‘‘କୃଷ୍ଣ ଚାଣୁର ସମର ଘୋରତର, ଥର ଥର ଧରା ହୋଇଲା/ କୃଷ୍ଣ ବଳବୀର୍ଯ୍ୟ ଜାଣି ନିଶାଚର, ବିଚାରେ ମରଣ ହୋଇଲା।’’ ‘ମଥୁରାମଙ୍ଗଳ’ରେ ଭକ୍ତଚରଣ ବର୍ଣ୍ଣିତ ଏହି ମଲ୍ଲ ଯୁଦ୍ଧ ଯେ ୟୁକ୍ରେନ୍‌ରେ ଚାଲିଥିବା ବର୍ତ୍ତମାନର ଯୁଦ୍ଧ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କିସମର ଏକ ଯୁଦ୍ଧ ଥିଲା, ଏହା କାହାକୁ ଅଜଣା ନୁହେଁ। ବାଳକ ଶ୍ରୀକୃଷ୍ଣ ଓ ରାକ୍ଷସ ଚାଣୁର ମଧ୍ୟରେ କଂସ ରଙ୍ଗସଭାରେ ଅନୁଷ୍ଠିତ ସେଇ ମଲ୍ଲଯୁଦ୍ଧରେ ଶେଷରେ ମହାବଳୀ ଚାଣୁରର ବିନାଶ ଘଟିଥିଲା, ଯାହା ଉପସ୍ଥିତ ସଭାସଦ୍ ଓ ଦର୍ଶକମାନଙ୍କୁ ଚକିତ କରିଦେଇଥିଲା। ଯୁଦ୍ଧରେ ପ୍ରଦର୍ଶିତ ବାଳକର ଅଲୌକିକ ପରାକ୍ରମ ଦର୍ଶକମାନଙ୍କର ଗଭୀର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ କୃଷ୍ଣଙ୍କର ଈଶ୍ବରୀୟ ସତ୍ତା ସମ୍ବନ୍ଧରେ ସେମାନଙ୍କ ମନରେ ଥିବା ସମସ୍ତ ସନ୍ଦେହ ଦୂର କରି ଦେଇଥିଲା।

Advertisment

ସମସ୍ତ ପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ରୁଷିଆ ୟୁକ୍ରେନ୍‌ରେ ଯେଉଁ ଆକ୍ରମଣ ଚଳାଇଛି ଏବଂ ତାହା ଯେଉଁଭଳି ହୃଦୟବିଦାରକ ମାନବୀୟ ଯନ୍ତ୍ରଣା ସୃଷ୍ଟି କରିଛି, ସେଥିରେ ଯଦି କେହି କୃଷ୍ଣ-ଚାଣୁର ସମରସମ ମଲ୍ଲଯୁଦ୍ଧ ଓ ସେଥିରେ ଜଣେ କେହି କୃଷ୍ଣସମ ବାଳବୀରର ଆବିର୍ଭାବ ଘଟି ଚାଣୁରସମ ପୁଟିନ୍‌ଙ୍କର ଧ୍ବଂସ ସାଧନ କରି ୟୁକ୍ରେନ୍‌ବାସୀଙ୍କୁ ରକ୍ଷା କରିବ ବୋଲି କଳ୍ପନା କରେ ତେବେ ତାକୁ କେବଳ ଉଦ୍ଭଟ ବୋଲି କହିବା ଆଦୌ ଯଥେଷ୍ଟ ହେବ ନାହିଁ; ଏହାକୁ କୌଣସି ଏକ ପାଗଳର ପ୍ରଳାପ ବୋଲି ନିଶ୍ଚିତ ରୂପେ ବିଚାର କରାଯିବ। କିନ୍ତୁ ‘ଟେସ୍‌ଲା’ ଓ ‘ସ୍ପେସ୍‌ଏକ୍‌ସ’ର ମାଲିକ, ବିଚକ୍ଷଣ ଇଞ୍ଜିନିଅର୍ ତଥା ପୃଥିବୀର ସର୍ବଶ୍ରେଷ୍ଠ ଧନୀ ଏଲନ୍ ମସ୍କ୍‌ ତ ନିଶ୍ଚିତ ରୂପେ ଜଣେ ପାଗଳ ନୁହନ୍ତି! ତେଣୁ ନିକଟରେ ସେ ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟାଇବା ପାଇଁ ପରିକଳ୍ପନା କରିଥିବା ଠିକ୍ ଏହିପରି ଏକ ରଣକୌଶଳ ସାରା ପୃଥିବୀକୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଦେଇଛି, ସେତିକି ଆମୋଦିତ କରିଛି। ମସ୍କ୍‌ ବାଳକ ଶ୍ରୀକୃଷ୍ଣଙ୍କ ଭଳି ଚାଣୁର ପୁଟିନ୍‌ଙ୍କୁ ତାଙ୍କ ସହିତ ଏକା-ଏକା ଲଢ଼େଇ କରିବା ପାଇଁ ଏକ ଆହ୍ବାନ ଦେଇଛନ୍ତି; ଉଦ୍ଦେଶ୍ୟ- ପୁଟିନ୍ ଯଦି ଏହି ମଲ୍ଲଯୁଦ୍ଧରେ ପରାଜିତ ହୁଅନ୍ତି, ତେବେ ସେ ୟୁକ୍ରେନ୍‌ରୁ ସୈନ୍ୟ ଅପସାରଣ କରି ଯୁଦ୍ଧରେ ଅନ୍ତ ଘଟାଇବେ।

ଏଠାରେ ପୁଟିନ୍‌ଙ୍କୁ ଜଣେ ଶକ୍ତିଶାଳୀ ରାକ୍ଷସ ଓ ମସ୍କ୍‌ଙ୍କୁ ଜଣେ ଦୁର୍ବଳ ବାଳକ ରୂପେ ଦେଖିବା ପଛରେ ଯଥେଷ୍ଟ କାରଣ ରହିଛି। ଯେଉଁମାନେ ବିଗତ ବର୍ଷ ମାନଙ୍କରେ ପୁଟିନ୍‌ଙ୍କ ଦ୍ବାରା ପ୍ରଦର୍ଶିତ ତାଙ୍କର ବିଭିନ୍ନ ଆଚରଣ ସହିତ ପରିଚିତ, ସେମାନେ ପୁଟିନ୍‌ଙ୍କ ମଲ୍ଲବୀରସୁଲଭ ଶରୀରଚର୍ଯ୍ୟା ସହିତ ସୁପରିଚିତ: ଆକ୍‌ସନ୍ ସିନେମା ହିରୋ ଭଳି ଅନାବୃତ ମାଂସପେଶୀ ପ୍ରଦର୍ଶନ କରି ତାଙ୍କର ଅଶ୍ବାରୋହଣରୁ ସନ୍ତରଣ ପର୍ଯ୍ୟନ୍ତ ଦୃଶ୍ୟ ବେଶ୍ ପ୍ରଭାବଶାଳୀ ହୋଇଥାଏ। ଅପରପକ୍ଷେ ଏଲନ୍ ମସ୍କ୍‌ଙ୍କର ଶକ୍ତିର ଆଧାର ତାଙ୍କର ବାହୁର ମାଂସପେଶୀ ନୁହେଁ, ତାଙ୍କ ମସ୍ତିଷ୍କର ବିରଳ ସ୍ନାୟୁକଣିକାମାନ। ଅନ୍ୟ ପ୍ରକାରେ କହିଲେ ପୁଟିନ୍‌ଙ୍କ ଶରୀର ଏକ ମଲ୍ଲବୀର ଭଳି କଠିନ ହୋଇଥିବା ବେଳେ ମସ୍କ୍‌ଙ୍କ ଶରୀର ହେଉଛି ଏକ ବାଳକ ଭଳି କୋମଳ। ପୁଟିନ୍ ଯଦି ମସ୍କ୍‌ଙ୍କର ଆହ୍ବାନ ଗ୍ରହଣ କରି ତାଙ୍କ ସହିତ ଏକଲା ଲଢ଼ିବା