ଦ କାଶ୍ମୀର ଫାଇଲ୍‌ସ

ଗଲା ୧୧ ତାରିଖରେ ସାରା ଦେଶରେ ମୁକ୍ତିଲାଭ କରିଥିବା ‘ଦ କାଶ୍ମୀର ଫାଇଲ୍‌ସ’ ଚଳଚ୍ଚିତ୍ରକୁ ଅନେକତ୍ର ଯୁଗାନ୍ତକାରୀ ବୋଲି ଅଭିହିତ କରାଯାଉଥିବାର କାରଣ ହେଲା, ତହିଁରେ କାହାଣୀ ଆକାରରେ ଏଭଳି ଏକ ସତ୍ୟକୁ ଉଜାଗର କରାଯିବାର ଉଦ୍ୟମ କରାଯାଇଛି, ଯାହା ଦୀର୍ଘ ୩୨ ବର୍ଷ ପୂର୍ବେ ସ˚ଘଟିତ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଲୋକଲୋଚନର ଆଢୁଆଳରେ ଏକ ଅସହ୍ୟ ବେଦନାଦାୟକ ରକ୍ତସ୍ରାବୀ କ୍ଷତ ଭଳି ହୋଇ ରହି ଆସିଥିଲା। ୧୯୮୯, ନଭେମ୍ବର ମାସରୁ ୧୯୯୦, ମେ’ ମାସ ପର୍ଯ୍ୟନ୍ତ ମାତ୍ର ଛଅ ମାସର କାଳ ଖଣ୍ତ ମଧୢରେ କାଶ୍ମୀର ଉପତ୍ୟକାରେ ବାସ କରୁଥିବା ପ୍ରାୟ ଚାରିରୁ ପାଞ୍ଚ ଲକ୍ଷ କାଶ୍ମୀରୀ ପଣ୍ତିତ ସେମାନଙ୍କ ଭିଟାମାଟିରୁ ଉତ୍ପାଟିତ ଓ ବିତାଡ଼ିତ ହେବା ପଛରେ ଅସ୍ତିତ୍ବକୁ ଦୋହଲାଇ ଦେବା ଭଳି ଯେଉଁ ବିଦ୍ବେଷ, ଅବର୍ଣ୍ଣନୀୟ କ୍ରୂରତା ଭରା ହି˚ସା ଓ ନରସ˚ହାର, ଗଣଦୁଷ୍କର୍ମ ଏବ˚ ନିର୍ଯାତନା ଆଦି ଥିଲା, ତାହାକୁ ସାମନାକୁ ଆଣି ଏହି ଚଳଚ୍ଚିତ୍ର ଅଗଣିତ ଭାରତୀୟଙ୍କ ଆଖି ଖୋଲିଦେବା ସହିତ ଅଗତ୍ୟା ସେମାନଙ୍କୁ ଏକ ଗଭୀର ଗ୍ଳାନିବୋଧ ଦ୍ବାରା ଜର୍ଜର କରିଛି। ଉଲ୍ଲେଖଯୋଗ୍ୟ ଯେ ପୃଥିବୀରେ କୌଣସି ଠାରେ କଦାଚିତ୍‌ ଦେଖା ଯାଇ ନ ଥିବା ଭଳି ଏହି ଘଟଣାରେ ଏକ ରାଷ୍ଟ୍ରର ସ˚ଖ୍ୟାଗରିଷ୍ଠ ସ˚ପ୍ରଦାୟର ଏକ ବିଶାଳ ସ˚ଖ୍ୟକ ସଦସ୍ୟ ମଞ୍ଜ ଥରା ନିପୀଡ଼ନର ଶିକାର ହେବା ସହିତ ନିଜ ଦେଶରେ ଶରଣାର୍ଥୀ ହେବାର ବିଡ଼ମ୍ବିତ ଭାଗ୍ୟ ଭୋଗ କରିଥିଲେ ସୁଦ୍ଧା ତାହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ନିରବତା ତଳେ କବର ନେଇଥିଲା। ସୁତରା˚, ଏହି ସତ୍ୟର ସହସା ଉଦ୍‌ଘାଟନ ଏକ ଆବେଗର ଜୁଆର ସୃଷ୍ଟି କରିବା ସ୍ବାଭାବିକ। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ଏହି ପରିପ୍ରେକ୍ଷୀରେ ଏକ ପରିପକ୍ବ ଗଣତନ୍ତ୍ର ଠାରୁ ଆଶା କରାଯାଉଥିବା ଭଳି ଆଚରଣ ଦୃଶ୍ୟମାନ ହୋଇନାହିଁ ଏବଂ ଏହି ଅତ୍ୟନ୍ତ ସ୍ପର୍ଶକାତର ଘଟଣାର ସଂକୀର୍ଣ୍ଣ ରାଜନୀତୀକରଣ ସହିତ ସା˚ପ୍ରଦାୟିକ ଘୃଣାର ପ୍ରସାର ଲାଗି ଉଦ୍ୟମ କରାଯାଉଛି; ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଏହାର ନିର୍ଦ୍ଦେଶକ ବିବେକ ର˚ଜନ ଅଗ୍ନିହୋତ୍ରୀ କାହାଣୀର ପୃଷ୍ଠଭୂମିରେ ଥିବା ସତ୍ୟତା ସ˚ପର୍କରେ ଏକ ଧାରଣା ଜନ୍ମାଇବାକୁ ଯାଇ କହିଛନ୍ତି ଯେ ଭାରତ ସମେତ ସାରା ପୃଥିବୀର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଅସ˚ଖ୍ୟ ପୀଡ଼ିତ କାଶ୍ମୀରୀ ପଣ୍ତିତଙ୍କ ମୁଖ ନିଃସୃତ ଅଙ୍ଗେ ନିଭା ଅନୁଭୂତିର ଭିଡିଓ ବିଗତ କେଇ ବର୍ଷର ଉଦ୍ୟମ ପରେ ତାଙ୍କ ଦ୍ବାରା ସ˚ଗୃହୀତ ହୋଇ ରହିଛି, ( ପୃଥିବୀର କୌଣସି ସ˚ଗ୍ରହାଳୟ ବା ଅଭିଲେଖାଗାରରେ ତାହା ଅନୁପଲବ୍‌ଧ) ଏବ˚ ସମ୍ଭବତଃ ଏହା ପୃଥିବୀର ସର୍ବପ୍ରଥମ ଏଭଳି ଫିଚର ଫିଲ୍‌ମ ଯହିଁରେ ସ˚ଳାପର କୌଣସି ଗୋଟିଏ ଧାଡ଼ି ମଧୢ କଳ୍ପନାପ୍ରସୂତ ନୁହେଁ; ସବୁ ବାସ୍ତବରେ କୁହାଯାଇଥିବା ବାକ୍ୟମାନ। ସେହି କାରଣରୁ ହୁଏ’ତ ଏହା ଘଟିବାର ତିନି ଦଶନ୍ଧି ପରେ ମଧୢ ଚଳଚ୍ଚିତ୍ରଟିକୁ ଦେଖୁଥିବା କାଶ୍ମୀରୀ ପଣ୍ତିତମାନେ ଯେଉଁଭଳି ଆବେଗର ଉଚ୍ଛ୍ବାସ ମଧୢରେ ମଗ୍ନ ହୋଇଯାଉଛନ୍ତି, ତାହା ଏକ କାଳ୍ପନିକ କାହାଣୀ ଆଧାରିତ ସିନେମା ଦ୍ବାରା ସମ୍ଭବ ହୁଅନ୍ତା ନାହିଁ। କେବଳ ସେତିକି ନୁହେଁ, ଏହାକୁ ଦେଖୁଥିବା ସ˚ଖ୍ୟାଗରିଷ୍ଠ ହିନ୍ଦୁ ସ˚ପ୍ରଦାୟର ଦର୍ଶକମାନେ ମଧୢ ଅପରିମେୟ ଗ୍ଳାନିବୋଧ, ବିମର୍ଷ, ଅସହାୟତା, କ୍ଷୋଭ ଏବ˚ ଉତ୍ତେଜନା ଦ୍ବାରା ଜର୍ଜରିତ ହେଉଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏକ ବିଡ଼ମ୍ବନା ହେଲା, ଏହି ଘଟଣାର ଅଯୌକ୍ତିକ ରାଜନୀତୀକରଣର ଉଦ୍ୟମ ହେତୁ ଏକ ଐତିହାସିକ ତ୍ରୁଟିର ପରିମାର୍ଜନ ଲାଗି ଏହି ଚଳଚ୍ଚିତ୍ର ଦ୍ବାରା ସୃଷ୍ଟ ସୁଯୋଗ କ୍ରମେ ନିଷ୍ପ୍ରଭ ପଡ଼ି ଏକ ମାମୁଲି ଆରୋପ-ପ୍ରତ୍ୟାରୋପର ସର୍କସର ଆବିର୍ଭାବ ଘଟିଛି। କାରଣ ଏହି