ଚଳିତ ସରକାର, ଶାସନ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ଓ ଅନୁମୋଦନ, ଅନ୍ୟପକ୍ଷରେ ହିଂସା ଓ ଗୁଣ୍ଡାମିର ଆକ୍ରମଣାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ। ନମ୍ରତାକୁ ପୁରସ୍କାର ଓ ଅହଙ୍କାରକୁ ତିରସ୍କାର। ବିଜେପୁର ଉପ-ନିର୍ବାଚନ ଫଳାଫଳରେ ପ୍ରତିଫଳିତ ଜନାଦେଶର ଏହା ହେଉଛି ବାର୍ତ୍ତା। ଊଣେଇଶ ପୂର୍ବରୁ ରାଜ୍ୟର ଆଗାମୀ ଦିନର ରାଜନୀତି ପାଇଁ ‘ଦିଗବାରେଣୀ’ ନିର୍ଣ୍ଣାୟକ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ବିଜେଡି ବିଜୟୀ ହୋଇଛି। ତେବେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ତିନିଥର ପରାଜୟର ଧାରା ଭାଙ୍ଗି ବିଜେପୁର ଆସନରେ ତେରବର୍ଷ ପରେ ଶଙ୍ଖ ଦଳର ବିଜୟ ଧ୍ୱଜା ଉଡ଼ିବା ଯେତିକି ଉଲ୍ଲେଖନୀୟ, ଦଳୀୟ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ତା’ଠାରୁ ଅଧିକ ଉଲ୍ଲେଖନୀୟ। ବିଜେଡି ପ୍ରାର୍ଥୀ ରୀତା ସାହୁ ମୋଟ ପଡ଼ିଥିବା ୧ ଲକ୍ଷ ୮୨ ହଜାର ଭୋଟରୁ ୧,୦୨୮୭୧ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୮ ଭୋଟରେ ପରାସ୍ତ କରିଛନ୍ତି। ବିଜେପୁର ବିଧାନସଭା ନିର୍ବାଚନରେ ଏହା ଏକ ରେକର୍ଡ। ଏହି ଆସନର ଇତିହାସରେ କୌଣସି ନିର୍ବାଚିତ ପ୍ରାର୍ଥୀ ଏତେ ବିପୁଳ ଭୋଟ ପାଇ ନ ଥିଲେ କି ଏତେ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇ ନ ଥିଲେ।

Advertisment

ଅବଶ୍ୟ, ୨୦୧୨ରେ ଆଠଗଡ଼ ଉପ-ନିର୍ବାଚନରେ ସ୍ଥାପିତ ସର୍ବବୃହତ୍‌ ବିଜୟ ବ୍ୟବଧାନର ରେକର୍ଡକୁ ଏହା ଭାଙ୍ଗି ପାରିନାହିଁ। ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ଉପ-ନିର୍ବାଚନରେ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୪୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ। ବିଜେପୁର ଆସନରେ ଗତ ତିନିଥର ବିଜୟୀ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ ପାଇ ଅମାନତ ହରାଇଛନ୍ତି। ବିଜେପୁରର ବିଜୟୀ ବିଜେଡି, ଦୁଇ ନମ୍ବର ବିଜେପି ଓ ତିନି ନମ୍ବର କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟାରୁ ଏହା ପ୍ରମାଣିତ ଯେ, ଯେଉଁ ପ୍ରତିଦ୍ୱନ୍ଦ୍ୱିତା ପ୍ରାରମ୍ଭରେ ତ୍ରିକୋଣୀୟ ମନେ ହେଉଥିଲା ପରବର୍ତ୍ତୀ ସମୟରେ ବିଜେଡି-ବିଜେପି ମଧ୍ୟରେ ଦ୍ୱିମୁଖୀ-ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହେଲା କିନ୍ତୁ ଶେଷ ପର୍ଯ୍ୟନ୍ତ ଏହା ବିଜେଡି ପାଇଁ ଏକ ପ୍ରକାର ଏକପାଖିଆ ହୋଇଗଲା। ଏକଚାଳିଶ ହଜାରରୁ ଅଧିକ ଭୋଟର ଏ ବିଶାଳ ବିଜୟ ବ୍ୟବଧାନ ଶଙ୍ଖ ଦଳର ବିଜୟ ଧ୍ୱଜାର ଉଜ୍ଜ୍ୱଳତା ତଥା ବିଜୟର ମର୍ଯ୍ୟାଦାକୁ ବହୁଗୁଣ ଅଧିକ ବଢ଼ାଇ ଦେଇଛି। ସ୍ୱତଃ ଏହା ରାଜ୍ୟର ଏକ ନମ୍ବର ରାଜନୈତିକ ଶକ୍ତି ଭାବେ ବିଜେଡିର ସ୍ଥିତିକୁ ଆହୁରି ମଜଭୁତ କରିବା ସହ ତୁଙ୍ଗତମ ନେତା ଭାବେ ନବୀନଙ୍କ ପ୍ରତିଷ୍ଠା ଉପରେ ମୋହର ଲଗାଇଛି। ବିଜେଡି ସୁପ୍ରିମୋଙ୍କ ଲୋକପ୍ରିୟତା ଏବଂ ଭାବମୂର୍ତ୍ତିର ଚମକ ଯେ କମି ନାହିଁ, ବିଜେପୁର ଫଳାଫଳ ଏହାର ସୂଚକ।

ବିଜେପୁରରେ ବିଜେଡିର ବିଶାଳ ବିଜୟ ଏହାର ମଧ୍ୟ ସ୍ପଷ୍ଟ ସଂକେତ ଯେ, ଭୋଟରଙ୍କ ବିଚାରରେ ଅନ୍ୟ ସବୁ ପ୍ରସଙ୍ଗ ଅପେକ୍ଷା ସ୍ଥାନୀୟ ଅଞ୍ଚଳର ବିକାଶ ଓ ପାଣି, ବିଜୁଳି, ସଡ଼କ ଭଳି ମୌଳିକ ସମସ୍ୟାର ସମାଧାନ ମୁଖ୍ୟ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁବଳଙ୍କ ପରଲୋକ ପରେ ଉପ-ନିର୍ବାଚନର ଯେଉଁ ଅବକାଶ ସୃଷ୍ଟି ହେଲା, ସରକାର ଓ ଶାସକ ଦଳ ତା’ର ପୂରା ଉପଯୋଗ କଲେ। ବିଜେପୁରକୁ ଏନ୍‌ଏସି ଘୋଷଣା ଠାରୁ ଆରମ୍ଭ କରି ଜଳସେଚନ, ପାନୀୟ ଜଳ ପର୍ଯ୍ୟନ୍ତ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରାଗଲା। ଶାସକ ଦଳକୁ ଏହାର ସୁଫଳ ମିଳିଛି। ଗତ ତିନିଥର ସରକାରୀ ଦଳ ପ୍ରତି ମୁହଁ ଫେରାଇଥିବା ବିଜେପୁର ଭୋଟର ପୁଣି ବିଜେଡି ଉପରେ ଭରସା କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ରାଜନୈତିକ ଗୋଟିଚାଳନାରେ ପରିପକ୍ୱତାର ପରିଚୟ ଦେଉଥିବା ଆଉ ଏକ ରଣକୌଶଳ ମଧ୍ୟ ଶାସକ ଦଳ ସପକ୍ଷରେ ଯାଇଛି। ଦଳର କିଛି ବରିଷ୍ଠ ନେତାଙ୍କ ଭିନ୍ନମତ ସତ୍ତ୍ୱେ ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀ ରୀତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୟନ ଦଳକୁ ଫାଇଦା ଦେଇଛି। ରୀତାଙ୍କ ପ୍ରତି ଅନୁକମ୍ପା ଦଳର ଭୋଟ ଆଧାରକୁ ସଂପ୍ରସାରିତ କରିବାରେ ସହାୟକ ହୋଇଛି। ପୂର୍ବରୁ ଦୁଇଟି ବ୍ୟତିକ୍ରମକୁ ବାଦ୍‌ଦେଲେ ଅନ୍ୟସବୁ ଉପ-ନିର୍ବାଚନରେ ‘ଅନୁକମ୍ପା’ର ଏକ ବିଶେଷ ଭୂମିକା ଥିଲା। ବିଜେପୁର ଉପ-ନିର୍ବାଚନରେ ମଧ୍ୟ ତା’ର ପୁନରାବୃତ୍ତି ହୋଇଛି। ‘ହ୍ୟାଟ୍ରିକ୍‌’ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପ୍ରତି ନିର୍ବାଚନମଣ୍ଡଳୀରେ ଥିବା ଶ୍ରଦ୍ଧା ଓ ସଦିଚ୍ଛା ପତ୍ନୀ ଖାତାକୁ ଆସିଛି।

ବିଜେପୁର ଆସନ କଂଗ୍ରେସ ହାତରୁ ଛଡ଼ାଇ ଆଣିବା ବିଜେଡି ପାଇଁ ଯେତେ ବଡ଼ ଏକ ଲାଭ ନୁହେଁ, ଊଣେଇଶ ନିର୍ବାଚନ ପୂର୍ବରୁ ଏହି ବିଜୟ ମାଧ୍ୟମରେ ଊଣା ପଡ଼ିଯାଇଥିବା ଆତ୍ମବିଶ୍ୱାସ, ମନୋବଳ ଫେରିପାଇବା ତା’ଠାରୁ ବଡ଼ ଲାଭ। ପଞ୍ଚାୟତ ନିର୍ବାଚନରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳତା ଯୋଗୁ ନିଅଣ୍ଟ ପଡ଼ିଯାଇଥିବା ଉତ୍ସାହ ବିଜେଡି ଶିବିରକୁ ପୁଣି ଫେରି ଆସିଛି। ଅନ୍ୟପକ୍ଷରେ ବିଜେପୁରର ପରାଜୟ ପଞ୍ଚାୟତ ନିର୍ବାଚନରେ ଆଶା ଠାରୁ ଅଧିକ ସଫଳତା ନେଇ ବିଜେପି ଶିବିରରେ ଉଚ୍ଛୁଳି ପଡୁଥିବା ଉତ୍ସାହ ଓ ଆତ୍ମବିଶ୍ୱାସରେ ଭଟ୍ଟା ପଡ଼ିଯାଇଛି। ବିଜେପିର ନେତୃତ୍ୱ ହାରିବା ସମ୍ଭାବନାକୁ ଅସ୍ୱୀକାର କରୁ ନଥିଲେ ବି ଏତେ ବୃହତ୍‌ ବ୍ୟବଧାନରେ ପରାଜୟ ଦଳକୁ ସ୍ତବ୍‌ଧ କରି ଦେଇଛି। କୁହାଯାଇପାରେ ପଞ୍ଚାୟତ ନିର୍ବାଚନରେ ସଫଳତା ଜନିତ ଅହଙ୍କାର, ଅହେତୁକ ଆତ୍ମବଡ଼ିମା ଦଳକୁ ମହଙ୍ଗା ପଡ଼ିଛି। ଅହଙ୍କାରର ଆବେଶରେ ବିଜେପିର ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ନକାରାତ୍ମକ ସାବ୍ୟସ୍ତ ହୋଇଛି। କେବଳ ବିଜେପି ନୁହେଁ, ସବୁ ରାଜନୈତିକ ଦଳ ଓ ସଂଗଠନ ବିଜେପୁର ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ଉଚିତ ଯେ ଓଡ଼ିଶାବାସୀ ହିଂସାକୁ କେବେ ପସନ୍ଦ କରନ୍ତି ନାହିଁ। ଜଣେ ଅଫିସରଙ୍କ ଘର ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଓ ଶେଷରେ ଗୁଳିକାଣ୍ଡ ପର୍ଯ୍ୟନ୍ତ ଘଟଣାରୁ କ’ଣ ଲାଭ ମିଳିଲା? କଂଗ୍ରେସକୁ ପଛରେ ପକାଇ ବିଜେପୁରରେ ବିଜେପି ଏକ ଧ୍ରୁବୀକରଣର ସ୍ଥିତି ସୃଷ୍ଟି କଲା, ଅଥଚ ତା’ର ଲାଭ ଉଠାଇ ପାରିଲା ନାହିଁ। ଅବଶ୍ୟ ଗୋଟିଏ ସାନ୍ତ୍ୱନା ଯେ କଂଗ୍ରେସକୁ ବେଦଖଲ କରି ରାଜ୍ୟ ରାଜନୀତିରେ ହିନ୍ଦୁତ୍ୱ ଦଳ ହାସଲ କରିଥିବା ଦୁଇ ନମ୍ବର ସ୍ଥାନ ସୁରକ୍ଷିତ। କିନ୍ତୁ ଦୁଇ ନମ୍ବରରୁ ଏକ ନମ୍ବରକୁ ଉଠିବା ଲାଗି ଆହୁରି ବହୁତ ଉଚ୍ଚତା ଚଢ଼ିବାକୁ ପଡ଼ିବ।

ବିଜେପୁର ଫଳାଫଳ ଏହା ମଧ୍ୟ ପ୍ରମାଣିତ କରିଦେଇଛି ଯେ, ପଞ୍ଚାୟତ ନିର୍ବାଚନରେ ପ୍ରଦର୍ଶନ ଆଧାରରେ ବିଧାନସଭା ନିର୍ବାଚନର ସଫଳତାର ସ୍ୱପ୍ନ ଦେଖିବା ଅବାସ୍ତବ। ଏବେ ବିଜେପି ନିଜେ ନିଜକୁ ପ୍ରଶ୍ନ ପଚାରିବାକୁ ପଡ଼ିବ ଯେ, ବର୍ଷକ ତଳେ ଯେଉଁ ବିଜେପୁରରେ ପଦ୍ମଫୁଲ ଚିହ୍ନରେ ୯୦ ହଜାର ଭୋଟ ପଡ଼ିଥିଲା, ସେ ଭୋଟ ବଢ଼ିବା ତ ଦୂରେ ଥାଉ, ଛିଡ଼ିଲା କାହିଁକି? ୯୦ ହଜାର ସ୍ଥାନରେ ଦଳର ଭୋଟ ୬୦ ହଜାରରେ ସୀମିତ ରହିଗଲା। ଦଳ ଖାତାରେ ୩୦ ହଜାର ଭୋଟ କୁଆଡ଼େ ହଜିଗଲା? ବିଜେପୁରର ଦଳୀୟ ପ୍ରାର୍ଥୀଙ୍କ ପରାଜୟ ହିନ୍ଦୁତ୍ୱ ଦଳ ପାଇଁ ଯେତେ ବଡ଼ ଏକ କ୍ଷତି ନୁହେଁ, ତା’ଠାରୁ ବଡ଼ କ୍ଷତି- ‘ପଞ୍ଚାୟତ ନୋଟ’ ଅଚଳ ହେବା। ଗତ ବର୍ଷେ ହେଲା ବିଜେପି ନେତାମାନେ ‘ପଞ୍ଚାୟତ ନୋଟ’କୁ ଭଙ୍ଗାଇ ଆସୁଥିଲେ। ୨୦୧୬ ନଭେମ୍ବର ୮ରେ ମୋଦୀ ଯେମିତିି ହଜାରେ ଓ ପାଞ୍ଚଶହ ଟଙ୍କା ଅଚଳ କରି ଦେଇଥିଲେ, ସେମିତି ୨୦୧୮, ଫେବ୍ରୁଆରି ୨୮ରେ ବିଜେପୁର ଭୋଟରମାନେ ବିଜେପିର ‘ପଞ୍ଚାୟତ ନୋଟ’କୁ ଅଚଳ କରି ଦେଇଛନ୍ତି। ବିଜେପୁର ନିର୍ବାଚନ ପରେ ତାହା ଆଉ ଚଳିବ ନାହିଁ। ବିଜେପିର ‘ଓଡ଼ିଶା ଚେହେରା’ କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ଓ ଗ୍ରହଣୀୟତା ଉପରେ ମଧ୍ୟ ନିଶ୍ଚୟ ପ୍ରଶ୍ନ ଉଠିବ।

