ଆକାଶ ଗରିଲା

ପ୍ରସିଦ୍ଧ ଇ˚ରେଜୀ ଉପନ୍ୟାସ ‘ଦ ଓଲ୍‌ଡ ମ୍ୟାନ୍‌ ଏଣ୍ତ୍‌ ଦ ସି’ ବା ‘ବୃଦ୍ଧ ଓ ସମୁଦ୍ର’ରେ ଏହାର ଲେଖକ ଅର୍ନେଷ୍ଟ ହେମିଂୱେ କାହାଣୀର ନାୟକ ସାଣ୍ଟିଆଗୋଙ୍କ ମାନବ ସାମର୍ଥ୍ୟ ଅତିକ୍ରମୀ ପ୍ରତିକୂଳତା ବିରୋଧୀ ସ˚ଗ୍ରାମ ପରିପ୍ରେକ୍ଷୀରେ ଯେଉଁ ଅନୁପମ ବାକ୍ୟ ଦ୍ବୟ ଲେଖିଥିଲେ, ତାହାର ଓଡ଼ିଆ ଭାଷାନ୍ତର ହେଉଛି- ପରାଜୟ ଲାଗି ମନୁଷ୍ୟର ତିଆରି ହୋଇନାହିଁ। ସେ ବିଧ୍ବସ୍ତ ହୋଇ ଯାଇପାରେ, କିନ୍ତୁ ପରାଜୟ ବରଣ କରିବ ନାହିଁ। ଏକ ଭିନ୍ନ ପରିପ୍ରେକ୍ଷୀରେ ହେଲେ ମଧ୍ୟ ଗୋଟିଏ ଦୃଷ୍ଟିରୁ ମନେ ହୋଇଥାଏ ଯେ ବିଧ୍ବସ୍ତ ହେବା ସତ୍ତ୍ବେ ଅପରାଜେୟ ରହିବାର ପ୍ରବୃତ୍ତିରୁ ଗରିଲା ଯୁଦ୍ଧ ପଦ୍ଧତିର ମଧ୍ୟ ସୃଷ୍ଟି ହୋଇଥିବ। କାରଣ, ଗରିଲା ଯୁଦ୍ଧରେ ଗୋଟିଏ ଦେଶ ପ୍ରତିପକ୍ଷର ସାମରିକ ବାହିନୀ ଦ୍ବାରା ବିଧ୍ବସ୍ତ ହୋଇ ସାରିଥିଲେ ମଧୢ ସେହି ପରାଜିତ ଦେଶର ଜନସାଧାରଣ ଅସରନ୍ତି ଓ ଅତର୍କିତ କ୍ଷୁଦ୍ର ଆକ୍ରମଣମାନ ଘଟାଇ ବିଜୟୀ ଦଳକୁ ଅସହନୀୟ ଭାବେ ବ୍ୟତିବ୍ୟସ୍ତ କରି ଦେଇପାରନ୍ତି; ଯେମିତି କାନ ପାଖରେ ଅବିରତ ବିରକ୍ତିକର ଗୁ˚ଜନ ସୃଷ୍ଟି କରି ‘ଫ୍ଲି’ ବା ମାଛି କୌଣସି କୁକୁରର ଜୀବନକୁ କିଛି ସମୟ ଲାଗି ଦୁର୍ବିଷହ କରି ଦେଇଥାଏ। ଏହି କାରଣରୁ ଏ ପ୍ରକାର ଯୁଦ୍ଧକୁ ‘ଫ୍ଲି ଵାର୍‌’ ବୋଲି ମଧୢ ଅଭିହିତ କରାଯାଇଥାଏ। ଆଜିକୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସପ୍ତଦଶ ଦିବସରେ ପଦାର୍ପଣ କରିଥିବା ବେଳେ ୟୁକ୍ରେନ୍‌ର ପ୍ରତିରୋଧର ତୀବ୍ରତା ସମସ୍ତ ଆକଳନ ଓ ଧାରଣାକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରିଛି। ସୁତରାଂ, ମାତ୍ର ଚାରି ପାଞ୍ଚ ଦିନ ମଧୢରେ ଏହି ଯୁଦ୍ଧକୁ ସମାପ୍ତ କରି ଦେବାର ଅଭିପ୍ରାୟ ସହିତ ଅଭିଯାନ ଆରମ୍ଭ କରିଥିବା ବିଶାଳ ଏବ˚ ବଳଶାଳୀ ରୁଷୀୟ ସେନାବାହିନୀ ହତାଶ ହୋଇ ପଡ଼ିଥିବାର ଲକ୍ଷଣ ପ୍ରଦର୍ଶନ କରି ବିଭିନ୍ନ ସହରକୁ ଚୂର୍ଣ୍ଣୀଭୂତ କରିବାରେ ପ୍ରମତ୍ତ ହୋଇଛି ସିନା, ରାଜଧାନୀ କିବ୍‌ ଦଖଲ କରିବାରେ ସମର୍ଥ ହୋଇନାହିଁ। ଏହାର କାରଣ ୟୁକ୍ରେନ୍‌ ଜନସାଧାରଣ ଗରିଲା ଯୁଦ୍ଧର ଆଶ୍ରୟ ନେଇଛନ୍ତି। କିନ୍ତୁ ଏ କ୍ଷେତ୍ରରେ ଯାହା ମହତ୍ତ୍ବପୂର୍ଣ୍ଣ ତାହା ହେଲା, ସେହି କ୍ରମରେ ଗରିଲା ଯୁଦ୍ଧର ଶୈଳୀରେ ଏଭଳି ଏକ ପରିବର୍ତ୍ତନ ଆଣିବାରେ ସେମାନେ ସମର୍ଥ ହୋଇଛନ୍ତି, ଯାହା ଅନେକଙ୍କ ଲାଗି ବିସ୍ମୟର କାରଣ ହୋଇଛି।

ଏହା ଏକ ବିରୋଧାଭାସ ଭଳି ପ୍ରତୀୟମାନ ହୋଇପାରେ, କିନ୍ତୁ ଦେଖିବାକୁ ମିଳିଛି ଯେ ଗୁଳିଗୋଳା ଶବ୍ଦ ଏବ˚ ବୋମା ବିସ୍ଫୋରଣରେ ୟୁକ୍ରେନ୍‌ ଥରି ଉଠୁଥିବା ବେଳେ ଏକ ଶ୍ରୁତିମଧୁର ଗୀତ ମଧୢ ସେଠାକାର ନାଗରିକମାନଙ୍କ ଓଠରେ ମିଠା ଓ ମୃଦୁ କ˚ପନ ସୃଷ୍ଟି କରି ଚାଲିଛି, ଯାହାର ଶୀର୍ଷକ ହେଉଛି ‘ବାଇରାକ୍‌ତାର‌୍‌’। ସଂପ୍ରତି ୟୁକ୍ରେନ୍‌ର ଜନ-ମାନସରେ ଏକ ମହାନାୟକର ସ୍ଥାନ ଗ୍ରହଣ କରିଥିବା ଏହି ‘ବାଇରାକ୍‌ତାର‌୍‌’ ଆଉ କେହି ନୁହେଁ, ଏହା ହେଉଛି ଯୁଦ୍ଧରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ଏକ ଡ୍ରୋନ୍‌, ଯାହା ସହସା ଖୋଲା ଆକାଶରେ ଉଭା ହୋଇ ରୁଷୀୟ ସେନାବାହିନୀ ଉପରେ ଆକ୍ରମଣ କରି କ୍ଷତି ଘଟାଇବା ସହିତ ସେମାନଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ଉଲ୍ଲେଖ ଥାଉ ଯେ ଯୁଦ୍ଧ ଲାଗି ଉଦ୍ଦିଷ୍ଟ ଡ୍ରୋନ୍‌ ପରିପ୍ରେକ୍ଷୀରେ ‘ବାଇରାକ୍‌ତାର’ ଏକ ପ୍ରଥମ ଉଦ୍ଭାବନ ନୁହେଁ ବା ସର୍ବୋତ୍କୃଷ୍ଟ ମଧୢ ନୁହେଁ। ‘ଅନ୍‌ମ୍ୟାନ୍‌ଡ ଏୟାର ଭେଇକଲ’ ବା ‘ଚାଳକ ବିହୀନ ବ୍ୟୋମଯାନ’ (ୟୁଏଭି) ଭାବେ ପରିଚିତ ଏହି ଡ୍ରୋନ୍‌ଗୁଡ଼ିକ ବହୁ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ବା ଇସ୍ରାଏଲ୍‌ ଭଳି ରାଷ୍ଟ୍ର ଦ୍ବାରା ବ୍ୟବହୃତ ହୋଇ ଆସୁଛନ୍ତି ଏବ˚ ଡ୍ରୋନ୍‌ ନିର୍ମାଣ ଓ ରପ୍ତାନିରେ ଚୀନ୍‌ ସର୍ବାଗ୍ରେ ରହିଛି। କିନ୍ତୁ, ତୁର୍କୀ ଭଳି ଏକ ରାଷ୍ଟ୍ର ଦ୍ବାରା ନିର୍ମିତ ‘ବାଇରାକ୍‌ତାର‌୍‌’ର ମହତ୍ତ୍ବ ହେଲା, ଏହା ଅତ୍ୟନ୍ତ ଶସ୍ତା ହୋଇଥିଲେ ହେଁ ’ଲେଜର ଗାଇଡେଡ୍‌ ସିଷ୍ଟମ୍‌’ ସହାୟତାରେ ଏହା ବହନ କରୁଥିବା ଚାରିଟି କ୍ଷେପଣାସ୍ତ୍ର ଅସମ୍ଭବ ଭାବେ ସଫଳ ଲକ୍ଷ୍ୟଭେଦ କରିଥାଏ।

ଏକ ସୂଚନାରୁ ଜଣାପଡ଼େ ୨୦୧୯ରୁ ୨୦୨୨ ମଧୢରେ ୟୁକ୍ରେନ୍‌ ପ୍ରାୟ ୫୦ଟି ‘ବାଇରାକ୍‌ତାର‌୍‌’ ଖର୍ଦ୍ଦି କରି ସାରିଛି ଏବ˚ ଏହି ଯୁଦ୍ଧ କାରଣରୁ ଆହୁରି ଅଧିକ କ୍ରୟ କରିବା ଲାଗି ପ୍ରସ୍ତୁତ ହେଲାଣି। ପ୍ରକାଶ ଥାଉ କି ୟୁକ୍ରେନ୍‌ର ସାମରିକ ବାହିନୀ ରୁଷିଆ ତୁଳନାରେ ଅତ୍ୟନ୍ତ ଦୁର୍ବଳ ଏବ˚ ୟୁକ୍ରେନ୍‌ ନିକଟରେ ମାତ୍ର ୯୦ଟି ଯୁଦ୍ଧ ବିମାନ ରହିଛି, ଯାହା ମଧୢରେ ପୁରୁଣାକାଳିଆ ମିଗ୍‌-୨୭ ବା ସୁଖୋଇ-୨୭ ଅନ୍ତର୍ଭୁକ୍ତ। ସୁତରା˚, ଏକ ପାର˚ପରିକ ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ୍‌ ରୁଷିଆର ଅତ୍ୟନ୍ତ ଶକ୍ତିଶାଳୀ ବାୟୁ-ସମର ଶକ୍ତି ସମକ୍ଷରେ ନିତାନ୍ତ ଅସହାୟ ହୋଇ ପଡ଼ନ୍ତା। କିନ୍ତୁ ସ˚ପ୍ରତି ଦେଖିବାକୁ ମିଳିଛି ଯେ ୟୁକ୍ରେନ୍‌ ତା’ର ଗୋଟିଏ ଟ୍ୟାଙ୍କ୍‌ ବା ଯୁଦ୍ଧ ବିମାନ ନ ହରାଇ ଓଲଟି ରୁଷିଆର ଟ୍ୟାଙ୍କ୍‌ଗୁଡ଼ିକୁ ଧ୍ବ˚ସ କରିବାରେ ସଫଳ ହେଉଛି ଏବ˚ ରୁଷିଆ ଆଶା କରି ନ ଥିବା ଭଳି (ୟୁକ୍ରେନ୍‌ର ଦାବି ଯଦିଓ ବିଶ୍ବାସଯୋଗ୍ୟ ନୁହେଁ) ନିଜ ପକ୍ଷର ସୈନିକ ମୃତ୍ୟୁ ଦେଖିଲାଣି। ଏହା ଏକ ସାଧାରଣ କଥା ଯେ ଜଙ୍ଗଲ ଏବ˚ ପର୍ବତ ଘେରା ଅଞ୍ଚଳଗୁଡ଼ିକ ଆତ୍ମଗୋପନ ଲାଗି ସୁଯୋଗ ଦେଉଥିବାରୁ ତହିଁରେ ଲୁଚି ରହି ଗରିଲା ଯୁଦ୍ଧ କରିବାର ପ୍ରକୃତି ଦତ୍ତ ଅନୁକୂଳତା ମିଳିଥାଏ। ସେହି ଦୃଷ୍ଟିରୁ ୟୁକ୍ରେନ୍‌ର ମାଇଲ ମାଇଲ ବ୍ୟାପୀ ସମତଳ ଭୂମି ଏବ˚ କ୍ଷେତମାନ ଗରିଲା ଯୁଦ୍ଧ ଲାଗି ବିଶେଷ ସହାୟକ ହେଉ ନ ଥିବାରୁ ‘ବାଇରାକ୍‌ତାର‌୍‌’ଗୁଡ଼ିକ ଆକାଶର ଗରିଲା ଯୋଦ୍ଧା ଭାବେ ଆବିର୍ଭୂତ ହୋଇଛନ୍ତି। ଯଦିଓ ଏହା ସତ ଯେ ଇତିମଧୢରେ ରୁଷୀୟ ବାହିନୀ ଦ୍ବାରା କିଛି ‘ବାଇରାକ୍‌ତାର’ ଧରାଶାୟୀ ହୋଇସାରିବେଣି, କିନ୍ତୁ ଏହା ଦ୍ବାରା କୌଣସି ୟୁକ୍ରେନୀୟଙ୍କ ଜୀବନ ହାନି ହେଉ ନ ଥିବାରୁ ଏବ˚ ଏହା ଶସ୍ତା (ମାତ୍ର ୧୦ରୁ ୨୦ ଲକ୍ଷ ଡଲାର) ହୋଇଥିବାରୁ ତାହା ୟୁକ୍ରେନ୍‌ ଲାଗି ବିଶେଷ ବୋଝ ସୃଷ୍ଟି କରିନାହିଁ।

ଉଲ୍ଲେଖନୀୟ ଯେ ଯୁଦ୍ଧ-ଯୋଗ୍ୟ ‘ଡ୍ରୋନ୍‌’ ନିର୍ମାଣ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବା ଇସ୍ରାଏଲ୍‌ ଭଳି ରାଷ୍ଟ୍ର ବିଶେଷ ଦକ୍ଷତା ଏବ˚ ଉନ୍ନତି ପ୍ରଦର୍ଶନ କରି ସାରିଛନ୍ତି। କିନ୍ତୁ ସ˚ପ୍ରତି ତୁର୍କୀ ବା ଇରାନ ଭଳି ରାଷ୍ଟ୍ର ଶସ୍ତା ଓ ଫଳପ୍ରଦ ଡ୍ରୋନ୍‌ମାନ ନିର୍ମାଣ କରି ଖେଳକୁ ବଦଳାଇ ଦେବାକୁ ବସିଲେଣି। ଏହି କାରଣରୁ ଅନେକ କ୍ଷୁଦ୍ର ଏବ˚ ଦରିଦ୍ର ରାଷ୍ଟ୍ର ଏପରି କି ଅନେକ ବିଦ୍ରୋହୀ ସ˚ଗଠନ (ଆତଙ୍କବାଦୀ ଗୋଷ୍ଠୀ ଅନ୍ତର୍ଭୁକ୍ତ) ମଧୢ ଏଭଳି ବିପଜ୍ଜନକ ଆକାଶ ମାର୍ଗୀ ମାରଣାସ୍ତ୍ରକୁ ଯୋଗାଡ଼ କରିବାରେ ଲାଗିଛନ୍ତି। ଉଦାହରଣ ସ୍ବରୂପ ନିକଟରେ ଇଥିଓପିଆ ସରକାର ବିଦ୍ରୋହୀ ‘ଟିଗ୍ରେ ପିପୁଲ୍‌ସ ଲିିବରେସନ୍‌ ଫ୍ରଣ୍ଟ୍‌’ର