ସାଧାରଣତଃ କୌଣସି ଏକ ରାଜ୍ୟର ହାଇକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ସେଇ ରାଜ୍ୟର ଜଣେ ପୂର୍ବତନ ପୁଲିସ ଅଧିକାରୀ ଛନ୍ଦି ହୋଇଥିବା କୌଣସି ଆପରାଧିକ ମାମଲା ସମ୍ପର୍କିତ ଏକ ନିର୍ଦ୍ଦେଶ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟି ନ ଥାଏ। ଗତ ସପ୍ତାହରେ କିନ୍ତୁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଏକ ତିନିଜଣିଆ ବେଞ୍ଚ୍ ନିକଟରେ ପଞ୍ଜାବ ଓ ହରିଆନା ହାଇକୋର୍ଟ ସେ ରାଜ୍ୟର ପୂର୍ବତନ ପୁଲିସ ମୁଖ୍ୟ (ଡିଜିପି) ଏସ୍ଏସ୍ ସଇନିଙ୍କୁ କୌଣସି ଆପରାଧିକ ମାମଲାରେ ଗିରଫଦାରୀରୁ ସାମୟିକ ସୁରକ୍ଷା ପ୍ରଦାନ କରି ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ପ୍ରକାଶ କରିଥିବା ମନ୍ତବ୍ୟ ସେଥି ପ୍ରତି ସାରା ଦେଶର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଏକ ଆମୋଦ ମିଶା ଅନୁସନ୍ଧିତ୍ସା ସୃଷ୍ଟି କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଉକ୍ତ ହାଇକୋର୍ଟ ଉପରୋକ୍ତ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଡିଜିପି ସଇନିଙ୍କୁ ତାଙ୍କ ବିରୋଧରେ ଥିବା କୌଣସି ପୂର୍ବର ଆପରାଧିକ ମାମଲାରେ କିମ୍ବା ତାଙ୍କ ବିରୋଧରେ କୌଣସି ସମ୍ଭାବ୍ୟ ଭବିଷ୍ୟତ ମାମଲାରେ ଗିରଫ କରାଯାଇପାରିବ ନାହିଁ। ସୁପ୍ରିମ୍ କୋର୍ଟର ମାନ୍ୟବର ବିଚାରପତିମାନେ ଅତୀତ ମାମଲାରେ ଗିରଫଦାରୀରୁ ସାମୟିକ ସୁରକ୍ଷା ପ୍ରଦାନରେ କିଛି ଅସଙ୍ଗତି ଲକ୍ଷ୍ୟ କରି ନାହାନ୍ତି; କିନ୍ତୁ ଭବିଷ୍ୟତ? ଯେଉଁ ଅପରାଧ ଏବେ ଘଟି ନାହିଁ, କିନ୍ତୁ ହୁଏତ ଭବିଷ୍ୟତରେ ଘଟିପାରେ, ସେଥିପାଇଁ ମଧୢ ହାଇକୋର୍ଟ ଗିରଫଦାରୀରୁ ପ୍ରଦାନ କରିଥିବା ସୁରକ୍ଷା ସର୍ବୋଚ୍ଚ ଅଦାଲତର ନ୍ୟାୟମୂର୍ତ୍ତିମାନଙ୍କୁ ଏପରି ଆଶ୍ଚର୍ଯ୍ୟାନ୍ବିତ କରି ଦେଇଛି ଯେ ସେମାନେ ଏହାକୁ ‘‘ଅଭୂତପୂର୍ବ’’ ବୋଲି ମନ୍ତବ୍ୟ ପ୍ରଦାନ କରି ଦୁଇ ସପ୍ତାହ ମଧୢରେ ଏହାର ପୁନର୍ବିଚାର କରିବା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅବଶ୍ୟ ସଇନିଙ୍କୁ ବିଭିନ୍ନ ଆପରାଧିକ ମାମଲାରେ ଛନ୍ଦା ଯାଇ ହରକତ୍ କରାଯାଉଛି ବୋଲି ସେ କରି ଆସୁଥିବା ଅଭିଯୋଗକୁ ବିଚାରକୁ ନେଇ ନିରପେକ୍ଷ ନ୍ୟାୟ ପ୍ରଦାନ ପାଇଁ ହୁଏତ ହାଇକୋର୍ଟର ସମ୍ପୃକ୍ତ ବିଚାରପତି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସମସ୍ୟା ହେଲା ତାଙ୍କର ଏହି ନିର୍ଦ୍ଦେଶ ଏକ ଅସମ୍ଭବକୁ ସମ୍ଭବ କରିବାର ଧାରଣା ସୃଷ୍ଟି କରିଛି: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ ରହିଥିବା ସର୍ବଜନ ସ୍ବୀକୃତ ବିଭାଜକକୁ ଲିଭାଇ ନିଶ୍ଚିହ୍ନ କରି ଦେଇଛି। ଏହାହିଁ ହେଉଛି ସର୍ବୋଚ୍ଚ ଅଦାଲତଙ୍କ କଠୋର ପ୍ରତିକ୍ରିୟା ପଛରେ ନିହିତ ଥିବା ଅସଲ ଦାର୍ଶନିକ କାରଣ।
ସମସ୍ୟାଟିକୁ ତେଣୁ ଯଦି ଏକ ଦାର୍ଶନିକ ସମସ୍ୟା ରୂପେ ଦେଖାଯାଏ ଏବ˚ ଏକ କାଳ୍ପନିକ ଦାର୍ଶନିକ ଅଦାଲତର ପରିକଳ୍ପନା କରି ହାଇକୋର୍ଟଙ୍କର ଉକ୍ତ ନିର୍ଦ୍ଦେଶର ଯୌକ୍ତିକତା ପରୀକ୍ଷା କରିବାର ଦାୟିତ୍ବ ଜଣେ ଦାର୍ଶନିକ-ବିଚାରପତିଙ୍କ ହସ୍ତରେ ଅର୍ପଣ କରାଯାଏ, ତେବେ ତା’ର ପରିଣତି ହୁଏତ ପଞ୍ଜାବ ଓ ହରିଆନା ହାଇକୋର୍ଟର ସମ୍ପୃକ୍ତ ବିଚାରପତିଙ୍କ ପାଇଁ ଯେ ସମ୍ପୂର୍ଣ୍ଣ ଭିନ୍ନ ହୁଅନ୍ତା ନାହିଁ, କିଏ କହିପାରିବ? ଯେହେତୁ ଏକ ନିର୍ଦ୍ଦେଶର ଯୌକ୍ତିକତା ପରୀକ୍ଷା କରିବା ହେଉଛି ଏହି କାଳ୍ପନିକ ଅଦାଲତର ଉଦ୍ଦେଶ୍ୟ, ତେଣୁ ସମଗ୍ର ପାଶ୍ଚାତ୍ୟ ଦର୍ଶନଶାସ୍ତ୍ରର ଇତିହାସରେ ଯେଉଁ ଦାର୍ଶନିକ ସର୍ବପ୍ରଥମେ ଏକ ଦାର୍ଶନିକ ତତ୍ତ୍ବର ସତ୍ୟତା ସାବ୍ୟସ୍ତ କରିବା ପାଇଁ ତାହାକୁ ବିଧିବଦ୍ଧ ଯୁକ୍ତି ଉପରେ ଆଧାରିତ କରିଥିଲେ, ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀର ସେଇ ପ୍ରାକ୍-ସକ୍ରେଟିସ୍ ଯୁଗର ଗ୍ରୀକ୍ ଦାର୍ଶନିକ ପାର୍ମେନିଡିସ୍ଙ୍କୁ ଏହି ଅଦାଲତରେ ବିଚାରପତି ଆସନରେ ଉପବିଷ୍ଟ କରାଇବା ବୋଧହୁଏ ଠିକ୍ ହେବ। (ପାଶ୍ଚାତ୍ୟ ଦାର୍ଶନିକ- କାରଣ ଆମର ନ୍ୟାୟ ବ୍ୟବସ୍ଥା ମୁଖ୍ୟତଃ ପାଶ୍ଚାତ୍ୟ ନ୍ୟାୟ ବ୍ୟବସ୍ଥାର ଅନୁସରଣ କରିଥାଏ।)
ଏଠାରେ ବିଚାରାଧୀନ ପ୍ରଶ୍ନ ହେଉଛି- ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ ବିଭାଜନକୁ ଲିଭାଇବାକୁ ଚେଷ୍ଟା କରି ହାଇକୋର୍ଟର ସେହି ମାନ୍ୟବର ବିଚାରପତି ଏକ ଅବାସ୍ତବ କାର୍ଯ୍ୟ କରିଛନ୍ତି କି? ଅନ୍ୟ ପ୍ରକାରେ କହିଲେ- ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ କରାଯାଉଥିବା କାଳ-ବିଭାଜନ ବାସ୍ତବ ନା ଅବାସ୍ତବ? ଏହା ସ୍ବାଭାବିକ ଭାବରେ ଯେଉଁ ମୂଳ ପ୍ରଶ୍ନକୁ ଜନ୍ମ ଦେଇଥାଏ, ତାହା ହେଲା- ବାସ୍ତବତା କ’ଣ? ପାର୍ମେନିଡିସ୍ ଏହାର ଉତ୍ତର ବହନ କରୁଥିବା ଏକ ମୁଖବନ୍ଧ ଓ ଆଉ ଦୁଇ ଭାଗ ବିଶିଷ୍ଟ ଏକ ଦାର୍ଶନିକ କବିତା ରଚନା କରିଥିଲେ (ଇ˚ରେଜୀରେ କବିତାଟିର ଶୀର୍ଷକ- ‘ଅନ୍ ନେଚର୍’ ବା ‘ପ୍ରକୃତି ସମ୍ବନ୍ଧରେ’) ଯାହାର କେତେକ ଅ˚ଶ କାଳ ଗର୍ଭରେ ନିଶ୍ଚିହ୍ନ ହୋଇଯାଇଥିଲେ ମଧୢ ତଥାପି ଅନେକ ଅ˚ଶ ସୁରକ୍ଷିତ ରହିଯାଇଛି।
ଏହି ମୁଖବନ୍ଧରେ ପାର୍ମେନିଡିସ୍ କହିଛନ୍ତି ଯେ କବିତାର ପ୍ରଥମ ଭାଗରେ ସେ ଯେଉଁ ସତ୍ୟ ବ୍ୟାଖ୍ୟାନ କରିଛନ୍ତି, ତାହା ଜଣେ ଦେବୀଙ୍କ ସହିତ ତାଙ୍କର ହୋଇଥିବା ସାକ୍ଷାତ୍ ସମୟରେ ଦେବୀ ତାଙ୍କର ଅବଗତି ନିମିତ୍ତ ପ୍ରକାଶ କରିଥିଲେ। ଦେବୀଙ୍କର ଏହି ମୁଖ ନିଃସୃତ ବାଣୀ ଅନୁସାରେ ବାସ୍ତବତା ହେଉଛି- ଏକ, ଅଭିନ୍ନ, ସର୍ବସମ ଓ ଅପରିବର୍ତ୍ତନୀୟ। ଉଦାହରଣ ସ୍ବରୂପ ଆମେ ଯେତେବେଳେ ଏକ କୁକୁରକୁ ଲକ୍ଷ୍ୟ କରି କହୁ, ‘ଏହା ଏକ କୁକୁର’, ଆମେ ସେତେବେଳେ ସ୍ପଷ୍ଟ କରି ଦେବାକୁ ଚାହୁଁ ଯେ- ଏହା ଏକ ବିଲେଇ ନୁହେଁ; ଏହା ଏକ ଶୁଆ ନୁହେଁ; ଏହା ଏକ ଗଛ ନୁହେଁ; ଏହା