ବିଜେପୁର ଜନାଦେଶର ବାର୍ତ୍ତା ଯଦି ବିଜେପି ପାଇଁ ନିରାଶାଜନକ, କଠୋର ଓ ୧୨୦ ପଦ୍ମ ସ୍ୱପ୍ନକୁ କଡ଼ା ଧକ୍କା, ତେବେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ଏହା ଭୟଙ୍କର ଭାବେ ଘାତକ। ଜନାଦେଶରେ ସର୍ବପୁରାତନ ଦଳର ଅସ୍ତିତ୍ୱ ସଂକଟର ପଦଧ୍ୱନି ଅଧିକ ସ୍ପଷ୍ଟ ଭାବେ ଶୁଣା ଯାଉଛି। ଯେଉଁ ଦଳ ବିଜେପୁର ଆସନରେ ଲଗାତାର ତିନିଥର ବିଜୟୀ ହୋଇ ହ୍ୟାଟି୍ରକ୍‌ କରିଥିଲା, ସେହି ଦଳର ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହରାଇଛନ୍ତି। ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ଏହି ଆସନରେ ୫୩ ହଜାର ଭୋଟ ପାଇଥିଲା। ସାଢ଼େ ତିନିବର୍ଷ ପରେ ତା’ର ଏକ ପଞ୍ଚମାଂଶ ଭୋଟ ସୁଦ୍ଧା ପାଇବାକୁ ଦଳ ସମର୍ଥ ହୋଇନାହିଁ। ଜାତୀୟ ସ୍ତରରେ ସର୍ବବୃହତ୍‌ ବିରୋଧୀ ଏବଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଗୋଟିଏ ଜାତୀୟ ଦଳର ପ୍ରାର୍ଥୀ ଅମାନତ ସୁଦ୍ଧା ରଖି ନପାରିବା ନିଶ୍ଚିତ ଭାବେ ଅତ୍ୟନ୍ତ ଲଜ୍ଜାଜନକ। ରାଜ୍ୟ ରାଜନୀତିରେ କଂଗ୍ରେସ ଖାଲି ପ୍ରାସଙ୍ଗିକତା ହରାଇ ନାହିଁ, ଏହାର ଅସ୍ତିତ୍ୱ ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ଲାଗିଯାଇଛି। ବିଜେପୁର ପରେ ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାର ଆଶା ଆହୁରି ମଳିନ ପଡ଼ିଯାଇଛି। ବିଡ଼ମ୍ବନା ହେଲା, ଜାତୀୟ ସ୍ତରରେ ଦଳର ହାଇକମାଣ୍ଡ ବିଜେପିର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅଥଚ, ଓଡ଼ିଶାରେ ଦଳ ହିନ୍ଦୁତ୍ୱ ଦଳର ଉତ୍ତରଣ ପାଇଁ ସ୍ଥାନ ତିଆରି କରୁଛି।

ରାତି ପାହିଲେ ରଙ୍ଗର ଉତ୍ସବ ହୋଲି। ବିଜେପୁର ଫଳାଫଳ ପରିପ୍ରେକ୍ଷୀରେ ଏହା ବିଜେଡି ପାଇଁ ଆନନ୍ଦ, ଉତ୍ସାହ; ବିଜେପି ପାଇଁ ନିରାଶା ଓ କଂଗ୍ରେସ ପାଇଁ ବିଷାଦର ଉତ୍ସବ ହେବ।