ଅଦୃଶ୍ୟ ନାରୀ

ମଟରଗାଡ଼ି ନିର୍ମାତାମାନେ ସମ୍ଭାବ୍ୟ ଦୁର୍ଘଟଣା ସମୟରେ ଆରୋହୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଯେଉଁ ସମସ୍ତ ପଦକ୍ଷେପ ନେଇଥା’ନ୍ତି, ସେଥିରୁ ଗୋଟିଏ ହେଉଛି- ‘ଦୁର୍ଘଟଣା ପରୀକ୍ଷା‘ ବା ‘କ୍ରାସ୍ ଟେଷ୍ଟ୍’। ଗାଡ଼ିର ଡିଜାଇନ୍ କରାଯିବା ସମୟରେ ତାହାକୁ ବିଭିନ୍ନ ବେଗରେ ଚଳାଇ ଏକ ପ୍ରତିବନ୍ଧ ସହିତ ଧକ୍କା କରାଇ ଦିଆଯାଏ। ଏହି ସମୟରେ ଗାଡ଼ି ଭିତରେ ବସିଥିବା ଆରୋହୀ ପ୍ରକୃତ ରକ୍ତମାଂସଧାରୀ ମନୁଷ୍ୟ ନ ହୋଇ ମନୁଷ୍ୟର ନିଚ୍ଛକ ନକଲ ହୋଇଥିବା ପ୍ଲାଷ୍ଟିକ୍, ରବର ଆଦି ବସ୍ତୁ ନିର୍ମିତ ‘ଡମି’ ହୋଇଥା’ନ୍ତି। ‘କ୍ରାସ୍ ଟେଷ୍ଟ୍’ ପରେ ଏହି ‘ଡମି’‌ରେ ଘଟିଥିବା ଆଘାତ ଓ କ୍ଷୟକ୍ଷତିକୁ ବିଚାରକୁ ନେଇ ନିର୍ମିତ ଗାଡ଼ିର ନିରାପତ୍ତା ମାତ୍ରା ଆକଳନ କରାଯାଇଥାଏ। ଏଭଳି ପରୀକ୍ଷାମାନଙ୍କରୁ ମିଳୁଥିବା ସୂଚନା ସବୁର ଆଧାରରେ ନିର୍ମାଣାଧୀନ ଗାଡ଼ିର ଡିଜାଇନ୍‌ରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ଶେଷରେ ପ୍ରକୃତ ମାନବ ଆରୋହୀମାନଙ୍କ ପାଇଁ ଯଥାସମ୍ଭବ ସୁରକ୍ଷିତ କରିବାକୁ ଚେଷ୍ଟା କରାଯାଏ।

ଏହି ‘କ୍ରାସ୍ ଟେଷ୍ଟ୍’ ପାଇଁ ଯେଉଁ କୃତ୍ରିମ ଆରୋହୀ ବା ‘ଡମି’ର ବ୍ୟବହାର କରାଯାଇଥାଏ, ତାହାର କେଉଁଭଳି ଏକ ମାନବ ଶରୀର ସହିତ ସାଦୃଶ୍ୟ ଥାଏ? ଏ ପ୍ରଶ୍ନ ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ମାନବ ଶରୀରର ଗଠନରେ ଅନେକ ତାରତମ୍ୟ ଦେଖାଯାଇଥାଏ। ଏହାର ଉତ୍ତର ହେଲା- ୫୦ତମ ଶତାଂଶ-ଛେକ (୫୦ତମ ପର୍ସେଣ୍ଟାଇଲ୍)ର ଲକ୍ଷଣ ଧାରଣ କରୁଥିବା ପୁରୁଷ ଶରୀର। ଏଭଳି ପୁରୁଷ ଶରୀରର ଉଚ୍ଚତା ହୋଇଥାଏ ୫ ଫୁଟ୍ ୯ ଇଞ୍ଚରୁ ସାମାନ୍ୟ ଅଧିକ ଏବଂ ଓଜନ ହୋଇଥାଏ ୭୬ କିଲୋଗ୍ରାମ୍।

ଏହା ସୁବିଦିତ ଯେ ଅଧିକାଂଶ ମହିଳାମାନଙ୍କର ଉଚ୍ଚତା ଓ ଓଜନ ଏହା ଠାରୁ ବେଶ୍ କମ୍ ହୋଇଥାଏ। କମ୍ ଓଜନ ଓ ଉଚ୍ଚତା ଅର୍ଥ ଧକ୍କା ସମ୍ଭାଳିବାର କ୍ଷମତା କମ୍। ଏହି ତାରତମ୍ୟର ପରିଣତି ସ୍ବରୂପ ଦେଖାଯାଇଛି ଯେ ମଟରଗାଡ଼ିଟିଏ ଯେତେବେଳେ ସଡ଼କରେ ବାସ୍ତବ ଦୁର୍ଘଟଣାର ସମ୍ମୁଖୀନ ହୁଏ, ଜଣେ ମହିଳା ଆରୋହୀଙ୍କର ଗୁରୁତର ଆହତ ହେବା ସମ୍ଭାବନା ଜଣେ ପୁରୁଷ ଆରୋହୀଙ୍କ ଠାରୁ ୪୭ ଶତାଂଶ ଅଧିକ ହୋଇଥାଏ। ସେତିକି ନୁହେଁ, ଦୁର୍ଘଟଣା ଯୋଗୁଁ ଜଣେ ମହିଳା ଆରୋହୀଙ୍କ ମୃତ୍ୟୁ ଘଟିବା ସମ୍ଭାବନା ଜଣେ ପୁରୁଷଙ୍କ ଠାରୁ ୧୭ ଶତାଂଶ ଅଧିକ ହୋଇଥାଏ। ବର୍ତ୍ତମାନ ପୃଥିବୀରେ ସକ୍ରିୟ ଥିବା ନାରୀ-ଅଧିକାର ଆନ୍ଦୋଳନକାରିଣୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟା ବିବେଚିତ କ୍ୟାରୋଲିନ୍ କ୍ରିଆଡୋ ପେରେଜ୍ ତାଙ୍କର ୨୦୧୯ରେ ପ୍ରକାଶିତ ଚହଳ ସୃଷ୍ଟିକାରୀ ପୁସ୍ତକ, ‘ଇନ୍‌ଭିଜିବ୍‌ଲ ୱିମେନ୍’ (‘ଅଦୃଶ୍ୟ ନାରୀ’)ରେ ପ୍ରଦାନ କରିଥିବା ଏଇଭଳି ଅନେକ ଆଖି ଖୋଲିଦେବା ଭଳି ଉଦାହରଣମାନଙ୍କ ମଧ୍ୟରୁ, ଇଏ ହେଉଛି ଗୋଟିଏ ମାତ୍ର।

ଏଠାରେ ଯାହା ଲକ୍ଷ୍ୟ କରିବା କଥା, ତାହା ହେଲା- ମଟରଗାଡ଼ି ନିର୍ମାତାମାନେ ଆଦୌ ନାରୀ-ବିରୋଧୀ ନୁହନ୍ତି; ସେମାନେ କେବଳ ଯେଉଁ ଚିନ୍ତାଧାରାର ଅନୁସରଣ କରିଥା’ନ୍ତି, ତାହା ହେଲା- ଯାହା ପୁରୁଷମାନଙ୍କ ପାଇଁ ଉପଯୁକ୍ତ, ତାହା ମଧ୍ୟ ଆପେଆପେ ନାରୀମାନଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ଏଠାରେ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା ହେଲା- ଖୋଦ୍ ମହିଳାମାନେ ମଧ୍ୟ କେବେ ଭାବି ନ ଥା’ନ୍ତି ଯେ ଏଭଳି ଏକ ନିରାପତ୍ତା ମାପକାଠି ବ୍ୟବହାର କରିବା ଦ୍ବାରା ମଟରଗାଡ଼ି ନିର୍ମାତାମାନେ ନାରୀମାନଙ୍କ ପ୍ରତି ବାଛବିଚାର ଆଚରଣ କରିଥା’ନ୍ତି। ବରଂ ନାରୀ ପୁରୁଷ ବ୍ୟତିରେକେ ସମସ୍ତେ ବିଶ୍ବାସ କରିଥା’ନ୍ତି ଯେ ନିର୍ମାଣ ପୂର୍ବରୁ କରାଯାଉଥିବା ‘କ୍ରାସ୍ ଟେଷ୍ଟ୍’ ହେଉଛି ସମ୍ପୂର୍ଣ୍ଣ ରୂପେ ଲିଙ୍ଗ-ନିରପେକ୍ଷ, ଯାହା ଉଭୟ ପୁରୁଷ ଓ ନାରୀମାନଙ୍କୁ ସମାନ ସୁରକ୍ଷା ପ୍ରଦାନ କରିଥାଏ, କିମ୍ବା ଶାସ୍ତ୍ର ଭାଷାରେ କହିଲେ- ସମାନ ଅଧିକାର ପ୍ରଦାନ କରିଥାଏ। ଏହା କିନ୍ତୁ କିପରି ଏକ ଭ୍ରମାତ୍ମକ ଧାରଣା, ତାହା ଆମେ ଦେଖିଲେ। କ୍ରିଆଡୋ ପେରେଜ୍ ଦର୍ଶାଇଛନ୍ତି, ବୃହତ୍ତର ସମାଜ ଯେତେବେଳେ ନାଗରିକମାନଙ୍କ ପାଇଁ ଏଭଳି ଅନ୍ୟାନ୍ୟ ଅନେକ ଗୁରୁ୍ତ୍ବପୂର୍ଣ୍ଣ ନିଷ୍ପତ୍ତିମାନ ନେଇଥାଏ, ସେତେବେଳେ ‘କ୍ରାସ୍ ଟେଷ୍ଟ୍’ ଦୃଶ୍ୟ ଭଳି ନାରୀମାନଙ୍କ ଉପସ୍ଥିତିକୁ ଆଦୌ ବିଚାରକୁ ନିଆଯାଇ ନ ଥାଏ- ସତେ ଯେମିତି ନାରୀମାନେ ହେଉଛନ୍ତି ଅଦୃଶ୍ୟ। ଏବଂ ଖୋଦ୍ ନାରୀମାନେ ମଧ୍ୟ ଏହାକୁ ସ୍ବାଭାବିକ ବୋଲି ବିଚାର କରି ଏହାକୁ ସମାନ ଅଧିକାର ଦୃଷ୍ଟିରେ ଦେଖିଥା’ନ୍ତି।

