ଡାକ୍ତର ଫ୍ୟାକ୍‌ଟ୍ରି

୨୦୧୪ ଫେବ୍ରୁଆରି-ମାର୍ଚ୍ଚରେ ରୁଷିଆ ଯେତେବେଳେ ବଳ ପ୍ରୟୋଗ କରି ୟୁକ୍ରେନ୍‌ ଠାରୁ ତା’ର ଏକ ଅଂଶ ଥିବା କ୍ରାଇମିଆ ଉପଦ୍ବୀପକୁ ଛଡ଼ାଇ ନେଲା, ଭାରତରେ ଆମ ପାଇଁ ତାହା କେଉଁ ଦୂର-ବିଦେଶରେ କାଁଭାଁ ଏଭଳି ଘଟୁଥିବା ଘଟଣାମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ଅଧିକାଂଶ ସମ୍ବାଦପତ୍ର ପାଠକ କିମ୍ବା ଟେଲିଭିଜନ୍ ଦର୍ଶକଙ୍କ ଠାରୁ ଏହା ଏକ କ୍ଷିପ୍ର ଦୃଷ୍ଟି ବ୍ୟତୀତ ଅଧିକ ଧ୍ୟାନ ଆକର୍ଷଣ କରୁ ନଥିଲା। ୟୁକ୍ରେନ୍ ଉପରେ ରୁଷିଆର ଏଥରର ଆକ୍ରମଣ କିନ୍ତୁ ଆମକୁ ପୂର୍ବଥର ପରି ନିର୍ଲିପ୍ତ ଅବସ୍ଥାରେ ନ ଛାଡ଼ି ଏକ ଅଭାବିତ କାରଣରୁ ସିଧାସଳଖ ଭାବରେ ସମ୍ପୃକ୍ତ କରିଦେଇଛି। ଯେଉଁ କାରଣ ଯୋଗୁଁ ୟୁକ୍ରେନ୍ ଯୁଦ୍ଧ ଏଥର ଅନେକ ଭାରତୀୟ ପରିବାର ମଧ୍ୟରେ ପ୍ରବେଶ କରିଯାଇଛି, ସେ କାରଣ ଅବଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ଜଣା- ସେଠାରୁ ଉଦ୍ଧାର କରି ଅଣାଯାଉଥିବା ହଜାର ହଜାର ସଂଖ୍ୟାରେ ଭାରତୀୟ ଡାକ୍ତରୀ ଛାତ୍ର।

ଏହି ସଂକଟ ଯୋଗୁଁ ଦେଶବାସୀମାନେ ଏବେ ଆଶ୍ଚର୍ଯ୍ୟମିଶା ସଚେତନ ହେଉଛନ୍ତି ଯେ ଏତେ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ୟୁକ୍ରେନ୍ ଭଳି ଏକ ଅପେକ୍ଷାକୃତ ଅଜଣା ଦେଶ ଆଡ଼େ ମୁହାଁଇବାରେ ଲାଗିଛନ୍ତି। ସୂଚନା ଅନୁସାରେ, ୟୁକ୍ରେନ୍‌ରେ ସେମାନଙ୍କର ସଂଖ୍ୟା ହେବ ପ୍ରାୟ ୨୦,୦୦୦ ସରିକି। ଆଶ୍ଚର୍ଯ୍ୟ, କାରଣ ଆମର ଏକ ଧାରଣା ବଳବତ୍ତର ରହି ଆସିଛି ଯେ ଭାରତରୁ ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଯାଆନ୍ତି, ସେମାନେ ସାଧାରଣତଃ ସେଠାକାର ଶିକ୍ଷାର ଉଚ୍ଚତର ଗୁଣାତ୍ମକ ମାନ ଦ୍ବାରା ଆକର୍ଷିତ ହୋଇ ତାହା କରିଥା’ନ୍ତି। ସେଇଥିପାଇଁ, ଉଦାହରଣ ସ୍ବରୂପ, ଏଠାରେ ଜଣେ ଡାକ୍ତରଙ୍କର ନାମଫଳକ ତଳେ ଯଦି ସେ ଇଂଲାଣ୍ଡ କି ଆମେରିକା ଭଳି ଦେଶର କୌଣସି ବିଶ୍ବବିଦ୍ୟାଳୟରୁ ହାସଲ କରିଥିବା ଡିଗ୍ରି ଶୋଭା ପାଉଥାଏ, ତାହା ସର୍ବଦା ଅଧିକ ସମ୍ମାନ ଓ ଅଧିକ ସଂଖ୍ୟକ ରୋଗୀଙ୍କୁ ଆକର୍ଷିତ କରିଥାଏ।

