ଟ୍ରେଲର ମାତ୍ର?

ଘଟଣାଟି ଘଟିଥିଲା ୨୦୦୬ ମସିହା, ନଭେମ୍ବର ୧ ତାରିଖ, ବୁଧବାର ଦିନ ଲଣ୍ତନ ସହରରେ। ରୁଷିଆ ପରିତ୍ୟାଗ କରି ଲଣ୍ଡନରେ ବସବାସ କରୁତିବା ରୁଷୀୟ ଗୁଇନ୍ଦା ଏଜେନ୍‌ସିର ପୂର୍ବତନ କର୍ମଚାରୀ ଆଲେକଜାଣ୍ତର ଲିଟଭିନେଙ୍କୋ ତାଙ୍କର ପୂର୍ବତନ ସହକର୍ମୀ ତଥା ବନ୍ଧୁ ଆଣ୍ତ୍ରି ଲୁଗୋଭୋଇ ଏବ˚ ଡିମିତ୍ରି କୋଭଟୁନଙ୍କୁ ଭେଟିବାକୁ ଯାଇ ବିଳାସପୂର୍ଣ୍ଣ ମିଲେନମ୍‌ ହୋଟେଲରେ ଚା’ ପାନ କରି ଘରକୁ ଫେରିଲେ। କିନ୍ତୁ ତା’ର ୨୨ ଦିନ ପରେ ଅତ୍ୟନ୍ତ ଯନ୍ତ୍ରଣାକାତର ଅବସ୍ଥାରେ ସେ ମୃତ୍ୟୁ ମୁଖରେ ପଡ଼ିଲେ। ପ୍ରାଥମିକ ଭାବେ ତାହାକୁ କୌଣସି ଏକ ବିଷର ପ୍ରଭାବ ବୋଲି ଭାବି ନେଇ ଲିଟଭିନେଙ୍କୋ ଡାକ୍ତରଖାନାରେ ଭର୍ତ୍ତି ହେଲେ ସିନା, ତାଙ୍କ ଶରୀର ଉପରେ ବିଧ୍ବ˚ସକାରୀ ଝଡ଼ ବହି ଯେଉଁ ଲକ୍ଷଣମାନ ପ୍ରକଟ ହେଉଥିଲା, ତହିଁରୁ କ୍ରମେ ସ୍ପଷ୍ଟ ହେଉଥିଲା ଯେ ଏହା ହେଉଛି ଏକ ତୀବ୍ର ଆଣବିକ ବିକିରଣର ପ୍ରଭାବ! କିନ୍ତୁ ଅତ୍ୟନ୍ତ ବିସ୍ମୟକର ଭାବେ ସଘନ ଡାକ୍ତରୀ ପରୀକ୍ଷଣ ସତ୍ତ୍ବେ ଆଣବିକ ବିକିରଣର କୌଣସି ସୂଚନା ନ ମିଳି ଏହି ବ୍ୟାପାରଟିକୁ ଘନ ରହସ୍ୟାବୃତ କରି ରଖିଥାଏ। ତେବେ ଦୈବାତ୍‌ ଜଣେ ଅଣୁ ବିଜ୍ଞାନୀଙ୍କ ଦ୍ବାରା ଗୁରୁତର ଅସୁସ୍ଥ ଲିଟଭିନେଙ୍କୋଙ୍କ ଶରୀରରୁ ନିର୍ଗତ ହେଉଥିବା ଅତ୍ୟନ୍ତ କ୍ଷୀଣ ‘ଗାମା ରେ’ର ଆବିଷ୍କାର ସ୍ପଷ୍ଟ କରେ ଯେ ସେ ଦିନ ତାଙ୍କ ଚା’ରେ ଅତି ବିପଜ୍ଜନକ ବିକିରଣକ୍ଷମ (ରେଡିଓ ଆକ୍ଟିଭ୍‌) ଖଣିଜ ପୋଲୋନିଅମ୍‌-୨୧୦ ମିଶାଇ ପରିବେଷଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ୨୦୦୬ ମସିହା ବେଳକୁ ଆଣବିକ ରିଆକ୍ଟରମାନଙ୍କରେ ପୋଲୋନିଅମ୍‌ର ବ୍ୟବହାର ହ୍ରାସ ପାଇ ସାରିଥିଲା ଏବ˚ ଏହି ଖଣିଜ ଦ୍ରବ୍ୟର ଯେଉଁ ଗୁଣ ଯୋଗୁ ଏହାକୁ ସମ୍ଭବତଃ ବ୍ୟବହାର କରାଯାଇଥିଲା, ତାହା ହେଉଛି ଏଥିରୁ ପ୍ରଚୁର ଶକ୍ତି ସ˚ପନ୍ନ ‘ଆଲ୍‌ଫା ରେ’ ନିଃସୃତ ହେଉଥିଲେ ସୁଦ୍ଧା ଅତି କମ୍‌ ‘ଗାମା ରେ’ ନିର୍ଗତ ହୋଇଥାଏ। ଆଲ୍‌ଫା ତରଙ୍ଗକୁ ରୋକିବା ଲାଗି ଏକ ପତଳା କାଗଜ ମଧୢ ଯଥେଷ୍ଟ ହୋଇଥିବାରୁ ଲିଟଭିନେଙ୍କୋଙ୍କ ଶରୀର ମଧୢରେ କ୍ଷତି ସାଧନ କରୁଥିବା ବିକିରଣ ତାଙ୍କ ଶରୀରର ଚର୍ମ ଭେଦ କରି ବାହାରକୁ ଆସି ନ ପାରି ତାଙ୍କ ଶାରୀରିକ ଅବସ୍ଥା ନେଇ ଦୁର୍ବୋଧୢତା ସୃଷ୍ଟି କରିଥିଲା, ଯାହା କେବଳ କ୍ଷୀଣ ‘ଗାମା ରେ’ର ଆବିଷ୍କାର ପରେ ସମାହିତ ହୋଇପାରିଥିଲା। ତେବେ, ସେହି ସମୟରେ ସମଗ୍ର ପୃଥିବୀରେ ହୁଲସ୍ତୁଲ ସୃଷ୍ଟି କରିଥିବା ଏହି ଅତ୍ୟନ୍ତ ସୁଚିନ୍ତିତ ଷଡ଼୍‌ଯନ୍ତ୍ର ସମ୍ଭୂତ ହତ୍ୟାକାଣ୍ତରେ ଭ୍ଲାଡିମିର ପୁଟିନଙ୍କ ସ˚ପୃକ୍ତି ଥିଲା ସର୍ବାଧିକ ସନ୍ଦେହର ଘେରରେ। ପୁଟିନ ଏହାକୁ ସ୍ବାଭାବିକ ଭାବେ ଅସ୍ବୀକାର କରିଥିଲେ; କିନ୍ତୁ ପୁଟିନଙ୍କ ଘୃଣାର ପାତ୍ର ୟୁରୋପର ଏକ ସହର (ଲଣ୍ତନ)ରେ ଆଶ୍ରୟ ନେଇଥିବା ଲିଟଭିନେଙ୍କୋଙ୍କ ଦ୍ବାରା ତାଙ୍କର ତୀବ୍ର ସମାଲୋଚନା ଯେ ଏହାର ଏକ କାରଣ ତାହା ନିର୍ବିବାଦୀୟ। ସୁତରାଂ, ସ˚ପ୍ରତି ଯେତେବେଳେ ରୁଷିଆର ଆକ୍ରମଣରେ ୟୁକ୍ରେନ୍‌ ଏକ ଧ୍ବ˚ସ ସ୍ତୂପରେ ପରିଣତ ହେଲାଣି, ଏକ ଆଲୋଚନା ଶ୍ରୁତିଗୋଚର ହେଉଛି ଯେ ଇତିହାସରେ ପୁଟିନ ହିଁ ସମ୍ଭବତଃ ସେହି ଭଳି ଏକମାତ୍ର ଚରିତ୍ର (ଚୀନ୍‌ର ରାଷ୍ଟ୍ରପତି ସି ଜିନ ପିଙ୍ଗ ନୁହେଁ) ଭାବେ ଲିପିବଦ୍ଧ ହୋଇ ରହିଯିବେ, ଯିଏ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ୟୁରୋପ ଦ୍ବାରା ପ୍ରଭାବିତ ବା ପ୍ରତିଷ୍ଠିତ ‘ଵର୍ଲଡ୍‌ ଅର୍ଡର୍‌’ ବା ‘ବିଶ୍ବ ଶୃଙ୍ଖଳା’ର ଧାରଣାକୁ ଧୂଳିସାତ୍‌ କରିବାକୁ ଆବିର୍ଭୂତ ହୋଇଥିଲେ।

ଗତ ଶତାବ୍ଦୀର ନବମ ଦଶକରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ତାଙ୍କ ପରିକଳ୍ପିତ ପୃଥିବୀରେ ରାଷ୍ଟ୍ରଗୁଡ଼ିକୁ ନିଜ ନିଜ ଭୌଗୋଳିକ ସୀମାରେଖା ହରାଇ ଥିବା ରୂପେ ଦେଖିଥିଲେ, ଯାହା ଉଦାର ଅର୍ଥନୀତି, ମୁକ୍ତ ବାଣିଜ୍ୟ ଏବ˚ ଗଣତନ୍ତ୍ର ଦ୍ବାରା ସମ୍ଭବ ବୋଲି ସେ ଭାବିଥିଲେ। ପରବର୍ତ୍ତୀ ସମୟରେ ଜର୍ଜ ଡବ୍ଲ୍ୟୁ ବୁସ୍‌ଙ୍କ ପ୍ରୋତ୍ସାହନ ଓ ସମର୍ଥନରେ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଏକଛତ୍ରବାଦୀ ଶାସନର ବିଲୋପ ସକାଶେ ଯେଉଁ ବିଦ୍ରୋହମାନ ସ˚ଘଟିତ କରାଯାଇଥିଲା, ତାହା ପଛରେ ନିହିତ ଥିଲା କ୍ଲିଣ୍ଟନ୍‌ଙ୍କ ପରିକଳ୍ପିତ ଉଦାର ପୃଥିବୀ ଆଡ଼କୁ ଏକ ପଦକ୍ଷେପ ବଢ଼ାଇବାର ଉଦ୍ଦେଶ୍ୟ। ୧୯୮୯ ମସିହାରେ ବର୍ଲିନ୍‌ର ପ୍ରାଚୀର ଧରାଶାୟୀ ହେବା ଅଥବା ୧୯୯୦ ମସିହାରେ ସୋଭିଏତ୍‌ ରୁଷିଆର ବିଲୟ ଘଟି ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରମାନ ସୃଷ୍ଟି ହେବା ଥିଲା ଏହି ଧାରା ପ୍ରବାହର ପ୍ରାରମ୍ଭିକ ସମୟ। କିନ୍ତୁ ୨୦୦୦ ମସିହାରେ ରୁଷିଆର ରାଷ୍ଟ୍ରପତି ହୋଇଥିବା ଭ୍ଲାଡିମିର ପୁଟିନ ଥିଲେ ଏହି ପାଶ୍ଚାତ୍ୟ ପ୍ରଭାବିତ ଓ ପ୍ରତିଷ୍ଠିତ ଧାରାର ଚରମ ବିରୋଧୀ; ଯାହା ସ୍ପଷ୍ଟ ହୋଇଥିଲା ୨୦୦୭ ମସିହାରେ ଅନୁଷ୍ଠିତ ‘ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍‌ସ’ରେ, ଯେଉଁଠି ପୁଟିନ ନିଜ ଅଭିଭାଷଣରେ ଗଣତନ୍ତ୍ର ଏବ˚ ଉଦାରବାଦ ଇତ୍ୟାଦି ଭଳି ମୂଲ୍ୟବୋଧ ଉପରେ ସା˚ଘାତିକ ବାଚନିକ ଆକ୍ରମଣ କରିଥିଲେ। କହିବା ଅନାବଶ୍ୟକ ଯେ ୨୦୦୬ ମସିହାରେ ଆଲେକଜାଣ୍ତର ଲିଟଭିନେଙ୍କୋଙ୍କ ହତ୍ୟା ଠାରୁ ଆରମ୍ଭ କରି ସ˚ପ୍ରତି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପର୍ଯ୍ୟନ୍ତ ଅନେକ ଘଟଣାରେ ପାଶ୍ଚାତ୍ୟ ରାଷ୍ଟ୍ର ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ମୂଲ୍ୟବୋଧକୁ ଚ୍ୟାଲେ˚ଜ କରୁଥିବା ଏକମାତ୍ର ବ୍ୟକ୍ତି ରୂପେ ପୁଟିନଙ୍କୁ ହିଁ ଦେଖିବାକୁ ମିଳିଥାଏ।

ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକା ବା ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ରୁଷିଆ ବେଶ୍‌ ଦୁର୍ବଳ। ଯୁକ୍ତରାଷ୍ଟ୍ର ଆମେରିକାର ଜି.ଡି.ପି. ବା ଜାତୀୟ ଆୟ ରୁଷିଆର ୧୪ ଗୁଣ; ଏପରି କି ଫ୍ରାନ୍‌ସର ଜାତୀୟ ଆୟ ମଧୢ ରୁଷିଆର ୧.୮ ଗୁଣ। ସେମିତି ରୁୁଷିଆର ଅର୍ଥନୀତି ନିର୍ଭର କରୁଥିବା ଯୁଦ୍ଧାସ୍ତ୍ରର ରପ୍ତାନି କ୍ଷେତ୍ରରେ ମଧୢ ଏବେ ସ˚କୋଚନ ଦେଖିବାକୁ ମିଳିଲାଣି। ଷ୍ଟକ୍‌ହୋମ୍‌ ସ୍ଥିତ ଆନ୍ତର୍ଜାତିକ ରଣନୀତି ଗବେଷଣାକାରୀ ସ˚ସ୍ଥା ‘ସିପ୍ରି’ର ତଥ୍ୟ ଅନୁସାରେ ୨୦୧୫-୨୦୧୯ କାଳ ଖଣ୍ତ ମଧୢରେ ରୁଷିଆର ଯୁଦ୍ଧାସ୍ତ୍ର ରପ୍ତାନି ପୂର୍ବବର୍ତ୍ତୀ ଚାରି ବର୍ଷ ତୁଳନାରେ ୧୮% ହ୍ରାସ ଘଟିଥିବା ବେଳେ ସେହି ସମୟ ଖଣ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ରପ୍ତାନି ରୁଷିଆ ତୁଳନାରେ ୭୬% ଅଧିକ। କିନ୍ତୁ ତା’ ସତ୍ତ୍ବେ ରୁଷିଆ ଏକାକୀ ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ଛିଡ଼ା ହୋଇ ଶୀତଳ ଯୁଦ୍ଧର ପରିବେଶକୁ ପୁନଶ୍ଚ ସୃଷ୍ଟି କରିବାରେ ସମର୍ଥ ହେଲାଣି। ଉଲ୍ଲେଖଯୋଗ୍ୟ ଯେ ସିରିଆ, ଲିବ୍ୟା, ଭେନେଜୁଆଲା ଏବ˚ ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ସମର୍ଥିତ ଶକ୍ତି ବିରୋଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ଯୁୁଦ୍ଧ ଚଳାଇ ସଫଳତା ମଧୢ ଲାଭ କଲାଣି। ଆଫ୍‌ଗାନିସ୍ତାନରେ ‘ନାଟୋ’ ସୈନିକମାନଙ୍କୁ ହତ୍ୟା କରିବା ସକାଶେ ତାଲିବାନକୁ ବିପୁଳ ଅର୍ଥ ପୁରସ୍କାରର ପ୍ରତିଶ୍ରୁତି ପ୍ରଦାନରୁ ଆରମ୍ଭ କରି ସିରିଆରେ ଏକଛତ୍ରବାଦୀ ଶାସକ ଆସାଦଙ୍କ ସପକ୍ଷରେ ରହି ଆମେରିକା ପ୍ରାୟୋଜିତ ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧ କରିବା ପର୍ଯ୍ୟନ୍ତ ଘଟଣାଗୁଡ଼ିକରେ ଏହା ପ୍ରମାଣିତ ହୋଇ ସାରିଲାଣି। କେବଳ ସେତିକି ନୁହେଁ, ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏଭଳି ସ˚ଘାତରେ ରୁଷିଆ ହିଁ ବିଜୟୀ ଭାବେ ଉଭା ହେବାରେ ଲାଗିଛି। ଅନେକ ପାଠକପାଠିକାଙ୍କ ସ୍ମରଣରେ ରହିଥିବ ଯେ ୨୦୧୬ ମସିହା‌େର ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜନମତକୁ ପୁଟିନ ପ୍ରଭାବିତ କରିଥିଲେ ବୋଲି ଏକ ସନ୍ଦେହ ପ୍ରକାଶ ପାଇଥିଲା। ସେହି ଭଳି ରୁଷିଆକୁ ବିଧିବଦ୍ଧ ଭାବେ ଏକ ‘ସାଇବର ଆକ୍ରମଣକାରୀ’ ରାଷ୍ଟ୍ର ରୂପେ ପ୍ରସ୍ତୁତ କରି ସେ ସାବ୍ୟସ୍ତ କରିବାକୁ ଚାହାନ୍ତି ଯେ ସେ ଜଣେ ଶୃଙ୍ଖଳା ଭଙ୍ଗକାରୀ।

ୟୁକ୍ରେନ୍‌ ଉପରେ ପୁଟିନଙ୍କ ଆକ୍ରମଣକୁ ପର୍ଯ୍ୟବେକ୍ଷକମାନେ ଏକ ‘ଟ୍ରେଲର‌୍‌’ ରୂପେ ବିଚାର କରିଥାଆନ୍ତି। ଏଥି ଲାଗି କୁଆଡ଼େ ସିରିଆର ଯୁଦ୍ଧଭୂମି ରୁଷୀୟ ସେନା ସକାଶେ ଏକ ଅଭ୍ୟାସର ସ୍ଥଳ ଥିଲା! ବର୍ତ୍ତମାନ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସ୍ପଷ୍ଟ କରିସାରିଲାଣି ଯେ ପାଶ୍ଚାତ୍ୟର ଶାନ୍ତିକାମୀ, ଉଦାରବାଦୀ ଓ ଗଣତାନ୍ତ୍ରିକ ମୂଲ୍ୟବୋଧବାହୀ ରାଷ୍ଟ୍ରଗୁଡ଼ିକ ନିଜ ନିଜର ବିପୁଳ ଶକ୍ତି ସତ୍ତ୍ବେ କୌଣସି ଜଣେ ଗୁଣ୍ତାର ଅତର୍କିତ ଆବିର୍ଭାବରେ ଭଦ୍ର ନାଗରିକମାନଙ୍କ ପରି ସ˚ତ୍ରସ୍ତ ହୋଇ ନିଜ ନିଜ ଘରେ ଆତ୍ମଗୋପନ କରିଛନ୍ତି। କହିବା ଅନାବଶ୍ୟକ ଯେ ପୁଟିନଙ୍କ ବିଚକ୍ଷଣତା ସେହି ସବୁ ଦେଶଗୁଡ଼ିକ ଠାରୁ ଏଭଳି ବ୍ୟବହାର ସମ୍ବନ୍ଧରେ ପୂର୍ବାନୁମାନ କରି ସାରିଥିବ। ପୃଥିବୀର ଦ୍ବିତୀୟ ବୃହତ୍ତମ ଅଣୁ ଅସ୍ତ୍ର ଭଣ୍ତାରର ଅଧିକାରୀ ରାଷ୍ଟ୍ରର ଅଧିପତି ପୁଟିନ ଯେଉଁଭଳି ବିଶେଷ ଦ୍ବିଧା ନ କରି ତା’ର ପ୍ରୟୋଗ କରି ପାରିବାର ସାମର୍ଥ୍ୟ ରଖନ୍ତି, ତାହା ଉଦାର ବିଚାର ସ˚ପନ୍ନ ରାଷ୍ଟ୍ରଗୁଡ଼ିକ ଠାରେ ମିଳିବା ଅସମ୍ଭବ। ସୁତରା˚, ଯାହା ଦେଖିବାକୁ ମିଳିଛି, ତାହା ହେଲା ଶୀତଳ ଯୁଦ୍ଧ କାଳରେ ଶକ୍ତିଶାଳୀ ସୋଭିଏତ୍‌ ରୁଷିଆ ଯାହା କରି ପାରି ନ ଥିଲା, ତାହା ଏକ ଦୁର୍ବଳ ରୁଷିଆ କରିବାକୁ ବସିଲାଣି; ଏବଂ ତାହା ପୃଥିବୀର ଭବିଷ୍ୟତ୍‌ ଲାଗି ଆଦୌ ମଙ୍ଗଳକର ନୁହେଁ।

ସମ୍ବନ୍ଧିତ ଖବର