‘ସ୍ବରାଜ ଇଣ୍ତିଆ’ ପାର୍ଟିର ମୁଖ୍ୟ, କୃଷକ ଆନ୍ଦୋଳନର ନେତା, ଜନ-ବିଦ୍ବାନ ତଥା ସ୍ତମ୍ଭକାର ଯୋଗେନ୍ଦ୍ର ଯାଦବ ଉତ୍ତରପ୍ରଦେଶର ଅଭ୍ୟନ୍ତର ଅଞ୍ଚଳ ଗସ୍ତ କରି ଏବ˚ ସାଧାରଣ ନାଗରିକମାନଙ୍କ ସହିତ ମତ ବିନିମୟ କରି ଆହରଣ କରିଥିବା ଅନୁଭୂତିକୁ ନେଇ ଲେଖିଥିବା ଏକ ପ୍ରବନ୍ଧ(ଗଲା ୮ ତାରିଖ ‘ଦ ପ୍ରିଣ୍ଟ୍’ରେ ପ୍ରକାଶିତ)ରେ ‘ଏକଜିଟ୍ ପୋଲ୍’ର ଇଙ୍ଗିତକୁ ସମର୍ଥନ ଜଣାଇଥିଲେ। ତାଙ୍କ ଲେଖାର ସାରାଂଶ ହେଲା ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଧରାଶାୟୀ ହେବା ଏବ˚ ତା’ ସହିତ ସମାଜବାଦୀ ପାର୍ଟିର ବିପୁଳ ବିଜୟ ଲାଭ କରିବା ନେଇ ଗଢ଼ି ଉଠିଥିବା ଧାରଣାଟି ଯେଉଁ ସାମ୍ବାଦିକ ବା ଲେଖକମାନଙ୍କ ଦ୍ବାରା ସୃଷ୍ଟ ସେମାନେ ଜନସାଧାରଣଙ୍କୁ ଦୁଇଟି ବଦଳରେ ମାତ୍ର ଗୋଟିଏ ପ୍ରଶ୍ନ ପଚାରିଛନ୍ତି! ଏହାର ତାତ୍ପର୍ଯ୍ୟ ହେଲା, ରାଜ୍ୟର ପରିସ୍ଥିତି ସ˚ପର୍କରେ ଜନସାଧାରଣଙ୍କ ମତ କ’ଣ ବୋଲି ଯଦି ପ୍ରଶ୍ନ କରାଯାଇଥିବ, ତେବେ ସେମାନେ ସ୍ବାଭାବିକ ଭାବେ ତାର ଉତ୍ତରରେ ଶୁଣିିଥିବେ ରୋଜଗାର ଶୂନ୍ୟତା, ଆୟରେ ହ୍ରାସ ଠାରୁ ଆରମ୍ଭ କରି ବିଲବାଡ଼ିରେ ଗାଈ ଷଣ୍ଢଙ୍କ ଅସହନୀୟ ଉତ୍ପାତ ପର୍ଯ୍ୟନ୍ତ (ଯୋଗୀ ଆଦିତ୍ୟ ନାଥଙ୍କ ସରକାର ଦ୍ବାରା ଗୋ ରକ୍ଷଣ ଆଭିମୁଖ୍ୟ) ଅସୁମାରି ତୀବ୍ର ଅଭିଯୋଗର ସୁଅ। ସୁତରା˚, ଏକ ଧାରଣା ଉତ୍ପନ୍ନ ହୋଇଯିବ ଯେ ସାଧାରଣ ଜନତାଙ୍କ ଏଭଳି ଅସନ୍ତୋଷ ସତ୍ତା-ବିରୋଧୀ ହୋଇ ବିଜେପିକୁ ପ୍ରତ୍ୟାଖ୍ୟାନ କରିବ। କିନ୍ତୁ ଯଦି ଭୋଟରମାନଙ୍କୁ ଆଉ ଏକ ପ୍ରଶ୍ନ ସ୍ବରୂପ ପଚରା ଯିବ ଯେ ସରକାରଙ୍କ ସ˚ପର୍କରେ ସେମାନଙ୍କ ଧାରଣା କ’ଣ?, ତେବେ ସେମାନଙ୍କୁ ବିସ୍ମିତ କରି ସେମାନଙ୍କ ମୁହଁରୁ ସରକାରର ପ୍ରଶ˚ସା ଶୁଭିବ, ସେମାନେ କହିବେ ଯେ ସରକାର ବେଶ୍ ଭଲ। ସେହି ପ୍ରବନ୍ଧରେ ଯୋଗେନ୍ଦ୍ର ଯାଦବ ଯେଉଁ ନିଷ୍କର୍ଷରେ ପହଞ୍ଚିଥିଲେ, ତାହା ହେଲା ଯଦି ନିର୍ବାଚନରେ ବିଜେପି ଜିଣେ, ତେବେ ତାହା ବିଜେପି ଦ୍ବାରା ‘ବୁଥ୍’ ଦଖଲ କାରଣରୁ ନୁହେଁ, ଜନସାଧାରଣଙ୍କ ମନଭୂମିକୁ ଦଖଲ କାରଣରୁ ହେବ। ଏହାର ଦୁଇ ଦିନ ପରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇ ଉତ୍ତରପ୍ରଦେଶ ବାବଦରେ ଯୋଗେନ୍ଦ୍ର ଯାଦବଙ୍କ ଅନୁଶୀଳନ ସତ ବୋଲି ସାବ୍ୟସ୍ତ ହେଲା।
