏହା ଯେ କେବଳ ରମେଶ ସ୍ବାଇଁ କ୍ଷେତ୍ରରେ ଘଟିଛି, ତାହା ନୁହେଁ; ପୃଥିବୀର ଅନ୍ୟତମ ସର୍ବାଧିକ କୁଖ୍ୟାତ ଠକ ଫର୍ଡିନାଣ୍ତ କାଲୋର୍ସ ଡିମେରା ମଧୢ ଦୀର୍ଘକାଳ ଧରି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ କାନାଡାର ନୌ ବାହିନୀ ଏବ˚ ଆମେରିକାର ଫେଡରାଲ ଜେଲ୍‌ ବ୍ୟବସ୍ଥାକୁ ପ୍ରତାରଣାର ଜାଲରେ ଛନ୍ଦି ଦେଇଥିବା ସତ୍ତ୍ବେ ତା’ ବିରୋଧରେ କୌଣସି ଅଭିଯୋଗ ହୋଇ ନ ଥିଲା ଏବ˚ ତାକୁ ତା’ ଜୀବନ କାଳ ଭିତରେ ମାତ୍ର ଛଅ ମାସ ଲାଗି ଜେଲ୍‌ ଭୋଗିବାକୁ ପଡ଼ିଥିଲା। ଏହା ମଧୢ କୁହାଯାଏ ଯେ ଡିମେରାର ଜୀବନୀ ପୁସ୍ତକର ରଚୟିତା ମଧୢ ପରିଶେଷରେ ତା’ ଠକାମିର ଶିକାର ହୋଇଥିଲେ।

ରମେଶ ସ୍ବାଇଁ ଯେଉଁ ଦିଲ୍ଲୀ ନିବାସୀ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ଧରାପଡ଼ିଲା, ସେ ତାଙ୍କ ବାଲ୍ୟ ଜୀବନର ଅନେକ ବର୍ଷ ଓଡ଼ିଶାରେ ଅତିବାହିତ କରିଥିଲେ। ତାଙ୍କ ବୟାନରେ ସେ କହିଛନ୍ତି ଯେ ରମେଶ ଉପରେ ତାଙ୍କ ବିଶ୍ବାସ ସ୍ଥାପନର ଏକ ବଡ଼ କାରଣ ଥିଲା ଯେ ସେ ଜଣେ ଓଡ଼ିଆ ଏବ˚ ଓଡ଼ିଆମାନେ ସାଧାରଣତଃ ସରଳ ଏବ˚ କାହାକୁ ଠକନ୍ତିି ନାହିଁ। ତ୍ରେତୟା ଯୁଗରେ ସୀତା ମାତାଙ୍କ ମନରେ ବିଶ୍ବାସ ସ୍ଥାପନ କରିବା ଲାଗି ତାଙ୍କ ଅପହର୍ତ୍ତା ଦୁଷ୍ଟ ରାବଣ ଏକ ଛଳ ସାଧୁ ବେଶ ଧାରଣ କରିଥିଲା। କହିବା ବାହୁଲ୍ୟ ଯେ ସେହି ଦିନ ଠାରୁ ସାଧୁମାନଙ୍କ ଭାବମୂର୍ତ୍ତିରେ ଯେଉଁ କାଳିମା ବୋଳି ହୋଇଗଲା, ତାହା ଏବେ ସୁଦ୍ଧା ସେମାନଙ୍କୁ ଅନେକ ସମୟରେ ସନ୍ଦେହର ଛାୟାଲୋକ ମଧୢରେ ରଖିଥାଏ। ବର୍ତ୍ତମାନ ଓଡ଼ିଆମାନଙ୍କ ଭାବମୂର୍ତ୍ତି ଉପରେ ରମେଶ ସ୍ବାଇଁ ଏକ ରାବଣ ତୁଲ୍ୟ ଆଘାତ ପ୍ରଦାନ କରିଛି ବୋଲି କହିଲେ ଭୁଲ୍ ହେବ ନାହିଁ।