ଆଜି ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ ଭାରତରେ ବିରାଜମାନ କରୁଥିବା ନାରୀ-ଅଧିକାର ଦୃଶ୍ୟପଟ ଉପରେ ଦୃଷ୍ଟି ନ‌ିକ୍ଷେପ କଲେ କ୍ରିଆ‌େଡା ପେରେଜ୍‌ଙ୍କର ଏହି ଅନୁଚିନ୍ତାର ସତ୍ୟତା ଆମ ସମ୍ମୁଖରେ ସ୍ପଷ୍ଟ ହୋଇ ଆବିର୍ଭୂତ ହୋଇଥାଏ। ଠିକ୍ ଏଇ ସମୟରେ ଯାହା ଆମ ପାଇଁ ଏହି ଦୃଶ୍ୟପଟ ପ୍ରସ୍ତୁତ କରିଛି, ତାହା ହେଉଛି ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ଗବେଷଣା ସଂସ୍ଥା, ‘ପିଉ ରିସର୍ଚ୍ଚ‌୍ ସେଣ୍ଟର୍’ ଦ୍ବାରା ପ୍ରସ୍ତୁତ ଏ ସମ୍ପର୍କିତ ଏକ ସର୍ବେକ୍ଷଣ ରିପୋର୍ଟ‌। ୨୦୧୯-୨୦ର ଶେଷ ଚାରି ମାସରେ ଭାରତରେ ପ୍ରାୟ ୩୦,୦୦୦ ସାବାଳକମାନଙ୍କ ଠାରୁ ‘ପିଉ’ ସଂଗ୍ରହ କରିଥିବା ମତାମତ ଅନୁସାରେ ଭାରତୀୟ ସମାଜରେ ପରିଲକ୍ଷିତ ହେଉଥିବା ଲିଙ୍ଗଗତ ସାମ୍ୟକୁ ଆଦର୍ଶସ୍ଥାନୀୟ ବୋଲି କୁହାଯାଇପାରେ।