ୟୁକ୍ରେନ୍, ଅପରପକ୍ଷେ, କିନ୍ତୁ ଉଚ୍ଚଶିକ୍ଷା କିମ୍ବା ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତା’ର ଉତ୍କର୍ଷ ପାଇଁ ଆଦୌ ଜଣାଶୁଣା ନୁହେଁ। କେବଳ ୟୁକ୍ରେନ୍ ଏକମାତ୍ର ଡାକ୍ତର ଫ୍ୟାକ୍‌ଟ୍ରି ନୁହେଁ, ଅନୁରୂପ ଭାବରେ ନିମ୍ନମାନର ଶିକ୍ଷାଦାନ କରୁଥିବା ତା’ର ନିକଟବର୍ତ୍ତୀ ଦେଶ ପୋଲାଣ୍ଡ୍, ରୋମାନିଆ ଏବଂ ଏପରିକି ପୂର୍ବତନ ସୋଭିଏତ୍ ସଂଘର ସଦସ୍ୟ ଥିବା କେନ୍ଦ୍ରୀୟ ଏସିଆର କିର୍‌ଗିଜ୍‌ସ୍ତାନ ଭଳି ଏକ ପଛୁଆ, ଅଖ୍ୟାତ ଦେଶ ଆଡ଼କୁ ମଧ୍ୟ ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ଭାରତୀୟ ଛାତ୍ରଛାତ୍ରୀମାନେ ଛୁଟୁଥିବା ବର୍ତ୍ତମାନ ଲୋକଲୋଚନକୁ ଆସିଛି। ଏଠାରେ ସ୍ମରଣଯୋଗ୍ୟ, ଚୀନ୍‌ର ଉହାନ୍‌ ଠାରେ କରୋନା ଭାଇରସ୍ ଆତଙ୍କ ଆତ୍ମପ୍ରକାଶ କରିବା ପରେ ପରେ ସେଠାରେ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତି ଆମକୁ ଅନୁରୂପ ଭାବରେ ଚକିତ କରିଦେଇଥିଲା।

ଡାକ୍ତରୀ ଶିକ୍ଷା (କିମ୍ବା ଡିଗ୍ରି) ଲାଭ କରିବା ପାଇଁ ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଏପରି ବିପୁଳ ସଂଖ୍ୟାରେ ବିଦେଶ ଗମନ ପଛରେ ଯେଉଁ ଦୁଇଟି କାରଣ ନିହିତ ଅଛି ବୋଲି କୁହାଯାଉଛି, ତାହା ହେଲା- ଭାରତରେ ଯଥେଷ୍ଟ ସଂଖ୍ୟକ ମେଡିକାଲ୍ କଲେଜ୍ ଓ ସିଟ୍‌ର ଅଭାବ ଏବଂ ଏଠାରେ ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବହନ କରିବାକୁ ପଡୁଥିବା ଆକାଶଛୁଆଁ ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚ। ଏ ସମ୍ପର୍କରେ ଏକ ସମ୍ୟକ ଧାରଣା ପାଇବା ପାଇଁ ଏ ସମ୍ପର୍କିତ ଏହି ପରିସଂଖ୍ୟାନ ଦ୍ରଷ୍ଟବ୍ୟ। ଆମ ଦେଶରେ ପ୍ରତି ବର୍ଷ ଡାକ୍ତରୀ ଶିକ୍ଷାରେ ସ୍ନାତକ ସ୍ତରୀୟ ଡିଗ୍ରି ହାସଲ ପାଇଁ ବିଭିନ୍ନ କଲେଜମାନଙ୍କରେ ଉପଲବ୍‌ଧ ସିଟ୍ (ଅର୍ଥାତ୍ ଅଣ୍ଡର୍‌ଗ୍ରାଜୁଏଟ୍ ମେଡିକାଲ୍ ସିଟ୍) ସଂଖ୍ୟା ହେଉଛି ପ୍ରାୟ ୯୦,୦୦୦ ମାତ୍ର (ଏକ ଲକ୍ଷରୁ କମ୍)। କିନ୍ତୁ ଏହା ପାଇବା ପାଇଁ ଯୋଗ୍ୟତା ସାବ୍ୟସ୍ତ କରିବାକୁ ଥିବା ‘ନିଟ୍’ ପରୀକ୍ଷାରେ ୧୬ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥୀ ଅଂଶ ଗ୍ରହଣ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଳ୍ପ ଅଧିକ, ପ୍ରାୟ ୮.୫ ଲକ୍ଷ ପ୍ରାର୍ଥୀ ଯୋଗ୍ୟତା ମାନ୍ୟତା ତାଲିକାରେ ସ୍ଥାନ ପାଇଥା’ନ୍ତି।