ସୁତରାଂ, ଏହା କ’ଣ ସତ ନୁହେଁ ଯେ ଏଭଳି ଦୁଇଟି ପ୍ରଶ୍ନ ନ ପଚାରିଲେ ଉତ୍ତରପ୍ରଦେଶର ଭୋଟରମାନଙ୍କ ମାନସିକତାକୁ ସ୍ପଷ୍ଟ ଭାବେ ପଢ଼ି ହୁଅନ୍ତା ନାହିଁ? ଏହାର ଅର୍ଥ କ’ଣ ଏୟା ଯେ ଭୋଟରମାନଙ୍କ (ମୁଖ୍ୟତଃ ଗ୍ରାମୀଣ) ଏକ ଧାରଣା ସୃଷ୍ଟି ହୋଇସାରିଲାଣି ଯେ ସେମାନଙ୍କୁ ଘେରି ରହିଥିବା ସମସ୍ୟାମାନ ଚିରନ୍ତନ ଏବ˚ ସେ ସବୁକୁ ଭୋଗିବା କେବଳ ସେମାନଙ୍କ ନିୟତି ଅଧୀନ? ଅର୍ଥାତ୍ ତାକୁ ଦୂର କରାଯାଇ ନ ପାରିଲେ ସୁଦ୍ଧା ସେ ଦିଗରେ ନିଷ୍ଠା ପ୍ରଦର୍ଶନ କରୁଥିବା ଭଳି ମନେ ହେଉଥିବା ନେତା ବା ତାଙ୍କ ନେତୃତ୍ବରେ ପରିଚାଳିତ ଦଳ ହିଁ ଭୋଟ ପାଇବାକୁ ଯୋଗ୍ୟ! ଏହି ବିଚାରରେ ଏହି ନିର୍ବାଚନ ପରେ ଯେଉଁ ତିନି ଜଣ ବ୍ୟକ୍ତି (ନେତା) ସର୍ବାଧିକ ଔଜ୍ଜ୍ବଲ୍ୟର ଅଧିକାରୀ ହୋଇଛନ୍ତି ସେମାନେ ହେଲେ ନରେନ୍ଦ୍ର ମୋଦୀ, ଯୋଗୀ ଆଦିତ୍ୟ ନାଥ ଏବ˚ ଅରବିନ୍ଦ କେଜ୍ରିଵାଲ। ଭୋଟରମାନଙ୍କ ସମର୍ଥନ ପାଇ ଏହି ନେତା ତ୍ରୟ ନିଜ ନିଜ ମାର୍ଗରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପାଞ୍ଚଟି ରାଜ୍ୟରୁ ଚାରିଟିରେ ବିଜେପିର ବିଜୟ ଏହା ନିଶ୍ଚିତ କରିଛି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜିଣିବା ସହିତ ଆହୁରି ଅନେକ କାଳ ଯାଏଁ ନରେନ୍ଦ୍ର ମୋଦୀ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିବେ; ସେମିତି ବିଜେପିରେ ମୋଦୀଙ୍କ ପ୍ରଭୁତ୍ବର ଉତ୍ତରାଧିକାରୀ ହେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଯୋଗୀ ଆଦିତ୍ୟ ନାଥ ଏବ˚ ବିଜେପିର ପ୍ରତିପକ୍ଷ ରୂପେ ‘ଆମ ଆଦମୀ ପାର୍ଟି’ ବା ଆପ୍କୁ ଭବିଷ୍ୟତ୍ରେ ଏକ ବିକଳ୍ପ ରୂପେ ଛଇଡ଼ା କରାଇବାର ଦୃଢ଼ ଆଶା ସ˚ଚାର କରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ।
ଆଜିକୁ ଠିକ୍ ଦୁଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୧୨ ମସିହାରେ ନରେନ୍ଦ୍ର ମୋଦୀ ରାଜ୍ୟ ରାଜନୀତିକୁ ଅତିକ୍ରମ କରି ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟତ ହୋଇଥିଲେ ଏବ˚ ଜଣେ ରାଜନୈତିକ ଆନ୍ଦୋଳନକାରୀ ରୂପେ ସହସା ଚମକ ସୃଷ୍ଟି କରିଥିବା ଅରବିନ୍ଦ କେଜ୍ରିଵାଲ ଆପ୍ ନାମକ ଆଞ୍ଚଳିକ ଦଳଟିଏ ଗଢ଼ି ରାଜନୀତିରେ ପ୍ରବେଶର ଉଦ୍ୟମ କରିଥିଲେ। ସ˚ପ୍ରତି ଏହି ନେତା ଦ୍ବୟ ସ୍ବୀୟ ଉଦ୍ୟମରେ ବିରଳ ପ୍ରଭାବ ବିସ୍ତାର କରିବାରେ ସମର୍ଥ ହୋଇଛନ୍ତି। କହିବା ବାହୁଲ୍ୟ ଯେ ୨୦୧୪ରେ ନିର୍ବାଚନ ଜିଣି ବିଜେପିକୁ କେନ୍ଦ୍ରରେ ଅଧିଷ୍ଠିତ କରିପାରିଥିବା ନରେନ୍ଦ୍ର ମୋଦୀ ତାଙ୍କର ଆଠ ବର୍ଷର ଶାସନ ମଧୢରେ ତାଙ୍କ ପୂର୍ବରୁ ଅନୁସୃତ ହୋଇ ଆସିଥିବା ରାଜନୈତିକ ଦୃଷ୍ଟିଭଙ୍ଗୀକୁ ଚୂର୍ଣ୍ଣ କରି ଦେବାରେ ସମର୍ଥ ହୋଇଛନ୍ତି। ରାଜନୈତିକ ପ୍ରଭୁତ୍ବ ଓ ପ୍ରଭାବ ବିସ୍ତାର ଠାରୁ ଆରମ୍ଭ କରି ନିର୍ବାଚନ ଲଢ଼ିବା ଓ ତାକୁ ଜିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରକରଣର ରୂପରେଖ ଇତିମଧୢରେ ବଦଳି ସାରିଛି, ଯହିଁରେ ତାଙ୍କର ଭୂମିକା ସର୍ବାଧିକ। ସ˚ପ୍ରତି ଦଳ ତୁଳନାରେ ତା’କୁ ନେତୃତ୍ବ ପ୍ରଦାନ କରୁଥିବା ନେତାଙ୍କ ବ୍ୟକ୍ତିତ୍ବ ବା ଭାବମୂର୍ତ୍ତି ଏବଂ ସର୍ବମୟତା ହିଁ ହୋଇପଡ଼ିଛି ଭୋଟରଙ୍କ ଆକର୍ଷଣର କେନ୍ଦ୍ର। ସେହି କ୍ରମରେ ନରେନ୍ଦ୍ର ମୋଦୀ ହୁଅନ୍ତୁ ବା ଅରବିନ୍ଦ କେଜ୍ରିଵାଲ ଅଥବା ଯୋଗୀ ଆଦିତ୍ୟ ନାଥ; ଏମାନଙ୍କ ମଧୢରେ ଯେଉଁ ସାଦୃଶ୍ୟଟି ରହିଛି, ତାହା ହେଲା ଏମାନେ ସମସ୍ତେ ନିଜ ପାଇଁ ଜଣେ ଜଣେ ଅତ୍ୟନ୍ତ ପରିଶ୍ରମୀ, ସକ୍ରିୟତାବାଦୀ ତଥା ଜନ-ମଙ୍ଗଳକାରୀ ଯୋଜନାର ଉପାସକ ରୂପେ ଏକ ଧାରଣା ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି କରି ପାରିଛନ୍ତି। ଏବଂ ଏହା ମଧୢ ସତ ଯେ ଏହି ଧାରଣା ସୃଷ୍ଟି କରିବାରେ ସହାୟକ ହୋଇଛି ଏକ ଚତୁର ଓ ଅତି ସମର୍ଥ ପ୍ରଚାରତନ୍ତ୍ର ଯାହା ସେମାନଙ୍କୁ ଆପଣା କାର୍ଯ୍ୟ କ୍ଷେତ୍ରରେ ସର୍ବଦା ଦୃଶ୍ୟମାନ କରି ରଖିଛି। ସମ୍ଭବତଃ ଏଭଳି ଧାରଣାରୁ ଭୋଟରମାନେ (ଉତ୍ତର ପ୍ରଦେଶର) ଯାବତୀୟ ପ୍ରକାର ସମସ୍ୟା ସତ୍ତ୍ବେ ସରକାରକୁ ପସନ୍ଦ କରୁଛନ୍ତି।