ରିପୋର୍ଟ ଅନୁସାରେ ଏଠାରେ ୭୮ ଶତାଂଶ ପୁରୁଷ ଓ ୭୬ ଶତାଂଶ ମହିଳା ଭାରତରେ ନାରୀମାନେ ବିଶେଷ ବାଛବିଚାରର ସମ୍ମୁଖୀନ ହେଉନାହାନ୍ତି ବୋଲି ବିଶ୍ବାସ କରୁଛନ୍ତି। ସେତିକି ନୁହେଁ, ଉତ୍ତରଦାତାମାନଙ୍କ ମଧ୍ୟରୁ ୭୯ ଶତାଂଶ ପୁରୁଷ ଓ ୮୨ ଶତାଂଶ ନାରୀ ମଧ୍ୟ ଜୋର୍ ଦେଇ କହିଥିଲେ ଯେ ‘‘ମହିଳାମାନେ ପୁରୁଷମାନଙ୍କ ସହିତ ସମାନ ଅଧିକାର ପାଇବା ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।’’ କିନ୍ତୁ ଅର୍ଥନୀତିରେ ଯେତେବେଳେ ନିଯୁକ୍ତିର ଅଭାବ ଦେଖା ଦିଏ ସେତେବେଳେ କାହାର ନିଯୁକ୍ତି ପାଇବାର ଅଧିକାର ଅଧିକ ହେବା ଉଚିତ ବୋଲି ଯେତେବେଳେ ସେମାନଙ୍କୁ ପ୍ରଶ୍ନ କରାଗଲା, ଏଇଭଳି ସଂଖ୍ୟାଗରିଷ୍ଠ ମତଦାତାମାନେ ପ୍ରକାଶ କରିବା ଦେଖାଗଲା ଯେ ଏଭଳି ସ୍ଥଳେ ପୁରୁଷମାନେ ନିଯୁକ୍ତି ପାଇବା ପାଇଁ ଅଧିକ ହକ୍‌ଦାର୍। ଅର୍ଥାତ୍, ସେମାନଙ୍କ ଦୃଷ୍ଟିରେ ନିଯୁକ୍ତି କ୍ଷେତ୍ରରେ ପୁରୁଷମାନଙ୍କୁ ଏଭଳି ଅଗ୍ରାଧିକାର ପ୍ରଦାନ ଏକ ଲିଙ୍ଗଗତ ବାଛବିଚାର ରୂପେ ପରିଗଣିତ ନୁହେଁ। ଠିକ୍ ଯେମିତି ଦୁର୍ଘଟଣା ଘଟିଲେ ମହିଳା ଆରୋହୀଙ୍କର ଗୁରୁତର ଆହତ ହେବାର ସମ୍ଭାବନା କିମ୍ବା ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ପୁରୁଷ ଆରୋହୀଙ୍କ ଠାରୁ ଅଧିକ ହେବା ଏକ ଲିଙ୍ଗଗତ ବାଛବିଚାର ନୁହେଁ।

ଏହାର ଅର୍ଥ ସମାଜ ଯୁଗ ଯୁଗ ଧରି ଯେଉଁ ଲିଙ୍ଗଗତ-ଛାଞ୍ଚ ବ୍ୟବହାର କରି ଆସିଛି, ନିଜକୁ ସଚେତନ ବୋଲି ବିଚାର କରୁଥିବା ପୁରୁଷ ଓ ନାରୀମାନେ ଏବେ ମଧ୍ୟ ସେଇ ଛାଞ୍ଚରୁ ମୁକୁଳି ପାରି ନାହାନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଶ୍ବ ବ୍ୟାଙ୍କ୍‌ର ସୂଚନା ଅନୁସାରେ ୨୦୧୯ରେ ଭାରତରେ କର୍ମକ୍ଷମ ମହିଳାମାନଙ୍କ ମଧ୍ୟରୁ ନିଯୁକ୍ତି ପାଇଥିବା ଓ ନିଯୁକ୍ତି ଖୋଜୁଥିବା ମହିଳାମାନଙ୍କର ଅନୁପାତ ଏକ ଅତ୍ୟନ୍ତ ନୀଚା ଏକ-ପଞ୍ଚମାଂଶ ମାତ୍ର ହୋଇଥିବାର ଏକ ମୁଖ୍ୟ କାରଣ ହେଉଛି ଏହି ଛାଞ୍ଚଗ୍ରସ୍ତ ମାନସିକତା। ଏହାର ନୈତିକତାକୁ ପ୍ରଶ୍ନ ନ କରି କେବଳ ଯଦି ସମାଜର ବାସ୍ତବ ଲାଭକ୍ଷତିକୁ ବିଚାରକୁ ନିଆଯାଏ, ତେବେ ଏଭଳି ବାଛବିଚାର ଏକ ମୂର୍ଖାମି ବୋଲି ଯିଏ ପ୍ରଥମେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ସେ ହେଉଛନ୍ତି ନାରୀ-ଅଧିକାର ଆନ୍ଦୋଳନର ପ୍ରଥମ ଲହରୀର ମୂଳଦୁଆ ପକାଇଥିବା ଅଷ୍ଟାଦଶ ଶତାବ୍ଦୀର ଇଂରେଜ୍ ଦାର୍ଶନିକା- ମେରି ଓଲ୍‌ଷ୍ଟୋନ୍-କ୍ରାଫ୍‌ଟ୍। ସେ କହିଥିଲେ, ନାରୀ ଓ ପୁରୁଷ ହେଉଛନ୍ତି ସମାଜର ଦୁଇଟି ଗୋଡ଼। ଗୋଟିଏ ଗୋଡ଼କୁ ଛୋଟା କରି ଦେଇ ସମାଜ ଦୌଡ଼ିବ କିପରି?

ସମ୍ବନ୍ଧିତ ଖବର