ଆବେଲାର୍ଡଙ୍କ ଅଦାଲତ

ମନେକରାଯାଉ ଦୁଇଜଣ ଅଭିଯୁକ୍ତ ବିଚାର ଅପେକ୍ଷାରେ ଅଦାଲତ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ସେମାନଙ୍କର ଅପରାଧ ଭିନ୍ନ ଭିନ୍ନ। ପ୍ରଥମ ଘଟଣାରେ ଅଭିଯୁକ୍ତ ଜଣକ ଥଟ୍ଟାମଜାରେ ଏକ କାନ୍ଥକୁ ଲକ୍ଷ୍ୟ କରି ନିଜର ପିସ୍ତଲରୁ ଗୁଳି ଫୁଟାଇଥିଲେ; ଗୁଳିଟି କିନ୍ତୁ କାନ୍ଥରୁ ଛିଟ୍‌କି ଆସି ତାଙ୍କ ପାଖରେ ଛିଡ଼ା ହୋଇଥିବା ତାଙ୍କର ଜଣେ ବନ୍ଧୁଙ୍କ ଦେହରେ ବାଜିବାରୁ ବନ୍ଧୁ ଜଣଙ୍କର ମୃତ୍ୟୁ ଘଟିଥିଲା। ଦ୍ବିତୀୟ ଘଟଣାରେ ଅଭିଯୁକ୍ତ ଜଣକ ନିଜର ଗାଡ଼ି ଚଳାଇ ରାସ୍ତାରେ ଯାଉଥିବା ବେଳେ ସାମ୍‌ନାରେ ଯାଉଥିବା ଅନ୍ୟ ଏକ ଗାଡ଼ି ବେଶ୍‌ କିଛି ସମୟ ପାଇଁ ତାଙ୍କୁ ବାଟ ଛାଡ଼ି ନ ଥିଲା। ଏକ ସମୟରେ ଅଭିଯୁକ୍ତ ଜଣକ କୌଣସିମତେ ଆଗକୁ ଯିବାରେ ସଫଳ ହୋଇ ତାଙ୍କୁ ବାଟ ଛାଡ଼ି ନ ଥିବା ଗାଡ଼ିର ଚାଳକଙ୍କୁୁ ଅଟକାଇ ତାଙ୍କ ସହିତ ଭୀଷଣ ଝଗଡ଼ାରେ ମାତିଗଲେ ଓ କ୍ରୁଦ୍ଧ ଅବସ୍ଥାରେ ନିଜର ପିସ୍ତଲ ବାହାର କରି ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଲେ। ସେ କିନ୍ତୁ କ୍ରୋଧାନ୍ଧ ଅବସ୍ଥାରେ ଗୁଳି କରିଥିବାରୁ ତାହା ଲକ୍ଷ୍ୟ ଭ୍ରଷ୍ଟ ହୋଇ ଏକ ଗଛରେ ବାଜିଲା ଓ କାହାରି କିଛି କ୍ଷତି ଘଟିଲା ନାହିଁ। ଏହା ପରେ ଗୁଳି ଚାଳନାକାରୀଙ୍କ କ୍ରୋଧ ଶାନ୍ତ ହୋଇଗଲା ଓ ସେ ଆଉ ଝଗଡ଼ା ନ କରି ସେଠାରୁ ଚାଲିଗଲେ।

ଏ ଦୁଇଜଣଙ୍କ ମଧୢରୁ କିଏ ଅଧିକ କଠୋର ଦଣ୍ତ ପାଇବା ଉଚିତ? ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦୁର୍ଘଟଣା ପାଇଁ ପ୍ରଥମ ବ୍ୟକ୍ତି ଜଣକ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ଘଟାଇଥିବା ଅପରାଧରେ ଆଜୀବନ କାରାଦଣ୍ତ ପାଇବେ? ଦ୍ବିତୀୟ ବ୍ୟକ୍ତି ଜଣକ ହତ୍ୟା ଘଟାଇବା ଉଦ୍ଦେଶ୍ୟରେ ବନ୍ଧୁକ ଚଳାଇଥିଲେ ହେଁ ନିଜର ଅସୀମ ‘ନୈତିକ ସୌଭାଗ୍ୟ’ ଯୋଗୁଁ କ’ଣ ମାତ୍ର ଏକ ହଜାର ଟଙ୍କା ଜରିମାନା ଦ୍ବାରା ଦଣ୍ତିତ ହୋଇ ହସି ହସି ଅଦାଲତରୁ ବାହାରି ଆସିବେ?

ୟୁରୋପରେ ଚର୍ଚ୍ଚ ଯେତେବେଳେ ସମାଜର ନୈତିକ କେନ୍ଦ୍ର ଦଖଲରେ ରହି ନ୍ୟାୟ-ଅନ୍ୟାୟ ନିର୍ଦ୍ଧାରଣ କରୁଥିଲା, ସେତେବେଳେ କେବଳ କୌଣସି ‘କାର୍ଯ୍ୟ’ ହିଁ ନ୍ୟାୟ-ଅନ୍ୟାୟ ନିର୍ଦ୍ଧାରଣ ପାଇଁ ବିବେଚନାକୁ ନିଆଯାଉଥିଲା। ‘କାର୍ଯ୍ୟ’ ପଛରେ ନିହିତ ଥିବା ‘ଉଦ୍ଦେଶ୍ୟ’ ଚର୍ଚ୍ଚ ପାଇଁ ଗୁରୁତ୍ବପୂର୍ଣ୍ଣ ନ ଥିଲା। ଏହା ଅନୁସାରେ ତାହା ଦୁର୍ଘଟଣା ହୋଇଥାଉ ପଛକେ, ମୃତ୍ୟୁ ଘଟାଇଥିବା ବ୍ୟକ୍ତି ଜଣକ ଆଜୀବନ କାରାଦଣ୍ତ ପାଇବା ନ୍ୟାୟୋଚିତ ହୋଇଥା’ନ୍ତା ଓ ମୃତ୍ୟୁ ଘଟାଇବା ଉଦ୍ଦେଶ୍ୟରେ ଗୁଳି ଚଳାଇ ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ବ୍ୟକ୍ତି ଜଣକ ନିରପରାଧ ସାବ୍ୟସ୍ତ ହୋଇଥା’ନ୍ତା।

ଏଇଭଳି ଏକ ପରିବେଶ ରାଜତ୍ବ କରୁଥିବା ସମୟରେ ଯିଏ ପ୍ରଥମ କରି ଏହା ଉପରେ ‘ଉଦ୍ଦେଶ୍ୟ’କୁ ପ୍ରାଧାନ୍ୟ ପ୍ରଦାନ କରି ଏକ ପ୍ରଶ୍ନବାଚୀ ଲଗାଇଥିଲେ, ସେ ହେଉଛନ୍ତି ଦ୍ବାଦଶ ଶତାବ୍ଦୀର ଫରାସୀ କବି-ଦାର୍ଶନିକ ପିଟର‌୍‌ ଆବେଲାର୍ଡ। ସେ ଉପରୋକ୍ତ ଚର୍ଚ୍ଚ-କୈନ୍ଦ୍ରିକ ଚିନ୍ତାଧାରାକୁ ବିରୋଧ କରି ଯୁକ୍ତି ଉପସ୍ଥାପନ କଲେ ଯେ ନ୍ୟାୟର ତରାଜୁରେ ଏକ କାର୍ଯ୍ୟର ନୈତିକତା ନିରୂପଣ କଲାବେଳେ ଯାହା ହେଉଛି ଏକମାତ୍ର ଗୁରୁତ୍ବପୂର୍ଣ୍ଣ, ତାହା ହେଲା- କାର୍ଯ୍ୟ ପଛରେ ନିହିତ ଥିବା ଉଦ୍ଦେଶ୍ୟ। ଉଦାହରଣ ସ୍ବରୂପ ଚର୍ଚ୍ଚ ଆତ୍ମୀୟ-ରତିକୁ ଏକ ଜଘନ୍ୟ ପାପ ରୂପେ ବିଚାର କରୁଥିବା ବେଳେ, ଯଦି ସମ୍ପୃକ୍ତ ବ୍ୟକ୍ତି ଦ୍ବୟ ନିଜର ସମ୍ପର୍କ ସମ୍ବନ୍ଧରେ ଅଜ୍ଞତାବଶତଃ ଉକ୍ତ କାର୍ଯ୍ୟରେ ବ୍ୟାପୃତ ହୋଇଥା’ନ୍ତି, ଆବେଲାର୍ଡଙ୍କ ବିଚାରରେ ସେମାନେ ନିରପରାଧ ବିବେଚିତ ହେଲେ। ଏହି ଦୃଷ୍ଟିକୋଣରୁ ଏପରି କି