ପାଇଁ ଆଗେଇ ଆସନ୍ତେ, ନିଃସନ୍ଦେହରେ ତାହା ଏକ ଅସମତୁଲ, ଏକପାଖିଆ ଲଢ଼େଇରେ ପରିଣତ ହୁଅନ୍ତା, କାରଣ ମସ୍କ୍‌ଙ୍କର ଶାରୀରିକ ଦୁର୍ବଳତା ଭରଣା କରିବା ପାଇଁ ତାଙ୍କ ପାଖରେ ଯେ କୃଷ୍ଣସୁଲଭ ଐଶ୍ବରିକ ଶକ୍ତି ନାହିଁ, ଏ କଥା ଖୋଦ୍ ମସ୍କ୍‌ଙ୍କୁ ମଧ୍ୟ ଭଲ ରୂପେ ଜଣା।

ଏହି ସମୟରେ ଉଭୟଙ୍କ ମଧ୍ୟରେ ଏକ ସମ୍ଭାବ୍ୟ ଲଢ଼େଇକୁ ନ୍ୟାୟୋଚିତ ଓ ସମତୁଲ କରିବା ପାଇଁ ଏକ ଅଭିନବ ପ୍ରସ୍ତାବ ଧରି ଯିଏ ଆଗେଇ ଆସିବା ଦେଖାଯାଇଛି, ସେ ହେଉଛନ୍ତି ପୁଟିନ୍‌ଙ୍କର ଜଣେ ବିଶ୍ବସ୍ତ ସହଯୋଗୀ, ଚେଚ୍‌ନ୍ୟାର ଏକଛତ୍ର ଶାସକ ତଥା ବାହୁବଳୀ- ରମ୍‌ଜାନ୍ କାଦିରୋଭ୍। କାଦିରୋଭ୍‌ଙ୍କର ଏହି ପ୍ରସ୍ତାବ ସମ୍ବନ୍ଧରେ କିଛି କହିବା ପୂର୍ବରୁ, କାଦିରୋଭ୍‌ଙ୍କର ଏକ ସଂକ୍ଷିପ୍ତ ପରିଚୟ ଏଠାରେ ପ୍ରଦାନ କରିବା ଉଚିତ ହେବ। ଉତ୍ତର କକେସସ୍ ପର୍ବତମାଳାରେ ଅବସ୍ଥିତ ଚେଚ୍‌ନ୍ୟାକୁ ଦଖଲ କରିବା ପାଇଁ ରୁଷିଆ ଊନବିଂଶ ଶତାବ୍ଦୀରେ ଜାର୍‌ମାନଙ୍କ ଅମଳରୁ ଆରମ୍ଭ କରି ବିଂଶ ଶତାବ୍ଦୀର କମ୍ୟୁନିଷ୍ଟ୍ ଅମଳ ଓ କମ୍ୟୁନିଷ୍ଟ ସୋଭିଏତ୍ ସଂଘ ଭୁଶୁଡ଼ି ପଡ଼ିବା ପରେ ବୋରିସ୍ ୟେଲ୍‌ଟସିନ୍‌ଙ୍କ ଶାସନ ଓ ତା’ପରେ ଭ୍ଲାଡିମିର୍ ପୁଟିନ୍‌ଙ୍କ ଶାସନ କାଳରେ ଲଢ଼ୁଆ ଚେଚେନ୍‌ମାନଙ୍କ ସହିତ ବାରମ୍ବାର ଯୁଦ୍ଧରେ ବ୍ୟାପୃତ ହୋଇ ଆସିଛି।

ଚେଚେନ୍‌ମାନେ ହେଉଛନ୍ତି ଇସଲାମ-ଧର୍ମାବଲମ୍ବୀ ଏବଂ ଇସଲାମୀୟ ଚରମପନ୍ଥୀମାନେ ଚେଚ୍‌ନ୍ୟାରେ ନିଜର ପ୍ରଭୁତ୍ବ ବିସ୍ତାର କରିବା ପାଇଁ ଅନବରତ ଉଦ୍ୟମ କରି ଆସିଛନ୍ତି। ରମ୍‌ଜାନ୍‌ଙ୍କ ପିତା ସୁଫି ମୁସଲମାନ ଆଖ୍‌ମଦ୍ କାଦିରୋଭ୍ ଏହି ମୌଳବାଦୀମାନଙ୍କୁ ପ୍ରତିହତ କରିବା ପାଇଁ ପୁଟିନ୍‌ଙ୍କ ସହାୟତା ଲୋଡ଼ିବା ପରେ ୨୦୦୩ରେ ପୁଟିନ୍ ଆଖ୍‌ମଦ୍‌ଙ୍କୁ ଚେଚ୍‌ନ୍ୟାର ଶାସକ ରୂପେ ଅଧିଷ୍ଠିତ କରାଇ ଦେଇଥିଲେ। ଏହାର ମାତ୍ର ବର୍ଷକ ମଧ୍ୟରେ ଆଖ୍‌ମଦ୍ ଆତତାୟୀ ହାତରେ ପ୍ରାଣ ହରାଇବା ପରେ ପୁଟିନ୍ ଆଖ୍‌ମଦ୍‌ଙ୍କର ୨୭ ବର୍ଷୀୟ ପୁତ୍ର ରମ୍‌ଜାନ୍‌ଙ୍କୁ ଚେଚ୍‌ନ୍ୟାର ଶାସକ ପଦରେ ଅଧିଷ୍ଠିତ କରାଇ ସେ ତିଷ୍ଠି ରହିବା ପାଇଁ ସମସ୍ତ ସହାୟତା ଯୋଗାଇ ଆସିଛନ୍ତି। ପୁଟିନ୍‌ଙ୍କ ପ୍ରତି ତେଣୁ ସମ୍ପୂର୍ଣ୍ଣ ରୂପେ ଅନୁଗତ ରମ୍‌ଜାନ୍ ନିଜର ଦୁର୍ଦ୍ଧର୍ଷ ଭାବମୂର୍ତ୍ତି ଓ ନିଷ୍ଠୁର ଶାସନ ପାଇଁ କୁଖ୍ୟାତ। ସେ ଓ ତାଙ୍କର ଚେଚେନ୍ ସୈନ୍ୟମାନେ ୟୁକ୍ରେନ୍‌ରେ ପହଞ୍ଚି ପୁଟିନ୍‌ଙ୍କୁ ଯୁଦ୍ଧରେ ସା‌ହାଯ୍ୟ କରୁଥିବା ଖବର ପ୍ରକାଶ ପାଇଛି।

ସେଇ ରମ୍‌ଜାନ୍ ଏଲନ୍ ମସ୍କ୍‌ଙ୍କର ଉପରୋକ୍ତ ଆହ୍ବାନର ଜବାବ ଦେଇ ଏକ ଛଳ ଉଦାରତା ପ୍ରଦର୍ଶନ କରି ଲଢ଼େଇରେ ପୁଟିନ୍‌ଙ୍କ ସମକକ୍ଷ ହେବାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେ ଏଥିପାଇଁ ମସ୍କ୍‌ଙ୍କୁ ତାଲିମ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେତିକି ନୁହେଁ, ସେ ମସ୍କ୍‌ଙ୍କର କୋମଳ ଶରୀରକୁ ବିଦ୍ରୂପ କଲା ଭଳି ତାହାକୁ ଏକ ନାରୀ ଶରୀର ରୂପେ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ମସ୍କ୍‌ଙ୍କୁ ଉପଦେଶ ଦେଇଛନ୍ତି ଯେ ସେ ନିଜର ନାମ ପୁରୁଷସୂଚକ ‘ଏଲନ୍’ରୁ ବଦଳାଇ ନାରୀସୂଚକ ‘ଏଲନା’ କରିଦିଅନ୍ତୁ। ମସ୍କ୍‌ ମଧ୍ୟ ଛାଡ଼ିବା ଜନ୍ତୁ ନୁହନ୍ତି; ସେ କାଦିରୋଭ୍‌ଙ୍କର ଉପଦେଶ ମାନି ନେଲା ଭଳି ନିଜକୁ ‘ଏଲନା’ ବୋଲି ସମ୍ବୋଧନ କରି ଶତ୍ରୁପକ୍ଷକୁ ବାଧିବା ଭଳି ଆଉ ଏକ ପ୍ରସ୍ତାବ ଦେଇଛନ୍ତି- ସେ ପୁଟିନ୍‌ଙ୍କ ସହିତ ଲଢ଼େଇରେ ଦୁଇ ହାତ ବ୍ୟବହାର ନ କରି ଗୋଟିଏ ହାତ ବ୍ୟବହାର କରିବେ!

