ଜଣେ କମେଡିଆନଙ୍କ ଟ୍ରାଜେଡି
ୟୁକ୍ରେନ୍ରେ ଏକଦା ପ୍ରସାରିତ ହେଉଥିବା ହାସ୍ୟରସ ଭରା ଟେଲିଭିଜନ ଧାରାବାହିକ ‘ଦ ସର୍ଭାଣ୍ଟ ଅଫ୍ ଦ ପିପୁଲ୍’ (ଜନତାଙ୍କ ଦାସ)ରେ ଦର୍ଶାଯାଇଥିଲା କିଭଳି ତାହାର ନାୟକ ଯିଏ ଜଣେ ଇତିହାସର ଅଧୢାପକ, ଶ୍ରେଣୀରେ ଶିକ୍ଷାଦାନ କରୁଥିବା ବେଳେ ସରକାରଙ୍କ ଦୁର୍ନୀତି ବିରୋଧରେ ତାଙ୍କର ଆବେଗ-ଆପ୍ଳୁତ ବିଷୋଦ୍ଗାରକୁ ତାଙ୍କ ଅଗୋଚରରେ ତାଙ୍କର ଜଣେ ଛାତ୍ର ଭିଡିଓ ରେକର୍ଡି˚ କରି ଭାଇରାଲ୍ କରିବା ପରେ ସେ ଏଭଳି ପ୍ରସିଦ୍ଧି ଏବ˚ ଲୋକପ୍ରିୟତା ଅର୍ଜନ କରିଛନ୍ତି ଯେ ଘଟଣା କ୍ରମେ ସେ ବିନା ପ୍ରଚାରରେ ନିର୍ବାଚନ ଜିଣି ୟୁକ୍ରେନ୍ର ରାଷ୍ଟ୍ରପତିରେ ପରିଣତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏକ ଅପୂର୍ବ ସ˚ଯୋଗ ରୂପେ ସେହି ଧାରାବାହିକରେ ଇତିହାସ ଅଧୢାପକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୋଲିଡିମିର୍ ଜେଲେନ୍ସ୍କି ୨୦୧୯ ମସିହାରେ ବାସ୍ତବରେ ବିପୁଳ ଜନ ସମର୍ଥନ ବଳରେ ୟୁକ୍ରେନ୍ରେ ରାଷ୍ଟ୍ରପତିରେ ପରିଣତ ହେଲେ। ତେବେ, ସେ ରାଷ୍ଟ୍ରପତି ହେବା ପରେ କରୋନା ପାନ୍ଡେମିକ୍ କାରଣରୁ ୟୁକ୍ରେନ୍ ଏକ ଅତ୍ୟନ୍ତ କଠିନ ସମୟ ଦେଇ ଗତି କଲା ଏବ˚ ଏଭଳି ସ୍ଥିତିରେ ରାଜନୀତିରେ ସ˚ପୂର୍ଣ୍ଣ ନବାଗତ ଜେଲେନ୍ସ୍କିଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିବା ମଧୢ ଆରମ୍ଭ ହୋଇଗଲା। ଏହିଭଳି ଏକ କ୍ଷଣରେ ରୁଷିଆ ଦ୍ବାରା ୟୁକ୍ରେନ୍ ଉପରେ ଆରମ୍ଭ ହୋଇଯାଇଥିବା ଭୟାବହ ଆକ୍ରମଣ ତାଙ୍କୁ ସ୍ବାଭାବିକ ଭାବେ ହତଭମ୍ବ କରି ପକାଇଥିବ ବୋଲି ଯେତେବେଳେ ଏକ ଧାରଣା ସୃଷ୍ଟି ହେବାରେ ଲାଗିଥିଲା, ସେତିକି ବେଳେ ତା’ର ବିପରୀତଟି ଘଟି ତାଙ୍କ ଚରିତ୍ରର ଯେଉଁ ଦିଗଟି ସହସା ଉଦ୍ଭାସିତ ହୋଇଛି, ତାହା ସତେ ଯେମିତି ସମଗ୍ର ପୃଥିବୀର ଆଖି ଖୋଲି ଦେଇଛି! ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଭୋଲିଡିମିର ଜେଲେନ୍ସ୍କି ଜନ୍ମ ଗ୍ରହଣ କରିଥିବା ଶିଳ୍ପ ବହୁଳ ଅଞ୍ଚଳ ‘କ୍ରାଇଭି ରି’ ହେଉଛି ପୂର୍ବ-ୟୁକ୍ରେନ୍ ଅନ୍ତର୍ଗତ, ଯେଉଁଠି ରୁଷୀୟ ଭାଷୀମାନଙ୍କ ପ୍ରଭାବ ଅଧିକ ଏବ˚ ପୂର୍ବ-ୟୁକ୍ରେନ୍ର ଅଞ୍ଚଳମାନ ରୁଷିଆ ପ୍ରତି ଅତ୍ୟନ୍ତ ଅନୁରକ୍ତ ବୋଲି ବିଚାର କରାଯାଇଥାଏ। ତରୁଣ ଜେଲେନ୍ସ୍କି ଜଣେ ହାସ୍ୟ ଅଭିନେତା ଭାବେ ନିଜର କ୍ୟାରିଅର୍ ଗଢ଼ିବା ଅଭିପ୍ରାୟରେ କିଛି ବନ୍ଧୁଙ୍କୁ ନେଇ ଯେଉଁ ଦଳ ତିଆରି କରିଥିଲେ, ତାହା ଅବଲୀଳା କ୍ରମେ ଉଭୟ ରୁଷିଆ ଏବ˚ ୟୁକ୍ରେନ୍ରେ ଅତ୍ୟନ୍ତ ଲୋକପ୍ରିୟ ହେବା ସହିତ ତାଙ୍କୁ ମନୋର˚ଜନର ଦୁନିଆରେ ଏକ ପ୍ରଭାବଶାଳୀ ପଦଚିହ୍ନ ସୃଷ୍ଟି କରିବାରେ ସହାୟକ ହୋଇଥିଲା। କ୍ରମେ ସେ ହୋଇ ପଡ଼ିଥିଲେ ଟେଲିଭିଜନ ଧାରାବାହିକର ଜଣେ ସର୍ବାଧିକ ଲୋକପ୍ରିୟ ହାସ୍ୟାଭିନେତା। କହିବା ଅନାବଶ୍ୟକ ଯେ ଏହି ଲୋକପ୍ରିୟତା ହିଁ ତାଙ୍କୁ ୨୦୧୯ ମସିହାରେ ନିର୍ବାଚନ ଜିତାଇବାରେ ସହାୟକ ହୋଇଥିଲା। କିନ୍ତୁ ସେତେବେଳକୁ ସେ ଭ୍ଲାଡିମିର ପୁଟିନଙ୍କ ଚକ୍ଷୁଶୂଳ ହୋଇ ସାରିଥିଲେ। କାରଣ ଏହାର ପାଞ୍ଚ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୪ ମସିହାରେ ପୁଟିନଙ୍କ ଦ୍ବାରା ବଳ ପୂର୍ବକ କ୍ରିମିଆ ଦଖଲ ପରେ ଜେଲେନ୍ସ୍କି ୟୁକ୍ରେନ୍ର ଦୁର୍ବଳ ସେନାବାହିନୀ ସକାଶେ ଅକୃପଣ ଅର୍ଥ ଦାନ କରିଥିଲେ। ତା’ ସହିତ ନିଜର ପ୍ରଡକ୍ସନ କଂପାନିକୁ ପୂର୍ବ-ୟୁକ୍ରେନ୍ରୁ ସ୍ଥାନାନ୍ତର କରି ରାଜଧାନୀ କିଏଭ୍କୁ ଘେନି ଆଣିଥିଲେ। ଏହି ସମୟରେ ଯାହା ତାଙ୍କୁ ଗଭୀର ଭାବେ ବିବ୍ରତ କରିଥିଲା, ତାହା ହେଉଛି ୟୁକ୍ରେନ୍କୁ ଆକ୍ରାନ୍ତ କରିଥିବା ସରକାରୀ ଦୁର୍ନୀତି। ସୁତରା˚, ଦୁର୍ନୀତି ନିବାରଣ କରିବାର ଲକ୍ଷ୍ୟକୁ ମୂଳ ପୁଞ୍ଜି କରି ସେ ନିର୍ବାଚନକୁ ଓହ୍ଲାଇ ଥିଲେ। ପ୍ରକାଶ ଥାଉ କି ଜେଲେନ୍ସ୍କି ୟୁରୋପୀୟ ଉଦାରବାଦ ଏବ˚ ଗଣତାନ୍ତ୍ରିକ ମୂଲ୍ୟବୋଧର ଜଣେ ଦୃଢ଼ ସମର୍ଥକ ଥିବାରୁ ତାଙ୍କ ବିଜୟ ୟୁକ୍ରେନ୍ବାସୀଙ୍କ ମନରେ ବିକାଶର ଏକ ନୂତନ ସମ୍ଭାବନା ମଧୢ ସୃଷ୍ଟି କରିଥିଲା।
ତେବେ, ଜେଲେନ୍ସ୍କି ରାଷ୍ଟ୍ରପତି ହେବା ପରେ ପରେ ତାଙ୍କର ତୀବ୍ର ସମାଲୋଚକମାନେ କହିବା ଶୁଣାଯାଇଥିଲା ଯେ ରୁଷୀୟ-ଭାଷୀ ଜେଲେନ୍ସ୍କି ପ୍ରକୃତରେ ହେଉଛନ୍ତି ପୁଟିନଙ୍କ ଏଜେଣ୍ଟ୍, ଯିଏ ଅଚିରେ ସମଗ୍ର ୟୁକ୍ରେନ୍କୁ ରୁଷିଆ ହାତରେ ହିଁ ଅର୍ପଣ କରିଦେବେ। ଏବ˚ ସେ କ୍ଷମତାସୀନ ହେବା ପରେ ମଧୢ ଉଚ୍ଚ ସ୍ତରୀୟ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଲାଗି ରହିବାରୁ ତାହା ପ୍ରାରମ୍ଭିକ ଆଶା ଓ ଉତ୍କଣ୍ଠା ଦୂର କରି ଅନେକ ନାଗରିକଙ୍କ ମଧୢରେ ହତାଶା ସୃଷ୍ଟି କରିଥିଲା। ସେହି ପରିପ୍ରେକ୍ଷୀରେ ଗଲା ଫେବ୍ରୁଆରି ୨୧ ତାରିଖରେ ‘ଦ ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ଆଲେଖ୍ୟ ପ୍ରଣିଧାନଯୋଗ୍ୟ, ଯହିଁରେ ସ୍ତମ୍ଭକାର ଓଲ୍ଗା ରୁଡେଙ୍କୋ ଲେଖିଛନ୍ତି ଯେ ଜେଲେନ୍ସ୍କି ଯେଉଁ ଆଶାର ସ˚ଚାର କରିଥିଲେ, ତାହା ମଳିନ ପଡ଼ିଯାଇଛି। ସେ ତାଙ୍କ ଲୋକପ୍ରିୟତା ହରାଇବାରେ ଲାଗିଛନ୍ତି। ଯଦି ୨୦୨୨ ମସିହାରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୁଅନ୍ତା, ତେବେ ସେ ମାତ୍ର ୨୫ ପ୍ରତିଶତ ଭୋଟ ଲାଭ କରନ୍ତେ। ଲୋକମୁଖରେ ଏଭଳି କଥା ଶୁଣାଯିବାରେ ଲାଗିଛି ଯେ ଜଣେ ‘କମେଡିଆନ୍’ ଦ୍ବାରା ରାଷ୍ଟ୍ର ପରିଚାଳନା ଭଳି ଜଟିଳ କାର୍ଯ୍ୟ ସ˚ପାଦନ ଏକ ଅସମ୍ଭବ ବ୍ୟାପାର। ଏଭଳି ଏକ ସ୍ଥିତିରେ ଏହା ପ୍ରାୟ ନିଶ୍ଚିତ ଯେ ୟୁକ୍ରେନ୍ର ରାଜଧାନୀ କିଏଭ୍ ଉପରେ ରୁଷିଆର ପ୍ରଚଣ୍ତ ଆକ୍ରମଣ ନାଗରିକମାନଙ୍କୁ ଏକ କି˚କର୍ତ୍ତବ୍ୟବିମୂଢ଼ତା ମଧୢକୁ ନିକ୍ଷେପ କରିଥିବ। କିନ୍ତୁ, ଏବେ ସହସା ଏଥିରେ ଯେଉଁ ଏକ ଅଚିନ୍ତନୀୟ ମୋଡ଼ର ଆବିର୍ଭାବ ଘଟିଛି, ତାହା ୟୁକ୍ରେନବାସୀଙ୍କ ମନରେ ଏକ ଅଭିନବ ରୋମାଂଚ ଖେଳାଇ ଦେଇଥିବା ନିଶ୍ଚିତ। ତାହା ହେଲା ୟୁକ୍ରେନ୍ବାସୀଙ୍କ ସହିତ ମିଶି କିଏଭ ଓ ତାର ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଜେଲେନ୍ସ୍କିଙ୍କ ଦ୍ବାରା ପ୍ରଦତ୍ତ ଏକ ନିର୍ଣ୍ଣାୟକ ଯୁଦ୍ଧର ଆହ୍ବାନ; ଯହିଁରେ ଯୁଦ୍ଧର ଅଗ୍ରଭାଗରେ ତାଙ୍କୁ ହିଁ ଛିଡ଼ା ହୋଇଥିବାର ଦେଖିବାକୁ ମିଳିବ।