ଯୀଶୁଙ୍କ ହତ୍ୟାକାରୀମାନଙ୍କୁ ମଧୢ ଆବେଲାର୍ଡ ନିର୍ଦୋଷ ବୋଲି ବିଚାର କରିଥିଲେ, କାରଣ ସେମାନେ ଯୀଶୁଙ୍କ ଈଶ୍ବରସତ୍ତା ସମ୍ବନ୍ଧରେ ଅଜ୍ଞ ଥିଲେ। ଆବେଲାର୍ଡଙ୍କୁ ସମର୍ଥନ କଲା ଭଳି ଶେଷରେ ଯୀଶୁ କହିନଥିଲେ କି?: ‘‘ସେମାନଙ୍କୁ କ୍ଷମା କରି ଦିଅ, କାରଣ ସେମାନେ କ’ଣ କରୁଛନ୍ତି ତାହା ସେମାନେ ଜାଣନ୍ତି ନାହିଁ।’’

ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ, ତେବେ ଗତ ଶୁକ୍ରବାର ଦିନ ପୁଣି ଥରେ ଉତ୍‌ଥାପିତ ହୋଇଥିବା ନବଜୋତ୍‌ ସିଦ୍ଧୁ ସଡ଼କ-କ୍ରୋଧ ମାମଲାର କଚ୍ଛପ ଗତି ଦେଖିଲେ ଆବେଲାର୍ଡ ଆଶ୍ଚର୍ଯ୍ୟଚକିତ ନ ହୋଇ ରହିପାରନ୍ତେ ନାହିଁ। କଚ୍ଛପ ଗତି-କାରଣ ଘଟଣା (‘କାର୍ଯ୍ୟ’) ଘଟିବାର ୩୩ ବର୍ଷରୁ ଅଧିକ କାଳ ଅତିବାହିତ ହୋଇ ସାରିଥିଲେ ମଧୢ ଭାରତୀୟ ଅଦାଲତମାନେ ଏ ପର୍ଯ୍ୟନ୍ତ ସ୍ଥିର କରି ପାରୁନାହାନ୍ତି, ସିଦ୍ଧୁ ଅପରାଧୀ କି ନୁହେଁ। ବିଚାରକ୍ରମରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଆମ ନ୍ୟାୟପାଳିକାର ଦୋଦୁଲ୍ୟମାନ ଅବସ୍ଥା ସ୍ପଷ୍ଟ ହୋଇଥାଏ। ଡିସେମ୍ବର ୧୯୮୮- ପାତିଆଲା ଠାରେ ଘଟିଥିବା ଉପରୋକ୍ତ ଘଟଣା; ସେପ୍‌ଟେମ୍ବର ୧୯୯୯- ପାତିଆଲା ଜିଲ୍ଲା ସେସନ୍‌ସ କୋର୍ଟରେ ପ୍ରମାଣ ଅଭାବରୁ ସିଦ୍ଧୁ ନିରପରାଧ ଘୋଷିତ; ୨୦୦୨- ପଞ୍ଜାବ ରାଜ୍ୟ ସରକାରଙ୍କ ସେ ରାଜ୍ୟ ହାଇକୋର୍ଟରେ ଏ ବିରୋଧରେ ଅପିଲ ଦାଖଲ; ଡିସେମ୍ବର ୨୦୦୬- ପଞ୍ଜାବ ହାଇକୋର୍ଟ ସିଦ୍ଧୁଙ୍କୁ ‘ନିନ୍ଦନୀୟ ନରହତ୍ୟା’ (କିନ୍ତୁ ହତ୍ୟାକାଣ୍ତ ନୁହେଁ) ଅପରାଧରେ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ପାଇଁ କାରାଦଣ୍ତରେ ଦଣ୍ତିତ କଲେ; ଜାନୁଆରି ୨୦୦୭- ସୁପ୍ରିମ୍‌ କୋର୍ଟ ସିିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ହାଇକୋର୍ଟ ଦେଇଥିବା ରାୟକୁ ସ୍ଥଗିତ କରିଦେଲେ। (ସିଦ୍ଧୁ ‘ବିଜେପି’ ଟିକେଟ୍‌ ପାଇ ଅମୃତସର ନିର୍ବାଚନ ଜିଣି ସା˚ସଦ ହୋଇଗଲେ। ୨୦୧୭ରେ ସିଦ୍ଧୁ ‘ବିଜେପି’ ତ୍ୟାଗ କରି କ˚ଗ୍ରେସରେ ଯୋଗ ଦେଇ ବିଧାନସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀପଦ ଲାଭ କଲେ)। ମଇ ୨୦୧୮- ସୁପ୍ରମ୍‌ କୋର୍ଟ ସିଦ୍ଧୁଙ୍କୁ ‘ନିନ୍ଦନୀୟ ନରହତ୍ୟା’ ଅଭିଯୋଗରୁ ଦୋଷମୁକ୍ତ କରି ମୃତକ ଗୁର‌୍‌ନାମ୍‌ ସି˚ହଙ୍କ ପ୍ରତି କେବଳ ଶାରୀରିକ ଆଘାତ ପହଞ୍ଚାଇଥିବା ଅପରାଧରେ ମାତ୍ର ଏକ ହଜାର ଟଙ୍କାର ଅର୍ଥଦଣ୍ତରେ ଦଣ୍ତିତ କରି ଛାଡ଼ି ଦେଲେ। ସେପ୍‌ଟେମ୍ବର ୨୦୧୮- ଏହି ରାୟର ପୁନର୍ବିଚାର ପାଇଁ ଆଗତ ଏକ ‘ରିଭିଉ ପିଟିସନ୍‌’ ଶୁଣିବା ପାଇଁ ସୁପ୍ରିମ୍‌ କୋର୍ଟ ସମ୍ମତ ହେଲେ। ୨୫ ଫେବ୍ରୁଆରି ୨୦୨୨- ସୁପ୍ରିମ୍‌ କୋର୍ଟ ପୁନରାୟ ମାମଲାର ପରିସର ସମ୍ପ୍ରସାରିତ କରି ସିଦ୍ଧୁଙ୍କୁ ‘ଆଇପିସି’ ଧାରା-୨୯୯ ଅନୁସାରେ ‘ନିନ୍ଦନୀୟ ନରହତ୍ୟା’ ପାଇଁ ବିଚାର କରିବା ପାଇଁ ପ୍ରାର୍ଥନା କରି ଆଗତ ଆବେଦନର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି। ଏହାର ଫଳାଫଳ କ’ଣ ହେବ ଜଣାନାହିଁ।

କିନ୍ତୁ ଏ ମାମଲା ଯଦି ଆବେଲାର୍ଡଙ୍କ ଅଦାଲତରେ ଆଗତ ହୋଇଥା’ନ୍ତା, ତେବେ ତାଙ୍କ ପାଇଁ ଏହା ଏକ ସରଳତମ ନ୍ୟାୟିକ ସମସ୍ୟା ରୂପେ ଆବିର୍ଭୂତ ହୋଇଥା’ନ୍ତା। କାରଣ କାର୍ଯ୍ୟ ଓ ଉଦ୍ଦେଶ୍ୟ ମଧୢରେ ଏକ ସୂକ୍ଷ୍ମ ବିଭାଜକ ଟାଣିବା ପାଇଁ ସେ ଯେଉଁ ବୈପ୍ଳବିକ ଚିନ୍ତାଧାରାକୁ ଜନ୍ମ ଦେଇଥିଲେ, ଏ କ୍ଷେତ୍ରରେ ତାହାର