ରାଜନୈତିକ ଦର୍ଶନର ପ୍ରକାରଭେଦ ଅନୁସାରେ ଭାରତୀୟ ଜାତୀୟ କଂଗ୍ରେସ୍ ଓ ଭାରତୀୟ ଜନତା ପାର୍ଟି ବର୍ଣ୍ଣାଳୀର ଦୁଇ ପରସ୍ପର ବିରୋଧୀ ବିପରୀତ ପ୍ରାନ୍ତର ପ୍ରତିନିଧିତ୍ବ କରିଥା’ନ୍ତି। କଂଗ୍ରେସ୍ ପାରମ୍ପରିକ ଭାବରେ ବିଶୁଦ୍ଧ ଧର୍ମ ନିରପେକ୍ଷ ମତବାଦର ବାହକ ହୋଇଥିବା ବେଳେ, ଭାଜପା ଏହାର ଠିକ୍ ବିପରୀତ ଚିନ୍ତାଧାରା ବହନ କରି ଏକ ହିନ୍ଦୁରାଷ୍ଟ୍ର ପ୍ରତିଷ୍ଠାକୁ ନିଜର ରାଜନୈତିକ ଲକ୍ଷ୍ୟ ରୂପେ ଗ୍ରହଣ କରିଥାଏ। ଏ ଦୁଇ ଦଳ ହେଉଛନ୍ତି ଦେଶର ବର୍ତ୍ତମାନ ଏକମାତ୍ର ଦୁଇ ଅର୍ଥପୂର୍ଣ୍ଣ ଜାତୀୟ ରାଜନୈତିକ ଦଳ।
ବିଗତ ବର୍ଷ ମାନଙ୍କରେ ଏ ଦୁଇ ଦଳ ମଧ୍ୟରେ ଯେଉଁ ବଳ କଷାକଷି ଚାଲିଛି, ସେଥିରେ କଂଗ୍ରେସ୍ ଯେଉଁ ନିୟମିତ ପରାଜୟ ବରଣ କରି ଚାଲିବା ଦେଖାଯାଇ ଆସୁଥିଲା, ବର୍ତ୍ତମାନ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଇ ଧାରା ଅବ୍ୟାହତ ରହି ଅଦୂର ଭବିଷ୍ୟତ୍ରେ ଭାରତର ରାଜନୈତିକ ମାନଚିତ୍ରରୁ କଂଗ୍ରେସ୍ ସମ୍ପୂର୍ଣ୍ଣ ପୋଛି ହୋଇ ଯିବାର ଏକ ଆଶଙ୍କା ଦେଖା ଦେଇଛି। ୨୦୧୪ରେ ଭାଜପା ଯେତେବେଳେ କେନ୍ଦ୍ରରେ କ୍ଷମତାସୀନ ହେଲା, ସେତେବେଳେ ଦେଶର ୯ଟି ରାଜ୍ୟରେ କଂଗ୍ରେସ୍ର ସରକାର ଥିଲା। ବର୍ତ୍ତମାନ ପଞ୍ଜାବକୁ ହରାଇବା ପରେ ସେଇ ସଂଖ୍ୟା ଆସି ପହଞ୍ଚିଛି ଦୁଇଟିରେ। ଦେଶରେ ବିଗତ ଆଠ ବର୍ଷ ମଧ୍ୟରେ ଯେଉଁ ୪୫ଟି ନିର୍ବାଚନ ଅନୁଷ୍ଠିତ ହୋଇଛି, କଂଗ୍ରେସ୍ ସେଥି ମଧ୍ୟରୁ ବିଜୟର ସ୍ବାଦ ଚାଖିବାରେ ସକ୍ଷମ ହୋଇଛି ମାତ୍ର ୫ଟିରେ।
ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ୍ ଯଦି କ୍ଷମତାସୀନ ଭାଜପାକୁ ଆସନଚ୍ୟୁତ କରି ନ ପାରେ ଏବଂ ଆସନ୍ତା ବର୍ଷ କଂଗ୍ରେସ୍ ଶାସିତ ଦୁଇ ରାଜ୍ୟ, ରାଜସ୍ଥାନ ଓ ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନରେ ବିଜୟ ଲାଭ କରି ସେଇ ଦୁଇ ରାଜ୍ୟରେ ନିଜର ଉପସ୍ଥିତିକୁ ବଜାୟ ରଖିବାରେ ବିଫଳ ହୁଏ, ତା’ହେଲେ ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ବେଳକୁ ନା କେନ୍ଦ୍ରରେ, ନା କୌଣସି ଗୋଟିଏ ବି ରାଜ୍ୟରେ କଂଗ୍ରେସ୍ କ୍ଷମତାରେ ରହିଥିବ; ଅନ୍ୟ ଭାଷାରେ କହିଲେ, ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ପୂରଣ ହେବା ଭଳି, ଭାରତ ସମ୍ପୂର୍ଣ୍ଣ ରୂପେ ‘କଂଗ୍ରେସ୍ମୁକ୍ତ’ ହୋଇ ସାରିଥିବ।
ଏହି ଭଳି ଏକ ସମ୍ଭାବ୍ୟ ବିଲୟର ସମ୍ମୁଖୀନ ହୋଇଥିବା କଂଗ୍ରେସ୍ ଏଥିରୁ ଉଦ୍ଧାର ପାଇବାର ବାଟ ଖୋଜି ବାହାର କରିବା ପାଇଁ ରବିବାର ଦିନ ଏକ ସର୍ବୋଚ୍ଚ ସ୍ତରୀୟ ମାନସମନ୍ଥନ ହେବା ଦେଖା ଯାଇଥିଲା। ସେଦିନ ଅନୁଷ୍ଠିତ ‘କଂଗ୍ରେସ୍ ୱାର୍କିଙ୍ଗ୍ କମିଟି’ (‘ସିଡବ୍ଲ୍ୟୁସି’) ବୈଠକରେ ଦଳର ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଯଦି ତଦ୍ଦ୍ବାରା କଂଗ୍ରେସ୍ର ମଙ୍ଗଳ ସାଧିତ ହୁଏ, ତେବେ ସେ ଓ ତାଙ୍କର ଦୁଇ ସନ୍ତାନ- ରାହୁଲ ଓ ପ୍ରିୟାଙ୍କା ଦଳର ନିୟନ୍ତ୍ରଣ ରଜ୍ଜୁ ତ୍ୟାଗ କରି ଦୃଶ୍ୟପଟରୁ ନିଷ୍କ୍ରାନ୍ତ ହୋଇ ଯିବାକୁ କୁଣ୍ଠିତ ନୁହନ୍ତି ବୋଲି ଘୋଷଣା କରିଥିଲେ। ପ୍ରକାଶିତ ସୂଚନା ଅନୁସାରେ ବୈଠକରେ କେତେକ ଛାମୁହାଁ ଅସନ୍ତୁଷ୍ଟ ନେତା ଉପସ୍ଥିତ ଥିଲେ ମଧ୍ୟ, ‘ସିଡବ୍ଲ୍ୟୁସି’ର ସମସ୍ତ ସଦସ୍ୟମାନେ ସମ ସ୍ବରରେ ସୋନିଆଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ଗାନ୍ଧୀ ପରିବାରର ନେତୃତ୍ବ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ।
ଏହା ଅବଶ୍ୟ କାହାକୁ ଅଜଣା ନୁହେଁ ଯେ ଗାନ୍ଧୀ ପରିବାର କହିଲେ ଯାହାଙ୍କୁ ବସ୍ତୁତଃ ବୁଝାଏ, ସେ ଅସୁସ୍ଥ ସୋନିଆ ନୁହନ୍ତି କିମ୍ବା ନବାଗତା ପ୍ରିୟାଙ୍କା ନୁହନ୍ତି; ସେ ହେଉଛନ୍ତି ଦଳରେ ବର୍ତ୍ତମାନ କୌଣସି ବିଧିବଦ୍ଧ ଦାୟିତ୍ବ ନିର୍ବାହ କରୁ ନ ଥିବା କିମ୍ବା ପଦବି ଧାରଣ କରୁ ନ ଥିବା ରାହୁଲ ଗାନ୍ଧୀ। ଅତୀତରେ ରାହୁଲଙ୍କ ନେତୃତ୍ବରେ ନିର୍ବାଚନ ରଣାଙ୍ଗନରେ ଭାଜପା ବିରୋଧରେ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ କଂଗ୍ରେସ୍ ବାରମ୍ବାର ପରାଜୟ ବରଣ କରିବା ପରେ ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନର ନୈତିକ ଦାୟିତ୍ବ ଗ୍ରହଣ କରି ରାହୁଲ ଦଳର ସଭାପତି ପଦ ତ୍ୟାଗ କରି ଦେଇଥିଲେ। ଭାଜପା ବିରୋଧରେ ରାହୁଲ ଅବଲମ୍ବନ କରି ଆସିଥିବା ରଣକୌଶଳ ଓ ତାଙ୍କର ଏହି ପଦ ତ୍ୟାଗ ଉପରେ ଦୃଷ୍ଟି ନିକ୍ଷେପ କଲେ ସମ୍ପୂର୍ଣ୍ଣ ଅଭାବିତ ଭାବରେ ତାଙ୍କର ଯାହାଙ୍କ ସହିତ ସାଦୃଶ୍ୟ ପରିଲକ୍ଷିତ ହୋଇଥାଏ, ସେ ହେଉଛନ୍ତି ପୃଥିବୀରେ ସର୍ବପ୍ରଥମେ ଗଣତନ୍ତ୍ରର ଆବିର୍ଭାବସ୍ଥଳୀ ଏଥେନ୍ସ ନଗର ରାଷ୍ଟ୍ରରେ ଗଣତନ୍ତ୍ରର ଉନ୍ମେଷ କାଳରେ ସକ୍ରିୟ ଥିବା ପ୍ରାକ୍- ସକ୍ରେଟିସ୍ କାଳର ପ୍ରାଚୀନ ଗ୍ରୀକ୍ ଦାର୍ଶନିକ, ହେରାକ୍ଲିଟସ୍।
ହେରାକ୍ଲିଟସ୍ଙ୍କ ସମୟରେ ହିଁ ଗ୍ରୀସ୍ରେ ଗଣତନ୍ତ୍ରର ପ୍ରଥମ ଲହରୀ ସମ୍ଭ୍ରାନ୍ତବଂଶଜ ଶାସକମାନଙ୍କୁ କ୍ଷମତାରୁ ବିସ୍ଥାପିତ କରିବାକୁ ଆରମ୍ଭ କରିଥିଲା। ହେରାକ୍ଲିଟସ୍ ନିଜେ ଥିଲେ ଏଫିସସ୍ର ଶାସକ ପୁରୋହିତ-ରାଜବଂଶର ଉତ୍ତରାଧିକାରୀ। ସେ କିନ୍ତୁ ନିଜର ଏହି ଅଧିକାର ତ୍ୟାଗ କରିବାରୁ ତାଙ୍କର ଭାଇ ଏହି ଉତ୍ତରାଧିକାର ପ୍ରାପ୍ତ ହୋଇଥିଲେ।