ସିନେମାକୁ କେନ୍ଦ୍ର କରି ଏବେ ଯେଉଁ କୋଳାହଳମାନ ଅଧିକ ଶ୍ରୁତିଗୋଚର ହେଉଛି, ତହିଁରେ ସିନେମାରେ ବର୍ଣ୍ଣିତ କାହାଣୀର ସତ୍ୟତା ବା ନିହିତ ହୋଇଥିବା କାଶ୍ମୀରୀ ପଣ୍ତିତମାନଙ୍କ ସ˚ଖ୍ୟାର ସଠିକତା ବା ଏହି ଘଟଣା ଅପ୍ରକାଶ୍ୟ ରହିବା ପଛରେ ରାଜନୈତିକ ଅଭିସନ୍ଧି ଭଳି ପ୍ରସଙ୍ଗ ଅଧିକ ଗୁରୁତ୍ବ ବହନ କରିଥିବା ଭଳି ପ୍ରତୀତ ହେଉଛି। ଏଭଳି ସ˚କୀର୍ଣ୍ଣ ରାଜନୀତୀକରଣର ଏକ ଉଦାହରଣ ହେଲା ଭାରତର ସମସ୍ତ ବିଜେପି ଶାସିତ ରାଜ୍ୟରେ ସିନେମାଟିକୁ ପ୍ରମୋଦ କର ମୁକ୍ତ କରାଯିବା ସହିତ ତାକୁ ଦେଖିବା ଲାଗି କେତେକ ବିଜେପି ଶାସିତ ରାଜ୍ୟରେ ସରକାରୀ କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରାଯିବା ଭଳି ପଦକ୍ଷେପ। ତେଣୁ ସ୍ବାଭାବିକ ଭାବେ ଏହାର ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ପ୍ରଶ୍ନବାହୀ ପ୍ରତିକ୍ରିୟା ଶୁଣିବାରେ ମିଳୁଛି ତାହା ହେଲା ୧୯୮୯-୯୦ ମସିହାରେ କେନ୍ଦ୍ରରେ ଥିବା ବିଶ୍ବନାଥ ପ୍ରତାପ ସି˚ହଙ୍କ ଏକ ଅତ୍ୟନ୍ତ ଦୁର୍ବଳ ସରକାରକୁ ବାହାରୁ ସମର୍ଥନ ଦେଇ ଗାଦିନସୀନ କରି ରଖିଥିବା ଭାରତୀୟ ଜନତା ପାର୍ଟି ଏହି ଘଟଣା ଘଟୁଥିବା ସମୟରେ ନିରବ ରହିଥିଲା କାହିଁକି?

ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ଅବସାନ ପରେ ନେଲସନ ମାଣ୍ତେଲା ଯେଉଁ ‘ଟ୍ରୁଥ୍‌ ଏଣ୍ତ ରିକନ୍‌ସିଲିଏସନ୍‌’ ବା ‘ସତ୍ୟ ଓ କ୍ଷମା ଯାଚନା’ ବିଷୟ କହିଥିଲେ, ତାହାର ମର୍ମ ଥିଲା ସତ୍ୟର ସମ୍ମୁଖୀନ ହେବା ସହିତ ପଶ୍ଚାତ୍ତାପ ଏବ˚ କ୍ଷମା ପ୍ରଦାନ ମାଧୢମରେ ବର୍ଣ୍ଣ ବୈଷମ୍ୟବାଦ ଭଳି ଐତିହାସିକ ତ୍ରୁଟିର ସ˚ଶୋଧନ କରିବା। ଏହି ପ୍ରକରଣରେ କୌଣସି ସ˚ଦର୍ଭର ଅଯଥା ରାଜନୀତୀକରଣ କରିବା ବା ସେହି ପରିପ୍ରେକ୍ଷୀରେ ପର ଛିଦ୍ର ଅନ୍ବେଷଣ କରିବାର ମାନସିକତା ଅନୁପସ୍ଥିତ ଥାଏ। ସେହି ଦୃଷ୍ଟିରୁ ‘ଦ କାଶ୍ମୀର ଫାଇଲ୍‌ସ୍‌’ ଦ୍ବାରା ସତ୍ୟକୁ ସାମନା କରିବା ସହିତ କ୍ଷମା ଯାଚନାର ଯେଉଁ ଦୁର୍ଲଭ କ୍ଷଣ ସୃଷ୍ଟି ହୋଇଛି, ତାକୁ ତୁଚ୍ଛ ରାଜନୀତୀକରଣ କାରଣରୁ ହରାଇବା ମଧୢ ଘୋର ଅବିମୃଶ୍ୟକାରିତା ହୋଇପାରେ। ଭୁଲିଗଲେ ହେବନାହିଁ ଯେ କାଶ୍ମୀର ଉପତ୍ୟକାରେ ପଣ୍ତିତମାନେ ପ୍ରମୁଖ ଭାବେ ପାକିସ୍ତାନ ପ୍ରଶିକ୍ଷିତ ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ବାରା ହିଁ ହି˚ସା, ଯାତନା ଏବ˚ ନରସ˚ହାରର ଶିକାର ହୋଇଥିଲେ। ତେଣୁ ଏକ ଆବେଗର ବଶବର୍ତ୍ତୀ ହୋଇ ଏକ ସଂପୂର୍ଣ୍ଣ ସଂପ୍ରଦାୟକୁ କାଶ୍ମୀରୀ ପଣ୍ଡିତମାନଙ୍କ ଏଭଳି ଅବର୍ଣ୍ଣନୀୟ ଟ୍ରାଜେଡି ଲାଗି ଦାୟୀ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କାଶ୍ମୀରରେ ଏ ଯାବତ୍‌ ହତାହତ ହୋଇଥିବା ପ୍ରାୟ ୨୦ ହଜାର ମୁସଲମାନଙ୍କ ମଧୢରୁ ଅଧିକାଂଶ ଏହି ଆତଙ୍କବାଦୀମାନଙ୍କ ହାତରେ ନିହତ ହୋଇଛନ୍ତି। ଏହା ମଧୢ ଏକ ବାସ୍ତବତା ଯେ ଯେଉଁ ସମୟରେ ଏହା ସ˚ଘଟିତ ହେଉଥିଲା, ସେତିକି ବେଳେ ଭାରତର ରାଜନୀତି ଏକ ଅସ୍ବାଭାବିକ ତାରଲ୍ୟ ମଧୢରେ ଥିଲା ଏବ˚ କେନ୍ଦ୍ରରେ କ୍ଷମତାସୀନ ଭି.ପି. ସି˚ହଙ୍କ ସରକାର ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦର ତୀବ୍ରତା ସହିତ ମୁକାବିଲା କରିବାରେ ଅସମର୍ଥ ଥିଲା। ସୁତରା˚, ଆପଣା ଅସାମର୍ଥ୍ୟକୁ କାର୍ପେଟ୍‌ ତଳେ ଢାଙ୍କିବାର ଉଦ୍ୟମ ଏହି ଦାରୁଣ ମାନବୀୟ ଟ୍ରାଜେଡିକୁ ପ୍ରଘଟ ହେବାରେ ଅନ୍ତରାୟ ସୃଷ୍ଟି କରିଥିବା ସ୍ପଷ୍ଟ।

ଏହି ଆଲୋଚନା ବେଳେ ଗଲା ଶତାବ୍ଦୀର ତୃତୀୟ ଓ ଚତୁର୍ଥ ଦଶକରେ ଆଡଲଫ ହିଟ୍‌ଲର ଦ୍ବାରା ପ୍ରାୟୋଜିତ ଇହୁଦୀ ଗଣସ˚ହାର ଏବ˚ ନିର୍ଯାତନା ପ୍ରସଙ୍ଗ ସ୍ମରଣକୁ ଆସିଥାଏ, ଯେଉଁ ଅସହନୀୟ ସତ୍ୟତା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଉନ୍ମୋଚିତ ହୋଇ ସମଗ୍ର ପୃଥିବୀକୁ ବାକ୍‌ହତ କରି ପକାଇଥିବା ବେଳେ ଜର୍ମାନ ଜାତିକୁ ଏକ ଚରମ ଅସ୍ବସ୍ତିକର ଲଜ୍ଜାବୋଧ ଓ ଗ୍ଳାନି ଦ୍ବାରା ଗ୍ରସ୍ତ କରି ଦେଇଥିଲା। ହିଟ୍‌ଲର ଦ୍ବାରା ଏକଦା ସମ୍ମୋହିତ ଜର୍ମାନ ଜାତି କେବଳ ଯେ ଅନୁତପ୍ତ ହୋଇଥିଲେ ତାହା ନୁହେଁ, ସେମାନେ ଇହୁଦୀମାନଙ୍କ ଠାରେ ସାମୂହିକ କ୍ଷମା ଭିକ୍ଷା କରି ଯେଉଁ ଜର୍ମାନ୍‌ମାନେ ଇହୁଦୀମାନଙ୍କ ଗଣହତ୍ୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ˚ପୃକ୍ତ ଥିଲେ, ସେମାନଙ୍କ ଦଣ୍ତବିଧାନ ସକାଶେ ଶୂନ୍ୟ ସହନଶୀଳ ଉଦ୍ୟମ ଆରମ୍ଭ କରିଥିଲେ, ଯାହା ଏ ଯାବତ୍‌ ବଳବତ୍ତର ରହିଛି। ‘ଦ କାଶ୍ମୀର ଫାଇଲ୍‌ସ’ ଚଳଚ୍ଚିତ୍ର ଦ୍ବାରା ସୃଷ୍ଟ ପ୍ରଭାବ ଏହି ଭଳି ଫଳ ପ୍ରଦର୍ଶନ କରିବା ଉଚିତ, ଯହିଁରେ ଜାତି-ଧର୍ମ-ସ˚ପ୍ରଦାୟ ନିର୍ବିଶେଷରେ ସାମୂହିକ ଗ୍ଳାନିବୋଧ ଜର୍ଜରିତ ସମସ୍ତ ଭାରତୀୟ କାଶ୍ମୀରୀ ପଣ୍ତିତମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ ହୋଇ ସେମାନଙ୍କ ସହିତ ଅଶ୍ରୁମୋଚନ କରିବା ସହିତ ଏଥିରେ ସ˚ପୃକ୍ତ ଦୋଷୀମାନଙ୍କ ବିରୋଧରେ ଦଣ୍ତ ନିଧାର୍ଯ୍ୟ କରିବା ଲାଗି ତୁମୁଳ ଦାବି କରିବା ଆବଶ୍ୟକ।

ପ୍ରକାଶ ଥାଉ କି ୧୯୪୦ ମସିହାରୁ ଏ ଯାବତ୍‌ ନିର୍ମିତ ହୋଇଥିବା ପ୍ରାୟ ୨୨୦ ସରିକି ‘ହଲୋକଷ୍ଟ୍’ (ଇହୁଦୀମାନଙ୍କ ଗଣସ˚ହାର) ସିନେମା ମଧୢରୁ ‘ସିଣ୍ତଲର୍ସ ଲିଷ୍ଟ୍’କୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ। ଷ୍ଟିଭେନ୍‌ ସ୍ପିଲ୍‌ବର୍ଗଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଓସ୍କାର ସିଣ୍ତଲର ନାମକ ଜଣେ ଜର୍ମାନ ନାଗରିକଙ୍କୁ ଦର୍ଶାଯାଇଛି, ଯିଏ ସେ ସମୟର ଜର୍ମାନ ଆବେଗର ବିପକ୍ଷରେ ଯାଇ ଅନେକ ଇହୁଦୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲେ। ଇହୁଦୀମାନଙ୍କ ରକ୍ତସ୍ରାବୀ କ୍ଷତର ଚିକିତ୍ସାରେ ସିଣ୍ତଲରଙ୍କ ଭଳି ଜଣେ ଜଣେ ଚରିତ୍ରଙ୍କ ଆବିର୍ଭାବ କିମିଆ ସୃଷ୍ଟି କରିଥାଏ। ଏବେ ଆଶା କରିବା କାଶ୍ମୀରୀ ପଣ୍ତିତମାନଙ୍କ ଦୁର୍ବିଷହ ଯାତନା କାଳରେ ଏହି ଭଳି ସିଣ୍ତଲରମାନଙ୍କୁ ନେଇ ବିବେକ ଅଗ୍ନିହୋତ୍ରୀ ତାଙ୍କର ପରବର୍ତ୍ତୀ ସିନେମା ନିର୍ମାଣ କରନ୍ତୁ।

ସମ୍ବନ୍ଧିତ ଖବର