ବ୍ୟବହାର ବୋଧହୁଏ ଆଦୌ ଆବଶ୍ୟକ ପଡ଼ନ୍ତା ନାହିଁ। ଅଦାଲତରେ ଗୃହୀତ ଅଭିଯୋଗ ଅନୁସାରେ ଡିସେମ୍ବର ୨୭, ୧୯୮୮ ଦିନ ସେମାନଙ୍କ ଗାଡ଼ିକୁ ବାଟ ନ ଛାଡ଼ିବାରୁ ସିଦ୍ଧୁ ଓ ତାଙ୍କ ବନ୍ଧୁ ରୂପିନ୍ଦର ସାନ୍ଧୁ ମିଶି ଗୁର୍‌ନାମ୍‌ ସି˚ହଙ୍କ ଉପରେ ଶାରୀରିକ ଆକ୍ରମଣ କରିଥିଲେ ଓ ପରେ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆବେଲାର୍ଡଙ୍କ ଦୃଷ୍ଟିରେ ଏଠାରେ ଉଭୟ ‘ଉଦ୍ଦେଶ୍ୟ’ ଓ ‘କାର୍ଯ୍ୟ’ ମଧୢରେ ଏକ ସିଧାସଳଖ ମିଳନ ଘଟିଥିବା ସାବ୍ୟସ୍ତ ହୁଅନ୍ତା। ଏଠାରେ କିନ୍ତୁ ହାଇକୋର୍ଟ ଆବେଲାର୍ଡଙ୍କ ଦୃଷ୍ଟିଭଙ୍ଗୀ ଗ୍ରହଣ କରିଥିବା ବେଳେ ନିମ୍ନ ଅଦାଲତ ଓ ସର୍ବୋଚ୍ଚ ଅଦାଲତ ଭିନ୍ନମତ ପୋଷଣ କରିଛନ୍ତି। ଗୁର‌୍‌ନାମ୍‌ ସି˚ହଙ୍କର ପୂର୍ବରୁ ଥିବା ବ୍ୟାଧି ଯୋଗୁଁ ଆକ୍ରମଣ ପରେ ହସ୍‌ପିଟାଲ୍‌ରେ ଘଟିଥିବା ମୃତ୍ୟୁ ସିଦ୍ଧୁଙ୍କର ‘କାର୍ଯ୍ୟ’ ନୁହେଁ ବୋଲି ଏମାନେ ମତଦାନ କରିଛନ୍ତି।

ବର୍ତ୍ତମାନ ଏହାର ହିଁ ପୁନର୍ବିଚାରର ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି, ତାହାର ଫଳାଫଳ କ’ଣ ହେବ, ଓ ଜଣାପଡ଼ିବାକୁ ଆଉ କେତେଦିନ ଲାଗିବ, ତାହା ଦେଖିବାକୁ ଆବେଲାର୍ଡଙ୍କ ଅନୁଗାମୀମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ମାମଲାର ଗୋଟିଏ ବିଶେଷ ଦିଗ କାହାରି ଦୃଷ୍ଟି ଏଡ଼ାଇ ନ ଥିବ: ସିଦ୍ଧୁ ଛନ୍ଦି ହୋଇଥିବା ମାମଲାଟିର ନୈତିକ ତାତ୍ପର୍ଯ୍ୟ ଆବେଲାର୍ଡଙ୍କ ଦୃଷ୍ଟିରେ ସିଧାସଳଖ ହୋଇଥିବା ବେଳେ, ଉଭୟ ବିଜେପି ଓ କ˚ଗ୍ରେସ ଭଳି ରାଜନୈତିକ ଦଳମାନେ ସିଦ୍ଧୁଙ୍କୁ ଆଲିଙ୍ଗନ କରିବାରେ ତାହା ଆଦୌ ପ୍ରତିବନ୍ଧ ସୃଷ୍ଟି କରିନାହିଁ!

ସମ୍ବନ୍ଧିତ ଖବର