ଏକ ଆଞ୍ଚଳିକ ଦଳ ଭାବେ ନିଜ ଅଞ୍ଚଳ ବାହାରେ ଅନ୍ୟ ଏକ ରାଜ୍ୟରେ ସରକାର ଗଠନ କରି ଆପ୍ ଏକ ନୂତନ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷର ଶେଷ ଭାଗକୁ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ରାଜ୍ୟ ନିର୍ବାଚନରେ ଅ˚ଶ ଗ୍ରହଣ କରି ଆପ୍ ଯଦି ଏକ ଭଲ ପ୍ରଦର୍ଶନ କରେ ତେବେ ତା’ ଠାରେ ହୁଏ’ତ ବିଜେପି ପ୍ରତିପକ୍ଷ ଧର୍ମ ନିରପେକ୍ଷବାଦୀ ବିକଳ୍ପ ଆବିଷ୍କାର କରିବାର ଏକ ବ୍ୟଗ୍ରତା ଭୋଟରମାନଙ୍କ ନିକଟରେ ଦିଶିପାରେ। କାରଣ କ˚ଗ୍ରେସର କ୍ରମାଗତ ବିଲୟର ଧାରା ଏଭଳି ଆଶା କରିବାକୁ ସେମାନଙ୍କୁ ବାଧୢ କରିବ। ପଞ୍ଜାବରେ କଂଗ୍ରେସ ପ୍ରତି ବିରକ୍ତି ପ୍ରକାଶ କରିଥିବା ପାରଂପରିକ କଂଗ୍ରେସ ସମର୍ଥକଙ୍କ ଭୋଟ ଆପ୍ ନିକଟକୁ ଯାଇଛି ଏବଂ କଂଗ୍ରେସର ଦୁରବସ୍ଥା ଯଦି ଅପରିବର୍ତ୍ତିତ ରହେ ତେବେ ଆଗକୁ ସମଗ୍ର ଦେଶର କଂଗ୍ରେସ ଭୋଟ ଆପ୍ ଭଳି ଦଳ ଆଡ଼କୁ ମୁହାଁଇପାରେ; ଯାହାର ଆକାର କିଛି କମ୍ ନୁହେଁ। ପ୍ରକାଶ ଥାଉ କି ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦୟନୀୟ ପ୍ରଦର୍ଶନ କରିଥିବା ସତ୍ତ୍ବେ ପ୍ରାୟ ୧୨କୋଟି ଭୋଟ ହାସଲ କରିଥିଲା।
ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ କ˚ଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ୟମରେ କିଛିଟା ନିଷ୍ଠା ପ୍ରଦର୍ଶିତ ହୋଇଥିଲେ ମଧୢ ଦଳ ଭୋଟରମାନଙ୍କ ଦ୍ବାରା ଶୋଚନୀୟ ଭାବେ ପ୍ରତ୍ୟାଖ୍ୟାତ ହେଲା। କ˚ଗ୍ରେସ ଲାଗି ଉଦ୍ଦିଷ୍ଟ ଭୋଟ୍ର ଏକ ବିପୁଳା˚ଶ ସମାଜବାଦୀ ପାର୍ଟିକୁ ଚାଲି ଯିବାରୁ ସମାଜବାଦୀ ପାର୍ଟି ପୂର୍ବ ଥର ତୁଳନାରେ ଉନ୍ନତ ପ୍ରଦର୍ଶନ କରିବାରେ ସଫଳ ହେଲା। ନିର୍ବାଚନ ପ୍ରଚାର ବେଳେ ଅଖିଳେଶ ଯାଦବଙ୍କ ସଭାରେ ଜନ ଅରଣ୍ୟ ଦେଖି ଅନେକ ସମାଜବାଦୀ ପାର୍ଟିର ସଫଳତା ନେଇ ଆକଳନ କରିଥିଲେ ହେଁ ପରିଶେଷରେ ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଛି। ତାହାର କାରଣ କୋଭିଡ୍ ମହାମାରୀର ଦ୍ବିତୀୟ ତରଙ୍ଗକାଳୀନ ଭୟାବହତା ପରିପ୍ରେକ୍ଷୀରେ ତା’ର ପରିଚାଳନାରେ ଯୋଗୀ ସରକାରଙ୍କ ଅଦକ୍ଷତା, ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ବା ଯୁବକମାନଙ୍କ ରୋଜଗାର ଶୂନ୍ୟତା ଭଳି ଗମ୍ଭୀର ସମସ୍ୟାର ସୁଯୋଗ ନେଇ କଂଗ୍ରେସ ବା ସମାଜବାଦୀ ପାର୍ଟି ବା ବହୁଜନ ସମାଜ ପାର୍ଟି ନିଜ ସପକ୍ଷରେ ଜନ ମତ ସୃଷ୍ଟି କରି ନ ପାରିବା ଷହଉଛି ବିରୋଧୀ ଦଳଗୁଡ଼ିକର ଏକ ବିଫଳତା। ପୂର୍ବରୁ କୁହାଯାଇଛି ଯେ ସା˚ପ୍ରତିକ ରାଜନୀତିରେ ଦଳକୁ ନେତୃତ୍ବ ଦେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ହିଁ ଦଳର ପ୍ରଦର୍ଶନରେ ନିର୍ଣ୍ଣାୟକ ହେବାରେ ଲାଗିଛି। ତେଣୁ ବୋଧହୁଏ, ଯୋଗୀ ଆଦିତ୍ୟ ନାଥଙ୍କ ବ୍ୟକ୍ତିତ୍ବ ସମକ୍ଷରେ ଅଖିଳେଶଙ୍କ ବ୍ୟକ୍ତିତ୍ବ ମଳିନ ପଡ଼ିଗଲା। ସେହି ଦୃଷ୍ଟିରୁ କ˚ଗ୍ରେସ ଦଳର ସାମଗ୍ରିକ ବିପର୍ଯ୍ୟୟ ଦେଖି ମନେ ହୁଏ ଯେ ଦଳର ନେତୃତ୍ବରେ ପରିବର୍ତ୍ତନ ଅଣାଯିବା ନିତାନ୍ତ ଆବଶ୍ୟକ।
ନରେନ୍ଦ୍ର ମୋଦୀ ବା ଯୋଗୀ ଆଦିତ୍ୟ ନାଥ ଅଥବା ଅରବିନ୍ଦ କେଜ୍ରିଵାଲଙ୍କ ସାମନାରେ ରାହୁଳ ଗାନ୍ଧୀଙ୍କ ଭଳି ଅମନଯୋଗୀ ନେତା ବା ପ୍ରିୟଙ୍କାଙ୍କ ଭଳି କେବଳ ନିର୍ବାଚନ କାଳରେ ଦୃଶ୍ୟମାନ ହେଉଥିବା ନେତ୍ରୀ କ˚ଗ୍ରେସ ଲାଗି ନୂଆ ଭାଗ୍ୟ ସୃଷ୍ଟି କରିପାରିବାର ଆଶା କମ୍। ସୁତରା˚, ନେତା ଏଭଳି ହେବା ଉଚିତ ଯିଏ ପରିଶ୍ରମୀ ଓ ନିଷ୍ଠାପର ବୋଲି ଅନ୍ତତଃ ଧାରଣାଟିଏ ସୃଷ୍ଟି କରି ପାରୁଥିବ ଏବ˚ ଯାହା ବଳରେ ଯାବତୀୟ ଅସନ୍ତୋଷ ଓ ସମସ୍ୟା ସତ୍ତ୍ବେ ସେ ନିର୍ବାଚନରେ ବିଜୟ ଲାଭ କରିପାରୁଥିବ। ଏବ˚ ଏଭଳି ସ୍ଥଳେ ଦୁଇଟି ପ୍ରଶ୍ନ ନ ପଚାରିଲେ ଭୋଟରମାନଙ୍କ ଠାରୁ ଠିକଣା ଉତ୍ତର ମିଳି ପାରୁ ନ ଥିବ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)