ଗଣତାନ୍ତ୍ରିକ ଲହରୀର ପ୍ରଭାବରେ ସମାଜରେ ଯେଉଁ ନିରବଚ୍ଛିନ୍ନ ଅସ୍ଥିରତା ଦେଖା ଦେଇଥିଲା ଓ ପରିବର୍ତ୍ତନ ମାନ ଘଟିଚାଲିଥିଲା, ତାହା ହେରାକ୍ଲିଟସ୍ଙ୍କ ଦର୍ଶନକୁ ପ୍ରଭାବିତ କରିଥିଲା: ସଂସାର ଅବିରତ ପରିବର୍ତ୍ତନଶୀଳ (‘‘ତୁମେ ଏକାନଦୀରେ ଦୁଇଥର ପାଦ ବୁଡ଼ାଇ ପାରିବ ନାହିଁ।’’)। ଏହି ଅନିବାର୍ଯ୍ୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସେ ଏକ ତତ୍ତ୍ବ ଆବିଷ୍କାର କରିଥିଲେ: ‘ବିପରୀତର ସାମ୍ୟ’। ହେରାକ୍ଲିଟସ୍ଙ୍କ ଯୁକ୍ତି ଅନୁସାରେ ଏକ ପରିବର୍ତ୍ତନଶୀଳ ସତ୍ତା ଧୀରେ ଧୀରେ ନିଜର ମୂଳ ଚରିତ୍ରର ଅଂଶସବୁ ପରିତ୍ୟାଗ କରି ବିପରୀତ ଚରିତ୍ର ଧାରଣ କରିବାରେ ଲାଗେ। ଶେଷରେ ସେ ମୂଳ ଚରିତ୍ର ଠାରୁ ଦୂରେଇ ଯାଇ ତାହାର ଠିକ୍ ବିପରୀତ ଚରିତ୍ରର ପ୍ରତିନିଧିତ୍ବ କରିଥାଏ। ହେରାକ୍ଲିଟସ୍ ଏହାର ଉଦାହରଣ ଦେବାକୁ ଯାଇ କହିଛନ୍ତି, ‘‘ଉଷ୍ଣ ପଦାର୍ଥ ଶୀତଳ ହୁଏ ଓ ଶୀତଳ ପଦାର୍ଥ ଉଷ୍ଣ ହୁଏ; ଆର୍ଦ୍ର ପଦାର୍ଥ ଶୁଷ୍କ ହୁଏ ଓ ଶୁଷ୍କ ପଦାର୍ଥ ଆର୍ଦ୍ର ହୁଏ; ସୁସ୍ଥ ଅସୁସ୍ଥ ହୁଏ ଓ ଅସୁସ୍ଥ ସୁସ୍ଥ ହୁଏ...।’’
ଅତୀତରେ ଦେଖାଯାଇଛି ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ହେରାକ୍ଲିଟସ୍ଙ୍କର ଏହି ନିୟମକୁ ଅକ୍ଷରେ ଅକ୍ଷରେ ଅନୁସରଣ କଲା ଭଳି କଂଗ୍ରେସ୍ର ମୂଳ ପରିଚୟ ଧର୍ମ ନିରପେକ୍ଷତା ଠାରୁ ଦୂରେଇ ଯାଇ ମନ୍ଦିର ଦର୍ଶନ, ଉପବୀତ ଧାରଣ ଭଳି ପ୍ରଦର୍ଶନ ମାନ ମାଧ୍ୟମରେ ନିଜ ପାଇଁ ଓ ଦଳ ପାଇଁ ତାହାର ସମ୍ପୂର୍ଣ୍ଣ ବିପରୀତ ଏକ ହିନ୍ଦୁ ଅନୁକୂଳ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିଥା’ନ୍ତି। ତାଙ୍କର ଏହି ହେରାକ୍ଲିଟସୀୟ ପ୍ରୟାସ ଏକ ଶୀର୍ଷ ବିନ୍ଦୁ ଛୁଇଁବା ଦେଖାଯାଇଥିଲା ପ୍ରାୟ ତିନି ମାସ ତଳେ ଯେତେବେଳେ ସେ ନିଜ ଦଳ କଂଗ୍ରେସ୍କୁ ‘ହିନ୍ଦୁ କଂଗ୍ରେସ୍’ ବୋଲି ସଗର୍ବରେ ଘୋଷଣା କରି, ଭାଜପାକୁ ଏକ ‘ହିନ୍ଦୁତ୍ବ ଦଳ’ ରୂପେ ଭର୍ତ୍ସନା