ମସ୍କ୍‌ଙ୍କର ଅତୀତରେ ଆଚରଣ ସହିତ ଯେଉଁମାନେ ପରିଚିତ, ସେମାନେ ଅବଶ୍ୟ ତାଙ୍କର ଏଭଳି ନିରର୍ଥକ, ଉଦ୍‌ଭ୍ରାନ୍ତ ଉଦ୍ୟମ ଦେଖି ଆଶ୍ଚର୍ଯ୍ୟ ହେଉ ନ ଥିବେ। ସେମାନଙ୍କର ମନେଥିବ କିପରି ୨୦୧୮ରେ ଯେତେବେଳେ ଥାଇଲାଣ୍ଡ୍‌ର ଏକ ପାହାଡ଼ ଗୁମ୍ଫା ଭିତରେ ୧୨ ଜଣ ବାଳକ ଫୁଟ୍‌ବଲ୍ ଖେଳାଳି ଜଳବନ୍ଦୀ ଅବସ୍ଥାରେ ରହି ଯାଇଥିଲେ ଓ ସୁଦକ୍ଷ ବୁଡ଼ାଳିମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନରାତି ଲାଗି ପଡ଼ିଥିଲେ, ମସ୍କ୍‌ ସେତେବେଳେ ଜଣେ ଅଗ୍ରଣୀ ବୁଡ଼ାଳି, ବ୍ରିଟେନ୍‌ର ଭର୍ନନ୍ ଅନ୍‌ସୱର୍ଥଙ୍କ ସହିତ ଏକ ଅତ୍ୟନ୍ତ ଅଶାଳୀନ ଝଗଡ଼ାରେ ମାତି ଯାଇଥି‌ଲେ। ଝଗଡ଼ାର କାରଣ- ଗୁମ୍ଫାରୁ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଏକ କ୍ଷୁଦ୍ର ବୁଡ଼ା ଜାହାଜ ନିର୍ମାଣ ପାଇଁ ମସ୍କ୍‌ ଦେଇଥିବା ପ୍ରସ୍ତାବକୁ ଅନ୍‌ସୱର୍ଥ ଅବାସ୍ତବ ବିଚାର କରି ଅଗ୍ରାହ୍ୟ କରି ଦେଇଥିଲେ। ପରେ ଅବଶ୍ୟ ବୁଡ଼ାଳିମାନେ ପିଲାମାନଙ୍କୁ ଅପୂର୍ବ ସାହସିକତା ପ୍ରଦର୍ଶନ କରି ନିରାପଦ ଭାବରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଉଭୟ ଥାଇଲାଣ୍ଡ୍ ଘଟଣା ଓ ୟୁକ୍ରେନ୍ ଘଟଣାରେ ଏଲନ୍ ମସ୍କ୍‌ ପ୍ରଦର୍ଶନ କରିଥିବା ଏଭଳି ଆଚରଣରୁ ଯାହା ସ୍ପଷ୍ଟ ହୋଇଥାଏ, ଏଭଳି ଦାରୁଣ ଦୁର୍ଦ୍ଦିନ ସମୟରେ ସମସ୍ୟାର ସମାଧାନ ପାଇଁ କିଛି ପ୍ରକୃତ ଉଦ୍ୟମ କରିବା ଅପେକ୍ଷା ଏଲନ୍ ମସ୍କ୍‌ଙ୍କର ଯାହା ଅସଲ ଆଗ୍ରହ ହୋଇଥାଏ, ତାହା ହେଲା କୌଣସି ଉଦ୍ଭଟ ଆଚରଣ ପ୍ରଦର୍ଶନ କରି ନିଜକୁ ଚର୍ଚ୍ଚାରେ ରଖିବା। ଏପରି କରିବା ବେଳେ ମସ୍କ୍‌ ଭୁଲି ଯାଆନ୍ତି ଯେ ତାଙ୍କ ପାଇଁ ଯାହା ଖେଳ, ଅନ୍ୟମାନଙ୍କ ପାଇଁ ତାହା କାଳ ହୋଇଥାଏ। ଯୁଦ୍ଧରେ ତାଙ୍କ ଦେଶକୁ ସକ୍ରିୟ ସହାୟତା କରିବାକୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କର ଆକୁଳ ନିବେଦନ ପ୍ରତି ‘ନାଟୋ’ ବା ଆମେରିକା, କେହି ହେଲେ କର୍ଣ୍ଣପାତ କରୁ ନ ଥିବା ବେଳେ ଏଲନ୍ ମସ୍କ୍‌ଙ୍କର ୟୁକ୍ରେନ୍‌ର ଟ୍ରାଜେଡିକୁ ଏକ ଫାର୍ସ‌୍ରେ ପରିଣତ କରିବା ପାଇଁ ଏହି ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।