ଏହି ଘଡ଼ିସନ୍ଧି କ୍ଷଣରେ ୟୁରୋପୀୟ ରାଷ୍ଟ୍ର ମୁଖ୍ୟମାନଙ୍କ ସହିତ ଏକ ଭିଡିଓ କନ୍ଫରେନ୍ସି˚ ସମୟରେ ଜେଲେନ୍ସ୍କିି ଏକ ଭାଗ୍ୟବାଦୀ ଭବିଷ୍ୟବାଣୀ ପ୍ରଦାନ ପୂର୍ବକ କହିଛନ୍ତି ଯେ ଏହା ଅତ୍ୟନ୍ତ ସମ୍ଭବ ଯେ ଏହି ଯୁଦ୍ଧ ପରେ ସେ ଆଉ ଜୀବିତ ଥାଇ ନ ପାରନ୍ତି। ସେ ନିଶ୍ଚିତ ଯେ ଖୁବ୍ ଶୀଘ୍ର ତାଙ୍କ ପରିବାର ସହିତ ସେ ନିଜେ ପୁଟିନଙ୍କ ପ୍ରେରିତ ଆତତାୟୀଙ୍କ ଶିକାର ହେବେ, ଯେମିତି ପୁଟିନଙ୍କ ଅସ˚ଖ୍ୟ ପ୍ରତିପକ୍ଷଙ୍କ ସହିତ ଘଟି ଆସିିଛି। ସୁତରା˚, ସେ ତାଙ୍କ ଅନ୍ତିମ ବେଳା ପର୍ଯ୍ୟନ୍ତ ୟୁକ୍ରେନ୍ବାସୀଙ୍କ ସହିତ ଆତ୍ମରକ୍ଷାର ଯୁଦ୍ଧ ଚଳାଇ ରଖିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ହତ୍ୟା ପ୍ରାୟ ଆସନ୍ନ ଜାଣି ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ତାଙ୍କୁ ନିରାପଦରେ ୟୁକ୍ରେନ୍ ବାହାରକୁ ଅଣାଯିବାର ତଥା ୟୁକ୍ରେନ୍ ବାହାରେ ଏକ ସରକାର ଗଠନରେ ସହାୟତାର ପ୍ରସ୍ତାବ ପ୍ରଦାନ କରାଯାଇଥିଲା, ଯାହାକୁ ଜେଲେନ୍ସ୍କି ପ୍ରତ୍ୟାଖ୍ୟାନ କରି ବିନମ୍ରତାର ସହିତ କହିଥିଲେ: ‘ଘଟଣା ଏଇଠାରେ ଘଟୁଛି, ବାହାରେ ନୁହେଁ।’ ୟୁକ୍ରେନ୍ ଭଳି ଏକ ନୂତନ ରାଷ୍ଟ୍ର (୧୯୯୧)ର ଜଣେ ରାଷ୍ଟ୍ର ମୁଖ୍ୟ ତାଙ୍କ ଉପରେ ଘାତକ ବିପଦ ଆସନ୍ନ ଜାଣିବା ପରେ ଦେଶ ପରିତ୍ୟାଗ କରିବା ଅତ୍ୟନ୍ତ ସ୍ବାଭାବିକ ହୁଅନ୍ତା। ୨୦୧୪ ମସିହାରେ ସେହି ୟୁକ୍ରେନ୍ରେ ସ˚ଘଟିତ ‘ରିଭଲ୍ୟୁସନ୍ ଅଫ ଡିଗ୍ନିଟି’ ବା ‘ମର୍ଯ୍ୟାଦାର ବିପ୍ଳବ’ ବେଳେ ତତ୍କାଳୀନ ରାଷ୍ଟ୍ରପତି ଭିିକ୍ଟର ୟାନୁକୋଭିଚ୍ ରୁଷିଆକୁ ପଳାୟନ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନି ଯେତେବେଳେ ଫ୍ରାନ୍ସ ଅତିକ୍ରମଣ କଲା, ସେତିକି ବେଳେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଚାର୍ଲସ ଡି ଗଲ ଦେଶ ପରିତ୍ୟାଗ କରିଥିଲେ। ଏଭଳି ଘଟଣାର ସଦ୍ୟତମ ଉଦାହରଣ ଆଫଗାନିସ୍ତାନରେ ଦେଖିବାକୁ ମିଳିଛି, ଯେଉଁଠି ରାଷ୍ଟ୍ରପତି ଅସରଫ ଘାନି ତାଲିବାନ ଆକ୍ରମଣ ବେଳେ ବିଦେଶ ପଳାୟନ କରିଥିଲେ। କିନ୍ତୁ ଭୋଲଡିମିର ଜେଲେନ୍ସ୍କି ତାହା ନ କରି ଜୀବନକୁ ଏକ ଖେଳ ଘରରେ ପରିଣତ କରିଦେବା ଯେଉଁ ‘କଳା ହାସ୍ୟବୋଧ’ ବା ଡାର୍କ ହ୍ୟୁମର୍ର ପରିଚୟ ଦେଇଛି, ତାହା ସମ୍ଭବତଃ ତାଙ୍କ ଭଳି ଜଣେ ‘କମେଡିଆନ୍’ ପକ୍ଷରେ ସମ୍ଭବ ସିନା, କୌଣସି ପେସାଦାର ରାଜନେତା ପକ୍ଷରେ ସମ୍ଭବ ହୁଅନ୍ତା ନାହିଁ।
୧୯୩୯ ମସିହାରେ ଆଡଲଫ ହିଟ୍ଲର୍ର ଆଦେଶରେ ଜର୍ମାନି ଦ୍ବାରା ପୋଲାଣ୍ତ ଉପରେ ଆକ୍ରମଣ ହେବା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ପ୍ରାରମ୍ଭ ହୋଇ ଯାଇଥିଲା। ସେହି ସମୟରେ ସାଇମନ ଇଭାନୋଭିଚ୍ ଜେଲେନ୍ସ୍କି ନାମକ ଜଣେ ତରୁଣ ଇହୁଦୀ ହିଟ୍ଲର୍ର ନାଜୀ ବାହିନୀ ହାତରେ ନିଜ ପରିବାରର ଅନେକ ସଦସ୍ୟଙ୍କୁ ହରାଇବା ପରେ ସୋଭିଏତ୍ ରୁଷିଆ ପଳାୟନ କରି ‘ରେଜିଷ୍ଟାନ୍ସ ଆର୍ମି’ (ପ୍ରତିରୋଧ ସେନା)ରେ ଯୋଗ ଦେଇ ଜର୍ମାନି ବିରୋଧରେ ଯୁଦ୍ଧ କରିଥିଲେ, ଯାହା ଜର୍ମାନିର ପରାଜୟ ସହିତ ସମାପ୍ତ ହୋଇଥିଲା। ତା’ ପରେ ରୁୁଷିଆରେ ବସବାସ କରିଥିବା ଇଭାନୋଭିଚ୍ଙ୍କ ନାତି ଭୋଲିଡିମିର ଜେଲେନ୍ସ୍କି ଘଟଣା ଚକ୍ରରେ ଆଜି ଆଉ ଏକ ଯୁଦ୍ଧର ମଧୢ ଭାଗରେ ଅବତୀର୍ଣ୍ଣ, ଯେଉଁଠି ତାଙ୍କ ପ୍ରତିପକ୍ଷ ଭାବେ ଉଭା ହିଟ୍ଲର ସୁଲଭ ପୁଟିନ। ଜୀବନରେ କେବେ ହେଲେ ଯୁଦ୍ଧ ଦେଖି ନ ଥିବା ଭୋଲିଡିମିର ଜେଲେନ୍ସ୍କି ଏବେ ଅସ˚ଖ୍ୟ ସମର୍ଥ ୟୁକ୍ରେନୀୟଙ୍କ ହାତରେ ‘ସଟ୍ ଗନ୍’ମାନ ଧରାଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ବାରା ସଜ୍ଜିତ ବିଶାଳ ରୁଷୀୟ ବାହିନୀ ବିରୋଧରେ ମର୍ଯ୍ୟାଦାର ଅନ୍ତିମ ଯୁଦ୍ଧ ସକାଶେ ପ୍ରସ୍ତୁତ। ଯୁଦ୍ଧ ଏବେ ୟୁକ୍ରେନ୍ର ସଡ଼କକୁ ଓହ୍ଲାଇ ଆସିଛି, ଯାହାର ନେତୃତ୍ବ ନେଉଛନ୍ତି ଜଣେ ‘କମେଡିଆନ୍’। ଏବ˚ ସତ କହିଲେ ଜଣେ କମେଡିଆନ୍ ଲାଗି ଏହା ଠାରୁ ଅଧିକ ଦାରୁଣ ଟ୍ରାଜେଡି ଆଉ କ’ଣ ବା ହୋଇପାରେ!