କରିଥିଲେ। କହିବା ବାହୁଲ୍ୟ, ସାଧାରଣ ମତଦାତାମାନଙ୍କ ପକ୍ଷରେ ‘ହିନ୍ଦୁ’ ଓ ‘ହିନ୍ଦୁତ୍ବ’ ମଧ୍ୟରେ ଏଭଳି ଗୂଢ଼ ବୌଦ୍ଧିକ ପାର୍ଥକ୍ୟ ବୁଝିବା ଯେ ସମ୍ଭବ ନୁହେଁ, ତାହା ଚାରିଟିଯାକ ଭାଜପା ଶାସିତ ରାଜ୍ୟରେ ଭାଜପାର ପୁନଃ ବିଜୟରୁ ସ୍ପଷ୍ଟ ହୋଇଛି। ମତଦାତାମାନଙ୍କ ପାଇଁ କଂଗ୍ରେସ୍ର ‘ହିନ୍ଦୁ’ ପରିଚୟ ଆଦୌ ଗ୍ରହଣୀୟ ହୋଇନାହିଁ।
କଂଗ୍ରେସ୍ ପକ୍ଷରେ ଯାହା ତେଣୁ ଶ୍ରେୟସ୍କର ହେବ, ଆଉ ହିନ୍ଦୁଛାପା ମରୀଚିକା ପଛରେ ନ ଧାଇଁ ନିଜର ମୂଳ ଧର୍ମ ନିରପେକ୍ଷ ପରିଚୟ ପାଖକୁ ଫେରିଯିବା ଓ ତା’କୁ ମଜଭୁତ କରିବା। ହେରାକ୍ଲିଟସ୍ଙ୍କ ଭାଷାରେ ‘ଉଷ୍ଣ’ ବଦଳି ଯାଇ ‘ଶୀତଳ’ ହେବା ଓ ‘ଶୀତଳ’ ପୁଣି ବଦଳି ଯାଇ ‘ଉଷ୍ଣ’ ହେବା ପରି। ଏହା କେବଳ ଯେ କଂଗ୍ରେସ୍ ପାଇଁ ହିତକର ହେବ, ତାହା ନୁହେଁ, ଭାରତୀୟ ଗଣତନ୍ତ୍ର ପାଇଁ ମଧ୍ୟ ହିତକର ହେବ। ଦେଶର ଯେଉଁ ମତଦାତାମାନେ ବାମ ଦିଗ ବା ଦକ୍ଷିଣ ଦିଗ ଆଡ଼େ ନ ମୁହାଁଇ ମଧ୍ୟ ସ୍ଥଳରେ ଥିବା ଏକ ଧର୍ମ ନିରପେକ୍ଷ ବିକଳ୍ପ ପସନ୍ଦ କରନ୍ତି, କଂଗ୍ରେସ୍ ହେଉଛି ସେମାନଙ୍କୁ ସନ୍ତୁଷ୍ଟ କରି ପାରିବା ଭଳି ଏକମାତ୍ର ଜାତୀୟ ବିକଳ୍ପ। ଯଦି କଂଗ୍ରେସ୍ର ବିଲୟ ଘଟେ, ତେବେ ଦେଶରେ ବିରୋଧୀ ଦଳ କହିଲେ ଦେଖାଯିବେ କେତେଗୁଡ଼ିଏ ସଂକୀର୍ଣ୍ଣ ଆଞ୍ଚଳିକ ଚିନ୍ତାଧାରା ସମ୍ପନ୍ନ, ଅସଂଲଗ୍ନ ଆଞ୍ଚଳିକ ଦଳ ମାନ। ମନେ ରଖିବା କଥା, ସମସ୍ତ ଦୁର୍ବଳତା ସତ୍ତ୍ବେ ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଭାଜପା ପଛକୁ ଦେଶରେ ସର୍ବାଧିକ ଭୋଟ୍ ଭାଗ ଥିଲା କଂଗ୍ରେସ୍ର- ପାଖାପାଖି ୨୦ ଶତାଂଶ। ନିଜର ମୂଳ ପରିଚୟକୁ ଫେରି ଯାଇ, ସାଂଗଠନିକ ସଂସ୍କାର ଘଟାଇ ଏଥିରେ ଉନ୍ନତି ଘଟାଇବା ହେଉଛି ଭାରତୀୟ ଜାତୀୟ କଂଗ୍ରେସ୍ର ଜାତୀୟ ଦାୟିତ୍ବ।