ମୁକାବିଲା ସକାଶେ ‘ବାଇରାକ୍‌ତାର‌୍‌’ ଖର୍ଦ୍ଦି କରିଛନ୍ତି। ପାଲେଷ୍ଟାଇନ୍‌ର ‘ହମାସ’ ଗୋଷ୍ଠୀ ଲାଗି ଇରାନ ସ୍ବନିର୍ମିତ ଡ୍ରୋନ୍‌ ପ୍ରେରଣ କରୁଛି। ତେଣୁ, ଏହା ମଧୢ ଅସମ୍ଭବ ନୁହେଁ ଯେ ଆକାଶର ଏହି ଗରିଲାଗୁଡ଼ିକ ଘଟଣା କ୍ରମେ କୌଣସି ଅପଶକ୍ତି ଦ୍ବାରା ବ୍ୟବହୃତ ହୋଇ ମାନବ ଜାତିର ବିପୁଳ କ୍ଷତି ସାଧନ କରି ପାରନ୍ତି।

ଆଗକୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କିଭଳି ମୋଡ଼ ନେବ, ତାହା ଏକାବେଳକେ କହିବା ଏକ ମୁସ୍କିଲ ବ୍ୟାପାର। ହୋଇପାରେ, ରୁଷ ଆକ୍ରମଣର ଚାପ ତଳେ ୟୁକ୍ରେନ୍‌କୁ ନତଜାନୁ ଅବସ୍ଥାରେ ଦେଖିବାକୁ ମିଳିବ; ଅଥବା ପ୍ରତିରୋଧକୁ ଏକ ‘ଫ୍ଲି ଵାର‌୍‌’ରେ ପରିଣତ କରି ୟୁକ୍ରେନ୍‌ ଅନେକ ଦିନ ଯାଏ ରୁଷିଆର ମୁଣ୍ତ ବ୍ୟଥାର କାରଣ ପାଲଟିବ। ତେବେ, ଦେଖାଯାଇଥାଏ ଯେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନ ଥିବା କୌଣସି ରାଷ୍ଟ୍ରର ଜନସାଧାରଣ ଗରିଲା ଯୁଦ୍ଧକୁୁ ଏକ ଅସରନ୍ତି ପର୍ଯ୍ୟାୟକୁ ନେଇ ଯାଇପାରନ୍ତି, ଯେମିତି ଘଟିଥିଲା ଭିଏତ୍‌ନାମର ବଧ ଭୂମିରେ ଯହିଁରୁ ଯୁକ୍ତରାଷ୍ଟ୍ର ଆମେରିକା ବାଧୢ ହୋଇ ପଛଘୁଞ୍ଚା ଦେଇଥିଲା। ତେଣୁ ୟୁକ୍ରେନ୍‌ର ଜନସାଧାରଣ କିଭଳି ସେମାନଙ୍କ ପ୍ରତିରୋଧକୁ ଜୀବିତ ରଖୁଛନ୍ତି, ତାହା କେବଳ ସମୟ କହିବ। କିନ୍ତୁ ଏହି ଯୁଦ୍ଧରୁ ସୃଷ୍ଟ ଏକ ବାସ୍ତବତା ହେଲା, ‘ବାଇରାକ୍‌ତାର‌୍‌’ ଭଳି ଆକାଶ ମାର୍ଗୀ ଗରିଲାଗୁଡ଼ିକ ଏଣିକି ଅଧିକରୁ ଅଧିକ ଚଳଚଞ୍ଚଳ ହୋଇ ଭବିଷ୍ୟତ୍‌ର ସମର ସ˚ରଚନାକୁ ବଦଳାଇବେ ଏବ˚ ତା’ ସହିତ କୌଣସି ଅପଶକ୍ତିର ଆଗ୍ରହାତିଶଯ୍ୟର ବଶବର୍ତ୍ତୀ ହୋଇ ମାନବ ଜାତିର ଶତ୍ରୁ ହେବାର ଆଶଙ୍କା ମଧୢ ବହନ କରିବେ।

ସମ୍ବନ୍ଧିତ ଖବର