ଖଣ୍ତେ ପଥର ନୁହେଁ; ଏହା ଏକ ସାଇକେଲ୍ ନୁହେଁ...। ଅର୍ଥାତ୍ ଆମେ ଯେଉଁ ସମୟରେ କୁକୁରଟିର ସ୍ଥିତି ସ୍ବୀକାର କରୁଛୁ, ସେଇ ସମୟରେ ମଧୢ ଅନ୍ୟ ସମସ୍ତଙ୍କର ସ୍ଥିତି ସ୍ବୀକାର କରୁଛୁ, ଯେଉଁମାନେ ସେଇ କୁକୁର ନୁହନ୍ତି। ଏହି ଯୁକ୍ତି ଅନୁସାରେ ତେଣୁ ପ୍ରକୃତିରେ କାହାର ହେଲେ ସମ୍ପୂର୍ଣ୍ଣ ପୃଥକ୍ ସ୍ଥିତି ନାହିଁ; ସମସ୍ତେ ହେଉଛନ୍ତି ସେଇ ଅନ୍ତିମ ବାସ୍ତବତାର ଅ˚ଶ, ଯାହା ହେଉଛି ଏକ ଓ ଅଖଣ୍ତ। ଆମକୁ ଦୃଶ୍ୟମାନ ହେଉଥିବା ପୃଥକ୍ ପୃଥକ୍ ସତ୍ତା ହେଉଛି କେବଳ ଏକ ଭେଳିକି ମାତ୍ର।
ପାର୍ମେନିଡିସ୍ ତାଙ୍କର ଏହି ‘ଦେବୀଦତ୍ତ’ ଚିନ୍ତାଧାରାକୁ ଆଗେଇ ନେଇ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ଯଦି ବାସ୍ତବତା ହେଉଛି ଏଭଳି ଏକ ଓ ଅଖଣ୍ତ, ତା’ହେଲେ, କୌଣସି ପରିବର୍ତ୍ତନ ଘଟିବା ମଧୢ ହେଉଛି ଅସମ୍ଭବ। ସୂଚାଇବା ଅନାବଶ୍ୟକ, ସମୟର ଗତି କେବଳ ପରିବର୍ତ୍ତନ ମାଧୢମରେ ହିଁ ଅନୁଭୂତ ହୋଇଥାଏ; ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ ବିଭାଜକ ଏହି ପରିବର୍ତ୍ତନ ହିଁ ଅଙ୍କନ କରିଥାଏ। ଯଦି ପରିବର୍ତ୍ତନ ନାହିଁ ତ ସେହି ବିଭାଜନ ମଧୢ ନାହିଁ। ଅତଏବ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପେ ଆମେ ଯାହା ଜାଣିଥାଉ, ତାହା ହେଉଛି ପ୍ରକୃତରେ ଏକ ପରିବର୍ତ୍ତନହୀନ ଚିରନ୍ତନ ଅଖଣ୍ତ ଏକକ ଦ୍ବାରା ସୃଷ୍ଟ ଆମ ଚର୍ମଚକ୍ଷୁ ପାଇଁ ଉଦ୍ଦିଷ୍ଟ ଭେଳିକିମାନ ମାତ୍ର।
ଆଶ୍ଚର୍ଯ୍ୟର କଥା ଜଣେ ପ୍ରାଚୀନ ଦାର୍ଶନିକଙ୍କର ଅତ୍ୟନ୍ତ ଅବାସ୍ତବ କଳ୍ପନା ଭଳି ମନେ ହେଉଥିବା ପାର୍ମେନିଡିସ୍ଙ୍କର ଏହି ଅନ୍ତଦୃର୍ଷ୍ଟିର ପ୍ରତିଧ୍ବନି ବି˚ଶ ଶତାବ୍ଦୀରେ ଯାହାଙ୍କ ସ୍ବରରୁ ଶୁଣିବାକୁ ମିଳିଥିଲା, ସେ ହେଉଛନ୍ତି ଦର୍ଶନଶାସ୍ତ୍ରର ବିପରୀତ ଦୁନିଆ ରୂପେ ବିବେଚିତ (ଏହା ମଧୢ ଭ୍ରମାତ୍ମକ) ଜଡ଼ବିଜ୍ଞାନର ଜଣେ ଛାମୁହାଁ ପ୍ରତିନିଧି, ମାନବ ଇତିହାସରେ ଶ୍ରେଷ୍ଠତମ ବୈଜ୍ଞାନିକ ରୂପେ ସ୍ବୀକୃତ, ଆଲବର୍ଟ ଆଇନ୍ଷ୍ଟାଇନ୍। ତାଙ୍କର ଘନିଷ୍ଠତମ ବନ୍ଧୁମାନଙ୍କ ମଧୢରୁ ଅନ୍ୟତମ, ଇଞ୍ଜିନିଅର ମିସେଲ୍ ବେସୋଙ୍କର ପରଲୋକ ଘଟିବା ପରେ ବେସୋଙ୍କର ଭଉଣୀଙ୍କ ପାଖକୁ ଆଇନ୍ଷ୍ଟାଇନ୍ ଯେଉଁ ସାନ୍ତ୍ବନା ପତ୍ର ଲେଖି ପଠାଇଥିଲେ, ତାହାର ଏହି ଅ˚ଶଟି ଥିଲା: ‘‘ଆମେ ସବୁ ଯେଉଁମାନେ ପଦାର୍ଥ ବିଜ୍ଞାନରେ ଗଭୀର ବିଶ୍ବାସୀ, ସେମାନଙ୍କ ପାଇଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ ପାର୍ଥକ୍ୟର ଏକ ଭେଳିକି ବ୍ୟତୀତ ଆଉ କିଛି ଅର୍ଥ ନାହିଁ, ଯଦିବା ଏକ ନଛୋଡ଼ବନ୍ଦା ଭେଳିକି।’’
ଉଭୟ ପାର୍ମେନିଡିସ୍ ଓ ଆଇନ୍ଷ୍ଟାଇନ୍ଙ୍କର ଏଭଳି ଚିନ୍ତାଧାରାରୁ ଯେଉଁ ଚିତ୍ର ଉତ୍ପନ୍ନ ହୋଇଥାଏ, ତାହା ହେଲା ଏ ଦୁନିଆରେ କୌଣସି ଘଟଣା ଘଟେ ନାହିଁ; ସମସ୍ତ ଘଟଣା ଘଟି ସାରି ମାଳେ ଚିତ୍ର ଭଳି ଖଞ୍ଜା ହୋଇ ରହିଛି, ଯାହାକୁ ଭେଳିକିର ଅ˚ଶ ସ୍ବରୂପ ଆମେ କେବଳ ଦେଖି ଦେଖି ଚାଲିଛୁ, ଏବ˚ ଆମେ ମଧୢ ହେଉଛୁ ସେଇ ଭେଳିକିର ଅ˚ଶ। ଆସନ୍ତା କାଲିର ଭେଳିକି କ’ଣ ହେବ, ଆଜି ତାହା ଆମେ ଦେଖିବାର ଉପାୟ ନାହିଁ। ତେଣୁ ତାତ୍ତ୍ବିକ ଦୃଷ୍ଟିରୁ ନ୍ୟାୟମୂର୍ତ୍ତି ପାର୍ମେନିଡିସ୍ ହୁଏତ ହାଇକୋର୍ଟ ଯୁକ୍ତିଯୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାୟ ଦେଇପାରନ୍ତି; କିନ୍ତୁ ଯେହେତୁ ଭେଳିକିର ଅନ୍ଧପୁଟୁଳି ପିନ୍ଧିଥିବା ହାଇକୋର୍ଟଙ୍କୁ ଜଣା ନାହିଁ ଡିଜିପି ସଇନିଙ୍କ ଦ୍ବାରା ଆସନ୍ତା କାଲି କେଉଁ ଭଳି ସମ୍ଭାବ୍ୟ ଅପରାଧ ସ˚ଘଟିତ ହୋଇପାରେ, ସେଥିପାଇଁ ତାଙ୍କୁ ଆଗତୁରା ଗିରଫଦାରୀରୁ ସୁରକ୍ଷା ପ୍ରଦାନ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ମଧୢ ପାର୍ମେନିଡିସ୍ ମତ ପ୍ରକାଶ କରିବେ। ହାଇକୋର୍ଟଙ୍କର ନିର୍ଦ୍ଦେଶକୁ ତେଣୁ ନ୍ୟାୟର ଏକ ଭେଳିକି ବୋଲି କହିଲେ ଭୁଲ୍ ହେବ କି?