ଉଲ୍ଲେଖଯୋଗ୍ୟ, ଏହି ତାଲିକାରେ ପ୍ରବେଶ କରିବା ପାଇଁ ଯୋଗ୍ୟ ବିବେଚିତ ହେବା ପାଇଁ ଯେଉଁ ସର୍ବନିମ୍ନ ମାନ ନିର୍ଦ୍ଧାରଣ କରାଯାଇଥାଏ, ତାହା ଅତ୍ୟନ୍ତ ନୀଚା ହୋଇଥିବା ସତ୍ତ୍ବେ ଫଳାଫଳ ଏପରି ହତାଶାଜନକ ହୋଇଥାଏ। ଉଦାହରଣସ୍ବରୂପ, ୨୦୨୧ରେ ‘ନିଟ୍’ର ମୋଟ ମାର୍କ ୭୨୦ ହୋଇଥିବା ବେଳେ, ସର୍ବନିମ୍ନ ଆବଶ୍ୟକ (କଟ୍‌-ଅଫ୍) ମାର୍କ ଧାର୍ଯ୍ୟ କରାଯାଇଥିଲା ମାତ୍ର ୧୩୮ରେ। ମେଡିକାଲ୍ କଲେଜ୍‌ମାନଙ୍କରେ ଉପଲବ୍‌ଧ ଥିବା ଉପରୋକ୍ତ ୯୦,୦୦୦ ସିଟ୍ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ହେଉଛି ସରକାରୀ କୋଟା ଅନ୍ତର୍ଗତ। ଏହି ସିଟ୍‌ମାନଙ୍କ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବହନ କରିବାକୁ ପଡୁଥିବା ଖର୍ଚ୍ଚ ଅପେକ୍ଷାକୃତ କମ୍ ହୋଇଥାଏ। କେତେକ ରାଜ୍ୟରେ ଏଭଳି ସରକାରୀ କୋଟା ବ୍ୟବସ୍ଥା ମଧ୍ୟ ନାହିଁ।

ଘରୋଇ ମେଡିକାଲ କଲେଜ୍‌ରେ ସରକାରୀ କୋଟା ଅନ୍ତର୍ଗତ ସିଟ୍‌ଟିଏ ପାଇଲେ ମଧ୍ୟ ତଥାପି ତାହା ଏପରି ବ୍ୟୟବହୁଳ ହୋଇଥାଏ ଯେ ସାଧାରଣ ପରିବାରର ପିଲାଟିଏ ପାଇଁ ତାହା ପହୁଞ୍ଚ ବାହା‌େର ହୋଇଥାଏ। ଏପରି ଘରୋଇ କଲେଜ୍‌ରେ ଡାକ୍ତରୀ ଶିକ୍ଷା ଲାଭ ପାଇଁ ଆବଶ୍ୟକ ଖର୍ଚ୍ଚ ଅନ୍ୟୂନ ଏକ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇଥାଏ। ଏପରିସ୍ଥଳେ ଏହି ବ୍ୟବସ୍ଥାର ଏକ ବିକୃତି ପରିସ୍ଫୁଟ ହେବା ଦେଖାଯାଇଥାଏ। ଯୋଗ୍ୟତା ତାଲିକାର ଅପେକ୍ଷାକୃତ ଉପରେ ଥିବା ମେଧାବୀ ଛାତ୍ରଟିଏ ଯଦି ଅସ୍ବଚ୍ଛଳ ପରିବାରର ପିଲା ହୋଇଥାଏ ଓ ତେଣୁ ତା’କୁ ମିଳୁଥିବା ସିଟ୍‌ ଗ୍ରହଣ କରିବାକୁ ସେ ଅକ୍ଷମ ହୁଏ, ତା’ହେଲେ ତାଲିକାର ତଳେ ଥିବା ମେଧାହୀନ କିନ୍ତୁ ଧନବାନ୍ କୌଣସି ଏକ ପିଲାଟିଏ ସେ ସିଟ୍‌ ଦଖଲ କରିନିଏ। ଅତ୍ୟନ୍ତ ନୀଚା କଟ୍‌-ଅଫ୍ ମାର୍କ ଯେ ଏହି ବିକୃତି ସୃଷ୍ଟିରେ ସହାୟକ ହୋଇଥାଏ, ତାହା ସୂଚାଇବା ନିଷ୍ପ୍ରୟୋଜନ।

ୟୁକ୍ରେନ୍ ଭଳି ଦେଶ ଦିଗରେ ମେଡିକାଲ୍ ଶିକ୍ଷାର୍ଥୀମାନଙ୍କର ବହିର୍ଗମନ ହେଉଛି ଏଥିରୁ ସୃଷ୍ଟ ଅନ୍ୟ ଏକ ବିକୃତି। ‘ନିଟ୍’ ମେଧା ତାଲିକାର ଉପରେ ରହି ମଧ୍ୟ ଭାରତରେ ଡାକ୍ତରୀ ଶିକ୍ଷା ଖର୍ଚ୍ଚ ବହନ କରିବା କ୍ଷମତା ନ ଥିବା ପିଲାଙ୍କର ପିତାମାତା ଏହାର ଆଂଶିକ ଖର୍ଚ୍ଚରେ ଡାକ୍ତରୀ ଡିଗ୍ରି ହାସଲ କରାଯାଇପାରୁଥିବା ୟୁକ୍ରେନ୍ ଭଳି ଦେଶକୁ ସେମାନଙ୍କୁ ପଠାଇବାକୁ ପସନ୍ଦ କରିଥା’ନ୍ତି। ଅବଶ୍ୟ ଆଦୌ ମେଧା ତାଲିକାରେ ସ୍ଥାନ ପାଇ ପାରି ନ ଥିବା ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଡିଗ୍ରି ହାସଲ ପାଇଁ ୟୁକ୍ରେନ୍ ଭଳି ଦେଶରେ ପହଞ୍ଚି ଯାଇଥା’ନ୍ତି। ଏ ସମସ୍ତ କାର୍ଯ୍ୟକୁ ସହଜ କରିଥା’ନ୍ତି ଉଭୟ ଦେଶରେ ସକ୍ରିୟ ଥିବା ଦଲାଲ୍‌ମାନେ।

ୟୁକ୍ରେନ୍ ସଂକଟ ଯୋଗୁଁ ଭାରତରେ ଡାକ୍ତରୀ ଶିକ୍ଷା ଓ ସେଥି ସହିତ ସଂଯୁକ୍ତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଏଭଳି ବିକୃତି ହଠାତ୍ ଦୃଷ୍ଟିଗୋଚର ହେବା ଏକ ସୁଫଳ ପ୍ରଦାନ କରନ୍ତା ଯଦି ସରକାର ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଢାଞ୍ଚାଗତ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତେ। ଏକ ଜନକଲ୍ୟାଣ ରାଷ୍ଟ୍ରର ଯଦି ସର୍ବନିମ୍ନ ମୌଳିକ କର୍ତ୍ତବ୍ୟ ବୋଲି କିଛି ଥାଏ, ତାହା ହେଉଛି ନାଗରିକମାନଙ୍କୁ ଉଚ୍ଚ ମାନର ନିଃଶୁଳ୍‌କ ସାର୍ବଜନୀନ ସ୍ବାସ୍ଥ୍ୟସେବା ଓ ଶିକ୍ଷାସେବା ପ୍ରଦାନ। ୧୯୮୦ ଦଶକ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ଏଠାରେ ରାଷ୍ଟ୍ରର ଦାୟିତ୍ବ ହୋଇ ରହିଥିଲା। ତା’ ପର ଠାରୁ ଏଠାରେ ସ୍ବାସ୍ଥ୍ୟସେବା ଏକ ଘରୋଇ ବ୍ୟବସାୟରେ ପରିଣତ ହେବା ସହିତ ଡାକ୍ତରୀ ଶିକ୍ଷା ମଧ୍ୟ ତାହା ହୋଇ ଯାଇଛି। ସରକାର କ୍ୟୁବା ଭଳି ଦେଶରେ ଅନୁସୃତ ମଡେଲ୍ କିମ୍ବା ଅନ୍ତତଃ ବ୍ରିଟେନ୍‌ର ‘ଏନ୍‌ଏଚ୍‌ଏସ୍’ ଜାତୀୟ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଡେଲ୍ ରୂପେ ଗ୍ରହଣ କରି ଏଠାରେ ନାଗରିକମାନଙ୍କୁ ସିଧାସଳଖ ବ୍ୟୟଶୂନ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ସହିତ ବହୁ ସଂଖ୍ୟକ ସରକାରୀ ମେଡିକାଲ୍ କଲେଜ୍‌ମାନ ସ୍ଥାପନ କରି ସୁଦକ୍ଷ ଡାକ୍ତରମାନଙ୍କୁ ପ୍ରସ୍ତୁତ କରିବାରେ ରାଷ୍ଟ୍ରର ସମ୍ବଳ ବିନିଯୋଗକୁ ସାଲିସହୀନ ପ୍ରାଥମିକତା ପ୍ରଦାନ କରନ୍ତୁ।

ସମ୍ବନ୍ଧିତ ଖବର